EDITIONS
Odia

କାଶ୍ମୀର ପ୍ରସଙ୍ଗର ମାତ୍ରାଧିକ ସରଳୀକରଣ ସମାଧାନ ନୁହେଁ - ଆଶୁତୋଷ

Team Odia
23rd Feb 2017
Add to
Shares
0
Comments
Share This
Add to
Shares
0
Comments
Share

ନିକଟରେ ସେନାମୁଖ୍ୟ କାଶ୍ମୀରର ପଥର ନିକ୍ଷେପକାରୀ ମାନଙ୍କ ଉପରେ ଦେଇଥିବା ବକ୍ତବ୍ୟକୁ ଦୁଇଟି ଦୃଷ୍ଟିକୋଣରୁ ଦେଖିହେବ। ସେ କହିଛନ୍ତି ଯେ ସନ୍ତ୍ରାସବାଦୀମାନଙ୍କ ସହିତ ଯେପରି ବ୍ୟବହାର କରାଯାଏ ଏମାନଙ୍କ ସହିତ ବି ସେହିପରି କରାଯିବ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହା ସଶସ୍ତ୍ରବାହିନୀର ନୈତିକ ବଳ ବଢାଇବ, ଯେଉଁମାନେ କି ପ୍ରତିକୂଳ ପରସ୍ଥିତିରେ ସନ୍ତ୍ରାସବାଦର ମୁକାବିଲା କରୁଛନ୍ତି ଏବଂ ଗତ ଦୁଇ ବର୍ଷ ମଧ୍ୟରେ ସେନାର ମୃତାହତ ସଂଖ୍ୟା ଦ୍ଵିଗୁଣିତ ହୋଇଛି।

image


ଅନ୍ୟ ଦୃଷ୍ଟିରୁ ଦେଖିଲେ ଏହାକୁ ସେନାର ରଣନୀତିରେ ଏକ ପରିବର୍ତ୍ତନକୁ ସୂଚାଉଛି । ସେନା ଅନୁକମ୍ପା ପରିତ୍ୟାଗ କରି କଠୋର ରଣନୀତିକୁ ଆପଣେଇଛି। ବିଷୟଟି ଆହୁରି ଜଟିଳ ହେଉଛି ଯେତେବେଳେ ଟିଭି ଚାନେଲ ଗୁଡ଼ିକ ତାଙ୍କର ଚିରାଚରିତ ଦେଶପ୍ରେମ ଓ ଜାତୀୟତା ଚର୍ଚ୍ଚା ଜାରି ରଖନ୍ତି ଏବଂ ନେତାମାନେ ଏଥିରେ ମୁଣ୍ଡ ପୂରାନ୍ତି।

ଆମେ ସେନାକୁ ନେଇ ଗର୍ବ କରୁ। ଆମେ ସମସ୍ତେ ଜାଣୁ ଏହା ଦେଶର କି ପ୍ରକାର ସେବା କରିଥାଏ। ଆମେ ଶାନ୍ତିରେ ଶୋଇ ପାରୁ କାରଣ ସେମାନେ ସାରା ରାତି ଉଜାଗର ରହନ୍ତି ଏବଂ ଆମେ ନିଶ୍ଚିତ ରହୁ ଯେ କେହି ଜଣେ ଆମ ପାଇଁ ଲଢେଇ କରୁଛି। ତେଣୁ ସେନା ସହିତ ଜଡ଼ିତ ଯେ କୌଣସି ବକ୍ତବ୍ୟ ଅତ୍ୟନ୍ତ ସଂବେଦନଶୀଳ ଏବଂ ଏହାକୁ ଗୁରୁତ୍ୱର ସହିତ ବିଚାର କରିବାକୁ ହେବ। ସେନାମୁଖ୍ୟଙ୍କର ପୂର୍ଣ୍ଣ ଅଧିକାର ଅଛି ସେ ଦେଶ ପାଇଁ କ’ଣ ସର୍ବୋତ୍ତମ ଅନୁଭବ କରୁଛନ୍ତି କହିପାରିବେ କାରଣ ସେ ସନ୍ତ୍ରାସବାଦ ବିରୁଦ୍ଧରେ ଲଢ଼େଇ ଜାରି ରଖିଛନ୍ତି। କିନ୍ତୁ ସାମ୍ବାଦିକ ଓ ନେତାମାନଙ୍କର ଦାୟିତ୍ଵ ସେନାଠାରୁ ଭିନ୍ନ ।

ସେନା କାଶ୍ମୀର ପ୍ରସଙ୍ଗକୁ କଳାଧଳା ରଙ୍ଗରେ ଦେଖି ପାରିବ କିନ୍ତୁ ବୁଦ୍ଧିଜୀବି ଓ ନେତାମାନେ ସେପରି ଦେଖିଲେ ଚଳିବ ନାହିଁ କାରଣ ଏହି ପ୍ରସଙ୍ଗ ଅତ୍ୟନ୍ତ ସଂବେଦନଶୀଳ ଏବଂ ଗଭୀର ଭାବେ ଜଟିଳ । ଏଥିରେ ଅନେକ ଧୂସର ଇଲାକା ରହିଛି ଯାହାକୁ ବୁଝିବାକୁ ହେଲେ ଆମକୁ ଅତୀତକୁ ଯାଇ ଇତିହାସ ଅଧ୍ୟୟନ କରିବାକୁ ହେବ। ଦେଶ ବିଭାଜନ ଓ ସ୍ଵାଧୀନତା ପରେ ମଧ୍ୟ କାଶ୍ମୀର ଭାରତରେ ମିଶି ନଥିଲା। ଏହା ଏକ ସ୍ଵାଧୀନ ରାଷ୍ଟ୍ର ହେବାର ସ୍ଵପ୍ନ ଦେଖୁଥିଲା, କିନ୍ତୁ କାଶ୍ମୀର ପରି ଏକ ମୁସଲମାନ ବହୁଳ ରାଜ୍ୟର ମିଶ୍ରଣ ବିନା ପାକିସ୍ତାନ ଅସମ୍ପୂର୍ଣ୍ଣ ବୋଲି ପାକିସ୍ତାନୀ ନେତାମାନେ ଭାବୁଥିଲେ। ତା'ପରେ ପାକିସ୍ତାନ ସେନାର ସକ୍ରିୟ ପ୍ରୋତ୍ସାହନରେ ପାହାଡିଆ ବିଦ୍ରୋହୀମାନେ ୧୯୪୭ରେ ପାକିସ୍ତାନ ସେନାର ପ୍ରକ୍ସି ଭାବେ କାଶ୍ମୀର ଆକ୍ରମଣ କରନ୍ତି ଏବଂ ଅଗତ୍ୟା ଏହାର ଶାସକ ରାଜା ହରିସିଂହ ଭାରତରେ ମିଶିବା ପାଇଁ ଚୁକ୍ତି ସ୍ଵାକ୍ଷର କରନ୍ତି, ୩୭୦ ଧାରା ଅନୁସାରେ ଏହାର ସ୍ଵାତନ୍ତ୍ର୍ୟ ବଜାୟ ରହେ। ତା’ପରେ କାଶ୍ମୀରର ସର୍ବବୃହତ ରାଜନୈତିକ ଦଳ ନ୍ୟାସନାଲ କନଫରେନ୍ସର ନେତା ଶେଖ ଅବଦୁଲ୍ଲା ଓ ଭାରତ ସରକାର ମଧ୍ୟରେ ବିବାଦ ଏବଂ ଶେଖ ଅବଦୁଲ୍ଲା ଏକ ଦଶନ୍ଧି ଧରି ଜେଲ ବରଣ କରନ୍ତି। ସତୁରୀ ଦଶକରେ ବିବାଦର ସମାଧାନ ହୁଏ ଏବଂ ଶେଖ ଅବଦୁଲ୍ଲା ସରକାର ଗଠନ କରନ୍ତି। ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ଫାରୁକ ଅବଦୁଲ୍ଲା ସରକାର ଚଳାନ୍ତି କିନ୍ତୁ କଂଗ୍ରେସ ଦଳର ସହଯୋଗୀ ହୋଇ ଏକ ବଡ଼ ଭୁଲ କରନ୍ତି ଯାହା ଫଳରେ ଚରମପନ୍ଥୀ ମାନେ ବିରୋଧିର ଭୂମିକା ଗ୍ରହଣ କରନ୍ତି। ଆଉ ଏକ ବଡ଼ ଭୁଲ ହୁଏ ୧୯୮୭ରେ ଯେତେବେଳେ ନିର୍ବାଚନରେ ବ୍ୟାପକ ରିଗିଂ ହୁଏ ଏବଂ ମୁସଲିମ ୟୁନାଇଟେଡ ଫ୍ରଣ୍ଟକୁ ସରକାର ଗଠନ କରିବାରୁ ବଞ୍ଚିତ କରାଯାଏ। ଫଳରେ କାଶ୍ମୀର ଉପତ୍ୟକାରେ ଚରମପନ୍ଥୀ କାର୍ଯ୍ୟକଳାପ ବୃଦ୍ଧି ପାଏ। 

ଭିପି ସିଂହଙ୍କର ଜଗମୋହନଙ୍କୁ ରାଜ୍ୟପାଳ କରି ପଠାଇବା ନିଷ୍ପତ୍ତି ଏକ ମାରାତ୍ମକ ଭୁଲ ଥିଲା। ତାଙ୍କର ତ୍ରୁଟିପୂର୍ଣ୍ଣ ନୀତି କାଶ୍ମୀର ସଙ୍କଟକୁ ଏକ ସାମ୍ପ୍ରଦାୟିକ ରଙ୍ଗ ଦେଲା ଏବଂ ତା’ପରେ କାଶ୍ମୀର ଘାଟିରୁ କାଶ୍ମିରୀ ପଣ୍ଡିତ ମାନଙ୍କର ପଳାୟନ ଆଉ ଏକ ଦୁଃଖପୂର୍ଣ୍ଣ ଅଧ୍ୟାୟ । ତା’ପର ଠାରୁ କାଶ୍ମୀର ଜଳୁଛି। ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ରଙ୍ଗ ଦେବାପାଇଁ ସମସ୍ତ ଚେଷ୍ଟା କରିଛି। ଆମେରିକା କାଶ୍ମୀର ପ୍ରସଙ୍ଗକୁ ତା’ର ନ୍ୟସ୍ତ ସ୍ଵାର୍ଥପାଇଁ ବ୍ୟବହାର କରିବାକୁ ଚାହେଁ । ଇସଲାମିକ ଶକ୍ତିମାନେ କାଶ୍ମୀରକୁ ଏକ ବୃହତ୍ତର ଜେହାଦି ଏଜେଣ୍ଡା ସହିତ ଯୋଡ଼ିବା ଚାହାନ୍ତି। ଉଚ୍ଚାଭିଳାଷୀ କାଶ୍ମିରୀ ନେତାମାନେ କାଶ୍ମୀରକୁ ମୁକ୍ତ କରି ଏକ ସ୍ଵାଧୀନ ରାଷ୍ଟ୍ରର ନେତୃତ୍ଵ ନେବାକୁ ସ୍ଵପ୍ନ ଦେଖନ୍ତି । ବିଜେପି ଓ ଆରଏସଏସ ପାଇଁ କାଶ୍ମୀର ଏକ ସାମ୍ପ୍ରଦାୟିକ ଗୋଲକଧନ୍ଦା। ଏହି କ୍ରମରେ କାଶ୍ମୀର ବାସୀ ମାନେ ଦିନକୁ ଦିନ ନିରାଶ ଓ ବିଚ୍ଛିନ୍ନ ହୋଇପଡ଼ୁଛନ୍ତି। ସାଧାରଣ କାଶ୍ମୀରି ଜଣେ ସନ୍ତ୍ରାସବାଦୀ ଓ ନିରାପତ୍ତାରକ୍ଷୀଙ୍କ ମଧ୍ୟରେ ପେଷି ହୋଇ ଯାଉଛି, ଯଦି ସେ ବଞ୍ଚି ରହିବାକୁ ଚାହେଁ ତ ସେ କୌଣସି ପକ୍ଷଭୁକ୍ତ ହୋଇପାରିବନି। ଯଦି ସେନାର ସମର୍ଥନ କରିବ ତ କାଶ୍ମୀରିଙ୍କ ପାଇଁ ବିଶ୍ଵାସଘାତକ ହେବ ଯଦି ଜେହାଦୀମାନଙ୍କ ସହିତ ମିଶିବ ତାହା ହେଲେ ଦେଶବିରୋଧୀ ବୋଲି କୁହାଯିବ। ମାମଲାଟି ଆହୁରି ଜଟିଳ ହୋଇଛି ବିଜେପି ପିଡିପି ସହ ମିଶି ସରକାର ଗଠନ କରିବାରେ। କାରଣ ବିଜେପି ଦାବି କରୁଛି ୩୭୦ ଧାରାର ଉଚ୍ଛେଦ ଯାହାକି କାଶ୍ମୀରକୁ ଭାରତ ସରକାର ସହିତ ଯୋଡ଼େ। ଏପଟେ କାଶ୍ମୀରି “ଆୱାମ”ର ଉତ୍ସ ହେଉଛି ଧାରା ୩୭୦ ଏବଂ ଯଦି ବିଜେପି ରାଜ୍ୟ ସରକାରର ଅଂଶୀଦାର ତାହାହେଲେ ଖୋଦ ରାଜ୍ୟ ସରକାର କାଶ୍ମୀରି ଲୋକଙ୍କ ସନ୍ଦେହର ବଳୟରେ ଆସୁଛି। ସନ୍ଦେହ, ଅନିଶ୍ଚିତତା ଏବଂ ଅସୁରକ୍ଷା ଗଣଚେତନାରେ ଭରିଦେଇଛି ଘୋର ଉଦ୍ବିଗ୍ନତା ଯାହାକି ଅନ୍ୟ ପକ୍ଷରେ କାଶ୍ମୀରିମାନଙ୍କ ବିଚ୍ଛିନ୍ନତାକୁ ବଢ଼ାଇ ଚାଲିଛି।

ଶାନ୍ତି ରକ୍ଷା ଓ ସନ୍ତ୍ରାସବାଦର ମୁକାବିଲା ପାଇଁ ସେନାର ଉପସ୍ଥିତି ଜରୁରୀ। କିନ୍ତୁ ବୁଦ୍ଧିଜୀବୀ ଓ ରାଜନୀତିଜ୍ଞମାନେ କାଶ୍ମୀରକୁ କେବଳ ଏକ ଆଇନ ଶୃଙ୍ଖଳାର ବିଷୟ ବୋଲି ଭାବିବା ଉଚିତ ନୁହେଁ। ଟିଭି ଚ୍ୟାନେଲ ଓ ଅପରିପକ୍ଵ ଉଗ୍ର ଦେଶପ୍ରେମୀ ମାନେ ଜାତୀୟତାର ସ୍ଲୋଗାନ ଦେଇକାଲିଛନ୍ତି।କୌଣସି ଭିନ୍ନମତକୁ ଅଥବା ସ୍ଵାଧୀନ କାଶ୍ମୀରି ମତକୁ ଶୁଣିବାର ପରାମର୍ଶକୁ ଭାରତମାତା ପ୍ରତି ବିଶ୍ଵାସଘାତକତା ବୋଲି ଅଭିହିତ କରାଯାଉଛି।

କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏଥିରେ ଦ୍ଵିମତ ନାହିଁ, କିନ୍ତୁ ଏହା ସେତେଟା ସରଳ ନୁହେଁ ଯାହାକି ବର୍ତ୍ତମାନର ଶାସନ ଦର୍ଶାଉଛି। ଏହା ଉପଲବ୍ଧି କରିବା ଆବଶ୍ୟକ ଯେ ପ୍ରତିଟି କାଶ୍ମୀରି ସନ୍ତ୍ରାସବାଦୀ ନୁହେଁ ଅବା ପ୍ରତିଟି ପଥର ନିକ୍ଷେପକାରୀ ରାଷ୍ଟ୍ରର ଶତ୍ରୁ ନୁହେଁ। କାଶ୍ମୀର ପ୍ରସଙ୍ଗର ମାତ୍ରାଧିକ ସରଳୀକରଣ ଆଦୌ ସମାଧାନ ନୁହେଁ। କାଶ୍ମୀରି ଜନ ମାନସର କ୍ରୋଧକୁ ହୃଦୟଙ୍ଗମ କରି ତା’ର ସମାଧାନ ବାହାର କରିବା ଜରୁରୀ। କିନ୍ତୁ ଦୁର୍ଭାଗ୍ୟକୁ ଅଧିକାଂଶ ଟିଭି ଚ୍ୟାନେଲ ଏବଂ ତଥାକଥିତ ଦେଶପ୍ରେମୀ ବୁଦ୍ଧିଜୀବୀମାନେ ଆଖିଦୃଶିଆ ହେବାପାଇଁ ବେଶୀ ଆଗ୍ରହୀ ଯାହାକି ଭାରତୀୟ ଜାତୀୟତାବାଦ ର ବେଶୀ କ୍ଷତି କରୁଛି। ଟିଭି ଚ୍ୟାନେଲ ମାନେ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଏପ୍ରକାର ଉତ୍ତେଜନାପୂର୍ଣ୍ଣ ଜାତୀୟତାବାଦ ତର୍କ ରୁ କିଛି ସମୟ ପାଇଁ ବିରତ ରହିବା ଉଚିତ କିନ୍ତୁ ତାହା ଶୀଘ୍ର ହେଲାପରି ଜଣାପଡ଼ୁନି।

ଲେଖକ ଆଶୁତୋଷ ଜଣେ ସାମ୍ବାଦିକ ଏବଂ AAPର ନେତା

[ Disclaimer : ଲେଖକଙ୍କର ମତାମତ ଏକାନ୍ତ ଭାବେ ତାଙ୍କର ବ୍ୟକ୍ତିଗତ ]

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags