EDITIONS
Odia

ଆନ୍ନା ହଜାରେଙ୍କ ଜୀବନର ପ୍ରଥମ ମିଛ

Team Odia
23rd Aug 2016
Add to
Shares
1
Comments
Share This
Add to
Shares
1
Comments
Share

ଆନ୍ନା ହଜାରେ ଆଧୁନିକ ଭାରତର ସବୁଠାରୁ ଲୋକପ୍ରିୟ ଓ ପ୍ରଭାବଶାଳୀ ସାମାଜିକ କାର୍ଯ୍ୟକର୍ତ୍ତା ଅଟନ୍ତି। ଦେଶର ବହୁମୂଖୀ ବିକାଶ, ଜନତାର ମଙ୍ଗଳ ଓ ଏକ ମଜବୁତ ଲୋକତନ୍ତ୍ର ପାଇଁ ସେ ଅନେକ ସଫଳ ଜନ-ଆନ୍ଦୋଳନ କରିଛନ୍ତି। ଭ୍ରଷ୍ଟାଚାର, ଦାରିଦ୍ର୍ୟ, ପଛୁଆପଣ, ବେରୋଜଗାରି ପରି ସମସ୍ୟା ମାନଙ୍କ ବିରୋଧରେ ତାଙ୍କର ଲଢେଇ ଏବେ ମଧ୍ୟ ଜାରି ଅଛି। ନିଜର ପୈତୃକ ଗାଁ ରାଲେଗାଁ ସିଦ୍ଧିକୁ ଆଦର୍ଶ ଗାଁ ରେ ପରିଣତ କରି ସେ ଦେଶକୁ ଗ୍ରାମୀଣ ବିକାଶର ଏକ ଏପରି ଉଦାହରଣ ଦେଇଛନ୍ତି ଯେ ତାକୁ ଅନୁସରଣ କରି ଦେଶର ଅନେକ ଲୋକେ ନିଜ ଗାଁକୁ ଆଦର୍ଶ ଗାଁ କରିଛନ୍ତି। ଆନ୍ନାଙ୍କ ପ୍ରଦର୍ଶିତ ପଥରେ ଆଜି ଅନେକ ଚାଲିଛନ୍ତି।

ସୂଚନାର ଅଧିକାର ଓ ଲୋକପାଳ ବିଲ ପାଇଁ ଆନ୍ନାଙ୍କ ନେତୃତ୍ଵରେ ଆରମ୍ଭ ହେଇଥିବା ଆନ୍ଦୋଳନ ଦେଶର ସାଧାରଣ ଜନତାକୁ ଏକଜୁଟ କରିଦେଇଥିଲା। ଲୋକଙ୍କର ଆନ୍ନାଙ୍କ ଉପରେ ଏତେ ବିଶ୍ଵାସ ଆସିଥିଲା ଯେ ପିଲା କଣ ଯୁବା କଣ ଆଉ ବୁଢା କଣ ସଭିଏଁ ଏହି ଆନ୍ଦୋଳନରେ ସାମିଲ ହେଇଥିଲେ ଆଉ ନାରା ଲଗେଇଥିଲେ – ମୁଁ ବି ଆନ୍ନା...ମୁଁ ବି ଆନ୍ନା...ସାରା ଦେଶ ଆନ୍ନା। ସମାଜର କାଳିମାକୁ ଲିଭେଇବା ପାଇଁ ଲଢେଇ କରିଥିବା ସେଇ ମହାନ ବ୍ୟକ୍ତିତ୍ଵଙ୍କ ଜୀବନର କାହାଣୀ ତାଙ୍କ ନିଜ ମୁହଁରୁ ଶୁଣିବା ପାଇଁ ଆମେ କିଛି ସମୟ ମାଗିଥିଲୁ। କିଛିଦିନ ତଳେ ଆନ୍ନା ୟୌରଷ୍ଟୋରି ସହ ଏକ ଅନ୍ତରଙ୍ଗ ସାକ୍ଷାତକାର ସମୟରେ ତାଙ୍କର ପିଲାବେଳର କିଛି ଖଟାମିଠା ସ୍ମୃତି, କିଶନ ରୁ ଆନ୍ନା ହେବାର କାହାଣୀ, ଭାରତୀୟ ସେନାରେ କାମ କରିବା ସମୟର ଅନେକ ରୋମାଞ୍ଚକର ଅନୁଭବ ସମ୍ପର୍କରେ ଆମକୁ କହିଥିଲେ। ଏହି ସବୁ ଆଲୋଚନା ଉପରେ ଏକ ଶ୍ରୁଙ୍ଖଳା ପ୍ରସ୍ତୁତ କରିବାକୁ ଯାଉଛୁ। ନିମ୍ନରେ ଏହି ଶ୍ରୁଙ୍ଖଳାର ପ୍ରଥମ ଅଧ୍ୟାୟ।

ଆନ୍ନା ହଜାରେଙ୍କର ଜନ୍ମ ମହାରାଷ୍ଟ୍ରର ଅହମଦନଗର ପାଖରେ ଥିବା ଭିଙ୍ଗାର ଅଞ୍ଚଳରେ ହେଇଥିଲା। ଯଦିଓ ଆନ୍ନାଙ୍କର ପୈତୃକ ଗାଁ ରାଲେଗାଁ ସିଦ୍ଧି କିନ୍ତୁ କର୍ମସଂସ୍ଥାନ ସନ୍ଧାନରେ ତାଙ୍କର ପରିବାର ସହ ଭିଙ୍ଗାର ଚାଲିଯାଇଥିଲେ। ଆନ୍ନା କୁହନ୍ତି ତାଙ୍କ ଗାଁରେ ନିଜର ଜମିଜମା ଥିଲେ ମଧ୍ୟ ଅନେକ ସମୟରେ ମରୁଡ଼ି ପରିସ୍ଥିତି ଯୋଗୁଁ ଆଶାନୁଯାୟୀ ଫସଲ ଅମଳ ନହେବାରୁ ସେମାନେ ବିକଳ୍ପ ଖୋଜି ଭିଙ୍ଗାର ଚାଲିଯାଇଥିଲେ।

ଆନ୍ନାଙ୍କ ଜେଜେବାପା ଇଂରେଜଙ୍କ ସେନାର ଜମାଦାର ଥିଲେ। ଆନ୍ନାଙ୍କ ନିକଟ ସମ୍ପର୍କୀୟ ସଭିଏଁ ସେଇ ଭିଙ୍ଗାର ରେ ରହୁଥିଲେ। ତାଙ୍କ ଜନ୍ମ ମଧ୍ୟ ସେହିଠାରେ ହେଇଥିଲା। ସେ ବାବୁରାଓ ହଜାରେ ଓ ଲକ୍ଷ୍ମୀ ବାଇ ଙ୍କର ପ୍ରଥମ ସନ୍ତାନ ଥିଲେ। ପିତା ମାତାଙ୍କର ଈଶ୍ବରଙ୍କପ୍ରତି ଅଗାଢ ଭକ୍ତି ଓ ନିଷ୍ଠା ଥିଲା। ତେଣୁ ସେ ତାଙ୍କର ନାମ କିଶନ ରଖିଥିଲେ। ସେ ଥିଲେ ସମସ୍ତଙ୍କର ଅଲିଅଳ ଓ ଅତି ଆଦରର।

ଅତି ଆଦରରେ ବଢେଇଥିଲେ ତାଙ୍କ ପିତା ମାତା ତାଙ୍କୁ। କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ମନରେ ଯେତେ ସ୍ନେହଶ୍ରଦ୍ଧା ଓ ଯତ୍ନ କରିବାକୁ ଇଚ୍ଛା ଥିଲେ ମଧ୍ୟ ତାଙ୍କ ବାପା ମା’ ଙ୍କର ଅନେକ ଇଛା ଇଛାରେ ହିଁ ରହିଯାଇଥିଲା।

ଆନ୍ନା ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଭିଙ୍ଗାର ସରକାରୀ ସ୍କୁଲରେ ପଢୁଥିଲେ। ତା’ପରେ ତାଙ୍କ ମାମୁଁ ତାଙ୍କୁ ସାଙ୍ଗରେ ନେଇ ମୁମ୍ବାଇ ଚାଲିଗଲେ। ଆନ୍ନାଙ୍କ ମାମୁଁଙ୍କର ଗୋଟିଏ ବୋଲି ଝିଅ ଥିଲା, ପୁଅ ନ ଥିଲା। ସେଥିପାଇଁ ସେ କିଶନଙ୍କ ବାପା ମା’ଙ୍କୁ ଅନୁରୋଧ କରିଥିଲେ କିଶନଙ୍କୁ ତାଙ୍କ ସାଙ୍ଗରେ ମୁମ୍ବାଇ ପଠେଇବା ପାଇଁ। ସେ ତାଙ୍କୁ ଭରସା ଦେଇଥିଲେ ଯେ ସେ କିଶନଙ୍କୁ ନିଜ ପୁଅଠାରୁ ମଧ୍ୟ ଅଧିକ ଆଦର ସହକାରେ ପାଳିବେ। ଝିଅ ବିଭାଘର ପରେ ସେ ଏକଲା ପଡ଼ିଯିବେ ତେଣୁ ସେ ଏଇ ଅନୁରୋଧ କରିଥିଲେ। ମାମୁଁଙ୍କ ଏଇ ଆନ୍ତରିକ ଅନୁରୋଧ ଆଗରେ ସଭିଙ୍କୁ ନଇଁବାକୁ ପଡିଲା ଓ ଆନ୍ନା ମୁମ୍ବାଇ ଗଲେ। ପରିବାରର ଆର୍ଥିକ ଅନଟନ ଓ ମାମୁଁଙ୍କର ଆନ୍ନାଙ୍କୁ ପାଠ ପଢେଇବାର ପ୍ରତିଶ୍ରୁତି ମଧ୍ୟ ଏକ ବଡ଼ କାରଣ ଥିଲା ଯାହା ଆନ୍ନାଙ୍କ ପିତା ମାତାଙ୍କୁ ହଁ କରିବା ପାଇଁ ବାଧ୍ୟ କରିଥିଲା।

ଆନ୍ନାଙ୍କୁ ପିଲା ବେଳେ ଖେଳକୁଦର ବହୁତ ସଉକ ଥିଲା। ବିଶେଷ କରି ଗୁଡ଼ି ଉଡେଇବାର ବହୁତ ସଉକ ଥିଲା। ନିଜ ଗୁଡ଼ିକୁ ଉଚ୍ଚ ଆକାଶରେ ଉଡ଼ୁଥିବାର ଦେଖି ତାଙ୍କୁ ବହୁତ ଖୁସି ଅନୁଭବ ହେଉଥିଲା। ତାଙ୍କୁ ପାରା ଉଡେଇବାର ସଉକ ମଧ୍ୟ ଥିଲା। ଖୁବ ଆଦରର ସହ ପାରା ମାନଙ୍କୁ ଧରନ୍ତି ଆଉ ତାଙ୍କୁ ମୁକ୍ତ ଆକାଶରେ ଉଡାଇଦିଅନ୍ତି। ଗାଁର ଅନ୍ୟ ଛୁଆଙ୍କ ସହ ମିଶି ଆନ୍ନା ବାଟି ମଧ୍ୟ ଖେଳୁଥିଲେ।

ନିଜ ପିଲାବେଳର ସ୍ମୃତିଚାରଣା କରି ଆନ୍ନା କୁହନ୍ତି - 

ପାରା ମାନଙ୍କୁ ଆକାଶରେ ଛାଡୁଥିଲି ଓ ଦେଖେ ସେମାନେ କିଛି ସମୟ ଉଡ଼ି ପୁଣି ନିଜ ଘରକୁ ଫେରି ଆସନ୍ତି। ସେତେବେଳେ ଭାବେ ତାଙ୍କର କେତେ ଜ୍ଞାନ। ଏତେବଡ଼ ଆକାଶରେ ଉଡ଼ି ସାରିଲା ପରେ ମଧ୍ୟ ନିଜ ଘରର ବାଟ ଠିକ ମାନେ ପକାଇ ଫେରି ଆସୁଛନ୍ତି।

ଆନ୍ନା ବିଲକୁଲ ମଧ୍ୟ ସଙ୍କୋଚ ନ କରି କୁହନ୍ତି ଯେ ଖେଳକୁଦରେ ମନ ଥିବାରୁ ସେ ପାଠପଢାରେ ବିଶେଷ ଧ୍ୟାନ ଦେଉନଥିଲେ। ସେ କୁହନ୍ତି –

 ଖେଳର ସଉକ ଯୋଗୁଁ ବେଶୀ ଧ୍ୟାନ ପଢାପଢିରେ ଦେଉନଥିଲି। ମୋର ବୁଦ୍ଧି ଥିଲା। ଘରେ ବେଶି ନପଢି ମଧ୍ୟ ସ୍କୁଲରେ ମୋର ପ୍ରଥମ ସ୍ଥାନ ରହୁଥିଲା। କ୍ଳାସରେ ଶିକ୍ଷକ ପଢେଇବା ସମୟରେ ମୁଁ ଥରେ ଶୁଣିଲେ ଆଉ ଭୁଲୁନଥିଲି। ସବୁ ମନେ ରହିଯାଉଥିଲା।

ସ୍କୁଲରୁ ଫେରିବା ମାତ୍ରେ ଆନ୍ନା ସାଙ୍ଗ ମାନଙ୍କ ସଙ୍ଗେ ଖେଳିବାକୁ ଚାଲିଯାଉଥିଲେ। ଖେଳରେ ଏତେ ମଗ୍ନ ହେଇ ରହୁଥିଲେ ଯେ ସମୟ ଜ୍ଞାନ ବି ରହୁନଥିଲା। ଥକିଯାଇ ଭୋକ ଲାଗିଲା ପରେ ଯାଇ ସେ ଘରକୁ ଫେରୁଥିଲେ। ପ୍ରତିଦିନ ରାତି ୭ ସାଢେ ୭ ପର୍ଯ୍ୟନ୍ତ ସେ ବାହାରେ ଖେଳରେ ମାତି ରହୁଥିଲେ।

ରାଲେଗାଁ ସିଦ୍ଧିରେ ଥିବା ଯାଦବବାବା ମନ୍ଦିରରେ ହେଇଥିବା ଏହି ଖାସ ସାକ୍ଷାତକାର ବେଳେ ଆନ୍ନା ଆମକୁ ତାଙ୍କ ଜୀବନର ସେହି ଘଟଣା କହିଥିଲେ ଯେବେ ସେ ଜୀବନରେ ପ୍ରଥମ ଥର ପାଇଁ ମିଛ କହିଥିଲେ। ଆନ୍ନା କହନ୍ତି ସେହି ମିଛ ତାଙ୍କ ଜୀବନର ପ୍ରଥମ ଓ ଶେଷ ମିଛ ଥିଲା। ସ୍କୁଲ ଜୀବନରେ କହିଥିବା ସେହି ଗୋଟିଏ ମିଛ ପରେ ସେ ତାଙ୍କ ଜୀବନରେ ଆଉ କେବେ ମିଛ କହିନାହାନ୍ତି।

ପ୍ରଥମ ଓ ଶେଷ ମିଛ କହିବାର ଏହି ଘଟଣା ସେସମୟର ଯେବେ ଆନ୍ନା ସ୍କୁଲରେ ପଢୁଥିଲେ। ସେତେବେଳେ ଆନ୍ନା ଚତୁର୍ଥ ଶ୍ରେଣୀରେ ପଢୁଥିଲେ ଓ ସବୁଦିନ ପରି ଦିନେ ତାଙ୍କ ଶିକ୍ଷକ ତାଙ୍କୁ ଘରେ କରିଆଣିବା ପାଇଁ ପାଠ ଦେଇଥିଲେ। ସ୍କୁଲ ଛୁଟି ହେବା ପରେ ଆନ୍ନା ଘରକୁ ଆସିଲେ ଓ ନିଜ ଅଭ୍ୟାସ ମୁତାବକ ବହିବସ୍ତାନି ଗୋଟିଏ ପାଖରେ ରଖିଦେଇ ଖେଳିବାକୁ ବାହାରିଗଲେ। ସେଦିନ ଅନେକ ଡେରି ଯାଏଁ ସେ ଖେଳିବାରେ ବ୍ୟସ୍ତ ରହିଲେ। ଏତେ ଖେଳିଲେ ଯେ ଘରକୁ ଫେରିଲା ପରେ କ୍ଳାନ୍ତ ହେଇ ତୁରନ୍ତ ଶୋଇପଡ଼ିଲେ। ପରଦିନ ସକାଳେ ଶିକ୍ଷକ ଦେଇଥିବା ପାଠ ନ କରି ସ୍କୁଲ ଗଲେ। ସ୍କୁଲରେ ଯେତେବେଳେ ସମସ୍ତଙ୍କ ଖାତା ଚେକ ହେଲା ସେତେବେଳେ ତାଙ୍କର ମନେ ପଡିଲା ଯେ ସେ ତ ଗୃହପାଠ କରିନାହାନ୍ତି। ମୁଣ୍ଡରେ କିଛି ବୁଦ୍ଧି ପଶୁନଥାଏ କଣ କରିବେ। ଯେତେବେଳେ ସାର ତାଙ୍କୁ ତାଙ୍କ ଖାତା ଦେଖାଇବାକୁ କହିଲେ ସେତେବେଳେ ମାଡ଼ ଭୟରେ ଆନ୍ନା ହଠାତ ମିଛ କହିପକେଇଲେ। ସେ କହିଲେ ସେ ପାଠ କରିଦେଇଥିଲେ କିନ୍ତୁ ଖାତାଟି ଭୁଲରେ ଘରେ ଛାଡ଼ିଆସିଛନ୍ତି। ସେଠୁ ସାର ତାଙ୍କୁ ଘରକୁ ଯାଇ ଖାତା ନେଇ ଆସିବା ପାଇଁ କହିଲେ। ଆନ୍ନା ଘରକୁ ପଳେଇଆସିବା ହିଁ ଠିକ ଭାବିଲେ।

ଆନ୍ନା ନିଜ ମାଁଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କଠାରୁ କୌଣସି କଥା ଲୁଚେଇ ରଖୁନଥିଲେ। ଘରକୁ ଆସୁ ଆସୁ ସେ ତାଙ୍କ ମାଁଙ୍କୁ ନିଜ ମିଛ ସମ୍ପର୍କରେ କହିଦେଲେ ଓ ଏପରି ଏକ ପ୍ରସ୍ତାବ ରଖିଲେ ଯାହା ଶୁଣି ତାଙ୍କ ମାଁ କ୍ରୋଧରେ ତାତିଗଲେ। ସେ କହିଲେ ଯେ ସେ ଘରେ ରହି ପାଠ କରିଦେବେ କିନ୍ତୁ ସେଦିନ ଆଉ ସ୍କୁଲ ଫେରି ଯିବେନାହିଁ। ଏବଂ ତା’ପାରା ଦିନ ଯେତେବେଳେ ସ୍କୁଲ ଯିବେ ସେତେବେଳେ ମାଁ ମଧ୍ୟ ତାଙ୍କ ସାଙ୍ଗରେ ଯିବେ ଓ ସାରଙ୍କୁ କହିଦେବେ ଯେ ଘରକୁ ପୁଅ ଆସିଲା ପରେ ସେ ତାଙ୍କୁ କିଛି ଜରୁରୀ କାମ ଦେଇଦେଇଥିଲେ ଯାହା ଫଳରେ ସେ ଆଉ ସ୍କୁଲ ଫେରି ଯାଇପାରିଲେନାହିଁ। ଏହି କଳ୍ପନା ଶୁଣି ଆନ୍ନାଙ୍କ ମାଁ ରାଗରେ ପାଚିଯାଇଥିଲେ। ସେ କହିଲେ – ତୁ ନିଜେ ମିଛ କହୁଛୁ ଆଉ ମୋତେ ବି ମିଛ କହିବାକୁ କହୁଛୁ? ମୁଁ ବିଲକୁଲ ମିଛ କହିବି ନାହିଁ।

ମାଁଙ୍କର କ୍ରୋଧ ଦେଖି ଆନ୍ନା ଟିକେ ଡରିଗଲେ। ତାଙ୍କୁ ଲାଗିଲା ଯଦି ସ୍କୁଲରେ ତାଙ୍କ ମିଛ ଧରାପଡ଼ିଯାଏ ତେବେ ବହୁତ ବଦନାମି ହେବ। ସାରଙ୍କର ମାଡ଼ ଓ ବଦନାମିର ଭୟ ତାଙ୍କୁ ବେଶି ଖାଇବାକୁ ଲାଗିଲା। ସେ ଶେଷ ଚେଷ୍ଟା କଲେ ଓ ମାଁଙ୍କୁ ଏକ ପ୍ରକାର ଧମକ ଦେଲେ ଯେ ଯଦି ସେ ପରଦିନ ତାଙ୍କ ସହ ସ୍କୁଲ ଯାଇ ଏସବୁ ନକୁହାନ୍ତି ତେବେ ସେ ସ୍କୁଲ ଯିବା ଛାଡିଦେବେ। ଆଉ କେବେ ବି ସ୍କୁଲ ଯିବେନି। ବଦନାମର ମୁହଁ କେମିତି ଦେଖେଇବି। ତେଣୁ ଆଉ କେବେ ଯିବିନାହିଁ।

ଆନ୍ନା କୁହନ୍ତି ସବୁ ମାଁ ମାନେ ଏକ ପ୍ରକାରର। ନିଜ ଛୁଆ ମାନଙ୍କୁ ସବୁ ମାଁ ଏକ ପ୍ରକାର ଭଲ ପାଇଥାନ୍ତି। ସେଦିନ ତାଙ୍କ ମାଁଙ୍କ ମନ ମଧ୍ୟ ତାଙ୍କ କଥାରେ ତରଳି ଯାଇଥିଲା। ସେ ସ୍କୁଲ ଯାଇ ଆନ୍ନା କହିଥିବା କାହାଣୀ ତାଙ୍କ ଶିକ୍ଷକଙ୍କୁ କହି ଆସିଥିଲେ।

ଏହି କାହାଣୀ କହିବା ସମୟରେ ଆନ୍ନା ଭଗବାନ କୃଷ୍ଣ ଓ ଯଶୋଦାଙ୍କ ଭିତରେ ହେଇଥିବା ଲହୁଣୀ ଚୋରୀ ପ୍ରସଙ୍ଗ ମଧ୍ୟ ଶୁଣାଇଥିଲେ। ଆନ୍ନା ନିଜର ଅଭିନବ ଅନ୍ଦାଜରେ ସୁରଦାସଙ୍କ ରଚନା ‘ମଇୟା ମୋରି ମେ ନହିଁ ମାଖନ ଖାୟୋ’ କୁ ମଧ୍ୟ ଗାଇଲେ ଆଉ କହିଲେ କୃଷ୍ଣଙ୍କ ମୁହଁରେ ମାଖନ ଲାଗିଥାଏ ତଥାପି ସେ ଯଶୋଦା ମାଁଙ୍କୁ କହୁଥାନ୍ତି ଯେ ମୁଁ ମାଖନ ଖାଇନି। ଯେତେବେଳେ ଯଶୋଦା ତାଙ୍କୁ ଗାଳି କଲେ ସେଠୁ ଭଗବାନ କୃଷ୍ଣ ମାଁଙ୍କ ଉପରେ ଓଲଟା ଆକ୍ଷେପ ଲଗେଇଲେ ଓ ଯଶୋଦାଙ୍କ ମନ ତରଳିଗଲା ଓ ତାଙ୍କୁ କୃଷ୍ଣଙ୍କ ପାଇଁ କହିବାକୁ ପଡିଲା ଯେ – ତୁ ନହିଁ ମାଖନ ଖାୟୋ।

ମଜାଦାର କଥା ଏହା ଯେ ଆନ୍ନାଙ୍କ ପିଲାବେଳର ନାଁ ମଧ୍ୟ ଥିଲା କିଶନ। କିନ୍ତୁ ଯେବେ ସେ ବଡ ହେଇ ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କଲେ ସେବେଠାରୁ ସେ ହେଇଗଲେ ସଭିଙ୍କ ପାଇଁ ଆନ୍ନା।

ସ୍କୁଲର ସେଇ ମିଛ କହିବା ଘଟଣା ଶୁଣାଇବା ପରେ ଆନ୍ନା କୁହନ୍ତି –

ସେଇ ଯେଉଁ ଶିକ୍ଷା ପାଇଥିଲି, ଆଜି ମୋତେ ୭୯ ବର୍ଷ ବୟସ ହେଇଗଲାଣି କିନ୍ତୁ ସେବେଠାରୁ ଆଜିଯାଏଁ ଆଉ କେବେ ମିଛ କହିନାହିଁ। ଆଉ ସେଇ ଗୋଟିଏ ମିଛକୁ କେବେ ଭୁଲି ପାରିବି ନାହିଁ।

ପରବର୍ତ୍ତୀ ଅଧ୍ୟାୟରେ ଆନ୍ନାଙ୍କ ଉପରେ ତାଙ୍କ ପିତା ମାତାଙ୍କ ପ୍ରଭାବ କିପରି ପଡିଛି ଓ ଆଜି ମଧ୍ୟ ଆନ୍ନା କେଉଁ କାରଣରୁ କେମିତି ସେସବୁ ମନେ ପକାନ୍ତି ସେ କାହାଣୀ ଶୁଣାଇବୁ। 

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags