EDITIONS
Odia

ଭାରତ କଲିଂ - ଗ୍ରାମୀଣ ଭାରତରେ ଶିକ୍ଷା ମାଧ୍ୟମରେ ଜୀବନର ନୂଆମୋଡ଼

Team Odia
3rd Nov 2015
Add to
Shares
0
Comments
Share This
Add to
Shares
0
Comments
Share

ଥରେ ମାୟା ଆଞ୍ଜଲୋ କହିଥିଲେ, ‘ସହାନୁଭୂତି ଆମ ସମସ୍ତଙ୍କ ଭିତରେ ରହିଛି, କିନ୍ତୁ ହୁଏତ ଏହାକୁ ପ୍ରଦର୍ଶନ କରିବାର ସାହସ ନାହିଁ ।’

ଯେତେବେଳେ ଜଣେ ସାଧାରଣ ଲୋକ ନିଜର ସାହସ ଯୁଟାଏ ଏବଂ ସମସ୍ୟା ସମାଧାନ ପାଇଁ ଲାଗିଯାଏ, ପରିବର୍ତ୍ତନ ଅବଶ୍ୟମ୍ଭାବୀ । ଏମିତି ଜଣେ ମଣିଷ ଭାରତ କଲିଂର ପ୍ରତିଷ୍ଠାତା ସନ୍ଦୀପ ମେହେତୋ ଦାରିଦ୍ର୍ୟ ହେତୁ ଉଚ୍ଚଶିକ୍ଷାରୁ ବଂଚିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଅଧିକାରର ସ୍ଵାଦ ଚଖାଇବାକୁ ଅଣ୍ଟା ଭିଡ଼ିଛନ୍ତି । ଭାରତ କଲିଂ ଏମିତି ଜଣେ ମଣିଷର କାହାଣୀ, ଯିଏ ଭାଗ୍ୟର କଷଟି ପଥରରେ ଜୀବନ ନୂଆ ମୋଡ଼ ନେବା ଆଗରୁ ସାମାଜିକ ସେବା କ୍ଷେତ୍ରରୁ ବହୁ ଦୂରରେ ଥିଲେ । ଏହା ଏମିତି ଜଣେ ମଣିଷର କାହାଣୀ, ଯିଏ ନିଜ ପ୍ରାରମ୍ଭିକ ଜୀବନରେ ପାତରଅନ୍ତରର ଶିକାର ହୋଇଥିଲେ ଆଉ ସେଇ ଅନୁଭୂତି ତାଙ୍କ ଭଳି ବଂଚିତ ଛାତ୍ରଙ୍କ ଲାଗି ବିଞ୍ଚି ଦେଇଥିଲା ଆଶାର କିରଣ ।

image


ସନ୍ଦୀପ ମେହେତୋ - ଭାରତ କଲିଂର ମେରୁଦଣ୍ଡ

ମଧ୍ୟପ୍ରଦେଶର ସତ୍ପୁଡ଼ା ଜଙ୍ଗଲରେ ଥିବା ପଥ୍ରୋତା ଗାଁରେ ସନ୍ଦୀପ ମେହେତୋଙ୍କ ଘର । ନିମ୍ନ ମଧ୍ୟବିତ୍ତ ପରିବାରରେ ବଢ଼ି ଆସିଥିବା ମେହେତୋ ପିଲାଟି ବେଳୁ ନିଜ ବାପାଙ୍କ ପରୋପକାରୀ ସ୍ଵଭାବକୁ ଗ୍ରହଣ କରିପାରୁ ନଥିଲେ । ତାଙ୍କ ଘର ଦୁଆର ମୁହଁରେ ଗୋଟେ ଲେଖା ରହିଥିଲା - ‘ଦୟା ହି ସୁଖ୍ କା କାରଣ ହୈ ।’ (ଯାହା ପାଖରେ ଦୟା ଭରି ରହିଛି, ତାକୁ ହିଁ କେବଳ ସୁଖ ମିଳିବ ।) ମେହେତୋ ସବୁବେଳେ ସେ ଲେଖାକୁ କାଢ଼ି ନେଉଥିଲେ ଓ ପରେ ତାଙ୍କ ବାପା ତାହା ପୁଣି ଆଣି ଟାଙ୍ଗି ଦେଉଥିଲେ । ମେହେତୋଙ୍କ ବାପାଙ୍କର ଗୋଟେ ଛୋଟକାଟର ବ୍ୟବସାୟ ଥିଲା ଯେଉଁଥିରୁ କି ବିଶେଷ ଲାଭ ମିଳୁ ନଥିଲା, ଏପଟେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବି ଖରାପ ଥିଲା । ମେହେତୋ କହନ୍ତି, ‘ବେଶ୍ ସ୍ଵାଧୀନ ଭାବେ ସେ ବଢ଼ିଛନ୍ତି । ଅର୍ଥ ବହୁ ସମୟରେ ବାଧକ ସାଜୁଥିଲେ ବି ତାଙ୍କ ବାପା-ମା’ ତାଙ୍କୁ ସବୁବେଳେ ଯଥାସମ୍ଭବ ଭଲ ଶିକ୍ଷାନୁଷ୍ଠାନକୁ ଛାଡ଼ୁଥିଲେ ।’

ସେ କୌଣସି ମତେ ମାଇନର ପାସ୍ କଲେ, କିନ୍ତୁ ମାର୍କ ବହୁତ ଖରାପ ଥିଲା । ଠିକ ସମୟରେ ସ୍କୁଲ ଫି’ ଦେଇ ନପାରିବା ହେତୁ ଅନେକ ସମୟରେ ସେ ଶ୍ରେଣୀ ଗୃହରେ ପ୍ରବେଶ ସୁଯୋଗ ପାଉନଥିଲେ । ଆର୍ଥିକ ଅନଟନ ଭିତରେ ବି ମେହେତୋ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସ୍ନାତକ କଲେ । ସେ କହନ୍ତି, ‘ଆମ କଲେଜରେ ୨ ପ୍ରତିଶତରୁ କମ ପିଲା ଗାଁରୁ ଆସିଥିଲେ । ମୋ ସ୍କୁଲବେଳର ସାଥୀମାନେ ଯେଉଁମାନେ ମୋ ଠାରୁ ବି ଭଲ ପଢ଼ୁଥିଲେ, ସେମାନେ ପ୍ରେରଣା ଅଭାବରୁ କଲେଜ ମାଡ଼ି ପାରିନଥିଲେ ।

ତାଙ୍କ ସ୍ନାତକ ଶେଷବର୍ଷ ବେଳେ ହିଁ ବାପା ହୃଦଘାତରେ ଚାଲିଗଲେ । ପରଦିନ ତାଙ୍କ ଶବାଧାର ପାଖରେ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଲୋକଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ନିସ୍ଵାର୍ଥପର ଭାବେ ସହଯୋଗର ହାତ ବଢ଼ାଉଥିବାରୁ ସେ ସବୁବେଳେ ଲୋକଙ୍କ ହୃଦୟରେ ରହିଥିଲେ ।

ମେହେତୋ କହନ୍ତି, ସେଇ ଦିନଟି ହିଁ ତାଙ୍କୁ ଅଧିକ ଦୃଢ଼ କରିଥିଲା ଓ ସେ TISSରେ ‘ସାମାଜିକ ଉଦ୍ୟୋଗ’ରେ ସ୍ନାତକୋତ୍ତର କରିଥିଲେ । ଏହି ପାଠ୍ୟକ୍ରମ ତାଙ୍କୁ ବ୍ୟବସ୍ଥିତ କରିବା ସହ ସମାଜ ପ୍ରତି ଦାୟିତ୍ୱବାନ ହେବାକୁ ପଥ ପ୍ରଦର୍ଶନ କରିଥିଲା । ସେ ବୁଝିଥିଲେ ଯେ ତାଙ୍କ ବାପା ସାରା ଜୀବନ ଯାହା କରିଆସିଛନ୍ତି, ସମାଜ ପାଇଁ କାମ କରିବା ହିଁ ଏକ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବାର ସବୁଠୁ ବଡ଼ ଲକ୍ଷ୍ୟ ।

ପରିବର୍ତ୍ତନର ଡାକରା - ଭାରତ କଲିଂ

TISSରେ ପାଠ ପଢ଼ିବା ବେଳେ ଛାତ୍ରମାନଙ୍କୁ ଗୋଟିଏ ଇଣ୍ଟର୍ଣସିପ୍ ପ୍ରକଳ୍ପ ବାଛିବାକୁ ପଡ଼ିଥାଏ । ମହେହେତୋ କହନ୍ତି, ‘ଆମେ ଗ୍ରାମୀଣ ଅଞ୍ଚଳରେ ଉଚ୍ଚଶିକ୍ଷା ବିଷୟରେ ଅଧିକ ଜାଣିବାର ଆଗ୍ରହ ନେଇ ପ୍ରକଳ୍ପ ବାଛିଲୁ । ମୁଁ ମୋ ଜୀବନରେ ଯାହା ସବୁ ଦେଖି ଆସିଥିଲି, ଆମେ ବି ସେଇ ସମାନ ସ୍ଥିତିକୁ ସାମନା କଲୁ; ଯେମିତି କି ଦ୍ୱାଦଶ ପରୀକ୍ଷା ପୂର୍ବରୁ ୯୦ ପ୍ରତିଶତ ସ୍କୁଲ ଛାଡ଼ି ଦେଉଛନ୍ତି, ବିଭିନ୍ନ ସାମାଜିକ-ଆର୍ଥିକ ବାଧକକୁ ମଧ୍ୟ ଆମେ ସାମନା କଲୁ । ମୁଁ ଏଇ ସିଦ୍ଧାନ୍ତରେ ପହଞ୍ଚିଲି ଯେ, କେବଳ ଜ୍ଞାନ ଥିଲେ କିମ୍ବା ପଢ଼ିବାର ଆଗ୍ରହ ଥିଲେ ହେବନାହିଁ, ବରଂ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ସମ୍ବଳ ଉପରେ ହିଁ ଜଣକର ଉଚ୍ଚଶିକ୍ଷା ନିର୍ଭର କରେ ।’

ସାମନାରେ ଆଦର୍ଶ ବ୍ୟକ୍ତିତ୍ୱର ଅଭାବ, ଅନଲାଇନ୍ କଲେଜ ଆବେଦନ ସୁବିଧାର ଅଭାବ, ସାମାଜିକ-ସାସ୍କୃତିକ ବାଧକ ଓ ଉଚ୍ଚଶିକ୍ଷା ଉପରେ ସୂଚନାର ଅଭାବ ସହରୀ ଛାତ୍ରଙ୍କ ଠାରୁ ଗ୍ରାମୀଣ ଛାତ୍ରଙ୍କୁ ବହୁ ପଛରେ ପକାଇ ଦେଇଛି ।

୨୦୦୯ ପୂର୍ବରୁ ମେହେତୋଙ୍କ ନିଜ ଗାଁର କେହି ବି ଛାତ୍ର ନାକ୍ ଦ୍ୱାରା ମାନ୍ୟତାପ୍ରାପ୍ତ ଏକ କଲେଜରେ ନାମ ଲେଖାଇବାର ସୁଯୋଗ ପାଇନଥିଲେ । TISSର ସହଯୋଗରେ ୨୦୦୯ରେ ଭାରତ କଲିଂ ସାମାଜିକ ଉଦ୍ୟୋଗ ସଂସ୍ଥାନ ସ୍ଥାପନା କରି ଗ୍ରାମୀଣ ଉଚ୍ଚଶିକ୍ଷାକୁ ଏକ ଆହ୍ୱାନ ଭାବେ ନେବାକୁ ପଣ କଲେ ମେହେତୋ ।


ପ୍ରଥମେ ପ୍ରଥମେ ଭାରତ କଲିଂ ପିଲାମାନଙ୍କୁ ଉଚ୍ଚଶିକ୍ଷା ବାବଦରେ ସୂଚନା ଦେବା ସହ ସେମାନଙ୍କୁ ଅନଲାଇନ୍ ଆବେଦନ ଭରିବାରେ ସହଯୋଗ କରିବା, ଖରାଛୁଟିରେ କର୍ମଶାଳା ଆୟୋଜନ କରିବା ଏବଂ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକ ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାରେ ସହଯୋଗ କରୁଥିଲା । ଗୋଟିଏ ସ୍କୁଲରୁ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏବେ ୨୭ ସ୍କୁଲକୁ ଖେଦିଗଲାଣି । ପ୍ରତିବର୍ଷ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ୨୮୦ରୁ ୩୮୦ ପିଲା ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ସହ ସାମିଲ ହେଉଛନ୍ତି । ଏସବୁ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସ୍ଵେଚ୍ଛାସେବୀ ଆସୁଛନ୍ତି ।

ମେହେତୋ ଓ ତାଙ୍କ ସହଯୋଗୀଙ୍କ ପାଇଁ ଏ ଯାତ୍ରା ଯେତିକି ଆନନ୍ଦଦାୟକ ସେତିକି ଆହ୍ୱାନମୂଳକ । ଆଫ୍ରିକାରେ ଗୋଟେ ଆପ୍ତବାକ୍ୟ ଅଛି- ଯଦି ଶୀଘ୍ର ଯିବାକୁ ଚାହୁଁଛ, ଏକା ଯାଅ । ଯଦି ଦୂର ଯାଏଁ ଯିବାକୁ ଚାହୁଁଛ, ଏକାଠି ଯାଅ ।’ ମେହେତୋ ଯାତ୍ରାକୁ ସୁଦୂରପ୍ରସାରୀ କରିବାକୁ ଚାହାନ୍ତି ଏବଂ ସେଥିପାଇଁ ଡିବିଏସ୍ ବ୍ୟାଙ୍କକୁ ସେ ନିଜର ସଠିକ ସହଯୋଗୀ ଭାବେ ପାଇଛନ୍ତି ।

ସେ କହନ୍ତି, ‘ଡିବିଏସ୍ ବ୍ୟାଙ୍କ୍ ସହ କାମ କଲେ ସମସ୍ୟା ସୁଯୋଗରେ ରୂପାନ୍ତରିତ ହେଇଯାଉଛି । କେବଳ ହୃଦୟରୁ ନୁହେଁ, ମସ୍ତିଷ୍କ ଖଟାଇ କାମ କରିବାକୁ ଡିବିଏସ୍ ଆମକୁ ଶିଖାଇଛି । ସେମାନେ କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସବୁ ପାଦେ ପାଦେ ଭାରତ କଲିଂ ସହ ଅଛନ୍ତି । ସେମାନେ ଭାରତ କଲିଂ ପାଇଁ ଗୋଟେ ପରିବାର ଭଳି ।’

୨୦୧୨ରେ ଡିବିଏସ୍ ବ୍ୟାଙ୍କ୍ ସହଯୋଗର ହାତ ବଢ଼ାଇବା ପରେ ଭାରତ କଲିଂର କାମ ଦ୍ରୁତ ହୋଇଥିଲା । ଆଉ ମେହେତୋ ଏବେ ଭାରତ କଲିଂର ଭବିଷ୍ୟତ ନେଇ ବେଶ୍ ଆଶାବାଦୀ । ସେ କହନ୍ତି, ‘ସବୁଠୁ ବଡ଼ ସ୍ବପ୍ନ ହେଲା, ୧୦ ବର୍ଷ ପରେ ଭାରତ କଲିଂର ଆବଶ୍ୟକତା ହିଁ ନରହୁ । ମୁଁ ଆଶା କରୁଛି ସରକାର ଏ ମହତ ଉଦ୍ୟମକୁ ନିଜ ହାତକୁ ନେଇ ଦେଶବ୍ୟାପୀ ବିଶେଷ କରି ଗ୍ରାମୀଣ ଭାରତରେ ଏହାକୁ ଆଗେଇ ନେବେ ।’

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags