EDITIONS
Odia

ଭାରତକୁ ମରୁଡିମୁକ୍ତ କରିବାର ରାସ୍ତା ଦେଖାଇଛନ୍ତି କେତୋଟି ଗାଁ

20th May 2016
Add to
Shares
5
Comments
Share This
Add to
Shares
5
Comments
Share

ସେମାନେ ମୋଦିଙ୍କ ପୂର୍ବରୁ ସ୍ଵପ୍ନ ଦେଖିଥିଲେ, ଏବଂ ମୋଦିଙ୍କ ୨୦୨୨ ସ୍ଵପ୍ନ ତ ଅନେକ ଦୂର ; ସେମାନେ ତାଙ୍କର ସ୍ଵପ୍ନକୁ ସାକାର କରିସାରିଛନ୍ତି ଯଥେଷ୍ଟ ପୂର୍ବରୁ। ସେମାନେ ହେଲେ ଭାରତର ଘୋର ମରୁଡ଼ିପ୍ରବଣ ଅଞ୍ଚଳଗୁଡ଼ିକର କିଛି କୃଷକ। ସେମାନେ ଆଉ ମୌସୁମୀର ଗତିବିଧିକୁ ନେଇ ଚିନ୍ତିତ ନୁହଁନ୍ତି। ଏକଦା ଆଶାଶୂନ୍ୟ ଏହି କୃଷକମାନେ ଦୁଇଟି ଦଶନ୍ଧି ମଧ୍ୟରେ ରଚନା କରିପାରିଛନ୍ତି ଅଭୂତପୂର୍ବ ସଫଳତା ଯାହାକୁ କୁହାଯାଇପାରେ କୃଷି ଅର୍ଥନୀତିର ଯାଦୁ।

ମରୁଡ଼ି ପ୍ରପୀଡ଼ିତ ମରାଠୱାଡାର ଜଲନା ଜିଲ୍ଲାର କାଦୱାଞ୍ଚି ଗାଁରେ ଲୋକମାନେ ମରୁଡ଼ି ବା ଆଗାମୀ ମୌସୁମୀକୁ ନେଇ ଆଦୌ ଆତଙ୍କିତ ନୁହଁନ୍ତି। ସେମାନେ ଚିନ୍ତା କରନ୍ତି ଚାଷକୁ କିପରି ଆହୁରି ବଢାଇହେବ। ବାସ୍ତବରେ ଗତ ଦୁଇଟି ଦଶନ୍ଧି ମଧ୍ୟରେ ସେମାନଙ୍କର ଆୟ ବୃଦ୍ଧି ପାଇଛି ଶତକଡ଼ା ୭୦୦ ପ୍ରତିଶତ।

image


୧୯୯୬ରେ ଏକ ଜଳଅମଳ ପ୍ରକଳ୍ପ ଆରମ୍ଭ ହେଲା ଉତ୍ତାରୁ ଗାଁର ଚିତ୍ର ଧୀରେ ଧୀରେ ବଦଳିବାକୁ ଆରମ୍ଭ ହେଲା। ସେଇ ସମୟରେ ମରୁଡ଼ି ପଡ଼ିଲେ ଶତକଡ଼ା ଶହେ ଭାଗ ଚାଷୀଙ୍କର ଫସଲ ହାନି ହେଉଥିଲା। ୨୦୧୩ରେ ଏହା କମିଲା ଶତକଡ଼ା ୨୩ ପ୍ରତିଶତକୁ । ଚାଷୀମାନେ କେବଳ ଜଳ ଓ ମୃତ୍ତିକା ସଂରକ୍ଷଣ କରିବା ସହିତ ବିଲରେ ପୋଖରୀ ଖୋଳିଥିଲେ। ତା ସହିତ ଜିଲ୍ଲାର ବାର୍ଷିକ ହାରାହାରି ୩୦ ଇଞ୍ଚ ବୃଷ୍ଟିପାତକୁ ସୁହାଇଲା ଭଳି ଫସଲ ପର୍ଯ୍ୟାୟ ନିର୍ବାଚିତ କରାଗଲା। ୧.୨ କୋଟି ଟଙ୍କାର ଜଳଅମଳ ପ୍ରକଳ୍ପଟି ୧୯୯୬-୯୭ ରୁ ୨୦୦୧-୦୨ ମଧ୍ୟରେ କାର୍ଯ୍ୟକାରୀ କରାଗଲା । 

"ପ୍ରଥମେ ତ ଆମେ ଏହା ଉପରେ କିଛି ବି ଗୁରୁତ୍ଵ ଦେଇ ନ ଥିଲୁ। ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ ମାନେ ଜଙ୍ଗଲ ଜମିରେ ଗଛ ଲଗାଇବା ଆରମ୍ଭ କରିବା ସହିତ ଖାଇ ଓ ବନ୍ଧ ମାନ ନିର୍ମାଣ କଲେ ଯାହା କି ବର୍ଷା ଜଳ ସ୍ରୋତର ଗତିକୁ ରୋକିବାରେ ସହାୟକ ହେଲା। ଏହା ଫଳରେ ମୃତ୍ତିକା ସଂରକ୍ଷଣ ହେବା ସହିତ ମାଟିର ଆର୍ଦ୍ରତା ବୃଦ୍ଧି ପାଇ ଭୂତଳ ଜଳସ୍ତରର ବୃଦ୍ଧି ମଧ୍ୟ ଘଟିଲା। ଦୁଇ ବର୍ଷ ମଧ୍ୟରେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଶୁଖିଲା କୂଅଗୁଡ଼ିକରେ ଜଳ ସଂଚାର ହେବାକୁ ଲାଗିଲା। ଏ ସବୁ ଦେଖିଲା ପରେ ଆମେ ଏ ପ୍ରକଳ୍ପର ଉପକାରିତାକୁ ବୁଝିପାରିଲୁ" କହନ୍ତି ୫୮ବର୍ଷ ବୟସ୍କ ବିଷ୍ଣୁ ବାପୁରାଓ ଯାହାଙ୍କର ବାର୍ଷିକ ଆୟ ବର୍ତ୍ତମାନ ୧୦ ଲକ୍ଷ ଟଙ୍କା।

ଜଳାଭାବ ଦୂର ହେଲାପରେ ଚାଷୀମାନେ ଧାନ ଓ ଗହମ ବ୍ୟତୀତ ଅଙ୍ଗୁର ଚାଷ ଆରମ୍ଭ କଲେ। ଏଥିପାଇଁ ଆବଶ୍ୟକ ହେଲା ବୁନ୍ଦା ଜଳସେଚନ ଆଉ ସେଥିଲାଗି ଚାଷୀମାନେ ଖମାର ଜଳାଶୟ ନିର୍ମାଣ କଲେ। ଏଗୁଡ଼ିକ ହେଲା ଛୋଟ ପୋଖରୀସବୁ ଯାହାକୁ ଚାଷୀମାନେ ବ୍ୟାଙ୍କରୁ ଋଣ ନେଇ ନିଜେ ଖୋଳିଲେ। ଏହି ପୋଖରୀ ଗୁଡ଼ିକ ବର୍ଷାଜଳ ସଞ୍ଚୟ କଲେ ଏବଂ ବର୍ଷ ସାରା ଜଳ ଯୋଗାଇପାରିଲେ। ୨୦୧୫ ସୁଦ୍ଧା କାଦୱାଞ୍ଚି ଗାଁରେ ୩୫୭ଟି ଏପରି ପୋଖରୀ ଥିଲା। ଅଙ୍ଗୁର ଚାଷ ଓ ପୋଖରୀ ନିର୍ମାଣ କରିବା ପାଇଁ ଚାଷୀଙ୍କୁ ତାଲିମ ପ୍ରଦାନ କଲା ଜଲନାର କୃଷି ବିଜ୍ଞାନ କେନ୍ଦ୍ର ଏବଂ ଏହାର ସଫଳ ରୂପାୟନ ପାଇଁ ମଧ୍ୟ ନିଘା ରଖିଲା। ଅଙ୍ଗୁରଚାଷ ଚାଷୀମାନଙ୍କର ଆୟକୁ ଆଖିଦୃଶିଆ ଭାବେ ବଢ଼ାଇ ପାରିଲା। କେନ୍ଦ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ପ୍ରତିଷ୍ଠାନର ୨୦୧୨ ସର୍ଭେ ଅନୁସାରେ ଏଇ ଗାଁର ଚାଷୀମାନଙ୍କର ୧୯୯୬ରେ ଥିବା ହାରାହାରି ଆୟ ୪୦,୦୦୦ ଟଙ୍କାରୁ ବଢ଼ି ୨୦୧୨ରେ ହୋଇଥିଲା ୩.୨୧ ଲକ୍ଷ - ଯାହାକି ଯୋଗ କରିଥିଲା ଶତକଡ଼ା ୭୦୦ ପ୍ରତିଶତ ବୃଦ୍ଧି। କାଦୱାଞ୍ଚି ଗାଁର ଚାଷୀମାନଙ୍କର ଆୟ ଜାତୀୟ ହାରାହାରି ଆୟର ଚାରିଗୁଣ। 

image


"କାଦୱାଞ୍ଚି ପ୍ରକଳ୍ପଟି ସଫଳ ହୋଇଥିଲା କାରଣ କାର୍ଯ୍ୟକ୍ରମଗୁଡ଼ିକୁ ସମଗ୍ର ଗୋଷ୍ଠୀ ଆପଣେଇଥିଲା" ବୋଲି କହନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପଣ୍ଡିତ ୱାସରେ "ସେଇଥି ପାଇଁ ତ ଯୋଜନାର ୧୫ବର୍ଷ ପରେ ବି ଢାଞ୍ଚା ଗୁଡ଼ିକ ଅତୁଟ ରହିଛି"।
PC : Down to Earth

PC : Down to Earth


ଏଥର ଆସିବା ବୁନ୍ଦେଲଖଣ୍ଡ ଅଞ୍ଚଳକୁ।ଏଠାରେ ଏପରି କିଛି ଗାଁ ଅଛି ଯେଉଁଠି ଚାଷୀମାନେ କ୍ରମାଗତ ମରୁଡ଼ିର ମୁକାବିଲା କରିପାରିଛନ୍ତି ଜଳ ଅମଳ ଓ ଜୈବ କୃଷି ଦ୍ଵାରା। ଛଅ ବର୍ଷ ପୂର୍ବେ ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ମଝୌତ ଗାଁର ୩୬ବର୍ଷ ବୟସ୍କ ନାମମାତ୍ର ଚାଷୀ ହଳଦିନ ପଟେଲକୁ ତା'ର ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷିବାଲାଗି ନାକେଦମ ହେବାକୁ ପଡୁଥିଲା । ତା'ର ବାର୍ଷିକ ଆୟ ଥିଲା ମାତ୍ର ୧୦,୦୦୦ ଟଙ୍କା। ବର୍ଷର ଅଧା ସମୟ ତାକୁ ଦିଲ୍ଲୀ ଓ ଜାମୁରେ ମୂଲ ଲାଗିବାକୁ ପଡ଼ୁଥିଲା। ଚାଷଜମିର କିଛି ଅଂଶ ସେ ଭାଗଚାଷୀଙ୍କୁ ଲଗାଉଥିଲା।ତା'ର ଏକ ହେକ୍ଟର ଜମିରେ ଚାଷ ଖର୍ଚ୍ଚର ଅଧା ଚାଲିଯାଉଥିଲା କେମିକାଲ ସାରରେ। ପରିବର୍ତ୍ତନ ଆସିଲା ଯେତେବେଳେ ୨୦୧୧ରେ ସେମାନେ ଗୋବର,ଗାଈମୂତ, ନିମ୍ବ ପତ୍ର ଇତ୍ୟାଦିରେ ଜୈବ ସାର ପ୍ରସ୍ତୁତ କରିବା ଆରମ୍ଭ କାଲେ। ହରିତ ପ୍ରୟାସ ନାମକ ଏକ ସଂଗଠନ ସେମାନଙ୍କୁ ଏ ଦିଗରେ ପ୍ରେରିତ କରି ତାଲିମ ମଧ୍ୟ ଦେଲା। ଆଜି ହଳଦିନର ଉତ୍ପାଦନ ଖର୍ଚ୍ଚ ୫୦୦୦ ଟଙ୍କାରୁ କମିଛି ଏବଂ ଆୟ ୩୦,୦୦୦ ଟଙ୍କାରୁ ବଢ଼ିଛି। ହଳଦିନର ଉଦାହରଣରେ ମଝୌତ ଗାଁର ଅନେକ କ୍ଷୁଦ୍ର ଚାଷୀ ପ୍ରଭାବିତ ହୋଇ ଜୈବ ଚାଷକୁ ଆପଣେଇଲେ ଏବଂ ନିଜର ଆୟ ବଢ଼ାଇପାରିଲେ। ଏହାର ପ୍ରଭାବ ପାଖ ଆଖ ଗାଁ ଗୁଡ଼ିକରେ ମଧ୍ୟ ପଡ଼ିଲା। ୧୩କିମି ଦୂରରେ ଥିବା ଏକ ଆଦିବାସୀ ଗାଁରେ ଚାଷ ଏକ ଲୋକସାନମୂଳକ ଧନ୍ଦାରେ ପରିଣତ ହୋଇଥିଲା। ଚାଷୀମାନେ ଯାଇ ଝାନ୍ସି ଓ ଆଖପାଖ ସହରରେ ମଜୁରି ଖଟୁଥିଲେ। ତିନିବର୍ଷ ପୂର୍ବେ ଗାଁରେ ଖାଁ ଖାଁ ଗୋଡ଼ାଉଥିଲା ଯେତେବେଳେ ହଳଦିନ ଓ ହରିତ ପ୍ରୟାସର କର୍ମୀମାନେ ଚାଷୀମାନଙ୍କୁ ଜୈବ ଚାଷର ଉପକାର ବିଷୟରେବୁଝାଇବାକୁ ଯାଇଥିଲେ। ତା'ପରେ କରୋଣ୍ଡିଆ ଗାଁର ମୋହନ ମାଝି ପରି ଅନେକ ଚାଷୀ ଆଉ ଗାଁ ଛାଡ଼ି ନ ଯାଇ ଗାଈବଳଦ ପାଳି ନିଜର ଖତ ପ୍ରସ୍ତୁତ କରି ଜୈବ ଚାଷକୁ ଆପଣେଇଛନ୍ତି ଏବଂ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

image


କର୍ଣ୍ଣାଟକର ନଇକାହ୍ନାଲ୍ଲୀ ଗାଁର ୫୮ ବର୍ଷୀୟ ଆନନ୍ଦାପ୍ପା ତାଙ୍କର ଦୁଇ ହେକ୍ଟର ଚାଷଜମିରେ ଗତ ଦୁଇ ଦଶନ୍ଧି ମଧ୍ୟରେ ୧୧ଟି ବୋରୱେଲ ଖନନ କରି ବିଫଳ ହେଲାପରେ ଆତ୍ମହତ୍ୟା କରିବେ ବୋଲି ଭାବିଥିଲେ। ୨୦୦୮ ରେ ତାଙ୍କ ଉପରେ ଥିଲା ଋଣ ର ବିଶାଳ ବୋଝ। କିନ୍ତୁ ତାଙ୍କର ବନ୍ଧୁ ମାଲେଶପ୍ପା ତାଙ୍କ ଜୀବନର ଗତିପଥ ବଦଳାଇଦେଲେ। ସେ ତାଙ୍କୁ ରିଚାର୍ଜ ବୋରୱେଲ ଦ୍ଵାରା ଭୂତଳ ଜଳବାହିକା ସ୍ତରର ପୋଷଣ ବିଷୟରେ ଶିକ୍ଷା ଦେଲେ। ସେ ତାଙ୍କର ଦ୍ଵାଦଶତମ ବୋରୱେଲ ଖୋଳି ତା ଦ୍ଵାରା ଭୁପୃଷ୍ଠ ଉପରିଭାଗ ଜଳକୁ ନେଇ ତାଙ୍କ ଜମିର ଭୂତଳ ଜଳବାହିକା ସ୍ତରକୁ ପୁଷ୍ଟ କରି ସଫଳତା ଲାଭ କଲେ। ଏବେ ସେ ବର୍ଷ ସାରା ଚାଷ ପାଇଁ ଜଳ ପାଇ ପାରୁଛନ୍ତି।ଏହି ରିଚାର୍ଜ ବୋରୱେଲ ଟେକନୋଲୋଜି ଦ୍ଵାରା ଜଳସମ୍ପଦରେ ଆତ୍ମନିର୍ଭର ଆନନ୍ଦାପ୍ପା ନଡ଼ିଆ,ଚିନାବାଦାମ ଓ ଅନ୍ୟାନ୍ୟ ଫସଲ କରି ତାଙ୍କର ଆୟକୁ ୧ ଲକ୍ଷରୁ ୮ ଲକ୍ଷକୁ ବଢ଼ାଇପାରିଛନ୍ତି।

ନାବାର୍ଡ ର ୨୦୧୪-୧୫ ଆକଳନ ଅନୁଯାୟୀ ରାଜସ୍ଥାନ ପରେ କର୍ଣ୍ଣାଟକ ହେଉଛି ଦେଶର ସବୁଠାରୁ ବେଶୀ ମରୁଡି ପ୍ରପୀଡିତ ରାଜ୍ୟ।କେବଳ ୨୦୧୫ରେ ଏ ରାଜ୍ୟରେ ୧୦୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏହାର ସମଗ୍ର କ୍ଷେତ୍ରଫଳର ଶତକଡ଼ା ୬୩ ଭାଗରୁ ୭୨ ଭାଗ ମରୁଡିପ୍ରବଣ ବୋଲି ନାବାର୍ଡ ରିପୋର୍ଟ ସୂଚାଏ। ତେଣୁ ଭୂତଳ ଜଳବାହିକା ସ୍ତରର ପୋଷଣ ଓ ପୁଷ୍ଟି ସାଧନ କରି କର୍ଣ୍ଣାଟକରେ ମରୁଡ଼ିର ମୁକାବିଲା କରିହେବ। 

Add to
Shares
5
Comments
Share This
Add to
Shares
5
Comments
Share
Report an issue
Authors

Related Tags