କେନ୍ଦ୍ରୀୟ ଯୋଜନାରେ ଓଡିଶାରେ ଦିନକୁ ନିର୍ମାଣ ହେଉଛି ୧୬୮୦ ଘର

କେନ୍ଦ୍ରୀୟ ଯୋଜନାରେ  ଓଡିଶାରେ ଦିନକୁ ନିର୍ମାଣ ହେଉଛି ୧୬୮୦ ଘର

Wednesday February 03, 2016,

3 min Read

  • କେନ୍ଦ୍ର ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା
  • ମରୁଡି ଅଂଚଳରେ ୨୦୦ ଦିନର କାମ
  • ଦୁଇମାସ ମଧ୍ୟରେ ସ୍କୁଲ ହଷ୍ଟେଲ ନିର୍ମାଣ ସରିବ

ତିନିଟି ମୁଖ୍ୟ ମୌଳିକ ଆବଶ୍ୟକତା ମଧ୍ୟରୁ ବାସଗୃହ ହେଉଛି ଅନ୍ୟତମ | ଖାଦ୍ୟ, ବସ୍ତ୍ର ପରେ ବାସଗୃହ ନିତାନ୍ତ ଦରକାର | ତେଣୁ ଏହାକୁ ସରକାରୀ କାର୍ଯ୍ୟକ୍ରମରେ ଏକ ପ୍ରମୁଖ ଅଂଶ ଭାବେ ନିଆଯାଇଥାଏ | ଓଡିଶାରେ ମଧ୍ୟ ସମସ୍ତଙ୍କୁ ପକ୍କା ବାସଗୃହ ଯୋଗାଇଦେବାଲାଗି ଉଦ୍ୟମ ଚାଲିଛି | ବିଶେଷ କରି ଗ୍ରାମାଂଚଳରେ ଯେପରି ସମସ୍ତଙ୍କର ପକ୍କା ଘର ହେବ, ସେ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି | ତେଣୁ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ସଫଳ କାର୍ଯ୍ୟକାରିତା ଜରୁରୀ ହୋଇପଡିଛି |

ସରକାର ଆଗାମୀ ପାଂଚ ବର୍ଷ ମଧ୍ୟରେ ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବାକୁ ଯୋଜନା କରୁଛନ୍ତି | ଏହା କଷ୍ଟସାଧ୍ୟ ହେଲେ ମଧ୍ୟ ଏ ଦିଗରେ କାର୍ଯ୍ୟ ଚାଲିଛି | ଏହି ଲକ୍ଷ୍ୟ ହାସଲ ନିମନ୍ତେ ଇନ୍ଦିରା ଆବାସ ଯୋଜନା ଓ ବିଜ୍ଜୁ ପକ୍କା ଘର କାର୍ଯ୍ୟକ୍ରମ ଜାରି ରହିଛି | ଆଉ ଏହି ଦୁଇଟି ଯୋଜନା ଅଧିନରେ ଦୈନିକ ୧୬୮୦ ଘର ନିର୍ମାଣ ହେଉଛି | ତେବେ ଏଭଳି ଅଗ୍ରଗତି ହେଲେ ପାଂଚ ବର୍ଷ ମଧ୍ୟରେ ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ ନାହିଁ | ତେଣୁ ଏହାକୁ ଦୈନିକ ୨୦୦୦ କରିବା ପାଇଁ ତଳସ୍ତରର ଅଧିକାରୀମାନଙ୍କୁ କୁହାଯାଇଛି |

image


ନିକଟରେ ରାଜ୍ୟରେ ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ ହୋଇଥିଲା | ଏଥିରେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମଗୁଡିକର କିପରି ଚାଲିଛି ତାହା ସବୁ ଆଲୋଚନା ହୋଇଥିଲା |

ଏହି କମିଟି ବୈଠକରେ ଏ ସମ୍ପର୍କରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଡି.କେ ସିଂହ କହିଛନ୍ତି,

ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପକ୍କାଘର ଯୋଗାଇଦେବାକୁ କାମ ଚାଲିଛି | ତେବେ ଏଥିରେ କେତେକ ସମସ୍ୟା ଦେଖାଦେଉଛି | ଯେପରିକି କେତେକ ସ୍ଥାନରେ ଗୃହ ନିର୍ମାଣ ସାମଗ୍ରୀର ଅଭାବ ଯୋଗୁଁ ଘର ତୋଳିବାରେ ଅସୁବିଧା ହେଉଛି | ତେବେ ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ଆଲୋଚନା କରାଯାଇ ସମାଧାନର ସୁତ୍ର ବାହାର କରାଯିବ |

ରାଜ୍ୟର ସମସ୍ତ ଆଦିମ ଜନଜାତି ପରିବାରକୁ ଘର ଯୋଗାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି | ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏ ନେଇ ସୂଚନା ପ୍ରଦାନ କରିବା ପରେ ପଂଚାୟତରାଜ ବିଭାଗ ପଦକ୍ଷେପ ନେବ |

ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧିନ ଛାତ୍ରବାସର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସଂପୃକ୍ତ ବିଭାଗକୁ କୁହାଯାଇଛି | ସଂପୃକ୍ତ ଅଧିକାରୀମାନେ ଦୁଇମାସ ମଧ୍ୟରେ ଏହି କାମ ଶେଷ କରିବାକୁ ପଡିବ |

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଚିବ ସୁରେନ୍ଦ୍ର କୁମାର ଏ ବିଷୟରେ ସୂଚନା ଦେଇ କହିଲେ,

ବର୍ତ୍ତମାନ ୧୬୭୦ ସ୍କୁଲରେ ପ୍ରାୟ ୪.୪ ଲକ୍ଷ ଛାତ୍ରଛାତ୍ରୀ ପଢୁଛନ୍ତି | ସେଥିମଧ୍ୟରୁ ୪୭୭୨ ଛାତ୍ରବାସରେ ୪ ଲକ୍ଷ ଅନ୍ତେବାସୀ ରହୁଛନ୍ତି | ୨୮୫୦ଟି ଛାତ୍ରବାସ ମଧ୍ୟରୁ ୧୯୫୪ଟି ନିର୍ମାଣ ସରିଥିବା ବେଳେ ଅବଶିଷ୍ଟ ୮୯୬ ଛାତ୍ରବାସ ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ଶେଷ ସୁଦ୍ଧା ସାରିବ ବୋଲି ଲକ୍ଷ୍ୟ ରଖାଯାଇଛି |

ସେହିପରି ଗମନାଗମନ ହେଉଛି ବିକାଶର ଅନ୍ୟତମ ସହାୟକ | ବିଶେଷକରି ଗ୍ରାମାଂଚଳ ପାଇଁ ରାସ୍ତା ନିର୍ମାଣ ଫଳରେ ସେଠାକାର ବିକାଶ ଘଟିବ | ତେଣୁ ରାସ୍ତା ନିର୍ମାଣ ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି |

ପଢନ୍ତୁ - ୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର

image


ଏ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାଶ କହନ୍ତି,

ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୩୦୫୫ କି.ମି. ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା | ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୪୨୦ କିଲୋମିଟର ରାସ୍ତା ନିର୍ମାଣ ଶେଷ ହୋଇଛି | ଯାହା ଦ୍ୱାରା ୧୪୩୦ଟି ଗାଁକୁ ରାସ୍ତା ହୋଇ ପାରିଛି ।

ଗୃହ ନିର୍ମାଣ, ଛାତ୍ରାବାସ ନିର୍ମାଣ, ରାସ୍ତା ନିର୍ମାଣ ବ୍ୟତୀତ ଲୋକମାନଙ୍କୁ କାମ ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଛି | ଏହି ଯୋଜନାରେ ୭୬୦.୦୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ଥିବା ବେଳେ ୫୨୮.୧୩ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି | ସେହିପରି ଏହି ଯୋଜନାରେ ଥିବା ମୋଟ ୨୩୩୬.୪୨ ଲକ୍ଷ ଟଙ୍କା ମଧ୍ୟରୁ ୧୪୮୪.୦୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି | ମରୁଡି ଅଂଚଳରେ ୨୦୦ ଦିନର କାମ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି |

ରହିବାକୁ ଘର, ଯିବା ପାଇଁ ରାସ୍ତା, ପେଟ ପାଇଁ କାମ ମିଳିଗଲେ ସାଧାରଣ ଲୋକଟିଏ ଖୁସୀରେ ରହିପାରିବ | ତେବେ ସରକାରୀ କାର୍ଯ୍ୟକ୍ରମଗୁଡିକର ସଫଳ ଲୋକଙ୍କ ପାଖରେ ଠିକ୍ ଭାବେ ପଂହଚିବା ଦରକାର | ଏଥିପାଇଁ ସଚେତନତାର ଲୋଡା |

ଆଉ କିଛି ସମାନ ଧାରାର କାହାଣୀ ପଢନ୍ତୁ -

1। ଚର୍ଚ୍ଚାରେ ଚା’ ଦୋକାନୀ ଶିବଶଙ୍କର: ଭିନ୍ନକ୍ଷମଙ୍କୁ ବାଣ୍ଟିଲେ ସାଇକେଲ, ଟଙ୍କା

2। ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ କୌଶଳ ତାଲିମ କେନ୍ଦ୍ର

3। ଓଡିଶାରେ ଚାଲିଲା ବୁକ୍ ଅନ୍ ହ୍ୱିଲ : ଗାଁ ପିଲାଙ୍କ ପାଖକୁ ଯିବ ବହି ଗାଡି