EDITIONS
Odia

ସହରର ବସ୍ତି ଅଞ୍ଚଳରେ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ସ୍ୱାସ୍ଥ୍ୟକର ସାଧନ ଆପଣାଇବା ପାଇଁ ପ୍ରେରିତ କରୁଛି “ସୁଖୀଭବ”

31st Mar 2016
Add to
Shares
0
Comments
Share This
Add to
Shares
0
Comments
Share

ପାଉଁଶ, ବାଲି, ପୁରୁଣା ଖବର କାଗଜ, ଛିଣ୍ଡା କନା- ଏସବୁ ଆପଣଙ୍କ ପାଇଁ ହୁଏତ ଅଳିଆ ଆବର୍ଜନା ହୋଇପାରେ। ମାତ୍ର ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗାଁ, ଛୋଟ ସହର ଓ ଏପରିକି ବଡ ସହରର ବସ୍ତି ଅଞ୍ଚଳରେ ରହୁଥିବା ସ୍ୱଳ୍ପ ଉପାର୍ଜନକାରୀ ପରିବାରର ମହିଳାମାନଙ୍କ ପାଇଁ ଏହା ଏକ ସ୍ୱାସ୍ଥ୍ୟ ସାଧନ। କିପରି? ଉପରୋକ୍ତ ପରିବାରମାନଙ୍କ ମଧ୍ୟରୁ ଅନେକ ପରିବାରରେ ମହିଳାମାନେ ଋତୁସ୍ରାବ ସମୟରେ ପାଉଁଶ, ବାଲି, ପ୍ଲାଷ୍ଟିକ, ପୁରୁଣା ଖବର କାଗଜ କିମ୍ବା ଛିଣ୍ଡା କନା ଭଳି ଜିନିଷର ବ୍ୟବହାର କରିଥାନ୍ତି। 

ଗୋଟିଏ ରିପୋର୍ଟ ଅନୁସାରେ ଭାରତର ୪୫ କୋଟି ମହିଳାଙ୍କ ମଧ୍ୟରୁ ମାତ୍ର ୧୨ ପ୍ରତିଶତ ଋତୁସ୍ରାବ ସମୟରେ ସ୍ୟାନିଟାରୀ ପ୍ୟାଡର ବ୍ୟବହାର କରିଥାନ୍ତି। କେବଳ ଆର୍ଥିକ କିମ୍ବା ଶିକ୍ଷାଗତ କାରଣ ଯୋଗୁ ନୁହେଁ, ପାରମ୍ପରିକ ଭାବେ ଭାରତ ସମେତ ଅନେକ ବିକାଶଶୀଳ ଦେଶରେ ଋତୁସ୍ରାବ ଓ ଏହା ସହ ଜଡିତ ପ୍ରସଙ୍ଗ ମାନଙ୍କ ଉପରେ ଖୋଲାଖୋଲି ଆଲୋଚନା କରାଯାଏ ନାହିଁ। ଏହି ସମୟରେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଆବଶ୍ୟକ ସଚେତନତା ଠାରୁ ଅନେକ ମହିଳା ଦୂରରେ ଥାଆନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ ହିଁ “ସୁଖୀଭବ” ପ୍ରକଳ୍ପର ପରିକଳ୍ପନା କରଯାଇଥିଲା।

image


କିପରି ଆରମ୍ଭ ହେଲା “ସୁଖୀଭବ”

ଦିଲୀପ ପଟ୍ଟୁବାଲାଙ୍କର ପିଲାଦିନୁ ସମାଜସେବା ପ୍ରତି ରୁଚି ଥିଲା। ବିଜନେସ ମ୍ୟାନେଜମେଣ୍ଟ ପଢୁଥିବା ସମୟରେ ସେ ରକ୍ତଦାନ ଶିବିର ଆୟୋଜନ କରିବା ସହ ବସ୍ତି ଉନ୍ନୟନ କାର୍ଯ୍ୟରେ ମଧ୍ୟ ସଂଶ୍ଳିଷ୍ଟ ଥିଲେ। ଶିକ୍ଷା ଶେଷ ପରେ ସେ ଉନ୍ନୟନ କ୍ଷେତ୍ରରେ କାମ କରିବାକୁ ଆରମ୍ଭ କଲେ ଓ The Akshaya Patra Foundation ଏବଂ HelpAge India ଭଳି ସଂସ୍ଥାରେ କାମ କରିଥିଲେ। ସେ ଏହି କ୍ଷେତ୍ରରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ କେମ୍ବ୍ରିଜ ସ୍ଥିତ Anglia Ruskin University ଗଲେ ଓ ତାପରେ ଲଣ୍ଡନରେ ରେଡକ୍ରସ ସୋସାଇଟିରେ ମଧ୍ୟ କାମ କରିଥିଲେ। ଏହାପରେ ସେ ଅଷ୍ଟ୍ରେଲିୟ କମ୍ପାନୀ Pollinate Energyରେ କାମ କରିବା ପାଇଁ ବାଙ୍ଗାଲୋର ଆସିଲେ ଓ ସହରର ବସ୍ତି ଅଞ୍ଚଳରେ ଶକ୍ତି ଅଭାବକୁ କିପରି ଦୂର କରିହେବ ତା ଉପରେ କାର୍ଯ୍ୟ କରିବା ଆରମ୍ଭ କଲେ।

ଅନୁସନ୍ଧିତ୍ସା ହିଁ “ସୁଖୀଭବ” ପାଇଁ ଦିଲୀପଙ୍କୁ ପ୍ରେରିତ କରିଥିଲା। ବାଙ୍ଗାଲୋରରେ କାମ କରୁଥିବା ବେଳେ ତାଙ୍କୁ ତାଙ୍କର ଜଣେ ଅଷ୍ଟ୍ରେଲିୟ ସହଯୋଗୀ ଭାରତରେ ଋତୁସ୍ରାବ ସମୟରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରିଥିଲେ। ଏହାର କୌଣସି ସଠିକ ଉତ୍ତର ଦିଲୀପଙ୍କ ପାଖରେ ନଥିଲା। ଏହି ଘଟଣା ଉପରେ ମତ ଦେଇ ଦିଲୀପ କୁହନ୍ତି,

ସହଯୋଗୀଙ୍କ ପ୍ରଶ୍ନର ଉତ୍ତର ପାଇବା ପାଇଁ ମୁଁ ଇଣ୍ଟରନେଟ ସହାୟତାରେ ଖୋଜିବାକୁ ଲାଗିଲି। ହେଲେ ଏଥିରୁ ଯାହା ପାଇଲି ତାହା ମୋ ପାଇଁ ନିହାତି ଆଶ୍ଚର୍ଯ୍ୟଜନକ ଥିଲା। ଭାରତରେ ମାତ୍ର ୧୨ ପ୍ରଶିଶତ ମହିଳାଙ୍କର ଋତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟ ଉପରେ ସଚେତନତା ରହିଛି। ଏହାପରେ ମୁଁ ନିଜେ ଏ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ପାଇବାକୁ ଚେଷ୍ଟା କଲି।

ଏହି ଦିଗରେ ଅଧିକ ଅଭିଜ୍ଞତା ଆହରଣ ପାଇଁ ଦିଲୀପ ନିଜ ପୁରୁଣା ବନ୍ଧୁ ସାହାନା ଭଟ୍ଟଙ୍କ ସହାୟତା ନେଲେ। ସାହାନା ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ କରିବା ସହ ଜନାଗ୍ରହ ଭଳି ସଂସ୍ଥାରେ କାମ କରିଥିଲେ। ଏହାପରେ ଦୁହେଁ ମିଶି ଏହି ବିଷୟ ଉପରେ ଅଧିକ ସର୍ବେକ୍ଷଣ କରିବା ଆରମ୍ଭ କଲେ। ସର୍ବେକ୍ଷଣର ଫଳାଫଳ ଉଭୟଙ୍କୁ ଚକିତ କରିଦେଇଥିଲା। । 

ଏହା ଉପରେ ମତ ଦେଇ ସାହାନା କୁହନ୍ତି,

ସର୍ବେକ୍ଷଣ ପାଇଁ ଆମେ ବାଛି ଥିବା ନମୁନା ମଧ୍ୟରୁ ୮୨ ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର ସାଧନର ବ୍ୟବହାର କରୁଥିଲେ। କେହି କେହି ପାଉଁଶ, ବାଲି କିମ୍ବା ପୁରୁଣା ଖବରକାଗଜ ବ୍ୟବହାର କରୁଥିବା ବେଳେ କେହି କେହି ଛିଣ୍ଡାକନା, ପୁରୁଣା ପ୍ଲାଷ୍ଟିକ ଏପରିକି ପତ୍ର ମଧ୍ୟ ବ୍ୟବହାର କରୁଥିଲେ।

ଏହି ସର୍ବେକ୍ଷଣ ପରେ ଉଭୟ ସାହାନା ଓ ଦିଲୀପ ଅନୁଭବ କଲେ ଯେ ଏହି ଦିଗରେ କାମ କରିବାର ଆବଶ୍ୟକତା ରହିଛି। ୨୦୧୩ ମସିହାରେ ଉଭୟ ମିଶି “ସୁଖୀଭବ” ଆରମ୍ଭ କଲେ ଓ ଏହି ସଂସ୍ଥା ୨୦୧୪ ମସିହାରେ ନିଜ କାମ ଆରମ୍ଭ କଲା।

Dilip and Sahana

Dilip and Sahana


ସଚେତନତା ଓ ଅଣୁ-ଉଦ୍ୟୋଗୀଙ୍କ ସହ ସହବନ୍ଧନ

“ସୁଖୀଭବ” ବାଙ୍ଗାଲୋର ସହରର ବସ୍ତି ଅଞ୍ଚଳରେ ରହୁଥିବା ମହିଳା ମାନଙ୍କ ସହ ମିଶି କାମ କରୁଛି। ଋତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଏହି ସଂସ୍ଥା ସେମାନଙ୍କୁ ଶିକ୍ଷା ଦେବା ସହ ସ୍ଥାନୀୟ ମହିଳା ଅଣୁ-ଉଦ୍ୟୋଗୀଙ୍କ ଜରିଆରେ କମ ଦାମରେ ସ୍ୟାନିଟାରି ପ୍ୟାଡ ମଧ୍ୟ ଯୋଗାଇ ଦେଉଛି।

ସର୍ବେକ୍ଷଣରୁ ମିଳିଥିବା ଅଭିଜ୍ଞତାର ଉପଯୋଗ କରି ଉଭୟ ଦିଲୀପ ଓ ସାହାନା ପ୍ରଥମେ ଗୋଟିଏ ଚାରି ମାସିଆ ପାଇଲଟ ପ୍ରକଳ୍ପ ଆରମ୍ଭ କରିଥିଲେ। ଏଥିରେ ୧୨ ଟି ଭିନ୍ନ ଭିନ୍ନ ପ୍ରଡ଼କ୍ଟର ଟେଷ୍ଟିଙ୍ଗ କରଯାଇଥିଲା। କଣ ବିକ୍ରି କରିବାକୁ ହେବ ଓ କିପରି ବିକ୍ରି କରିବାକୁ ହେବ ତାହା ଦିଲୀପ ଓ ସାହାନା ପାଇଲଟ ପ୍ରକଳ୍ପ ମାଧ୍ୟମରେ ବୁଝି ପାରିଥିଲେ।

କାର୍ଯ୍ୟଶୈଳୀ

image


ଋତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ପାଇଁ ମହିଳାମାନଙ୍କୁ ଗୋଟିଏ ୨୫ ମିନିଟର ଭିଡ଼ିଓ ଦେଖା ଯାଇଥାଏ। “ସୁଖୀଭବ” ଗୋଟିଏ ସ୍ୟାନିଟାରି ପ୍ୟାଡ ତିଆରି କରୁଥିବା କମ୍ପାନୀ ସହ ସହବନ୍ଧନ ମଧ୍ୟ କରିଛି। ଏହି କମ୍ପାନୀ “ସୁଖୀଭବ” କୁ ୮ଟି ସ୍ୟାନିଟାରି ପ୍ୟାଡ ଥିବା ପ୍ୟାକେଟ ଯାହାର ବଜାର ମୂଲ୍ୟ ୪୫ ଟଙ୍କା ତାହା ୨୫ ଟଙ୍କାରେ ଯୋଗାଇ ଦିଏ। ଏହାପରେ “ସୁଖୀଭବ” ସ୍ଥାନୀୟ ଅଞ୍ଚଳର ମହିଳା ଅଣୁ-ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରେ। ଏହି ଅଣୁ-ଉଦ୍ୟୋଗୀମାନଙ୍କୁ ସଚେତନତା ସୃଷ୍ଟି ଓ ମହିଳା ମାନଙ୍କ ପାଖରେ କିପରି ସ୍ୟାନିଟାରି ପ୍ୟାଡ ପହଞ୍ଚାଇବେ ସେ ବିଷୟରେ ତାଲିମ ଦିଆଯାଏ। ଏହାପରେ “ସୁଖୀଭବ” ମହିଳା ଅଣୁ-ଉଦ୍ୟୋଗୀମାନଙ୍କୁ ନିଜ ଲୋକସମ୍ପର୍କ ବଢାଇବା ଓ ବ୍ୟବସାୟରେ ସ୍ଥିରତା ଆଣିବା ପାଇଁ ତିନି ମାସ ପର୍ଯ୍ୟନ୍ତ ସାହାଯ୍ୟ କରେ। ଗୋଟିଏ ସ୍ୟାନିଟାରି ପ୍ୟାଡ ପ୍ୟାକେଟ ବିକ୍ରିରୁ ଅଣୁ-ଉଦ୍ୟୋଗୀ ଜଣକ ୫ ଟଙ୍କା ପାଇଥାନ୍ତି।

image


ବର୍ତ୍ତମାନ “ସୁଖୀଭବ” ପ୍ରତିମାସରେ ୭୨୦୦ ରୁ ଅଧିକ ମହିଳାଙ୍କ ପାଖରେ ପ୍ରତି ମାସରେ ସୁଲଭ ମୂଲ୍ୟରେ ସ୍ୟାନିଟାରି ପ୍ୟାଡ ପହଞ୍ଚାଉଛି। ଏହା ବ୍ୟତୀତ, ୧୧୮୦୦ ମହିଳାଙ୍କୁ ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବା ସହ ଦକ୍ଷିଣ ବାଙ୍ଗାଲୋରରେ ୧୮ ଜଣ ମହିଳା ଅଣୁ-ଉଦ୍ୟୋଗୀ ମଧ୍ୟ ସୃଷ୍ଟି କରିପାରିଛି।

ଏହି ପ୍ରୟାସ ପାଇଁ “ସୁଖୀଭବ”କୁ ମିଳିଛି ଅନେକ ସମ୍ମାନ ଓ ସୀକୃତି। ତା ମଧ୍ୟରେ ଅଛି UN Habitat’s India Youth Fund, Acumen Fellowship, Deshpande Foundation, NASSCOM Foundationର Social Innovation awards, Tata Social Enterprise Challenge ଏବଂ IIM-B’s Unsung Heroes.

ଉପାର୍ଜନ ମଡେଲ ଓ ସହଭାଗିତା

ଦିଲୀପ କୁହନ୍ତି ଯେ ସେମାନେ ସ୍ୟାନିଟାରି ପ୍ୟାଡକୁ ସବୁଠାରୁ କମ ମୂଲ୍ୟରେ ବିକ୍ରି କରୁଛନ୍ତି। ସେଥିପାଇଁ ଏହି ମଡେଲକୁ ସ୍ଥିତାବସ୍ଥାକୁ ଆଣିବା ପାଇଁ କିଛି ସମୟ ଲାଗେ। ତାଙ୍କ ମତରେ, “ ପାଞ୍ଚ ରୁ ଆଠ ଜଣ ଅଣୁ-ଉଦ୍ୟୋଗୀ ଥିବା ଗୋଟିଏ ଚାପ୍ଟରକୁ ସ୍ଥିତାବସ୍ଥାକୁ ଆଣିବା ପାଇଁ ପାଞ୍ଚ ରୁ ଛଅ ମାସ ସମୟ ଲାଗେ।“ ବର୍ତ୍ତମାନ “ସୁଖୀଭବ” MITU Foundation, Raza Education Society, PASAND, Saral Designs ଓ Mantra4Change ଭଳି ସଂସ୍ଥା ସହ ସହଭାଗିତା ଆରମ୍ଭ କରିଛି।

image


ଆଗାମୀ କିଛି ମାସରେ “ସୁଖୀଭବ” ହୁବୁଲି ଓ ଧାରବାଦ ସହରରେ ନିଜ କାମ ଆରମ୍ଭ କରିବାକୁ ଯାଉଛି। ପ୍ରତି ମହିଳାଙ୍କ ପାଖରେ ଋତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟ ସଚେତନତା ପହଞ୍ଚାଇ ପାରିଲେ “ସୁଖୀଭବ”ର ସ୍ଵପ୍ନ ସାକାର ହେବ ବୋଲି ଦିଲୀପ କୁହନ୍ତି। ଏହାପରେ ସେମାନେ ପରିବାର ନିୟୋଜନ କ୍ଷେତ୍ରରେ କାମ କରିବାର ଲକ୍ଷ୍ୟ ରଖିଛନ୍ତି।

Website

ମୂଳ ଲେଖା - ସ୍ନିଗ୍ଧା ସିହ୍ନା

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags