EDITIONS
Odia

ପଥର ଗୁରୁମା : ବାଲେଶ୍ଵରର ସରସ୍ଵତୀଙ୍କ କାହାଣୀ

Ruchi Panigrahi
18th Oct 2016
Add to
Shares
0
Comments
Share This
Add to
Shares
0
Comments
Share

କୋମଳ ହାତରେ ହାତୁଡି-ନିହାଣ । ପଥରକୁ ଦିଅଁ ରୂପ ଦେଇଚାଲିଛନ୍ତି ୧୩ବର୍ଷ ବୟସରୁ । ବିବାହ ପରେ ବି ସେ ଛାଡି ନାହାନ୍ତି ନିଶା, ଯାହା ଏବେ ତାଙ୍କର ପେଶା । ଦୀର୍ଘ ୩୪ ବର୍ଷ ହେଲା ପଥର ସହ ଯୋଡିହୋଇଛନ୍ତି ଜୀବନ ରେଖା । ଶହଶହ ପିଲାଙ୍କୁ ସେ ମୂର୍ତ୍ତି ନିର୍ମାଣର କଳା ଶିଖାଇ ପରିବାର ପାଇଁ ଦାନା ଯୋଗାଡ଼ିବାର ବାଟ ବତାଇଛନ୍ତି, ପାଲଟିଛନ୍ତି ‘ପଥର ଗୁରୁମା’ ବାଲେଶ୍ଵର ଜିଲା ଔପଦା ବ୍ଲକ କାଣ୍ଡଗରଡି ପଞ୍ଚାୟତର ବଉଳ ଗଡିଆ ଗାଁର ଗରିବ ଖଟିଖିଆ ବାବାଜୀ ନାୟକ । ସେମିତି ଜମିଜମା ନଥିବାରୁ ପରଘରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସ୍ତ୍ରୀ କୌଶଲ୍ୟାଙ୍କ ଗର୍ଭରୁ ଜଣକ ପରେ ଜଣେ ଜନ୍ମ ନେଲେ ସରସ୍ଵତୀ, ପାର୍ବତୀ ଓ ଭଗବତୀ । ଏହା ପରେ ପୁଅଟିଏ ଜନ୍ମ ହେଲା ତା’ର ନାମ ରଖିଲେ ନିରାକାର । ପରଘରେ ମୂଲ ଲାଗି ଚାରିଟି ପିଲାଙ୍କୁ ନେଇ ପରିବାର ଚଳାଇବା ବାବାଜୀଙ୍କ ପକ୍ଷେ କଷ୍ଟକର ହୋଇ ପଡିଲା । ବଡ ଝିଅ ସରସ୍ଵତୀ ବାପଙ୍କୁ ସହାୟତା ପାଇଁ ମନ ବଳାଇଲେ । ପିଲାଟି ଦିନରୁ ଚିତ୍ରକଳା ପ୍ରତି ଥିଲା ଅହେତୁକ ଆଗ୍ରହ । ତେଣୁ ଗାଁରେ ଖୋଲାଯାଇଥିବା ବଉଳଗଡିଆ ପଥର ସେବା ସମବାୟ ସମିତିରେ ପ୍ରସ୍ତର ଶିଳ୍ପ ତାଲିମ ପାଇଁ ୧୩ ବର୍ଷରେ ସେ ଭର୍ତ୍ତି ହୋଇଥିଲେ । ସେଠାରେ ଏକମାତ୍ର ଛାତ୍ରୀ ଭାବେ ଶିକ୍ଷା ଆରମ୍ଭ କରିବା ସହିତ ଶିକ୍ଷକ ରବୀନ୍ଦ୍ର ମହାରଣାଙ୍କ ନିକଟକୁ ଖଡି ପଥର ଉପରେ ତାଲିମ ନେଇଥିଲେ । ସରକାରୀ ଭାବେ ତାଙ୍କୁ ମିଳିଲା ମାତ୍ର ୫୫ ଟଙ୍କା । ଏଥି ସହିତ ଦୁଇ ବର୍ଷ ତାଲିମ ଭିତରେ ଖଡି ପଥର କାମରେ ବେଶ୍ ପାରଙ୍ଗମ ହୋଇଗଲେ । ଛୋଟ ବଡ ବିଭିନ୍ନ ମୂର୍ତ୍ତି ଗଢି ମାସିକ ୨୦ରୁ୩୦ ଟଙ୍କା ରୋଜଗାର କଲେ । ଏହି ଅର୍ଥ ତାଙ୍କର ଗରିବ ପରିବାର ପାଇଁ ଯଥେଷ୍ଟ ସହାୟକ ହେଲା । ସାନ ଭାଇ-ଭଉଣୀଙ୍କର ପାଠପଢା ଏବଂ ଭରଣ ପୋଷଣ ଦାୟିତ୍ଵର ସେ ହୋଇଗଲେ ଅଂଶୀଦାର ।

image


ତିନି ଝିଅର ବୋଝ ହାଲୁକା କରିବା ପାଇଁ ମାତ୍ର ୧୭ ବର୍ଷରେ ସରସ୍ଵତୀଙ୍କର ବିବାହ ଈଶ୍ଵରପୁର ଗାଁର ଉପେନ୍ଦ୍ର ମହାପାତ୍ରଙ୍କ ପୁଅ ପୀତାମ୍ବରଙ୍କ ସହ କରାଇଦେଲେ । ବାପ ଘର ଭଳି ସରସ୍ଵତୀଙ୍କର ଗରିବ ଶାଶୂ, ଶଶୁର, ଖଟିଖିଆ ସ୍ଵାମୀ ଏବଂ ୪ ଦିଅରଙ୍କୁ ନେଇ ଅଭାବୀ ପରିବାର । ସେଠାରେ ମଧ୍ୟ ବାପଘର ପରି ଚଳାଚଳିରେ ସମସ୍ୟା ଥିଲା । ମାତ୍ର କୁଳବଧୂ ହୋଇ ନିହାଣ ହାତୁଡି ଧରିବା ତାଙ୍କ ପାଇଁ ସାମାଜିକ ବାଧା ସୃଷ୍ଟି କଲା । ମାତ୍ର ଶ୍ଵଶୁର ଉପେନ୍ଦ୍ର ସରସ୍ଵତୀଙ୍କ ଭିତରେ ଥିବା କଳାତ୍ମକ ଗୁଣକୁ ଚିହ୍ନି ପରିବାର ସରସ୍ଵତୀ ଦାଦା ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପରାମର୍ଶରେ ତାଙ୍କର ୪ ମାସର ଝିଅକୁ ଘରେ ଛାଡି ପଞ୍ଚଲିଙ୍ଗେଶ୍ଵର ଷ୍ଟୋନ ସେଣ୍ଟର କାମ ଆରମ୍ଭ କଲେ । ୧୪ ମାସ କାମ କରିବା ପରେ ଦାଦା ପୂର୍ଣ୍ଣଚନ୍ଦ୍ର ଷ୍ଟୋନ ସେଣ୍ଟକୁ ସରସ୍ଵତୀଙ୍କ ଦାୟିତ୍ଵ ଦେଇ ଗୁଜରାଟ ଚାଲି ଯାଇଥିଲେ । ସେତେବେଳେ ସେଠାରେ ୩୦ଟି ପିଲା ଶିକ୍ଷାଲାଭ କରୁଥିଲେ । ଦୂରତା ଦୃଷ୍ଟିରୁ ସେମାନଙ୍କୁ ଶିକ୍ଷାଦାନ ଦେବା ସହିତ ନିଜେ ପଥର କାର୍ଯ୍ୟ କରିବା ତାଙ୍କ ପକ୍ଷେ କଷ୍ଟକର ହେଲା । ସେଠାରୁ ସେ ନିଜ ପଞ୍ଚାୟତ ବାରାହାକୋଇଲି ଛକର ଚକ୍ରଧର ନାୟକଙ୍କ ଘରକୁ ସେଣ୍ଟର ଉଠାଇ ଆଣିଲେ । କିଛି ଦିନ ପିଲାଙ୍କୁ ଶିକ୍ଷାଦାନ ଦେବା ସହିତ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲୁ ରଖିଲେ । ଏହାର କିଛି ଦିନ ପରେ ବଉଳଗଡିଆ ସୃଷ୍ଟିଧର ନାୟକଙ୍କ ଘର ଭଡାନେଇ ମୂର୍ତ୍ତି ନିର୍ମାଣ ତାଲିମ କେନ୍ଦ୍ର ଆରମ୍ଭ କଲେ । ଏହି କେନ୍ଦ୍ରରେ ସେତେବେଳେ ୪୦ରୁ୫୦ ଜଣ ପିଲା ପ୍ରତିବର୍ଷ ତାଲିମ ପାଇଁ ଭର୍ତ୍ତି ହେଉଥିଲେ । ତାଲିମ ବାବଦକୁ ପିଲାମାନଙ୍କ ନିକଟକୁ କୌଣସି ଅର୍ଥ ନେଇ ନଥିଲେ ସରସ୍ଵତୀ । ଏହି ପିଲାମାନେ ବର୍ଷେ ଦୁଇବର୍ଷ ଲେଖାଁ ତାଲିମ ନେବା ପରେ ଗୁଜରାଟ ଏବଂ ରାଜସ୍ଥାନ ପ୍ରଭୃତି ସ୍ଥାନରେ କାର୍ଯ୍ୟକରି ରୋଜଗାରକ୍ଷମ ହୋଇପାରିଛି।

ସରସ୍ଵତଙ୍କର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଖଡିପଥର ମୂର୍ତ୍ତିକୁ ଦେଖି ଶିଳ୍ପୀ ଉଦୟ ମହାନ୍ତିଙ୍କ ମୁଗୁନି ପଥର କାମ ପାଇଁ ଉତ୍ସାହିତ କରିଥିଲେ । ଜଣେ ମହିଳା ହୋଇ କଠିନ ପଥରରେ କାମ କରିବାକୁ ପ୍ରଥମେ ସେ ଭୟ କରିଥିଲେ । ମାତ୍ର ତାଙ୍କ ମନର ବଳ ଏବଂ ଅଦମ୍ୟ ସାହସ ବିରାଟ ବିରାଟ ଶିଳାଖଣ୍ଡରୁ କଥାକୁହା ଦିଅଁ ଗଢିବାକୁ ସକ୍ଷମ ହେଲେ । ଏଥିପାଇଁ ତାଙ୍କୁ ଅଧିକ ଶାରୀରିକ ପରିଶ୍ରମ କରିବାକୁ ପଡିଲା । ସେ ନିଜେ ପଥରର ଗ୍ରାଫ୍ ତିଆରିକରି ଆଉଟ୍ ଲାଇନ ମାରିବା ପରେ ପିଲାମାନେ ଖୋଳା ଖୋଳି କରନ୍ତି । ଏହି ସବୁ ସ୍ଵତନ୍ତ୍ର ପଥର ମୂର୍ତ୍ତି ବାହାର ବାଜରରେ ବେଶ୍ ଚାହିଦା ରହିଛି । ତାଙ୍କ ମୂର୍ତ୍ତି ପୁରୀ, ଭୁବନେଶ୍ଵର, ଦିଲ୍ଲୀ, ମୁମ୍ବାଇ ପ୍ରଭୃତି ସ୍ଥାନରେ ବିକ୍ରି କରାଯାଇଛି । ଏହି ଅର୍ଥରେ ସେ ତାଙ୍କର ପରିବାର ପାଇଁ ଖର୍ଚ୍ଚ କରିବା ସହିତ ତାଙ୍କ ନିକଟରେ କାର୍ଯ୍ୟ କରୁଥିବା କାରିଗରମାନଙ୍କୁ ଦେଇଥାନ୍ତି । ଏବେ ତାଲିମ ପାଇଁ ୧୦ରୁ୧୫ ଜଣ ପିଲା କାମ କରୁଥିବା ବେଳେ ସେମାନେ ଦୈନିକ ୧୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ମଜୁରୀ ନେଉଛନ୍ତି । ତାଙ୍କ ରୋଜଗାର ଅର୍ଥରେ ପରିବାର ପାଇଁ ୩ଏକର ଚାଷ ଜମି କିଣିଛନ୍ତି । ଝିଅ ହରପ୍ରିୟା ଫକିରମୋହନ ବିଶ୍ଵବିଦ୍ୟାଳୟରେ ଅର୍ଥନୀତିରେ ଏମ୍ଫିଲ୍ କରୁଛନ୍ତି । ପୁଅ କମଳକାନ୍ତ ଗୁଜରାଟରେ କାରିଗର । ୪୭ ବର୍ଷରେ ପଦାର୍ପଣ କରିଥିବା ସରସ୍ଵତୀ ଥକିପଡିନାହାନ୍ତି, ବଂର ଆହୁର ଚଳଚଞ୍ଚଳ ହୋଇପଡିଛନ୍ତି ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags