ଓଡ଼ିଶାର ବଣ୍ଡା ଦମ୍ପତିଙ୍କୁ ମୋଦିଙ୍କ ନିମନ୍ତ୍ରଣ

ଓଡ଼ିଶାର ବଣ୍ଡା ଦମ୍ପତିଙ୍କୁ ମୋଦିଙ୍କ ନିମନ୍ତ୍ରଣ

Sunday January 17, 2016,

2 min Read

image


ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡା ଘାଟିରେ ରହୁଥିବା ଧବଲୁ ଶିଶା(୪୧) ଓ ତାଙ୍କ ପତ୍ନୀ ସମାରି(୪୬)ଙ୍କ ପାଇଁ ଜିଲ୍ଲା ସଦର ମହକୁମା ଆସିବା ଦୁରୁହ ବ୍ୟାପାର । ଜୀବନରେ କେବେ ବି ସେମାନେ ସହର ଦେଖିନାହାନ୍ତି । କିନ୍ତୁ ସେମାନଙ୍କୁ ଦିଲ୍ଲୀ ଯିବା ପାଇଁ ମିଳିଛି ସରକାରୀ ଡାକରା । ଆଉ ନିମନ୍ତ୍ରଣ ଦେଉଛନ୍ତି ସ୍ଵୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅତିଥି ଭାବରେ ଯୋଗ ଦେବେ ଏହି ବଣ୍ଡା ଦମ୍ପତି ।

ବାଣ୍ଡିଗୁଡ଼ାରୁ ନୂଆଦିଲ୍ଲୀ

ଦେଶର ଅନ୍ୟତମ ନିର୍ଦ୍ଧିଷ୍ଟ ସ୍ପର୍ଶକାତର ଜନଜାତି(ପିଭିଟିଜି) ହେଉଛନ୍ତି ବଣ୍ଡା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ପାହାଡ଼ି ଇଲାକାରେ ଅବସ୍ଥିିତ ବାଣ୍ଡିଗୁଡ଼ା ଗାଁ । ଆଉ ଏଇ ଗାଁରେ ରହନ୍ତି ଧବଲୁ ଓ ସମାରି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବା ସ୍ଵତନ୍ତ୍ର ନିମନ୍ତ୍ରଣ ମାଲକାନଗିରିର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ଏହି ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି । ଚଳିତ ଜାନୁଆରି ୨୨ ତାରିଖରେ ଏହି ଦମ୍ପତି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

image


ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅତିଥି

ବଣ୍ଡା ଜନଜାତିର ପ୍ରଥମ ଦମ୍ପତି ଭାବେ ଏଭଳି ବିରଳ ସମ୍ମାନ ଓ ସୁଯୋଗର ଅଧିକାରୀ ହୋଇଛନ୍ତି ଧବଲୁ ଓ ସମାରି । ସେମାନେ ଦିଲ୍ଲୀରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବା ସହ ଅନ୍ୟ ନେତୃବୃନ୍ଦଙ୍କୁ ମଧ୍ୟ ଭେଟିବେ ।

ନିମନ୍ତ୍ରଣ ପାଇବା ପରେ ପ୍ରତିକ୍ରିୟାରେ ଧବଲୁ କହିଛନ୍ତି,

ଏଭଳି ସୁଯୋଗ ପାଇ ଆମେ ଖୁସି । ଆମ ଜନଜାତିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆମେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଜଣାଇବୁ । ବିଶେଷ କରି ବଣ୍ଡାଘାଟିକୁ କିଭଳି ରାସ୍ତା ସଂଯୋଗ ହୋଇପାରିବ ସେଥିପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ।

କେବଳ ଏ ଦମ୍ପତି ନୁହନ୍ତି, ସାରା ବାଣ୍ଡିଗୁଡ଼ା ଗାଁ ଏ ଖବରରେ ଏବେ ଉତ୍ସାହିତ । ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ମିଳିବା ପରେ ଗ୍ରାମବାସୀ ନିଚଗୀତରେ ଉତ୍ସବ ପାଳନ କରିଛନ୍ତି ।

ବଣ୍ଡା ଜନଜାତି

ବିଶ୍ୱର ଅନ୍ୟତମ କ୍ରମଶଃ ସଙ୍କୁଚିତ ହୋଇଆସୁଥିବା ଆଦିମ ଜନଜାତି ମଧ୍ୟରୁ ବଣ୍ଡା ଅନ୍ୟତମ । ଏମାନେ କେବଳ ଓଡ଼ିଶାର ମାଲକାନଗିରିରେ ଦେଖାଯାଆନ୍ତି । ପାହାଡ଼ ତଳେ ସମତଳରେ ୧୭୦୦୦ ବଣ୍ଡା ରହୁଥିବା ବେଳେ ପାହାଡ଼ ଉପରେ ଦୁର୍ଗମ ଘାଟିରେ ୬୫୦୦ ଜଣ ବଣ୍ଡା ଅଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ଏହି ଜନଜାତିର ପ୍ରଥମ ପ୍ରାର୍ଥୀ ଭାବେ ଡମ୍ବରୁ ଶିଶା(୩୪) ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବଣ୍ଡା ଜନଜାତିରେ ମାତ୍ର ୮ ପ୍ରତିଶତ ହେଉଛନ୍ତି ସାକ୍ଷର ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।