ପାହାଡ଼ଝରିରୁ ସଂପୂର୍ଣ୍ଣ ଗାଁର ଜଳଯୋଗାଣ

ପାହାଡ଼ଝରିରୁ ସଂପୂର୍ଣ୍ଣ ଗାଁର ଜଳଯୋଗାଣ

Tuesday February 28, 2017,

2 min Read

ଜଳକଷ୍ଟରେ ଏବେ ଆଉଟୁ ପାଉଟୁ ହେଉଛି ସାରା ଓଡିଶା । ପିଇବାପାଣି ମୁନ୍ଦାଏ ପାଇବାକୁ କେଉଁଠି ଲୋକଙ୍କୁ ଚୁଆ ଉପରେ ଭରସା କରିବାକୁ ପଡୁଛି ତ କେଉଁଠି ମାଇଲମାଇଲ ଦୂରକୁ ଯିବାକୁ ପଡୁଛି । ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ଆକାଶ କୁସୁମ ପାଲଟିଛି। ଗ୍ରାମାଞ୍ଚଳ ତ ଦୂର ସହରାଞ୍ଚଳରେ ବି ସମସ୍ତଙ୍କୁ ପାଣି ଯୋଗାଇପାରୁନାହାନ୍ତି ସରକାର । ଏଭଳି ପରିସ୍ଥିତିରେ ନିଜ ସମସ୍ୟାର ନିଜେ ସମାଧାନ କରିବାକୁ ଆଗେଇ ଆସିଥିବା କେନ୍ଦୁଝର ଜିଲ୍ଲା ସାହରପୁର ଗାଁ ଲୋକମାନଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ପାହାଡ କଡରେ ଥିବା ଏହି ଅଖ୍ୟାତ ଆଦିବାସୀ ଗାଁ ଲୋକମାନେ ପାହାଡରୁ ଝରି ଆସୁଥିବା ପାଣିକୁ ନିଜସ୍ଵ ଉଦ୍ୟମରେ ସଞ୍ଚୟ କରି ଗାଁର ଘର ପାଇପ ଯୋଗେ ପହଞ୍ଚାଇ ପାରିଛନ୍ତି । ଏଥିପାଇଁ ବିଦ୍ୟୁତଶକ୍ତି ବି ଦରକାର ପଡୁନି ।

image


ବାଂଶପାଳ ବ୍ଲକ ଅନ୍ତର୍ଗତ ସାହରପୁରରେ ରହନ୍ତି ଆଦିମ ଅଧିବାସୀ ଭୂୟାଁ ସଂପ୍ରଦାୟର ପ୍ରାୟ ୨୦୦ ପରିବାର । ସମସ୍ତେ ବାସିନ୍ଦା ପ୍ରାୟତଃ ଶ୍ରମିକ ଶ୍ରେଣୀର ଏବଂ କେହି କେହି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚାଲିଥାନ୍ତି । ତିନିବର୍ଷ ପୂର୍ବ ପର୍ଯ୍ୟନ୍ତ ଏହି ଗ୍ରାମର ମୁଖ୍ୟ ସମସ୍ୟା ଥିଲା ପାଣି । ଖରାଦିନେ ଗ୍ରାମବାସୀ ଆଖପାଖର ନାଳ ଓ ଜଳଉତ୍ସ ସବୁ ଶୁଖିଗଲେ ଗ୍ରାମବାସୀ ନାନା ହଇରାଣ ହେଉଥିଲେ । ଏଥିପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଉଥିଲେ । ତଥାପି ଜଳକଷ୍ଟ ଦୂର ହୋଇପାରୁନଥିଲା , ତେବେ ୨୦୧୩ ମସିହାରେ ମିଳିଥିଲା ବାଟ । ପାହାଡରୁ ଗଡି ନଷ୍ଟ ହେଉଥିବା ଜଳର ସୁପରିଚାଳନା ଉପରେ ଦିଆଯାଇଥିଲା ଗୁରୁତ୍ଵ । ଗ୍ରାମରେ ବୈଠକ ବସିଥିଲା । ଏଥିପାଇଁ ଗାଁଲୋକେ ଯତକିଞ୍ଚିତ ଅର୍ଥଦାନ ଏବଂ ଶ୍ରମଦାନ କରିବାକୁ ନିଷ୍ପତି ହୋଇଥିଲା । ଏହାପରେ ଗ୍ରାମବାସୀ ଏକ ବେସରକାରୀ ସ୍ଵେଚ୍ଚାସେବୀ ଅନୁଷ୍ଠାନରୁ ବୈଷୟିକ ସହାୟତା ନେଇଥିଲେ । ପ୍ରାୟ ୭ ଦିନ ଧରି ପାହାଡରେ ମାଟି ଖୋଳି ସିମେଣ୍ଟର ବଡ କୁଣ୍ଡ ନିର୍ମାଣ କରିଥିଲେ । ଏହାପରେ ସେଥିରୁ ପାଇପ ପଡିଥିଲା ଗାଁକୁ । ସେହି ପାଇପରୁ ସବୁ ଘରକୁ ପାଣି ସଂଯୋଗ ଦିଆଯାଇଥିଲା । ସବୁଘରେ ରହିଥିଲା ଟ୍ୟାପ । ସେତେବେଳେ ଗାଁ ଲୋକଙ୍କ ଏହି ଉଦ୍ୟମକୁ ଦେଖି ତତକାଳୀନ ଜିଲ୍ଲାପାଳ ବି ସହାୟତାର ହାତ ବଢାଇଇଥିଲେ । ପାଇପ କିଣିବା ପାଇଁ କିଛି ଅର୍ଥ ବ୍ୟବସ୍ଥା କରିଥିଲେ ।

ବେଶ ସଫଳ ହୋଇଥିଲା ଗ୍ରାମବାସୀଙ୍କ ଏହି ପ୍ରୟାସ । ଏବେ ପାହାଡରୁ ଗଡି ଆସୁଥିବା ପାଣି କୁଣ୍ଡରେ ଜମା ହେଉଛି । ସେଥିରୁ ପାଇପ ଯୋଗେ ପହଞ୍ଚି ଯାଉଛି ସମସ୍ତଙ୍କ ଘରକୁ । ଏହି ପାଣିରେ ଗାଁ ଲୋକଙ୍କ ଜଳକଷ୍ଟ ତ ଦୂର ହେଲା ତା ସାଙ୍ଗକୁ ବାଡିବଗିଚାରେ ପନିପରିବା ଚାଷ ବି ହୋଇପାରିଲା । ଏବେ ସବୁ ଘରେ ଯେତେବେଳେ ଟ୍ୟାପ ଖୋଲିଲେ ପାଣି ।

ଏହି ପ୍ରକଳ୍ପ ତିଆରିରେ ପ୍ରତି ପରିବାର ଶ୍ରମଦାନ କରିଥିବା ବେଳେ ପରିବାର ପିଛା ମାତ୍ର ୧୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ଏହି ନାମମାତ୍ର ଅର୍ଥଦାନ ଏବଂ ପରିଶ୍ରମ ଯୋଗୁଁ ସାହରପୁର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । କହିବା ବାହୁଲ୍ୟଯେ ଏବେ କେନ୍ଦୁଝର ଜିଲ୍ଲା ସମେତ ସାରା ରାଜ୍ୟରେ ଏମିତି ଅନେକ ପାହାଡତଳି ଗାଁ ରହିଛି ଯେଉଁଠି ଲୋକେ ଜଳକଷ୍ଟ ଭୋଗୁଛନ୍ତି । ଏ ସବୁ ଗାଁରେ ବି ସାମାନ୍ୟ ଉଦ୍ୟମରେ ଏପରି ଜଳପରିଚାଳନା ପ୍ରକଳ୍ପ କରି ଲୋକଙ୍କୁ ଜଳ ଯୋଗାଇ ହେବ।

ଏ ସଂପର୍କରେ କେନ୍ଦୁଝର ଜିଲ୍ଲାପାଳ ଏନ ତିରୁମାଳା ନାଏକଙ୍କୁ କହିଛନ୍ତି, ସାହରପୁର ଗ୍ରାମ ରେ ଏଭଳି ଜଳ ଯୋଗାଣ ବ୍ୟବସ୍ଥା ବାସ୍ତବରେ ଏହା ଏକ ଉତ୍ତମ ପଦକ୍ଷେପ । ଏହି ବ୍ୟବସ୍ଥା ଦେଖିବା ପରେ ଅନ୍ୟ ପାହାଡତଳି ଗ୍ରାମଗୁଡିକରେ ଏଭଳି ପଦକ୍ଷେପ ନିଆଯିବ ।