ସରବଜୀତଙ୍କର ମୁକ୍ତି ପାଇଁ ଦଲବୀର କୌରଙ୍କର ଅବିସ୍ମରଣୀୟ ସଂଘର୍ଷର କାହାଣୀ
ଜଣେ ମହିଳାଙ୍କର ନ୍ୟାୟ ପାଇଁ ଏପରି ଏକ ଲଢ଼େଇ ଇତିହାସରେ ବିରଳ। ସଫଳତା ତାଙ୍କୁ ମିଳିନି ବୋଲି କହିପାରିବାନି। ତାଙ୍କର ମାରାଥନ ଲଢ଼େଇ ଯାହା ଦୀର୍ଘ ୨୨ ବର୍ଷ ତଳେ ଆରମ୍ଭ ହୋଇଥିଲା ୧୯୯୧ରେ, ତାହାର ପୂର୍ଣ୍ଣଚ୍ଛେଦ ପଡ଼ିଲା ମେ ୨,୨୦୧୩ ର ସନ୍ଧ୍ୟାରେ। ପ୍ରତୀକ୍ଷାର ଅନ୍ତ ହୋଇଥିଲା। ସେ ଦିନ ତାଙ୍କର ପ୍ରିୟ ସାନ ଭାଇ ପାକିସ୍ଥାନର ଜେଲରୁ ଫେରିଥିଲେ ଘରକୁ। କିନ୍ତୁ ଦଲବୀର କୌର କଣ ତାଙ୍କୁ ବାହୁରେ ଜଡ଼ାଇ ଧରି ପାରିଲେ? ପରସ୍ପର ଆଲିଙ୍ଗନ କରି ପାରିଲେ? ନାଁ । କାରଣ ସାନଭାଇ ସରବଜୀତ୍ ଶୋଇଥିଲେ କଫିନରେ । ଅତ୍ୟନ୍ତ ହୃଦୟବିଦାରକ ଓ କୋହଭରା ଥିଲା ଦଲବୀର କାଉରଙ୍କ ପରିବାରରେ ଏଇ ପୁନର୍ମିଳନର ଦୃଶ୍ୟ। ପାକିସ୍ଥାନ ସୀମାନ୍ତରେ ଥିବା ତରଣତାରନ ଜିଲ୍ଲାର ତାଙ୍କ ଗାଁରେ ସେଇ ନିଦାଘର ସନ୍ଧ୍ୟାରେ ଲୁହ ଆଉ ଲହୁ ବୋଧେ ଏକ ହୋଇଯାଇଥିଲା। ଶେଷରେ ସରବଜୀତ୍ ସିଂ ରାଷ୍ଟ୍ର ରାଷ୍ଟ୍ରର ହିଂସା ଏବଂ କୂଟନୀତିର ଖେଳରେ ବଳି ପଡ଼ିଥିଲେ।
ପଞ୍ଜାବର ତରଣତାରନ ଜିଲ୍ଲାର ଗୋଟିଏ ଛୋଟ ଗାଁ ଭିଖୀୱିଣ୍ଡ। ସେହି ଗାଁର ସରବଜୀତ୍ ସିଂ ଜଣେ ଯୁବ କୃଷକ। ବଡ଼ ଭଉଣୀ ଦଲବୀର କାଉର, ପତ୍ନୀ ସୁଖପ୍ରୀତ ଏବଂ ଦୁଇ ଝିଅଙ୍କୁ ନେଇ ତାଙ୍କର ସୁଖୀ ପରିବାର। ଚାଷକାମ ବ୍ୟତୀତ କୁସ୍ତି ଓ କପୋତ ପାଳିବାରେ ସରବଜୀତ୍ ଆଗ୍ରହ ରଖୁଥିଲେ। ବଡ଼ ଭଉଣୀ ଦଲବୀର କାଉର ଜଣେ ସ୍କୁଲ ଶିକ୍ଷୟତ୍ରୀ। ମା'ଙ୍କ ପରି ସେ ଥିଲେ ପରିବାରର ଅଭିଭାବକ।
ଅଗଷ୍ଟ ୨୮, ୧୯୯୦ ର ସନ୍ଧ୍ୟା। ପାକିସ୍ତାନ ସୀମାକୁ ଲାଗିଥିବା ଗାଁ ଖଲରାରେ ବନ୍ଧୁ ମନିନ୍ଦର ଓ ସରବଜିତ ଟ୍ରାକ୍ଟରରେ କିଛି ଲୋକଙ୍କର ଜମି ଚଷିସାରି ଏକ ନଳକୂଅ ପାଖରେ ବସି ଡ୍ରିଂକ୍ସ ନେଉଥାନ୍ତି। ସେତେବେଳେ ସରବଜିତ ୨୭ ବର୍ଷର ଯୁବକ। ତା'ପରେ ରାତି କେତେ ହୋଇଯାଇଛି କାହାର ହୋସ ନାହିଁ। ସେତେବେଳେ ସୀମାରେ ଆଜି ପରି ବିଜୁଳି ପରିବାହିତ ତାରବାଡ଼ ନ ଥାଏ। ଏମିତି ରାତିରେ ଜଣେ ଠିକ ଭାବେ ଠଉରେଇ ପାରିବନି ଭାରତ ଓ ପାକିସ୍ତାନର ଇଲାକା କେଉଁଟା । ମଧ୍ୟ ରାତ୍ରିରେ ନିଶାରେ ଢଳି ଢଳି ସରବଜିତ ତା'ର ଘର ପରିବର୍ତ୍ତେ ବାଟ ହୁଡ଼ି ଚାଲିଲା ପାକିସ୍ତାନ ଆଡ଼େ।
ତା'ପର ଠାରୁ ସରବଜିତର ଖୋଜ ଖବର ନାହିଁ । ଦୀର୍ଘ ୯ ମାସ ନିରୁଦ୍ଦିଷ୍ଟ ରହିଲା ପରେ ଜଣା ପଡ଼ିଲା ସେ ଥିଲେ ଲାହୋରର ଏକ ଜେଲରେ। ତାଙ୍କୁ ଜଣେ ଭାରତୀୟ ଗୁପ୍ତଚର ଓ ସନ୍ତ୍ରାସବାଦୀ ବୋଲି କୁହାଗଲା ଏବଂ ୩୦ ଅଗଷ୍ଟରେ ଲାହୋର ଓ ଫଇଜଲାବାଦ ରେ ହୋଇଥିବା ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି ଅଭିଯୁକ୍ତ କରାଗଲା। ବର୍ଷେରୁ କମ ସମୟ ମଧ୍ୟରେ ତାଙ୍କୁ ଲାହୋରର ଏକ ସ୍ଵତନ୍ତ୍ର ଅଦାଲତ ସରବଜିତଙ୍କ ବିରୁଦ୍ଧରେ ମୃତ୍ୟୁଦଣ୍ଡ ଆଦେଶ ମଧ୍ୟ ଶୁଣାଇଥିଲା।
ଦଲବୀର କାଉରଙ୍କର ଦୁନିଆ ଓଲଟପାଲଟ ହୋଇଗଲା। ସେ ସ୍ତବ୍ଧ ରହିଗଲେ। ତଥାପି ସେ ସାହସ ହାରିଲେନି। ତାଙ୍କର ଦୃଢ ବିଶ୍ଵାସ, ପିଲାଦିନରୁ ସେ ସରବଜିତକୁ ଜାଣିଛନ୍ତି , ଯେ କାହାକୁ ଟିକିଏ ବି ଆଘାତ କରିପାରେନା, ସେ ଏମିତି ଅପରାଧ କେବେ କରିପାରିବନି। ପିଲାଦିନରୁ ସେ ସବୁବେଳେ ସାନଭାଇର ରକ୍ଷା କରିଆସିଛନ୍ତି।
"ମୋ ପାଇଁ ଜଗତର ସମସ୍ତ ସମ୍ପଦ ଠାରୁ ବି ମୋର ଭାଇ ଅଧିକ ମୂଲ୍ୟବାନ" ତାଙ୍କର ଅନ୍ତରାତ୍ମା କହି ଉଠିଲା, ଏବଂ ସେ ସଂକଳ୍ପ ନେଲେ ଯେ ଭାଇର ମୁକ୍ତି ଲାଗି ସଂଗ୍ରାମ କରିବେ, ସେଥିପାଇଁ ଯାହା ବି ମୂଲ୍ୟ ଦେବାକୁ ପଡ଼ୁ ପଛେ। "ତାକୁ ଫେରାଇ ନ ଆଣିଲା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ରହିପାରିବିନି" ଦଲବୀର ଘୋଷଣା କଲେ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଶହେ ଥର ଫୋନ କଲାପରେ ଦଲବୀର ସାକ୍ଷାତ କରିବା ପାଇଁ ଅନୁମତି ପାଇଲେ । ରାଓ ତାଙ୍କୁ ପ୍ରତିଶୃତି ଦେଲେ, " ତମେ ଚିନ୍ତା କର ନାହିଁ । ଆମେ ତମ ଭାଇଙ୍କୁ ନେଇ ଆସିବୁ"। କିନ୍ତୁ ଦଲବୀର ଏତିକିରେ ଚୁପ ହୋଇ ବସିଲେନି। ସେ ପାକିସ୍ତାନ ଓ ଭାରତର ୧୭୦ ଜଣ ରାଜନୀତିଜ୍ଞଙ୍କୁ ଭେଟିଲେ। ଦୀର୍ଘ ୨୨ ବର୍ଷ ମଧ୍ୟରେ ସେ ଯାତ୍ରା କରିଛନ୍ତି ୧୦,୦୦୦ କି.ମି., ପଞ୍ଜାବ ବ୍ୟତୀତ, ଶ୍ରୀନଗର, ବେଙ୍ଗାଲୁରୁ, ମୁମ୍ବାଇ, ନାସିକ ଓ କୋଲକାତା ଇତ୍ୟାଦି ସହରରେ ରାଲି ସହିତ ମହମବତୀ ଜଳାଇ ଧାରଣା ଆୟୋଜନ କରିଛନ୍ତି। ପ୍ରସଙ୍ଗଟିକୁ ଜୀବନ୍ତ ରଖିବା ଲାଗି ଦେଶସାରା ବୁଲିଛନ୍ତି। ତାଙ୍କ ସପକ୍ଷରେ ଠିଆ ହୋଇଛନ୍ତି ବ୍ରିଟିଶ ଆଇନଜୀବୀ ଯଶ ଉପଲ ଯେ କି ବିଶ୍ଵରେ ଜନମତ ସୃଷ୍ଟି କରିବା ପାଇଁ ଏକ ୱେବସାଇଟ www.freesarabjitsingh.com ନିର୍ମାଣ କଲେ,ଏବଂ ପାକିସ୍ତାନୀ ଆଇନଜୀବୀ ଆୱାଇସ ଶେଖ ଏବଂ ଅନ୍ୟାନ୍ୟ ମାନବାଧିକାର କର୍ମୀ ଗଣ। ଅଭିନେତା ରାଜା ମୁରାଦ ଓ ସଲମାନ ଖାନ୍ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି। ବିଖ୍ୟାତ ପାକିସ୍ତାନୀ ମାନବାଧିକାର ଆକ୍ଟିଭିଷ୍ଟ ଅନସାର ବର୍ଣ୍ଣେ ଓ ବ୍ରିଟିଶ ଆଇନଜୀବୀ ଯଶ ଉପଲ ବିଚାର ପ୍ରକ୍ରିୟାରେ ଥିବା ଅନେକ ଅସଙ୍ଗତି ବିଷୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୩ ଅଗଷ୍ଟ ୨୦୦୫ରେ ଭାରତୀୟ ସାଂସଦର ଉଭୟ ଗୃହରେ ସରବଜିତ ପ୍ରସଙ୍ଗ ଉଠାଯାଇଛି। ଏବଂ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ନଟବର ସିଂହ ମାମଲାଟି ପାକିସ୍ତାନ ହାଇକମିସନରଙ୍କ ପାଖରେ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ସହିତ ଏ ବିଷୟରେ ହସ୍ତକ୍ଷେପ କରିଛନ୍ତି।
ଲାହୋର ହାଇକୋର୍ଟ ଏବଂ ପାକିସ୍ତାନର ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଛନ୍ତି। ଏବଂ ପାଞ୍ଚ ପାଞ୍ଚ ଥର କ୍ଷମା ଯାଚିକା ଖାରଜ ହୋଇଛି। ପଞ୍ଚମ ଥର ସରବଜିତଙ୍କର ମୁକ୍ତି ପାଇଁ ପାକିସ୍ତାନ ରାଷ୍ଟ୍ରପତିଙ୍କୁ ଏକ ଲକ୍ଷ ସ୍ଵାକ୍ଷର ସମ୍ବଳିତ କ୍ଷମା ଯାଚିକା ଦିଆଯାଇଛି। ନ୍ୟାୟ ପାଇଁ ଦଲବୀରଙ୍କର ଏଇ ଅଭୂତପୂର୍ବ ସଂଘର୍ଷର ପ୍ରଭାବ ଶେଷରେ ପାକିସ୍ତାନ ସରକାରଙ୍କ ଉପରେ ପଡ଼ିଲା। ସରବଜିତଙ୍କର ମୃତ୍ୟୁଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ପାକିସ୍ତାନ ସରକାର ବାଧ୍ୟ ହେଲେ। କିନ୍ତୁ ଆଉ ଏକ ଦୁଃଖଦ ଅନ୍ତିମ ପରିଣତି ଦଲବୀରଙ୍କୁ ଅପେକ୍ଷା କରିଥିଲା। ଯାହା କେବଳ ପାକିସ୍ତାନରେ ଘଟିପାରେ, ଯେଉଁଠାରେ ଗଣତନ୍ତ୍ରର ଚେର ଅପରିପକ୍ଵ ଏବଂ ଯେଉଁ ରାଷ୍ଟ୍ରର ବ୍ୟବହାର ଆଜି ବି ଦୁର୍ବୋଧ୍ୟ ! ୨୦୧୩ ଏପ୍ରିଲ ୨୬ ତାରିଖରେ ଲାହୋର କୋଟ ଲଖପତ ଜେଲର କିଛି କଏଦୀଙ୍କର ମରଣାନ୍ତକ ଆକ୍ରମଣରେ ସରବଜିତ ଗୁରୁତର ଭାବେ ଆହତ ହେଲେ। ସେ କୋମା ଅବସ୍ଥାରେ ଲାହୋର ସ୍ଥିତ ଜିନ୍ନା ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ମେ ୨ ତାରିଖ ଦିନ ଚିରଦିନ ପାଇଁ ଆଖି ବୁଜିଲେ। ଏବଂ ସେହି ଦିନ ସନ୍ଧ୍ୟାରେ ତାଙ୍କର ମୃତ ଶରୀର ତାଙ୍କର ଜନ୍ମଭୂମି ଭିଖୀୱିଣ୍ଡରେ ପହଞ୍ଚିଲା
ଦେଶ ବିଭାଜନର କରୁଣ ଗାଥାରେ ବୋଧହୁଏ ଆଉ ଏକ ଫର୍ଦ୍ଦ, ଦୀର୍ଘ ୬୫ ବର୍ଷ ପରେ ଯୋଡିହେବାକୁ ଥିଲା।
ଦଲବୀର କାଉରଙ୍କର ଏହି ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ଲମ୍ବା ଏପିକ ସଂଘର୍ଷର କାହାଣୀ ଅମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ 'ସରବଜିତ' ଚଳଚ୍ଚିତ୍ରରେ ରୂପାୟିତ ହେବାକୁ ଯାଉଛି। ଦଲବୀର କାଉରଙ୍କର ଭୂମିକାରେ ଅଭିନୟ କରୁଛନ୍ତି ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଏବଂ ସରବଜିତ ଭୂମିକାରେ ରଣଦୀପ ହୁଦା। ନିକଟରେ ପଞ୍ଜାବର ଏକ ଗାଁରେ ଚଳଚ୍ଚିତ୍ରର ସେଟରେ ଐଶ୍ଵର୍ଯ୍ୟାଙ୍କର ଦଲବୀର କାଉରଙ୍କ ସହିତ ସାକ୍ଷାତ ମଧ୍ୟ ହୋଇଛି। "ମୁଁ କେବଳ ଆଶା କରୁଛି ଯେ ରେ ସରବଜିତ ବଞ୍ଚିଥିବା ସମୟରେ ଲାହୋର ଲଖପତରାୟ ଜେଲରେ ଯେଉଁ ଦାରୁଣ କଷ୍ଟକର ଜୀବନ ଅଙ୍ଗେ ନିଭେଇଥିଲା ତାହାର ବାସ୍ତବ ଚିତ୍ରଣ ହେଉ" ଐଶ୍ଵର୍ଯ୍ୟାଙ୍କୁ ନିଜର ଶୁଭେଚ୍ଛା ଜଣାଇ କହିଛନ୍ତି ଦଲବୀର କାଉର । ଚଳଚ୍ଚିତ୍ରଟି ମେ ମାସରେ ମୁକ୍ତି ଲାଭ କରିବ।