EDITIONS
Odia

“ସଙ୍ଗୀତ ମାର୍ତଣ୍ଡ” ପଣ୍ଡିତ ଯଶରାଜଙ୍କର ସଂଘର୍ଷର ଅଜଣା କାହାଣୀ

ଯୁବକ ଯଶରାଜ ଯେଉଁ ସମୟରେ ସାଉଥ କୋଲକାତାରୁ ସେଣ୍ଟ୍ରାଲ କୋଲକାତା ପର୍ଯ୍ୟନ୍ତ ମାଁ’ଙ୍କ ପାଇଁ ଔଷଧ ଖୋଜି ବୁଲୁଥିଲେ

30th Nov 2015
Add to
Shares
10
Comments
Share This
Add to
Shares
10
Comments
Share

ଯେକୌଣସି ସଫଳତା ପଛରେ ଲୁଚି ରହିଥାଏ ଏକ ଲମ୍ବା କାହାଣୀ। ସଂଘର୍ଷର ସେଇ କାହାଣୀ କଦବା କସ୍ମିନ ଲୋକାଲୋଚନକୁ ଆସେ କିନ୍ତୁ କେବେ କେବେ ସେସବୁ ଘଟଣା, କାହାଣୀ ସଫଳତାର କେଉଁ ଏକ ପରସ୍ତ ଭିତରେ ଲୁଚିଯାଇଥାଏ। ବହୁକଷ୍ଟରେ କେତେବେଳେ କେମିତି ଗହୀର ପରସ୍ତ ସବୁ ଖୋଲେ ଆଉ ସଂଘର୍ଷର ସେଇ ଅଜଣା ଅଛୁଆଁ ଅଧ୍ୟାୟ ସାମନାକୁ ଆସେ। ହିନ୍ଦୁସ୍ଥାନୀ ସଙ୍ଗୀତର ଆକାଶରେ ଦୀର୍ଘସମୟ ଧରି ସୂର୍ଯ୍ୟଙ୍କ ପରି ଚମକୁଥିବା ସଙ୍ଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଆଜି ଦୁନିଆର ସବୁଠାରୁ ସମ୍ମାନନୀୟ ବ୍ୟକ୍ତିତ୍ଵ ମାନଙ୍କ ଭିତରୁ ଜଣେ। ବର୍ଷ ସାରା ସେ ଯେଉଁଠି ମଧ୍ୟ ରୁହନ୍ତୁ, ନଭେମ୍ବର ମାସର ଶେଷ ସପ୍ତାହରେ ସେ ହାଇଦ୍ରାବାଦ ନିଶ୍ଚେ ଆସନ୍ତି ଓ ତାଙ୍କର ଏଥିସହ ଫେରିଆସେ ସଂଘର୍ଷ ଜୀବନର ଅନେକ ସ୍ମୃତି। ଏଇ ସବୁ ସ୍ମୃତିଗୁଡିକୁ ତାଜା କରିବା ପାଇଁ ସେ ଗୋଟିଏ ନିର୍ଦ୍ଧିଷ୍ଟ ଜାଗାରେ ହିଁ ବସନ୍ତି, ତାଙ୍କ ବାପାଙ୍କର ସମାଧି। ଏଠାରେ ସେ ଘଣ୍ଟା ଘଣ୍ଟା ଧରି ବସି ସଙ୍ଗୀତର ସେଇ ଦିନଗୁଡିକୁ ମନେ ପକାନ୍ତି ଯାହା ସେ ତାଙ୍କ ବାପାଙ୍କ ଠାରୁ ପାଇଥିଲେ। ଚାରି ପାଞ୍ଚ ବର୍ଷ ବୟସର ହେଇଥିଲେ ପଣ୍ଡିତଜୀ ଯେତେବେଳେ ତାଙ୍କ ବାପା ଏ ଦୁନିଆ ଛାଡି ଚାଲିଯାଇଥିଲେ। ଏହି ବେଦନା କେବଳ ସିଏ ବୁଝିପାରିବ ଯିଏ ଅଙ୍ଗେ ନିଭେଇଥିବ ଓ ଏହିଠାରୁ ଆରମ୍ଭ ହୁଏ ସଂଘର୍ଷର ଲମ୍ବା କାହାଣୀ।

image


ହାଇଦ୍ରାବାଦର ଅମ୍ବରପେଟ ସ୍ଥିତ ତାଙ୍କର ପିତାଙ୍କର ସମାଧି ପାଖରେ Yourstoryର ଡାଃ ଅରବିନ୍ଦ ଯାଦବଙ୍କ ସହ ପଣ୍ଡିତଜୀଙ୍କର ଏକ ଅତି ଅନ୍ତରଙ୍ଗ ଆଳାପ ହୁଏ। କଥାବାର୍ତ୍ତାରେ ପଣ୍ଡିତଜୀ ତାଙ୍କ ସଂଘର୍ଷର ଏପରି ଅନେକ କାହାଣୀ ଅରବିନ୍ଦଙ୍କ ସହ ବାଣ୍ଟିଲେ। ନିଜର ସଫଳତା ପଛରେ ଥିବା କାରଣ ମାନଙ୍କ ବିଷୟରେ କହିବାକୁ ଯାଇ ପଣ୍ଡିତଜୀ କୁହନ୍ତି ଯେ ତାଙ୍କର ଏଇ ସଂଘର୍ଷରେ ଭରା ଯାତ୍ରା ଏଯାବତ ଜାରି ଅଛି ଓ ପ୍ରତ୍ୟେକଟି ଦିନ ଓ ମୂହୁର୍ତ୍ତକୁ ସେ ସଂଘର୍ଷ ବୋଲି ହିଁ ମାନନ୍ତି।

ଆଜି ଯେଉଁ କାହାଣୀ ଆମେ ଶୁଣାଇବାକୁ ଯାଉଛୁ ତାହା ହେଉଛି କୋଲକାତାର ଗଳିକନ୍ଦିରେ ନିଜ ମାଁ'ଙ୍କ ପାଇଁ ଔଷଧ ଖୋଜି ବୁଲୁଥିବା ଯୁବା ଯଶରାଜଙ୍କର। ସେଇଦିନର ସ୍ମୃତିଚାରଣା କରି ପଣ୍ଡିତ ଯଶରାଜ କୁହନ୍ତି, "ବାପାଙ୍କର କିଛି ସେବା କରିବାର ସୁଯୋଗ ମିଳିଲା ନାହିଁ। ମାଁ ଥିଲେ କିନ୍ତୁ ତାଙ୍କୁ ମଧ୍ୟ କ୍ୟାନ୍ସରର କଳା ମେଘ ଘେରି ବସିଲା। ପଚାଶ ଦଶକରେ କ୍ୟାନ୍ସରର ହେବା ଯେ କେତେ ଭୟଙ୍କର ଥିଲା ତାହା ବର୍ତମାନ ଅନୁମାନ କରିବାଟା ଅନେକ କଷ୍ଟ। ଡାକ୍ତର ଲେଖିଥିବା ଔଷଧ ଖୋଜି ଖୋଜି ଚାଲି ଚାଲି ସାଉଥ କୋଲକାତାରୁ ସେଣ୍ଟ୍ରାଲ କୋଲକାତା ଯାଏଁ ଆସି ପହଞ୍ଚିଲି। ଅନେକ ଔଷଧ ଦୋକାନରେ ଲେଖା ହୋଇଥିବା ଔଷଧ ମିଳୁନଥାଏ। ସର୍ବଶେଷରେ ଏକ ଦୋକାନରେ ଯେତେବେଳେ ଔଷଧ ମିଳିଲା ସେତେବେଳେ ପକେଟରେ ସେତିକି ପଇସା ନଥାଏ। ପାଖରେ ଥିବା ସବୁ ଟଙ୍କା ଦେଲାପରେ ଦୋକାନୀ ଭାଇଙ୍କୁ କହିଲି ବାକି ଟଙ୍କା ପରେ ଦେଇଦେବି। ଦୋକାନୀର ଉତ୍ତର ଥିଲା - ଔଷଧ ଦୋକାନରେ କେବେ ଉଧାରୀ ରଖିବା ଶୁଣିଛ? ଠିକ ସେତିକିବେଳେ କିଏ ଜଣେ ମୋ କାନ୍ଧ ଉପରେ ତାଙ୍କର ହଟା ରାଖୀ ଦୋକାନରେ ଥିବା ଲୋକଙ୍କୁ କହିଲେ - ଯେତିକି ଟଙ୍କା ଅଛି ନେଇ ସମସ୍ତ ଔଷଧ ଦିଅ। ବାକି ରହିଥିବା ଟଙ୍କା ମୋର ଖାତାରେ ଲେଖିଦେବ। ସେହି ଭଦ୍ରଲୋକ ଥିଲେ ସେ ଦୋକାନର ମାଲିକ। କେଜାଣି ମୋତେ କେମିତି ଜାଣିଥିଲେ। "

image


ପଣ୍ଡିତ ଯଶରାଜ ମାନନ୍ତି ଯେ ଜୀବନରେ ପରିଶ୍ରମ, ସଂଘର୍ଷ, ପ୍ରଚେଷ୍ଟା ଓ ଅଭ୍ୟାସ ଖୁବ ଜରୁରୀ, କିନ୍ତୁ ଏସବୁ ସାଥିରେ ଭଗବାନଙ୍କର କୃପା ଥିବା ମଧ୍ୟ ଆବଶ୍ୟକ। ଏହାହିଁ ସଂଘର୍ଷର ଯାତ୍ରାରେ ସାହା ହେଇଥାଏ। ପଣ୍ଡିତଜୀ ନିଜେ ତାଙ୍କ ଜୀବନରେ ଅନେକ ବ୍ୟକ୍ତିଙ୍କୁ ଧରାରୁ ଆକାଶର ବାଟ ଦେଖାଇଛନ୍ତି। ତାଙ୍କ ଜୀବନରେ ଏମିତି ଅନେକ କାହାଣୀ ଅଛି ଯାହା ଅନ୍ୟମାନଙ୍କୁ ବାଟ ଦେଖାଇପାରେ। ଆଉ ଏକ ଘଟଣାର ଉଲ୍ଲେଖ କରି ପଣ୍ଡିତଜୀ କୁହନ୍ତି, "ମାଁ'ଙ୍କ ପାଇଁ ଔଷଧର ବ୍ୟବସ୍ଥା ତ ହେଇଯାଇଥିଲା। ଡାକ୍ତର କହିଥିଲେ ଦିନରେ ଦୁଇଥର ତାଙ୍କୁ ଇଂଜେକସନ ଦେବାକୁ ପଡିବ। ଏଥିପାଇଁ ଡାକ୍ତର ଥରେ ଭିଜିଟର ୧୫ ଟଙ୍କା ଫି ବୋଲି କହିଲେ। ପ୍ରତିଦିନ ୩୦ ଟଙ୍କା ଯୋଗାଡ କରିବା କଷ୍ଟ ଥିଲା। କିନ୍ତୁ ମାଁ'ଙ୍କର ସ୍ୱାସ୍ଥ୍ୟର ପ୍ରଶ୍ନ ଥିଲା, ତେଣୁ ମୁଁ ହଁ କରିଦେଲି। ଗୋଟିଏ ଦିନ ଯେତେବେଳେ ଡାକ୍ତର ବାବୁ ଯାଉଥିଲେ ମୁଁ ତାଙ୍କୁ ଅନୁରୋଧ କରିଥିଲି ଯେ ସେହି ସନ୍ଧ୍ୟାରେ ଅଲ ଇଣ୍ଡିଆ ରେଡିଓରେ ମୋର ଗୀତ ଶୁଣନ୍ତୁ ବୋଲି। ସେ କହିଲେ ତାଙ୍କର ସଙ୍ଗୀତ ପ୍ରତି ଏତେ ରୁଚି ନାହିଁ ଓ ସେ ତାଙ୍କର ଭାଣିଜୀ ଘରକୁ ରାତ୍ରୀଭୋଜନ ପାଇଁ ଯାଉଛନ୍ତି। ମୁଁ ଉଦାସ ହେଇଗଲି। କିନ୍ତୁ ପରଦିନ ଡାକ୍ତର ବାବୁ ଆସିଲାବେଳକୁ ତାଙ୍କର ମିଜାଜ ପୂରାପୂରି ବଦଳିଯାଇଥିଲା। ସେ କହିଲେ - ମୁଁ ତୁମର ଗୀତ ଶୁଣିଲି। ମୋ ଭାଣିଜୀ ଘରେ ଥିବା ସମୟରେ ମୁଁ ଏହା ଶୁଣିଲି। ମୋର ଭାଣିଜୀ ଶୁଣିବା ସମୟରେ ମୋତେ କହିଲା ଯେ ଏହି ଗାୟକଟି ପାଖରେ ଟଙ୍କାର ଅତ୍ୟନ୍ତ ଅଭାବ।" ତାଙ୍କର ସେହି ଭାଣିଜୀ ଥିଲେ ଗୀତା ରାୟ, ଯିଏ ପରେ ଯାଇ ଗୀତା ଦତ୍ତ ନାମରେ ପ୍ରସିଦ୍ଧ ହେଲେ। ଡାକ୍ତର ବାବୁ ସେହିଦିନଠାରୁ ନାମକୁ ମାତ୍ର ୨ଟଙ୍କା ପ୍ରତି ଭିଜିଟ ପାଇଁ ନେବାକୁ ଲାଗିଲେ। ଠିକ ଏହିପରି ସଂଘର୍ଷର ଦିନଗୁଡିକରେ କିଏ ନା କିଏ ମୋ ସାଥିରେ ଥିଲେ।

ପଣ୍ଡିତ ଯଶରାଜ ସ୍ଵୀକାର କରନ୍ତି ଯେ ସଂଘର୍ଷ କଲେହିଁ ସଫଳତାର ସ୍ଵାଦ ମିଳିଥାଏ, କିନ୍ତୁ ସାଥିରେ ସେ ଏହା ବି କୁହନ୍ତି ଯେ ସଫଳତାରେ କେବେ ମଧ୍ୟ 'ମୁଁ' ଉପରେ ଜୋର ଦେବା ଉଚିତ ନୁହେଁ। ମଣିଷକୁ ନିଜ ଉପରେ ଗର୍ବ ଆସିଗଲେ ସେ ସେଇଠି ସମାପ୍ତ ହେଇଯାଏ ଓ ତାର ସମସ୍ତ ସଙ୍ଘର୍ଷର ଅର୍ଥ ଲୋପ ପାଇଯାଏ।

ପଣ୍ଡିତ ଯଶରାଜ ତାଙ୍କ ପିଲାଦିନର କିଛି ଦିନ ହାଇଦ୍ରାବାଦର ଗଳିକନ୍ଦିରେ କଟେଇଛନ୍ତି। ଏଠାର ଗୋଲିଗୁଡା ଚମନ ଓ ନାମପଲ୍ଲୀ ଭଳି କେତେକ ଜାଗାରେ ପଣ୍ଡିତଜୀଙ୍କର ଅନେକ ସ୍ମୃତି ଲୁଚିରହିଛି। ତାଙ୍କୁ ସ୍କୁଲ ଯିବାବାଟରେ ପଡୁଥିବା ସେ ହୋଟେଲ ମାନେ ଅଛି, ଯେଉଁଠି ଅଟକି ରହି ସେ ବେଗମ ଅଖତରଙ୍କ ଗଜଲ....दीवाना बनाना है तो दीवाना बना दे , वरना कहीं तकदीर तमाशा न बना दे....ଶୁଣୁଥିଲେ। ଏହି ଗଜଲ ଶୁଣିବାଠାରୁ ତାଙ୍କର ସ୍କୁଲ ବନ୍ଦ ହେଇଥିଲା ଓ ସେ ତବଲା ବଜେଇବା ଆରମ୍ଭ କରିଥିଲେ। ଅନେକ ବର୍ଷ ପରେ ଲାହୋରରେ ତାଙ୍କୁ ଗାୟକ ଭାବେ ମଞ୍ଚରେ ମୁଖ୍ୟ ଆକର୍ଷଣ ହେବାର ସୁଯୋଗରୁ ଆରମ୍ଭ ଗାୟକ ହେବାର ସଂଘର୍ଷ ଯାତ୍ରା ଜାରି ରହିଲା।

ପଣ୍ଡିତଜୀ ମାନନ୍ତି ଯେ ତାଙ୍କ ଲମ୍ବା ଜୀବନରୁ ଯଦି କିଛି ପ୍ରେରଣା ନିଆଯାଇପାରେ ତେବେ ସେ ହେଲା, ନିରନ୍ତର କାମ କରୁଥିବା ଆବଶ୍ୟକ। ଗାଇବାର ସଉକ ଥିଲେ ଶିଖ ଓ ଅଭ୍ୟାସ ଜାରି ରଖ ଏବଂ ଭଗବାନଙ୍କର ଆଶୀର୍ବାଦକୁ ଅପେକ୍ଷା କର।

ମୂଳ ଲେଖା - ଡାଃ ଅରବିନ୍ଦ ଯାଦବ

ଭାଷାନ୍ତର - ରୁଚି ପାଣିଗ୍ରାହୀ

Add to
Shares
10
Comments
Share This
Add to
Shares
10
Comments
Share
Report an issue
Authors

Related Tags