EDITIONS
Odia

ଦୀପିକା ପାଦୁକୋଣଙ୍କର Live Love Laugh ଫାଉଣ୍ଡେସନ

Ruchi Panigrahi
8th Jun 2016
Add to
Shares
0
Comments
Share This
Add to
Shares
0
Comments
Share

ଲୋକେ ଭାବନ୍ତି ମାନସିକ ଅବସାଦ ବା ଡିପ୍ରେସନର ମାନେ ହେଲା ସବୁ ସମୟରେ ଦୁଃଖୀ ରହିବା ବା କାନ୍ଦିବା। ହଁ, କିଛି ପରିମାଣରେ ଠିକ କିନ୍ତୁ ମାନସିକ ଅବସାଦ କିଛି ସମୟରେ କ୍ରୋଧ ଓ ନିରାଶାର ରୂପ ମଧ୍ୟ ନେଇଥାଏ। ବେଳେବେଳେ ଏକଦମ ନିସ୍ତେଜ ଓ ଶୂନ୍ୟ ଅନୁଭବ କରିବା...ସକାଳେ ବିଛଣାରୁ ଉଠି ପୁଣି ବିଛଣାରେ ପଡି ରହିବା କାହିଁକି ଆଗକୁ ଯାଇ ଦିନରେ କଣ ବା କରିବ....ଦିନ ଗୁଡିକ ଶୂନ୍ୟ ଓ ଅର୍ଥହୀନ ଲାଗେ।

ଯାହା ପାଖରେ ସବୁକିଛି ଥିବା ସେ ବା ଦୁଃଖୀ କାହିଁକି ହେବ? ଏହି ପ୍ରଶ୍ନଟି ସମସ୍ତଙ୍କ ମନକୁ ଆସିଥିଲା ଯେତେବେଳେ ଦୀପିକା ପାଦୁକୋଣ ବରଖା ଦତ୍ତଙ୍କ ସହ ଗତ ବର୍ଷ ଏକ ସାକ୍ଷାତକାର ସମୟରେ ପ୍ରକାଶ କରିଥିଲେ ଯେ ସେ ମଧ୍ୟ କିଛି ସମୟ ପାଇଁ ମାନସିକ ଅବସାଦଗ୍ରସ୍ତ ହେଇଥିଲେ। ଜଣେ ଲୋକପ୍ରିୟ ଅଭିନେତ୍ରୀ ଯିଏ କି ହିଟ ପରେ ହିଟ ଫିଲ୍ମ ଦେଇଚାଲିଥିଲେ ଓ ଏକ ସ୍ୱାଚ୍ଛନ୍ଦ୍ୟରେ ଭରା ଜୀବନଯାପନ କରୁଥିଲେ ସେ ଡିପ୍ରେସନ ଦେଇ ଗତି କରୁଥିବାଟା ଟିକେ ଖାପଛଡା ଲାଗେ, ନୁହେଁ କି? ତେଣୁ ଦୀପିକା ତାଙ୍କ ଅଭିଜ୍ଞତାକୁ ନେଇ ଲେଖିଥିବା ଏକ କାହାଣୀ ଓ ସାକ୍ଷାତକାରକୁ ଅନେକେ ଅବିଶ୍ଵାସ କରିଥିଲେ ଓ କହିଥିଲେ ଯେ ତାଙ୍କ ପରବର୍ତୀ ଫିଲ୍ମର ପ୍ରଚାର ପାଇଁ ଏ ଏକ କାରସାଦି।

କିନ୍ତୁ ଦୀପିକା ଏହି କାରଣ ପ୍ରତି ତାଙ୍କର ବଚନବଦ୍ଧତା ଦେଖାଇଥିଲେ ଓ ଅକ୍ଟୋବର ୧୦, ୨୦୧୫ (ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ)ରେ ବେଙ୍ଗାଲୁରୁରେ ତାଙ୍କର Live, love, Laugh Foundation ପ୍ରତିଷ୍ଠା କରିଥିଲେ। ଏହି ସଂସ୍ଥାରେ ଦୀପିକାଙ୍କର କାଉନ୍ସେଲର ଆନ୍ନା ଚାଣ୍ଡୀ ଓ ତାଙ୍କ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାଃ ଶ୍ୟାମ ଭଟ୍ଟ, ଅନିର୍ବାଣ ଦାସ ଓ ନିନା ନାୟାର ଟ୍ରସ୍ଟୀ ଭାବେ ଜଡିତ ଅଛନ୍ତି।

ଦୀପିକା ୟୌରଷ୍ଟୋରିକୁ କହନ୍ତି

ଏହି ଫାଉଣ୍ଡେସନ ଓ ଏହା ଯେଉଁ କାରଣକୁ ସମର୍ଥନ କରୁଛି, ଦୁହେଁ ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ ନିକଟତର। ଏହି ଫାଉଣ୍ଡେସନ ପ୍ରତିଷ୍ଠା ସମୟରେ ଆମର ଲକ୍ଷ୍ୟ ଥିଲା ମାନସିକ ସ୍ୱାସ୍ଥ୍ୟ ଓ ରୋଗକୁ ନେଇ ଯେଉଁ ସାମାଜିକ କଳଙ୍କ ଜଡିତ ହେଇ ଅଛି ତାକୁ ଦୂର କରିବା ଓ ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି କରି ଏହା ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ଏକ ପରିବର୍ତ୍ତନ ଆଣିବା। ମୁଁ ବହୁତ ଖୁସି ଯେ ଆମେ କିଛି ଆଖିଦୃଶିଆ କାମ କରିପାରିଛୁ। ଏହାର ୱେବସାଇଟ ଲଞ୍ଚ ଠାରୁ ଆରମ୍ଭ କରି ସ୍କୁଲଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଓ ସାଧାରଣ ଡାକ୍ତରଙ୍କ ପାଇଁ ସଂବେଦନଶୀଳତା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆମେ ଗତ କିଛି ମାସ ମଧ୍ୟରେ କରିପାରିଛୁ।

ଆନ୍ନା କୁହନ୍ତି

ଏବେ ମଧ୍ୟ ମାନସିକ ରୋଗକୁ ଲୋକେ କହିବାରେ ବା ଆଲୋଚନା କରିବାରେ କୁଣ୍ଠା ଓ ଦ୍ଵିଧା ପ୍ରକାଶ କରନ୍ତି। ଏବେ ମଧ୍ୟ ଏହା ଏକ ନିଷିଦ୍ଧ ବିଷୟ ଯାହାକୁ କି ଘୋଡାଇ ରଖାଯାଏ। ଆମକୁ ଏବେ ଏସବୁ ବିଷୟରେ ନିଜର ଲିଭିଙ୍ଗ ରୁମରେ ବସି କଥା ହେବା ଆବଶ୍ୟକ। ଆମେ ଯେପରି ଭାବେ ଭାଇରାଲ ଜ୍ଵର ଓ ଡାଇବେଟିସ ସମ୍ପର୍କରେ କଥା ହେଉଛୁ ଠିକ ସେମିତି ଡିପ୍ରେସନ ଓ ବାଇପୋଲାର ରୋଗ ସମ୍ବନ୍ଧରେ ମଧ୍ୟ କଥା ହେବାଟା ସାଧାରଣ ବୋଲି ଭାବିବାକୁ ହେବ।

ବର୍ତ୍ତମାନ ଏହା ଜରୁରୀ କାହିଁକି

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁସାରେ ଭାରତ ବିଶ୍ଵର ସର୍ବାଧିକ ମାନସିକ ଅବସାଦଗ୍ରସ୍ତଙ୍କର ଦେଶ ଅଟେ। ପରିସଂଖ୍ୟାନ ଅନୁସାରେ ଆମ ଦେଶରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣେ ମାନସିକ ଅବସାଦ ଦେଇ ଗତି କରୁଛି। ଆତ୍ମହତ୍ୟାର ହାର ମଧ୍ୟ ଆମ ଦେଶରେ ସର୍ବାଧିକ। ହାରାହାରି ଏକ ଲକ୍ଷରୁ ଊର୍ଦ୍ଧ୍ଵ ଭାରତୀୟ ପ୍ରତି ବର୍ଷ ଆତ୍ମହତ୍ୟା କରୁଛନ୍ତି। ଆଜି ଦେଶର ୫୦% ଜନତାଙ୍କ ବୟସ ୨୫ରୁ କମ। ଅନୁମାନ କରାଯାଉଛି ଯେ ୨୦୨୦ ମଧ୍ୟରେ ଏକ ଭାରତୀୟର ହାରାହାରି ବୟସ ମାତ୍ର ୨୯ ବର୍ଷ ବୟସ ହେବ, ଯାହାକି ବିଶ୍ଵରେ ସବୁଠାରୁ କମ। ଏପରି ସବୁ ତଥ୍ୟ ଭାରତକୁ ଏକ ଦୁର୍ବଳ ସ୍ଥାନରେ ନେଇ ରଖୁଛି।

ଦୀପିକା ସହମତି ପ୍ରକାଶ କରି କୁହନ୍ତି

ମାନସିକ ସ୍ୱାସ୍ଥ୍ୟର ସମସ୍ୟା ବର୍ତ୍ତମାନ ଏକ ମହାମାରୀ ଭଳି ରୂପ ନେଲାଣି। ଏସବୁକୁ ଅନ୍ଧକାର ଭିତରେ ଘୋଡାଇ ନରଖି ସମୟ ହେଇଛି ବାହାରକୁ ଆଣିବାର। ଅନେକ ବ୍ୟକ୍ତି ଓ ସଂସ୍ଥା ଆମର କାମକୁ ସମର୍ଥନ କରି ଆଗେଇ ଆସିଛନ୍ତି। ଅନେକ କିଛି କରିବାକୁ ଅଛି। ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କୁ ସାହାଯ୍ୟ ଦରକାର। ଆମେ ଆଜି ଅଣ୍ଟା ଭିଡିଛୁ ମାନସିକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଜାତୀୟ ସ୍ତରରେ ଅଗ୍ରାଧିକାର ଦିଆଯିବା ପାଇଁ। ଏଥିପାଇଁ ଆମକୁ ଯେତେ ହେଇପାରିବ ସେତେ ସହଯୋଗ ଆବଶ୍ୟକ।

ମାନସିକ ଅବସାଦ ବା କ୍ଲିନିକାଲ ଡିପ୍ରେସନ ଏକ ମନୋଦଶା ସମ୍ବନ୍ଧୀୟ ଅବସ୍ଥା ଅଟେ। ସବୁସମୟରେ ଦୁଃଖୀ ଭାବ ଓ ଉଦାସୀନତା ଥାଏ ଓ ଏହାର ବିଭିନ୍ନ ପ୍ରକାରର ମାନସିକ ଓ ଶାରୀରିକ ଲକ୍ଷଣ ମଧ୍ୟ ଦେଖାଦିଏ। କିଛି ଲକ୍ଷଣ ହେଲା:

• ଥକ୍କା ଲାଗିବା, ମାନ୍ଦା ଲାଗିବ୍ବା ଓ କୌଣସି କାମ କରିବା ପାଇଁ ଆଗ୍ରହ ନହେବା

• ଭୋକରେ ଅନିୟମିତତା

• ନିଦରେ ଅନିୟମିତତା

• କୌଣସି କାର୍ଯ୍ୟରେ ଉପଯୁକ୍ତ ଧ୍ୟାନ ନଦେଇପାରିବା

• ଆଗରୁ ଯେଉଁ କାମ ସବୁ ଭଲ ଲାଗୁଥିଲା ଏବେ ଆଉ ଭଲ ନ ଲାଗିବା ଓ ସେଥିପ୍ରତି ଆଗ୍ରହ କମିଯିବା

• ନକାରାତ୍ମକ ଚିନ୍ତାଧାରା ଓ ଆତ୍ମହତ୍ୟାର ଚିନ୍ତା ଆସିବା

ଡିପ୍ରେସନର କାରଣ ଏକ ଆଘାତଦାୟକ ଘଟଣା ହେଇପାରେ ଯେପରିକି, ଗୁରୁତର ଶାରୀରିକ ରୋଗ ବା ପ୍ରିୟଜନଙ୍କ ମୃତ୍ୟୁ। ବିନା କୌଣସି ବାହ୍ୟ ଆଘାତରେ ମସ୍ତିଷ୍କରେ ରାସାୟନିକ ଭାରସାମ୍ୟରେ ଅନିୟମିତତା ଯୋଗୁଁ ମଧ୍ୟ ଡିପ୍ରେସନ ହେଇପାରେ। ଯୁଗ ଅନେକ ଆଗେଇଲାଣି। ମାତ୍ର ଏବେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଡିପ୍ରେସନ ଓ ଅନ୍ୟାନ୍ୟ ମାନସିକ ରୋଗ ସମ୍ବନ୍ଧରେ ବିଶେଷ କିଛି ଜାଣିନାହାନ୍ତି। ଉଦାହରଣ ସ୍ୱରୂପ ଏକ ମାନସିକ ଅବସାଦଗ୍ରସ୍ତ ବ୍ୟକ୍ତି ଏକ ସୁସ୍ଥ ବ୍ୟକ୍ତି ଅପେକ୍ଷା ୩ ରୁ ୪ ଗୁଣ ଅଧିକ ସ୍ଵପ୍ନ ଦେଖିଥାଏ। REM ନିଦରେ ପରିବର୍ତ୍ତନ ଯୋଗୁ ଏପରି ହେଇଥାଏ ଏବଂ ସେମାନେ ଅତ୍ୟଧିକ ମସ୍ତିଷ୍କର କାର୍ଯ୍ୟ ଯୋଗୁଁ ନିଦରୁ ଉଠିଲା ବେଳେ ସତେଜ ଅନୁଭବ ନକରି ଥକିଗଲା ଭଳି ଅନୁଭବ କରନ୍ତି।

କ୍ରୋଧ ଓ ରାଗିଯାଇ ଅନ୍ୟଙ୍କ ଉପରେ ଚିତ୍କାର କରିବା ପରି ଲକ୍ଷଣ ମୁଖ୍ୟତଃ କିଶୋର ବୟସରେ ଏବଂ ପୁରୁଷମାନଙ୍କ ନିକଟରେ ଦେଖାଦେଇଥାଏ। ମହିଳା ମାନେ ବେଶି କରି ମାନସିକ ଅବସାଦଗ୍ରସ୍ତ ହେଇଥାନ୍ତି କିନ୍ତୁ ମାନସିକ ଅବସାଦଗ୍ରସ୍ତ ପୁରୁଷ ମାନଙ୍କ ଠାରେ ଆତ୍ମହତ୍ୟା କରିବାର ପ୍ରବଣତା ବେଶି ଦେଖାଦେଇଥାଏ।

ଦୀପିକା ତାଙ୍କ ନିଜର ଏକାନ୍ତ ଭାବେ ବ୍ୟକ୍ତିଗତ ଅଭିଜ୍ଞତାକୁ ସାରା ଦୁନିଆ ଆଗରେ ଖୋଲି ରଖିବା ଏକ ଅତ୍ୟନ୍ତ ସାହସିକ ପଦକ୍ଷେପ ଥିଲା। ଏମିତି ଅନେକ ଦିନ ଥିଲା ଯେବେ ସେ ଶୁଟିଂର ବ୍ରେକ ସମୟରେ ତାଙ୍କ ଭାନିଟି ଭ୍ୟାନରେ ବସି କାନ୍ଦୁଥିଲେ। ସେ ଘରୁ ବାହାରକୁ ବାହାରିବାକୁ ଇଛା କରୁନଥିଲେ କିନ୍ତୁ ସାମାଜିକ ଜୀବନ ଓ କାମର କର୍ତ୍ତବ୍ୟକୁ ସେ ଅବହେଳା କରୁନଥିଲେ। ଯଥାଶୀଘ୍ର ସାହାଯ୍ୟ ନେଇଥିବାରୁ ସେ ଶୀଘ୍ର ପୁଣି ତାଙ୍କ ସାଧାରଣ ଜୀବନକୁ ଫେରିପାରିଲେ। ସେ ନିଜର ସଂଘର୍ଷ ବିଷୟରେ ଲୋକଙ୍କୁ ଜଣାଇ ଓ ଏହି ଫାଉଣ୍ଡେସନର କାମ ଜରିଆରେ ସମାନ ପରିସ୍ଥିତିରେ ଥିବା ଲୋକଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଆନ୍ନା କୁହନ୍ତି।

Live Love Laugh Foundation କିପରି ସାହାଯ୍ୟ କରେ?

ନିକଟ ଅତୀତରେ ଏହି ଫାଉଣ୍ଡେସନ IMA (Indian Medical Association) ଓ HCFI (Heart Care Foundation of India)ର ସହଭାଗୀତାରେ More Than Just Sad ନାମକ ଏକ ୱେବିନାର ଆୟୋଜନ କରିଥିଲା। ଏକ ବିଲିଅନରୁ ଅଧିକ ଲୋକସଂଖ୍ୟାର ଦେଶରେ ୫୦୦୦ ରୁ କମ ମାନସିକ ରୋଗ ବିଶେଷଜ୍ଞ ଅଛନ୍ତି। ଆହୁରି ମଧ୍ୟ ସାଧାରଣତଃ ଲୋକେ ଡିପ୍ରେସନର ଲକ୍ଷଣକୁ ଅଣଦେଖା କରି ତା’ ସହ ସମ୍ବନ୍ଧିତ ଅନ୍ୟାନ୍ୟ ଶାରୀରିକ ଲକ୍ଷଣର ଚିକିତ୍ସା ପାଇଁ ସାଧାରଣ ଡାକ୍ତରଙ୍କ ସେବା ଲୋଡିଥାନ୍ତି। ତେଣୁ ଡାକ୍ତର ମାନଙ୍କ ଉପରେ ଭାର ପଡିଥାଏ ପ୍ରକୃତ ବ୍ୟାଧିର ନିଦାନ କରି ବ୍ୟକ୍ତିକୁ ଉପଯୁକ୍ତ ସାହାଯ୍ୟ ଓ ଚିକିତ୍ସା ଉପଲବ୍ଧ କରାଇବାର। ଆଗାମୀ କିଛି ବର୍ଷ ମଧ୍ୟରେ ଫାଉଣ୍ଡେସନ ଦେଶରେ ଥିବା ସାଧାରଣ ଡାକ୍ତରଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଡିପ୍ରେସନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା ସହ ଏହାର ଲକ୍ଷଣ, ନିଦାନ, ଚିକିତ୍ସା ସହ ନିରାକରଣ ବିଷୟରେ ତଥ୍ୟ ଦିଆଯିବ।

ଏହି ବର୍ଷର ପ୍ରାରମ୍ଭରେ ଫାଉଣ୍ଡେସନ You Are Not Alone ନାମକ ଏକ କ୍ୟାମ୍ପେନ ଆରମ୍ଭ କରିଥିଲା। ଏହି କ୍ୟାମ୍ପେନରେ ହାଇସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ଚିନ୍ତା, ଚାପ ଓ ଡିପ୍ରେସନ ସମ୍ବନ୍ଧରେ ତଥ୍ୟ ଦିଆଯାଇ ସଚେତନ କରାଯାଇଥିଲା। କିଶୋର ବୟସରେ ଡିପ୍ରେସନ ବେଶି ହେଇପାରେ ଏବଂ ଶିକ୍ଷକ ବର୍ଗଙ୍କର ଏହାକୁ ଚିହ୍ନିବାରେ ଓ ଉପଯୁକ୍ତ ସାହାଯ୍ୟ ଯୋଗାଇଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫାଉଣ୍ଡେସନ ବର୍ଷ ଶେଷ ସୁଦ୍ଧା ୫୦୦ଟି ସ୍କୁଲ ରେ ଏହି କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖିଛି। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଅଲଗା ଅଧିବେଶନ ରହିଛି। 

ୱେବସାଇଟ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags