EDITIONS
Odia

ବିଷୁବ ମଣ୍ଡଳୀୟ ଜଙ୍ଗଲର ସୁରକ୍ଷା ପାଇଁ ବ୍ରତୀ: ମିଷ୍ଟର ଗାରବେଜ ଉଡଙ୍କ ଉଦ୍ୟୋଗ ପଛର କାହାଣୀ

Team Odia
2nd Nov 2015
Add to
Shares
1
Comments
Share This
Add to
Shares
1
Comments
Share

ତାଙ୍କର ପ୍ରକୃତ ନାମ ଟିମ ଓ’ବ୍ରାଏନ, ମିଷ୍ଟର ଗାରବେଜ ଉଡ ବା ପୋକରା କାଠ ମହାଶୟ ନୁହେଁ। ଆସନ୍ତୁ ଜାଣିବା, ଟିମ ଲୋକମାନଙ୍କ ପାଖରେ କିପରି ମିଷ୍ଟର ଗାରବେଜ ଉଡ ହେଲେ ଓ ଲୋକମାନଙ୍କର ଏହି ପରିହାସ କିପରି ତାଙ୍କ ଜୀବନ ଓ ଉଦ୍ୟୋଗକୁ ପରିବର୍ତ୍ତନ କରି ପାରିଲା। 1997 ମସିହାରେ ନିଜ କଲେଜ ଶିକ୍ଷା ଶେଷ କରିବା ପରେ ଟିମ ଇଣ୍ଡୋନେସିଆର ଲୋମ୍ବୋକ ଦ୍ଵୀପରେ ପହଞ୍ଚନ୍ତି ଆଉ ଏହି ଦ୍ଵୀପର ପ୍ରକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ପଡନ୍ତି। ହେଲେ ଗୋଟିଏ କଥା ଟିମଙ୍କୁ ଭାରି ବିବ୍ରତ କରେ। ଏଠାରେ ସେ ଦେଖନ୍ତି ଯେ ଲୋକମାନେ କାଠରେ ତିଆରି ସୁନ୍ଦର ପୁରୁଣା ଖୁଣ୍ଟି ଓ ସ୍ତମ୍ଭ ଗୁଡିକୁ ଭାଙ୍ଗି ନୂଆ କଂକ୍ରିଟ ସ୍ତମ୍ଭ ତିଆରି କରୁଛନ୍ତି। ପୁରୁଣା ସ୍ତମ୍ଭ ଗୁଡିକରେ ଲାଗିଥିବା ଶାଳ ପିଆଶାଳ ଭଳି ମୁଲ୍ୟବାନ କାଠର ସୁନ୍ଦର ପାଢୀଗୁଡିକୁ ଫିଙ୍ଗି ଦେଉଛନ୍ତି, ନଚେତ ସ୍ଥାନୀୟ ଲୋକଙ୍କୁ ଜାଳିବା ପାଇଁ ଦେଉଛନ୍ତି।

image


ଭଲ ମାନର କାଠ ଗୁଡିକ ଏପରି ନଷ୍ଟ ହେଉଥିବାର ଦେଖି ଟିମ ଆଶ୍ଚର୍ଯ୍ୟ ହୋଇଥିଲେ। ମାତ୍ର ୧୮ ଇଞ୍ଚ ବ୍ୟାସାର୍ଦ୍ଧ ଓ ୫ ଇଞ୍ଚ ଉଚତା ବିଶିଷ୍ଟ କାଠ ପାଢୀ ଗୁଡିକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ ଟିମ କିଛି ଭାବି ପାରୁନଥିଲେ। ଏପରି ଦ୍ଵନ୍ଦ ଭିତରେ ସେ ଗୋଟିଏ ଗୋଦାମ ଘର ଭଡାରେ ନେଲେ ଓ କାଠ ଗୁଡିକୁ କିଣି ସେଠାରେ ସାଇତି ରଖିଲେ।

ଅଳ୍ପ କିଛି ଦିନ ପରେ ଗୋଦାମ ଘରେ ଗଦା ଗଦା କାଠ ପଡି ରହିଲା। ଏହାକୁ ନେଇ କଣ କରିହେବ ସେ ବିଷୟରେ ଟିମଙ୍କର ସେ ସମୟ ଯାଏ କୌଣସି ନିର୍ଦ୍ଧିଷ୍ଟ ଯୋଜନା ନଥିଲା। ଏହାପରେ ସ୍ଥାନୀୟ ବଢେଇମାନଙ୍କୁ ଡାକି ଏହି କାଠରେ କଣ କରିହେବ ସେ ବିଷୟରେ ଟିମ ଆଲୋଚନା କରିବାକୁ ଲାଗିଲେ। ଏହି କାଠକୁ ନେଇ କିଛି କଳାକୃତି ବା ଆସବାବପତ୍ର ତିଆରି କରିବା ଟିମଙ୍କର ଲକ୍ଷ୍ୟ ଥିଲା।

ମାତ୍ର ଟିମଙ୍କର କୌଣସି ଚେଷ୍ଟା ଫଳବତୀ ହେଉନଥିଲା। କାମଆରମ୍ଭ ହେବାର ଗୋଟିଏ ମାସ ଭିତରେ ସମସ୍ତ ବଢେଇ କାମ ଛାଡି ଚାଲିଗଲେ। ଏସବୁ କାଠରେ କଳାକୃତି ତିଆରି କରିବାକୁ ସେମାନେ ନିଜ କଳାର ଅପମାନ ବୋଲି ଭାବୁଥିଲେ। ଆଉ ଏ କଥା ଚାରିଆଡେ ବ୍ୟାପିବାକୁ ମଧ୍ୟ ଲାଗିଲା। ଲୋକେ ଟିମଙ୍କୁ ପରିହାସରେ ମିଷ୍ଟର ଗାରବେଜ ଉଡ ବା ପୋକରା କାଠ ମହାଶୟ ବୋଲି ଡାକିବାକୁ ଲାଗିଲେ। ଟିମଙ୍କ ସମସ୍ୟା ଏତିକିରେ ସରିନଥିଲା।

image


ଟିମ ସଂଗ୍ରହ କରିଥିବା କାଠ ଗୁଡିକ ଭିନ୍ନ ଭିନ୍ନ ପ୍ରଜାତିର ଥିଲା। ସେ ସମସ୍ତ କାଠର ଗୁଣବତ୍ତା ମଧ୍ୟ ସମାନ ନଥିଲା। ତେଣୁ ଏଥିରୁ ଭଲ ମାନର ଆସବାବପତ୍ର କିମ୍ବା କଳାକୃତି ତିଆରି କରିବା ସହଜ ନଥିଲା। ତା ଛଡା କାଠ ପୋକ ମଧ୍ୟ ଅନ୍ୟ ଏକ ବଡ ସମସ୍ୟା ଥିଲା। ସଂଗ୍ରହ ହୋଇଥିବା କାଠ ମଧ୍ୟରେ ଆମ୍ବ କାଠ ମଧ୍ୟ ଥିଲା। ଆମ୍ବକୁ ଅନ୍ୟ କାଠ ସହ ମିଶାଇ ଜିନିଷ ତିଆରି କଲେ ସେଥିରେ ଶୀଘ୍ର ପୋକ ଲାଗୁଥିଲା।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଟିମ ଓ ତାଙ୍କ ସହଯୋଗୀ ମାନେ ମିଶି ଏକ ଉନ୍ନତ ଧରଣର କୀଟନାଶକ ତିଆରି କଲେ। ଏହି କୀଟନାଶକ ଫଳପ୍ରଦ ଥିଲା ଓ ଏହାକୁ ନେଇ କମ କରିବା ସହଜ ଓ ସୁରକ୍ଷିତ ଥିଲା। ବର୍ତମାନ ଟିମ ନିଶ୍ଚିତ ହୋଇ ସାରିଥିଲେ ଯେ ତାଙ୍କ ପାଖରେ ଠିକ ମାନର ଜିନିଷ ଅଛି। ଆଉ ତାପରେ ହିଁ ଆରମ୍ଭ ହୋଇଥିଲା ଟିମଙ୍କର ବିଷୁବ ମଣ୍ଡଳୀୟ ଜଙ୍ଗଲର ସୁରକ୍ଷା ପାଇଁ ପ୍ରୟାସ।

ନିଜ ବ୍ୟବସାୟକୁ ଆଗକୁ ବଢାଇବା ଟିମଙ୍କ ପାଇଁ ଆଉ ଗୋଟିଏ ଚିନ୍ତା ଥିଲା। ତାହା ହେଉଛି କାଠର ଯୋଗାଣ। ଠିକ ଏହି ସମୟରେ ହିଁ ଟିମ ସମାଧାନର ଏକ ଭିନ୍ନ ସୂତ୍ର ପାଇଲେ। ଆଗ୍ନେୟ ଉଦଗୀରଣ ସମୟରେ ଅନେକ ଗଛ ଟଳି ପଡନ୍ତି ଓ ବର୍ଷା ଦିନେ ଭାସି ଆସି ନଦୀମାନଙ୍କର ନିମ୍ନ ଅବବାହିକାରେ ଜମି ରୁହନ୍ତି। ଏହି ସବୁ କାଠର ଗୁଣବତ୍ତା ବିଷୟରେ ଅଧିକ ଜାଣିବା ପାଇଁ ବର୍ଷା ଦିନେ ନିମ୍ନ ଅବବାହିକା ଅଞ୍ଚଳକୁ ପରିଦର୍ଶନ କରିବାକୁ ଟିମ ସ୍ଥିର କଲେ। ଏହି ସମୟରେ ସେ ଲକ୍ଷ୍ୟ କଲେ ଯେ ସ୍ଥାନେ ସ୍ଥାନେ ଧାନ କ୍ଷେତର ମଝିରେ କାଠଗଣ୍ଡି ମାନ ପଡି ରହିଛି। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ଟିମ ଏ ବିଷୟରେ ଅଧିକ ଅନୁସନ୍ଧାନ କରିବାକୁ ଲାଗିଲେ। ଅନୁସନ୍ଧାନରୁ ସେ ଜାଣି ପାରିଲେ ଯେ କ୍ଷେତ ମଝିରେ ଲାଖି ରହିଥିବା କାଠଗଣ୍ଡି ଗୁଡିକ ହେଉଛି ଆଗ୍ନେୟ ଉଦଗୀରଣର ଫଳ।

image


ଏମାନଙ୍କ ମଧ୍ୟରୁ ଅନେକ ଗଛ ଶତାଧିକ ବର୍ଷ ପୁରୁଣା ଥିଲେ। ଏତେ ବର୍ଷ ଧରି କାଠଗଣ୍ଡି ଗୁଡିକ ଅକ୍ଷତ ଆବସ୍ଥାରେ ଥିଲେ କିପରି? ନିଜ ଅନୁସନ୍ଧାନରୁ ଟିମ ଜାଣି ପାରିଲେ ଯେ ଏହି ମୋଟା ଓ ଓଦା କାଠଗଣ୍ଡି ଗୁଡିକ ଭିତରେ ଅମ୍ଳଜାନ ପ୍ରବେଶ କରି ପାରି ନାହିଁ। ତା ଛଡା ଏହି କାଠ ଗଣ୍ଡି ଗୁଡିକ ଉଦଗୀରଣ ସମୟରେ ବିଭିନ୍ନ ଧାତବ ପଦାର୍ଥ ଶୋଷି ନେଇଥାନ୍ତି। ଫଳରେ ଅନେକ ବର୍ଷ ପରେ ବି ସେମାନେ ଦୃଢ ଓ ଶକ୍ତ ରହିଥାନ୍ତି। ଏହି ଅନୁସନ୍ଧାନରୁ ହିଁ ଆରମ୍ଭ ହେଲା ଟିମଙ୍କର ବିଷୁବ ମଣ୍ଡଳୀୟ ଜଙ୍ଗଲର ସୁରକ୍ଷା ପାଇଁ ସଫଳ ପ୍ରୟାସ।

ଆଜି ଟିମଙ୍କର ସଂସ୍ଥାରେ ୮୦ ଜଣ ସ୍ଥାନୀୟ ଲୋକ କାମ କରନ୍ତି। ୟୁରୋପ ଓ ଉତ୍ତର ଆମେରିକାରେ ଟିମଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ଚାହିଦା ବହୁତ ବେଶୀ। ମାତ୍ର ଟିମ ତାଙ୍କ ମୂଳ ଲକ୍ଷ୍ୟ ବିଷୁବ ମଣ୍ଡଳୀୟ ଜଙ୍ଗଲର ସୁରକ୍ଷାରୁ ଓହରି ଯାଇ ନାହାନ୍ତି।

ନିଜ ବ୍ୟବସାୟରୁ ଉପାର୍ଜିତ ଧାନ ଓ Jepara Forest Conservancyର ସହଯୋଗ ରେ ଇଣ୍ଡୋନେସିଆରେ ଜଙ୍ଗଲ ସଂରକ୍ଷଣ, ସଚେତନତା ଓ ଗଛ ଲଗେଇବା ପାଇଁ ଟିମ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ୩୫ ପ୍ରଜାତିର ୫୦୦ ଗଛ ଲଗାଯାଇଛି। ତା ଛଡା ସ୍ଥାନୀୟ ଜଙ୍ଗଲରେ ଉପଲବ୍ଧ ପ୍ରଜାତିର ସଂରକ୍ଷଣ ଦିଗରେ ମଧ୍ୟ ଏହା କାମ କରୁଛି।

ଓବରିଏନଙ୍କ ମତରେ ବିଷୁବ ମଣ୍ଡଳୀୟ ଜଙ୍ଗଲର ସୁରକ୍ଷା ପାଇଁ ଲୋକମାନେ ସଚେତନ ଅଛନ୍ତି। ମାତ୍ର ସଚେତନତା କୁ ଆହୁରି ଅଧିକ ବଢାଇବାର ଆବଶ୍ୟକତା ରହିଛି। ସେଥିପାଇଁ ନିକଟ ଅତୀତରେ ଟିମ WWF Switzerland Tropical Forest Challengeରେ ଭାଗ ନେଇଛନ୍ତି। ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଥିବା ୭୫ଟି ଦେଶରେ କେଉଁ କେଉଁ ଲାଭଦାୟକ ଉପାୟ ବ୍ୟବହାର କରି ବିଷୁବ ମଣ୍ଡଳୀୟ ଜଙ୍ଗଲର ଜୈବ ବିବିଧତାକୁ ଅକ୍ଷୁର୍ଣ ରକ୍ଷା ଯାଇ ପାରିବ ତାହା ଉପରେ ଏହି ଚ୍ୟାଲେଞ୍ଜ କାମ କରୁଅଛି।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗୋଟିଏ ଅର୍ଥକ୍ଷମ ବ୍ୟବସାୟିକ ମଡେଲ ସୃଷ୍ଟି କରିପାରିବାରେ WWF Switzerland Tropical Forest Challengeପରି ପଦକ୍ଷେପ ଗୁରୁତ୍ତ୍ଵପୂର୍ଣ ଭୂମିକା ନିର୍ବାହ କରି ପାରିବେ ବୋଲି ଟିମ ମତ ଦିଅନ୍ତି। ଏହି ଚ୍ୟାଲେଞ୍ଜରେ ଅଂଶ ଗ୍ରହଣ କରି ଟିମ ବହୁତ ଉତ୍ସାହିତ ଅଛନ୍ତି।

ଟିମଙ୍କର ଉଦ୍ୟମ ଶହ ଶହ ବିଷୁବ ମଣ୍ଡଳୀୟ ବୃକ୍ଷର ସଂରକ୍ଷଣ କରିବା ସହ ଉଦ୍ୟୋଗପତି ମାନଙ୍କ ପାଇଁ ଗୋଟିଏ ସଫଳ ବ୍ୟବସାୟିକ ଉଦାହରଣ ମଧ୍ୟ ସାଜି ପାରିଛି। ବିଷୁବ ମଣ୍ଡଳୀୟ ଜଙ୍ଗଲ ପାଇଁ ତାଙ୍କ ସ୍ଵପ୍ନ ସରିନାହିଁ ଓ ପ୍ରତିଦିନ ସକାଳେ ଏହି ଜଙ୍ଗଲର ଭବିଷ୍ୟତ ଓ ସଂରକ୍ଷଣ ପାଇଁ ଏକ ନୂତନ ଆଶା ସହ ସେ ଉଠନ୍ତି ବୋଲି ଟିମ କହିଛନ୍ତି।

website - Tropical Salvage

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags