EDITIONS
Odia

ଆଉ ଅନ୍ୟାୟ ସହିବେ ନାହିଁ ଦଳିତ ସମ୍ପ୍ରଦାୟ

ଲେଖନ୍ତି ଆଶୁତୋଷ

15th Aug 2016
Add to
Shares
3
Comments
Share This
Add to
Shares
3
Comments
Share

ମୋର ବୟସ ସେ ସମୟରେ ଅଳ୍ପ। ଆମେ ରହୁଥାଉ ମିର୍ଜାପୁର ରେ। ଏମିତି ଏକ ସହର ଯାହା ଦୁଇଟି ଐତିହାସିକ ସହର, ବନାରସ ଓ ଆଲାହାବାଦ ମଝିରେ ରୀତିମତ ସାଣ୍ଡୱିଚ। ମୋର ବାପା ଆୟକର ବିଭାଗରେ କାମ କରୁଥାନ୍ତି। ପ୍ରତିଦିନ ସନ୍ଧ୍ୟାରେ ତାଙ୍କ ପିଅନ ଘରକୁ ବୁଲି ଆସେ ଏବଂ ପ୍ରତ୍ୟେହ ତାକୁ ଚା’ ବିସ୍କୁଟ ଖାଇବାକୁ ଦିଆଯାଏ। କିନ୍ତୁ ଟିକେ ରୁହନ୍ତୁ। ତାକୁ ଆପ୍ୟାୟିତ କରିବାରେ ଥାଏ କିଛି ଅନ୍ତର। ଯେଉଁ କପ ପ୍ଳେଟରେ ତାକୁ ଖାଇବାକୁ ଦିଆଯାଏ ସେଗୁଡିକ ଅଲଗା ରଖାଯାଏ। ଆମେ ସାଧାରଣତଃ ଷ୍ଟିଲ ବାସନରେ ଖିଆପିଆ କରୁ କିନ୍ତୁ ତାକୁ ସବୁବେଳେ ଚୀନା ବାସନରେ ଖାଇବାକୁ ଦିଆଯାଏ ଓ ଧୋଇ ଅଲଗା ଭାବେ ରଖାଯାଏ। ମୁ ସେସବୁ ଦେଖୁଥିଲି କିନ୍ତୁ ଅଳ୍ପ ବୟସରେ ସେସବୁ ଥିଲା ମୋ ପରତରୁ ବାହାରେ। ହେଲେ ଦିନେ ମା ଙ୍କୁ ପଚାରିଲି ଏମିତି କାହିଁକି?

ମୋର ମା’ ଉତ୍ତରପ୍ରଦେଶର ଏକ ମଫସଲ ଗାଁର ଝିଅ ଯିଏ ଠିକ ଭାବେ ଲେଖାପଢା ଜାଣନ୍ତି ନାହିଁ, ଉତ୍ତର ଦେଲେ – ଆରେ ସେ ହରିଜନ ନା.... ମୁ ବିଶେଷ କିଛି ଭାବିଲି ନାହିଁ। କିନ୍ତୁ ଧୀରେ ଧୀରେ ବଡ ହେବା ସଙ୍ଗେ ସଙ୍ଗେ ଯେତେବେଳେ ଶିକ୍ଷାର ଖୋଲା ଆକାଶ ତଳେ ଠିଆ ହୋଇ ଶିଖିବା ଆରମ୍ଭ କଲି ସେତେବେଳେ ବୁଝା ପଡିଲା ସେଦିନର ମା’ ଙ୍କର ଉତ୍ତରର ମର୍ମ। ସେ ଆଉ କିଛି ନୁହେଁ ବରଂ ହଜାର ବର୍ଷ ପୁରୁଣା ଏକ ଧ୍ୟାନ ଧାରଣା ଓ ଏକ ସାମାଜିକ ପ୍ରଥାର ସ୍ଵରରେ ସ୍ଵର ମିଳାଇ ମା’ କହିଥିଲେ। ଯାହାର ନାଁ ହେଲା ଅସ୍ପୃଶ୍ୟତା। ଆଉ ଏକ କଥା ବି ମୋର ସ୍ମରଣ ଅଛି ଯେ ସେ ପିଅନଟି ଯଦିଓ ଆମକୁ ଢେର ସ୍ନେହ କରୁଥିଲା କିନ୍ତୁ ଆମର ବାସନକୁସନ କି ଖାଦ୍ୟପେୟ ସ୍ପର୍ଶ ନ କରି ନିଜେ ଖାଇଥିବା ବାସନଟି ଧୋଇଧାଇ ବାହାର ପିଣ୍ଡାରେ ଉଗୁଡେଇ ଦେଇ ଯାଉଥିଲା।

କିନ୍ତୁ ସମୟର ସଙ୍ଗେ ସଙ୍ଗେ ମୁ ବଡ ହେଇଛି, ତା’ ସହ ବନ୍ଧୁଙ୍କର ପରିଧି ବଢିଛି, ସମାଜର ବିଭିନ୍ନ ପ୍ରାନ୍ତରୁ ମୋର ନାଧୁ ସବୁ ଘରକୁ ଆସିଛନ୍ତି, ମା’ ଙ୍କୁ ଏତେ ଖିଆଲ କରିବାର ଫୁରସତ ହେଇନି ଯେ କିଏ ଉଚ୍ଚ ଜାତି ବା ନିଚ ଜାତିର ଅବା କିଏ ମୁସଲମାନ। ମା’ ଯେତେବେଳେ ଜାଣିପାରୁଥିଲେ ମଧ୍ୟ କୌଣସି ପ୍ରକାରେ ପ୍ରତିକ୍ରିୟା କରିନାହାନ୍ତି। ସହଜ ଭାବେ ସେମାନଙ୍କୁ ଗ୍ରହଣ କରିଛନ୍ତି। ଏଇ କାହାଣୀ କହିବାର ମର୍ମ ହେଲା ଅସ୍ପୃଶ୍ୟତା ସମାଜର ଅନେକ ବର୍ଗ ବିନା କୌଣସି ପ୍ରଶ୍ନରେ ମାନିଚାଲିଥିଲେ। ଜାତି ବର୍ଣ୍ଣର ଲକ୍ଷ୍ମଣ ରେଖା କେହି ପାର କରିବାକୁ ଚାହୁଁନଥିଲେ। କିନ୍ତୁ ସମୟ କ୍ରମେ ସମାଜର ବିକାଶ ସହ କିଛି ଲୋକଙ୍କ ମନରୁ ଏହି କାଠିନ୍ୟ ଦୂର ହେଇଛି। ଅଳ୍ପ ଅଳ୍ପ କରି ଉଦାର ହେଇଛନ୍ତି ଅନେକେ।

ମୋ ମା’ ଙ୍କ ମଧ୍ୟରେ ପରିବର୍ତନ ଆସିଛି। ନିହାତି ସାଧାରଣ ଓ ସରଳ ପ୍ରକୃତିର ଥିଲେ ସେ। କିଛିଟା ବୋକା ମଧ୍ୟ କହିପାରିବେ। ବାପା ମଧ୍ୟ କିଛି ସେହି ପ୍ରକାରର। ବାପା ଥିଲେ ସେଯୁଗରେ ଜଣେ ଗ୍ରାଜୁଏଟ ଓ ସରକାରୀ ଚାକିରିଆ। ଉଦାରପନ୍ଥୀ ଭାବଧାରା ଥିଲା। କିନ୍ତୁ ମା’ ଙ୍କର ଜୀବନଯାତ୍ରାର ଶୈଳୀ ସମ୍ପର୍କରେ କେବେ ନିଜର ନାକ ପୁରାନ୍ତିନାହିଁ। ଦୁହେଁ ମୋର ବନ୍ଧୁ ମାନଙ୍କର ଜାତି ବର୍ଣ୍ଣ ନେଇ କେବେ କୌଣସି ଉଦ୍ବିଗ୍ନତା ଦେଖାଇନାହାନ୍ତି। କିନ୍ତୁ ଦୁହେଁ ଏବେ ମଧ୍ୟ ବଡି ସକାଳୁ ଉଠି ଗାଧୋଇପାଧୋଇ ପୂଜା ନିଶ୍ଚେ କରନ୍ତି ଓ ତା’ ପରେ ଯାଇ ଖାଆନ୍ତି। ବିଶେଷ କିଛି ପୂଜା ଦିନ ଦୁହେଁ ଓପାସ ମଧ୍ୟ କରନ୍ତି। ଏହି ସବୁ ମଧ୍ୟରେ ଆମ ପାଇଁ କିଛି ଶିକ୍ଷା ଅଛି କି? ହଁ, ଆମେ ନିଶ୍ଚୟ ହିନ୍ଦୁ!! ମୋର ବାପା ମା’ ହିନ୍ଦୁ ଓ ଧର୍ମପ୍ରାଣ। କିନ୍ତୁ ସେମାନେ ଧର୍ମାନ୍ଧ ନୁହେଁ। ସେମାନେ ନିଜ ଧର୍ମକୁ ସମ୍ମାନ ଦେବା ସହ ନିଜକୁ ଉନ୍ନତ ଓ ଉଦାର କରିପାରିଛନ୍ତି। ଜୀବନ ସହିତ ପ୍ରଗତିର ପଥେ ଆଗେଇପାରିଛନ୍ତି। ତାଙ୍କଠାରୁ ଉଦାରତା ଶିଖିଛି ମୁ। ଯଦି ସେମାନେ ମୋତେ ଅନ୍ଧ ଭାବେ ଧର୍ମର ନାମରେ ସେଇ ରୁଢିବାଦୀ ପ୍ରଥାକୁ ମାନିନେବାକୁ କହିଥାନ୍ତେ ତାହେଲେ ଯେ ମୋର କଣ ହେଇଥାନ୍ତା, ତା ଭାବିଲେ ଦେହ ଶିହରି ଉଠେ।

ଗତ ମାସ ମନ ଖୁବ ଖରାପ ଥିଲା। ବିଶେଷ କରି ଏକ ଗୋରକ୍ଷକ ଦଳଙ୍କ ହାତରେ ଦଳିତଙ୍କର ମାଡ ଖାଇବାର ଛବି ଦେଖି। ମନେ ପଡିଗଲା ଛୋଟବେଳର କଥା ସବୁ। ମୋର ବିଶ୍ଵାସ ଗୋରକ୍ଷକଙ୍କର ଏହି ଜଘନ୍ୟ ଅପରାଧ ଦୀର୍ଘଦିନ ଧରି ତାଙ୍କର ମନ ଭିତରେ ପ୍ରଥିତ କୁ-ଶିକ୍ଷାର, ପକ୍ଷପାତିତାର, ହିଂସାର, ବିକାରଗ୍ରସ୍ତତାର ଏ ରକମ ବିଷୋଦଗାର ଯେ ସେମାନେ ଜଣେ ଦଳିତକୁ ସାଧାରଣ ମଣିଷ ଭାବେ ମଧ୍ୟ ସମ୍ମାନ ଦେଇପାରୁନାହାନ୍ତି। ମୁ କୌଣସିମତେ ମଧ୍ୟ ଏହା ମାନିପାରିବି ନାହିଁ ଯେ ଏହି ଘଟଣା କେବଳ ମାତ୍ର ଗୋରକ୍ଷା ନେଇ ଅତି ଏକ ଉତ୍ସାହର ଫଳ। ଯଦି ତାହା ହେଇଥାନ୍ତା ତେବେ ରାସ୍ତାଘାଟରେ, ହାଇୱେରେ ଅନେକ ଗୋରୁ ଗାଇ ବସ ଟ୍ରକ ଆଗରେ ଚାପି ହେଇ ଜୀବନ ଦେଉଛନ୍ତି ତା’ର ପ୍ରତିବାଦ ହୁଅନ୍ତା। ବରଂ ଏହି ଧରଣର ଦୁର୍ଘଟଣା ବନ୍ଦ କରିବା ପାଇଁ ଉଦ୍ୟମ ହୁଅନ୍ତା। ଆହତ ଗୋରୁଙ୍କର ଚିକିତ୍ସା ବନ୍ଦୋବସ୍ତ ହୁଅନ୍ତା। ମୋଦୀ ସରକାରଙ୍କ ପାଖରେ ସାରା ଦେଶରେ ଗୋମାଂସ ବିକ୍ରି ବନ୍ଦ କରିବାର ଅର୍ଜି ଜଣାନ୍ତେ। ସେମାନେ ଏହି ସତ୍ୟ ଜାଣି ବିରକ୍ତ ହୁଅନ୍ତେ ଯେ ମୋଦୀ ସରକାରଙ୍କ ସମୟରେ ହିଁ ଭାରତ ଗୋ-ମାଂସ ରପ୍ତାନୀରେ ବିଶ୍ଵରେ ଅଗ୍ରଣୀ ସ୍ଥାନରେ ପହଞ୍ଚିଛି। କିନ୍ତୁ ଏସବୁ ନେଇ କେଉଁ ଗୋରକ୍ଷକ ଦଳଙ୍କ ମୁହଁରେ ଏକ ମାତ୍ର ଶବ୍ଦ ନାହିଁ।

ଚାଲନ୍ତୁ ଏଇଟା ଏଥର ମାନିନେବା ଯେ ଅସ୍ପୃଶ୍ୟତା ଭାରତୀୟ ସମାଜର ଏକ କଳଙ୍କିତ ପ୍ରଥା ଯାହା ହଜାର ହଜାର ବର୍ଷ ଧରି ଚାଲିଆସିଛି। ସୁଦୀର୍ଘ ସମୟ ଧରି ଦଳିତଙ୍କ ସାଙ୍ଗେ ଏପରି ଅମାନବୀୟ ଆଚରଣ ଚାଲି ଆସୁଛି। ସେମାନଙ୍କର ଯେ କିଛି ମାନବୀୟ ଅଧିକାର ଅଛି ଏହା କେବେ ମଧ୍ୟ ସ୍ଵୀକାର କରାଯାଇନାହିଁ। ସେମାନେ ସର୍ବଦା ସମାଜର ବାହାରେ ଓ କେବେ ମଧ୍ୟ ସମାନତା ସହ ବ୍ୟବହାର କରାଯାଇନାହିଁ ତାଙ୍କ ସହ। ଏହା ପଶ୍ଚିମ ଦୁନିଆର ଦାସତ୍ଵ ପ୍ରଥା ସହ ସମତୁଲ୍ୟ। କେବଳ ମାତ୍ର ଗୋଟିଏ ପାର୍ଥକ୍ୟ। ଯାହା ସଙ୍ଗେ ଏ ଅସ୍ପୃଶ୍ୟତା ହେଉଛି ଓ ଯେଉଁମାନେ କରୁଛନ୍ତି, ଦୁହେଁ ଧର୍ମର ଦ୍ଵାହି ଦେଇ ଏଭଳି ଆଚରଣକୁ ମାନି ନେଇଛନ୍ତି। କର୍ମଫଳ, ପୂର୍ବଜନ୍ମର ସୁକୃତିର ବିଶ୍ଵାସ ଦେଇ ଏହି ବ୍ୟବସ୍ଥାର ମୂଳଦୁଆ ତିଆରି। ଏଇ ଜନ୍ମରେ ଭଲ କର୍ମ କଲେ ପର ଜନ୍ମରେ ବ୍ରାହ୍ମଣ ହେବାର ସୁଯୋଗ ପାଇବେ ଏପ୍ରକାର ବିଶ୍ଵାସ ନେଇ ବଞ୍ଚିଥାନ୍ତି କିଛି ଲୋକ। ଏହି ଜନ୍ମରେ ନର୍କ ଭଳି ଜୀବନ ବଞ୍ଚିବା ଛଡା କିଛି ଅନ୍ୟ ଉପାୟ ନାହିଁ।

କଲମର ଏକ ଗାରରେ ଭାରତୀୟ ସମ୍ବିଧାନ ଅସ୍ପୃଶ୍ୟତା ଏବଂ ଅସାମ୍ୟକୁ ଲିଭେଇ ଦେଇଛନ୍ତି। ଆଇନ ଆଖିରେ ସଭିଏଁ ସମାନ। ଉଚ୍ଚବର୍ଣ୍ଣର ମଣିଷର ଅଧିକାର ଓ ଦଳିତଙ୍କର ଅଧିକାର ଉଭୟ ସମାନ। କିନ୍ତୁ ସମାଜ ଜାତିପାତିର ବିଚାର ନେଇ ଏଯାବତ ଶତଧା ବିଭକ୍ତ। ହଜାର ହଜାର ବର୍ଷର କୁସଂସ୍କାର ରାତାରାତି ତ ଆଉ ବଦଳି ପାରିବ ନାହିଁ । କିନ୍ତୁ ସମ୍ବିଧାନ ଦ୍ଵାରା ଘୋଷିତ ସାମ୍ୟର ବାଣୀ ଦଳିତଙ୍କ ମନରେ ଆଣିଛି ବିପ୍ଲବ। ସେମାନେ ବର୍ତମାନ ବେଶ ଗଠନମୂଳକ। ନିଜର ସାମାଜିକ ଅଧିକାରର ଦାବୀ କରିବା ପାଇଁ ସାହସ ରଖୁଛନ୍ତି। ସମ୍ମାନ ପାଇଁ ଲଢେଇ କରୁଛନ୍ତି। ଯାହା ବି ସେମାନେ ପାଉଛନ୍ତି ତା’ କେବଳ ସମ୍ବିଧାନର ହାତ ଧରି, କିନ୍ତୁ ସମାଜର ଏକ ଶ୍ରେଣୀର ଲୋକଙ୍କର ଘୋର ଆପତ୍ତି। ଏବଂ ଏଇ ସଙ୍ଘାତରୁ ସୃଷ୍ଟି ହେଇଛି ସଂଘର୍ଷ। ଐତିହାସିକ ଭାବେ ଦଳିତ ମାନଙ୍କୁ ସମାଜରେ ତାଙ୍କର ସ୍ଥାନ ଚିହ୍ନେଇ ଦେବା ପାଇଁ, ସେଇ ହଜାର ବର୍ଷ ପୁରୁଣା ପ୍ରଥା ମନେ ପକାଇଦେବା ପାଇଁ ଉଚ୍ଚବର୍ଣ୍ଣର ଲୋକେ ଲାଗିପଡିଛନ୍ତି। ଏହିଭାବେ ସାମାଜିକ ପ୍ରଥାର ସାମନାରେ ତାଙ୍କରବେକ ଧରି ତାଙ୍କୁ ଆହୁରି ତଳକୁ କରିଦେବାର ପ୍ରଚେଷ୍ଟା ଚାଲିଛି। ସାମ୍ବିଧାନିକ କ୍ଷମତା ଓ ଗଣତାନ୍ତ୍ରିକ ଅଧିକାର ର ସାହାରା ପାଇ ଯେଉଁମାନେ ଧୀରେ ଧୀରେ ନିଜ ମୁଣ୍ଡ ଉଠେଇବାର ସ୍ପର୍ଦ୍ଧା କରୁଥିଲେ, ସେମାନଙ୍କୁ ପୁଣି ଭାଙ୍ଗି ଚୁରମାର କରୁଛି ଏହିଭଳି ପ୍ରତିହିଂସାର ଘଟଣାମାନ।

ମୋର ବାପା ମା’ ହଜାର ବର୍ଷର ଏହି ଧର୍ମୀୟ ପ୍ରଥାର ଶିକାର। କିନ୍ତୁ ସେ ବାସ୍ତବିକତାର ମୁହାଁମୁହିଁ ହେଇଛନ୍ତି, ପରିସ୍ଥିତି ବୁଝି ନିଜକୁ ସଂଶୋଧନ କରି ନେଇଛନ୍ତି। ବର୍ତମାନ ସେମାନେ ପରିବର୍ତ୍ତିତ ମଣିଷ। ସେମାନେ ଆଉ ଆଧୁନିକତାର ସଙ୍ଗେ ଲଢେଇ କରନ୍ତି ନାହିଁ। ବରଂ ଦୁଇ ହାତ ମେଲାଇ ତାଙ୍କୁ ଗ୍ରହଣ କରିନେଇଛନ୍ତି। କିନ୍ତୁ ଯେଉଁମାନେ ଦଳିତ ମାନଙ୍କୁ ମାରିପିଟି ସେଇ ପ୍ରାଚୀନ ଅମାନବୀୟ ପ୍ରଥାକୁ ବଞ୍ଚେଇ ରଖିବାକୁ ଚାହାନ୍ତି ସେମାନେ ଯେ ଦେଶକୁ ଉନ୍ନତି ପଥରୁ ହଟାଇ କୁସଂସ୍କାରର ଅନ୍ଧକାର ମଧ୍ୟରେ ବୁଡେଇ ଦେଉଛନ୍ତି ଏହା କିଏ ତାଙ୍କୁ ବୁଝାଇବ। ଏମାନେ ପରିବର୍ତ୍ତନର ବିରୋଧୀ ଓ ଆଧୁନିକତାର ଶତୃ। ଲଢେଇ ଯଦି ହେବ ତେବେ ଏମାନଙ୍କ ସଙ୍ଗେ ହେଉ ଓ ଅନ୍ଧକାର ଉପରେ ବିଜୟ ହେଉ। 

ଲେଖକ ଆଶୁତୋଷ ଜଣେ ସାମ୍ବାଦିକ ଓ AAP ନେତା

(Disclaimer: The views and opinions expressed in this article are those of the author and do not necessarily reflect the views of YourStory)

Add to
Shares
3
Comments
Share This
Add to
Shares
3
Comments
Share
Report an issue
Authors

Related Tags