ହାଇଦରାବାଦରେ ଗରିବଙ୍କ ପାଇଁ ଆଶୀର୍ବାଦ: ମାଗଣା ଦୋକାନ 'Goodwill store'

ହାଇଦରାବାଦରେ ଗରିବଙ୍କ ପାଇଁ  ଆଶୀର୍ବାଦ: ମାଗଣା ଦୋକାନ 'Goodwill store'

Friday February 12, 2016,

3 min Read

ହାଇଦରାବାଦରେ ଗରିବଙ୍କ ପାଇଁ ଏମିତି ଏକ ଦୋକାନ ଅଛି ଯେଉଁଠି ସବୁ କିଛି ମାଗଣା ମିଳେ। ଏହାର ସେବା ଝୁମ୍ପୁଡ଼ି ବାସିନ୍ଦା,ଦାଦନ ଶ୍ରମିକ ଓ ଆଶ୍ରାହୀନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ।

image


ଅଶୀ ବର୍ଷ ବୟସ୍କ ମହମଦ ଶାହାଉଦ୍ଦିନ ମନଖୁସିରେ ମେହଦିପଟନମର ଏପରି ଏକ ଦୋକାନରେ ନିଜ ପାଇଁ ଲୁଗାପଟା ବାଛୁଥାନ୍ତି,ଯାହା ଦୋକାନରେ କାମ କରୁଥିବା କିରଣକୁମାର ତାଙ୍କୁ ଦେଖାଉଥାନ୍ତି।

ସାମାନ୍ୟ ୩୦୦୦ଟଙ୍କା ଦରମାରେ ସିକ୍ୟୁରୀଟି ଗାର୍ଡ କାମ କରୁଥିବା ଲୋକଟି ପ୍ୟାକେଟ ଗୋଟିଏ ଧରି ବାହାରି ଗଲା, ତାକୁ ଦୋକାନରେ ଏକ ପଇସା ମଧ୍ୟ ଦେବାକୁ ହୋଇନି।

ପଢନ୍ତୁ - ଚର୍ଚ୍ଚାରେ ଚା’ ଦୋକାନୀ ଶିବଶଙ୍କର: ଭିନ୍ନକ୍ଷମଙ୍କୁ ବାଣ୍ଟିଲେ ସାଇକେଲ, ଟଙ୍କା

image


ଦୋକାନରେ ହ୍ଵିଲଚେୟାରଟିଏ ଦେଖି ସେ କହିଲେ ,"ଏ ବୟସରେ ଚାଲିବା ପାଇଁ ଯେମିତି କଷ୍ଟ ହେଉଛି ଏଇଟା ନେବା ପାଇଁ ମୋର ଇଚ୍ଛା,କିନ୍ତୁ ତମେ ଏହାକୁ ମୋତେ ମାଗଣାରେ ଦେଲେ ମଧ୍ୟ ମୁଁ ନେଇପାରିବିନି କାରଣ ଆମେ ଯେଉଁ ଜଣିକିଆ ଏକବଖୁରିଆ ଘରେ ରହୁଛୁ ସେଠି ୟା'କୁ ରଖିବା ପାଇଁ ଜାଗା ହେବନି"।

ଶାହାଉଦ୍ଦିନ ପରି ଆହୁରି ଅନେକ ହାଇଦରାବାଦର ଏହି 'Goodwill store' କୁ ଆସନ୍ତି ଏବଂ ମାଗଣାରେ ଜିନିଷ ନେଇଥାନ୍ତି।

image


ହାଇଦରାବାଦର ମେହଦିପଟନମ ଅଞ୍ଚଳରେ ଏହି ଭଣ୍ଡାରଟି ଗତ ୨ଅକ୍ଟୋବର ୨୦୧୫ ରେ ଆରମ୍ଭ କରାଯାଇଥିଲା; ବସ୍ତ୍ର ପରି ଏକ ମୌଳିକ ଆବଶ୍ୟକତାକୁ ସମାଜର ବଞ୍ଚିତ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚାଇ ଦେବା ପାଇଁ। ଏହି 'ସଦ୍ଦିଚ୍ଛା ଭଣ୍ଡାର' ସହରର ବିଭିନ୍ନ ଅଞ୍ଚଳରୁ ପୁରୁଣା ବ୍ୟବହୃତ ଲୁଗାପଟା ଓ ଅନ୍ୟାନ୍ୟ ଘରକରଣା ଜିନିଷ ସବୁ ସଂଗ୍ରହ କରିଥାଏ ଯାହାକି ଲୋକମାନଙ୍କଠାରୁ ଦାନ ସୂତ୍ରରେ ମିଳିଥାଏ।

ଗରିବ ଲୋକମାନେ ଗୁରୁବାର ଓ ଶନିବାର ସେଠାକୁ ଆସି ନିଜ ପସନ୍ଦର ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ ମାଗଣାରେ ନେଇପାରିବେ।

ମଞ୍ଜୁଳା ପଲ୍ଲିପୋଏନା ବୋଜ୍ଜାଗୁତା  ବସ୍ତିର ମହିଳା ମାନଙ୍କ ସହ

ମଞ୍ଜୁଳା ପଲ୍ଲିପୋଏନା ବୋଜ୍ଜାଗୁତା ବସ୍ତିର ମହିଳା ମାନଙ୍କ ସହ


'ସଦ୍ଦିଛା ଭଣ୍ଡାର' LSN ଫାଉଣ୍ଡେସନର ଏକ ଅଂଶ।୨୦୦୭ରେ ହାଇଦରାବାଦରେ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନଟି ଏକ ଅଣଲାଭକାରୀ ସଂସ୍ଥା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ସମାଜର ଦୁର୍ବଳତମ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା।

ମଞ୍ଜୁଳା ପଲ୍ଲିପୋଏନା ଯେ କି LSN ଫାଉଣ୍ଡେସନ ଏବଂ Goodwill store ର ପ୍ରତିଷ୍ଠାତ୍ରୀ 'The News Minute'କୁ କହନ୍ତି, "ମୁଁ ଯେତେବେଳେ ମେହଦିପଟନମ ନିକଟରେ ଥିବା ବଜଗୁଟ୍ଟା ବସ୍ତି ଅଞ୍ଚଳ ଯାଇଥିଲି ସେତେବେଳେ ଦାଦନ ଶ୍ରମିକମାନଙ୍କର ଅନେକ ଅଭାବ ଅସୁବିଧା ଲକ୍ଷ୍ୟ କରିଥିଲି। ସେମାନଙ୍କର ଲୁଗାପଟା ଠାରୁ ଆରମ୍ଭ କରି ଖାଇବାଜିନିଷ, ବାସନକୁସନ,ବହିପତ୍ର,ପିଲାମାନଙ୍କ ଖେଳସାମଗ୍ରୀ ଓ ଅନ୍ୟାନ୍ୟ ବହୁତ ଜିନିଷର ଅଭାବ ରହିଥାଏ"।

image


ସେ ଆହୁରି କହନ୍ତି,"ମୁଁ ଆହୁରି ବି ଲକ୍ଷ୍ୟ କରିଛି ଯେ ବସ୍ତି ବାସିନ୍ଦା ଓ ଗରିବ ଲୋକମାନେ କେବେ ବି ଆତ୍ମବିଶ୍ଵାସ ଓ ସମ୍ମାନର ସହିତ କିଛି କିଣାକିଣି କରିବାକୁ ସମର୍ଥ ହୁଅନ୍ତି ନାହିଁ। ସହରରେ ଅନେକ ଲୋକ ବଦଳି ହେଲାବେଳେ ବା ଅନ୍ୟ କାରଣରୁ ବ୍ୟବହୃତ କିମ୍ବା ଅବ୍ୟବହୃତ ବହୁତ ଲୁଗାପଟା ଓ ଅନ୍ୟ ଜିନିଷ ଫିଙ୍ଗି ଦେଇଥାନ୍ତି।ଏହି ଶୂନ୍ୟସ୍ଥାନଟି ପୂରଣ କରିବା ବିଚାରରୁ 'Goodwill store'ର ଜନ୍ମ"।

ସେମାନେ ସାମନା କରୁଥିବା ବାଧାବିଘ୍ନ ବିଷୟରେ କହିବାକୁ ଯାଇ ମଞ୍ଜୁଳା ସଫେଇ ଦିଅନ୍ତି,"ପ୍ରକୃତରେ ଆମକୁ ଦରକାର ଆହୁରି ଅନେକ ସ୍ଵେଚ୍ଛାସେବୀ ଯେଉଁମାନେ ସହରର ବିଭିନ୍ନ ଅଞ୍ଚଳରୁ ଦାନ ସଂଗ୍ରହ କରିପାରିବେ। ଅଧିକାଂଶ ସମୟରେ ସଂଗୃହୀତ ଜିନିଷଗୁଡ଼ିକର ପରିବହନ ଆମ ପାଇଁ ଏକ ସମସ୍ୟା ଭାବେ ଠିଆ ହୋଇଥାଏ"।

image


ଲୋକମାନେ ଏ ଦିଗରେ ସଜାଗ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଞ୍ଜୁଳାଙ୍କର ଦୃଢ଼ ବିଶ୍ଵାସ। ସେ ଆହୁରି କହନ୍ତି,"ଏହି କାମଟିକୁ ଏକ ଦାନଧର୍ମ ଭାବେ ଦେଖିବା ଉଚିତ ନୁହେଁ। ବସ୍ତ୍ର ଏକ ମୌଳିକ ଆବଶ୍ୟକତା। ସରକାର ଏବଂ ନାଗରିକ ସମାଜ ଏ ସବୁ ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ଦେବା ଦରକାର। 'ସଦ୍ଦିଚ୍ଛା ଭଣ୍ଡାର' କେବଳ ଏକ ବଣ୍ଟନ କେନ୍ଦ୍ର ନୁହେଁ ବରଂ ଆଡ଼ଦୃଷ୍ଟିରେ ରହିଯାଉଥିବା ସାମାଜିକ ପ୍ରସଙ୍ଗ ଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବା ଓ ଗୋଷ୍ଠୀମାନଙ୍କୁ ଏକଜୁଟ କରି ସେମାନଙ୍କର ନିଜ ବଳ ବିଷୟରେ ସଚେତନ କରିବାର ଏକ ବାହନ"।

image


ମେହବୁବନଗର ର ୩୨ବର୍ଷୀୟା ଭେଙ୍କଟାମ୍ମା ଯେ ଏକ ଘରୋଇ ସହାୟିକା ଭାବେ କାମ କରନ୍ତି କହନ୍ତି, "ମୁଁ ଏକ ପୁରୁଷ ହଷ୍ଟେଲରେ କାମ କରେ । ଆଗରୁ ମୋତେ ଏ ଷ୍ଟୋର ବିଷୟରେ ଜଣା ନ ଥିଲା କିନ୍ତୁ ଆଜି ହଠାତ୍ ଏହି ଷ୍ଟୋରଟି ଦେଖି, ଏ ପ୍ରକାରର ପ୍ରୟାସ ବିଷୟରେ ଜାଣି ବହୁତ ଖୁସିଲାଗିଲା। ଏହା ଆମପରି ଲୋକଙ୍କ ପାଇଁ ଏକ ଆଶୀର୍ବାଦ। ମୋ ପରିବାର ମେହବୁବନଗରରେ ରହନ୍ତି। ମୁଁ ହାଇଦରାବାଦରେ କାମ କରିବାକୁ ଆସିଛି। ମୋର ମାସିକ ରୋଜଗାର ପାଖାପାଖି ୪୦୦୦ ଟଙ୍କା। ଆମେ ପ୍ରାୟ କେବେ ବଜାର କରିବାକୁ ଯାଉନା, ବର୍ଷରେ ଥରେ କଦବା କେମିତି କୌଣସି ଛୋଟ ଦୋକାନରୁ ପଚାଶ ଷାଠିଏ ଟଙ୍କା ଭିତରେ କିଣାକିଣି କରୁ। ଆଜି କିନ୍ତୁ ମୋତେ ଅନେକ ଲୁଗାପଟା ମିଳିଲା ଏବଂ ମୁଁ ମୋ ସ୍ଵାମୀ ଓ ପିଲାମାନଙ୍କ ପାଇଁ କିଛି ଲୁଗା ବାଛିଚି। ସେମାନେ ଏ ଗୁଡ଼ିକୁ ଦେଖି ନିଶ୍ଚିତ ବହୁତ ଖୁସି ହେବେ"।

ଏହି ଷ୍ଟୋରକୁ ଆପଣ ଦାନ କରିବାକୁ ଚାହୁଁଥିଲେ ଷ୍ଟୋରର ପ୍ରୋଜେକ୍ଟ ସଂଯୋଜକ କିରଣ କୁମାରଙ୍କୁ 9246583844/9542495579 ରେ ଯୋଗାଯୋଗ କରିପାରିବେ। 

ଆଉ କିଛି ସମ୍ପର୍କିତ କାହାଣୀ ପଢନ୍ତୁ -

1। ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ : ‘ଇ-ଔଷଧୀ’ କରିବ ସହାୟତା

2। ଓଡ଼ିଶା: ଯେଉଁଠି ମନ୍ଦିରର ପୂଜକ ଦଳିତ ମହିଳା

3। ନବୀନଙ୍କୁ ଚିଠି ଲେଖିଲେ ବସ୍ତି ବାଳିକା