EDITIONS
Odia

ଡଃ. ଭି: ଚକ୍ଷୁରୋଗୀଙ୍କ ତ୍ରାଣକର୍ତ୍ତା

ମୋତିଆବିନ୍ଦୁ ଭାରତ ପରି ଏକ ବିକାଶଶୀଳ ତଥା ଜନବହୁଳ ଦେଶରେ ଏକ ସାଧାରଣ ସମସ୍ୟା ଅନେକ ଲୋକ ଏବେ ମଧ୍ୟ ଆବଶ୍ୟକ ଚିକିତ୍ସା ଓ ସମ୍ବଳ ଅଭାବରୁ ନିଜର ଦୃଷ୍ଟି ଶକ୍ତି ହରାଉଛନ୍ତି ଏପରି ଗରିବ ଚକ୍ଷୁରୋଗୀଙ୍କ ସହାୟତା କରିଆସୁଛନ୍ତି ଡଃ ଭି ନାମରେ ପରିଚିତ ଗୋବିନ୍ଦାପ୍ପା ଭେଙ୍କଟସ୍ଵାମୀ ଓ ତାଙ୍କର ଅରବିନ୍ଦ ଚକ୍ଷୁ ଚିକିତ୍ସାଳୟ

19th Nov 2015
Add to
Shares
0
Comments
Share This
Add to
Shares
0
Comments
Share

ମୋତିଆବିନ୍ଦୁ ଭାରତ ପରି ଏକ ବିକାଶଶୀଳ ତଥା ଜନବହୁଳ ଦେଶରେ ଏକ ସାଧାରଣ ସମସ୍ୟା। ଅନେକ ଲୋକ ଏବେ ମଧ୍ୟ ଆବଶ୍ୟକ ଚିକିତ୍ସା ଓ ସମ୍ବଳ ଅଭାବରୁ ନିଜର ଦୃଷ୍ଟି ଶକ୍ତି ହରାଉଛନ୍ତି । ଏପରି ଗରିବ ଚକ୍ଷୁରୋଗୀଙ୍କ ସହାୟତା କରିଆସୁଛନ୍ତି ଡଃ ଭି ନାମରେ ପରିଚିତ ଗୋବିନ୍ଦାପ୍ପା ଭେଙ୍କଟସ୍ଵାମୀ ଓ ତାଙ୍କର ଅରବିନ୍ଦ ଚକ୍ଷୁ ଚିକିତ୍ସାଳୟ।

image


ଡଃ ଭି 1918ରେ ତାମିଲନାଡୁର ବାଦମଲାପୁରମ ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ। ଇଫାନାଇଟ୍ ଭିଜନ ନାମକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାଧ୍ୟମରେ ସେ ନିଜ ସଂଗ୍ରାମର କାହାଣୀ କହିଛନ୍ତି। ଏଥିରେ କହିଛନ୍ତି କିପରି ସେ ପିଲାବେଳେ ପ୍ରତିଦିନ ସ୍କୁଲକୁ ଯିବା ପୂର୍ବରୁ ଘରର ମଇଁଷିର ଯତ୍ନ ନେଉଥିଲେ। ପିଲାବେଳେ ସେ ଶୁଣିଥିଲେ ଯେ ଗାଁର ଜଣେ ନୂଆବୋହୂ ପ୍ରସବ କରିବାବେଳେ ମରିଯାଇଥିଲା। ଏହି ଘଟଣା ତାଙ୍କ ମନରେ ବିଶେଷ ପ୍ରଭାବ ପକାଇଥିଲା। ବଡ଼ ହେଲେ ଡାକ୍ତର ହୋଇ ଏପରି ଅକାଳମୃତ୍ୟୁ କବଳରୁ ଲୋକମାନଙ୍କୁ ବଞ୍ଚାଇବାକୁ ସେ ସଂକଳ୍ପ ନେଲେ। ସେ ଜଣେ ପ୍ରସୂତି ବିଶେଷଜ୍ଞ ଭାବେ ଡାକ୍ତରୀ ତାଲିମ ନେବା ପରେ ସେନାବାହିନୀରେ ଯୋଗଦେଲେ। କିନ୍ତୁ...ବିଧିର ବିଧାନ ଥିଲା ଅନ୍ୟପ୍ରକାରର। ଏକ ବିରଳ ପ୍ରକାରର ଆଣ୍ଠୁଗଣ୍ଠିରୋଗରେ ପୀଡିତ ହେବାପରେ ତାଙ୍କର ହାତ ଓ ପାଦ ଅଙ୍ଗୁଳିଗୁଡିକ ଅଚଳ ହୋଇଗଲା। ଅଗତ୍ୟା ତାଙ୍କୁ ସେନାବାହିନୀ ଚାକିରି ଛାଡିବାକୁ ପଡିଲା। ଯେଉଁଥିପାଇଁ ସେ ତାଲିମପାଇଥିଲେ ସେହି କାର୍ଯ୍ୟ ସେ କରିପାରିଲେ ନାହିଁ। କିନ୍ତୁ ହାର ମାନିବାକୁ ସେ ପ୍ରସ୍ତୁତ ନଥିଲେ। ଜଣେ ଚକ୍ଷୁ ବିଶେଷଜ୍ଞଭାବେ ସେ ପୁଣି ଥରେ ତାଲିମ ନେଲେ ଓ ମଦୁରାଇଠାରେ ନିଜର ସାରା କର୍ମମୟ ଜୀବନ ଜଣେ ଚକ୍ଷୁ ଶଲ୍ୟଚିକିତ୍ସକ ବା ଆଇ ସର୍ଜନ ଭାବେ ଅତିବାହିତ କଲେ। ଡଃ ଭି ଙ୍କୁ ଯେତେବେଳେ 58 ବର୍ଷ ବୟସ ହୋଇଥିଲା ନିୟମାନୁସାରେ ସରକାରୀ ଚାକିରିରୁ ଅବସର ନେବାପାଇଁ ତାଙ୍କୁ କୁହାଗଲା। ଅବସର ନେଇଥିଲେ ମଧ୍ୟ ବିଶ୍ରାମ ନେବାପାଇଁ ସେ ଚାହିଁନଥିଲେ। ଅନାବଶ୍ୟକ ଦୃଷ୍ଟିହୀନତା ବିରୁଦ୍ଧରେ ଲଢିବା ଲକ୍ଷ୍ୟରେ ଏକ ଏଗାର ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରିବା ପାଇଁ ସେ ନିଷ୍ପତ୍ତି ନେଲେ। ଭାରତରେ ବିଶ୍ଵର ସର୍ବାଧିକ ଦୃଷ୍ଟିହୀନ ଅଛନ୍ତି। ଏହି ସଂଖ୍ୟା ପ୍ରାୟ 12 ନିୟୁତ ବୋଲି 1977ରେ ଡଃ ଭି ଅଟକଳ କରିଥିଲେ ଓ ଏଗୁଡିକ ମଧ୍ୟରୁ 80 ପ୍ରତିଶତ ଦୃଷ୍ଟିହୀନତାକୁ ରୋକାଯାଇପାରିଥାନ୍ତା,କାରଣ ଏଗୁଡିକ ମୋତିଆବିନ୍ଦୁ ଯୋଗୁଁ ହୋଇଥିଲା। ଠିକ୍ ସମୟରେ ଚିହ୍ନଟ ଓ ଅସ୍ତ୍ରୋପଚାର ଦ୍ଵାରା ଏଥିରେ ଆକ୍ରାନ୍ତ ଲୋକମାନେ ସ୍ଵାଭାବିକ ଓ ନୀରୋଗ ଜୀବନଯାପନ କରିପାରିବେ। କିନ୍ତୁ ଗ୍ରାମୀଣ ଭାରତ ଯେଉଁଠାରେ ଅଧିକାଂଶ ମୋତିଆବିନ୍ଦୁ ରୋଗୀ ରହନ୍ତି,ସେଠାରେ ସବୁଠାରୁ ବଡ ପ୍ରତିବନ୍ଧକ ହେଲା ଦାରିଦ୍ର୍ୟ, ନିରକ୍ଷରତା ଓ ସୁଲଭ ମୂଲ୍ୟରେ ସ୍ଵାସ୍ଥ୍ୟସେବାର ଅଭାବ।

image


ଫାଷ୍ଟଫୁଡ କମ୍ପାନୀ ମାକଡୋନାଲ୍ଡସର ବିଜନେସ ମଡେଲକୁ ବେଶ ପ୍ରଶଂସା କରୁଥିଲେ। ଡଃ ଭି ନିଜର ଏହି ଚମତ୍କାର ବିଜନେସ ମଡେଲ ମାଧ୍ୟମରେ କମ୍ପାନୀ ବିଶ୍ଵବ୍ୟାପୀ ସୁନିୟୋଜିତ ଭାବରେ ଓ ଦକ୍ଷତାର ସହ କୋଟି କୋଟି ବର୍ଗର ବାଣ୍ଟି ପାରୁଥିଲା। ଯେତେବେଳେ ଅଧିକ ପରିମାଣରେ ଓ ଉଚ୍ଚ ଦକ୍ଷତାର ସହ କିଛି ଉତ୍ପାଦନ କରାଯାଏ ତାହାର ଉତ୍ପାଦନ ଖର୍ଚ୍ଚ କମିବା ସହ ୟୁନିଟ ପ୍ରାଇସ (ଗୋଟି ପିଛା ଦର) କମିଯାଇଥାଏ। ଯେତେବେଳେ ଦର ହ୍ରାସ ପାଏ ଚାହିଦା ବଢିଯାଏ। ପର୍ସନାଲ କମ୍ପ୍ୟୁଟରଠାରୁ ଆରମ୍ଭ କରି ସେଲ୍ ଫୋନ, ଶସ୍ତା ବିମାନଯାତ୍ରା ଓ ସ୍ଵାସ୍ଥ୍ୟସେବା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଏହା ପ୍ରମାଣିତ ହୋଇପାରିଛି।

ଡଃ ଭି ଏହି ଫର୍ମୁଲାଟିର ପ୍ରୟୋଗ ଆଖି ଚିକିତ୍ସା କ୍ଷେତ୍ରରେ କରିବାକୁ ଯୋଜନା କଲେ। ସେ ଚିନ୍ତାକଲେ, ଭାରତରେ ଲକ୍ଷ ଲକ୍ଷ ଆଖିରୋଗୀ ଅଛନ୍ତି, ଯଦି ଦକ୍ଷତା ବଢାଇଦିଆଯାଏ ତେବେ ଅପରେସନ ବ୍ୟୟ କମାଯାଇପାରିବ। ସେ ଠିକ ତାହା ହିଁ କଲେ। ବିଶ୍ଵର ପ୍ରଥମ ଚକ୍ଷୁ ଚିକିତ୍ସାଳୟ ଭାବେ ଅରବିନ୍ଦ ଆଇ ହସପିଟାଲ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଏକ ଆସେମ୍ବ୍ଲିଲାଇନ ଆପ୍ରୋଚ୍ ଗ୍ରହଣ କଲା। ଏହା ଦ୍ଵାରା ଅପରେଟିଂ ଥିଏଟର ଓ ଇକ୍ବିପମେଣ୍ଟ ଆଦି ଫିକ୍ସଡ ଆସେଟ ବା ସ୍ଥିର ପରିସଂପତ୍ତିକୁ ତିନୋଟି ସିଫ୍ଟରେ ବ୍ୟବହାର କରାଗଲା,ଫଳରେ ସେଗୁଡିକ ଉପଯୋଗ ବଢିଲା ଓ ଏସବୁ ସଂପତ୍ତିଗୁଡିକର ମୂଲ୍ୟ ଆଦାୟ ଦ୍ରୁତ ହେଲା। ସେଦିନର ସେହି ଏଗାର ଶଯ୍ୟାବିଶିଷ୍ଟ ଅରବିନ୍ଦ ଚକ୍ଷୁ ଚିକିତ୍ସାଳୟ ଆଜି ଦେଶର ଅନେକ ସହରରେ ନିଜର ଶାଖା ଖୋଲିପାରିଛି। 2009ରେ ସେମାନେ 2.5 ନିୟୁତ ଲୋକଙ୍କ ଚିକିତ୍ସା କରିବା ସହ 3 ଲକ୍ଷ ଅପରେସନ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ଦୁଇତୃତୀୟାଂଶ ବହିଃରୋଗୀ ଓ ଅପରେସନ ହୋଇଥିବା ପ୍ରାୟ ତିନି-ଚତୁର୍ଥାଂଶ ରୋଗୀଙ୍କୁ ଚିକିତ୍ସା ପାଇଁ କୌଣସି ଅର୍ଥ ବ୍ୟୟ କରିବାକୁ ପଡିନଥିଲା।

image


ସହରୀ ଲୋକଙ୍କ ଅପେକ୍ଷା ଗାଁଉଲି ଲୋକମାନଙ୍କଠାରେ ଅନ୍ଧତ୍ଵ ଅଧିକ ଦେଖାଯାଏ। ଏହାର ଏକ ବଡ଼ କାରଣ ହେଉଛି ସଚେତନତାର ଅଭାବ। ଅଧିକାଂଶ ଲୋକ ଧୀରେ ଧୀରେ ଦୃଷ୍ଟି ଶକ୍ତି ହରାନ୍ତି। କାରଣ ସେମାନେ ଭାବନ୍ତି ଯେ ଏହାର ଚିକିତ୍ସା ହୋଇପାରିବ ନାହିଁ। ଅନେକଙ୍କର କୌଣସି ଏକ କେନ୍ଦ୍ରକୁ ଯାଇ ଚିକିତ୍ସିତ ହେବାର ପଇସା ନାହିଁ ବା ସେମାନଙ୍କୁ ସେଠାକୁ ନେବା ପାଇଁ ସେମାନଙ୍କର ନିଜର ବୋଲି କେହି ନାହିଁ। ପାଖ ପଡ଼ିଶା ଲୋକଙ୍କୁ ମଧ୍ୟ ସାଙ୍ଗରେ ନେଇକରି ଯାଇହେବ ନାହିଁ। କାରଣ ରୋଗୀ ସହିତ ଲୋକଟିଏ ଯିବା ଅର୍ଥ ଦିନକର ମଜୁରୀ ହରାଇବା ଓ ରାତିରେ ଓପାସ ଶୋଇବା। ଏହାର ଏକ ଅଭିନବ ସମାଧାନ ବାହାର କଲେ ଅରବିନ୍ଦ। ସେ ଲୋକମାନଙ୍କ ପାଇଁ ବସର ଆୟୋଜନ କଲେ। ଏହି ବସ୍ ଓ ସେଥିରେ ଥିବା ଡାକ୍ତରମାନେ ଗାଁକୁ ଗାଁ ଯାଇ ଲୋକମାନଙ୍କର ଆଖି ପରୀକ୍ଷା କଲେ,ଯେଉଁ ରୋଗୀମାନେ ଆଖି ଅପରେସନ ଆବଶ୍ୟକ କରୁଥିଲେ ସେମାନଙ୍କୁ ବସ ଦ୍ଵାରା ଆଖି ଡାକ୍ତରଖାନାକୁ ଅଣାଯାଉଥିଲା ଓ ଆରୋଗ୍ୟ ହେବା ପରେ ପୁଣି ଥରେ ଗାଁରେ ଛାଡିଦିଆଯାଉଥିଲା। ସେତେବେଳେ ସର୍ଜରୀ ପରେ ସ୍ଵାଭାବିକ ଦୃଷ୍ଟିଶକ୍ତି ଫେରି ପାଇବାପାଇଁ ଆବଶ୍ୟକ ପଡୁଥିବା ମହଙ୍ଗା ଇନଟ୍ରା-ଅକୁଲାର ଲେନ୍ସଗୁଡିକୁ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା। ଗୋଟିପିଛା ପ୍ରାୟ 100 ଡଲାର ଦେଇ ଅରବିନ୍ଦ ସେଗୁଡିକୁ ଆମଦାନୀ କରୁଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ସେମାନେ ନିଜେ ଏସବୁ ମହଙ୍ଗା ଲେନ୍ସ ଶସ୍ତାରେ ତିଆରି କରିପାରିଲେ। ଏହାର ଫଳ ହେଉଛି ଦିନେ ବିଦେଶରୁ ମହଙ୍ଗା ଲେନ୍ସ ଆମଦାନୀ କରୁଥିବା ଏହି ସଂସ୍ଥା ଏବେ ଅନେକ ଦେଶକୁ ଲେନ୍ସ ରପ୍ତାନି କରୁଛି।

image


Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags