EDITIONS
Odia

ଉଦାରୀକରଣର ପଚିଶ ବର୍ଷ: ଆଶା ଓ ବିଶ୍ଵାସର ଯୁଗ

Team Odia
24th Jul 2016
Add to
Shares
0
Comments
Share This
Add to
Shares
0
Comments
Share

ମୁଁ ଏକ ବିଶ୍ଵବିଦ୍ୟାଳୟରେ ପଢ଼ୁଥିଲି ଯାହା ତା'ର ବାମପନ୍ଥୀ ଆଦର୍ଶ ପାଇଁ ବିଖ୍ୟାତ ଥିଲା। ମୁଁ ଯେତେବେଳେ କ୍ୟାମ୍ପସ ଭିତରକୁ ଆସିଲି ସେତେବେଳେ ସେଠାରେ ମାର୍କ୍ସବାଦ-ଲେନିନବାଦର ଚର୍ଚ୍ଚା ଜାରୀ ଥିଲା। ସୋଭିଏତ ଯୁନିଅନ, ଅବକ୍ଷୟର ଯଥେଷ୍ଟ ସଂକେତ ସତ୍ତ୍ୱେ ବି ବିଶ୍ଵର ପ୍ରମୁଖ ଶକ୍ତି ଭାବେ ପରିଗଣିତ ହେଉଥିଲା। ସୋଭିଏତ ଯୁନିଅନ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ମିଖାଇଲ ଗୋର୍ବାଚୋଭ ପେରିଷ୍ଟ୍ରୋଇକା ଓ ସୋଭିଏତ ସମାଜର ସଂସ୍କାର ବିଷୟରେ କହୁଥାନ୍ତି।କିନ୍ତୁ କାହାର ବି ଧାରଣା ନଥିଲା ଯେ ଏତେ ଶୀଘ୍ର ସୋଭିଏତ ୟୁନିଅନ ସମେତ ପୂର୍ବ ୟୁରୋପୀୟ କମ୍ୟୁନିଷ୍ଟ ରାଷ୍ଟ୍ର ପୁଞ୍ଜଗୁଡ଼ିକର ପତନ ହୋଇଯିବ। ଭାରତ ବି ବାମ ଆଦର୍ଶରେ କବଳିତ ଥିଲା। ଘରୋଇକରଣ ଏବଂ ବଜାର ଅର୍ଥନୀତି ଥିଲା ଏକ ପ୍ରତିକ୍ରିୟାଶୀଳ ତତ୍ତ୍ଵ! ଭାରତ ସଗର୍ବେ ମିଶ୍ରିତ ଅର୍ଥନୀତିକୁ ବଢ଼ାଉଥାଏ ତୃତୀୟ ବିଶ୍ଵରାଷ୍ଟ୍ରମାନଙ୍କର ଆଦର୍ଶ ମଡେଲ ଭାବେ। କିନ୍ତୁ ମୁଁ ୧୯୯୪ରେ ଯେତେବେଳେ ଜେଏନୟୁ ଛାଡ଼ିଲି ସେତେବେଳେ ଜାତୀୟ ନୀତିରେ ପରିବର୍ତ୍ତନ ଘଟିଥିଲା।

image


ବଜାର ଆଉ ନଥିଲା ମନ୍ଦଗ୍ରହ ଅବା ଗର୍ହିତ; ବ୍ୟକ୍ତିଗତ ଉଦ୍ୟୋଗ ପାଇଲା ପ୍ରୋତ୍ସାହନଏବଂ ଶିଳ୍ପ ଓ ଅର୍ଥନୀତିକୁ ଲାଇସେନ୍ସ ପର୍ମିଟ ରାଜରୁ ମୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ ହେଲା । ଅର୍ଥନୀତି ଲମ୍ଫ ନେବାକୁ ପ୍ରସ୍ତୁତ ହେଲା। ସବୁକିଛି ଭଲ ଦେଖାଗଲା। ..

ମୁଁ ଯେତେବେଳେ ଅଶୀ ଦଶକର ଶେଷଆଡ଼କୁ ବିଶ୍ଵବିଦ୍ୟାଳୟରେ ଭର୍ତ୍ତି ହୋଇଥିଲି ସେତେବେଳେ ଏସଟିଡ଼ି ଫୋନ ବୁଥ ଏକ ନୂଆ ଜିନିଷ ଥିଲା। ଦିଲ୍ଲୀର କୋଣେ କୋଣେ ଏହା ଛତୁ ଫୁଟିଲା ପରି ଛାଇ ହୋଇଯାଇଥିଲା। କ୍ୟାମ୍ପସରେ ଲୋକେ ରାତି ଏଗାରଟାପରେ ଏସଟିଡ଼ି ଫୋନ ବୁଥ ପାଖରେ ଲାଇନ ଲଗାଉଥିଲେ। କାରଣ ସେତେବେଳେ ଏସଟିଡ଼ି କଲ ଦର ଏକ ଚତୁର୍ଥାଂଶ ହୁଏ। ଏହା ମୋବାଇଲ ଓ ହ୍ଵାଟ୍ସଆପ ଯୁଗର ପୂର୍ବ କଥା। ଆଜି ପରି ସେତେବେଳେ ସୁବିଧା ନ ଥିଲା ,ଯେମିତି ସ୍ମାର୍ଟ ଫୋନରେ ଛୁଇଁ ଦେଲେ ତମେ ପୃଥିବୀର ଏକ କୋଣରୁ ଆଉ ଏକ କୋଣକୁ କଥା ହୋଇ ପାରିବ। ଲ୍ୟାଣ୍ଡ ଲାଇନ ମାଧ୍ୟମରେ ଗୋଟିଏ ସହରରୁ ଆଉ ଏକ ସହରକୁ କଥା ହେବା ପାଇଁ ଦୁଇ ତିନି ଘଣ୍ଟା ନଷ୍ଟ କରିବାକୁ ହେଉଥିଲା। ଆମକୁ ଟ୍ରଙ୍କକଲ ବୁକ କରି ନିଜ ପ୍ରିୟଜନଙ୍କ ସ୍ଵର ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ହେଉଥିଲା।

ବିମାନବନ୍ଦର ଥିଲା ହାତଗଣତି ଏବଂ ସେଗୁଡ଼ିକ ଥିଲା ନିହାତି ସାଧାରଣ, ଅର୍ଡିନାରୀ। ଦିଲ୍ଲୀର ଆନ୍ତର୍ଜାତିକ ବିମାନବନ୍ଦର ଥିଲା ଦିଲ୍ଲୀ ରେଳଷ୍ଟେସନ ଠାରୁ ସାମାନ୍ୟ ଭଲ। ମଧ୍ୟବିତ୍ତମାନେ କ୍ଵଚିତ ବିମାନଯାତ୍ରା କରୁଥିଲେ। ତାହା ଥିଲା କେବଳ ସମାଜର ଧନାଢ୍ୟ ବର୍ଗଙ୍କର ବିଳାସ ଭାବେ ସଂରକ୍ଷିତ । ଆଜିପରି ଏତେ ଘରୋଇ ପ୍ରତିଯୋଗିତା ପୂର୍ଣ୍ଣ ବିମାନସେବା ନ ଥିଲା। ତା'ପରେ ଅଳ୍ପ କିଛି ସହର ବିମାନସେବାଦ୍ଵାରା ସଂଯୁକ୍ତ ଥିଲେ। ମଲ୍ଟିପ୍ଲେକସ କ'ଣ ଆମେ ଶୁଣି ନ ଥିଲୁ। ସିନେମା ଦେଖିଯିବା କୌଣସି ପରିବାର ପାଇଁ ଏକ ବଡ଼ ଉତ୍ସବ ଭାବେ ଜଣାଯାଉଥିଲା। କେବଲ ଟିଭି ତ ନ ଥିଲା।କେବଳ ଦୂରଦର୍ଶନ ଥିଲା ଓ ସେଥିରେ କେବଳ ରବିବାର ଦିନ ଥରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା । ଦୂରଦର୍ଶନ ମଧ୍ୟ ଟିଭି ସମ୍ବାଦର ଏକ ମାତ୍ର ସ୍ରୋତ ଥିଲା, ଯାହାକି କଡ଼ା ସରକାରୀ ନିୟନ୍ତ୍ରଣ ଅଧୀନରେ ଥିଲା। ନା ଥିଲା ଘରୋଇ ଚ୍ଚ୍ୟାନେଲ ନା ପ୍ରାଇମଟାଇମ ଟିଭି ଡିବେଟ। ଗୋଟିଏ ପ୍ରଜାତି ଭାବରେ ଆଙ୍କର ମାନେ ଆହୁରି ଜନ୍ମ ନେବାକୁ ବାକି ଥିଲା। ପରଦାରେ କେବଳ ଶୋଭା ପାଉଥିଲେ ସମ୍ବାଦ ପାଠକ ବା ପାଠିକା ମାନେ। ଟିଆରପି ପାଇଁ କେହି ବ୍ୟସ୍ତ ନ ଥିଲେ। ପ୍ରଥମ ଉପସାଗରୀୟ ଯୁଦ୍ଧ ସମୟରେ ହିଁ ମୁଁ ପ୍ରଥମ ଥର ପାଇଁ CNN କେବଲ ନ୍ୟୂଜ ଚ୍ୟାନେଲ ବିଷୟରେ ଜାଣିଲି। ଆଉ ସେତେବେଳେ ହିଁ ଭାରତରେ ପ୍ରଥମେ ଲାଇଭ କଭରେଜ ପ୍ରସାରିତ ହୋଇଥିଲା।

ଭାରତୀୟ ଅର୍ଥନୀତି ଦ୍ରୁତଗତିରେ ଧାଉଁନଥିଲା।ଏହା ଏକ ଗରିବ ଦେଶ ଥିଲା ଯାହାକି ରାସ୍ତାରେ ବୁଲୁଥିବା ସାପୁଆ କେଳା,ସାଧୁ ଓ ଗାଈମାନଙ୍କ ପାଇଁ ପ୍ରସିଦ୍ଧ ଥିଲା। ଏହା ସୋଭିଏତ ୟୂନିଅନ ଓ ଆମେରିକା ମଧ୍ୟରେ ଏକ ଧର୍ମ ସଙ୍କଟରେ ଝୁଲୁଥିଲା। ଦୁନିଆ ମଧ୍ୟ ଆଦର୍ଶଗତ ଭାବେ ଦୁଇଟି ଗୋଷ୍ଠୀ - ସାମ୍ୟବାଦୀ ଓ ପୁଞ୍ଜିବାଦୀ ମଧ୍ୟରେ ବିଭକ୍ତ ଥିଲା। ଭାରତ ଦୁର୍ନୀତିରେ ବୁଡ଼ିଥିଲା;ଏବଂ ବୋଫର୍ସ ମାମଲା ହୋଇଥିଲା କଂଗ୍ରେସପାଇଁ କାଳ। ୧୯୯୧ରେ ହିଁ ଦେଖିବାକୁ ମିଳିଲା ପରିବର୍ତ୍ତନର ସଂକେତ। ନରସିଂହ ରାଓ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଦେଶ ଥିଲା, ଦେବାଳିଆ ହେବା ଉପରେ। ଏହା ଆନ୍ତର୍ଜାତିକ ଋଣ ପରିଶୋଧ କରିବା ଅବସ୍ଥାରେ ନ ଥିଲା। ଦେଶ ପାଇଁ ଆବଶ୍ୟକ ଥିଲା କଡ଼ା ପଦକ୍ଷେପ । ସାମ୍ୟବାଦୀ ମଡେଲ ଆଉ ସ୍ପୃହଣୀୟ ନ ଥିଲା । ଭାରତର ମିଶ୍ରିତ ଅର୍ଥନୀତି ମଧ୍ୟ ଶୋଚନୀୟଭାବେ ବିଫଳ ହୋଇଥାଏ। ଭାରତୀୟ ଅର୍ଥନୀତିକୁ ଉନ୍ମୁକ୍ତ କରିବା ବ୍ୟତୀତ ଆଉ କିଛି ବିକଳ୍ପ ନ ଥାଏ । ଲାଇସେନ୍ସ ପର୍ମିଟ ରାଜକୁ ବିଦାୟ ଦେବା ହୋଇଥିଲା ଅନିର୍ବାର୍ଯ୍ୟ। ବଜାର ଅର୍ଥନୀତିକୁ ଲାଭହାସଲ କରିବା ଓ ପ୍ରତିଯୋଗିତା ମନୋବୃତ୍ତି ସହିତ ପ୍ରବର୍ତ୍ତନ କରିବା ବିଧେୟ ହୋଇପଡ଼ିଥିଲା। ଏତେଦିନ ଧରି ପ୍ରଭାବଶାଳୀ ହୋଇଥିବା ପୁରୁଣା ଅର୍ଥନୈତିକ ସଂସ୍କୃତିକୁ ଭାଙ୍ଗିବା ଏତେ ସହଜ ନ ଥିଲା। ସୌଭାଗ୍ୟବଶତଃ ମାର୍କ୍ସଙ୍କ ଭବିଷ୍ୟବାଣୀ ଅନୁସାରେ ରାଷ୍ଟ୍ର ମଉଳିଯିବା ପରିବର୍ତ୍ତେ ସାମ୍ୟବାଦ ବରଂ ମଉଳି ଯାଇଥିଲା। ନରସିଂହ ରାଓ ଏକ ସାହସିକ ପଦକ୍ଷେପ ନେଲେ। ଜଣେ ଟେକ୍ନୋକ୍ରାଟଙ୍କୁ ଦେଶର ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେବା ତାଙ୍କ ପକ୍ଷରେ ଏକ ଅଭାବନୀୟ ନିଷ୍ପତ୍ତି ଥିଲା। ମୋ ମତରେ ସ୍ଵାଧୀନତା ପର ଭାରତରେ ଏପରି ଏକ ନିଷ୍ପତ୍ତି ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ଥିଲା ଯାହାକି ଜାତିର ରୂପରେଖ ବଦଳାଇଦେଇ ପାରିଥିଲା। ଶ୍ରୀ ରାଓଙ୍କ ପାଇଁ ଏହା ଏକ ସହଜ କାମ ନ ଥିଲା। ମୁଁ ସେତେବେଳେ ଜଣେ ଯୁବ ସାମ୍ବାଦିକ ଥିଲି ଏବଂ ମୋର ମନେଅଛି ଦେଶ କିଭଳି ଭାବେ କମ୍ପ୍ୟୁଟର ପ୍ରଚଳନର ଘୋର ବିରୋଧ କରିଥିଲା। କିଛି ସାମ୍ବାଦିକ ମଧ୍ୟ ଏ ବିରୋଧରେ ସାମିଲ ଥିଲେ। ଏକ ସାଧାରଣ ମାନସିକତା ସୃଷ୍ଟି କରାଯାଇଥିଲା କି କମ୍ପ୍ୟୁଟର ପ୍ରଚଳନ ଦ୍ଵାରା ଲୋକଙ୍କ ଚାକିରି ଚାଲିଯିବ ଏବଂ ବେକାରି ସମସ୍ୟା ବଢ଼ିବ,ଏବଂ IMF, World Bank, WTO ଜରିଆରେ ପୁଞ୍ଜିବାଦୀ ବ୍ୟବସ୍ଥା ଆଉଥରେ ଭାରତକୁ ଉପନିବେଶରେ ପରିଣତ କରିବ। ବୃହତ ବହୁଦେଶୀୟ କମ୍ପାନୀମାନେ ଇଷ୍ଟଇଣ୍ଡିଆ କମ୍ପାନୀ ପରି ଭାରତକୁ ପୁନର୍ବାର ଦାସତ୍ଵ ଆଡ଼କୁ ନେବେ ଏବଂ ମୁକ୍ତ ବଜାରରୁ କେବଳ ମୁଷ୍ଟିମେୟ ଧନିକ ଶ୍ରେଣୀ ଉପକୃତ ହେବେ ବୋଲି ବହୁ ସଂଖ୍ୟକ ବୁଦ୍ଧିଜୀବୀ ଚିତ୍ରଣ କଲେ। କିନ୍ତୁ ରାଓ ଅବିଚଳିତ ରହିଲେ। ସେ ରାଜନୀତିକୁ ସମ୍ଭାଳିବା ଦାୟିତ୍ଵ ନେଲେ ଏବଂ ମନମୋହନ ସିଂହ ଅର୍ଥନୀତି ସମ୍ଭାଳିଲେ। ଏହି ଯୋଡ଼ି ଅଭୂତପୂର୍ବ ସଫଳତା ଆଣିପାରିଲେ ଏବଂ ଯେତେବେଳେ ନରସିଂହ ରାଓଙ୍କ ପାଖରେ ଆଉ ଲୋକଙ୍କର ଓ ଦଳର ସମର୍ଥନ ନ ଥିଲା ସେତେବେଳକୁ ଭାରତୀୟଅର୍ଥନୀତିର ରାସ୍ତା ଅପରିବର୍ତ୍ତନୀୟ ଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ଦେବେଗୌଡ଼ ଓ ଗୁଜରାଲଙ୍କ ସରକାର ଆସିଲା ସେତେବେଳେ ମଧ୍ୟ ସେମାନେ ସେହି ନୀତିକୁ ଚଳାଇରଖିଲେ ଯଦିଓ ସେମାନଙ୍କର ସହଯୋଗୀ ବାମଦଳ ଘରୋଇକରଣର ବିରୋଧୀ ଥିଲେ। ବାଜପେୟୀ ସରକାର ମଧ୍ୟ ପୁରା ଦମରେ ବିକାଶର ଢାଞ୍ଚାଗତ ସଂସ୍ଥାନର ଉନ୍ନତିରେ ଗୁରୁତ୍ଵ ଦେଲେ। ୨୦୦୪ରେ ବାଜପେୟୀ ଯେତେବେଳେ ଭୋଟରେ ହାରିଲେ ସେତେବେଳେ ଭାରତୀୟ ଅର୍ଥନୀତି ଏକ ଉଚ୍ଚତର ସ୍ତରକୁ ଯାଇସାରିଥିଲା। ସେତେବେଳେ ବିକାଶର ଅଭିବୃଦ୍ଧି ହାର ଥିଲା ଶତକଡ଼ା ୯ ଯାହା (୨୦୦୮ ବ୍ୟତୀତ ଯେଉଁ ସମୟରେ ବିଶ୍ଵ ଅର୍ଥନୀତି ମାନ୍ଦାବସ୍ଥାର ଶିକାର ହୋଇଥିଲା,) ୨୦୧୧ ପର୍ଯ୍ୟନ୍ତ କାଏମ ରହିଥିଲା। ଆଜି ସମଗ୍ର ବିଶ୍ଵରେ ଦ୍ରୁତତମଅର୍ଥନୀତି ହେଉଛି ଭାରତୀୟଅର୍ଥନୀତି ।

ଆଜି ମୁଁ ଏହା ଲେଖିଲାବେଳେ ଭାରତ ଏହାର ଅର୍ଥନୈତିକ ଉଦାରୀକରଣ ଆରମ୍ଭର ରୌପ୍ୟ ଜୁବୁଲି ପାଳନ କରୁଛି। ମୁଁ ଦେଖୁଛି ଗତ ୨୫ ବର୍ଷରେ ଭାରତ ବଦଳୁଛି।ଆଜି ଭାରତକୁ ଆଉ ଏକ ଗରିବ ଦେଶ ବୋଲି କୁହାଯାଉନି। ଏହାକୁ ଭବିଷ୍ୟତର ସୁପର ପାୱାର ଭାବରେ ଦେଖାଯାଉଛି। ଏକ ନୂତନ ମଧ୍ୟବିତ୍ତ ଶ୍ରେଣୀର ଅଭ୍ୟୁଦୟ ଘଟିଛି।ସାଧାରଣ ଜନତାର କ୍ରଯଶକ୍ତି ବୃଦ୍ଧି ପାଇଛି। ବାହାରେ ଖାଇବା ଆଜି ଅଳ୍ପ କେତେକଙ୍କର କେବଳ ବିଳାସ ନୁହେଁ ବରଂ ଅନେକଙ୍କର ଅଭ୍ୟାସରେ ପରିଣତ। ଲୋକମାନେ ବିଶ୍ୱର ଦାମୀ ବ୍ରାଣ୍ଡ ସବୁ କିଣୁଛନ୍ତି। ପ୍ରତିଦିନ ଏକ ନୂଆ ମଲ'ର ନିର୍ମାଣ ହେଉଛି। ଭାରତ ବୃହତ୍ତମ ଉପଭୋକ୍ତା କେନ୍ଦ୍ରରେ ପରିଣତ ହୋଇଛି। ଅନେକ ଭାରତୀୟ କମ୍ପାନୀ ବିଦେଶ ଯାଇଛନ୍ତି ଏବଂ ଆନ୍ତର୍ଜାତିକ ବ୍ରାଣ୍ଡ ଗୁଡ଼ିକ ସହିତ କଡ଼ା ପ୍ରତିଯୋଗିତା କରୁଛନ୍ତି। ଆଜି ଭାରତୀୟ ସିଇଓ ମାନଙ୍କର ସୁନାମ ଅଛି ଏବଂ ଏପରକି ଗୁଗୁଲ,ମାଇକ୍ରୋସଫ୍ଟ ,ଓ ପେପ୍ସି ପରି ବହୁରାଷ୍ଟ୍ରୀୟ କମ୍ପାନୀମାନେ ସେମାନଙ୍କୁ ଲୋଡୁଛନ୍ତି। ସିଲିକନ ଭାଲି ବିପ୍ଳବରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।

୧୯୯୧ରେ ଆମ ଆଖପାଖରେ ବହୁତ କମ ଲୋକଙ୍କର କାର ଥିଲା; ଆଜି ପ୍ରାୟ ସମସ୍ତଙ୍କ ପାଖରେ ଗୋଟିଏ ଚାରିଚକିଆ ଅଛି। କିଛି ପରିବାରଙ୍କର ତ ଏକରୁ ଅଧିକ ଅଛି।ଭାରତର ଆତ୍ମବିଶ୍ଵାସ ବଢ଼ିଛି। ଏହା ପ୍ରତିଯୋଗିତାକୁ ଭୟ କରୁନାହିଁ ଏବଂ ଭାରତ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଦାସ ହେବାକୁ ଯାଉଛି ବୋଲି କୁହାଯାଉନି। ଭାରତୀୟମାନଙ୍କୁ ସାରାବିଶ୍ଵରେ ସମ୍ମାନ ମିଳୁଛି। ଏବଂ ଭାରତ ବିଦେଶୀ ପୁଞ୍ଜି ନିବେଶର ଏକ ଇପ୍ସିତ ଲକ୍ଷ୍ୟସ୍ଥଳ ହୋଇଛି। ବଜାର ଆଉ ଏକ ଖରାପ ଶବ୍ଦ ହୋଇ ରହିନାହିଁ।

କିନ୍ତୁ ଆହୁରି ବହୁତ କିଛି କରିବାକୁ ଅଛି। ଦୁର୍ନୀତି ପ୍ରବଳ ହୋଇଛି, ଗରିବ ଓ ଧନୀ ମଧ୍ୟରେ ଫାଙ୍କ ଆହୁରି ବଢ଼ିଛି। ନାଲି ଫିତା'ର ଦୌରାତ୍ମ୍ୟ ଆହୁରି କମିନି! ଭାରତକୁ ଶିକ୍ଷା ଓ ସ୍ୱାସ୍ଥ୍ୟଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ଯଦି ଏହା ବିଶ୍ଵକୁ ଜୟ କରିବାକୁ ଚାହୁଁଥାଏ। ଆମର ଗଣତନ୍ତ୍ର ଏବେ ବି ବିଶୃଙ୍ଖଳିତ। କିନ୍ତୁ ଗତ ୨୫ ବର୍ଷକୁ ଆଶା ଓ ବିଶ୍ଵାସର ଏକ ଯୁଗ ବୋଲି ଅଚିରେ କୁହାଯାଇପାରେ।

ମୁଁ ଗଭୀର ଭାବେ ଆଶାବାଦୀ ଏବଂ ବର୍ତ୍ତମାନର ଅସ୍ଥିରତା ସତ୍ତ୍ୱେ ଭାରତ ପାଇଁ ଏକ ଉଜ୍ଜ୍ଵଳ ଭବିଷ୍ୟତ ଦେଖିପାରୁଛି। 

Disclaimer: ଆଶୁତୋଷ ଜଣେ ସାମ୍ବାଦିକ ଓ AAPର ନେତା। ଲେଖାର ସମସ୍ତ ମତ ଓ ମନ୍ତବ୍ୟ ଏକାନ୍ତ ଭାବେ ଲେଖକଙ୍କର ବ୍ୟକ୍ତିଗତ। 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags