EDITIONS
Odia

୨୦୧୬ରେ ଆମେ କେତେ ଉର୍ବର ହୋଇ ପାରିବା?

12th Jan 2016
Add to
Shares
1
Comments
Share This
Add to
Shares
1
Comments
Share

ମୋ ବୟସର ଜଣେ ନାରୀ ପାଇଁ ଏହା ଏକ ବଡ ପ୍ରଶ୍ନ । ଯାହାକୁ ପରିବାରଠୁ ନେଇ ସମାଜ ଖାସ୍ କରି ମୋ ଜେଜି ମା’ ମୋତେ ପଚାରେ । ସେ ଜାଣିଶୁଣି ବଡ ପାଟିରେ ଏଇ ପ୍ରଶ୍ନକୁ ବାରମ୍ବାର ପଚାରେ । କାରଣ ସମସ୍ତେ ତା’ର ଉତ୍ତର ଶୁଣି ପାରିବେ ଓ ସେମାନଙ୍କର ଧ୍ୟାନ ଆକର୍ଷିତ ହେବ । ପ୍ରଶ୍ନଟି ହେଉଛି ମୁଁ କେବେ ପିଲାପିଲା କରିବାର ଯୋଜନା କରୁଛି ।

ଆଜିକାଲି ବହୁତ ଗୁଡାଏ ପରୀକ୍ଷା ଡାକ୍ତରୀ ବିଦ୍ୟାରେ ରହିଛି ବୋଲି ସେ ମୋତେ କହେ । ମତେ ତା’ର ଏଭଳି କଥା ଆଦୌ ଭଲ ଲାଗେନି । ମୁଁ ବିରକ୍ତ ହୁଏ । ଆମେ କଳି କରୁ । ଆମ ଝଗଡା ଭିତରେ ପ୍ରକୃତ ମାତୃତ୍ୱ ଠାରୁ ଆରମ୍ଭ କରି ଆଧୁନିକତା, କାର୍ଯ୍ୟ ବ୍ୟସ୍ତତା, ବିବାହ ଏବଂ ଏସବୁ ଭିତରର ପ୍ରସଙ୍ଗ ରହିଥାଏ । ଆଉ ସବୁବେଳେ ଜେଜି ମା’ର ଅନ୍ତିମ ଦୁଇ ଧାଡି ଥାଏ- ଯଦି ତୁ ମା’ ହେବା ପାଇଁ ଅସମର୍ଥ, ତାହାଲେ ଦୁଃଖୀ ଓ ଲଜ୍ଜିତ ହେବାର କିଛି ନାହିଁ । ଆଜିକାଲି ବହୁତ କ୍ଲିନିକ୍ ଅଛି, ଯେଉଁଠି ଏସବୁର ଚିକିତ୍ସା କରାଯାଉଛି । ସତେ ନା କ’ଣ ।

image


ମୁଁ ତା’କୁ କୁହେ, ମୁଁ ଦୁଃଖୀ କିମ୍ବା ଲଜ୍ଜିତ ନୁହେଁ । ମୁଁ ସୁସ୍ଥ ଅଛି । ସେ ମୋତେ ଦାରୁଣ ଚାହାଣିରେ ଦେଖେ । ସେଦିନ କଥା ସେଇଠି ସରି ଯାଏ, କିନ୍ତୁ ଆମେ ଯେବେ ପୁଣି ଥରେ ଭେଟୁ, ତା’ର ଏ ଡ୍ରାମା ଆରମ୍ଭ ହୋଇଯାଏ ।

ଏଇ ଗୋଟିଏ ପ୍ରଶ୍ନ ଆମ ପରିବାରକୁ ଯୋଡିକି ରଖିଛି । ଏହା ଆମ ଦେଶରେ ଜାତୀୟ ଖ୍ୟାତି ସମ୍ପନ୍ନ ଏକ ସଂଚାଳକ ଏବଂ ଏହା ସବୁଠୁ ବଡ ପ୍ରସଙ୍ଗ, ଯାହାକୁ ପ୍ରତ୍ୟେକ ପରିବାର ଜାଣିବାକୁ ଚାହାନ୍ତି ।

ଆଜି କିନ୍ତୁ ମୁଁ ଏପ୍ରସଙ୍ଗକୁ ନେଇ ଆଲୋଚନା କରିବିନି । କିନ୍ତୁ ଏହା ସହ ଜଡିତ ଆଉ ଏକ ବିଷୟ ପ୍ରତି ଆଲୋଚନା କରିବି । ଯାହା ପ୍ରତ୍ୟେହ ଆମ ଚେତନାରେ ରହିବା ଉଚିତ୍ । ତା’ ପୂର୍ବରୁ ମୁଁ ଆପଣଙ୍କୁ ଆଉ ଏକ ଗପ କହି ବିରକ୍ତ କରିବି, ଏଣୁ ମୋତେ କ୍ଷମା କରିବେ ।

ଆପଣମାନଙ୍କ ମଧ୍ୟରୁ ଅନେକେ ଯିଏ ଏହାକୁ ଏବେ ପଢ଼ୁଛନ୍ତି ବୋଧ ହୁଏ ଜାଣିଥିବେ କି ୨୦୧୫ ବର୍ଷଟି ଆମ ପାଇଁ ଅର୍ଥାତ୍ ‘Yourstory’ ପାଇଁ ଏକ ସଫଳତାର ବର୍ଷ ଥିଲା । ୭ ବର୍ଷର ରାସ୍ତା ଅତିକ୍ରମ କରିବା ପରେ ଆମେ ସିରିଜ୍ ଏ ଫଣ୍ଡିଙ୍ଗ୍ କରିବାକୁ ସକ୍ଷମ ହେଲୁ, ଆମେ ୨୩,୦୦୦ ବାସ୍ତବ କାହାଣୀକୁ ଲେଖିଛୁ, ଆମେ ଏବେ ୧୨ଟି ଭାରତୀୟ ପ୍ରାଦେଶିକ ଭାଷାରେ ବିଦ୍ୟମାନ, ଆମେ ବିସ୍ତୀର୍ଣ୍ଣ ହୋଇ ଏକ ୬୫ ଜଣିଆ ଶକ୍ତିଶାଳୀ ଦଳ ଗଠନ କରି ପାରିଛୁ, ଆମେ ନୂଆ ନୂଆ ଜିନିଷ ଉପରେ କାମ କରିବା ଆରମ୍ଭ କରିଛୁ, ଅନେକ ନୂଆ ବ୍ରାଣ୍ଡ ଏବଂ ସରକାରୀ ସଂସ୍ଥା ଉପରେ ମଧ୍ୟ । ଏମିତି ଅନେକ କିଛି ହାସଲ କରି ପାରିଛୁ । ଗୋଟିଏ ବର୍ଷ ମଧ୍ୟରେ ଏହା କିଛି କମ୍ କଥା ନୁହେଁ । ଏତେ ବର୍ଷ ଧରି ପାଗଳଙ୍କ ପରି ମୋର ପରିଶ୍ରମର କିଛି ଫଳ ମିଳିଛି ବୋଲି କହିଲେ ଭୁଲ୍ ହେବନି ।

କିନ୍ତୁ ଏତେ ସଫଳତା ଓ ମାଇଲଖୁଣ୍ଟ ଛୁଇଁବା ପରେ ମଧ୍ୟ ମୋ ଭିତରଟା ଜର୍ଜରିତ । ଅନ୍ତରାତ୍ମାରେ ଯନ୍ତଣା ବୋଧ ହେଉଛି । ଭିତରୁ ଏକା ଏକା ଲାଗୁଛି । ଆମ ଏହି ସଂସ୍ଥାର ଫଣ୍ଡ୍ ବଢ଼ିବା, ଯାହାକୁ ନେଇ ଆମେ ସମସ୍ତେ ବେଶ୍ ଖୁସି ଥିଲୁ, କିନ୍ତୁ ମୋ ପାଇଁ ସେଇଟା ହିଁ ଥିଲା ସବୁଠୁ କଦର୍ଯ୍ୟ ସମୟ । ହୃଦୟ ବିଦାରକ କହିଲେ ଠିକ୍ ହେବ । ରାତିକ ଭିତରେ ମୁଁ ଦେଖିଲି ଅନେକ ବନ୍ଧୁ ବଦଳିଗଲେ, ଅନେକଙ୍କ ମୋ ପ୍ରତି ବ୍ୟବହାରରେ ପରିବର୍ତ୍ତନ ଆସିଲା। ବ୍ୟକ୍ତିଗତ ଭାବେ ଯେତେବେଳେ ଏହା ମୋ ହୃଦୟରେ କୁଠାରଘାତ କଲା, ସେତେବେଳେ କିଛି ଯୁବ ଉଦ୍ୟୋଗକାରୀଙ୍କ ତାଚ୍ଛଲ୍ୟ ଏହାକୁ ଆହୁରି ଅବ୍ୟବସ୍ଥିତ କରି ପକାଇଲା । ଏହା ମୋତେ ବିଚଳିତ କଲା । ବାରମ୍ବାର ନିଜକୁ ପ୍ରଶ୍ନ କରିବାକୁ ବାଧ୍ୟ ହେଲି । ଏସବୁ ଭିତରେ ମୁଁ ବଂଚି ପାରିବି ତ!

କାହା ପଛରେ ନରହି ଆଗକୁ ବଢ଼ିବା ପାଇଁ ୨୦୧୫ ବର୍ଷ ଯାକ ଖୁବ୍ ଦୌଡିଲି । ବର୍ଷ ଶେଷରେ ଗଣତି କରି ବସି ଦେଖିଲି, ଏବର୍ଷ ମୁଁ ୬୪ଟି ଇଭେଂଟରେ ବକ୍ତବ୍ୟ ରଖିଛି, ଖାସ୍ କରି ଛୁଟି ଦିନମାନଙ୍କରେ । ମୋ ଟେବୁଲ୍ ଉପରେ ପଡିଥିବା ଭିଜିଟିଂ ବିଜିନେସ୍ କାର୍ଡରୁ ଜାଣିଲି କି ପାଖାପାଖି ୬୦୦୦ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଦେଖା କରିଛି । ମୋତେ ଆସିଥିବା ମେଲ୍ ଭିତରୁ ୬୦୦୦ ମେଲର ଜବାବ ଦେଇଛି ଆଉ ପ୍ରାୟ ୧୦,୦୦୦ ମେଲର ଜବାବ ଦେଇ ପାରିନି । ଯେଉଁ ମାନଙ୍କୁ ପଛରେ କଲ୍ କରିବି କହି କରି ପାରିନି ଅଥବା ଯେଉଁସବୁ ମେଲର ଜବାବ ଦେଇ ପାରିନି, ତାହା ମୋତେ ଦୁଃଖ ଦେଇଛି । ସତ କହିବାକୁ ଗଲେ ମୁଁ ଗୋଟେ ଭୂତ ସାଜିଛି । ସମସ୍ତଙ୍କୁ ବ୍ୟବସ୍ଥିତ କରିପାରିବି, ମୋ ସମୟରୁ କିଂଚିତ୍ ଦେବି କହି ଅନେକଙ୍କୁ ନିରାଶ କରିଛି । ଆଉ ସେମାନେ ଏହାକୁ ନେଇ ରାଗିବା, ଅଭିମାନ କରିବା କିଛି ବଡ କଥା ନୁହେଁ ।

ମୋଟାମୋଟି କହିବାକୁ ଗଲେ, ଯେତେ ଦେଇଛି, ସେତେ ଲୋକମାନେ ଅସନ୍ତୁଷ୍ଟ ହୋଇଛନ୍ତି । ସେମାନେ କହିଲେ, ଆଗରୁ ଯେତେ ଶୀଘ୍ର ମୁଁ ପ୍ରତ୍ୟୁତ୍ତର କରୁଥିଲି ଆଉ ଦେଉନି । ଛାଡି ଚାଲିଗଲେ । ଏହା କେବଳ ମୋ ଭିତରେ ଗୋଟେ ବିଶାଳ ଶୂନ୍ୟତାକୁ ଜନ୍ମ ଦେଲା ।

ଏତେ ବର୍ଷ ପରେ ମୁଁ ନିଃସହାୟ ଅନୁଭବ କଲି । ସହକର୍ମୀଙ୍କ ଠାରୁ ପରିବାର ବର୍ଗ, ଅନେକେ ଭାବିଛନ୍ତି, ମୁଁ ତାଙ୍କ ପାଖରେ ସୁଖରେ ଦୁଃଖରେ ନାହିଁ । ଅନ୍ୟପଟେ ମୋ ମନ ସବୁବେଳେ ମୋତେ କହିଚାଲି ଆସିଛି, ଯଥେଷ୍ଟ ନୁହେଁ, ଆହୁରି କିଛି ଦରକାର । ଏବଂ ଶେଷରେ ଦିନେ ମୁଁ ଏକ ବୈଠକରୁ ଫେରିବା ପରେ ମୋତେ ଅନୁଭୂତ ହୋଇଛି, ମୁଁ କ୍ଳାନ୍ତ, ଏତେ କ୍ଲାନ୍ତ ଯେ କୌଣସି ମୁହୂର୍ତ୍ତରେ ଶୋଇଯିବି ।

ମୋ ଭିତରୁ କିଛି ଚୋରି ହୋଇଯାଇଛି । ସେଦିନ ମୁଁ କାନ୍ଦିଛି, ଖୁବ୍ କାନ୍ଦିଛି । କ’ଣ ସେସବୁ ହେଉଥିଲା, ମୋର ବିଚାର କରିବାର ବି କ୍ଷମତା ନଥିଲା । ୨୦୧୫ର ଶେଷ ଷ୍ଟୋରୀଟି ମୋ କଲମରୁ ଏମିତିକା ରୂପ ନେବ ବୋଲି କ’ଣ ମୁଁ ଚାହୁଁଥିଲି? ପାଖ ଆଖରେ ଘଟିଯାଉଥିବା ଘଟଣା ସମୂହର ଜବାବ ରଖୁଥିଲି, ନିଜ ଷ୍ଟୋରୀର କ’ଣ ମୁଁ ନାୟକ ଥିଲି? ବର୍ଷଯାକ ଅବିଶ୍ରାନ୍ତ ଭାବେ ଦୌଡିବାକୁ ଏକ ସଫଳତା ଭାବୁଥିଲି, ତାକୁ ନେଇ ଗର୍ବ କରୁଥିଲି ଅଥବା ବର୍ଷଟାକୁ ଆହୁରି ଭଲ କରି ପାରିଥା’ନ୍ତି ବୋଲି ବିଚାର କରୁଥିଲି?

ବର୍ଷର ଶେଷ ଆଡକୁ, ନଭେମ୍ବର ବେଳକୁ ମୁଁ ନିଜକୁ ଆଲଗା କରିବାକୁ ଲାଗିଲି । ପରିସ୍ଥିତି ଓ କିଛି ଲୋକଙ୍କ ନିକଟରୁ । ନିଜକୁ ନିଜର ଏକ ସ୍ୱତନ୍ତ୍ର ଇଲାକାରେ ରଖିବାକୁ ଚେଷ୍ଟା କଲି । ନିଜ ମଧ୍ୟରେ ବଂଚିବା ଆରମ୍ଭ କଲି । ମୋ ଭିତରେ ଗୁଣୁଗୁଣାଉ ଥିବା ଛୋଟ ଶିଶୁଟାକୁ ଶୁଣିବାକୁ ଚେଷ୍ଟା କଲି । ଶାନ୍ତି ଓ ଉତ୍ତର ଦୁଇଟି ଯାକ ମିଳିଲା ।

ଏସବୁ ଭିତରେ ମନେ ପଡିଲା ଗୋଟେ କଥା । ଆଜିକୁ ୧୫ ବର୍ଷ ତଳେ ଯେତେବେଳେ ମୁଁ କଲେଜରେ ଥିଲି ଆଉ ଏମିତି ଏକ ପରିସ୍ଥିତି ମଧ୍ୟରେ ଗତି କରୁଥିଲି, ଜଣେ ମନସ୍ତତ୍ୱବିତ୍ ମୋତେ କହିଥିଲେ,

ଭାରତର ଉତ୍ତରରେ ଥିବା ସମତଳ ଭୂମିଗୁଡିକରେ ବିଶ୍ୱର ସବୁଠୁ ଶ୍ରେଷ୍ଠ ଉର୍ବର ମୃତ୍ତିକା ଦେଖାଯାଏ । ଖଣିଜ ପଦାର୍ଥରେ ଭରପୂର ଥିବାରୁ ଏହି ମୃତ୍ତିକାଟି ଉର୍ବର । ଆଉ ଗୋଟେ ବଡ କାରଣ ବି ରହିଛି । ପ୍ରତ୍ୟେକ ଥର ଅମଳ ହୋଇ ସାରିବା ପରେ ଏହି ମାଟି କିଛି ଦିନ ଅନାବାଦୀ ହୋଇ ପଡିରହି । ତାକୁ କିଛି ସମୟ ମିଳେ ନିଶ୍ୱାସ ମାରିବାକୁ, ପୁଣି ଥରେ ନିଜକୁ ସତେଜ କରିବାକୁ । ଫଳରେ ଆଗାମୀ ଚାଷ ସମୟରେ ସେ ନିଜ ଉର୍ବରତାର ପ୍ରମାଣ ପୁଣିଥରେ ଦେଇ ପାରିବ । ଯଦି ଥରେ ଅମଳ ପରେ ତତକ୍ଷଣାତ ଆଉଥରେ ଏହା ଉପରେ ଚାଷ ଆରମ୍ଭ କରି ଦିଆଯାଏ, ତେବେ ତାହା ବିଷାକ୍ତ ଶସ୍ୟ ଉତ୍ପାଦ କରିବ । ମଣିଷ ସହ ବି ଏହି ସମାନ ଦର୍ଶନ ଲାଗୁ ହୁଏ । ଯଦି ଆମେ ଆମ ମଧ୍ୟରେ ଥିବା ମାନସିକ ଓ ଆବେଗିକ ପୃଷ୍ଠଭୂମିର ଯତ୍ନ ନନେବା, ତାହାଲେ ତାହା ଶୂନ୍ୟ ଓ ବିଷାକ୍ତ ହେବା ଆରମ୍ଭ କରିବ । ଏବଂ ଯଦି ଆମେ ଦୀର୍ଷ ସମୟ ଧରି ଏହାକୁ କାର୍ଯ୍ୟରେ ନଲଗାଇବା ତେବେ ମଧ୍ୟ ଏହା ପଚି ସଢ଼ି ନଷ୍ଟ ହୋଇଯିବ । ଏଣୁ କିଛି ସମୟ ଅଟକି ଯାଅ । ନିଜ ପାଇଁ ସମୟ ବାହାର କର । ଆରମରେ ଟିକିଏ ନିଶ୍ୱାସ ନିଅ । ଯଦି ତୁମେ ନିଜକୁ ସମୟ ଦେଇ ପାରିବ ନାହିଁ, ତେବେ ଅନ୍ୟମାନଙ୍କୁ କିଭଳି ସମୟ ଦେବ? ନିଜକୁ ପ୍ରଥମେ ଭଲ ନପାଇଲେ ଅନ୍ୟକୁ କିଭଳି ଭଲ ପାଇବ?

ଏହା ହିଁ ସେଇ କଥା ଥିଲା, ଯାହାକୁ ଏତେ ବର୍ଷ ପରେ ମୁଁ ଭୁଲିଗଲି । ସେଥିପାଇଁ କଷ୍ଟ ପାଇଲି । ପୁଣି ଥରେ ଶୂନ୍ୟ ହେଲି । ଏଣୁ ଗତବର୍ଷ ପୁରା ଡିସେମ୍ବର ମୁଁ ବୁଲିଲି, ଖେଳିଲି, ନାଚିଲି, ମୋଟ ଉପରେ ନିଜ ପାଇଁ ବଞ୍ଚିଲି । ଖୁବ୍ ଉପଭୋଗ କଲି । ଏହା ଏତେ ସହଜ ନୁହେଁ । ଏବଂ ସହଜ ହେବା ଉଚିତ୍ ବି ନୁହେଁ ।

ଜଣେ ବୌଦ୍ଧ ସନ୍ୟାସୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ‘ଦ ମିରାକେଲ୍ ଅଫ୍ ମାଇଣ୍ଡଫୁଲ୍ନେସ୍’(ମୋବି ହୋ’ଙ୍କ ଦ୍ୱାରା ଇଂରଜୀକୁ ଅନୁବାଦ କରାଯାଇଛି) ପଢ଼ିବା ପରେ ମୋତେ ଶକ୍ତି ମିଳିଲା । ମୋ ଫୋନକୁ ବନ୍ଦ କରିଦେବା ମୋତେ ସାହାଯ୍ୟ କଲା । ମୁଁ ଅନୁଭବ କଲି, ଯଦି ମୁଁ କାହାର କଲ ର ଉତ୍ତର ନଦେଉଛି, ତେବେ ଦୁନିଆ ଛିଣ୍ଡି ପଡିବ ନାହିଁ । ଚୁପଚାପ ବସି ନିଜ ସହ ଗୋଟେ କପ୍ କଫି ସେୟାର୍ କଲି । ସବୁଦିନ ସକାଳୁ ଏବେ ମୋର ଦୁଇ କୁକୁରଙ୍କ ସହ ବସି ଚା’ ର ମଜା ନେଉଛି । ଧୀରେ ଧୀରେ ମାନସିକ ଶାନ୍ତି ଆଡକୁ ପାଦେ ପାଦେ ବଢ଼ୁଛି ।

ଏଣୁ ଏହା ହିଁ ମୋର ସବୁ ଉଦ୍ୟୋଗପତିମାନଙ୍କୁ ଉପଦେଶ । 

ଆମେ ସମସ୍ତେ କିଛି ନା କିଛି ପଛରେ ସବୁବେଳେ ଧାଉଁଛେ, କିଛି ଜିନିଷ ଉପରେ ନିଜର ଛାପ ଛାଡିବାକୁ ଇଚ୍ଛୁକ ରହୁଛେ, ଲୋକଙ୍କୁ ସାହାଯ୍ୟ କରୁଛେ, ବଡ କିଛି କରିବାକୁ ଚେଷ୍ଟା କରୁଛେ । ଏସବୁ ଭିତରେ ଆମେ ନିଜକୁ ଭଲ ପାଇବାକୁ ଭୁଲି ଯାଉଛି । ନିଜର ଇଚ୍ଛାକୁ ପରିପୂର୍ଣ୍ଣ କରିବାକୁ, ମନର ଆକାଂକ୍ଷାକୁ ଟିକେ ଆଉଁସି ଦେବାକୁ ବି ସମୟ ପାଉନେ । ଏଣୁ ଏବର୍ଷ, ଯେତେବେଳେ ଆମେ ସଫଳ ହେବାକୁ , ଆଗକୁ ବଢ଼ିବାକୁ ଆଶା ରଖିଛେ, ସେତେବେଳେ ନିଜକୁ ଭଲ ପାଇବାକୁ ଭୁଲିବା ଉଚିତ୍ ନୁହେଁ । ଭିତରୁ ଶୂନ୍ୟ ହୋଇଯିବା ଖୁବ୍ ସହଜ । 

ନିଜ ପ୍ରତି ଅବଜ୍ଞା କଲେ ଏଭଳି ହେବା କିଛି ବଡ କଥା ନୁହେଁ । କିନ୍ତୁ ନିଜ ଭିତରେ ଥିବା ପୃଷ୍ଠ ଭୂମିକୁ ସବୁବେଳେ ଉର୍ବର ରଖିବା ଏକ ବଡ ଶକ୍ତି । ଏହା ଆମକୁ ଆମ କାହାଣୀର ନାୟକ ସଜାଇବ । କାହା ଉପରେ ନ୍ୟସ୍ତ ନକରି, ଚାଲ ୨୦୧୬ରେ ଆମେ ଆମ ଭୂମିକୁ ଉର୍ବର ରଖିବାକୁ ଚେଷ୍ଟା କରିବା । ନିଜର ଯତ୍ନ ନେବା ।

ମୂଳ ଲେଖା - ଶ୍ରଦ୍ଧା ଶର୍ମା

ଭାଷାନ୍ତର - ଜ୍ୟୋତି ପ୍ରକାଶ ମହାପାତ୍ର

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags