EDITIONS
Odia

ଓଡ଼ିଶାର ଲୋକକଳାକୁ ଫ୍ୟାଶନର ରୂପ ଦେଉଛନ୍ତି ସିଦ୍ଧାର୍ଥ ପଟ୍ଟନାୟକ

9th Apr 2016
Add to
Shares
0
Comments
Share This
Add to
Shares
0
Comments
Share

ଆଦିବାସୀ ବହୁଳ କୋରାପୁଟ ଜିଲ୍ଳାରେ ରହିଛି ତାଙ୍କର ସିଲାଇ କାରଖାନା । ସେଠାରେ ଲୋକମାନେ ଲୋକପ୍ରିୟ କୋଟପାଡ ଡିଜାଇନକୁ କପଡ଼ା ଉପରେ ଫ୍ୟାଶନର ରୂପ ଦେବାରେ ଲାଗିଛନ୍ତି । ଲୋକମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଛନ୍ତି ଓଡ଼ିଶାର ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ପଟ୍ଟନାୟକ। କୋରାପୁଟର ପାରମ୍ପରିକ ଆଦିବାସୀ ଡିଜାଇନକୁ ନେଇ ସେ ପ୍ରସ୍ତୁତ କରିଛନ୍ତି ଅନେକ ଫ୍ୟାଶନ ସାମଗ୍ରୀ । ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ସାମଗ୍ରୀଗୁଡ଼ିକ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବା ସହ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । ସେ ଚମ୍ପା ଔର ଚିଣ୍ଟି ନାମକ ବ୍ରାଣ୍ଡ୍ ନାମରେ ନିଜର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ସେ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଶାଲ, ଶାଢ଼ୀ ଓ ଗାମୁଛା ଡିଜାଇନ କରିବାର କାମ ଶିଖାଉଛନ୍ତି ।

image


ଓଡ଼ିଶାର ପୋଷାକ ଡିଜାଇନ ସବୁ ବେଳେ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇଥାଏ । ପ୍ରକୃତିର ସୌନ୍ଦର୍ଯ୍ୟ ସବୁ ବେଳେ ସେଥିରେ ଦେଖିବାକୁ ମିଳିଥାଏ । ସିଦ୍ଧାର୍ଥ ପ୍ରକୃତିର ଏହି ଶୋଭାକୁ ନିଜ କଲେକ୍ସନରେ ସ୍ଥାନ ପ୍ରଦାନ କରନ୍ତି । ସେ ପାରମ୍ପରିକ ଓଡ଼ିଆ ଲୋକକଳାକୁ ଆଧୁନିକ ଫ୍ୟାଶନ ସହ ମିଶାଇ ଏଭଳି ପୋଷାକ ଓ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥିବା ବେଳେ ଆଧୁନିକ ମଧ୍ୟ ଲାଗୁଛି । ସେଥିପାଇଁ ତାଙ୍କ କଲେକ୍ସନଗୁଡ଼ିକ ବହୁତ ସଫଳ ହୋଇପାରିଛି ।

image


ଲୋକକଳାକୁ ଫ୍ୟାଶନ ରୂପ ପ୍ରଦାନ କରିବାର କାମ ସେ ଚମ୍ପା ଔର ଚିଣ୍ଟି ବ୍ରାଣ୍ଡ୍ ଖୋଲିବା ପରେ ଆରମ୍ଭ କରିଥିଲେ । ଦିଲ୍ଲୀର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜି (ଏନଆଇଏଫଟି)ରେ ପାଠ ପଢ଼ିଥିବା ସିଦ୍ଧାର୍ଥ ସବୁ ବେଳେ ପ୍ରାକୃତିକ ରଙ୍ଗକୁ ନେଇ କାମ କରିବାକୁ ପସନ୍ଦ କରନ୍ତି । ସେ କୋରାପୁଟର କୋଟପାଡକୁ ଏଥିପାଇଁ ଚୟନ କରିଛନ୍ତ କାରଣ ସେଥିରେ ବିଶେଷ ଭାବେ ଗାଢ଼ ନୀଳ ରଙ୍ଗ ଓ ଲାଲ ରଙ୍ଗ ବ୍ୟବହାର ହୋଇଥାଏ । କୋଟପାଡରେ ଏଭଳି ରଙ୍ଗ ବ୍ୟବହାର ହୋଇଥାଏ ଯାହାକୁ ଦେଖିଲେ ତାହା ସମ୍ପୂର୍ଣ୍ଣ ପ୍ରାକୃତିକ ଭଳି ମନେ ହେବ । ସେ କହନ୍ତି ଯେ, 

image


ଭାରତରେ ଯେଉଁ କିଛି ସ୍ଥାନରେ ପ୍ରାକୃତିକ ରଙ୍ଗକୁ ନେଇ କାମ ହେଉଛି ସେଥି ମଧ୍ୟରୁ ବହୁତ କିଛି ଓଡ଼ିଶାରେ ରହିଛି । କୋରାପୁଟ ସେଥିରୁ ଅନ୍ୟତମ ।

କୋରାପୁଟର ଦୁଇଟି ସଂପ୍ରଦାୟ କୋଟପାଡ ପ୍ରସ୍ତୁତ କରିବାରେ କାମ କରୁଛନ୍ତି । ସାନ୍ତାଳମାନେ କୋଟପାଡ ପାଇଁ ସୁତା ସଂଗ୍ରହ କରିବା କାମ କରନ୍ତି । ତାହାକୁ ରଙ୍ଗ ମଧ୍ୟ ଦିଅନ୍ତି । ପାଣିକା ସଂପ୍ରଦାୟର ଲୋକମାନେ ତାହାକୁ ବୁଣିବା କାମ କରନ୍ତି । ସୁତାକୁ ରଙ୍ଗ କରିବା କାମ ମହିଳାମାନେ କରନ୍ତି । ବେଳେ ବେଳେ ପୁରୁଷମାନେ ସେଥିରେ ତାଙ୍କୁ ସାହାଯ୍ୟ କରନ୍ତି । କିନ୍ତୁ ବୁଣାବୁଣି କାମ ଅଧିକାଂଶ ପୁରୁଷମାନେ କରନ୍ତି । ଏବେ ମହିଳାମାନେ ମଧ୍ୟ ଏହି କାମ କରୁଛନ୍ତି ।

କୋଟପାଡ ପାଇଁ ଯେଉଁ ସୂତା ସଂଗ୍ରହ କରାଯାଇଥାଏ ପ୍ରଥମେ ତାହାକୁ ଗାଈ ଖତରେ ଗୋଳାଇ ୨୦ ଦିନ ରଖାଯାଏ । ଉତ୍କଳିକା ଜରିଆରେ ବୁଣାକାରମାନେ କୋଟପାଡ କାମ କରୁଛନ୍ତି । ଏ ଦିଗରେ ଉତ୍କଳିକା ସେମାନଙ୍କୁ ବହୁତ ସାହାଯ୍ୟ କରୁଛି । କୋଟପାଡରେ ସାଧାରଣତଃ ଆଦିବାସୀମାନଙ୍କ ଜୀବନ କାହାଣୀ ଦେଖିବାକୁ ମିଳେ । ଏହା ବ୍ୟତୀତ ଏଥିରେ ମନ୍ଦିର, ପକ୍ଷୀ, ଫୁଲ, ପତ୍ର, ଶଂଖ, ଟାଙ୍ଗିଆ ଓ ଅସ୍ତ୍ର ଆଦି ଦେଖିବାକୁ ମିଳେ ।

image


ସିଦ୍ଧାର୍ଥ ଢ଼େଙ୍କାନାଳର ବହୁ ଚର୍ଚ୍ଚିତ ଗହଣା ଡିଜାଇନ୍ ଧୋକ୍ରାକୁ ନିଜ ଡିଜାଇନରେ ସାମିଲ ମଧ୍ୟ କରୁଛନ୍ତି । ସେ ଏଭଳି ଡିଜାଇନ୍ ପ୍ରସ୍ତୁତ କରୁଥିବା ବିଷୟରେ କହନ୍ତି ଯେ, ଆମେ ଲୋକମାନଙ୍କ ପାଇଁ ଆଦିବାସୀ କଳାକୁ ନେଇ ଅନେକ ପ୍ରକାର ପୋଷାକ ପ୍ରସ୍ତୁତ କରିଦେଉ, କିନ୍ତୁ ସେହି ପୋଷାକ ସହିତ କେଉଁ ଗହଣା ପିନ୍ଧିବାକୁ ହେବ ତାହା ଲୋକମାନେ ସହଜରେ ଚୟନ କରିପାରନ୍ତି ନାହିଁ । ସେଥିପାଇଁ ଡୋକରା ଆଦିବାସୀ ଗହଣା ଡିଜାଇନକୁ ନେଇ ଆମେ ଗହଣା ପ୍ରସ୍ତୁତ କରି ସେମାନଙ୍କୁ ଯୋଗାଇ ଦେଉଛୁ । ପୁରୁଷମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା କୁର୍ତାର ବଟନ ଗୁଡିକୁ ସେ ଧୋକ୍ରାର ରୂପ ଦେଉଛନ୍ତି । ସିଦ୍ଧାର୍ଥ ତାମିଲନାଡୁର ଗାନ୍ଧୀ ଗ୍ରାମ ଟ୍ରଷ୍ଟରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିବାର ତାଲିମ ନେଇଛନ୍ତି ।

ସିଦ୍ଧାର୍ଥ ଓ ତାଙ୍କ ୬ ଜଣିଆ ଟିମ ଏବେ ପଟ୍ଟଚିତ୍ର ଓ ଚାନ୍ଦୁଆ ଡିଜାଇନକୁ ମଧ୍ୟ ଏକ ଫ୍ୟାଶନେବଲ ରୂପ ପ୍ରଦାନ କରୁଛନ୍ତି । ଏହାକୁ ବ୍ୟବହାର କରି ସେମାନେ ପୋଷାକ, ଜୋତା ଆଦି ପ୍ରସ୍ତୁତ କରୁଛନ୍ତି । ପଟ୍ଟଚିତ୍ର ଜଗନ୍ନାଥ ପରମ୍ପରା ସହ ଜଡ଼ିତ । କିନ୍ତୁ ଧର୍ମୀୟ ଭାବନାକୁ ଆଘାତ ପହଂଚିବା ଭଳି କୌଣସି ଡିଜାଇନ୍ ସେମାନେ ନିଜ ସାମଗ୍ରୀରେ ବ୍ୟବହାର କରୁନାହାନ୍ତି । 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags