କେବେ ବଦଳିବ ଦ୍ୱୀପାଞ୍ଚଳବାସୀଙ୍କ ଭାଗ୍ୟ !
ଓଡ଼ିଶାର ସବୁଠୁ ପଛୁଆ ଓ ଅବହେଳିତ ଜିଲ୍ଲା ମାଲକାନଗିରି। ମାଓବାଦୀଙ୍କ ଉତ୍ପାତ ଯୋଗୁ ଦୂରରେ ଥିବା ରାଜ୍ୟବାସୀ ଭୟ ପ୍ରକାଶ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ପ୍ରାୟ ୩୫ହଜାର ଲୋକ ଦ୍ଵୀପରେ ରହିବା ପରି ଜୀବନ ଜୀଉଁଛନ୍ତି। କ’ଣ ଏହାର ସମାଧାନ...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁ ଦ୍ୱୀପାଞ୍ଚଳରେ ପରିଣତ ହୋଇଥିବା କୁଡ଼ୁମୁଲୁଗୁମ୍ମା ବ୍ଲକ୍ର ୭ଟି ଗ୍ରାମପଞ୍ଚାୟତର ପୁନର୍ଗଠନ ସମେତ ବ୍ଲକ୍ ପୁନର୍ଗଠନ ହେବ । ଏଥିପାଇଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଜୁଲାଇ ପହିଲା ୨୦୧୫ରେ ଜାରି କରିଥିବା ବିଜ୍ଞପ୍ତି କ୍ରମାଙ୍କ ୧୦୭୨୯ର ପରିଶିଷ୍ଟ-୧ର ବିନ୍ଦୁ-୧୦ ଅନୁସାରେ ବ୍ଲକ୍ ପୁନର୍ଗଠନ ପାଇଁ କ୍ୟାବିନେଟ୍ର ସ୍ୱୀକୃତି ମିଳିଥିବା ଦର୍ଶାଯାଇଛି ଏବଂ ବିଭାଗର ୯.୭.୨୦୧୩ ତାରିଖର ଗେଜେଟ୍ ବିଜ୍ଞପ୍ତି କ୍ରଂ. ୧୩୭୦ ଅନୁଯାୟୀ କରାଯାଉଥିବା ଉଲ୍ଲେଖ ଅଛି । ହେଲେ ଗେଜେଟ୍ ବିଜ୍ଞପ୍ତିକୁ ପାଳନ କରିବାକୁ ଯାଇ ପ୍ରଶାସନ କୁଡୁମୁଲୁଗୁମ୍ମାର ୭ଟି ଦ୍ୱୀପାଞ୍ଚଳ ଗ୍ରାମପଞ୍ଚାୟତ ମଧ୍ୟରୁ ୬ଟିକୁ ସରକାରୀ ଖାତା ଅନୁସାରେ ଚିତ୍ରକୋଣ୍ଡା ବ୍ଲକ୍ରେ ମିଶାଇ ଦେଇଛି । ସେଗୁଡ଼ିକ ହେଉଛି ପଣସପୁଟ, ଯୋଡ଼ାମ୍ବ, ରାଲେଗୁଡ଼ା, ବଡ଼ପଦା, ବଡ଼ପଦର ଓ ଅଣ୍ଡ୍ରାପାଲି ଗ୍ରାମପଞ୍ଚାୟତ । କେବଳ ନାକାମାମୁଡ଼ି ଗ୍ରାମପଞ୍ଚାୟତକୁ କୋରୁକୋଣ୍ଡା ବ୍ଲକ୍ରେ ମିଶାଯାଇଛି । ବାସ୍ତବରେ ଏବେ ବି କୁଡ଼ୁମୁଲୁଗୁମ୍ମା ବ୍ଲକ୍ ଓ ପଞ୍ଚାୟତସମିତି ଅଧୀନରେ ସନ୍ତୁଳି ହେଉଛନ୍ତି ୭ଟି ଗ୍ରାମପଞ୍ଚାୟତର ପ୍ରାୟ ୩୦ ହଜାରରୁ ବେଶି ଲୋକ । ଆଶ୍ଚର୍ଯ୍ୟର କଥା ଯେ "ପେସା' ଆଇନ, ୧୯୯୬କୁ ଏହି ସମସ୍ତ ବିଜ୍ଞପ୍ତିରେ ଅଣଦେଖା କରାଯାଇଛି । "ପେସା' ଅର୍ଥ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ । ବିଶେଷତଃ ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନୁସାରେ ମାଲକାନଗିରି ଏକ ଅନୁସୂଚିତ ଅର୍ଥାତ୍ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ୯୩ତମ ସଂବିଧାନ ସଂଶୋଧନ ଆଇନ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେବ ନାହିଁ ।
ଓଡ଼ିଶାରେ ଜଳବିଦ୍ୟୁତ୍ ଉତ୍ପାଦନ ନିମିତ୍ତ ବିଶାଳ ଜଳଭଣ୍ଡାର ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିବା ଅବା ଦ୍ୱୀପାଞ୍ଚଳର ଅଧିବାସୀ ପାଲଟିଥିବା ଲୋକଙ୍କର ଦୁଃଖ ଅବର୍ଣନୀୟ । ଜଳଭଣ୍ଡାରର ଅତିଗଭୀର ଜଳରେ ଯାତ୍ରା ସମୟରେ ବାରମ୍ବାର ଅଘଟଣ ହୋଇ ବିପୁଳ ଧନଜୀବନ ହାନି ଘଟିଛି । ଗତ ୨୫ ବର୍ଷ ମଧ୍ୟରେ ୭ଟି ଗ୍ରାମପଞ୍ଚାୟତ ଓ ୧୫୨ଟି ରାଜସ୍ୱଗ୍ରାମର ଲୋକମାନେ ସ୍ଥଳଭାଗରେ ଥାଇ ବି ନିଜ ଜୀବନ ସହ ବାଜି ଲଗାଇ ବ୍ଲକ୍ ମୁଖ୍ୟାଳୟକୁ ଆସିବାକୁ ଜଳଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଏହା ମଧ୍ୟରେ ଦୁଇଟି ପିଢ଼ି ସୃଷ୍ଟି ହୋଇଥିଲେ ବି ସେମାନେ ବିପଜ୍ଜନକ ଜଳଯାତ୍ରାକୁ ଗ୍ରହଣ କରି ପାରୁ ନାହାନ୍ତି । ଜନସଂଖ୍ୟାକୁ ଧ୍ୟାନ ଦେଲେ ସବୁଠୁ ବଡ଼ ଗ୍ରାମପଞ୍ଚାୟତ ନାକାମାମୁଡ଼ିର ଜନସଂଖ୍ୟା ପ୍ରାୟ ସାଢ଼େ ୬ହଜାର । ସେହିଭଳି ବଡ଼ପଦର ୫ହଜାର, ଯୋଡ଼ାମ୍ବ ୫ ହଜାର, ରାଲେଗୁଡ଼ା ସାଢ଼େ ୪ ହଜାର, ପଣସପୁଟ ୪ହଜାର, ଅଣ୍ଡ୍ରାପଲ୍ଲୀ ୩ହଜାର, ଓ ବଡ଼ପଦାରେ ଅଢ଼େଇ ହଜାର ଲୋକ ବାସ କରୁଛନ୍ତି । ଆଇନ ଅନୁସାରେ ପାର୍ବତ୍ୟାଞ୍ଚଳରେ ପଞ୍ଚାୟତର ଜନସଂଖ୍ୟା ହାରାହାରି ୨ହଜାର ରହିବ । ଅତଏବ ଏହି ୭ଟି ଗ୍ରାମପଞ୍ଚାୟତକୁ ପୁନର୍ଗଠନ କଲେ ୧୩ଟି ବା ୧୪ଟି ଗ୍ରାମପଞ୍ଚାୟତ ହେବ । ଖଟିଖିଆ ଆଦିବାସୀ ଲୋକଙ୍କ ପାଖରେ ଆନେ୍ଦାଳନ କରିବା ଓ ଦାବିପତ୍ର ଦାଖଲ କରିବା ଭଳି ଗାଣତନ୍ତ୍ରିକ ରୁଚି ପାଇଁ ସମୟ ନଥିବାରୁ ଆଦିବାସୀ ପରମ୍ପରାକୁ ସମ୍ମାନ ଦେଉଥିବା "ପେସା' ଆଇନ, ୧୯୯୬ ପ୍ରକାରେ ସେହି ୧୩-୧୪ଟି ପଞ୍ଚାୟତକୁ ନେଇ ଏକ ନୂଆ ବ୍ଲକ୍ ଗଢ଼ାଯିବା ଆବଶ୍ୟକ । ଯାହା ଫଳରେ ସେମାନେ ନିଜ ଗାଆଁ ପାଖରେ ସରକାରୀ ବାବୁମାନଙ୍କୁ ପଞ୍ଚାୟତସମିତି ଅଧ୍ୟକ୍ଷଙ୍କୁ ଭେଟି ପାରିବେ ଏବଂ ଯୋଜନା ପ୍ରସ୍ତୁତିରେ ସହାୟକ ହୋଇ ପାରିବେ । ତେଣେ ସବୁଠୁ ପଛୁଆ ଓ ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ମାଥିଲି ଓ କାଲିମେଳା ଭଳି ୨୦ଟି ଓ ୨୩ଟି ପଞ୍ଚାୟତ ବିଶିଷ୍ଟ ବ୍ଲକ୍କୁ ଦୁଇ ଦୁଇଟି ବ୍ଲକ୍ରେ ଭାଗ କରିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି । ଏଣେ ମାଲକାନଗିରି ସଦର ବ୍ଲକ୍ରେ ମଧ୍ୟ ୧୯ଟି ଗ୍ରାମପଞ୍ଚାୟତ ରହିଛି । ପ୍ରଶାସନ କେବଳ ବିଜ୍ଞପ୍ତି ଜାରି କରି ସମୟ ଅପଚୟ କରିବା ସହ ୩୦ହଜାର ନିରୀହ ଲୋକଙ୍କର ମାନବାଧିକାରକୁ ଅବମାନନା କରି ଚାଲିଛି । ତେଣୁ ପଞ୍ଚାୟତ ପୁନର୍ଗଠନ ଓ ବ୍ଲକ୍ ପୁନର୍ଗଠନ କେଉଁଠି ନହେଲେ ନାହିଁ, ମାଲକାନଗିରିରେ ଜରୁରୀ ହୋଇପଡିଛି । ରାଜ୍ୟର ବୃହତ୍ତମ ଜିଲ୍ଲା ମୟୂରଭଂଜ ମଧ୍ୟ ଅନୁସୂଚିତ । ସେଠାରେ ୭ଟି ୮ଟି ଗ୍ରାମପଞ୍ଚାୟତରେ ବ୍ଲକ୍ ଗଢ଼ା ହୋଇଥିବା ବେଳେ ମାଲକାନଗିରିର ଭାଗ୍ୟ ପରିବର୍ତନ ପାଇଁ ସେହି ସୂତ୍ର କାହିଁକି ଅନୁସରଣ କରା ନଯିବ, ତାହା ମଧ୍ୟ ଅନ୍ୟ ଏକ ଯୁକ୍ତି ହୋଇ ଚର୍ଚାକୁ ଆସିଛି ।
ବିମଳ ପ୍ରସାଦ, ଭ୍ରାମ୍ୟଭାଷ ୯୪୩୯୮୨୮୧୭୮