EDITIONS
Odia

ରାଜନୀତି କିପରି ଭାବେ ସମାଧାନ ହୋଇପାରେ ଦେଖେଇଛନ୍ତି ପୁରୁଷୋତ୍ତମ ରେଡ୍ଡୀ

ARVIND YADAV
16th May 2016
Add to
Shares
0
Comments
Share This
Add to
Shares
0
Comments
Share

୧୯୯୬ର ଘଟଣା । ଅବିଭାଜିତ ଆନ୍ଧ୍ରପ୍ରଦେଶର ନଳଗୋଣ୍ଡା ଜିଲ୍ଲାର ଏକ ଗାଁରେ ଚାଷୀ ମାନଙ୍କର ବୈଠକ ଚାଲୁଥାଏ। ଚାଷୀ ଭାଇ ମାନେ ଓ ଅନ୍ୟ ଗାଁ ଲୋକେ ଫ୍ଲୋରୋସିସର ସମସ୍ୟାରୁ ରକ୍ଷା ପାଇବାର ଉପାୟ ପାଇବା ପାଇଁ ଜୁଟି ପଡିଥାନ୍ତି।

ସେଦିନେ ନଳଗୋଣ୍ଡା ଜିଲ୍ଲାର ଅନେକ ଗାଁ ମାନଙ୍କରେ ଫ୍ଲୋରାଇଡର ମାତ୍ରାଧିକ ଉପସ୍ଥିତି ଯୋଗୁଁ ପାଣି ପିଇବା ଯୋଗ୍ୟ ହୋଇ ନ ଥାଏ। ଏକ ପ୍ରକାରେ ପାଣି ବିଷ ସମାନ ହେଇ ଯାଇଥାଏ। ଅନ୍ୟ କୌଣସି ବିକଳ୍ପର ଅଭାବ ଯୋଗୁଁ ଲୋକେ ସେଇ ପାଣି ପିଇବାକୁ ବାଧ୍ୟ ହେଉଥାନ୍ତି। ଫଳରେ ନଳଗୋଣ୍ଡା ଜିଲ୍ଲାର ଅନେକ ଲୋକ ଫ୍ଲୋରୋସିସର ଶିକାର ହେଲେ। ଫ୍ଲୋରୋସିସ ଯୋଗୁଁ ଦାନ୍ତ ହଳଦିଆ ହେଇଗଲା। କିଛି ଲୋକଙ୍କର ହାତ ଗୋଡର ହାଡ ବଙ୍କିଯାଇ ସେମାନେ ବିକଳାଙ୍ଗ ପ୍ରାୟ ହୋଇଗଲେ। ଆଣ୍ଠୁଗଣ୍ଠି ଦରଜ ଆରମ୍ଭ ହୋଇ କିଛି ଲୋକ ନିତିଦିନିଆ କାମ କରିବାକୁ ମଧ୍ୟ ଅସମର୍ଥ ହେଲେ। ଗର୍ଭବତୀ ମହିଳାଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ପଡି କିଛି କିଛି ମହିଳାଙ୍କର ଗର୍ଭପାତ ମଧ୍ୟ ହୋଇଗଲା। ସେଚନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ନ ମିଳିବା ଯୋଗୁଁ ଲକ୍ଷ ଲକ୍ଷ ଏକର ଜମି ବେକାର ହୋଇ ପଡି ରହିଲା।

ରାଜ୍ୟ ସରକାରଙ୍କ ପାଖରେ ଅନେକ ଗୁହାରି କଳା ପରେ ମଧ୍ୟ କୌଣସି ସାହାଯ୍ୟ ମିଳିଲା ନାହିଁ। ଜିଲ୍ଲା ପ୍ରଶାସନ ମୌନ ରହିଲା ଓ ସଂପୂର୍ଣ୍ଣ ଜିଲ୍ଲା ସରକାରୀ ଉପେକ୍ଷାର ଶିକାର ହୋଇ ରହିଲା। ସରକାର, ଗ୍ରାମବାସୀ ଓ ଅଧିକାରୀ ସମସ୍ତେ ସମସ୍ୟା ବିଷୟରେ ଅବଗତ ଥିଲେ। ଗ୍ରାମବାସୀ ମାନେ ସରକାରଙ୍କ ଉପରେ ଚାପ ପକେଇବା ପାଇଁ ଆନ୍ଦୋଳନ ମଧ୍ୟ କଲେ। କିନ୍ତୁ ସବୁ ନିଷ୍ଫଳ।

ଏବେ ଚାଷୀଭାଇ ଓ ଅନ୍ୟ ଗ୍ରାମବାସୀ ମାନେ ଠାଣି ନେଇଥିଲେ ଯେ ଏକ ବଡ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନର ରୂପରେଖ ପାଇଁ ସେମାନେ ଏକାଠି ହୋଇ ବୈଠକ କରୁଥିଲେ। ଏହି ବୈଠକରେ ଗ୍ରାମବାସୀଙ୍କ ସାହାଯ୍ୟ ପାଇଁ ରାଜନୀତିର ଏକ ବିଦ୍ଵାନ ମଧ୍ୟ ଯାଇ ପହଞ୍ଚିଥିଲେ। ସମସ୍ତେ ବିଭିନ୍ନ ମତ ଦେଲେ। ଅନେକଙ୍କ ମତ ଥିଲା ଯେ ଭାରି ସଂଖ୍ୟାରେ ଲୋକଙ୍କୁ ଯୁଟାଇ ଏକ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିବେ।

କିନ୍ତୁ ଏହି ବୈଠକରେ ଜଣେ ଥିଲେ ଯାହାଙ୍କ ଚିନ୍ତାଧାରା ଟିକିଏ ଅଲଗା ଥିଲା। ସେଇ ରାଜନୀତିଜ୍ଞ ଜଣକ ଏକ ଏପରି ପ୍ରସ୍ତାବ ଦେଲେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ସେ କହିଲେ ଯେ ଲୋକସଭା ବର୍ତ୍ତମାନ ଭଙ୍ଗ ହୋଇଯାଇଛି। ନିର୍ବାଚନ ଆଗକୁ ଆସୁଛି। ଏହି ବେଳାରେ ନଳଗୋଣ୍ଡାର ସମସ୍ୟା ପ୍ରତି ଖାଲି ରାଜ୍ୟ କାହିଁକି ବରଂ ପୁରା ଦେଶର ଧ୍ୟାନ ଆକର୍ଷଣ କରାଇବା ପାଇଁ ତାଙ୍କ ପାଖରେ ଏକ ବଢିଆ ଉପାୟ ଅଛି। ସେ କହିଲେ ଏଥର ନଳଗୋଣ୍ଡା ଲୋକସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ଫ୍ଲୋରୋସିସ ଦ୍ଵାରା ଆକ୍ରାନ୍ତ କିଛି ଗ୍ରାମବାସୀ ନିର୍ବାଚନ ଳଢନ୍ତୁ। ଏପରି ବେଶିରୁ ବେଶି ଲୋକ ନିର୍ବାଚନ ଲଢିଲେ ଏହାର ଖବର ପୁରା ଦେଶରେ ବ୍ୟାପିବ।

ଚାଷୀଭାଇ ମାନେ ତାଙ୍କର ଉପଦେଶ ମାନିଲେ। ବହୁତ ଲୋକ ନାମାଙ୍କନ ପତ୍ର ଦାଖଲ କଲେ। ଯାଞ୍ଚ ପରେ ୫୪୦ ନାମାଙ୍କନ ପତ୍ର ଠିକ ଅଛି ବୋଲି ଜଣାପଡିଲା। ଏଯାବତ ଗୋଟିଏ ଲୋକସଭା ଆସନ ପାଇଁ ଏତେ ପରିମାଣରେ ପ୍ରାର୍ଥୀପତ୍ର ଦାଖଲ କେବେମଧ୍ୟ ହୋଇନଥିଲା। ସ୍ଵାଭାବିକ ଭାବେ ସାରା ଦେଶର ଧ୍ୟାନ ଏହି ଜିଲ୍ଲା ପ୍ରତି ଆକର୍ଷିତ ହେଲା। ସାରା ଦେଶ ଜାଣିଲା ଯେ ନଳଗୋଣ୍ଡାର ନାଗରିକ ମାନେ ଫ୍ଲୋରୋସିସରେ ଆକ୍ରାନ୍ତ ଓ ଏହା ଉପରେ ଧ୍ୟାନ ଆକର୍ଷଣ କରିବା ପାଇଁ ଏପରି ଏକ ପଦକ୍ଷେପ ନେଇଛନ୍ତି। ଏହାର ଫଳ ସ୍ୱରୂପ ଏମିତି ହେଲା ଯେ ନିର୍ବାଚନ ଆୟୋଗ ପାଖରେ ଏତେ ପ୍ରାର୍ଥୀଙ୍କୁ ଦେବା ପାଇଁ ନିର୍ବାଚନ ଚିହ୍ନ ମଧ୍ୟ ନଥିଲା ଓ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡିଲା। ସାରା ଦେଶ ଜାଣିଗଲା ଯେ ଏଠାରେ ନିର୍ବାଚନ ସ୍ଥଗିତ ହେବା ପଚାରେ ଅସଲ କାରଣଟି କଣ। ରାଜ୍ୟ ସରକାରଙ୍କର ବହୁତ ନିନ୍ଦା ହେଲା। ବଦନାମୀର ଭୟରେ ରାଜ୍ୟ ସରକାର ଏହାର ସୁରକ୍ଷିତ ଜଳଯୋଗାଣ ପାଇଁ ଉପାୟ ଖୋଜିବାରେ ଲାଗିପଡିଲେ।

image


ଏହି ସମସ୍ୟାର ବିଶେଷ ସମାଧାନ ବାହାରିଲା ନାହିଁ। କିନ୍ତୁ ରାଜନୀତିର ଏହି ବିଦ୍ଵାନଙ୍କର ପରାମର୍ଶ ଯୋଗୁଁ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ଏହା ଯେ କେତେ ବଡ ଏକ ଗୁରୁତର ସମସ୍ୟା ତାହା ସାରା ଦେଶ ଜାଣିଲା।

ଏହି ବିଦ୍ଵାନ ଜଣକ ହେଲେ ଜଣାଶୁଣା ଶିକ୍ଷାବିତ, ପରିବେଶବିତ ଓ ସମାଜଶାସ୍ତ୍ରୀ ପ୍ରଫେସର ପୁରୁଷୋତ୍ତମ ରେଡ୍ଡୀ।

ଏହି ପ୍ରଫେସର ପୁରୁଷୋତ୍ତମ ରେଡ୍ଡୀ ଗୋଟିଏ ନୁହେଁ ବରଂ ଏପରି ଅନେକ ଜନଆନ୍ଦୋଳନର ନେତୃତ୍ଵ ନେଇ ତାକୁ ସଫଳ କରାଇଛନ୍ତି। କିଛି ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଭାବରେ ଭାଗ ନ ନେଇଥିଲେ ମଧ୍ୟ ପରୋକ୍ଷ ଭାବେ ପ୍ରୟୋଗାତ୍ମକ କିନ୍ତୁ ବ୍ୟବହାରିକ ପରାମର୍ଶ ଦ୍ଵାରା ତାକୁ ସଫଳ କରିବାରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଛନ୍ତି।

ପୁରୁଷୋତ୍ତମ ରେଡ୍ଡୀ ନଳଗୋଣ୍ଡା ସମସ୍ୟା ଉପରେ କୁହନ୍ତି,

ନଳଗୋଣ୍ଡାର ବାସିନ୍ଦାଙ୍କର ରାଜନୈତିକ ଦଳ ଓ ରାଜନେତାଙ୍କ ଉପରୁ ବିଶ୍ଵାସ ଉଠିଯାଇଥିଲା। ଆଉ ଯେତେବେଳେ ସେମାନେ ମୋର ପ୍ରସ୍ତାବ ଶୁଣିଥିଲେ, ଆଶ୍ଚର୍ଯ୍ୟ ତ ହୋଇଥିଲେ କିନ୍ତୁ ତାଙ୍କୁ ଅଜବ ବି ଲାଗିଥିଲା। କିନ୍ତୁ ସେମାନେ ସବୁ ପ୍ରକାରର ପାରମ୍ପରିକ ଆନ୍ଦୋଳନ କରି ଦେଖିସାରିଥିଲେ। ସେଥିରୁ କିଛି ଫଳ ମିଳିନଥିଲା। ଏକ ନୂଆ ପ୍ରକାରର ଆନ୍ଦୋଳନ କରିବାର ମୋର ପରାମର୍ଶ ସେମାନେ ମାନିନେଲେ। ମୁଁ ଖୁଶି ହେଲି କିନ୍ତୁ ମୋ ମନରେ ଶଙ୍କା ମଧ୍ୟ ଥିଲା। ଚାଷୀଭାଇ ମାନେ ୫୦୦ ଟଙ୍କା ଦେଇ ପ୍ରାର୍ଥୀପତ୍ର ଦାଖଲ କରିବେ। ସମସ୍ତେ ଜାଣିଥିଲେ ଜିତିବେ ନାହିଁ ବରଂ ସେତିକି ଟଙ୍କା ଜବତ ହେଇଯିବ। କିନ୍ତୁ ମୋର ଆଶ୍ଵସ୍ତ ହେଲି ଯେତେବେଳେ ସେମାନେ କହିଲେ ୫୦୦ ଟଙ୍କା ଖର୍ଚ୍ଚ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ। ବହୁତ ଥର ସେମାନେ ପଇସା ଦେଇ ସାର କିଣନ୍ତି କିନ୍ତୁ ଫସଲ ବେକାର ହେଇଯାଏ। ଏଥର କିଛି ଫଳ ନପାଇଲେ ଭାବିବେ ସାର ବେକାର ଗଲା।

ଏକ ପ୍ରଶ୍ନର ଉତ୍ତର ଦେଇ ପୁରୁଷୋତ୍ତମ ରେଡ୍ଡୀ କୁହନ୍ତି ନାଗାର୍ଜୁନ ସାଗର ବନ୍ଧ ପାଖରେ ଏକ ପରମାଣୁ ଭାଟି (ନିଉକ୍ଲିୟର ରିୟ୍ଯାକ୍ଟର) ତିଆରି ହେବାରୁ ଅଟକାଇବା ଥିଲା ତାଙ୍କର ସବୁଠାରୁ ବଡ ସଫଳତା। ତାଙ୍କ ଅନୁସାରେ,

“କୃଷ୍ଣା ନଦୀ ଉପରେ ତିଆରୁ ହେଇଥିବା ନାଗାର୍ଜୁନ ସାଗର ବନ୍ଧ ଏକ ବଡ ଓ ମହତ୍ଵପୂର୍ଣ୍ଣ ପରିଯୋଜନା ଅଟେ। କେନ୍ଦ୍ର ସରାକାର ଏହି ବନ୍ଧ ପାଖରେ ଏକ ନିଉକ୍ଲିୟର ରିଆକ୍ଟର ପ୍ଳାଣ୍ଟ ତିଆରି କରିବାର ଯୋଜନା କରୁଥିଲେ। ଯେତେବେଳେ ମୁଁ ଏ ସମ୍ପର୍କରେ ଜାଣିଲି, ମୁଁ ନିଶ୍ଚୟ କଲି ଯେ ମୁଁ ମୋର ସବୁ ଶକ୍ତି ଲଗାଇ ଏହାର ବିରୋଧ କରିବି। ମୋତେ ଲାଗିଲା ଏକ ନିଉକ୍ଲିୟର ରିଆକ୍ଟର ପ୍ଳାଣ୍ଟ ଏଠାରେ ହେବା ପରିବେଶ ଓ ଜନହିତ ଦ୍ରୁଷ୍ଟିରୁ ହାନିକାରକ।“

ପୁରୁଷୋତ୍ତମ ରେଡ୍ଡୀ ଭଲ ଭାବେ ଜାଣିଥିଲେ ସେ ଏକୁଟିଆ ଏତେ ବଡ ପରିଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଲଢିପାରିବେ ନାହିଁ। ସେ ପୁନର୍ବାର ତାଙ୍କର ରାଜନୀତିକ ଜ୍ଞାନର ପରିଚୟ ଦେଲେ। ଏହି ପ୍ଳାଣ୍ଟରୁ ପ୍ରଭାବିତ ହେଇପାରିବା ଗାଁମାନଙ୍କରେ ଯାଇ ଆଶଙ୍କିତ ହାନି ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଲେ। ବହୁତ ଗାଁ ବୁଲିଲେ। ଛୋଟ ବଡ ଅନେକ ସଭା କଲେ। ଲୋକଙ୍କୁ ସଚେତନ କରାଇଲେ। ଲୋକେ, ପରିବେଶ ଓ ଜୀବଜଗତ କିପରି ସୁରକ୍ଷିତ ରହୁ ସେଥିପାଇଁ ନିସ୍ଵାର୍ଥ ଭାବେ ଜନହିତ ପାଇଁ ଏକ ଆନ୍ଦୋଳନ କରାଇଲେ।

ପୁରୁଷୋତ୍ତମ ରେଡ୍ଡୀଙ୍କ ସଂକଳ୍ପ ଯୋଗୁ ଆରମ୍ଭ ହୋଇଥିବା ଏହି ଜନଆନ୍ଦୋଳନ ଲଗାତାର ବଢିବାକୁ ଲାଗିଲା। ପ୍ରଫେସର ଶିବାଜୀ ରାଓ, ଗୋବର୍ଦ୍ଧନ ରେଡ୍ଡୀ ଓ ଡାଃ କେ ବାଲଗୋପାଳଙ୍କ ଭଳି ବଡ ଜନଆନ୍ଦୋଳନକାରୀ ମଧ୍ୟ ଏହି ସଂଗ୍ରାମରେ ଝାସ ଦେଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଗୋବର୍ଦ୍ଧନ ରେଡ୍ଡୀଙ୍କୁ ଚିଠି ଲେଖି ସୂଚନା ଦେଲେ ଯେ ନିଉକ୍ଲିୟର ରିଆକ୍ଟର ପ୍ଳାଣ୍ଟର ଯୋଜନାକୁ ରଦ୍ଦ କରାଗଲା।

ମୁହଁରେ ହସ ନେଇ ପୁରୁଷୋତ୍ତମ ରେଡ୍ଡୀ କହନ୍ତି,

“ଥରେ ଯେ ଆରମ୍ଭ କଲୁ ଆମେ ଆଉ ପଛକୁ ବୁଲି ଦେଖିନାହୁଁ। ଏଇଟା ଏକ ବଡ ଆନ୍ଦୋଳନ ଥିଲା ଓ ଏହାର ସଫଳତା ମଧ୍ୟ ସେତିକି ବଡ ଥିଲା। “

ଏହି ସଫଳତା ପଛରେ ଥିବା ରହସ୍ୟ ବିଷୟରେ ବୁଝାଇ ପ୍ରଫେସର ରେଡ୍ଡୀ କୁହନ୍ତି ଯେ ସେ ଗାଁ ଗାଁ ବୁଲି ଲୋକଙ୍କୁ ପରମାଣୁ ଭାଟିରୁ କିପରି ଭାବେ ତାଙ୍କୁ ହାନି ପହଞ୍ଚିବ, ଏ ସମ୍ପର୍କରେ ସଚେତନ କରାଉଥିଲେ। ଲୋକେ ସଚେତନ ହେବା ଫଳରେ ହିଁ ଏହି ଆନ୍ଦୋଳନଟି ସଫଳ ହୋଇପାରିଥିଲା।

ପ୍ରାୟ ପାଞ୍ଚ ଦଶକରୁ ପ୍ରଫେସର ପୁରୁଷୋତ୍ତମ ରେଡ୍ଡୀ ପରିବେଶ ସୁରକ୍ଷା ପ୍ରତି ଜନଚେତନା ଜାଗ୍ରତ କରିବା ପାଇଁ ଓ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସମାଜ ସେବା ତାଙ୍କର ଧର୍ମ। ପରିବେଶ ଓ ଜନହିତ ସମ୍ବନ୍ଧୀୟ କୌଣସି କାର୍ଯ୍ୟରୁ ସେ କେବେ ପଛେଇ ନାହାନ୍ତି।

ପୁରୁଷୋତ୍ତମ ରେଡ୍ଡୀଙ୍କର ଜନ୍ମ ୧୪ ଫେବୃଆରୀ, ୧୯୪୩ରେ ତେଲେଙ୍ଗାନାର ଏକ ସମ୍ପନ୍ନ କୃଷକ ପରିବାରରେ ହେଇଥିଲା। ତାଙ୍କର ମାତା ପିତା କୌଶଲ୍ୟା ଦେବୀ ଓ ରାଜା ରେଡ୍ଡୀ ଅତ୍ୟନ୍ତ ଦୟାଳୁ ଥିଲେ ଓ ସର୍ବଦା ଲୋକଙ୍କ ସେବାରେ ବ୍ରତୀ ଥିଲେ। ଘରର ପରିବେଶ ଆଧ୍ୟାତ୍ମ,ଭାରତୀୟ ସଂସ୍କୃତି ଓ ରୀତି ନିତିରେ ପୂର୍ଣ୍ଣ ଥିଲା। ଆଚାର୍ଯ୍ୟ ବିନୋବା ଭାବେଙ୍କ ଦ୍ଵାରା ପ୍ରଭାବିତ ହୋଇ ତାଙ୍କର ପିତା ରାଜା ରେଡ୍ଡୀ ଏକ ହଜାର ଏକର ଜମି ଭୁଦାନ ଆନ୍ଦୋଳନରେ ଦାନ କରିଦେଇଥିଲେ।

ପୁରୁଷୋତ୍ତମ ରେଡ୍ଡୀ ତାଙ୍କ ପିଲା ବେଳ କଥା ମନେ ପକାଇ କହନ୍ତି,

“ମୋ ବାପା ମୋତେ କହୁଥିଲେ ଯେ ଜମିଜମା ଓ ସମ୍ପତ୍ତିର କୌଣସି ମୂଲ୍ୟ ନାହିଁ। ପାଠ ପଢ। ଉତ୍ତମ ଶିକ୍ଷାର ହିଁ ମୂଲ୍ୟ ଅଛି।“

ନିଜ ପିତାଙ୍କ ଉପଦେଶ ଅନୁଯାୟୀ ପୁରୁଷୋତ୍ତମ ରେଡ୍ଡୀ କେବଳ ନିଜର ପାଠ ଉପରେ ଧ୍ୟାନ ଦେଉଥିଲେ ଓ ସବୁବେଳେ ଶ୍ରେଣୀରେ ପ୍ରଥମ ସ୍ଥାନରେ ରହୁଥିଲେ। ନିଜର ପରିଶ୍ରମ ଓ ପ୍ରତିଭା ବଳରେ ପୁରୁଷୋତ୍ତମ ଓସମାନିଆ ମେଡିକାଲ କଲେଜରେ ସିଟ ପାଇଥିଲେ। ଦୁଇ ବର୍ଷ ସେ ମେଡିକାଲ କଲେଜରେ ପଢିଲେ। ଡାକ୍ତର ହେବାକୁ ଥିଲା ଆଉ ଦୁଇ ବର୍ଷ ବାକି। ସେତେବେଳେ ଅଚାନକ ପୁରୁଷୋତ୍ତମ ମେଡିକାଲ ପାଠ ଛାଡି ରାଜନୀତି ବିଜ୍ଞାନ ପଢିବାର ନିଷ୍ପତ୍ତି ନେଲେ। ଏପରି ଏକ ନିଷ୍ପତ୍ତି ସେ କାହିଁକି ନେଲେ ବୋଲି ପ୍ରଶ୍ନର ଉତ୍ତର ଦେଇ ପୁରୁଷୋତ୍ତମ ରେଡ୍ଡୀ କୁହନ୍ତି,

“ମୋତେ କାହିଁକି କେଜାଣି ଲାଗିଲା ଯେ ଡାକ୍ତର ହେଇ ମୁଁ ଲୋକଙ୍କର ଯେତିକି ସାହାଯ୍ୟ କରିପାରିବି ତା’ଠାରୁ ଢେର ଅଧିକ ସାହାଯ୍ୟ ରାଜନୀତି ବିଜ୍ଞାନର ପଣ୍ଡିତ ହୋଇ କରିପାରିବି। ଡାକ୍ତରୀ ପାଠ ବହୁତ ଭଲ। କିନ୍ତୁ ମୋ ମନ ରାଜନୀତି ବିଜ୍ଞାନ ଆଡେ ଝୁଙ୍କିଲା। ସେଥିପାଇଁ ମୁଁ ବିଏ ଆଡମିସନ କରି ରାଜନୀତି ବିଜ୍ଞାନକୁ ମୋର ମୁଖ୍ୟ ବିଷୟ ବନେଇଲି।“

ପୁରୁଷୋତ୍ତମ ରେଡ୍ଡୀ ଆଗକୁ ଯାଇ ଓସମାନିଆ ବିଶ୍ଵବିଦ୍ୟାଳୟରେ ତିନି ଦଶକ ଧରି ହଜାର ହଜାର ଛାତ୍ରଙ୍କୁ ରାଜନୀତି ପଢେଇଛନ୍ତି। କେତେବର୍ଷ ଧରି ଓସମାନିଆ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ତଥା ବୋର୍ଡ ଓଫ ଷ୍ଟଡିଜର ଚେୟାରମ୍ୟାନ ମଧ୍ୟ ରହିଛନ୍ତି।

ଓସମାନିଆ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରଫେସର ଭାବେ କାର୍ଯ୍ୟରତ ଥାଇ ମଧ୍ୟ ପୁରୁଷୋତ୍ତମ ରେଡ୍ଡୀ ସମାଜର ମଙ୍ଗଳ ପାଇଁ ବିଭିନ୍ନ ଜନଆନ୍ଦୋଳନରେ ସକ୍ରିୟ ଭାବେ ଭାଗ ନେଇଛନ୍ତି। ଦୂର ଦୂରରୁ ଲୋକେ ତାଙ୍କ ସମସ୍ୟା ନେଇ ତାଙ୍କ ପାଖରେ ପହଞ୍ଚନ୍ତି। ସେ ବିଷୟର ଗମ୍ଭୀରତାକୁ ଅନୁଧ୍ୟାନ କରି ତା’ର ନିଦାନ ପାଇଁ କଣ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦିଅନ୍ତି। ପରିବେଶ ସୁରକ୍ଷା ଓ ଜନହିତ ପାଇଁ ପୁରୁଷୋତ୍ତମ ରେଡ୍ଡୀ ଅନେକ ଥର ବିଭିନ୍ନ କୋର୍ଟରେ ମଧ୍ୟ ଆଇନଗତ ଲଢେଇ କରିଛନ୍ତି।

ରାଜନୀତି ବିଜ୍ଞାନ ପଢି ମଧ୍ୟ ସେ ପରିବେଶବିତ ଭାବରେ ଜଣା କାହିଁକି ବୋଲି ପ୍ରଶ୍ନର ଉତ୍ତର ଦେଇ ପ୍ରଫେସର ରେଡ୍ଡୀ କୁହନ୍ତି ଯେ ଦୁଇଟି ଘଟଣା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ତାଙ୍କୁ ଏହି ଘଟଣା ବହୁତ ଦୁଖ ଓ ପୀଡା ଦେଇଥିଲା।

ପ୍ରଥମ ଘଟଣା ହେଲା ଭୋପାଳ ଗ୍ୟାସ ଟ୍ରାଜେଡି ଯେଉଁଥିରେ ଅଜସ୍ର ଲୋକ ପ୍ରାଣ ହରେଇଥିଲେ। ଦ୍ଵିତୀୟ ଘଟଣା ତାଙ୍କ ପରିବାର ସଙ୍ଗେ ଜଡିତ। ପୁରୁଷୋତ୍ତମ ରେଡ୍ଡୀଙ୍କ ଭାଇ ମଧ୍ୟ କୃଷକ ଥିଲେ ଓ ଜୈବିକ କୃଷି କରୁଥିଲେ। ତାଙ୍କ କ୍ଷେତ ପାଇଁ ସରୁରନଗର ହ୍ରଦରୁ ପାଣି ମିଳୁଥିଲା। କିନ୍ତୁ ଆଖପାଖରେ ଥିବା ପ୍ଳାଣ୍ଟ ଓ ଫାକ୍ଟରୀ ସବୁ ଏହି ହ୍ରଦରେ ରାସାୟନିକ ଆବର୍ଜନା ଫିଙ୍ଗିବାକୁ ଲାଗିଲେ। ଏହା ଯୋଗୁ ହ୍ରଦର ପାଣି ପ୍ରଦୂଷିତ ହେଲା ଓ ଫସଲ ସବୁ ବରବାଦ ହେଇଗଲା। ଫସଲ ଖରାପ ହେବା ଫଳରେ ଆମଦାନୀ କମ ହେଲା ଓ ପରିବାରର ବହୁତ କ୍ଷତି ହେଲା। ଏପରି ପାରିବାରିକ ସଙ୍କଟ ଦେଖି ପୁରୁଷୋତ୍ତମ ରେଡ୍ଡୀ ସଂକଳ୍ପ ନେଲେ ଯେ ପରିବେଶ ସୁରକ୍ଷା ପାଇଁ ତାଙ୍କ ଜୀବନ ସମର୍ପଣ କରିବେ।

ସେ ଏହି ପ୍ରଦୂଷଣର ବିରୋଧ କରି ଆନ୍ଦୋଳନ କଲେ। ସମ୍ପର୍କୀୟ ଓ ପେଶାରେ ରେଡିଓଲୋଜିଷ୍ଟ ଗୋବର୍ଦ୍ଧନ ରେଡ୍ଡୀ ତାଙ୍କର ଏହି ଆନ୍ଦୋଳନ କରିବାରେ ସାହାଯ୍ୟ କଲେ। ସେ ନିରନ୍ତର ଲଢେଇରେ ଲାଗି ରହିଲେ। ଶେଷରେ ସଫଳ ହେଲେ ଓ ସରୁରନଗର ହ୍ରଦ ମରିବାରୁ ରକ୍ଷା ପାଇଲା ।

ନିଜର ପ୍ରଥମ ଆନ୍ଦୋଳନର ସଫଳତା ତାଙ୍କ ସଂକଳ୍ପକୁ ଆହୁରି ବଳିଷ୍ଠ କରିଦେଲା। ପରିବେଶ ବିରୋଧୀ ଓ ଉଦ୍ୟୋଗ ମାନଙ୍କ ବିରୋଧରେ ଲଢେଇ ଜାରି ରଖିଲେ।

ବର୍ତ୍ତମାନ ପୁରୁଷୋତ୍ତମ ରେଡ୍ଡୀ ଦେଶର ଯୁବା ପିଢି ଉପରେ ବେଶି ଧ୍ୟାନ ଦେଉଛନ୍ତି। ସେ ମାନନ୍ତି ଯେ ଦେଶର ଯୁବା ପିଢି ଯଦି ପରିବେଶସହ ଜଡିତ ସମସ୍ୟାକୁ ବୁଝିବେ ଓ ପରିବେଶ ସୁରକ୍ଷା ଦିଗରେ କାମ କରିବେ ତେବେ ସୁଫଳ ମିଳିବ। ସେ କହନ୍ତି,

“ମୋର ସମସ୍ତ ଆଶା ଯୁବା ପିଢି ଉପରେ ଅଟକିଛି। ଆମେ ଯଦି ପରିବେଶକୁ ବଞ୍ଚେଇପାରିବା ତାହେଲେ ଦେଶକୁ ବଞ୍ଚେଇପାରିବା। ମରୁଡି, ବନ୍ୟା, ଜଙ୍ଗଲରେ ନିଆଁ ଲାଗିବା ଏସବୁ ପରିବେଶକୁ କ୍ଷତି ପହଞ୍ଚେଇବାର ଫଳ। ପରିବେଶକୁ ବଞ୍ଚେଇବା ପାଇଁ ସ୍ଵାଧୀନତା ସଂଗ୍ରାମ ଭଳି ଆଉ ଏକ ସଂଗ୍ରାମର ଆବଶ୍ୟକତା ଅଛି। ଏହି ସଂଗ୍ରାମ କେବଳ ଯୁବା ମାନେ ହିଁ କରି ସଫଳ ହୋଇପାରିବେ।“
Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags

Latest Stories

Sign up for our Daily Newsletter