EDITIONS
Odia

ସୋମାଲିଆର ମଦର ଟେରେସାଙ୍କ କାହାଣୀ:ଡକ୍ଟର ହାୱା ଆବ୍ଦି

29th Oct 2015
Add to
Shares
0
Comments
Share This
Add to
Shares
0
Comments
Share

ସୋମାଲିଆ ବିଷୟରେ ଚିନ୍ତା କଲେ ମନକୁ ଆସିଯାଏ ଯେ ତାହା ଏକ ବେସାମରିକ ଯୁଦ୍ଧ, ମରୁଡ଼ି ଓ ତସ୍କରଙ୍କର ଏକ ରାଷ୍ଟ୍ର । ଏ ସବୁ ସତ୍ତ୍ୱେ ସେଠାରେ ଜଣେ ମହିଳା ନିଜ ପରିବାର ସହ ମିଶି ଯୁଦ୍ଧ ଦ୍ଵାରା ଶରଣାର୍ଥୀ ପାଲଟିଥିବା ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କଠିନ ପରିଶ୍ରମ ଜାରି ରଖିଛନ୍ତି । ସେ ହେଉଛନ୍ତି ଡକ୍ଟର ହାୱା ଆବ୍ଦି । ସଂଖ୍ୟାଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଙ୍କ ଉଲ୍ଲେଖନୀୟ ଉଦ୍ୟମ ଯୋଗୁଁ ତାଙ୍କୁ ୨୦୧୨ରେ ନୋବେଲ୍ ପୁରସ୍କାର ପାଇଁ ତାଙ୍କୁ ମନୋନିତ କରାଯାଇଥିଲା ।

ଡକ୍ଟର ଆବ୍ଦି ହେଉଛନ୍ତି ଡକ୍ଟର ହାୱା ଆବ୍ଦି ଫାଉଣ୍ଡେସନର ପ୍ରତିଷ୍ଠାତା ଯାହାକୁ ତାଙ୍କ ଦୁଇ ଝିଅ ଡକ୍ଟର ଡେକୋ ଆଡାନ୍(ଫାଉଣ୍ଡେସନର ସିଇଓ) ଓ ଡକ୍ଟର ଅମିନା ଆଡାନ୍ ପରିଚାଳନା କରୁଛନ୍ତି ।

ବର୍ତମାନ ଏହି ଫାଉଣ୍ଡେସନ ଛାୟାରେ ସୋମାଲିଆର ୯୦ ହଜାର ଶରଣାର୍ଥୀ ରହିଛନ୍ତି । ୨୦୧୨ ବେଳକୁ ଏହି ଫାଉଣ୍ଡେସନ୍ ପାଇଁ ବିଭିନ୍ନ ରାଷ୍ଟ୍ରର ୧୦୨ ଜଣ ଷ୍ଟାଫ୍ କାମ କରୁଥିଲେ । ଏହା ବ୍ୟତୀତ ସ୍ଵେଚ୍ଛାସେବୀ, ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ନେଇ ୧୫୦ ଜଣିଆ ଏକ ଟିମ୍ ରହିଛି ଯାହା ଆଜି ସୁଦ୍ଧା ୨୦ ଲକ୍ଷ ଲୋକଙ୍କୁ ସହାୟତା ଯୋଗାଇ ସାରିଛନ୍ତି ।

ପ୍ରାରମ୍ଭିକ ଦିନ ଗୁଡିକ ଓ ଚ୍ୟାଲେଞ୍ଜ

ଡକ୍ଟର ହାୱା ଆବ୍ଦି ୧୯୮୩ରେ Rural Health Development Foundation (ବର୍ତ୍ତମାନ DHAF ନାମରେ ପରିଚିତ)ରୁ ଆରମ୍ଭ କରିଥିଲେ । ଗୋଟିଏ ରୁମର କ୍ଲିନିକ କୁ ନେଇ ଏହା ଆରମ୍ଭ ହୋଇଥିଲା । ସେତେବେଳେ ଗାଁରେ ଅତି ସାଧାରଣ ରୋଗରେ ମହିଳାମାନଙ୍କ ମୃତ୍ୟୁ ହେଉଥିଲା । ଏଭଳି କି ଆବ୍ଦିଙ୍କ ନିଜ ମାଁ ମଧ୍ୟ ସେଥିରୁ ନିସ୍ତାର ପାଇ ନ ଥିଲେ । ଯେତେବେଳେ ଆବ୍ଦିଙ୍କୁ ୧୨ ବର୍ଷ ହୋଇଥିଲା ତାଙ୍କ ମା ଜଟିଳ ପ୍ରସବ ଯନ୍ତ୍ରଣା ଯୋଗୁଁ ମୃତ୍ୟୁମୁଖରେ ପଡିଥିଲେ । ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ହୁଏତ ତାଙ୍କର ମୃତ୍ୟୁ ହୋଇ ନଥାନ୍ତା । ସେହି ସମୟରେ ଆବ୍ଦି ଜଣେ ଡାକ୍ତର ହୋଇ ଗାଁକୁ ଆସି ଗ୍ରାମୀଣ ମହିଳାଙ୍କ ସେବା କରିବାକୁ ସଂକଳ୍ପ ନେଇଥିଲେ ।

ଅନ୍ୟ ସାମାଜିକ କାର୍ଯ୍ୟ ଭଳି ଆବ୍ଦି ମଧ୍ୟ କାମ ଆରମ୍ଭ କରିବା ବେଳକୁ ସମାଜରେ ଗ୍ରହଣୀୟ ହେବାର ସମସ୍ୟା ସାମ୍ନା କରିଥିଲେ । ଯେତେବେଳେ ଏହି ସଂଗଠନ ଆରମ୍ଭ ହେଲା ଲୋକମାନେ ଏଠାରେ ଚିକିତ୍ସା କରାଇବାକୁ ଭୟ କଲେ । ମାତ୍ର ଜଣେ ପରେ ଜଣେ ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିବା ପରେ ଆବ୍ଦିଙ୍କ ସଂଗଠନର ନାମର ପ୍ରଚାର ଦ୍ରୁତ ଗତିରେ ବଢ଼ିଚାଲିଲା କାରଣ ଲୋକମାନଙ୍କ ରୋଗ ସତରେ ଭଲ ହେଉଥିଲା । ସମୟ ଅତିବାହିତ ହେବା ସହ ଡକ୍ଟର ଆବ୍ଦି ଲୋକମାନଙ୍କ ବିଶ୍ୱାସ ଓ ସମ୍ମାନ ଜିତିପାରିଥିଲେ ।

ଡକ୍ଟର ଆବ୍ଦି ନିଜ ଦୁଇ ଝିଅ ଡେକୋ ଆଡାନ ଓ ଅମିନା ଆଡାନଙ୍କ ସହ ବସି କଥା ହେଉଥିବା ବେଳେ ପୁରୁଣା ଦିନଗୁଡ଼ିକ ମନେ ପକାଇ କହିଥିଲେ ଯେ, ସେତେବେଳେ ଲୋକଙ୍କ ବିଶ୍ୱାସ ଜିତିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା। ଲୋକମାନଙ୍କୁ ପାରମ୍ପରିକ ଚିକିତ୍ସା ସହ ନୂତନ ପଦ୍ଧତିକୁ ମଧ୍ୟ ପରିଚୟ କରିବାକୁ ପଡୁଥିଲା । ତାହା ଭଲ ବୋଲି ଜାଣିବା ପରେ ଲୋକମାନେ ବିଶ୍ୱାସ କରିବା ଆରମ୍ଭ କରୁଥିଲେ । ଏଥି ପାଇଁ ସମୟ ଲାଗିଥିଲା । ସମୟ ଗଡ଼ି ଚାଲିବା ସହ ବିଶ୍ୱାସର ଯେଉଁ ବନ୍ଧନ ସୃଷ୍ଟି ହୋଇଥିଲା ତାହା ସହଜରେ ଭାଙ୍ଗି ହୋଇ ନଥାଏ ବୋଲି ଶ୍ରୀମତି ଆବ୍ଦି କହିଛନ୍ତି ।

image


ସୋମାଲିଆକୁ ନେଇ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହ ନିଜ ପିଲା ଦିନ ବିଷୟରେ ଡକ୍ଟର ଡେକୋ କହିଥିଲେ ଯେ, ମୁଁ ଯେତେବେଳେ ଛୋଟ ପିଲା ଥିଲି ମାଁଙ୍କ ସହିତ ଗୋଟିଏ ଗାଁରୁ ଅନ୍ୟ ଗୋଟିଏ ଗାଁ ଯାତ୍ରା କରୁଥିଲି । ମାଁକୁ ବ୍ୟାଣ୍ଡେଜ୍ ବଢ଼ାଇ ଦେବା ଭଳି ଛୋଟ ମୋଟ ସହାୟତା କରୁଥିଲି । ସେହି ସମୟକୁ ମୁଁ ବହୁତ ଉପଭୋଗ କରିଛି । କାହାକୁ ସାହାଯ୍ୟ କରି ତାଙ୍କ ସହ ଦେଖିବା ମୋତେ ବହୁତ ଆନନ୍ଦ ଦେଉଥିଲା । ଏହା ମୋ ମନରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରେରଣା ସୃଷ୍ଟି କରିଥିଲା ଯାହା ଆଉ ଦୂର ହୋଇପାରି ନଥିଲା । ସୋମାଲିଆ ନମାନେ ବହୁତ ସ୍ନେହୀ ଓ ଆତିଥ୍ୟ ପରାୟଣ ଲୋକ । ସେମାନେ ତୁମକୁ ତାଙ୍କ ଘରକୁ ଆମନ୍ତ୍ରଣ କରିବେ । ତୁମକୁ ଚା’ ପିଇବାକୁ ଦେବା ସହ ସାରା ମଧ୍ୟାହ୍ନ ତୁମ ସହ କଥାବାର୍ତ୍ତା ହେବେ । ପ୍ରତି ଗାଁରେ ସଂପ୍ରଦାୟ ରହିଛି । ମୋ ମାଁ ଯେଉଁ ସମସ୍ତ ଗାଁ ଭ୍ରମଣ କରିଛନ୍ତି ସବୁଠାରେ ତାଙ୍କୁ ସମ୍ମାନର ସହ ସ୍ୱାଗତ କରାଯାଉଥିଲା ।

ଡିଏଚ୍ଏଏଫ ର ସଂସ୍କୃତି

ଡିଏଚ୍ଏଫର ସଂସ୍କୃତି ବହୁତ ବିକାଶଶୀଳ ଓ ଯୁବ ପ୍ରତିଭା ଦ୍ଵାରା ପରିଚାଳିତ । ଡକ୍ଟର ହାୱା ସେହି ସମୟରେ ସୋମାଲିଆର ପ୍ରଥମ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ହୋଇଥିଲେ ଯେତେବେଳେ ମହିଳାମାନଙ୍କୁ ଘରେ ରହି ପିଲାମାନଙ୍କ ଦେଖାଶୁଣା କରିବାକୁ କୁହାଯାଉଥିଲା । ଷ୍ଟାଫ୍ ଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୩୦ ବର୍ଷରୁ କମ । ନୂତନ ଚିନ୍ତାଧାରାକୁ ଆପେଣଇବାରେ କୌଣସି ପ୍ରକାର ପ୍ରତିବନ୍ଧକ ଏଠାରେ ନାହିଁ ।

ଡକ୍ଟର ଡେକୋ ଗର୍ବର ସହ କହନ୍ତି ଯେ, ମୁଁ ଓ ମୋ ଭଉଣି ଡକ୍ଟର ଅମିନା ଆମ ମାଙ୍କ କାମରେ ବହୁତ ବିଶ୍ୱାସ କରୁ । ତାଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରୟାସ କରୁ । ତାଙ୍କ କାମକୁ ଆଗକୁ ବଢ଼ାଇବାକୁ ଉଦ୍ୟମ କରିଛୁ । ସୋମାଲିଆର ଭାଇ ଓ ଭଉଣୀମାନଙ୍କୁ ସାହାଯ୍ୟ ଓ ସେବା କରିବା ପାଇଁ ମୋ ମାଁ ଯେଉଁ ଉଦ୍ୟମ କରିଥିଲେ ତାହାକୁ ପିଲା ଦିନରୁ ଦେଖି ସେହି କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ମନରେ ପ୍ରେରଣା ଜାଗ୍ରତ ହୋଇଥିଲା ।

ନିଜ ଅନୁଭୂତି ବିଷୟରେ ଡକ୍ଟର ଡେକୋ କହିଛନ୍ତି ଯେ, ମୁଁ ମୋ କାମକୁ ବେଶ ଭଲ ପାଏ । ଯେତେବେଳେ ଜଣେ ମା ନିଜ ଶିଶୁକୁ ପ୍ରଥମ ଥର ଦେଖି ଆନନ୍ଦ ଅନୁଭବ କରେ ତାହା ଦେଖିଲେ ବହୁତ ଖୁସି ଲାଗେ । ସେଭଳି କିଛି ମୂହୁର୍ତ୍ତ ମୋ କାର୍ଯ୍ୟକୁ ଅର୍ଥପୂର୍ଣ୍ଣ କରିଛି । ଏହା ମଧ୍ୟ ଜାଣିଛି ଯେ ମୁଁ ଓ ମୋ ମେଡିକାଲ୍ ଟିମ୍ ଯଦି ନ ରହିବ ତେବେ ଏହି ଉପେକ୍ଷିତ ବର୍ଗର ଲୋକଙ୍କୁ ମେଡିକାଲ୍ ସେବା ମିଳିପାରିବ ନାହିଁ । ଆମର ହସପିଟାଲ୍ ୩୧ କିଲୋମିଟର ବର୍ଗ ଅଞ୍ଚଳରେ ଏକ ମାତ୍ର ଚିକିତ୍ସା କେନ୍ଦ୍ର ଯାହା ଲୋକମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଉଛି । ଯେତେବେଳେ ଗୃହ ଯୁଦ୍ଧ ଚାଲିଥିଲା ସେହି ସମୟରେ ମୁଁ, ମୋ ମା ଓ ଭଉଣୀ ଦିନକୁ ୩୦୦ରୁ ଅଧିକ ଲେଖାଏଁ ରୋଗୀଙ୍କୁ ଦେଖୁଥିଲୁ । ଜରୁରୀକାଳୀନ ଚିକିତ୍ସା ପାଇଁ ଅନେକ ଥର ରାତି ୩ଟାରେ ଉଠିବାକୁ ପଡୁଥିଲା। ଯେହେତୁ ଲୋକମାନେ ଆମକୁ ଖୋଜୁଛନ୍ତି, ସେଥିପାଇଁ ଏହି କାମ କରିବାକୁ ଆଗ୍ରହ ରହୁଥିଲା ବୋଲି ସେ କହିଛନ୍ତି ।

ସାମାଜିକ କ୍ଷେତ୍ରରେ ଉଦ୍ୟୋଗୀ ହେବା ପାଇଁ ଶିକ୍ଷା

ଡକ୍ଟର ଡେକୋ ନିଜ ଜୀବନ ଯାତ୍ରାରୁ ଉଦ୍ୟୋଗପତି ହେବା ପାଇଁ ଯାହା କହିଥିଲେ ତାହା ହେଉଛି:

୧।ପ୍ରତି ବ୍ୟକ୍ତି ଯିଏ ସାମାଜିକ କ୍ଷେତ୍ରରେ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ପ୍ରଥମେ ସେହି କାମ ପାଇଁ ତାଙ୍କର ପ୍ରବଳ ଆଗ୍ରହ ରହିଥିବା ଦରକାର ଓ ଯେଉଁ କାମ କରୁଛନ୍ତି ତାହାକୁ ଭଲ ପାଇବା ଦରକାର । ଏହା ପରେ ମୁଁ ତାଙ୍କୁ ପରାମର୍ଶ ଦେବି ଯେ ଆଂଚଳିକ ଭାବେ ଆଉ କ'ଣ ଦରକାର ସେ ବିଷୟରେ ଚିନ୍ତା କରିବା । ସମାଜରେ ଏବେ କେଉଁ ସମସ୍ତ ସେବା ଉପଲବ୍ଧ ହେଉଛି ଓ କଣ ସବୁ ଅନ୍ତର ରହିଛି ତାହା ଚିହ୍ନଟ କରିବାକୁ ପଡ଼ିବ । ଏଭଳି ଅନେକ ସଂଗଠନ ରହିଛି ଯାହା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । ଏହାର ଅର୍ଥ ହେଉଛି ଏକ ନୂଆ ସଂଗଠନ ସମ୍ପୂର୍ଣ୍ଣ ଭାବେ ନୂତନ ଆରମ୍ଭ କରିବାର କିଛି ମାନେ ନାହିଁ । ଏହା ବଦଳରେ ଆଗରୁ ଥିବା ସଂଗଠନ ସହ ପାର୍ଟନରସିପ୍ କରିନେବା ମଧ୍ୟ ବିଶେଷ ଫଳପ୍ରଦ ହେବ ।

୨।ଦ୍ୱିତୀୟରେ, ସ୍ଥାନୀୟ ଲୋକଙ୍କୁ ସମ୍ମାନ ଦେବାକୁ ପଡ଼ିବ । ସେମାନଙ୍କ ଉପରେ ସେବାକୁ ବଳପୂର୍ବକ ଲଦି ଦିଆଯାଇପାରିବ ନାହିଁ । ଯେଉଁ ଲୋକମାନଙ୍କୁ ନେଇ ସାହାଯ୍ୟ କାର୍ଯ୍ୟ ବଢ଼ାଇବାକୁ ଚାହୁଁଛ ସେମାନେ ବିଶ୍ୱସ୍ତ ଥିବା ଦରକାର । ହାୱା ଆବ୍ଦିରେ ମୁଁ ଦେଖିଛି ଲୋକ ମାଇଲ ମାଇଲ ଦୂର ଚାଲି ଆସିଥିବେ ଯେଉଁମାନେ ଖାଦ୍ୟ ଓ ପାନୀୟ ପାଇ ନ ଥିବେ । ଭୀଷଣ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ହାର ମନି ନଥାନ୍ତି।

୩। ଶେଷରେ, ତୁମକୁ ନିଜକୁ ସମସ୍ତ ପରିସ୍ଥିତିରେ ଖାପ ଖୁଆଇ ଚଳିବାକୁ ହେବ। ଦରକାର ପଡିଲେ ନିଜର ଚିନ୍ତାଧାରାକୁ ପରିସ୍ଥିତି ସହ ବଦଳାଇବାକୁ ପଡିବ। ସବୁ ବେଳେ ନୂତନ ଚିନ୍ତାଧାରା ସୃଷ୍ଟି ହୁଏ । ପୁରୁଣା ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରାଯାଏ । ନୂତନ ପଦ୍ଧତି ଓ ପରିସ୍ଥିତିକୁ ଆପଣେଇବା ପାଇଁ ସବୁ ବେଳେ ପ୍ରସ୍ତୁତ ରହିବାକୁ ପଡିବ । ଆମେ ଏକ ଡାଇନାମିକ୍ ବିଶ୍ୱରେ ବାସ କରୁଛେ ଯେଉଁଠାରେ ପ୍ରଯୁକ୍ତି ଯୋଗୁଁ ନୂତନ ଚିନ୍ତାଧାରା ବିନା ବନ୍ଧନରେ ଦୃତ ଗତିରେ ଆଗକୁ ବଢ଼ୁଛି । ଏହା ଯଦିଓ ଆହ୍ୱାନପୂର୍ଣ୍ଣ କିନ୍ତୁ ସେଥିରୁ ନିଜ ପାଇଁ ସୁଯୋଗ ସନ୍ଧାନ କରିବାକୁ ପଡ଼ିବ ।

ଆପଣମାନେ ଏହିଠାରେ ଡକ୍ଟର ହାୱା ଆବ୍ଦି ଫାଉଣ୍ଡେସନ୍ ୱେବସାଇଟକୁ ଦେଖିପାରିବେ ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags