ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ

ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ

Thursday May 05, 2016,

3 min Read

ସହରରେ କେଉଁଠି ଡଷ୍ଟବିନ୍ ଅଛି । ଆଉ ଶୌଚ ହେବାକୁ କେଉଁ ସ୍ଥାନରେ ଟଏଲେଟ୍ ଅଛି? ଏସବୁର ରାସ୍ତା ବତାଇଦେବ ମୋବାଇଲ୍ ଆପ । ରାଜଧାନୀର ଦୁଇ ଆଇଆଇଆଇଟି ଛାତ୍ର ଅବିନାଶ ଓ କମଲ୍ ଏଭଳି ଅଭିନବ ମୋବାଇଲ ଆପ ‘Where is the Dustbin’ ତିଆରି କରି ଦେଖାଇଛନ୍ତି । ଦୁହେଁ ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ଏଭଳି ସ୍ମାର୍ଟ ଆପସ୍ ପ୍ରସ୍ତୁତ କରିଛନ୍ତି । ଏହି ଆପସ୍ ସହରରେ ବିଭିନ୍ନ ସ୍ଥାନରେ ଥିବା ଡଷ୍ଟବିନ୍ ଦେଖାଇ ଦେଉଛି । ଖାଲି ଡଷ୍ଟବିନ୍ ନୁହେଁ ଆପଣ ଶୌଚ ହେବାକୁ ଚାହୁଁଥିଲେ ଆପ ଆପଣଙ୍କ ନିକଟତମ ସ୍ଥାନରେ କେଉଁଠି ଶୌଚାଳୟ ବା ପବ୍ଲିକ ଟଏଲେଟ୍ ଅଛି ତା କହି ଦେଉଛି ।

<b>ମୋବାଇଲ୍ ଆପସ୍ ର  Home Screen</b>

ମୋବାଇଲ୍ ଆପସ୍ ର  Home Screen


ଅବିନାଶ ଓ କମଲ୍ ଦୀର୍ଘ ଦିନ ଧରି ପ୍ରୟାସ କରିବା ପରେ ଏପରି ଅଭିନବ ମୋବାଇଲ୍ ଆପ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଏହି ଆପ ଡିଜାଇନ୍ ର ମୂଳ ଉଦ୍ଦେଶ୍ୟ ହେଉଛି, ଅନେକ ଲୋକ କେଉଁଠି ଡଷ୍ଟବିନ୍ ଅଛି, ତା ଜାଣିନାହାନ୍ତି । ଏଥିପାଇଁ ସେମାନେ ବାହାରେ ଅଳିଆ ଫିଙ୍ଗୁଛନ୍ତି। ପରିବେଶ ପ୍ରଦୂଷିତ ହେଉଛି । ଆହୁରି ମଧ୍ୟ ସହରର କେଉଁ ଜାଗାରେ ପବ୍ଲିକ୍ ଟଏଲେଟ୍ ଅଛି, ତାକୁ ଖୋଜିବାକୁ ନୟାନ୍ତ ହେଉଛନ୍ତି । ଏଭଳି ସମସ୍ୟା ସବୁକୁ ଦୂର କରିବାକୁ ଏହି ଆପ କାମ କରୁଛି ।

<b>ଡଷ୍ଟବିନ୍ ର ଦିଗ ଦେଖାଉଛି ଆପସ୍</b>

ଡଷ୍ଟବିନ୍ ର ଦିଗ ଦେଖାଉଛି ଆପସ୍


ଦୁଇ ସାଙ୍ଗ ମିଶି ଗତ କିଛି ଦିନ ତଳେ ଏହି ଆପସ୍ କୁ ପ୍ରସ୍ତୁତ କରି ଡାଉନଲୋଡ୍ ପାଇଁ ଇଣ୍ଟରନେଟ୍ ରେ ଛାଡିଛନ୍ତି । ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ରେ ଏବେ ଏହା ଉପଲବ୍ଧ । ଏହାକୁ ମାଗଣାରେ ଡାଉନଲୋଡ୍ କରି ହେଉଛି । ଏହି ଆପସ୍ କୁ ଡାଇନଲୋଡ୍ କରି ଇନଷ୍ଟଲ୍ କଲେ ଏହା ନାଁ, ଇ-ମେଲ୍ ଓ ପାସ୍ ୱାର୍ଡ ଭଳି ମାତ୍ର ଅଳ୍ପ କିଛି ତଥ୍ୟ ମାଗୁଛି । ତଥ୍ୟ ଦେଇ ଲଗ୍ ଇନ୍ କଲେ ଏହା ଆପଣଙ୍କ ଲୋକେସନ୍ ଦେଖାଇବ ସହ ପାଖରେ ଥିବା ଡଷ୍ଟବିନ୍ ଓ ଆପଣଙ୍କ ଲୋକେସନ୍ ଠାରୁ ଏହାର ଦୂରତା ଦେଖାଇ ଦେଉଛି ।

<b>ଡଷ୍ଟବିନ୍ ର ଲୋକେସନ୍ ତଥ୍ୟ</b>

ଡଷ୍ଟବିନ୍ ର ଲୋକେସନ୍ ତଥ୍ୟ


ସେହିପରି ଅନ୍ୟ ଏକ ଅପସନ୍ ରେ ପବ୍ଲିକ ଟଏଲେଟର ସ୍ଥାନ ଓ ନିଜ ଲୋକେସନ୍ ଠାରୁ ଏହାର ଦୂରତା ମଧ୍ୟ ସୂଚାଇ ଦେଉଛି । ଏହାବାଦ୍ ୟୁଜର ବା ବ୍ୟବହାରୀଙ୍କ ପାଇଁ ସଜେଷ୍ଟ୍ ବା ମତାମତ ଅପସନ୍ ରହିଛି । ଏଥିରେ ଯେଉଁ ଅଞ୍ଚଳର ଡଷ୍ଟବିନ୍ ର ତଥ୍ୟ ନାହିଁ ୟୁଜର ନିଜେ ଫଟୋ ଉଠାଇ ଏହାର ଫଟୋ ଅପଲୋଡ୍ କରିପାରିବେ । ମାତ୍ର ତିନି ମେଗା ବାଇଟ୍ ବିଶିଷ୍ଟ ଏହି ଆପ ରେ ଅନେକ ବୈଶିଷ୍ଟ୍ୟ(ଫିଚର୍) ରହିଛି । ରାଜଧାନୀର ବହୁ ଛକ, ଗଳି, କଲୋନୀ ଓ ବସ୍ତିରେ ଥିବା ଡଷ୍ଟବିନ୍ ର ଲୋକେସନ ଓ ସୂଚନା ଏହି ଆପସ୍ ରେ ରହିଛି । ଅବିନାଶ ଓ କମଲ ଦୁହେଁ ମିଶି ଏହି ଡଷ୍ଟବିନର ଫଟୋ ଓ ସୂଚନା ଆପ ରେ ଅପଲୋଡ୍ କରିଛନ୍ତି ।

ଆପ ଡିଜାଇନ୍ ବିଷୟରେ ଅବିନାଶ କୁହନ୍ତି, 

ଅନେକ ଲୋକେ ଭୁବନେଶ୍ୱରକୁ ନୂଆ କରି ଆସୁଛନ୍ତି । ସେମାନେ ଅଳିଆ ପକାଇବାକୁ ଚାହିଁଲେ, କେଉଁଠି ଡଷ୍ଟବିନ୍ ଅଛି ଜାଣିନାହାନ୍ତି । ଡଷ୍ଟବିନ୍ ନ ପାଇଲେ ଇଚ୍ଛା ନଥାଇ ମଧ୍ୟ ବାଧ୍ୟରେ ଖୋଲାରେ ଅଳିଆ ଫିଙ୍ଗୁଛନ୍ତି । ଫଳରେ ସହର ଦୂଷିତ ହେଉଛି । ଏହାଛଡା ଅନେକ ଲୋକେ ସହରରେ କେଉଁଠି ପବ୍ଲିକ ଟଏଲେଟ୍ ଅଛି ଜାଣନ୍ତିନି । ଏହାକୁ ଖୋଜି ପାଇବାରେ ଅସୁବିଧା ସାମ୍ନା କରନ୍ତି । ଏହାର ସମାଧାନ ପାଇଁ ଏହି ‘Where is the Dustbin’ ମୋବାଇଲ ଆପ ତିଆରି କରିବା ଚିନ୍ତା ମୁଣ୍ଡକୁ ଜୁଟିଲା । 

କେବଳ ସ୍ୱଚ୍ଛତା ଭଳି ମହତ୍ ଉଦ୍ଦେଶ୍ୟ ପାଇଁ ଦୁଇ ସାଙ୍ଗ ଚାକିରୀ ଛାଡି ଏହି ଆପ କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଲାଗି ପଡିଛନ୍ତି । ଏଥିପାଇଁ ସ୍କୁଟିରେ ବୁଲି ବୁଲି ଓ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଦୁହେଁ ବିଭିନ୍ନ ଜାଗାର ଡଷ୍ଟବିନ୍ ଓ ଟଏଲେଟ ବାବଦରେ ସୂଚନା ହାସଲ କରିଛନ୍ତି।

<b>ଆପସ୍ ର ଦୁଇ ପ୍ରତିଷ୍ଠାତା ଅବିନାଶ ଓ କମଲ୍</b>

ଆପସ୍ ର ଦୁଇ ପ୍ରତିଷ୍ଠାତା ଅବିନାଶ ଓ କମଲ୍


ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋରର୍ ଉପଲବ୍ଧ ହେବାର ୧୫ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଏହାକୁ ଡାଉନଲୋଡ କରି ସାରିଲେଣି । ଏହି ଆପ କୁ ଯେପରି ଅଧିକରୁ ଅଧିକ ଲୋକେ ବ୍ୟବହାର କରିବେ ସେଥିପାଇଁ ବିଏମସି ଏଥିରେ ସହଯୋଗ କରିବ ବୋଲି ଜଣାପଡିଛି । ଏ ନେଇ ଆପ ର ଦୁଇ ପ୍ରତିଷ୍ଠାତାଙ୍କ ସହ ବିଏମସି ର ଆଲୋଚନା ହୋଇଛି । ବିଏମସି ମେୟର ମଧ୍ୟ ଆପ କୁ ଦେଖି ପ୍ରଂଶସା କରିଛନ୍ତି । ଖାଲି ଭୁବନେଶ୍ୱର ନୁହେଁ କଟକ, ପୁରୀ, ରାଉରକେଲା ଓ ସମ୍ବଲପୁରରେ ମଧ୍ୟ ଏହି ଆପ କାର୍ଯ୍ୟକ୍ଷମ କରିବାକୁ କାମ ଚାଲିଛି । ଓଡିଶା ବାହାରେ ତାମିଲନାଡୁ ଓ ବାଙ୍ଗାଲୋରର ଲୋକଙ୍କ ବ୍ୟବହାର ପାଇଁ ଏହି ଆପ ଆଣିବାକୁ ଦୁହେଁ ପ୍ରୟାସ ଚଳାଇଛନ୍ତି । ଭବିଷ୍ୟତରେ ସେମାନେ ସରକାର ଓ ଅନ୍ୟ ଚାରିଟେବଲ୍ ଟ୍ରଷ୍ଟ ସହ ମିଶି ପୂରା ଦେଶରେ ଏହି ଆପ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରଖିଛନ୍ତି ।