EDITIONS
Odia

ଆୟୁର୍ବେଦକୁ ନେଇ ଏକ ବହୁରାଷ୍ଟ୍ରୀୟ କମ୍ପାନି ଗଢିବାକୁ ଚାହୁଁଛନ୍ତି ଡଃ ସ୍ମିତା ନରାମ

8th Dec 2015
Add to
Shares
0
Comments
Share This
Add to
Shares
0
Comments
Share

ଆୟୁର୍ବେଦ ଉପରେ ଡଃ ସ୍ମିତା ନରାମଙ୍କ ଭରସା ତାଙ୍କ ପିଲାବେଳର ଏକ ଘଟଣାରୁ ଆରମ୍ଭ ହୁଏ। ତାଙ୍କୁ ମାତ୍ର 10 ବର୍ଷ ହୋଇଥିଲାବେଳେ ଥରେ ତାଙ୍କର ପ୍ରବଳ ପେଟବ୍ୟଥା ହୁଏ। ନାନା ଉପଚାର ସତ୍ତ୍ୱେ ଯେତେବେଳେ ପେଟବ୍ୟଥାଟି କମିବା ବଦଳରେ ବଢିବାକୁ ଲାଗେ, ଏହା ଆପେଣ୍ଡିସାଇଟିସ ବୋଲି ତାଙ୍କ ବାପା ସନ୍ଦେହ କରନ୍ତି। ନିକଟସ୍ଥ ହସପିଟାଲରେ ଅପରେସନ କରିବା ପାଇଁ ବିଚାର କରନ୍ତି। କିନ୍ତୁ ହସପିଟାଲକୁ ଯିବା ପୂର୍ବରୁ ଗାଁରେ ବୈଦ୍ୟ ଥିବା ନିଜ ଭାଇଙ୍କୁ ଫୋନ କରି ତାର ପରାମର୍ଶ ମାଗନ୍ତି। ତେବେ ସେ ଅପରେସନ କରିବା ବଦଳରେ ଏକ ସାଧାରଣ ଘରୋଇ ଆୟୁର୍ବେଦୀୟ ଉପଚାର କରିବା ପାଇଁ ପରାମର୍ଶ ଦିଅନ୍ତି। ଆଶ୍ଚର୍ଯ୍ୟ କଥା ଏହି ଘରୋଇ ଉପଚାରରେ ହିଁ ସ୍ମିତାଙ୍କର ଯନ୍ତ୍ରଣାର ଉପଶମ ହୁଏ।

image


ଏହି ଘଟଣାରୁ ହିଁ ଆୟୁର୍ବେଦ ଆଡକୁ ଢଳନ୍ତି ସ୍ମିତା। "ମୋ ଜେଜେ ବାପା,ବାପା ଓ ଦାଦା ଆୟୁର୍ବେଦାଚାର୍ଯ୍ୟ ରହିଆସିଛନ୍ତି। ପିଲାବେଳୁ ମୁଁ କୌଣସି ଏଲୋପାଥିକ ଔଷଧ ଖାଇନାହିଁ। ମୁଁ ଜ୍ଵରରେ ପଡିଲେ ମୋତେ ସୁଦର୍ଶନ ଘଟବଟି ଖାଇବାକୁ ଦିଆଯାଏ ଓ ପ୍ରତି ରବିବାରଦିନ ଚାମଚେ ଜଡ଼ାତେଲ ପିଇବାକୁ ଦିଆଯାଏ," ମନେପକାନ୍ତି ଡଃ ସ୍ମିତା।

ଏହିପରିଭାବେ ପିଲାବେଳୁ ହିଁ ଡଃ ସ୍ମିତା ଆୟୁର୍ବେଦ ସହ ଜଡିତ। ଏହି କାରଣରୁ ହିଁ ସେ ଆୟୁର୍ବେଦ ପଢିବା ପାଇଁ ନିଷ୍ପତ୍ତି ନେଲେ ଓ କେବଳ ଜଣେ ଆୟୁର୍ବେଦ ଡାକ୍ତର ନହୋଇ ସେ ଆୟୁଶକ୍ତି ଆୟୁର୍ବେଦ ପ୍ରା ଲିଃ ପ୍ରତିଷ୍ଠା କଲେ। ଭାରତୀୟ ଆୟୁର୍ବେଦକୁ ସେ ଅନ୍ତର୍ଜାତୀୟ ପରିଚିତି ହାସଲ ଲାଗି ଉଦ୍ୟମ ଆରମ୍ଭ କଲେ।

ଆୟୁର୍ବେଦର ଶକ୍ତି

ଆୟୁର୍ବେଦ ପଢୁଥିବାବେଳେ ଡଃ ନରାମ ନିଜ ଭାବୀ ସ୍ଵାମୀଙ୍କୁ ଭେଟିଲେ ଓ ଗ୍ରାଜୁଏସନ ପରେ ଉଭୟେ ନିଜସ୍ଵ ଆୟୁର୍ବେଦ କ୍ଲିନିକ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ଆୟୁର୍ବେଦ ଉପରେ ଉଭୟଙ୍କ ଦକ୍ଷତା ଯୋଗୁଁ ଉଭୟେ ଅନେକ ଗ୍ରାହକଙ୍କୁ ଆକୃଷ୍ଟ କରିପାରିଲେ, ତେବେ ଡଃ ନରାମ କେବଳ ସ୍ଥାନୀୟ ରୋଗୀମାନଙ୍କ ଚିକିତ୍ସା କରିବାରେ ସନ୍ତୁଷ୍ଟ ନଥିଲେ। "ଆୟୁର୍ବେଦର ଅସୀମ ଆରୋଗ୍ୟକାରୀ ଶକ୍ତି ରହିଛି ଓ ମୁଁ ଅନେକ ଡାକ୍ତରମାନଙ୍କ ସହାୟତାରେ ଏହାକୁ ସାରା ବିଶ୍ଵରେ ପହଞ୍ଚାଇବାକୁ ସ୍ଵପ୍ନ ଦେଖୁଥିଲି," କୁହନ୍ତି ଡଃ ନରାମ।

ଆପଣ ଜାଣନ୍ତି କି ଆଣ୍ଠୁଗଣ୍ଠି ବାତ,ଇନଫଟିର୍ଲିଟି,ଫାଇବ୍ରୋଏଡ ତଥା ସୋରିଆସିସ ଆଦି ରୋଗର ଆୟୁର୍ବେଦୀୟ ଉପଶମ ରହିଛି? ଏହାର ପ୍ରମାଣ ଦେଖିବା ପାଇଁ ନେଦରଲାଣ୍ଡର ଡଃ ଭିକ୍ଟର ମାନହାବେ ଆୟୁର୍ଶକ୍ତି ଆସିଥିଲେ। ଦୀର୍ଘ ତିନି ବର୍ଷଧରି ସେ ଆୟୁର୍ଶକ୍ତିର ଇନଫଟିର୍ଲିଟି (ବନ୍ଧ୍ୟାଦୋଷ) ରୋଗୀମାନଙ୍କ ଉପରେ ଗବେଷଣା କରିଥିଲେ ଓ ଜାଣିବାକୁ ପାଇଥିଲେ ଯେ ଆୟୁର୍ବେଦ ଦ୍ଵାରା ରୋଗୀମାନଙ୍କର ଆଶ୍ଚର୍ଯ୍ୟଜନକ ଉପଶମ ହୋଇପାରୁଛି। ନିଜର ଏହି ଅଧ୍ୟୟନ ଉପରେ ସେ ଏକ ସଂଦର୍ଭ ପ୍ରସ୍ତୁତ କରି ନେଦରଲାଣ୍ଡର ଇରାମସ ବିଶ୍ଵବିଦ୍ୟାଳୟକୁ ପ୍ରଦାନ କରିଥିଲେ। ନିଜର ଏହି ସଂଦର୍ଭରେ ସେ ଲେଖିଛନ୍ତି ଯେ ଜଣେ ବନ୍ଧ୍ୟାଦୋଷରେ ପୀଡିତ ରୋଗୀ ପାଇଁ ଏଲୋପାଥିକ ଚିକିତ୍ସା ନେଲେ ଆରୋଗ୍ୟ ସମ୍ଭାବନା ମାତ୍ର 15ରୁ 20 ପ୍ରତିଶତ ରହୁଛି, ମାତ୍ର ଆୟୁର୍ଶକ୍ତିର ଆୟୁର୍ବେଦୀୟ ଚିକିତ୍ସାରେ ଏହି ସମ୍ଭାବନା 42 ପ୍ରତିଶତ ପର୍ଯ୍ୟନ୍ତ ବଢିଯାଉଛି।

ଏହି ଗବେଷଣା ଏକ ମାଇଲଖଣ୍ଟ ଥିଲା। ଆୟୁର୍ଶକ୍ତି ପାଇଁ ବିଦେଶର ଡାକ୍ତରମାନେ ନିଜ ନିଜ ଦେଶକୁ ଆୟୁର୍ବେଦ ଚିକିତ୍ସା କରିବା ଲାଗି ଆୟୁର୍ଶକ୍ତି ସହ ଯୋଗାଯୋଗ କରିବା ଆରମ୍ଭ କଲେ। ଏହାକୁ ଦୃଷ୍ଟିରେ ରଖି ନରାମ ଦମ୍ପତ୍ତି ସିଧାସଳଖ ବିକି କରିହେଉଥିବା ଆୟୁର୍ବେଦିୟ ପ୍ରଡକ୍ଟ ପ୍ରସ୍ତୁତ କରିବା ଆରମ୍ଭ କଲେ ଓ 1987ରେ ପ୍ରତିଷ୍ଠା କଲେ ଆୟୁର୍ଶକ୍ତି ଆୟୁର୍ବେଦ।

ସେମାନଙ୍କ ପ୍ରଥମ ଉତ୍ପାଦନ କେନ୍ଦ୍ର ମହାରାଷ୍ଟ୍ରର ପାଲଘରଠାରେ ପ୍ରତିଷ୍ଠା କରାଗଲା, ଉତ୍ପାଦନ ପାଇଁ ସେତେବେଳକୁ ସେମାନଙ୍କ ପାଖରେ ମାତ୍ର ଗୋଟିଏ ମେସିନ ଥିଲା। ତେବେ ଔଷଧ ଉତ୍ପାଦନ କରିବା ଅପେକ୍ଷାକୃତ ସହଜ କାମ ଥିବାବେଲଳେ ତାହାକୁ ପରୀକ୍ଷା କରିବା ଓ ୟୁରୋପୀୟ ମାନକ ଅନୁସାରେ ପ୍ରମାଣିତ କରିବା ବେଶ କଷ୍ଟକର ଥିଲା। ଏ ସଂପର୍କରେ ଡଃ ନରାମ କୁହନ୍ତି ଯେ ଆମେ ପ୍ରଥମେ ଏକ ଭାରତୀୟ ଲ୍ୟାବରେ ଆମ ଔଷଧର ପରୀକ୍ଷା କରି ୟୁରୋପୀୟ ବିତରକଙ୍କ ପାଖକୁ ପଠାଇଲୁ। ମାତ୍ର ବର୍ଷକ ପରେ ସେଠାକାର ଏକ ଲ୍ୟାବରେ ପରୀକ୍ଷା କରିବା ପରେ ସେଗୁଡିକ ଅନୁପଯୁକ୍ତ ବୋଲି କୁହାଗଲା। ଭାରତୀୟ ଲ୍ୟାବର ପରୀକ୍ଷା ଭରସାଯୋଗ୍ୟ ନଥିଲା ଓ ଫଳରେ ଆମ ଔଷଧର ଶୁଦ୍ଧତା ଓ ଗୁଣବତ୍ତା ଉପରେ ପ୍ରଶ୍ନଚିହ୍ନ ଲାଗିଗଲା।

ଏହି ସମସ୍ୟାର ସମାଧାନ ପାଇଁ ତାଙ୍କ ଟିମ ଲାଗିପଡିଲା ଓ ଶେଷରେ ସେମାନେ ଜଣେ ଆଇଆଇଟି ପ୍ରଯୁକ୍ତିବିତଙ୍କୁ ପାଇଲେ ଯିଏକି ଏହି ସମସ୍ୟାର ସମାଧାନ ବାହାର କଲେ। ନିଷ୍ପତ୍ତି ହେଲା ଯେ ଜର୍ମାନିର ଏକ ଲ୍ୟାବରେ ପରୀକ୍ଷା କରାଯିବ। ଆମେ ମେଟାଲ, କାଟାଣୁ ଓ କୀଟନାଶକ ମୁକ୍ତ ପ୍ରଡକ୍ଟ ଚାହୁଁଥିଲେ କିନ୍ତୁ ସାରାଭାରତରେ କୌଣସି ଏଏଏସଏଫ ମେସିନ (ଔଷଧରେ ଧାତୁ ପରୀକ୍ଷା କରୁଥିବା ଯନ୍ତ୍ର) ନଥିଲା। ଏପରିକି ଦେଶର ବଡ଼ ବଡ଼ ଫାର୍ମା କମ୍ପାନିଙ୍କ ଔଷଧ ତିଆରି କରୁଥିବା ଲ୍ୟାବ ଗୁଡିକରେ ମଧ୍ୟ ଏପରି ମେସିନ ନଥିଲା। ଏହା 1993 ବେଳର କଥା, କିନ୍ତୁ ଏବେ ଆମେ ଏହି ମେସିନ କିଣିଛୁ। ଇଚ୍ଛା ଥିଲେ ଉପାୟ ଆସେ ବୋଲି ସେ କହନ୍ତି ।

ଅନ୍ତର୍ଜାତୀୟ ସହଯୋଗିତା

2005 ସୁଦ୍ଧା ଆୟୁର୍ଶକ୍ତି କେବଳ ଏକ ବ୍ୟକ୍ତିଗତ କ୍ଲିନିକ ସ୍ତରରେ ସୀମିତ ଥିଲା। ଆମର କୌଣସି ଆଡଭର୍ଟାଇଜିଂ ଓ ପିଆର ନଥିଲା। ଏସବୁ ସତ୍ତ୍ୱେ ଆୟୁର୍ଶକ୍ତି ବେଶ ଲୋକପ୍ରିୟ ଥିଲା ଓ ଦିନକୁ ପ୍ରାୟ 300 ରୋଗୀ କ୍ଲିନିକକୁ ଆସୁଥିଲେ। ସେତିକିବେଳେ ସେମାନେ ଫ୍ରାନ୍ଚାଇଜି ଚେନ ଖୋଲିବା ସଂପର୍କରେ ଚିନ୍ତା କଲେ। ଏବେ ଭାରତରେ ଆୟୁର୍ଶକ୍ତିର 7 ଟି ଓ ଜର୍ମାନିରେ 3ଟି କ୍ଲିନିକ ଅଛି।

image


ସେମାନେ କିପରି ଅନ୍ତର୍ଜାତୀୟ ବଜାରରେ ପହଞ୍ଚିଲେ ତାର ଏକ ସୁନ୍ଦର ଇତିହାସ ରହିଛି। ଜଣେ ଇଟାଲୀୟ ମହିଳା ଭିକ୍ଟୋରିୟା ରାସିଡୋରିଆ ଆଧ୍ୟାତ୍ମିକ ଶାନ୍ତି ସନ୍ଧାନରେ ସେ ଭାରତ ଆସିଥିବାବେଳେ ତାଙ୍କୁ କାମଳ ରୋଗ ବା ହେପାଟାଇଟିସ-କ ରୋଗ ହୋଇଥିଲା। ଦିନକୁ ଦିନ ତାଙ୍କ ଅବସ୍ଥା ଖରାପ ଆଡକୁ ଗତି କରୁଥିବାବେଳେ ସେ କେଉଁଠାରୁ ଆୟୁର୍ଶକ୍ତି ସପର୍କରେ ଜାଣିବାକୁ ପାଇଲେ ଓ ସେଠାକୁ ଯାଇ ପ୍ରାୟ 15 ଦିନ ରହିଲେ। ହେପାଟାଇଟିସ ଏକ ଜଟିଳ ରୋଗ ଓ ଖୁବ ଦ୍ରୁତ ଗତିରେ ବ୍ୟାପିଥାଏ, ପ୍ରଥମ 2-3 ଦିନ ତ ରୋଗର କୌଣସି ଲକ୍ଷଣ ଜଣାପଡେନାହିଁ। କିନ୍ତୁ ଧୀରେ ଧୀରେ ତାଙ୍କର ଆଖି ହଳଦିଆ ହେବାକୁ ଲାଗିଲା। ସେତେବେଳେ ଆମର କୌଣସି ହସପିଟାଲ ନଥିଲା। ଏଣୁ ଆମେ ତାଙ୍କୁ ଆମ ଘରେ ସ୍ଵତନ୍ତ୍ର ଖାଦ୍ୟ, ଆୟୁର୍ବେଦୀୟ ଔଷଧୀୟ ଉପଚାର ମଧ୍ୟରେ ରଖିଥିଲୁ। ସେ ମଧ୍ୟ ପ୍ରତି ଦିନ ଇଟାଲୀରେ ଥିବା ନିଜର ଡାକ୍ତରଙ୍କ ସହ ଯୋଗାଯୋଗ ରଖିଥାନ୍ତି। 

ତେବେ ଭଲ ହୋଇସେ ଯେତେବେଳେ ଇଟାଲୀ ଫେରିଲେ ସେଠାକାର ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ କାମ ସେମାନଙ୍କୁ 6 ମାସ ଲାଗିଥାନ୍ତା ଆୟୁର୍ବେଦ ମାଧ୍ୟମରେ ତାହା ମାତ୍ର 15 ଦିନ ମଧ୍ୟରେ ସମ୍ଭବ ହୋଇପାରିଲା। ନରାମ କୁହନ୍ତି ଏହାପରେ ୫ ଜଣ ଇଟାଲୀ ଡାକ୍ତର ଭାରତ ଆସି ଆୟୁର୍ବେଦ ସମ୍ପର୍କରେ ଅଧ୍ୟୟନ କଲେ ଓ ତାହାକୁ ଭିତ୍ତିକରି ୟୁରୋପରେ ଆୟୁର୍ଶକ୍ତିର ଚିକିତ୍ସାପ୍ରଦ୍ଧତି ଆରମ୍ଭ କଲେ। ଏହିଭଳିଭାବରେ ଆୟୁର୍ଶକ୍ତିର ଅନ୍ତର୍ଜାତୀୟ ସହଭାଗିତା ଆରମ୍ଭ ହେଲା। ଏବେ ୟୁରୋପ, ଆମେରିକା ଓ ନ୍ୟୁଜିଲାଣ୍ଡ ସମେତ ସାରା ବିଶ୍ଵରେ ଆୟୁର୍ଶକ୍ତିର ପ୍ରାୟ 100 ଜଣ ଫ୍ରାଞ୍ଚାଇଜି ଅଛନ୍ତି। ସେ ୟୁରୋପ ବିଶେଷକରି ବ୍ରିଟେନରେ ଏକ କମ୍ପାନି ପରିଚାଳିତ ଆୟୁର୍ଶକ୍ତି କ୍ଲିନିକ ଖୋଲିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ଡଃ ନରାମ କୁହନ୍ତି।

ସହଯୋଗର ହାତ

ଆୟୁର୍ଶକ୍ତି ଆରମ୍ଭର ପ୍ରାରମ୍ଭିକ ଦିନରେ ନିଜ ସ୍ଵାମୀଙ୍କଠାରୁ ପାଇଥିବା ସହଯୋଗକୁ ପ୍ରସଂଶା କରିବାକୁ ଭୁଲନ୍ତି ନାହିଁ। ଡଃ ନରାମ ଯେ କେବଳ ବ୍ୟବସାୟ ଛିଡା କରିବାରେ ନୁହେଁ, ନିଜର ପ୍ରଥମ ସନ୍ତାନ ଜନ୍ମକୁ ବିଳମ୍ବିତ କରିବା ନିଷ୍ପତ୍ତିକୁ ମଧ୍ୟ ସମର୍ଥନ କରିଥିଲେ। ଏହାଛଡା ପରିବାର ଓ କମ୍ପାନି କର୍ମଚାରୀଙ୍କ ସହଯୋଗକୁ ମଧ୍ୟ ସ୍ଵୀକୃତି ଦିଅନ୍ତି। ଏପରିକି କେତେକ କର୍ମଚାରୀ ନିରବଚ୍ଛିନ୍ନଭାବେ ପ୍ରାୟ 15 ବର୍ଷ ଧରି କମ୍ପାନିରେ କାମ କରିଆସୁଛନ୍ତି ସେମାନଙ୍କର ନିଷ୍ଠାପର ଉଦ୍ୟମ ହିଁ ଏହି କମ୍ପାନିକୁ ଉପରକୁ ଉଠାଇଛି ବୋଲି ସେ କୁହନ୍ତି।

ଆସୋଚାମର ଏକ ଅଟକଳ ଅନୁସାରେ ଭାରତୀୟ ହର୍ବାଲ ଇଣ୍ଡଷ୍ଟ୍ରି 2015 ସୁଦ୍ଧା 15 ହଜାର କୋଟିର ଏକ କମ୍ପାନିରେ ପରିଣତ ହେବାକୁ ଯାଉଛି। ଆୟୁର୍ଶକ୍ତି ଓ ଅନ୍ୟ ଆୟୁର୍ବେଦୀୟ କମ୍ପାନିମାନେ ନିଜର ସଂପ୍ରସାରଣ ଓ ଫ୍ରାଞ୍ଚାଇଜି ମଡେଲ ମାଧ୍ୟମରେ ଆହୁରି ଅଭିବୃଦ୍ଧି ହାସଲ କରିବା ସମ୍ଭାବନା ରହିଛି। ଡଃ ନରାମ କୁହନ୍ତି, ଆୟୁର୍ଶକ୍ତି ଗତ 10 ବର୍ଷରେ ବର୍ଷକୁ 30 ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରୁଛି। ଲୋକମାନେ ଧୀରେ ଧୀରେ ଆୟୁର୍ବେଦକୁ ନେଇ ସଚେତନ ହେଲେଣି। ଆୟୁର୍ବେଦ ଚିକିତ୍ସା ହିଁ ନିରାପଦ ବୋଲି ସେମାନେ ବୁଝିଲେଣି। ଲୋକଙ୍କ ଏହି ବିଶ୍ଵାସ ବଳରେ ହିଁ ସଫଳତା ମିଳିଛି ଓ ଏହାକୁ ପାଥେୟ କରି ଆଗକୁ ଏକ ବହୁରାଷ୍ଟ୍ରୀୟ କମ୍ପାନି ଗଢିବେ ବୋଲି ସେ ଆଶା ରଖିଛନ୍ତି।

ମୂଳ ଲେଖା - ପ୍ରୀତି ଚାମିକୁଟ୍ଟୀ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags