EDITIONS
Odia

BREXITର ଆତଙ୍କ

ଲେଖନ୍ତି ଆଶୁତୋଷ

29th Jun 2016
Add to
Shares
0
Comments
Share This
Add to
Shares
0
Comments
Share

ବର୍ଲିନ ପ୍ରାଚୀର ପତନ ପରେ ଇତିହାସରେ ଆଉ ଏକ ଯୁଗାନ୍ତକାରୀ ଘଟଣା ଘଟି ଯାଇଛି। ଏକ ଦେଶବ୍ୟାପୀ ଗଣଭୋଟ ଫଳରେ ଗ୍ରେଟ ବ୍ରିଟେନ ଇଉରୋପୀୟ ସଂଘରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି । ଯଦିଓ ଭୋଟ ର ବ୍ୟବଧାନ ଥିଲା ଅତି କମ ତେବେ ଆଉ କ'ଣ କାଳିଆ ଲେଉଟିବ ! ବ୍ରିଟେନ ଆଉ କେବେବି ଆଗ ଭଳି ରହିବନି। ବିଶ୍ଵ ଅର୍ଥନୀତିକୁ ତ ଏହା ନିଶ୍ଚିତ ଭାବେ ପ୍ରଭାବିତ କରିବ ଏବଂ ପୁଣି ଆଉ ଏକ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କାକୁ ବି ଏଡ଼ାଇ ହେବନି । ସାରା ବିଶ୍ଵକୁ ଏହାର ଚେଙ୍କ ଓ ଆତଙ୍କ ଘାରିଛି ; ବିଶେଷଜ୍ଞ ମାନେ ତ ଆଗକୁ ଧ୍ଵଂସ ଅନୁମାନ କଲେଣି। ଏହା ଘଟିବା ପାଇଁ ବୋଧହୁଏ ଆଉ ବେଶୀ ଖରାପ ସମୟ ନ ଥିଲା ; ଠିକ ଯେତେବେଳେ ଲଗାତାର ତିନିଦଶକର ପ୍ରଗତି ପରେ ଚୀନର ଅର୍ଥନୀତି ହୋଇଛି ନିମ୍ନଗାମୀ ଓ ବ୍ରାଜିଲରେ ଦେଖାଦେଇଛି ଘୋର ରାଜନୈତିକ ସଙ୍କଟ ; ଏବଂ ଅନେକ ଉଚ୍ଚ ଆସ୍ଫାଳନ ସତ୍ତ୍ୱେ ଭାରତରେ ପ୍ରକୃତ ବିକାଶର ରୂପ ଦେଖିବାକୁ ଆହୁରି ବାକି ଅଛି।

image


ଏହି ଗଣଭୋଟ ଅର୍ଥନୀତି ଅପେକ୍ଷା ଅଧିକ ରାଜନୈତିକ ପ୍ରଣୋଦିତ ଯାହାକି ତିନୋଟି ଧାରା ପ୍ରତିଫଳିତ କରୁଛି। ୧. ବିଶ୍ଵୀୟ ପ୍ରବାସ ଏକ ଗମ୍ଭୀର ପ୍ରସଙ୍ଗ ଯାହାକୁ କି ଉନ୍ନତ ସମାଜ ଯେପରି ଭାବେ ଗ୍ରହଣ କରିବା କଥା ସେପରି କରିପାରି ନାହାନ୍ତି। ୨. ଧନୀ ଓ ତଳ ଶ୍ରେଣୀ ମଧ୍ୟରେ ଅଛି ଏକ ଅଭେଦ୍ୟ ଫାଙ୍କ। ଲଣ୍ଡନ ତ 'ରହିବା' ପାଇଁ ଭୋଟ ଦେଲା କିନ୍ତୁ ଲଣ୍ଡନଠାରୁ ଅପେକ୍ଷାକୃତ ଗରିବ ଓ କମ ଉନ୍ନତ ଅଂଚଳଗୁଡ଼ିକ EUରେ ସେମାନଙ୍କର କୌଣସି ଭବିଷ୍ୟତ ଦେଖନ୍ତି ନାହିଁ। ୩. ଜାତୀୟତାବାଦର ଚେର ବିଶ୍ଵାୟନ ଅପେକ୍ଷା ଅଧିକ ଗଭୀର ।

କିନ୍ତୁ କୃତ୍ରିମ ଭାବେ ସୃଷ୍ଟ ଅତି-ଜାତୀୟତାବାଦ ଏକ ଆଶାଶୂନ୍ୟ ଅର୍ଥନୀତିକ ପଟ୍ଟଭୂମିରେ କେବେ ବି ଏକ ଆକର୍ଷଣୀୟ ପ୍ରସ୍ତାବ ହୋଇପାରେନା।

ଭାରତ, ଯାହାକି ବିଶ୍ଵର ଦ୍ରୁତତମ ଅର୍ଥନୀତି ବୋଲି ଭାରତୀୟ ବ୍ୟବସ୍ଥାର ବଡ଼ପଣ୍ଡାମାନେ ଦାବି କରନ୍ତି ନିଶ୍ଚିତଭାବେ ତ ଏହାଦ୍ଵାରା ପ୍ରଭାବିତ ହେବ। ଏହା ଏତିକିବେଳେ ଘଟୁଛି ଯେତେବେଳେକି ଆରବିଆଇ ଗଭର୍ଣ୍ଣର ଘୋଷଣା କରନ୍ତିକି ସେ ତାଙ୍କର ସେବାର ଆଉ ଏକ ଅବଧି ପାଇଁ ଆଗ୍ରହୀ ନୁହଁନ୍ତି, ବରଂ ସେ ନିଜକୁ 'ଆଇଡିଆ ର ରାଜ୍ୟ'ରେ ନିମଜ୍ଜିତ କରିବାକୁ ପସନ୍ଦ କରିବେ। ରଘୁରାମ ରାଜନ ଭାରତୀୟ ବ୍ୟାଙ୍କିଙ୍ଗର ସର୍ବୋଚ୍ଚ ପଦବୀରୁ ଅବ୍ୟାହତି ନେଉଥିବା କିଛି ଶୁଭ ଖବର ନୁହେଁ। ମୋ ମତରେ ଭାରତ BREXITକୁ ଅଧିକ ଗୁରୁତ୍ଵର ସହିତ ବିଚାର କରିବା ଉଚିତ।

ଅର୍ଥନୈତିକ ଫଳାଫଳ ଅପେକ୍ଷା ଏକ ସାମାଜିକ ଘଟନା ଭାବେ BREXIT ଭାରତ ପାଇଁ ବେଶୀ ଆଶଙ୍କାଜନକ। ଯେଉଁ ବିଶାରଦମାନେ ଏହାକୁ କେବଳ ଜାତିବାଦ ଏବଂ ଅତି ଜାତୀୟତାବାଦର ଏକ ପରିପ୍ରକାଶ ବୋଲି ବିବେଚନା କରନ୍ତି ମୁଁ ସେମାନଙ୍କ ସହିତ ଏକମତ ନୁହେଁ। ଏହା ଏକ ଜଟିଳ ସାମାଜିକ-ରାଜନୈତିକ ପ୍ରସଙ୍ଗ ଯାହା ଏକ ନିଷ୍ଠୁର ବାସ୍ତବତା ଭାବେ ଆଜି ଏହା ପୃଥିବୀ ପୃଷ୍ଠରେ ପ୍ରତିଫଳିତ ହୋଇଛି। ବିଶ୍ଵରେ BREXIT ଏକ ଗଭୀର ବ୍ୟାଧିର ଲକ୍ଷଣ ଭାବେ ପୃଥକ ବା ଏକ ବିଚ୍ଛିନ୍ନ ଉଦାହରଣ ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକାରେ ଡୋନାଲ୍ଡ ଟ୍ରମ୍ଫ , ଫ୍ରାନ୍ସରେ ମେରିନ ଲି ପେନ ଓ ଭାରତରେ RSS ପରି ଉଗ୍ର ଦକ୍ଷିଣପନ୍ଥୀ ନେତୃତ୍ଵର ଅଭ୍ୟୁଦୟ ଏକ ସୂତ୍ରରେ ସଂଯୁକ୍ତ । ସାରା ପୃଥିବୀ ଆଜି ISIS ର ଧର୍ମାନ୍ଧ ପରୀକ୍ଷଣରେ ସ୍ତବ୍ଧ। RSS ଭାରତରେ ଏକ ହିନ୍ଦୁ ରାଷ୍ଟ୍ର ଗଢ଼ିବାକୁ ଚାହେଁ । ଏ ସମସ୍ତଙ୍କର ଗୋଟିଏ ସାଧାରଣ ବିଶେଷତ୍ଵ ହେଲା "ବିବିଧତା ଓ ବୈଷମ୍ୟ" ଏବଂ ବିଂଶ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବା "ସ୍ଵାଧୀନତା,ସାମ୍ୟ ଏବଂ ଭ୍ରାତୃତ୍ଵର" ଆଦର୍ଶ ପ୍ରତି ବିତୃଷ୍ଣା ଓ ଅସହିଷ୍ଣୁତା।

ମାନବ ସମାଜର ବିବର୍ତ୍ତନରେ ଦେଶାନ୍ତର ଗମନ ବିକାଶର ଇଞ୍ଜିନ ରୂପେ କାମ କରିଛି। ଦେଶାନ୍ତର ଗମନ ଯେ କେବଳ ଶସ୍ତା ଶ୍ରମ ଉପଲବ୍ଧ କରାଇଥିଲା ତା' ନୁହେଁ , ଏହା ପୃଥିବୀର ବିଭିନ୍ନ ଭାଗରୁ ନୂତନ ବିଚାରଧାରା ଆଣିଥିଲା ଯାହା ଦେଇଥିଲା ମାନବସମାଜକୁ ନୂତନ ପ୍ରାଣଶକ୍ତି। ବିଭିନ୍ନ ବିଚାରଧାରାର ସମନ୍ଵୟ ଫିଟାଇଥିଲା ନୂତନ ଆହ୍ଵାନ ଗୁଡ଼ିକୁ ସାମନା କରିବାର ନୂତନ ରାସ୍ତାସବୁ ଏବଂ ମାନବ ସମାଜକୁ କରିଥିଲା ଅଧିକ ପ୍ରତିଦ୍ଵନ୍ଦିତାମୂଳକ । ଏହି ଦେଶାନ୍ତର ଗମନ ଦୁଇ ପ୍ରକାର ହୋଇଥିଲା ; ଗୋଟିଏ ହେଲା ଏକ ଭୂମଣ୍ଡଳ ମଧ୍ୟରେ ଅନ୍ତର୍ମୁଖୀ ଗମନ ଓ ଆରଟି ହେଲା ବାହାର ଅଞ୍ଚଳକୁ ବହିର୍ଗମନ। ତମେ ଯେ ୟୁପି ଓ ବିହାର ଲୋକଙ୍କୁ କେବଳ ପାଟନା ଓ ଲକ୍ଷ୍ନୌରେ ଦେଖିବ ତା'ନୁହେଁ , ସେମାନଙ୍କୁ ତମେ କେରଳର ବ୍ୟାକୱାଟରସ ଓ ବେଙ୍ଗାଲୁରୁର ରାସ୍ତାରେ ବି ପାଇବ। ଦିଲ୍ଲୀ ଓ ମୁମ୍ବାଇକୁ ତ ସେମାନେ ଜନାକୀର୍ଣ୍ଣ କରିସାରିଛନ୍ତି। ସେହିପରି କେରଳ ଓ ତାମିଲନାଡୁ ଲୋକଙ୍କୁ ତମେ ଦିଲ୍ଲୀର ଖାନ ମାର୍କେଟରେ ବଟରଚିକେନ ଓ ମୁମ୍ବାଇର ଡୋମ୍ବିଭାଲିରେ ବଡ଼ାପାଓ ର ମଜା ନେଉଥିବାର ଦେଖିପାରିବ।

ସତ୍ୟ ନାଡ଼େଲା ଓ ସୁନ୍ଦର ପିଚାଇଙ୍କ ପରି ବ୍ୟକ୍ତିମାନେ ଆଜି ମାଇକ୍ରୋସଫ୍ଟ ଓ ଗୁଗୁଲ ପରି ବୃହତ ଟେକ୍ନୋଲଜି କମ୍ପାନୀର ଶୀର୍ଷରେ ନିଯୁକ୍ତ। ଆଜି ଯଦି ଇନ୍ଦିରା ନୁରି ପେପ୍ସି କମ୍ପାନୀର ମୁଖ୍ୟ ହୋଇପାରିଛନ୍ତି ଏବଂ ଏଇ କିଛି ଦିନ ପୂର୍ବ ପର୍ଯ୍ୟନ୍ତ ନିକେଶ ଅରୋରା ଏକ ଜାପାନୀ କମ୍ପାନୀର 'ଗୋଲ୍ଡେନ ବୟ' ଭାବେ ପରିଚିତ ଥିଲେ ତାହା ସମ୍ଭବ ହୋଇପାରିଛି କେବଳ ଦେଶାନ୍ତର ଗମନ ଦ୍ଵାରା। ଉଭୟ ପୂର୍ବ ଓ ପଶ୍ଚିମ ଏହି ପରସ୍ପର ମିଳାମିଶାରୁ ଉପକୃତ ହୋଇଛନ୍ତି। ଗତ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକାର ରାଜୁତି ଚାଲିଥିଲା ଯାହାକି ଦେଶାନ୍ତରୀମାନଙ୍କର ଦେଶ।

ଦୁର୍ଭାଗ୍ୟ ଏହି ଯେ ଏ ଶତାବ୍ଦୀରେ BREXIT ଏକ ନୂତନ କାହାଣୀ ରଚନା କରୁଛି। ସାରା ଜଗତକୁ ଏହା କହୁଛି ଯେ ଦେଶାନ୍ତର ବା ପ୍ରବାସ ଭଲ ନୁହେଁ ଏବଂ ପ୍ରବାସୀମାନଙ୍କୁ ସ୍ଵାଗତ କରାଯାଇପାରିବନି।

EUରେ ପ୍ରବାସୀମାନଙ୍କର ମୁକ୍ତ ବିଚରଣ ଥିଲା EXIT ସମର୍ଥକମାନଙ୍କର ମୂଳ ଅଭିଯୋଗ। ଯେତେବେଳେ ବିଶ୍ଵରେ ଅଧିକାଂଶ ଲଣ୍ଡନର ମେୟର ପଦରେ ଜଣେ ମୁସଲମାନ ନିର୍ବାଚିତ ହେବାରେ ଆନନ୍ଦିତ ହେଉଥିଲେ ସେତେବେଳେ ଏଇ ସମାଜର ଏକ ଗୋଷ୍ଠୀ ଏହାକୁ ସହିଷ୍ଣୁତାର ସହିତ ଗ୍ରହଣ କରିପାରିନଥିଲେ। ସେହି ଏକା କାହାଣୀ ଶିବସେନା ଓ ରାଜ ଠାକରେଙ୍କ ଏମଏନଏସର। ବାଲାସାହେବ ଠାକରେ ଖୋଲାଖୋଲି ଦକ୍ଷିଣଭାରତୀୟ ମାନଙ୍କୁ ବ୍ୟଙ୍ଗ କରୁଥିଲେ ଷାଠିଏ ଓ ସତୁରୀ ଦଶକରେ ; ତା'ପରେ ସେ ଉତ୍ତର ଭାରତୀୟ ମାନଙ୍କୁ ଟାର୍ଗେଟ କଲେ। ରାଜ ଠାକରେ ଓ ତାଙ୍କ ଲୋକମାନେ ତ ଖୋଲାଖୋଲି ହିଂସା ଆରମ୍ଭ କଲେ। ଭାରତୀୟ ସମ୍ବିଧାନ ଦେଶର ନରନାରୀଙ୍କୁ ଦେଶ ମଧ୍ୟରେ ଅବାଧ ବିଚରଣର ଅଧିକାର ଏବଂ ପ୍ରତ୍ୟେକ ନାଗରିକଙ୍କୁ ଯେ କୌଣସି ଅଞ୍ଚଳରେ ବାସ କରିବାର ଅଧିକାର ଦେଇଛି। କିନ୍ତୁ ପ୍ରତି ମୁହୂର୍ତ୍ତରେରେ "ଆମେ ବନାମ ସେମାନେ"ର ତର୍କ ଗରମ ହୋଇଉଠେ। ରାଜନୀତିଜ୍ଞମାନେ ଦିଲ୍ଲୀର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଉତ୍ତର ଭାରତୀୟମାନଙ୍କୁ ଅଧିକାଂଶ ବେଳେ ଦାୟୀ କରନ୍ତି। ଉତ୍ତରପୂର୍ବାଞ୍ଚଳର ନାଗରିକଙ୍କ ପ୍ରତି ଅବଶିଷ୍ଟ ଭାରତୀୟ ବାସିନ୍ଦା ମାନଙ୍କର ଅସହିଷ୍ଣୁତା ବି ଏକ ନୂଆ ସଙ୍କଟ ରୂପେ ଉଭା ହୋଇଛି।

ବିଶ୍ଵୀୟ ଗ୍ରାମ ଯୁଗରେ ବି ଜଣେ ବ୍ୟକ୍ତିର ପରିଚୟ କ'ଣ ତା'ର ଜାତୀୟ ପରିଚୟ କେବଳ ? ମଣିଷ ଭାବରେ ପରିଚୟରେ ତାହା କ'ଣ ଶେଷ କଥା? ଅର୍ଥନୈତିକ ବାସ୍ତବତାର କଠିନତା ଅବଶ୍ୟ ଅସହିଷ୍ଣୁତାକୁ ଆହୁରି ଜୋର ଦେଇଥାଏ। ବୈଷମ୍ୟ ହଠାତ୍ ଅହିତକାରୀ ହୋଇଯାଏ। ଏପରିକି ଅତି ଉନ୍ନତ ସମାଜରେ ବିବିଧତା ବି ଏକ ଶାପ ହୋଇପାରେ। କିନ୍ତୁ ବିବିଧତା ହିଁ ଭାରତର ସବୁଠାରୁ ବଡ଼ ଶକ୍ତି। ତେବେ 'ପରିଚୟ' ର ସପକ୍ଷବାଦୀ ତତ୍ତ୍ଵ ମାନେ ଏହାକୁ ରାଜନୈତିକ ତଥା ମନସ୍ତାତ୍ତ୍ଵିକ କାରଣରୁ ଏହାକୁ ଅଭିଶାପରେ ପରିଣତ କରିଦେଇ ପାରନ୍ତି। ପ୍ରକୃତ ଭାରତୀୟ ଭାବେ ଆମେ BREXITର ଆତଙ୍କକୁ ସଫଳ ଭାବେ ମୁକାବିଲା କରିପାରିବା ଯଦି ଏହି ପ୍ରସଙ୍ଗଟିକୁ ସଠିକ ଭାବେ ବୁଝିବାକୁ ଚେଷ୍ଟା କରିବା।

(Disclaimer: ଲେଖକ ଆଶୁତୋଷ ଜଣେ ସାମ୍ବାଦିକ ଓ AAPର ନେତା। ଲେଖାର ସମସ୍ତ ମତାମତ ସଂପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ)


.

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags