EDITIONS
Odia

ଉଦ୍ୟୋଗୀମାନଙ୍କ ଠାରୁ ସଫଳତାର ନୂଆ ନୂଆ କାହାଣୀ ଲେଖାଉଛନ୍ତି ଶ୍ରୀନିବାସ

By Dr. Arvind Yadav

Team Odia
6th Mar 2016
Add to
Shares
0
Comments
Share This
Add to
Shares
0
Comments
Share

ହାଇଦ୍ରାବାଦକୁ ଷ୍ଟାର୍ଟଅପମାନଙ୍କ ପାଇଁ ସମଗ୍ର ବିଶ୍ଵର ସବୁଠାରୁ ପ୍ରକୃଷ୍ଟ କେନ୍ଦ୍ର ଭାବେ ଗଢି ତୋଳିବାକୁ ପ୍ରତିବଦ୍ଧ

ନିଜର ନିଆରା ପରିଚୟ ତିଆରି କରିବାର ଇଚ୍ଛା ହିଁ ତାଙ୍କୁ କଲା “ଟି-ହବ”ର ସଂସ୍ଥାପକ

ନିଜ ପରିବାରର ପରମ୍ପରାକୁ ଆଗେଇ ନେବା ପାଇଁ ସେ ସାଜିଲେ ଷ୍ଟାର୍ଟଅପ ମାନଙ୍କ “ବିଶ୍ଵସନୀୟ ପରାମର୍ଶଦାତା” 

image


ପିଲାଟି ମନରେ ଥିଲା ଅନେକ ପ୍ରଶ୍ନ। ସବୁ ଜିନିଷ ଜାଣିବା ଓ ଭଲ ଭାବେ ବୁଝିବା ପାଇଁ ତା ମନରେ ଥିଲା ଜିଜ୍ଞାସା। ତା ମନରେ ଉଙ୍କି ମାରୁଥିଲା ଅନେକ ପ୍ରଶ୍ନ, ଯେମିତିକି ବାଦଲ କେଉଁଠୁ ନିଜ ରୂପ, ରଙ୍ଗ ଓ ଆକାର ପାଏ, ମଣିଷ ଶରୀର କାହିଁକି ବେଳେବେଳେ ଗରମ ଲାଗେ, ପିଲାଙ୍କୁ ଜ୍ଵର କାହିଁକି ହୁଏ। ଆଉ ଏ ସବୁ ପ୍ରଶ୍ନ ପଚାରୁଥିଲା ସେ ନିଜ ବାପାଙ୍କୁ।

ବେଳେବେଳେ ସେ ଘଣ୍ଟା ଖୋଲି ଦେଉଥିଲା ଆଉ ବୁଝିବାକୁ ଚେଷ୍ଟା କରୁଥିଲା କଣ ଏମିତି ଯନ୍ତ୍ର ଅଛି ଯାହା ବଳରେ ଘଣ୍ଟା ନିରନ୍ତର ବୁଲୁଛି। ସେ ବୁଝିବାକୁ ଚାହୁଁଥିଲା କାଲକୁଲେଟର କେମିତି ବିନା ଭୁଲରେ ସବୁବେଳେ ଠିକ ହିସାବ କରୁଛି। ତା ମନରେ ଯେତେବେଳେ ବି କିଛି ପ୍ରଶ୍ନ ଆସୁଥିଲା, ସେ ପ୍ରଶ୍ନର ଉତ୍ତର ପାଇବା ପାଇଁ ସେ ନିଜ ବାପାଙ୍କ ସାହାଯ୍ୟ ଲୋଡୁଥିଲା। ପିଲାଟିର ବାପା ଥିଲେ ଇଂଲଣ୍ଡର ଖ୍ୟାତନାମା ଡାକ୍ତର। ସେ କେବେବି ନିରାଶ କରୁନଥିଲେ ନିଜ ଜିଜ୍ଞାସୁ ପୁଅକୁ। ସବୁ ପ୍ରଶ୍ନର ଉତ୍ତର ଦେଉଥିଲେ ଆଉ ପିଲାଟିର ସବୁ ସମସ୍ୟା ପାଇଁ ସମାଧାନର ସୂତ୍ର ଖୋଜି ଦେଉଥିଲେ।

ସେ ପିଲା ବଡ ହେଲା। ପିଲାଦିନର ସେଇ ସବୁ ପ୍ରଶ୍ନ ଉତ୍ତର ଖେଳରୁ ସେ ଅନେକ କିଛି ଅଭିଜ୍ଞତା ପାଇ ସାରିଥିଲା ଆଉ ପାଇଥିଲା ଆଗକୁ ବଢିବାର ଗୁରୁମନ୍ତ୍ର ବି। ଗୁରୁମନ୍ତ୍ରଟି ହେଲା ଠିକ ଲୋକକୁ ଠିକ ପ୍ରଶ୍ନ ପଚାରି ପାରିଲେ ହିଁ ସଫଳତାର ରାସ୍ତା ମିଳେ। ଆଉ ସେ ଏହି ଗୁରୁମନ୍ତ୍ର ସହ ହିଁ ଆଗକୁ ବଢିବାକୁ ଆରମ୍ଭ କଲା। ସେ ଖାଲି ନିଜ ଜୀବନରେ ସଫଳତା ପାଇଲାନି, ଅନେକ ଉଦ୍ୟମୀ ଆଉ ପ୍ରତିଭା ସମ୍ପନ୍ନ ଯୁବକ ଯୁବତୀଙ୍କୁ ସେମାନଙ୍କ ସ୍ଵପ୍ନ ପୁରା କରିବାରେ ସାହାଯ୍ୟ ମଧ୍ୟ କଲା।

image


ଆମେ ଏବେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ ସେ ହେଲେ ଶ୍ରୀନିବାସ କୋଲ୍ଲିପାରା। ହାଇଦ୍ରାବାଦରେ ଉଦ୍ୟୋଗୀମାନଙ୍କ ପାଇଁ ଏକ ସହାୟକ ପରିବେଶ ତିଆରି କରିବା ଉଦ୍ଦେଶ୍ୟରେ ଗଢା ଯାଇଥିବା ସଂସ୍ଥା “ଟି-ହବ”ର ସେ ହେଉଛନ୍ତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବା ସିଇଓ ଓ ଏହାର ସଂସ୍ଥାପକ ମଧ୍ୟ।

ପିଲାଦିନର ସେହି ପ୍ରଶ୍ନ-ଉତ୍ତର ପ୍ରକ୍ରିୟା ତାଙ୍କୁ ଆଜି ଉଦ୍ୟୋଗୀମାନଙ୍କ “ବିଶ୍ଵସନୀୟ ପରମର୍ଶଦାତା” ହେବାରେ ଅନେକ ପରିମାଣରେ ସାହାଯ୍ୟ କରିଛି। “YourStory” ସହ ଏକ ଅନ୍ତରଙ୍ଗ ଆଳାପରେ ଶ୍ରୀନିବାସ କୁହନ୍ତି ଯେ ପିଲାଦିନେ ତାଙ୍କୁ ମିଳିଥିବା ଶିକ୍ଷାକୁ ଉପଯୋଗ କରି ସେ ଉଦ୍ୟୋଗୀ ମାନଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ସେ ସମ୍ପୃକ୍ତ ଉଦ୍ୟୋଗୀଙ୍କ ଚିନ୍ତାଧାରା, ଶକ୍ତି ଓ ଦକ୍ଷତା ଆକଳନ କରିପାରନ୍ତି। ଆଉ ସେ ପ୍ରଶ୍ନଗୁଡିକର ଉତ୍ତର ଖୋଜିବା ଭିତରେ ଶ୍ରୀନିବାସ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ତାଙ୍କୁ ସୁହାଉଥିବା ବ୍ୟବସାୟ ମଡେଲ ମଧ୍ୟ ଜଣାଇ ଦିଅନ୍ତି।

ଏହି ବିଷୟରେ ମତ ଦେଇ ଶ୍ରୀନିବାସ କୁହନ୍ତି,

ଷ୍ଟାର୍ଟଅପ ସହ ଜଡିତ ଉଦ୍ୟୋଗୀ ମାନଙ୍କୁ ମୁଁ ସମସ୍ୟାର ସମାଧାନ ଦିଏ ନାହିଁ। ବରଂ, ସେମାନଙ୍କ ପ୍ରଶ୍ନ ଭିତରେ ହିଁ ସେମାନଙ୍କ ପାଇଁ ଆବଶ୍ୟକ ସମାଧାନର ରାସ୍ତା ପାଇବା ପାଇଁ ସେମାନଙ୍କୁ ସାହାଯ୍ୟ କରେ। 

ଶ୍ରୀନିବାସ ଏକଥାରେ ବିଶ୍ଵାସ କରନ୍ତି ଯେ ଭାରତୀୟ ଉଦ୍ୟୋଗୀ ମାନଙ୍କ ପାଖରେ ଅସୀମ ସାମର୍ଥ୍ୟ ଓ ବିଶ୍ଵକୁ ବଦଳେଇବାର କ୍ଷମତା ରହିଛି।

ଶ୍ରୀନିବାସଙ୍କ ମତରେ ବିକାଶ ବହୁକୈନ୍ଦ୍ରିକ ହେଲେ ହିଁ ଯାଇ ଗୋଟିଏ ରାଷ୍ଟ୍ର ନିଜ ସଫଳତାର ଲମ୍ବା କାହାଣୀ ଲେଖିପାରିବ। ସେଥିପାଇଁ ସେ ବାଙ୍ଗାଲୋର ସହ ହାଇଦ୍ରାବାଦକୁ ମଧ୍ୟ ଅନ୍ୟ ଏକ ଷ୍ଟାର୍ଟଅପ କେନ୍ଦ୍ର ଭାବେ ଗଢି ତୋଳିବାର ଉତ୍ତରଦାୟିତ୍ଵ ନେଇଛନ୍ତି। ଆଉ “ଟି-ହବ”ର କାମକୁ ଯଦି ଆମେ ଗଭୀର ଭାବେ ଅନୁଶୀଳନ କରିବା ତାହାଲେ ଶ୍ରୀନିବାସ ଯେ ନିଜ ଲକ୍ଷ୍ୟରେ ସଫଳ ହେବାକୁ ଯାଉଛନ୍ତି ତାହା ବିନା ଦ୍ଵିଧାରେ କହି ପାରିବା। ୨୦୧୫ ମସିହା ନଭେମ୍ବର ୫ ତାରିଖ ଦିନ ହାଇଦ୍ରାବାଦରେ “ଟି-ହବ”ର ଆରମ୍ଭ ହୋଇଥିଲା। ଆଉ ଉଦଘାଟନ ଉତ୍ସବରେ ସାମିଲ ଥିଲେ ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା, ତେଲେଙ୍ଗାନାର ରାଜ୍ୟପାଳ ନରସିଂହମ, ଆଇଟି ମନ୍ତ୍ରୀ ତାରକ ରାମଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ଵ।

image


ସରକାରୀ ଓ ବେସରକାରୀ ସହଭାଗିତାର ଏକ ନିଆରା ନମୁନା ହେଉଛି “ଟି-ହବ”। ଏହା ତେଲେଙ୍ଗାନା ସରକାର ଓ ଆଇଆଇଆଇଟି ହାଇଦ୍ରାବାଦ ସହିତ ଅନେକ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାମାନଙ୍କ ମିଳିତ ଚିନ୍ତାଧାରା, ଉଦ୍ୟମ ଓ ସହଭାଗିତାର ଫଳଶ୍ରୁତି। ଉଦ୍ୟୋଗୀ ଓ ଷ୍ଟାର୍ଟଅପମାନଙ୍କ ପାଇଁ ହାଇଦ୍ରାବାଦରେ ସର୍ବଶ୍ରେଷ୍ଠ ପରିବେଶ ତିଆରି କରିବା ହେଉଛି ଏହାର ଲକ୍ଷ୍ୟ। ଆଇଆଇଆଇଟି ହାଇଦ୍ରାବାଦ ପରିସରରେ ପ୍ରାୟ ୭୦ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ “ଟି-ହବ” ତିଆରି କରାଯାଇଛି। ଉଦ୍ୟୋଗୀ ମାନଙ୍କ ପାଇଁ ଆବଶ୍ୟକ ସମସ୍ତ ବିଶ୍ଵସ୍ତରୀୟ ସୁବିଧା ସୁଯୋଗ ଏଠାରେ ଉପଲବ୍ଧ। ଅନେକ ଷ୍ଟାର୍ଟଅପ “ଟି-ହବ”ରେ ହିଁ ନିଜର ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ନିବେଶକ ଓ ଭେଞ୍ଚର କ୍ୟାପିଟାଲିଷ୍ଟ ମାନଙ୍କ ସହ ନିୟମିତ ବ୍ୟବଧାନରେ ଉଦ୍ୟୋଗୀ ମାନେ କିଛି ସାକ୍ଷାତ କରି ପାରିବେ ସେଥିପାଇଁ ମଧ୍ୟ “ଟି-ହବ”ରେ ବ୍ୟବସ୍ଥା ରହିଛି।

ସଫଳତାର ଅନେକ କାହାଣୀର ଆରମ୍ଭ “ଟି-ହବ”ରେ ହିଁ ହେବ ବୋଲି ଶ୍ରୀନିବାସଙ୍କର ଦୃଢ ଆତ୍ମବିଶ୍ଵାସ ରହିଛି। ଆଉ ଏହି କାହାଣୀ ସବୁ ବିଶ୍ଵ ଦରବାରରେ ଭାରତର ନୂତନ ପରିଚୟ ସୃଷ୍ଟି କରିବ ବୋଲି ସେ ମତ ଦିଅନ୍ତି। 

ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଶ୍ରୀନିବାସ କୁହନ୍ତି,

ବାଙ୍ଗାଲୋର ଓ ହାଇଦ୍ରାବାଦ ମଧ୍ୟରେ ବିବାଦ ସୃଷ୍ଟି କରିବା ଟି-ହବର ଲକ୍ଷ୍ୟ ନୁହେଁ। ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଗୋଟିଏ ସହର ଆଉ ଗୋଟିଏ ସହରକୁ ସହଯୋଗ କରିବା ଆବଶ୍ୟକ। ଭାରତରେ ବିକାଶ ପାଇଁ ଗୋଟିଏ ନୁହେଁ ଅନେକ କେନ୍ଦ୍ର ରହିଛି। ସହର ମାନଙ୍କ ମଧ୍ୟରେ ଏକ ନମ୍ବର ହେବା ପାଇଁ ଗୋଟେ ସୁସ୍ଥ ପ୍ରତିଯୋଗିତା ହେବା ଭଲ କଥା ।

ହାଇଦ୍ରାବାଦକୁ ଉଦ୍ୟୋଗୀ ଓ ଷ୍ଟାର୍ଟଅପ ମାନଙ୍କ ପାଇଁ ନୂଆ କେନ୍ଦ୍ର ଭାବେ ହାଇଦ୍ରାବାଦକୁ କାହିଁକି ବାଛିଲେ ପ୍ରଶ୍ନର ଉତ୍ତର ଦେଲା ବେଳକୁ ଭାବପ୍ରବଣ ହେଇଯାନ୍ତି ଶ୍ରୀନିବାସ। 

ନିଜ ବ୍ୟକ୍ତିଗତ ଜୀବନର କିଛି ସ୍ମୃତି ଓ ଅନୁଭୂତି ଚାରଣ କରି ଶ୍ରୀନିବାସ କୁହନ୍ତି,

ହାଇଦ୍ରାବାଦ ସହ ମୋ ସମ୍ପର୍କ ବହୁ ପୁରୁଣା ଓ ନିବିଡ। ହାଇଦ୍ରାବାଦର ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମୋର ପାରିବାରିକ ସମ୍ପର୍କ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହାୟତା ମତେ ମିଳିପାରିବ ବୋଲି ମୁଁ ଆଶାବାଦୀ। ସେଥିପାଇଁ ମୁଁ ହାଇଦ୍ରାବାଦକୁ ହିଁ ବାଛିଲି। ଜୀବ ବିଜ୍ଞାନ, ଔଷଧ ବିଜ୍ଞାନ , ଚିକିତ୍ସା ଓ କୃଷିର ବଡ କେନ୍ଦ୍ର ହେଉଛି ହାଇଦ୍ରାବାଦ। ଏହି ସବୁ କ୍ଷେତ୍ରର ଷ୍ଟାର୍ଟଅପ ମାନେ ଯଦି “ଟି-ହବ”ରେ କାମ କରିବା ଆରମ୍ଭ କରିବେ ତାହାଲେ ସେମାନଙ୍କୁ ବହୁତ ସୁବିଧା ମିଳି ପାରିବ।
image


ଆମେରିକା ଓ ଇଂଲଣ୍ଡରେ ନିଜ ପାଠପଢା ଓ କର୍ମଜୀବନର ଅଭିଜ୍ଞତା ବିଷୟରେ ମତ ରଖି ଶ୍ରୀନିବାସ କୁହନ୍ତି,

ଅନେକ ଦେଶ ସିଲିକନ ଭ୍ୟାଲି ମଡେଲକୁ ଅନ୍ଧ ଭାବେ ଅନୁକରଣ କରିଛନ୍ତି। ଏହି ଅନ୍ଧ ଅନୁକରଣ ପାଇଁ ହିଁ ସେମାନେ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ନିଜ ଦେଶରେ ଆଉ ଗୋଟିଏ ସିଲିକନ ଭ୍ୟାଲି ତିଆରି କରି ପାରିନାହାନ୍ତି। ସେ ଦେଶମାନେ ନିଜ ଦେଶର ପରିସ୍ଥିତି ଓ ଆବଶ୍ୟକତା ଅନୁସାରେ କାମ କରି ପାରିନାହାନ୍ତି। ସ୍ଥାନୀୟ ସମସ୍ୟାକୁ ଅଣଦେଖା କରିବା ଓ ନିଜ ଲୋକଙ୍କ ମୂଳ ଆବଶ୍ୟକତାକୁ ବୁଝି ନପାରିବା ହିଁ ସେମାନଙ୍କ ବିଫଳତାର କାରଣ।

ଏପରି କ୍ଷେତ୍ରରେ ହାଇଦ୍ରାବାଦ ପାଇଁ କଣ କଣ ଚ୍ୟାଲେଞ୍ଜ ରହିଛି ପ୍ରଶ୍ନର ଉତ୍ତର ଦେଇ ଶ୍ରୀନିବାସ କୁହନ୍ତି,

ତିନି ଚାରି ବର୍ଷ ତଳେ ଏଠି ପରିବେଶ ସମ୍ପୂର୍ଣ ଅଲଗା ଥିଲା। ସମସ୍ତେ ବାଙ୍ଗାଲୋର ବିଷୟରେ ହିଁ କଥା ହେଉଥିଲେ। ଷ୍ଟାର୍ଟଅପ ବିଷୟରେ ଅନେକଙ୍କ ପାଖେ ସଠିକ ସୂଚନା ନଥିଲା। ସେଥିପାଇଁ ଅନେକ ଉଦ୍ୟୋଗୀ ବାଙ୍ଗାଲୋରକୁ ହିଁ ପସନ୍ଦ କରୁଥିଲେ। ମୁଁ ଓ ମୋର କିଛି ସାଥି ମିଶି ଏହି ଅବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲୁ। ପରିବର୍ତ୍ତନ ଧୀରେ ଧୀରେ ଆସିଲା। ଏହି ପରିବର୍ତ୍ତନ ଆଣିବାରେ ଆଇଆଇଆଇଟି ହାଇଦ୍ରାବାଦର ମଧ୍ୟ ଏକ ଉଲ୍ଲେଖନୀୟ ଭୂମିକା ରହିଛି। ୨୦୧୪ରେ ତେଲେଙ୍ଗାନା ରାଜ୍ୟ ଗଠନ ଓ ନୂଆ ସରକାର ସହ ଘଟଣାକ୍ରମରେ ଶୀଘ୍ର ପରିବର୍ତ୍ତନ ଆସିବା ଆରମ୍ଭ ହେଲା। ନୂଆ ସରକାରଙ୍କ ଆଇଟି ମନ୍ତ୍ରୀ ତାରକ ରାମାଙ୍କ ସକ୍ରିୟତା ଓ ପରିଶ୍ରମ ଫଳରେ ଗୋଟିଏ ନୂଆ ନୀତି ପ୍ରଣୟନ ହେଲା। ଏହି ନୀତି ହିଁ “ଟି-ହବ” ପାଇଁ ସଞ୍ଜିବନୀ ଥିଲା। କେବଳ ଆଇଟି ନୁହେଁ ଷ୍ଟାର୍ଟଅପ ଓ ଉଦ୍ୟୋଗୀମାନଙ୍କୁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେଲେ।

ଶ୍ରୀନିବାସ ଭାରି ନୀତିବାଦୀ ଓ ନିଜ ସିଦ୍ଧାନ୍ତ ସହ ସେ କେବେ ବି ବୁଝାମଣା କରନ୍ତି ନାହିଁ। ନିଜ ମାମୁଁ ଡାକ୍ତର ବସନ୍ତ କୁମାରଙ୍କ ଦ୍ଵାରା ସେ ସେ ଅନେକ ମାତ୍ରାରେ ପ୍ରଭାବିତ। ବସନ୍ତ କୁମାର ଆନ୍ଧ୍ରପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ସହପାଠୀ ଓ ଭଲ ବନ୍ଧୁ। ଶ୍ରୀନିବାସଙ୍କ ପିଲାଦିନ ଓ ସ୍କୁଲ ଜୀବନ ଇଂଲଣ୍ଡରେ ହିଁ ବିତିଥିଲା। ତାପରେ କଲେଜ ଶିକ୍ଷା ପାଇଁ ସେ ଯେବେ ବିଜୟୱାଡା ଆସିଲେ ନୂଆ ପରିବେଶ ସହ ଖାପ ଖୁଆଇବାକୁ ତାଙ୍କୁ କିଛି ସମୟ ଲାଗିଥିଲା। ମାତ୍ର ଏହା ଶ୍ରୀନିବାସଙ୍କୁ ଅନେକ କିଛି ଶିଖାଇ ଥିଲା। ଏହି ସମୟରେ ସେ ନିଜ ଅଜା ଓ ମାମୁଁଙ୍କ ସହ ରହିଥିଲେ ଓ ସେମାନଙ୍କ ସମାଜସେବା ଦ୍ଵାରା ପ୍ରଭାବିତ ହୋଇଥିଲେ।

image


କଲେଜ ପଢା ଶେଷ କରିବା ପରେ ଶ୍ରୀନିବାସ ଓମେଗା ଇମ୍ମ୍ୟୁନୋଟେକ ନାମରେ ଗୋଟିଏ କମ୍ପାନୀ ଆରମ୍ଭ କଲେ। ଇଂଲଣ୍ଡରୁ ଡାଇଗ୍ନୋଷ୍ଟିକ ଏଞ୍ଜାଇମ ଆମଦାନୀ କରିବା ଏହି କମ୍ପାନୀର ବ୍ୟବସାୟ ଥିଲା। କିଛି ବର୍ଷ ପରେ ଗୋଟିଏ ବଡ ଫାର୍ମା କମ୍ପାନୀ ଏହାକୁ କିଣିନେଲା। ଏହାପରେ ଅନେକ କର୍ପୋରେଟ ସଂସ୍ଥାରେ ଗୁରୁତ୍ଵପୂର୍ଣ ପଦପଦବୀରେ ସେ କାମ କରିଥିଲେ। ୨୦୦୭ ମସିହାରେ ସେ ନିଜ କାମ ଆରମ୍ଭ କରିବାକୁ ଓ ଷ୍ଟାର୍ଟଅପ କମ୍ପାନୀ ମାନଙ୍କୁ ନିଜର ସମସ୍ତ ଅଭିଜ୍ଞତା ମାଧ୍ୟମରେ ଅଧିକ ସମୃଦ୍ଧ କରିବାକୁ ନିଷ୍ପତ୍ତି ନେଲେ।

ଶ୍ରୀନିବାସଙ୍କ ମତରେ “ଟି-ହବ” ର ସ୍ଥାପନା ତାଙ୍କ ଜୀବନର ସବୁଠାରୁ ବଡ ସଫଳତା ଓ ଉପଲବ୍ଧି। ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ। ଏହା ଉପରେ ଅଧିକ କିଛି କହିଲା ବେଳକୁ ସେ ଭାବପ୍ରବଣ ହୋଇ ଯାନ୍ତି। 

ତାଙ୍କ ମତରେ, "ମୋ ସ୍ଵପ୍ନ ସେହି ଦିନ ହିଁ ସଫଳ ହେବ ଯେଉଁ ଦିନ ଦୁନିଆର କୋଣ ଅନୁକୋଣରେ ଲୋକେ “ଟି-ହବ”କୁ ଷ୍ଟାର୍ଟଅପ ମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ସଂସ୍ଥାର ମାନ୍ୟତା ଦେବେ।“ ତାଙ୍କ ଜୀବନରେ ସେ ଅନେକ ଉତ୍ଥାନ ପତନ ଦେଖିଛନ୍ତି। କଠିନ ସମୟରେ ବନ୍ଧୁମାନେ ତାଙ୍କ ହାତ ଛାଡି ଦେବାର ଅନୁଭୂତି ମଧ୍ୟ ରହିଛି। ଆଉ ଏପରି କିଛି ଲୋକଙ୍କୁ ମଧ୍ୟ ଭେଟିଛନ୍ତି ଯେଉଁ ମାନେ ତାଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ତାଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଚକମକ କର୍ପୋରେଟ ଦୁନିଆକୁ ଛାଡି ବନ୍ଧୁର ଷ୍ଟାର୍ଟଅପ କ୍ଷେତ୍ରକୁ ଆସିବା ପଛରେ ତାଙ୍କର ତିନି ଗୋଟି ଲକ୍ଷ୍ୟ ରହିଛି ବୋଲି ଶ୍ରୀନିବାସ କୁହନ୍ତି। ପ୍ରଥମଟି ହେଲା ଏମିତି କିଛି କାମ କରିବା ଯାହା ଲୋକଙ୍କ ଜୀବନରେ ଛାପ ଛାଡିଯିବ। ଦ୍ଵିତୀୟଟି ହେଲା ସେହି କାମ କରିବା ଯାହା କରିବାରେ ନିଜକୁ ମଜା ଲାଗିବ। ଆଉ ତୃତୀୟଟି ହେଲା ସମାଜସେବା ପାଇଁ ଥିବା ନିଜ ପରିବାରର ପ୍ରତିବଦ୍ଧତାକୁ ଆଗକୁ ନେବା। 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags