EDITIONS
Odia

'ରଇସ' ଏକ ବାହାନା ମାତ୍ର

Team Odia
29th Jan 2017
Add to
Shares
0
Comments
Share This
Add to
Shares
0
Comments
Share

କି ନାମ ଦେବି ୟାକୁ ? ଜଣେ ସାମ୍ପ୍ରଦାୟିକ ନେତାଙ୍କର କ୍ଷୁଦ୍ର ଟିପ୍ପଣୀ ବା ଏକ ଅବାଞ୍ଛିତ ମଣିଷ ଦ୍ଵାରା କୁହାଯାଇଥିବା ଏକ ହସକଥା ଅବା ଅପ୍ରଚଳିତ ବିଚାରଧାରାର କୁମ୍ଭୀର କାନ୍ଦଣା ? ଦୁଇଟି ଅଲଗା ଅଲଗା ସିନେମାର ତୁଳନା କିଛି ଏକ ନୂଆ ଜିନିଷ ନୁହେଁ। ପ୍ରକୃତରେ ସମାଲୋଚକ ମାନଙ୍କର ସୃଜନାତ୍ମକ ନିର୍ଗମ କୁହାଯାଇପାରେ। ସିନେମା ଜଗତକୁ ବୁଝିବାକୁ ସାହାଯ୍ୟ କରିଥାଏ ଏଭଳି ତୁଳନା। ସୃଜନଶୀଳତାର ଦୁନିଆ ମାନଙ୍କର ପରସ୍ପର ସହ ଧକ୍କା ହେବା, ମିଳନ ହେବା – ଏସବୁ ଫଳରେ ଆଉ ଏକ ସୃଜନାତ୍ମକ ଦୁନିଆ ଆରମ୍ଭ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆମେ ଏକ ଏପରି ସମୟରେ ବସବାସ କରୁଛୁ ଯେଉଁଠାରେ ସୃଜନଶୀଳତାର ଆଉ ଏକ ନାମ ପାଗଳାମି ବୋଲି ଅନେକ ଲୋକେ ଭାବନ୍ତି। ଆମେ ଡୋନାଲ୍ଡ ଟ୍ରମ୍ଫ ଓ ‘post fact’ ଦୁନିଆରେ ରହୁଛୁ। ତେଣୁ କୈଳାଶ ବିଜୟବର୍ଗୀୟ ନିକଟରେ ମୁକ୍ତିଲାଭ କରିଥିବା ଦୁଇଟି ଫିଲ୍ମ ‘ରଇସ’ ଓ ‘କାବିଲ’ ଉପରେ ଯେଉଁ କଦର୍ଯ୍ୟ କମେଣ୍ଟ କରିଛନ୍ତି ତାହା ଦେଖି ମୋତେ ବିଶେଷ ଆଶ୍ଚର୍ଯ୍ୟ ଲାଗୁନାହିଁ। ସେ ଲୋକଙ୍କୁ ଶାହରୁଖ ଅଭିନୀତ ରଇସକୁ ଅଗ୍ରାହ୍ୟ କରି ହ୍ରିତିକଙ୍କର କାବିଲ ଦେଖିବାକୁ ଉତ୍ସାହିତ କରୁଛନ୍ତି।

ଉପରୁ ନିହାତି ଏକ ସାଧାରଣ ବିଷୟ ଭଳି ଲାଗୁଥାଇ ପାରେ। ସିନେମାକୁ ନେଇ କୈଳାଶଙ୍କର ବ୍ୟକ୍ତିଗତ ପସନ୍ଦ ଭଳି ମାନେ ହେଉଥାଇ ପାରେ। କିନ୍ତୁ ସେ କରିଥିବା ଟୁଇଟ ଏତେ ସରଳ ନୁହେଁ। ଆଉ ଠାରେ ନଜର ପକାନ୍ତୁ ସେ କଣ ଟୁଇଟ କରିଥିଲେ - जो "रईस" देश का नहीं, वो किसी काम का नहीं । और एक "क़ाबिल" देशभक्त का साथ, तो हम सभी को देना ही चाहिये | (ଯେଉଁ 'ରଇସ' ଦେଶର ନୁହେଁ ସେ ଅବା କେଉଁ କାମର ଓ ଏକ 'କାବିଲ' ଦେଶଭକ୍ତକୁ ଆମେ ସଭିଏଁ ସହଯୋଗ କରିବା ଉଚିତ। ) କୈଳାଶ ବିଜୟବର୍ଗୀୟ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି। ସେ ଶାସନ କରୁଥିବା ଦଳ ବିଜେପିର ଜାତୀୟ ସାଧାରଣ ସଚିବ ଅଟନ୍ତି। ବିବାଦାସ୍ପଦ ଟିପ୍ପଣୀ ଦେବାକୁ ତାଙ୍କୁ ଭଲ ଲାଗେ ଓ ସେ ଖୁବ ଆତ୍ମବିଶ୍ଵାସର ସହ ଏସବୁ କରନ୍ତି ମଧ୍ୟ। ଯଦିଓ ଅତୀତରେ ଏହିସବୁ କାର୍ଯ୍ୟକଳାପ ପାଇଁ ନିଜ ଦଳର ନିନ୍ଦା ପାଇଛନ୍ତି କିନ୍ତୁ ଖୁବଶୀଘ୍ର ନୂତନ ଟିପ୍ପଣୀ ସହ ସେ ଚର୍ଚ୍ଚାକୁ ଫେରିଆସନ୍ତି। ଟିପ୍ପଣୀ ଗୁଡ଼ିକ ସବୁ ସମୟରେ ଊଣା ଅଧିକେ ସମାନ ପ୍ରକାରର ଥାଏ। ସାମ୍ପ୍ରଦାୟିକ ମନୋଭାବ, ଘୃଣା, କଦର୍ଯ୍ୟ ଭାବ ଓ କେଉଁ ଏକ ନିର୍ଦ୍ଧିଷ୍ଟ ସମାଜକୁ ଲକ୍ଷ କରି ହେଇଥାଏ ଏହି ସବୁ ଟିପ୍ପଣୀ ମାନ।

image


ରଇସ ଏକ ବାୟୋପିକ। ଏକ ମାଫିଆ ଡନର କାହାଣୀ ଯାହାର ଚରିତ୍ରକୁ ଶାହରୁଖ ଖାନ ଚିତ୍ରଣ କରୁଛନ୍ତି। କାବିଲ ଏକ ଅନ୍ଧ ପ୍ରେମୀ ଯୁଗଳଙ୍କର ପ୍ରତିଶୋଧର କାହାଣୀ। ଏଥିରେ ହ୍ରିତିକ ମୁଖ୍ୟ ଚରିତ୍ରର ଅଭିନୟ କରୁଛନ୍ତି। ଦୁଇଟି ଯାକ ଫିଲ୍ମ ଏକା ଦିନରେ (୨୫ ଜାନୁୟାରୀ)ରେ ମୁକ୍ତିଲାଭ କରିଥିଲା। ଏହା ଏକ ସଂଯୋଗ ମଧ୍ୟ ହୋଇପାରେ। କିନ୍ତୁ ଶାହରୁଖ ବା ହ୍ରିତିକ, କେହି କେବେ ମଧ୍ୟ ପରସ୍ପର ବା ପରସ୍ପରଙ୍କ ସିନେମା ବିଷୟରେ କୌଣସି ଅପ୍ରୀତିକର ଟିପ୍ପଣୀ କରିନାହାନ୍ତି ଯାହା ପରେ ଯାଇ ବିବାଦର ବସ୍ତୁ ହେଇଯିବଓ ପରେ ଯାହାକୁ ମାର୍କେଟିଙ୍ଗର କୌଶଳ ବୋଲି କୁହାଯିବ। ବାସ୍ତବରେ ଦୁଇ ଅଭିନେତା ଏକ ଖୁବ ସୁସ୍ଥ ସମ୍ପର୍କ ସହ ପରସ୍ପର ପ୍ରତି ମନରେ ସମ୍ମାନ ରଖନ୍ତି। ତେଣୁ ଟୁଇଟରରେ ଜାଣିଶୁଣି ସେମାନେ ଏଭଳି କାଣ୍ଡ ଭିଆଇବେ ନାହିଁ ବୋଲି ମୋର ପୂର୍ଣ୍ଣ ବିଶ୍ବାସ। ହ୍ରିତିକ ନିଜ ସିନେମାର ପ୍ରଚାର ପାଇଁ କେବେ ମଧ୍ୟ ଏପରି କୁତ୍ସିତ କାମ କରିବେ ନାହିଁ। ଏହା କେବଳ କୈଳାଶ ବିଜୟବର୍ଗୀୟଙ୍କ ବ୍ୟକ୍ତିଗତ ସର୍ଜନା।

ସେ ଏକ ଏଭଳି ରାଜନୈତିକ ଦଳ ସହ ସମ୍ପର୍କ ରଖନ୍ତି ଯେଉଁମାନେ ଆରମ୍ଭରୁ ସଂଖ୍ୟାଲଘୁ ସମାଜ ମାନଙ୍କ ପ୍ରତି ଏକ ଅସହିଷ୍ଣୁ ମନୋଭାବ ରଖନ୍ତି। RSS ଏବଂ ବିଜେପି ଖୁବ ଖୋଲାଖୋଲି ଭାବେ ଏକ ହିନ୍ଦୁତ୍ଵ ରାଷ୍ଟ୍ର ବିଷୟରେ ପ୍ରଚାର କରନ୍ତି ଯେଉଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ମାନେ ଦ୍ଵିତୀୟ ଶ୍ରେଣୀର ନାଗରିକ ଭାବେ ବସବାସ କରିବେ। ତାଙ୍କର ପୁରୁଣା ନେତା ଏବଂ ଆଦର୍ଶ ମାନେ ଇସାରା ଦେଇଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କୁ ନାଗରିକ ଭାବେ ପରିଚୟ ମିଳିବା ମଧ୍ୟ ଉଚିତ ନୁହେଁ। RSS ଓ ବିଜେପି ତାଙ୍କର ବୈଚାରିକ କଥାରେ ଏପର୍ଯ୍ଯନ୍ତ ମଧ୍ୟ ଭାରତ ବିଭାଜନକୁ ଗ୍ରହଣ କରିପାରିନାହାନ୍ତି ଏବଂ ଏଥିପାଇଁ ମୁସଲିମ ମାନଙ୍କୁ ଦାୟୀ କରନ୍ତି। ମଧ୍ୟ ଯୁଗର ଇତିହାସରେ ହୋଇଥିବା ଅନେକ ବର୍ବରତା ପାଇଁ ମଧ୍ୟ ମୁସଲିମ ମାନଙ୍କୁ ଦୋଷ ଦିଅନ୍ତି। ସାମୁଏଲ ହଣ୍ଟିଙ୍ଗଟନଙ୍କ ଭାଷା ଧାର ନେଇ କହିବି ଯେ ରାଜନୀତି ସେମାନଙ୍କ ଆଖିରେ ହେଉଛି ଏକ "ସଭ୍ୟତାର ସଂଘର୍ଷ"।

RSSର ଦୃଷ୍ଟିରେ ଭାରତୀୟ ସଭ୍ୟତାର ଅଧଃପତନ ପ୍ରଥମ ସହସ୍ରାବ୍ଦୀର ପରବର୍ତ୍ତୀ ଭାଗରୁ ଆରମ୍ଭ ହେଲା ଯେବେ ମୁସଲିମ ମାନେ ଦକ୍ଷିଣ ଏସିଆକୁ ପ୍ରବେଶ କଲେ। ତାଙ୍କ ପାଇଁ ଭାରତୀୟ ଇତିହାସ 'ହିନ୍ଦୁ' ଇତିହାସ ଅଟେ। ମୁସଲିମ ଓ ଖ୍ରୀଷ୍ଟିୟାନ ମାନେ ହେଲେ ବିଦେଶୀ। ସେମାନଙ୍କ ଆଦର୍ଶର ଉତ୍ପତ୍ତି ହେଇଛି ବୀର ସଭରକରଙ୍କ ଠାରୁ ଯିଏ କହିଥିଲେ ଯେ ପ୍ରକୃତ ଭାରତୀୟ ହେଉଛନ୍ତି ସିଏ ଯାହାର ଜନ୍ମଭୂମି ଭାରତ ଓ ପବିତ୍ର ଧର୍ମସ୍ଥଳୀ ମଧ୍ୟ ଭାରତ। ଯେହେତୁ ମୁସଲିମ ଓ ଖ୍ରୀଷ୍ଟିୟାନ ମାନଙ୍କର ଧାର୍ମିକ ତୀର୍ଥସ୍ଥଳୀ ଭାରତ ବାହାରେ ତେଣୁ ସେମାନେ ଭାରତ ପ୍ରତି ବିଶ୍ଵସ୍ତ ରହିବେ କି ନାହିଁ ତାହା ସନ୍ଦେହଜନକ। ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କ ପ୍ରତି ଥିବା ତାଙ୍କର ଘୃଣା ଓ କ୍ରୋଧ ପଛରେ ଏହା ହେଉଛି ମୌଳିକ କାରଣ।

ଭାରତରେ ଆଧୂନିକୀକରଣ, ସହରିକରଣ ଓ ଧର୍ମନିରପେକ୍ଷତା ନେଇ ଅନେକ ପରିବର୍ତ୍ତନ ଆସିବା ପରେ ମଧ୍ୟ ଏମାନେ ସତେ ଯେମିତି ଏକ ଟାଇମ ମେସିନରେ ଅଟକି ରହିଛନ୍ତି ଓ ସେ ମଧ୍ୟରୁ ବାହାରିବାକୁ ଚାହୁଁନାହାନ୍ତି। ସାମ୍ପ୍ରଦାୟିକ ମନୋଭାବକୁ ଉତ୍ସାହ ଦେବା ଭଳି ବକ୍ତବ୍ୟ ଗୁଡ଼ିକ ତାଙ୍କର ମନୋବୃତ୍ତିର ଉଦାହରଣ। କୈଳାଶ କିଛି ନୂଆ ଜିନିଷ କରିନାହାନ୍ତି। ସେ ସେଇ ପୁରୁଣା ଓ ଗତାନୁଗତିକ ଚିନ୍ତାଧାରାକୁ ଜାବୁଡ଼ି ଧରିଛନ୍ତି। ସେ ରଇସ ସିନେମାକୁ ଟାର୍ଗେଟ କରିନାହାନ୍ତି ବରଂ ଶାହରୁଖ ଖାନଙ୍କୁ କରିଛନ୍ତି। କାରଣ ହେଉଛି ଶାହରୁଖଙ୍କର ଧର୍ମ। ଯେହେତୁ ସେ ଏକ ଗୁଣ୍ଡା ମାଫିଆ ଉପରେ ଫିଲ୍ମ କରିଛନ୍ତି ଏବଂ ସେ ଚରିତ୍ରର ଧର୍ମ ମଧ୍ୟ ଇସଲାମ ତେଣୁ କୈଳାଶ ଓ ତାଙ୍କ ଭଳି ଆଦର୍ଶ ରଖୁଥିବା ଲୋକଙ୍କ ପାଇଁ ଏହା ହେଉଛି ଏକ ସୁବର୍ଣ୍ଣ ସୁଯୋଗ। ଠିକ ସେହିପରି ହ୍ରିତିକଙ୍କୁ ଏକ ଅଭିନେତା ଭାବେ ନ ଦେଖି ସେମାନେ ଏକ ଏପରି ବ୍ୟକ୍ତି ଭାବେ ଦେଖିଛନ୍ତି ଯାହାର ଧାର୍ମିକ ପରିଚୟ ଶାହରୁଖଙ୍କର ବିପରୀତ। କୈଳାଶଙ୍କ ଦୃଷ୍ଟିକୋଣରୁ ଦେଖିଲେ ରଇସ ଓ କାବିଲ ଦୁଇଟି ଫିଲ୍ମ ନୁହନ୍ତି ବରଂ ଦୁଇଟି ଅଲଗା ଅଲଗା ପ୍ରକାର ସଭ୍ୟତାର ପରସ୍ପର ସହ ସଂଘର୍ଷ।

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ସର୍ବଦା ଖୁବ ସ୍ଵାଧୀନ ଭାବେ କାମ କରିଆସିଛି। ଏଠାରେ ରାଜ କପୁର ଓ ଦେବ ଆନନ୍ଦ ସୁପରଷ୍ଟାର ଥିଲେ ଓ ତାଙ୍କ ପରେ ପରେ ୬୦ ଦଶକରେ ଦିଲୀପ କୁମାର ଓରଫ ୟୁସୁଫ ଖାନ ସିନେମା ଦୁନିଆରେ ରାଜ କରିଥିଲେ। ଅମିତାଭ ବଚ୍ଚନ ସୁପରଷ୍ଟାର ଥିଲେ ଓ ଠିକ ସେହି ସମୟରେ ନିଉ ସିନେମାର ନେତୃତ୍ଵ ନେଇଥିଲେ ନାସୀରୁଦ୍ଦିନ ଶାହ। ୯୦ ଦଶକରେ ଯେତେବେଳେ ଦେଶରେ ସାମ୍ପ୍ରଦାୟିକ ମନୋଭାବ ଜୋରସୋରରେ ଚାଲିଥିଲା ଓ ରାମ ଜନ୍ମଭୂମିକୁ ନେଇ ଆନ୍ଦୋଳନ ଚାଲିଥାଏ ସେହି ସମୟରେ ବଲିଉଡ ଉପରେ ରାଜ କରୁଥିଲେ ସମସ୍ତ ଖାନ। ଯଦିଓ ହ୍ରିତିକ, ଅକ୍ଷୟ କୁମାର ଓ ଅଜୟ ଦେବଗନ ମଧ୍ୟ ସଫଳ ଅଭିନେତା ଥିଲେ କିନ୍ତୁ ଆମୀର ଖାନ, ଶାହରୁଖ ଖାନ, ସଲମାନ ଖାନ ଓ ସୈଫଙ୍କ ତୁଳନାରେ ସେମାନେ ତଳେ ଥିଲେ। ଆଜି ପଚାଶ ବର୍ଷ ବୟସର ମାଇଲଖୁଣ୍ଟି ଅତିକ୍ରମ କରିବା ପରେ ମଧ୍ୟ ଆମୀର, ଶାହରୁଖ ଓ ସଲମାନ ଦର୍ଶକ ମାନଙ୍କର ସବୁଠାରୁ ପ୍ରିୟ ଅଭିନେତା ଭାବେ ଗଣା।

ଏକ ସମୟ ଥିଲା ଯେବେ କିଛି ଗଣମାଧ୍ୟମ ହ୍ରିତିକଙ୍କୁ ଖାନ ସୁପରଷ୍ଟାରଙ୍କର ଆହ୍ଵାନକାରୀ ରୂପେ ଦର୍ଶାଇଲେ। କିଛି ଅଗ୍ରଣୀ ମଗାଜିନରେ ଏ ନେଇ ପ୍ରଚ୍ଛଦ କାହାଣୀ ମଧ୍ୟ ପ୍ରକାଶିତ ହେଇଥିଲା କିନ୍ତୁ ତାହାର ବିଶେଷ ଫରକ ପଡିଲା ନାହିଁ। ଯେହେତୁ ପ୍ରାୟ ଖାନ ସୁପରଷ୍ଟାର ମାନେ ହିନ୍ଦୁ ଝିଅଙ୍କ ସହ ବିବାହ କରିଛନ୍ତି, ତାଙ୍କ ଉପରେ ଲଭ ଜିହାଦର ଭୁତ ମଧ୍ୟ ଲଦାଗଲା। ଏମାନଙ୍କୁ ଦେଶଦ୍ରୋହୀ ଭାବେ ଚିତ୍ରଣ କରିବାର କୌଣସି ସୁଯୋଗ ଛଡାହେଲା ନାହିଁ। ଶାହରୁଖଙ୍କ ଫିଲ୍ମ 'My name is Khan' ଓ ଆମୀରଙ୍କର ବକ୍ତବ୍ୟ ଯେ 'ମୋ ସ୍ତ୍ରୀ ଦେଶ ଛାଡ଼ି ଚାଲିଯିବାକୁ କହୁଛନ୍ତି' କୁ ନେଇ ଦୁହିଙ୍କ ଉପରେ ଆକ୍ରମଣ ହେଲା। ତାଙ୍କର ଦେଶଭକ୍ତି ଉପରେ ପ୍ରଶ୍ନବାଚୀ ଉଠାଇବା ପାଇଁ କୌଣସି ମଉକା ଯିବାକୁ ଦେଇନଥିଲେ ଏମାନେ।

'ରଇସ' ଏକ ବାହାନା ମାତ୍ର। ଶାହରୁଖଙ୍କର ଓ ମୁସଲିମ ସମ୍ପ୍ରଦାୟର ଦେଶଭକ୍ତି ଉପରେ ପ୍ରଶ୍ନଚିହ୍ନର ମୋହର ଲଗାଇବାକୁ ଏହା ଏକ ଜରିଆ ମାତ୍ର। ଏହା ଏକ ପ୍ରକାରେ ଏହା କହୁଛି ଯେ ସଂଖ୍ୟାଗରୀଷ୍ଠ ସମ୍ପ୍ରଦାୟ ମାନେ କେବେ ହେଁ ଦେଶଦ୍ରୋହୀ ହେଇନଥାନ୍ତି। ସବୁବେଳେ ସଂଖ୍ୟାଲଘୁ ମାନେ ହିଁ ଅପରାଧୀ। ଏପ୍ରକାରର ଭାବନା ଖୁବ ଭୟଙ୍କର। ଗତ ଅଢେଇ ବର୍ଷ ଧରି ଏପ୍ରକାର ଏକ ରୂପ ନିଦର୍ଶନ ଗଢିବାର ଚେଷ୍ଟା ଚାଲିଛି। ଏହା କଦାପି ଭାରତ ନିର୍ମାଣର କାମ କରିବ ନାହିଁ, ବରଂ ଏପରି ମନୋଭାବ ଧ୍ଵଂସ ଆଡ଼େ ପାଦ ବଢେଇନେବ। 

ଲେଖକ ଆଶୁତୋଷ ଜଣେ ସାମ୍ବାଦିକ ଏବଂ AAPର ନେତା

[ Disclaimer : ଲେଖକଙ୍କର ମତାମତ ଏକାନ୍ତ ଭାବେ ତାଙ୍କର ବ୍ୟକ୍ତିଗତ ]

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags