EDITIONS
Odia

ଅନ୍ତରାତ୍ମାର ଆହ୍ଵାନ: ବିଦେଶର ଚାକିରୀ ଛାଡି ସଫ୍ଟୱେର ଇଞ୍ଜିନିୟର କଲେ ଅର୍ଗାନିକ ଫାର୍ମ, ୪ ମାସରେ ୧ କୋଟିର ବିକ୍ରି

21st Mar 2016
Add to
Shares
0
Comments
Share This
Add to
Shares
0
Comments
Share

ଜୀବନର କୌଣସି ଏକ ମୋଡ଼ରେ ଆମ ଭିତରୁ ଅନେକେ ଜୀବନରେ କିଛି କରିବା ଲାଗି ବିବେକର ଆହ୍ଵାନକୁ ଶୁଣିପାରିଥାନ୍ତି ଯେମିତି ଶୁଣିପାରିଥିଲେ ମଦର ଟେରେସା, ଏକ ଚଳନ୍ତା ରେଳଗାଡ଼ିରେ ଓ ଯେମିତି ଶୁଣିପାରିଥିଲେ ଶାହାରୁଖ ଖାନ୍ , ନାସାର ଉତକ୍ଷେପଣ କେନ୍ଦ୍ରରେ (ସ୍ଵଦେଶ ଚଳଚ୍ଚିତ୍ର)। ତଥାପି ଆମ ଭିତରୁ ଅନେକେ ଏହି ଆହ୍ଵାନର ପ୍ରତ୍ୟୁତ୍ତର ରଖିବାରେ ସଫଳ ହୋଇପାରି ନ ଥାନ୍ତି। କାଲିଫର୍ଣ୍ଣିଆରେ କାର୍ଯ୍ୟରତ ଆଇଟି ଇଞ୍ଜିନିୟର ମଧୁଚନ୍ଦନ ଚିକିଦେବେୟା ଠିକ ଏହିପରି ଏକ ଡାକ ଶୁଣିଥିଲେ ତାଙ୍କ ଗାଁର ,ଯେଉଁଠି ଚାଷୀମାନେ ଋଣ ଯନ୍ତାରେ ପଡ଼ି ଛଟପଟ ହେଉଥିଲେ। ସେଇ ଡାକ ଥିଲା ତାଙ୍କ ଗାଁ ମାଣ୍ଡ୍ୟାକୁ, ତାଙ୍କର ଜନ୍ମଭୂମିକୁ ଫେରିଆସିବାର ଡାକ ; ଫେରିଆସି ଚାଷୀକୁଳକୁ ବଞ୍ଚାଇବାକୁ ହେବ। ଭ୍ୟାଲିରେ ତାଙ୍କର ଉଜ୍ଜ୍ଵଳ କ୍ୟାରିୟରକୁ ବିଦାୟ ଜଣାଇ ସେ ଅଗଷ୍ଟ ୨୦୧୪ରେ ଭାରତ ଫେରିଆସିଲେ ଜୈବ କୃଷିରେ ଏକ ବିପ୍ଲବର ଅୟମାରମ୍ଭ କରିବା ପାଇଁ।ଆଜି ସେହି ବିପ୍ଲବ 'ଅର୍ଗାନିକ ମାଣ୍ଡ୍ୟା' ଭାବେ ପରିଚିତ।

image


ବେଙ୍ଗାଲୁରୁ ଠାରୁ ପ୍ରାୟ ୧୦୦ କି.ମି. ଦୂରରେ ବେଙ୍ଗାଲୁରୁ-ମହୀଶୂର ହାଇୱେ ପାର୍ଶ୍ଵରେ ଅବସ୍ଥିତ ମାଣ୍ଡ୍ୟା ଏକ ଛୋଟ ଗାଁ ଯେଉଁଠାରେ ବର୍ଷ ସାରା ଜଳସେଚନ ସୁବିଧା ଉପଲବ୍ଧ। ୨୦୧୪-୧୫ ଆର୍ଥିକ ବର୍ଷରେ ମାଣ୍ଡ୍ୟାର ଚାଷୀମାନଙ୍କ ମୁଣ୍ଡଉପରେ ୧୨୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଝୁଲୁଥିଲା। ଜୁଲାଇ ୨୦୧୫ରେ କୋଡ଼ିଏରୁ ବେଶୀ ଆଖୁଚାଷୀ ଆତ୍ମହତ୍ୟା କରିସାରିଥିଲେ।

image


ଋଣଯନ୍ତା ସାଙ୍ଗକୁ କ୍ରମାଗତ ଫସଲର ମୂଲ୍ୟହ୍ରାସ, ଅଦିନିଆ ବୃଷ୍ଟିପାତ ତଥା ଉନ୍ନତ କୃଷିପ୍ରଣାଳୀର ଅନୁପଲବ୍ଧତା ସାରା ଗ୍ରାମର ପରିବେଶକୁ ମ୍ରିୟମାଣ କରିଥାଏ। ସିଧାସଳଖ ବଜାର ସୁବିଧା ନ ଥିବାରୁ ଫସଲ ବିକ୍ରିବଟା କାରବାର ମଧ୍ୟସ୍ଥି ମାନଙ୍କ ଜରିଆରେ ହେଉଥିଲା ଯାହାଫଳରେ ଅନେକ ଚାଷୀ ଜୀବନଧାରଣ ପାଇଁ ସହରରେ ମାମୁଲି କାମ କରି ରହିବାକୁ ବାଧ୍ୟ ହେଲେ।

'ଅର୍ଗାନିକ ମାଣ୍ଡ୍ୟା'ର ଜନ୍ମ

ଯେଉଁ ଗାଁରେ ତାଙ୍କର ଶୈଶବ କଟିଥିଲା ସେହି ଗାଁର ଏପରି ଅବସ୍ଥା ଦେଖି ମଧୁ ଗଭୀର ଭାବେ ବିଚଳିତ ହେଲେ। ସେ ଗାଁର ଚାଷୀମାନଙ୍କୁ ଗୋଟିଏ ବ୍ରାଣ୍ଡ ତଳେ ସଂଗଠିତ କରିବାକୁ ନିଷ୍ପତ୍ତି ନେଲେ ଯାହା ମାଧ୍ୟମରେ ସେମାନେ ତାଙ୍କର ଉତ୍ପାଦଗୁଡ଼ିକୁ ସିଧାସଳଖ ଗ୍ରାହକମାନଙ୍କୁ ବିକ୍ରୀ କରିପାରିବେ। ସେ ଲକ୍ଷ୍ୟ କଲେ ଯେ କିଛି ଚାଷୀ ଜୈବ କୃଷି ପାଇଁ ଆଗ୍ରହୀ।

image


ଜୈବ କୃଷିରେ ରାସାୟନିକ ପଦାର୍ଥର ନ୍ୟୁନତମ ବ୍ୟବହାର କରିବା ସହିତ ମାଟିର ପ୍ରାକୃତିକ ଉର୍ବରତା ସଂରକ୍ଷଣ କରିବା ଲାଗି ଉପାୟ ଅବଲମ୍ବନ କରାଯାଉଥିବାରୁ ସେ ଏହାକୁ ତାଙ୍କ ବ୍ରାଣ୍ଡର ବିଶେଷତ୍ଵ ଭାବେ ପ୍ରସାର କରିବାକୁ ଠିକ୍ କଲେ।

ସେ ବନ୍ଧୁ ଓ ସହକର୍ମୀମାନଙ୍କଠାରୁ ଏକ କୋଟି ଟଙ୍କା ସଂଗ୍ରହ କରି 'ମାଣ୍ଡ୍ୟା ଜୈବ ଚାଷୀ ସମବାୟ ସମିତି'ର ସ୍ଥାପନା କଲେ ଏବଂ 'ଅର୍ଗାନିକ ମାଣ୍ଡ୍ୟା' ର ପଞ୍ଜୀକରଣ କରାଇଲେ। ପ୍ରଥମେ ସମିତି ୨୪୦ଜଣ ଜୈବ ଚାଷୀଙ୍କୁ ଏକାଠି କଲା ଯେଉଁମାନେ ସର୍ବୋତ୍ତମ କୃଷି ପ୍ରଣାଳୀ ଅବଲମ୍ବନ କରି ଧାନ,ଡାଲି ଜାତୀୟ ଫସଲ,ଓ ମସଲା ଇତ୍ୟାଦି ଉତ୍ପାଦନ କରି ସେମାନଙ୍କର ଉତ୍ପାଦକୁ 'ଅର୍ଗାନିକ ମାଣ୍ଡ୍ୟା' ଦୋକାନ ମାଧ୍ୟମରେ ବିକ୍ରୀ କରିପାରିବେ।

image


ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଦୋକାନଟି ବ୍ୟସ୍ତ ବହୁଳ ବେଙ୍ଗାଲୁରୁ-ମହୀଶୂର ହାଇୱେ କଡ଼ରେ ଗୋଟିଏ ଅର୍ଗାନିକ ରେସ୍ତୋରାଁକୁ ଲାଗି ଖୋଲାଗଲା। ରେସ୍ତୋରାଁଟି ମଧ୍ୟ ମଧୁଙ୍କ ଦ୍ଵାରା ପୂର୍ବରୁ ଖୋଲାଯାଇଥିଲା। ଦୋକାନଟି ମାସିକିଆ ସଉଦାର ୯୯୯, ୧୪୯୯ ଓ ୧୯୯୯ ଟଙ୍କାର ଝୁଡ଼ି ଅଫର ଆରମ୍ଭ କଲା। ଏଥିରେ ଚାଉଳ,ଡାଲି,ଖାଇବା ତେଲ, ହେଲଥକେୟାର ଜିନିଷ,ମସଲା ଓ ପାନୀୟ ରହିଲା। ଲୋକଙ୍କୁ ଚାଷୀ ଓ ଜୈବ କୃଷି ସହିତ ଘନିଷ୍ଠ ଭାବେ ଯୋଡ଼ିବା ପାଇଁ ଏକ ଅଭିନବ ଅଭିଯାନ 'ଝାଳଦାନ' ଆରମ୍ଭ କଲେ ଅନେକ ବେଙ୍ଗାଲୁରୁ ବାସିନ୍ଦା ଭାଗ ନେବାକୁ ଆଗ୍ରହ ପ୍ରକାଶ କଲେ। ଏଇ ଅଭିଯାନରେ ସହରୀ ଲୋକଙ୍କୁ ବିଲ ବଗିଚାରେ ଗୋଟିଏ ଦିନ ପାଇଁ ସ୍ଵେଚ୍ଛାରେ ଶ୍ରମଦାନ କରି ଜୈବ କୃଷି ସମ୍ବନ୍ଧରେ ଜ୍ଞାନ ଆହରଣ କରିବାପାଇଁ ଉତ୍ସାହିତ କରାଗଲା। ଏହାକୁ ମଧୁ 'ଅର୍ଗାନିକ ଟୁରିଜିମ' ବୋଲି ଆଖ୍ୟା ଦେଲେ ଯାହାକି ବେଙ୍ଗାଲୁରୁ ବାସୀଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହେଲାଏବଂ ଅଳ୍ପ କେଇ ମାସରେ ଏକ ହଜାରରୁ ଅଧିକ ସ୍ଵେଚ୍ଛାସେବୀ ଏଥିରେ ଭାଗ ନେଲେ। 'ଫାର୍ମ ସେୟାର' ନାମରେ ମଧୁ ଆଉ ଏକ ଯୋଜନା ଆରମ୍ଭ କଲେ। ଏଥିରେ ପରିବାରମାନଙ୍କୁ ୩୫୦୦୦ଟଙ୍କା କର ଦେଇ ଅଧା ଏକରରୁ ଦୁଇଏକର ଜମିରେ ଜୈବ କୃଷି କରି ନିଜ ଖାଦ୍ୟ ନିଜେ ଉତ୍ପାଦନ କରି ତାହାର ଆନନ୍ଦ ନେବା ଲାଗି ଏକ ସୁଯୋଗ ଦିଆଗଲା। 'ଅର୍ଗାନିକ ମାଣ୍ଡ୍ୟା' ର ଜଣେ ଚାଷୀ କର ଅର୍ଥର ଏକ ଅଂଶ ବିନିମୟରେ ପରିବାରଟିକୁ ସହାୟତା କରିବାର ବ୍ୟବସ୍ଥା ମଧ୍ୟ ରହିଲା।ତିନି ମାସ ପରେ ପରିବାରଟି ତାଙ୍କର ଫସଲକୁ ନିଜ ଖର୍ଚ୍ଚ ପାଇଁ ନେଇ ପାରିବେ କିମ୍ବା 'ଅର୍ଗାନିକ ମାଣ୍ଡ୍ୟା' କୁ ବିକ୍ରି କରି ଦେଇ ପାରିବେ। ଏହି ସବୁ ପଦକ୍ଷେପ ଫଳରେ କେବଳ ଯେ ଜୈବ କୃଷି ପ୍ରତି ଲୋକଙ୍କ ଆଦର ବଢ଼ିଲା ତା'ନୁହେଁ ଏହା ଚାଷୀଙ୍କୁ କାମ ଓ ରୋଜଗାର ମଧ୍ୟ ଦେଇପାରିଲା।

image


ଆଗକୁ ରାସ୍ତା - ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ଛଅ ମାସ ଭିତରେ 'ଅର୍ଗାନିକ ମାଣ୍ଡ୍ୟା'ର ଆୟ କୋଟିରୁ ଅଧିକ ଛୁଇଁଛି । ପ୍ରକୃତରେ ପ୍ରଥମ ଚାରିମାସ ମଧ୍ୟରେ ଏହା ଏକ କୋଟି ଟଙ୍କା ଆୟ କରିପାରିଥିଲା। ସମିତିଟିରେ ବର୍ତ୍ତମାନ ୫୦୦ ଜୈବ ଚାଷୀ ସଭ୍ୟ ଅଛନ୍ତି ଯେଉଁମାନେକି ପାଖାପାଖି ୨୦୦ଏକର ଜମି ଚାଷ କରନ୍ତି। ମଧୁଙ୍କର ଲକ୍ଷ୍ୟ ରହିଛି ଏହି ଉଦ୍ୟୋଗଟିରେ କିପରି ବେଶୀରୁ ବେଶୀ ଗ୍ରାହକଙ୍କୁ ଜଡ଼ିତ କରି ଏହାକୁ ପୋଷଣୀୟ କରିହେବ। ସେ ବର୍ତ୍ତମାନ ତାଙ୍କ ମଞ୍ଚରେ ୧୦,୦୦୦ ପରିବାରଙ୍କୁ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି ଯଦ୍ଦ୍ଵାରା ଆୟର ପରିମାଣ ୩୦କୋଟିକୁ ବୃଦ୍ଧି ହୋଇପାରିବ।

'ଅର୍ଗାନିକ ମାଣ୍ଡ୍ୟା'ର କାହାଣୀ ସ୍ପଷ୍ଟ ଭାବେ ଦର୍ଶାଏ ଯେ ସଠିକ ବୈଷୟିକ ଜ୍ଞାନ,ବ୍ୟବସାୟିକ ଦକ୍ଷତାକୁ ଆମ ଦେଶର ପରିଶ୍ରମୀ ଚାଷୀମାନଙ୍କ ସହିତ ସମ୍ମିଳିତ କଲେ ଆମେ କ'ଣ ହାସଲ କରି ପାରିବା।

ବାସ୍ତବିକ ମଧୁଚନ୍ଦନଙ୍କ ଅଭିନବ ପ୍ରୟାସ ମାଣ୍ଡ୍ୟାର କୃଷି କ୍ଷେତ୍ରରେ ନୂତନ ଜୀବନ ସଂଚାର କରିବା ସଙ୍ଗେ ସଙ୍ଗେ ଜୈବ କୃଷିକୁ ପ୍ରୋତ୍ସାହିତ କରିପାରିଛି। ବେଙ୍ଗାଲୁରୁ ଓ ଏହାର ଆଖପାଖର ବାସିନ୍ଦା ମାନେ 'ଅର୍ଗାନିକ ମାଣ୍ଡ୍ୟା'ର ଫାର୍ମଗୁଡ଼ିକ ପରିଦର୍ଶନ କରି ଆମ ଦେଶର ଗ୍ରାମାଞ୍ଚଳର କୃଷି ସଂସ୍କୃତିର ଆନନ୍ଦ ନେଇ ପାରିବେ। 'ଝାଳ ଦାନ ଅଭିଯାନ'ର ପରବର୍ତ୍ତୀ କାର୍ଯ୍ୟକ୍ରମ ବିଷୟରେ ଜାଣିବା ପାଇଁ ଏଠାରେ ଅନୁସନ୍ଧାନ କରନ୍ତୁ। 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags