EDITIONS
Odia

ସମୁଦ୍ର ଭିତରେ ବିପଦର ବନ୍ଧୁ

ରାଜ୍ୟର ମତ୍ସ୍ୟଜୀବିଙ୍କ ଜୀବନ ବଦଳେଇ ଦେଇଛି ଆଧୁନିକ ଟେକନୋଲଜି By Tapan Moharana

3rd Nov 2015
Add to
Shares
0
Comments
Share This
Add to
Shares
0
Comments
Share

ଆଉ ସମୁଦ୍ରକୁ ଦେଖିଲେ ଭୟ ଲାଗୁନି। ସାତପଡ଼ା ଅଞ୍ଚଳର ଆଳୁପାଟଣା ଗାଁର ପୁରୁଖା ମତ୍ସ୍ୟଜୀବି ଦିଲୀପ କୁମାର ଜାଲିଙ୍କୁ ଚିଲିକା କୂଳରେ ଥିବା ଏହି ଗାଁରେ ଜନ୍ମ ହୋଇ ବଢିଥିବାରୁ ଓ ମାଛଧରି ପେଟ ପୋଷୁଥିବାରୁ ଚିଲିକା ଓ ସମୁଦ୍ର ପ୍ରତି ଭୟ ପିଲାବେଳୁ ନଥିଲା। ଡର ବା କଣ? ଏହି ଚିଲିକା ହିଁ ତ ତାଙ୍କର ପେଟ ପୋଷୁଛି। କିନ୍ତୁ ଗତବର୍ଷ ଗଭୀର ସମୁଦ୍ର ଭତରକୁ ଯାଇ ଏକ ଅଜଣା ସାମୁଦ୍ରିକ ଝଡ଼ର ସାମନା କରିବାପରେ ଭୟ କଣ ସେ ଜାଣିବାକୁ ପାଇଥିଲେ। ଜଗନ୍ନାଥଙ୍କ ଦୟାରୁ ସିନା ବଞ୍ଚିଗଲେ, ଆଉ କେତେ ଜଣ ସାଥୀ କୁଆଡେ ହଜିଗଲେ ଯେ ଆଜିଯାଏ ପତ୍ତା ମିଳିନାହିଁ। କାହିଁ କେଉଁ ପାଣିପାଗ ବିଭାଗ ତ ଏ ସଂପର୍କରେ କିଛି କହିବାର ସେ ଶୁଣି ନାହାନ୍ତି। କହିଥିବ ବୋଧେ, କିନ୍ତୁ ଟିଭି-ରେଡିଓ ଶୁଣିବାକୁ ତାଙ୍କର ତର କାହିଁ? ବେଳେ ବେଳେ ସପ୍ତାହେ ଦୁଇ ସପ୍ତାହ ଧରି ସେ ଦୂର ସମୁଦ୍ର ଭିତରକୁ ମାଛ ଧରିବାକୁ ଚାଲି ଯାଆନ୍ତି,ଟିଭି ଦେଖନ୍ତେ ବା କେତେ ବେଳେ? କିନ୍ତୁ ଗତ ମହାବାତ୍ୟା ହୁଡ୍ ହୁଡ୍ ବେଳେ ତାଙ୍କର ସେହି ଭୟ ଆଉ ନଥିଲା। ସେ ପ୍ରାୟ ସପ୍ତାହେ ଆଗରୁ ଜାଣିପାରିଥିଲେ ଏହି ମହାବାତ୍ୟା ଆସୁଛି ବୋଲି। ମୋବାଇଲ ଫୋନ ମାଧ୍ୟମରେ ସେ ଏ ସମ୍ପର୍କିତ ଖବର ପ୍ରତିଦିନ ଜାଣିପାରୁଥିଲେ। ଏବେ ମୋବାଇଲ ଫୋନଟି ତାଙ୍କ ବିପଦ ଆପଦର ବନ୍ଧୁ ପାଲଟି ଯାଇଛି କେବଳ ବିପଦ ବେଳେ ନୁହେଁ ରୋଜଗାର ବଢାଇବାରେ ସାହାଯ୍ୟ ମଧ୍ୟ କରୁଛି ତାଙ୍କର ଏହି ମୋବାଇଲ ଫୋନ। କେବଳ ଦିଲ୍ଲୀପ ନୁହେଁ, ତାଙ୍କ ଗାଁର ଦିନେଶ ଜାଲି, ମୃତ୍ୟୁଞ୍ଜୟ ଜେନା ଓ ପ୍ରଶାନ୍ତ ଜେନାଙ୍କ ଜୀବନକୁ ମଧ୍ୟ ବଦଳେଇ ଦେଇଛି ମୋବାଇଲ ଫୋନ ମାଧ୍ୟମରେ ମିଳୁଥିବା ସୂଚନା ସେବା।

ମୋବାଇଲ ଫୋନ ଆଜିକାଲି କେବଳ କଥା ହେବାପାଇଁ ନୁହେଁ ,ଅନେକ କାମରେ ଲାଗିପାରୁଛି। କିନ୍ତୁ ମତ୍ସ୍ୟଜୀବି ମାନଙ୍କ ପାଇଁ ମୋବାଇଲର ଏହି ସହାୟତା ବେଶ ଅଭିନବ ଲାଗୁଛି। ଏପରି ଏକ ଉଦ୍ୟମ ଆରମ୍ଭ ହୋଇଛି ଓଡ଼ିଶା ସରକାରଙ୍କ ପ୍ରେତ୍ସାହନରେ। ଏହା ମାଧ୍ୟମରେ ରାଜ୍ୟର ମତ୍ସ୍ୟଜୀବି ମାନଙ୍କୁ ମୋବାଇଲ ଫୋନ ଦ୍ଵାରା ଜରୁରୀ ସୂଚନା ଦେଇ ସେମାନଙ୍କର ସଶକ୍ତିକରଣ କରାଯାଉଛି। ଇଫକୋ କିଷାନ ସଂଚାର ଲିମିଟେଡ(ଆଇକେଏସଏଲ) ଦ୍ଵାରା ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ଏହି ସେବା ଯୋଗୁଁ ହିଁ ଗତ ହୁଡ ହୁଡ ବାତ୍ୟା ବେଳେ ସାରା ରାଜ୍ୟରେ କୌଣସି ମତ୍ସ୍ୟଜୀବି ସମୁଦ୍ର ଭିତରେ ନିଖୋଜ ହୋଇନାହାନ୍ତି। ମୋବାଇଲ ମାଧ୍ୟମରେ ଆସିଥିବା ଭଏସ ମେସେଜ ଶୁଣି ସେମାନେ ସପ୍ତାହେ ଆଗରୁ ସତର୍କ ହୋଇଯାଇଥିଲେ।

image


ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଦ୍ଵାରା ଗତ ବର୍ଷରୁ ଏହି ଯୋଜନା ଆରମ୍ଭ କରି ଆଇକେଏସଏଲକୁ ଦାୟିତ୍ତ୍ଵ ଦିଆଯାଇଥିଲା। ଗତ ଜାନୁୟାରୀ 16ରେ ହିଁ ସଂସ୍ଥା ତରଫରୁ ତୃଳମୂଳ ସ୍ତରରେ ଏହା କାର୍ଯ୍ୟ ଆରମ୍ଭ କରିଥିଲା। ଏହା ମାଧ୍ୟମରେ ମତ୍ସ୍ୟଜୀବି ମାନଙ୍କୁ ଏୟାରଟେଲ ମୋବାଇଲ ସିମକାର୍ଡ ପ୍ରଦାନ ଆରମ୍ଭ କରାଗଲା। 22 ଜାନୁୟାରୀରେ ପ୍ରଥମ ଭଏସ ମେସେଜ ପଠାଯାଇଥିଲା। ଇତି ମଧ୍ୟରେ ଏହି ଯୋଜନା ମାଧ୍ୟମରେ ପ୍ରାୟ 1ଲକ୍ଷରୁ ଅଧିକ ସିମ କାର୍ଡ ବଣ୍ଟନ ହୋଇସାରିଛି ଏବଂ ଆଗାମୀ ମାର୍ଚ୍ଚ ସୁଦ୍ଧା ଆଉ ଲକ୍ଷେ ସିମ କାର୍ଡ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କଟକ ସ୍ଥିତ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟରେ ଅବସ୍ଥାପିତ ପ୍ରଡକ୍ସନ ଅଫିସର ତଥା ଏହି ସ୍କିମର ନୋଡାଲ ଅଫିସର ସତୀଶ ରଂଜନ ଦାଶ କହିଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନା ପ୍ରତି ମତ୍ସ୍ୟଜୀବି ମାନଙ୍କ ତରଫରୁ ପ୍ରବଳ ଚାହିଦା ପରିଲକ୍ଷିତ ହୋଇଛି। ଆଗାମୀ ମାର୍ଚ୍ଚ ସୁଦ୍ଧା ଆବଣ୍ଟିତ ସିମ ସଂଖ୍ୟା 2ଲକ୍ଷରେ ପହଞ୍ଚିବ। 4ବର୍ଷରେ ମୋଟ 4ଲକ୍ଷ ସିମ କାର୍ଡ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହନ୍ତି। ସିମ ଗୁଡିକ ମାଗଣାରେ ଦିଆଯାଉଥିବା ବେଳେ ମାସକୁ 30 ଟଙ୍କାର ଟକଟାଇମ ଦିଆଯାଉଛି।

ଗୋଟିଏ ଅଟକଳ ଅନୁସାରେ ଆମ ରାଜ୍ୟରେ ପ୍ରାୟ 14ଲକ୍ଷ ମତ୍ସ୍ୟଜୀବି ଅଛନ୍ତି। ସେମାନଙ୍କ ମଧ୍ୟରୁ 6ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବି ଓ 8ଲକ୍ଷ ଅନ୍ତର୍ଦେଶୀୟ ମତ୍ସ୍ୟଜୀବି। ରାଜ୍ୟର ଅଧିକାଂଶ ମତ୍ସ୍ୟଜୀବି ନିରକ୍ଷର ବା କମ ପାଠପଢିଛନ୍ତି। ଟିଭି ଦେଖି ଆଗାମୀ ପାଣିପାଗ ସଂପର୍କରେ ବା ମାଛର ବଜାର ଦର ସଂପର୍କରେ ଜାଣିବା ସେମାନଙ୍କ ପାଇଁ ଟିକିଏ କଷ୍ଟକର ବ୍ୟାପାର। ଏହାର ସୁଯୋଗ ନିଅନ୍ତି ମଧ୍ୟସ୍ଥି ଦଲାଲ ମାନେ। ଅନେକ ସମୟରେ ମାଛ ଧରାଳିଟିଏ ନିଜ ମାଛର ସଠିକ ଦର ପାଇପାରେ ନାହିଁ। ପୁଣି ତା ଡଙ୍ଗାଟି ପୁରୁଣା ହୋଇଗଲେ ମରାମତି ପାଇଁ କିମ୍ବା ନୂଆ ଡଙ୍ଗାଟିଏ ତିଆରି କରିବା ପାଇଁ ତାକୁ ଗାଁ ସାହୁକାର ପାଖରୁ ଟଙ୍କା ଉଧାର ଆଣିବାକୁ ପଡେ। ଉଧାର ଟଙ୍କାର ସୁଧ ହିସାବ ସେ ବୁଝିପାରେ ନାହିଁ ଓ ବର୍ଷ ବର୍ଷ ଧରି ପରିଶୋଧ କଲେ ମଧ୍ୟ ସାହୁକାରର ଋଣଜାଲରୁ ମୁକୁଳି ପାରେ ନାହିଁ। ସେମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିବା ସେ ଶୁଣିଛି, କିନ୍ତୁ ସେ ସଂପର୍କରେ ସବିଶେଷ ଜାଣିବା ପାଇଁ ତା’ ନିକଟରେ ସୁଯୋଗ ନାହିଁ। ଗାଁ ପାଖ ବ୍ଲକ ଅଫିସ ବାରଣ୍ଡା ମାଡିବାକୁ ଡର ଲାଗୁଛି। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ମୋବାଇଲ ଫୋନ ମାଧ୍ୟମରେ ସେମାନେ ସବୁକିଛି ଜାଣିପାରୁଛନ୍ତି। ମୋବାଇଲରେ ଫୋନ କରି କେହି ଜଣେ ବିଭିନ୍ନ ଦରକାରୀ କଥା କହୁଛି ଯେପରିକି ସମୁଦ୍ରରେ ଭୟାନକ ବାତ୍ୟା ଆସୁଛି, ସମୁଦ୍ରର ଅମୁକ ଜାଗାରେ ଭଲ ମାଛ ମିଳିବ, ଡଙ୍ଗା ତିଆରି ପାଇଁ ସରକାର ସୁଲଭ ଋଣ ଦେଉଛନ୍ତି ଓ ତା’ ଉପରେ 75 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି ।

image


ଏ ସଂପର୍କରେ ରାଜ୍ୟର ପ୍ରମୁଖ ସହରରେ ଇଫକୋ କିଷାନ ସଂଚାର ଲିଃର ସେଲ୍ସ ମ୍ୟାନେଜର ଗଣେଶ ଦାସ କହିଛନ୍ତି ଯେ ମତ୍ସ୍ୟଜୀବିମାନଙ୍କୁ ମାଛର ବଜାର ଦର ସଂପର୍କରେ ସୂଚନା ଦିଆଯାଉଛି। ତେବେ ରାଜ୍ୟରେ ମାଛ ମଣ୍ଡି ନଥିବାରୁ ଟିକିଏ ସମସ୍ୟା ରହୁଛି। କିନ୍ତୁ ରାଜ୍ୟର ସବୁ ଜିଲ୍ଲା ଗୁଡିକର ମୁଖ୍ୟ ମାଛ ବଜାରର ଦର ସେମାନଙ୍କୁ କୁହାଯାଉଛି। ଏହା ଫଳରେ ସେମାନେ ଠକାମିରେ ପଡୁନାହାନ୍ତି। ସେ ଦେଇଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ପ୍ରାୟ 1କୋଟି 20 ଲକ୍ଷ ଭଏସ ମେସେଜ୍ ମତ୍ସ୍ୟଜୀବୀ ମାନଙ୍କ ଦ୍ଵାରା ଶୁଣାଯାଇଛି। କେବଳ ଏତିକି ନୁହେଁ, ରାଜ୍ୟରେ ଥିବା ତେଲୁଗୁ ସଂପ୍ରଦାୟର ମତ୍ସ୍ୟଜୀବି ମାନଙ୍କୁ ତେଲୁଗୁରେ ଭଏସ ମେସେଜ ପ୍ରଦାନ କରାଯାଉଛି। ପ୍ରାୟ 6183ଜଣ ତେଲୁଗୁ ମତ୍ସ୍ୟଜୀବିଙ୍କୁ ଏହି ସେବା ପ୍ରଦାନ କରାଯାଉଛି ବୋଲି ସେ କହନ୍ତି।

ମତ୍ସ୍ୟଜୀବି ମାନଙ୍କୁ କେବଳ ପାଣିପାଗ ବା ବଜାର ଦର ନୁହେଁ ସେମାନଙ୍କୁ ସରକାରୀ ସ୍କିମ,ମାଛ ଚାଷ, ବିଭିନ୍ନ ଅତ୍ୟାଧୁନିକ ଉପକରଣ, ମାଛ ସଂରକ୍ଷଣ,ମାର୍କେଟିଂ, ମାଛଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଓ ରୋଗ ନିରାକରଣ, ଖାରି ପାଣି ଚିଙ୍ଗୁଡି ଚାଷ, ସାମୁଦ୍ରିକ ତରଙ୍ଗ, ଦିଗ, ଉଚ୍ଚତା, ପବନର ଦିଗ ଆଦି ଉପରେ ମଧ୍ୟ ସୂଚନା ଦିଆଯାଉଛି। ପୁଣି ପ୍ରତି ସପ୍ତାହରେ ଫୋନ ଇନ ପ୍ରୋଗ୍ରାମ ଦ୍ଵାରା ବିଶେଷଜ୍ଞଙ୍କ ଦ୍ଵାରା ଚାଷ ସମ୍ପର୍କରେ ପ୍ରଶ୍ନର ଉତ୍ତର, କୁଇଜ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି।

ଗୋଟିଏ ଅଟକଳ ଅନୁସାରେ ପ୍ରାୟ 93ପ୍ରତିଶତ ମତ୍ସ୍ୟଜୀବି ପାଣିପାଗ ସମ୍ପର୍କିତ ସୂଚନା ମୋବାଇଲ ମାଧ୍ୟମରେ ପାଉଛନ୍ତି। ମାତ୍ର 7ପ୍ରତିଶତ ମତ୍ସ୍ୟଜୀବି ପାଣିପାଗ ଖବର ପାଇଁ ରେଡିଓ ଓ ଟିଭି ମାଧ୍ୟମ ଉପରେ ନିର୍ଭର କରୁଛନ୍ତି। ଏଥିରୁ ଏହି ମୋବାଇଲ ପରାମର୍ଶ ସେବା ଯୋଜନାର ସଫଳତା ସହଜରେ ଜାଣି ହେଉଛି। ସାରା ଦେଶରେ ଏପରି ଯୋଜନା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି କୁହାଯାଉଛି। .

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags