EDITIONS
Odia

‘ଏ ଧଇଁଆ ଭାରତୀୟକୁ ମାଡ଼ ମାରି ଫାଶୀ ଦେଇଦେବା ଉଚିତ’: ଇ-ମେଲର ଜନକ ଶିବ ଆୟାଦୁରାଇ ଓ ତାଙ୍କ ସଂଘର୍ଷର କାହାଣୀ

8th Dec 2015
Add to
Shares
0
Comments
Share This
Add to
Shares
0
Comments
Share

ଏମିତି ଫେସବୁକ ଖେଳାଉ ଖେଳାଉ ମୁଁ ଦିନେ ଶିବ ଆୟାଦୁରାଇଙ୍କ ବିଷୟରେ ଜାଣିଲି । ମୋ ନିଉଜ ଫୀଡରେ ହଫିଂଟନ୍ ପୋଷ୍ଟରେ ଗୋଟେ ନୂଆ ସମ୍ବାଦ ଉଭାହେଲା, ଯେଉଁଥିରେ ଉଲ୍ଲେଖ ଥିଲା ଯେ ଶିବ ଆୟାଦୁରାଇ ଇ-ମେଲର ଜନକ ଏବଂ ଇ-ମେଲ୍ ଉତ୍ପତ୍ତିକୁ ୩୦ ବର୍ଷ ପୂର୍ତି ଅବସରରେ ତାଙ୍କୁ ସମ୍ମାନିତ କରାଯାଉଛି । ପରେ ଗୁଗୁଲରେ ଖୋଜି ସେଇ ହଫିଂଟନ୍ ପୋଷ୍ଟର ଆଉ ଗୋଟେ ରୋଚକ ଖବର ପାଇଲି । ରେଥିଅନ୍ ଓ ବିବିଏଡ଼୍ ନାମରେ ଦୁଇ ଆମେରିକୀୟ କମ୍ପାନୀ ଶିବଙ୍କୁ ଏହାର ଶ୍ରେୟ ନଦେବା ଲାଗି ପ୍ରଚାର ଚଳାଇଛନ୍ତି ।

image


ଉତ୍ତର-ଉପନିବେଶ ଭାରତରେ ଆମେ ପାଶ୍ଚାତ୍ୟରୁ ସାମାନ୍ୟ ଗୌରବ ହାସଲ କଲେ ତାକୁ ପ୍ରଚାର କରିବାରେ ମାତି ଯାଉଥିବା ବେଳେ, ମୁଁ ଆଶ୍ଚର୍ଯ୍ୟ, ଜଣେ ଭାରତୀୟଙ୍କ ଏତେ ବଡ଼ ଉଦ୍ଭାବନ ବିଷୟରେ ମୁଁ କେମିତି ଜାଣିନାହିଁ। କୁହାଯାଏ, ଶିବ ଆୟାଦୁରାଇଙ୍କ ଯେତେବେଳେ ମାତ୍ର ୧୪ ବର୍ଷ ସେ ଇ-ମେଲ ଉଦ୍ଭାବନ କରିଥିଲେ। ପରେ ସେ ବହୁ ଉଦ୍ୟୋଗିକ ସଫଳତା ପାଇଛନ୍ତି, ଏମ୍ଆଇଟିରେ ୪ଟି ଡିଗ୍ରି କରିଛନ୍ତି, ଇକୋ ମେଲ୍ ପ୍ରତିଷ୍ଠା କରିଛନ୍ତି, ଆମେରିକୀୟ ଡାକ ବ୍ୟବସ୍ଥାକୁ ସୁଧାରିଛନ୍ତି ଓ ଏ ତାଲିକା ବହୁତ ଲମ୍ବା ।

ମୁଁ ସେ ସମ୍ବାଦ ଦ୍ୱୟ ସାଇତିଲି ଓ କିଛି ଦିନ ପରେ ଯେତେବେଳେ ଖୋଲିଲି ଇଣ୍ଟରନେଟରୁ ତାହା ହଟାଇ ଦିଆଯାଇଥିଲା । ମୁଁ ଜାଣିବାକୁ ପାଇଲି ଏହା ମିଥ୍ୟା ବୋଲି ପାଠକଙ୍କ ପ୍ରତିବାଦ ପରେ ଖବର ଦ୍ୱୟ ହଟାଇ ଦିଆଯାଇଛି । ବରଂ ଏ ଗୌରବ ଆମେରିକୀୟ ଉଦ୍ଭାବକ ରେ' ଟମ୍ଲିନ୍ସନଙ୍କୁ ଦିଆଯାଉଛି । ଶିବ ଆୟାଦୁରାଇଙ୍କୁ ଗୁଗଲରେ ଖୋଜିଲେ ତିନୋଟି କଥା ହିଁ ମିଳିଲା; ନିକଟରେ ସେ ହଲିଉଡ୍ ଅଭିନେତ୍ରୀ ଫ୍ରାନ୍ ଡ୍ରେସ୍ଚରଙ୍କୁ ବିବାହ କରିଛନ୍ତି, ତାଙ୍କୁ ମିଛୁଆ ଓ ଠକ ବୋଲି କୁହାଯାଉଛି ଏବଂ ଆୟାଦୁରାଇଙ୍କ ପଞ୍ଜିକୃତ ଡୋମେନ୍ । ବାସ୍ ସେତିକି ।

ତେବେ ତାଙ୍କ ୱେବ୍ସାଇଟର ସତ୍ୟତା ରହିଛି ନା ଲୋକେ ଯାହା କହୁଛନ୍ତି ତାହା ସତ । ମୁଁ ଅକାଳରେ ପଡ଼ି ତାଙ୍କର ସାକ୍ଷାତକାର ନେବାକୁ ଚାହିଲି ଓ ସେ ରାଜି ହେଲେ । ମୁଁ ତାଙ୍କୁ ପ୍ରଶଂସା କରୁନି କି ସମାଲୋଚନା କରୁନି, ବରଂ ଏ ସାକ୍ଷାତକାରରେ ଆମେ ତାହା ଆଲୋଚନା କରିଛୁ ଯାହା ଆମେରିକୀୟ ଗଣମାଦ୍ୟମ କରିବାରେ ବିଫଳ ଏବଂ ଭାରତୀୟ ଗଣମାଧ୍ୟମ ଆଗ୍ରହ ଦେଖାଇନାହିଁ ।

ସେ କହନ୍ତି, ‘ମୋ ବିରୋଧରେ ମୁଖ୍ୟ ଅଭିଯୋଗ ହେଲା ମୁଁ ନିଜକୁ ନିଜେ ଟେକୁଥିବା ବ୍ୟବସାୟୀ । ମୁଁ ଜଣେ ଇଣ୍ଟରନେଟ୍ ଉଦ୍ୟୋଗୀ । ତେବେ ତା ସହ କିଏ ଇ-ମେଲ ଉଦ୍ଭାବନ କରିଛି ପ୍ରସଙ୍ଗର କ’ଣ ସମ୍ପର୍କ ମୁଁ ବୁଝିପାରୁନି।’

ଆମେ ତଳେ ଥିବା ତାଙ୍କର ମତକୁ ସ୍ଵାଗତ କରୁଛୁ । ତେବେ ପାଠକେ ଲକ୍ଷ୍ୟ ରଖନ୍ତୁ, ଏଠାରେ ଆମେ କେବଳ ଇ-ମେଲ ପ୍ରସଙ୍ଗରେ ଆଲୋଚନା କରିଛୁ । ତାଙ୍କ କାମ, ଜୀବନ, ଶିକ୍ଷା ଓ ଆହରଣ ଉପରେ ଅଧିକ ତଥ୍ୟ ପରବର୍ତ୍ତୀ ପାଠରେ ଦିଆଯିବ ।

ନ୍ୟୁଜର୍ସିର ୟୁନିଭର୍ସିଟି ଅଫ୍ ମେଡିସିନ୍ ଓ ଡେଣ୍ଟିଷ୍ଟ୍ରିର ବୈଜ୍ଞାନିକ ଲେ ମିସେଲସନଙ୍କ ସହ ଯେତେବେଳେ ଆପଣଙ୍କ ମା’ ଆପଣଙ୍କର ପରିଚୟ କଲେ ଠି ସେତିକି ବେଳେ ଆପଣ ସ୍କୁଲରୁ ବିଦାହେବା ଭଳି ଅବସ୍ଥା ଉପୁଜିଥିଲା?

ହଁ, ସେତେବେଳେ ମୋ ବୟସ ୧୪ ବର୍ଷ ଥିଲା ।

୧୪ ବର୍ଷ ବୟସରେ ଆପଣଙ୍କ ମନ ଭିତରେ କ’ଣ ଚାଲିଥିଲା?

ଭାରତରେ ମୁଁ ଗୋଟେ କୃଷକ ପରିବାରରୁ ଆସିଥିଲି । ମୋ ଜେଜେ ଚାଷୀ ଥିଲେ । ମୋ ମା’ ଗୋଟେ ଅଛବ ଛୋଟ ଜାତିରୁ ଆସିଥିଲେ ବି କୌଣସିମତେ ପାଠ ପଢ଼ିଥିଲେ । ମୋ ବାପାଙ୍କ ଶୈଶବ ଯୁଦ୍ଧ ସମୟରେ ବିତିଥିଲା ଓ ୧୧ ବର୍ଷ ହେବା ଯାଏଁ ସେ ଖଡ଼ି ଛୁଇଁ ନଥିଲେ । ମୋତେ ଯେତେବେଳେ ୭ ବର୍ଷ ୧୯୭୦ରେ ଆମେ ଆମେରିକା ଆସିଲୁ । ଯେବେ ବି ମୁଁ ଭାରତ ଯାଏଁ ମୁଁ ପାଇଥିବା ସୁଯୋଗ ଲାଗି ଭାଗ୍ୟବାନ ମନେକରେ । ମୁଁ ଜାଣେ ଅନେକଙ୍କ ତ୍ୟାଗ ବଳରେ ମୁଁ ଆଜି ଏଠି ପହଞ୍ଚିଛି । ସେବେ ଠୁ ମୁଁ ପୃଥିବୀ ବଦଳେଇବାର ସ୍ଵପ୍ନ ଦେଖିଲି ।

ଇ-ମେଲ୍ ଉଦ୍ଭାବନର ଚିନ୍ତା କେମିତି ଆସିଲା?

୧୯୭୮ର ପୃଥିବୀ କଥା ଭାବନ୍ତୁ । ପିସି ନଥିଲା କି ସ୍ମାର୍ଟଫୋନ୍, ଲାପଟପ ନଥିଲା । ସାଧାରଣ ଲୋକେ କମ୍ପ୍ୟୁଟର କ’ଣ ଦେଖୁନଥିଲେ । କେବଳ ଅତି ପ୍ରଯୁକ୍ତି-ଜ୍ଞାନ ଥବା ଲୋକ ଯେମିତିକି ସିଷ୍ଟମ୍ ଆନାଲିଷ୍ଟ, ପ୍ରୋଗ୍ରାମର ଆଦି କମ୍ପ୍ୟୁଟର ଛୁଇଁବାର ସୌଭାଗ୍ୟ ପାଉଥିଲେ ।

ମୋ ପାଇଁ ଇ-ମେଲ୍ ଜଣେ ପ୍ରଯୁକ୍ତି ସମ୍ବନ୍ଧିତ ଲୋକ ଅନ୍ୟଜଣେ ସମଜାତୀୟ ଲୋକକୁ ପଠାଉଥିବା ବାର୍ତା ନଥିଲା। ଏହା ସାଧାରଣ ଲୋକଙ୍କ ବ୍ୟବହାର ଲାଗି ଉଦ୍ଦିଷ୍ଟ ଥିଲା । ଯେମିତିକି ସେମାନେ ଟାଇପରାଇଟର ଛାଡ଼ି କମ୍ପ୍ୟୁଟରକୁ ଆପଣେଇ ପାରିବେ । ସେଥିପାଇଁ ତ ଇ-ମେଲ ଯୁଗାନ୍ତକାରୀ ଷ୍ଟିଭ୍ ଜବ୍ସ କମ୍ପ୍ୟୁଟର ତିଆରିବା ଆଗରୁ ଲୋକଙ୍କୁ ନିଜେ ନିଜର କମ୍ପ୍ୟୁଟର ଗଢ଼ିବାକୁ ପଡ଼ୁଥିଲା । ସେମାନଙ୍କୁ ଅଂଶ ଗୁଡ଼ିକ ଅଲଗା କିଣି ଯୋଡ଼ିବାକୁ ପଡ଼ୁଥିଲା । ସେଥିପାଇଁ ମାକିନ୍ତୋଷ୍ ବୈପ୍ଲବିକ ହୋଇଗଲା । ଳକ୍ଷ ଲକ୍ଷ ଲୋକ ଏହାକୁ ଗ୍ରହଣ କରିପାରିଲେ । ଇ-ମେଲ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ିଲା ଯାହା ମୁଁ ଉଦ୍ଭାବନ କରିଥିଲି ।

କେମିତି ଏ ଚିନ୍ତା ମନକୁ ଆସିଲା?

ସାଧାରଣ ଲୋକଙ୍କ ପାଇଁ ଯୋଗାଯୋଗ ସହଜ କରିବାକୁ ଯାଇ ଏ ଚିନ୍ତା ମୋ ମୁଣ୍ଡରେ ପଶିଲା । କେବଲ ଅକ୍ଷର ପ୍ରେରଣ ନୁହେଁ, ଏଥିରେ ଶହ ଶହ ଫିଚର ଥିଲା । ଏହା ଏକ ଇଞ୍ଜିନ୍ ତିଆରିବା ଭଳି କଥା ଥିଲା ।

ଆପଣଙ୍କ ବିରୋଧରେ ବଡ଼ ଅଭିଯୋଗ, ୬୦ ଦଶକରେ ଯେଉଁମାନେ ମୂଳ ଜିନିଷ ଗଢ଼ିଥିଲେ ତାହା ଉପରେ ଆଶ୍ରୟ କରି ଆପଣ ନିଜକୁ ଇମେଲ୍ର ସ୍ରଷ୍ଟା ବୋଲି କହୁଛନ୍ତି । ରେ ଟାମିଲସନଙ୍କ ଭଳି ବ୍ୟକ୍ତିତ୍ୱ ଓ ଆପ୍ରାନେଟ୍ ଭଳି ସଂସ୍ଥା ପୂର୍ବରୁ ଇମେଲ୍ ଉପରେ କାମ କରିସାରିଥିଲେ । ଆପଣଙ୍କ ଇ-ମେଲ ଉଦ୍ଭାବନ କେତେ ମୌଳିକ ଓ କେତେ ସେମାନଙ୍କ ଉପରେ ନିର୍ଭରଶୀଳ?

ଏଠାରେ କି ରାଜନୀତି କାମ କରୁଛି ଆପଣଙ୍କୁ ବୁଝିବାକୁ ହେବ । ଏଠାରେ ମିଲିଟାରୀ ଅଛି, ଘରୋଇ ଶିଳ୍ପ ଅଛି ଓ ଶିକ୍ଷାବିତ ଅଛନ୍ତି । ସେମାନେ ୬୦ ଓ ସତୁରୀ ଦଶକରେ କ’ଣ କରୁଥିଲେ ନା, କ ସ୍ଥାନରୁ ଖ ସ୍ଥାନକୁ ବାର୍ତା ପଠାଉଥିଲେ । ୧୯୭୮ରେ ମୋର ବୟସ ଯେତେବେଳେ ୧୪ ସେତେବେଳେ ମୁଁ ସେମାନଙ୍କ ପ୍ରଯୁକ୍ତି ବିଦ୍ୟା ବାବଦରେ ଜାଣିବାର ଅବକାଶ ନଥିଲା । ମୋ କାମରେ ଇଣ୍ଟରନେଟ୍ ଆବଶ୍ୟକ ନଥିଲା । ମୁଁ ଯେଉଁ ଇ-ମେଲ ତିଆରିଥିଲି ଓ ୧୯୯୩ ପର୍ଯ୍ୟନ୍ତ ତାହା ଯେଉଁ ଯେଉଁ ରୂପରେ ବଦଳାଇ ଆସିଛି ସେସବୁର ବ୍ୟବହାର ପାଇଁ ଇଣ୍ଟରନେଟ୍ ନଥିଲା । ଗୋଟେ ଅଫିସରେ ଆମେ ଇଥରନେଟ୍ କର୍ଡ ଦ୍ୱାରା କମ୍ପ୍ୟୁଟର ସଂଯୋଗ କରୁଥିଲୁ । ଆମେ ସେମାନଙ୍କର ନେଟୱର୍କ କି ପ୍ରୋଟକଲ ବ୍ୟବହାର କରୁନଥିଲୁ ।

ସେମାନେ ଚାହାନ୍ତି ଆମେ ଭାବିବା ଉଚିତ ଯେ ମିଲିଟାରୀ ଆମ ପାଇଁ ଜରୁରୀ ଏବଂ ମିଲିଟାରୀ କମ୍ପ୍ଲେକ୍ସ ଇଣ୍ଡଷ୍ଟ୍ରି ବଡ଼ ବଡ଼ ପ୍ରଯୁକ୍ତି ଉଦ୍ଭାବନ କରୁଛି । ସେମାନଙ୍କର ରାଗ ଆଉ ଆକ୍ରୋଶର କାରଣ ହେଲା, ନାଗରୀକ ଭାବେ ଆମକୁ କୁହାଯାଇଥିଲା ଆମର କର ଅର୍ଥ ମିଲିଟାରୀ କାମରେ ଲାଗୁଛି । ମିଲିଟାରୀ ଡିପାର୍ଟମେଣ୍ଟ ଗବେଷଣା କରୁଛି । ଆମେ ଜିପିଏସ୍ ପାଇଲୁ, ଆମେ ଭେଲକ୍ରୋ ତିଆରିଲୁ, ଆମେ ଇମେଲ ଉଦ୍ଭାବନ କଲୁ ,ଏମିତି କେତେ କ’ଣ । ସେମାନେ ମିଲିଟାରୀରେ ଅର୍ଥ ବ୍ୟୟକୁ ଏସବୁ ଦ୍ୱାରା ପ୍ରମାଣ କରିବାକୁ ଚାହୁଥିଲେ ।

୧୯୭୮ରେ ମୁଁ ସେମାନଙ୍କର କୌଣସି ସାମାନ୍ୟ ପ୍ରଯୁକ୍ତି ବ୍ୟବହାର କରିନି । ମୋର ଦରକାର ବି ହୋଇନି ।

ଫିଲୋ ଫାର୍ନ୍ସଓର୍ଥ ନାମରେ ଗୋଟେ ଛୋଟ ସହର ଆଇଡାହୋର ୧୪ ବର୍ଷୀୟ ବାଳକ ଟିଭି ଉଦ୍ଭାବନ କଲା । ସେମାନେ ତାକୁ ଆକ୍ରମଣ କଲେ । ଏମିତି ହେଲେ ତ କଥା ଅଲଗା ହେବ । ଭାରତର କି ଇଡୋହାର ଗୋଟେ ଛୋଟ ବାଳକ ପୃଥିବୀ ବଦଳେଇ ଦେବା ଭଳି ଜିନିଷ ଉଦ୍ଭାବନ କରିଦେଲା!! ଆମେ ମିଲିଟାରୀ ପଛରେ ଏତେ ଅର୍ଥ କାହିଁକି ଉଡେ଼ଇବା? ଆମକୁ ବୁଝେଇ ଦିଆଯାଇଛି ମିଲିଟାରୀ ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ସବୁ ବଡ଼ ବଡ଼ ଉଦ୍ଭାବନର ଏନ୍ତୁଡ଼ିଶାଳ, ତେଣୁ ଆମେ ସେମାନଙ୍କୁ ଅର୍ଥ ଦେବା ଉଚିତ । କେବଳ ଜଣେ ଗୋରା ଲୋକ ହିଁ ଏସବୁ କରିପାରେ । ନ୍ୟୁଜର୍ସିର ଗୋଟେ କଳା ପିଲା ଏସବୁ କରିଦେବ- ତାହା ତ ତାଙ୍କ ପାଇଁ ଅସହ୍ୟ । ସେଥିପାଇଁ ସେମାନେ ମୋ ଉପରେ ଥିବା ଲେଖା ହଟାଇ ଦେଉଛନ୍ତି । ୱିକିପେଡିଆରେ ମୋ ଉପରେ ଥିବା ଆଲେଖରେ ସବୁ ଲିଙ୍କ ଏବେ ଆଉ ମିଳୁନି । କେବଳ ମୋ ଉପରେ ଲେଖାକୁ ନୁହେଁ, ମୋତେ ଧ୍ୱଂସ କରିଦେବା ପାଇଁ ପ୍ରଚେଷ୍ଟା ଚାଲିଛି ।

ଇ-ମେଲ୍ ଜନ୍ମର କାହାଣୀ ନେଇ ହଫିଂଟନ୍ ପୋଷ୍ଟର ଲେଖାଟି ଏବେ ହଟାଇ ଦିଆଯାଇଛି । ସେ କାହାଣୀ ବିଷୟରେ ଟିକେ ବିସ୍ତୃତ କହିବେ କି?

ଦେଖନ୍ତୁ ବଡ଼ ମିଛ କାହାଣୀ ହେଲା ଆପ୍ରାନେଟ୍ ଇ-ମେଲର ଜନକ । ଏହା ଡାହା ମିଛ । ସେମାନେ ଇଲେକଟ୍ରୋନିକ୍ ଟେକ୍ଷ୍ଟ ମେସେଜିଂ କରିଥିଲେ । ଟେଲିଗ୍ରାଫ୍ ମାଧ୍ୟମରେ ଯୁଦ୍ଧକ୍ଷେତ୍ରରେ ଯୋଗାଯୋଗ ଉପରେ ଆପ୍ରାନେଟ୍ କାମ କରିଛି । ୧୯୭୭ରେ ଡେଭିଡ୍ କ୍ରକର୍ ନିଜେ ଲେଖିଛନ୍ତି, ‘ଏଯାଏଁ ଅନୁଷ୍ଠାନ ଭିତରେ ସ୍ଵୟଂସମ୍ପୂର୍ଣ ମେଲ-ସିଷ୍ଟମର ଉଦ୍ଭବ ହୋଇ ପାରିନାହିଁ ।’

ଦ୍ୱିତୀୟ ମିଛ କାହାଣୀ ହେଉଛି, ରେ ଟମ୍ଲିନ୍ସନ୍ ଇମେଲ ଉଦ୍ଭାବନ କରିଛନ୍ତି ଓ ପ୍ରଥମ ଇମେଲ ପଠାଇଛନ୍ତି । ରେ କେବେ ବି ୫୦ ହଜାର ଧାଡ଼ିର କୋଡ୍ ଲେଖିନାହାନ୍ତି । ସେ ସର୍ବାଧିକ ୧୫ କି ୨୦ ଧାଡ଼ିର କୋଡ୍ ଲେଖିଛନ୍ତି । ସେ ଗୋଟେ ପୁରୁଣା ପ୍ରୋଗ୍ରାମ୍ ନେଇ ଟିକିଏ ଏପଟସେପଟ କରିଦେଇଛନ୍ତି ଓ ଗୋଟିଏ କମ୍ପ୍ୟୁଟରକୁ ଅନ୍ୟଠାରୁ ପୃଥକ କରିବା ପାଇଁ ଆଟ୍ ଦ ରେଟ୍ ସଂକେତ ବ୍ୟବହାର କରିଛନ୍ତି । ସେଇଟା ଇ-ମେଲ୍ ନୁହଁ । ସେଥିରେ ଇନବକ୍ସ ଆଉଟବକ୍ସ ନଥିଲା । କିନ୍ତୁ ବିବିଏନ୍ ଓ ରେଥିଅନ୍ ମୋତେ ଶ୍ରେୟ ନଦେବା ଲାଗି ବଡ଼ ଧରଣର ଅଭିଯାନ ଚଳାଇଛନ୍ତି ।

୨୦୧୨ରେ ୱାଶିଂଟନ୍ ପୋଷ୍ଟରେ ଆପଣଙ୍କ କାମକୁ ସ୍ମିଥ୍ସୋନିଆ ସମ୍ମାନ ଦେଇଥିବା ନେଇ ଗୋଟେ ରିପୋର୍ଟ ପ୍ରକାଶ ପାଇଥିଲା । ଟିକେ ବିସ୍ତାର କରି କହିବେ କି?

ସେ ଖବର ଜଣେ କଳା ଯୁବ ସାମ୍ବାଦିକ ଲେଖିଥିଲେ । ତାଙ୍କୁ ଏହା ମୂଲ୍ୟ ଦେବାକୁ ହେଲା । ସମ୍ପାଦକ ତାଙ୍କୁ କହିଲେ ମୋ ବିରୋଧରେ ପ୍ରଚାର କରୁଥିବା ଦୁଇ ଲୋକଙ୍କୁ ଶ୍ରେୟ ଦେଇ ପୁଣି ଗୋଟେ ଲେଖା ଲେଖିବାକୁ । ତେବେ ମୁଁ ନିଜେ ନୋଆମ୍ ଚସ୍କିଙ୍କୁ ସମ୍ମାନ ଦେଇ ଲେଖାଟିଏ ଲେଖିଥିଲି । ତେବେ ଯେତେବେଳେ ଲେଖାଟି ବାହାରିଲା, ସେମାନେ ଡେଭିଡ୍ କ୍ରକରଙ୍କ ମତ ସହ ଏକ ହୋଇ ଗଲେ । ତେବେ ମୁଁ ଇ-ମେଲ ଉଦ୍ଭାବନ କରିନି ବୋଲି ସେମାନେ କେବେ ଅସ୍ଵୀକାର କରିନାହାନ୍ତି ।

ଆପଣ ୧୯୮୨ରେ ଯେତେବେଳେ ଇମେଲ୍କୁ ପ୍ୟାଟେଣ୍ଟ୍ କଲେ, ସେତେବେଳେ ପ୍ୟାଟେଣ୍ଟ୍ ଓ କପିରାଇଟ୍ ଭିତରେ ଫରକ ଥିଲା । ୧୯୯୬ରେ ଯେତେବେଳେ ଏ ଫରକ ଉଭେଇଗଲା ଆପଣ ପୁଣି ନବୀକରଣ କଲେନାହିଁ କାହିଁକି?

୧୯୮୧ରେ ମୋତେ ୧୬ ବର୍ଷ ଓ ମୁଁ କପିରାଇଟର ଜଟିଳତାକୁ ବୁଝିନଥିଲି । ମୁଁ ଓକିଲ ଦେଇପାରି ନଥିଲି, ନିଜେ ନିଜର କାଗଜପତ୍ର ପ୍ରସ୍ତୁତ କରିଥିଲି । ଶେେ ଦଶକ ଆରମ୍ଭରେ ସୁପ୍ରିମ୍ କୋର୍ଟ ସଫ୍ଟୱେର ପାଟେଣ୍ଟକୁ ଗ୍ରହଣ କଲା। ମୁଁ ସେତେବେଳେ ଆଉ ପ୍ୟାଟେଣ୍ଟ୍ ପାଇଁ ଆବେଦନ କରିନଥିଲି।

ମୂଳ ଲେଖା - ରାଖୀ ଚକ୍ରବର୍ତୀ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags