EDITIONS
Odia

ବିମୁଦ୍ରାକରଣ ଏକ ପ୍ରହସନ : ଆଶୁତୋଷ

11th Dec 2016
Add to
Shares
4
Comments
Share This
Add to
Shares
4
Comments
Share

୮୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି, ସାଧାରଣ ଜନତା ହେଉଛନ୍ତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ, ଅର୍ଥନୀତି ଦୋଦୁଲ୍ୟମାନ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିପର୍ଯ୍ୟସ୍ଥ, ବିଶେଷଜ୍ଞଙ୍କର ମତ ଯେ ଭବିଷ୍ୟତ ଦିଶୁଛି ଅନ୍ଧକାର ଓ ବ୍ୟବସ୍ଥା ମଧ୍ୟରୁ କଳାଧନ ବାହାର କରିବାର ଆଶା କ୍ଷୀଣ। ଏସବୁ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଥରେ ମଧ୍ୟ ଦୁଃଖପ୍ରକାଶ କରିନାହାନ୍ତି କି ବିମୁଦ୍ରାକରଣକୁ ଫେରାଇନେବାର ନିଷ୍ପତ୍ତି ନେଉନାହାନ୍ତି। ମୋଦିଙ୍କର କାର୍ଯ୍ୟକାଳ ମଧ୍ୟରେ ଏହି ନିଷ୍ପତ୍ତି ଥିଲା ସବୁଠାରୁ ବଡ଼ ନିଷ୍ପତ୍ତି। ଏପରି ଏକ ପଦକ୍ଷେପ ପଛରେ ଥିବା ତାଙ୍କର ପ୍ରଥମ ଯୁକ୍ତି – ଦେଶର ଅର୍ଥନୈତିକ ବ୍ୟବସ୍ଥା ମଧ୍ୟରୁ କଳାଧନ ଓ କଳାଧନ ରଖୁଥିବା ବ୍ୟକ୍ତିକୁ ସଫା କରିବା – ତାହା ଏବେ ଖୁବ ଦୂରର ସ୍ଵପ୍ନ ଭଳି ଲାଗୁଛି। ଚିନ୍ତା କରିବାର ଆଉ ଏକ ବିଷୟ ହେଉଛି ଏହି ପଦକ୍ଷେପ ନେବାର ସମୟ ଓ ପର୍ଯ୍ୟାପ୍ତ ପ୍ରସ୍ତୁତିର ଅଭାବ ସତ୍ତ୍ୱେ ସେ ଏପରି ନିଷ୍ପତ୍ତି ବା ନେଲେ କାହିଁକି। ଏପରି ଏକ ବିଶାଳକାୟ ପଦକ୍ଷେପ ପାଇଁ ଆବଶ୍ୟକ ଥିଲା ଦୀର୍ଘଦିନର ପ୍ରସ୍ତୁତି ଏବଂ ସେ ନେଇ ଭିତ୍ତିଭୂମି ବନେଇବା। କିନ୍ତୁ ଆଜି ଏକ ମାସ ବିତିଗଲା ପରେ ଯଦି ଏହାର କାର୍ଯ୍ୟକାରୀତା ଉପରେ ନଜର ପକାଇବା ତେବେ ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଏକ ପ୍ରହସନ ଭଳି ଲାଗୁଛି।

image


ବିମୁଦ୍ରାକରଣର ସମୟକୁ ନେଇ ମଧ୍ୟ ଅନେକ ଷଡଯନ୍ତ୍ରର ତତ୍ତ୍ଵ ଶୁଣିବାକୁ ମିଳୁଛି। ତା’ଭିତରୁ ଗୋଟିଏ ହେଲା ମୋଦି ଦୁଇଟି ବେଶ ବଡ଼ କର୍ପୋରେଟ ଠାରୁ ଟଙ୍କା ନେଇଥିବାର ଖବର ପଦାକୁ ଆସିବା ଆଗରୁ ତା’କୁ ଭଣ୍ଡୁର କରିବା ଏହା ଏକ ଯୋଜନା। ଶତ୍ରୁ ମାନେ ତାଙ୍କୁ କଳା ରଙ୍ଗରେ ରଙ୍ଗେଇବା ପୂର୍ବରୁ ନିଜକୁ କଳାଧନ ବିରୋଧୀ ବୋଲି ପ୍ରମାଣ କରିବାକୁ ଏହା ଏକ ରଣନୀତି। ଏହା ମଧ୍ୟ କୁହାଯାଉଛି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଠାରେ ବିଜେପି ପାର୍ଲିଆମେଣ୍ଟ ନିର୍ବାଚନରେ ୭୩ଟି ଆସନ ଜିତିଥିଲା ସେଠାରେ ହାର୍ ର ଅର୍ଥ ବିଜେପିର ଅନ୍ତର ଆରମ୍ଭ ବୋଲି ଧରାଯାଇଥାନ୍ତା। କିଛି ବିଦ୍ଵାନ କୁହନ୍ତି ଯେ ମୋଦି ଭଲ ଭାବେ ଜାଣିଛନ୍ତି ଯେ ଶାସନର ଅର୍ଦ୍ଧାଧିକ ସମୟ ବିତିଯାଇଥିଲେ ମଧ୍ୟ ନିର୍ବାଚନ ସମୟରେ ସେ କରିଥିବା ବଡ଼ ପ୍ରତିଶ୍ରୁତିକୁ ପୂରଣ କରିପାରିନାହାନ୍ତି ଏବଂ ବିମୁଦ୍ରାକରଣ ପଦକ୍ଷେପ ତାଙ୍କର ଭାବମୂର୍ତ୍ତିକୁ ବଦଳାଇଦେବ।

ଯଦିଓ ମୋଦି ତାଙ୍କର ନିର୍ବାଚନ ପ୍ରଚାର ସମୟରେ କଳାଧନ ଫେରାଇ ଆଣିବା ନେଇ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାଙ୍କର ଅଢେଇ ବର୍ଷର ଶାସନ କାଳରେ ସେ ପ୍ରତିଜ୍ଞାକୁ ନେଇ ଯେ ସେ ଗମ୍ଭୀର ଥିଲେ, ସେ ନେଇ ଲୋକଙ୍କ ମନରେ ପ୍ରତ୍ୟୟ ଜନ୍ମାଇ ପାରିନଥିଲେ। ଆଉ ଏକ ଉପପାଦ୍ୟ ହେଲା, ସେ ଭଲଭାବେ ଜାଣିଥିଲେ ଯେ ଦେଶର ଅର୍ଥନୀତି ଭଲ ନାହିଁ ଏବଂ ସେ ୨୦୧୯ରେ ଦ୍ଵିତୀୟ ଶାସନ କାଳ ପାଇଁ କୌଣସି ବାସ୍ତବ ଉଦାହରଣ ବା ଛବି ଦେଇପାରିବେ ନାହିଁ। ତାଙ୍କର ଆଶା ବିମୁଦ୍ରାକରଣ ଯୋଗୁଁ ଅପ୍ରତ୍ୟାଶିତ ଭାବେ ପବ୍ଲିକ ତହବିଲରେ ଯେଉଁ ଟଙ୍କା ଜମା ହେବ ସେଥିରୁ ସେ ପରୋକ୍ଷ ଭାବେ କିଛି ଭାଗ ମତଦାତାଙ୍କୁ କିଛି ମାଗଣା ଯୋଜନା ଉପହାର ଦେଇ ଭୋଟ ଅର୍ଜନ କରିପାଇରବେ।

ଯଦିଓ ଏ ନେଇ କୌଣସି ଠୋସ ଉତ୍ତର ନାହିଁ କିନ୍ତୁ ଗୋଟିଏ ଜିନିଷ ସ୍ପଷ୍ଠ ହେଇଯାଇଛି ଯେ ରାଜନୀତି ଓ ସରକାର ଗଠନ କରିବାର ପ୍ରାରମ୍ଭିକ ଦିନ ମାନଙ୍କରେ ମୋଦି ଠିକ ଇନ୍ଦିରା ଗାନ୍ଧୀଙ୍କ ଭଳି ଦୃଢତାର ପରିଚୟ ଦେଇଛନ୍ତି। ମୋଦିଙ୍କ ଭଳି ଶ୍ରୀମତୀ ଗାନ୍ଧୀ ନିଜର ନିଷ୍ପତ୍ତି ନେବା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ଏବଂ ରାଜନୀତିରେ ତାଙ୍କର ଚାଲ ମାକିଆଭେଲିଙ୍କ ପରି କୁଟୀଳ ଥିଲା। କଂଗ୍ରେସ ପାର୍ଟି ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଚୟନ କଲାବେଳେ ତାଙ୍କୁ ବିରୋଧୀ ଦଳର ନେତାମାନେ ‘ଗୂଙ୍ଗି ଗୁଡ଼ିୟା’ ବୋଲି ଡାକୁଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଏଲ. କେ. ଝା କୁହନ୍ତି, “ପ୍ରଥମରେ ଇନ୍ଦିରାଙ୍କ ମଧ୍ୟରେ ସାଂସଦ ଭାବେ ପାରଦର୍ଶିତା ଏବଂ ଆତ୍ମବିଶ୍ଵାସର ଅଭାବ ଥିଲା। ଇନ୍ଦିରାଙ୍କୁ ନେହୁରୁ ପରିବାରର ଦାୟାଦ ହିସାବରେ ବଛାଯାଇନଥିଲା ବରଂ ଏଥିପାଇଁ ଯେ ତାଙ୍କୁ ନେତୃତ୍ଵର ଭାର ଦେଲେ ସେ କିଛି ଆଞ୍ଚଳିକ ନେତାଙ୍କ ସିଣ୍ଡିକେଟ ଦ୍ଵାରା ପରିଚାଳିତ ହେଇପାରିବେ।

କିନ୍ତୁ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ସଙ୍ଗେ ତାଙ୍କର ସ୍ଵକୀୟ ଗୁଣରେ ନିଜର ନେତୃତ୍ଵ ଜାହିର କରିଥିଲେ। RSS ତଥା ବିଜେପିର କିଛି ନେତାଙ୍କ ଅନିଚ୍ଛା ସତ୍ତ୍ୱେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆସିଥିଲେ। ମୋଦିଙ୍କର ଭାବମୂର୍ତ୍ତି ସର୍ବଦା ଜଣେ ଶକ୍ତିଶାଳୀ ଏବଂ ଦୃଢ ନେତାର ଥିଲା। ଏହା କୁହାଯାଏ ଯେ ସେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ଭଲ ପାଆନ୍ତି। ଆମେରିକା ଓ କିଛି ପାଶ୍ଚାତ୍ୟ ଦେଶରେ ତାଙ୍କୁ ଭିସା ନିଷିଦ୍ଧ ଥିଲା। ସେ ଥିଲେ ଭାରତୀୟ ରାଜନୀତିର ତଥାକଥିତ ଖଳନାୟକ। କିନ୍ତୁ ସେ ବିକାଶର ଅଗ୍ରଦୂତ ଭାବେ ନିଜର‘ମେକଓଭର’ କରି ସମୂହଙ୍କ ମଧ୍ୟରେ ପୁଣି ଲୋକପ୍ରିୟତା ହାସଲ କଲେ। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପ୍ରଦର୍ଶନ କିନ୍ତୁ ସେପରି ପ୍ରଭାବଶାଳୀ ହେଇପାରିନାହିଁ। ଦ୍ଵିତୀୟ ଥର ପାଇଁ ଆସନ ଜିତିବାର ଆଶା କମ ଲାଗୁଛି। ବୋଧହୁଏ ଶ୍ରୀମତୀ ଗାନ୍ଧୀଙ୍କ ଭଳି ଭବିଷ୍ୟତରେ ଆସିବାକୁ ଥିବା ଅସୁବିଧାକୁ ଲକ୍ଷ୍ୟ କରି ସେ ଏକ ଜୁଆ ଖେଳିଛନ୍ତି।

ଉତ୍ତର ଷାଠିଏ ଦଶକ ସମୟରେ ଶ୍ରୀମତୀ ଗାନ୍ଧୀ ବୁଝିପାରିଥିଲେ ଯେ ଯଦି ନୀଲମ ସଂଜୀବ ରେଡ୍ଡି ରାଷ୍ଟ୍ରପତି ହେବେ ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ପଦଚ୍ୟୁତ କରିପାରନ୍ତି। ଏହି ସମୟରେ ସେ ଏକ ବଡ଼ ଚାଲ ଖେଳି ସମସ୍ତଙ୍କୁ ନିଜ ବିବେକ ଅନୁସାରେ ଭୋଟ ଦେଇ ସ୍ଵାଧୀନ ପ୍ରାର୍ଥୀ ଭି ଭି ଗିରିଙ୍କୁ ରାଷ୍ଟ୍ରପତି ଭାବେ ବାଛିବାକୁ ଆହ୍ଵାନ କଲେ। ଏହା ରାଜନୀତିର ଇତିହାସରେ ଏକ ଦୁଃସାହସିକ ଚାଲ ବୋଲି କୁହାଯାଇପାରିବ। ଶେଷରେ ଗିରି ଜିତିଥିଲେ ଏବଂ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହେଇଯାଇଥିଲା। ସିଣ୍ଡିକେଟରେ ଥିଲେ ମୋରାରଜୀ, ନିଜଲିଙ୍ଗାପ୍ପା,କାମରାଜ,ପାଟିଲ,ଓ ଅତୁଲ୍ୟ ଘୋଷଙ୍କ ପରି ବରିଷ୍ଠ ଦକ୍ଷିଣପନ୍ଥୀ ନେତା ସମୂହ । ଇନ୍ଦିରା ଜାଣିଥିଲେ ଯେ ନେହେରୁଙ୍କ ଝିଅ ଭାବେ ତାଙ୍କ ପ୍ରତି ବାମପନ୍ଥୀ ବୁଦ୍ଧିଜୀବୀମାନଙ୍କର ସହାନୁଭୁତି ଥିଲା। । ଶୀତଳ ଯୁଦ୍ଧର ସମୟ ଥିଲା, ବିଶ୍ଵ ଦୁଇଟି ଶିବିରରେ ବିଭକ୍ତ ହୋଇଥିଲା। ସୋଭିଏତ ରୂଷିଆ ବାମ ଶିବିରର ନେତୃତ୍ଵ ନେଇଥିଲା। ଭାରତରେ ମଧ୍ୟ ବାମପନ୍ଥୀ ଆଦର୍ଶ ଶକ୍ତିଶାଳୀ ଥିଲା। ଇନ୍ଦିରା ସମାଜବାଦର ରାସ୍ତା ବାଛିଲେ। ବ୍ଯାଙ୍କ ଜାତୀୟକରଣ ଓ ରାଜା ମହାରାଜାଙ୍କ ହାତପାଣ୍ଠି ଉଚ୍ଛେଦ କରିବା ଫଳରେ ତାଙ୍କର ଏକ ପ୍ରଗତିଶୀଳ ଭାବମୂର୍ତ୍ତି ସୃଷ୍ଟି ହୋଇଥିଲା। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଉଦ୍ୟମ ହେଇଥିଲା କିନ୍ତୁ ସେ କଂଗ୍ରେସ ସାଂସଦଙ୍କ ମଧ୍ୟରେ ବହୁମତରେ ଭୋଟ ହାସିଲ କରିବା ସହ ପାର୍ଲିଆମେଣ୍ଟରେ ଅନାସ୍ଥା ପ୍ରସ୍ତାବକୁ ଜିତିବା ପାଇଁ ମଧ୍ୟ ଯଥେଷ୍ଟ ସମର୍ଥନ ପାଇପାରିଥିଲେ। ପୂର୍ବ ଅନୁମାନକୁ ଭୁଲ ପ୍ରମାଣିତ କରି ସେ ଆକ୍ରମକ ନେତୃତ୍ଵର ପରିଚୟ ଦେଇଥିଲେ। ତା’ପରେ ବି ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଥମିବାର ନାମ ନେଇ ନଥିଲା। ସେ ପାର୍ଲିଆମେଣ୍ଟର ପାଞ୍ଚ ବର୍ଷ ଅବଧି ପୂର୍ବରୁ ନିର୍ବାଚନରେ ଅବତୀର୍ଣ୍ଣ ହେଲେ। ସେ ତାଙ୍କର ଭାଷଣରେ କହିଲେ – ବିରୋଧୀମାନେ କହୁଛନ୍ତି ‘ଇନ୍ଦିରା ହଟାଓ’ କିନ୍ତୁ ମୁ କହୁଛି ‘ଗରିବୀ ହଟାଓ’ (वो कहते हैं इंदिरा हटाओ, मैं कहती हूँ ग़रीबी हटाओ)। ଏହି ‘ଗରିବୀ ହଟାଓ’ ସ୍ଲୋଗାନ ତାଙ୍କୁ ଦୁଇ ତୃତୀୟାଂଶ ରୁ ଅଧିକ ବହୁମତରେ ବିଜୟୀ କରିଥିଲା।

ମୋଦି ମଧ୍ୟ ସେହି କୌଶଳ ପ୍ରୟୋଗ କରିବାକୁ ଚାହାନ୍ତି। ସେ ଦେଖାଇବାକୁ ଚାହାଁନ୍ତି ଯେ ସେ ଯେତେବେଳେ କଳା ଧନ ବିରୁଦ୍ଧରେ ଲଢ଼ୁଛନ୍ତି ବିରୋଧୀମାନେ ତାଙ୍କୁ ବିରୋଧ କରୁଛନ୍ତି। ସେ ଦୁର୍ନୀତି ଦୂର କରିବାକୁ ଚାହାଁନ୍ତି କିନ୍ତୁ ବିରୋଧୀମାନେ ତାଙ୍କୁ ହଟାଇବା ଚାହାଁନ୍ତି। ବିମୁଦ୍ରାକରଣପରେ ବିରୋଧୀମାନେ ଯେତେବେଳେ ତାଙ୍କୁ ପାର୍ଲିଆମେଣ୍ଟ ଭିତରେ ଓ ବାହାରେ ଘନ ଘନ ଆକ୍ରମଣ କରୁଛନ୍ତି, ସେତେବେଳେ ତାଙ୍କ ଦଳର ବରିଷ୍ଠ ମାନେ ମୋଦୀଙ୍କୁ ସ୍ଥିର ଭାବେ ସମର୍ଥନ ଦେଉଛନ୍ତି। ତେଣୁ ମୋଦି ଏବେ ବେଖାତିର ଅଛନ୍ତି। କିନ୍ତୁ ତାଙ୍କର କୌଶଳ କାମ କଲାପରି ଜଣାପଡୁନି। ସେ ପ୍ରତିଶୃତି ଦେଇଥିଲେ ପଚାଶ ଦିନ ଭିତରେ ସବୁ କିଛି ଠିକଠାକ କରିଦେବେ ।ଏହାକୁ ଏକ ଜାତୀୟ ନବଜନ୍ମ ବୋଲି କହିବା ପାଇଁ ଲୋକଙ୍କୁ ପ୍ରରୋଚିତ କରୁଛନ୍ତି।

ବିମୁଦ୍ରାକରଣ ଜନିତ କଷ୍ଟକୁ ସେ ଏକ ଜାତୀୟ ଗର୍ବ ବୋଲି କହିବାକୁ ଚାହାନ୍ତି। କିନ୍ତୁ ଯନ୍ତ୍ରଣାର ଶେଷ ନାହିଁ। ପଚାଶ ଦିନ ଅନେକ ଲମ୍ବା ଜଣାପଡ଼ୁଛି। ସରକାର ତାଙ୍କର ନିର୍ଦ୍ଦେଶନାମା ଓ ଲକ୍ଷ୍ୟ ପ୍ରତିଦିନ ପରିବର୍ତ୍ତନ କରି ଚାଲିଛନ୍ତି।ଏବେ ସେ ଏକ କ୍ୟାସଲେସ ସମାଜର କଥା କହୁଛନ୍ତି। ସେ ଆଉ ଏକ ସ୍ଵପ୍ନ ବିକୁଛନ୍ତି।

କିନ୍ତୁ ସେ ବୁଝିବାକୁ ଅସମର୍ଥ ଯେ ଉଦ୍ଦେଶ୍ୟରେ ସଂକଳ୍ପ ଓ ସାଧୁତା ନଥିଲେ ସ୍ଵପ୍ନ ବିକ୍ରୀ ହୋଇପାରେନା ।

ବିମୁଦ୍ରାକରଣ ବିଫଳ ହୋଇଛି। ଏହା ଆଉ ଏକ ସମାନ୍ତରାଳ ବ୍ୟବସ୍ଥାର ସୃଷ୍ଟି କରିଛି। ଦଲାଲ ଓ ଦୁର୍ନୀତିଖୋର ବ୍ୟାଙ୍କ ଅଫିସର ମାନଙ୍କୁ ନେଇ ଏକ ବିରାଟ ଗୋଷ୍ଠୀ ଗଢ଼ି ଉଠିଛି। ଦୁର୍ନୀତିଗ୍ରସ୍ତ ରାଜନେତା ଓ ସେମାନଙ୍କ ଚେଲା ମାନେ ବିଶେଷ ଚାମୁଣ୍ଡାମାନଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନେ ଖୋଲାଖୋଲି ଅଚିରେ ସେମାନଙ୍କର କଳାଧନକୁ ଧଳାଧନରେ ପରିଣତ କରିପାରୁଛନ୍ତି।

ସରକାର କେବଳ ନିଃସହାୟ ଦ୍ରଷ୍ଟା ସାଜିଛନ୍ତି। ମୋଦି ନିଜକୁ ଦୁର୍ନୀତି ବିରୁଦ୍ଧରେ ଏକ କୃସେଡର ଭୂମିକାରେ ପ୍ରଦର୍ଶିତ କରିବାକୁ ଚାହିଁଥିଲେ କିନ୍ତୁ ଦୁର୍ଭାଗ୍ୟ ଏହି ଯେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କ ନିଜ ଦଳ ଆପଣା ୮୦% ପାଣ୍ଠିର ଉତ୍ସ ପ୍ରକାଶ କରିପାରୁନି। ସେ ଏବେ ଲୋକପାଳ ମଧ୍ୟ ନିଯୁକ୍ତ କରିପାରୁ ନାହାନ୍ତି ଯେଉଁ ବିଷୟରେ କି ସର୍ବୋଚ୍ଚ ନ୍ୟାୟାଳୟ ଏବେ ପ୍ରଶ୍ନ ଉଠାଇଛନ୍ତି। ସେ ଏବେ ବି ପାର୍ଲିଆମେଣ୍ଟକୁ ସାମନା କରିବାର ସତ୍ ସାହସ ଦେଖେଇ ନାହାନ୍ତି; ସେ କେବଳ ଗୃହ ବାହାରେ ଭାଷଣ ଦେଇଚାଲିଛନ୍ତି। ତାଙ୍କର ସମର୍ଥକ ମାନେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା ସାଧାରଣ ଜନତାର ଥଟ୍ଟା କରୁଛନ୍ତି। ଇନ୍ଦିରା ସଫଳ ହୋଇଥିଲେ କାରଣ ସେ ସାଧାରଣ ଜନତାର ସମର୍ଥନ ଓ ବିଶ୍ଵାସ ଜିଣିଥିଲେ।ମୋଦି ସେ ଆଶା ଓ ବିଶ୍ଵାସକୁ ଧୋକା ଦେଇଛନ୍ତି।  

ଲେଖକ - ଆଶୁତୋଷ (AAP ନେତା ଏବଂ ସାମ୍ବାଦିକ)

[ Disclaimer : ଲେଖକଙ୍କର ମତାମତ ସଂପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ]

Add to
Shares
4
Comments
Share This
Add to
Shares
4
Comments
Share
Report an issue
Authors

Related Tags