EDITIONS
Odia

ଶିଳ୍ପୀ କେସୁ ଦାସ: କଳାକାରରୁ କଳାର ଉଦ୍ଧାର ପାଇଁ ବ୍ରତୀ

26th Apr 2016
Add to
Shares
0
Comments
Share This
Add to
Shares
0
Comments
Share
image


ଓଡ଼ିଶାରେ ଯଦି କିଛି ଚିତ୍ରକରଙ୍କୁ ନେଇ କାହାଣୀ ଲେଖିବା ଆରମ୍ଭ କରାଯିବ ତେବେ ସେମାନଙ୍କ ଭିତରେ ଅଗ୍ରଣୀ ସ୍ଥାନରେ ରହିବେ କେସୁ ଦାସ । ଘର ବାଲେଶ୍ୱର ଜିଲ୍ଲାରେ । ସେ ବାଲେଶ୍ୱରୀ ଜଉ କଣ୍ଢେଇ ପରମ୍ପରାର ପୁନରୁଦ୍ଧାର ଦିଗରେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଓଡ଼ିଆ ଭାଷା ଓ ଓଡ଼ିଶାକୁ ବହୁତ ଭଲ ପାଉଥିବା କେସୁ ଦାସ ସବୁ ବେଳେ ଚିତ୍ର ମାଧ୍ୟମରେ ସମାଜକୁ ବାର୍ତ୍ତା ଦେବାକୁ ଚାହାନ୍ତି । ସେ କେବଳ ଜଣେ ଚିତ୍ରକର ନୁହନ୍ତି, ଏକାଧାରରେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ, ସ୍ୱେଚ୍ଛାସେବୀ ଓ ବିପ୍ଳବୀ । ସମାଜରେ ବିଭିନ୍ନ କୁସଂସ୍କାରରେ ପରିବର୍ତ୍ତନ ଆଣିବା ଦିଗରେ ମଧ୍ୟ ସେ କାମ କରିଛନ୍ତି ।

image


ନିକଟରେ ଏକ ଟେଲିଭିଜନ୍ ସାକ୍ଷାତକାରରେ କେସୁ କହିଥିଲେ ଯେ 

ସାରା ବିଶ୍ୱରେ ଯେତେ ପ୍ରକାର ଲିପି ରହିଛି, ସେ ସବୁ ମଧ୍ୟରେ ସୁନ୍ଦର ହେଉଛି ଓଡ଼ିଆ ଲିିପି । ଏହାର ଶୈଳୀ ବିଶ୍ୱର ଯେ କୌଣସି ଲୋକକୁ ନିଜ ପ୍ରେମରେ ପକାଇ ଦେଇପାରିବ। 

ଓଡ଼ିଆ ଲିପିକୁ ବହୁ ଭଲ ପାଉଥିବା ଏହି ଚିତ୍ରକର ଜଣକ ନିଜ ଚିତ୍ରକଳାରେ ଓଡ଼ିଆକୁ ସବୁ ବେଳେ ବ୍ୟବହାର କରିବାକୁ ପ୍ରୟାସ କରନ୍ତି । ତାଙ୍କୁ ଓଡ଼ିଆ ଅକ୍ଷରର ପୂଜକ କହିଲେ କିଛି ଭୁଲ ହେବ ନାହିଁ ।

ବାଲେଶ୍ୱର ଜିଲ୍ଲାର ସମୁଦ୍ରକୂଳ ଗାଁ ଦୁବଳଗାଡ଼ିରେ ତାଙ୍କର ଜନ୍ମ ୧୯୬୫ ମସିହାରେ ହୋଇଥିଲା । ତାଙ୍କ ବାପାଙ୍କ ନାମ ରାମକୃଷ୍ଣ ଦାସ ଓ ମା’ଙ୍କ ନାମ ସୁଶିଳା ଦାସ । ବସ୍ତା ଥାନା ଅଧୀନରେ ଆସୁଥିବା ଏହି ଗାଁରେ ଜନ୍ମ ଗ୍ରହଣ କରିଥିବା କେସୁ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭାରତୀୟ ଚିତ୍ରକଳା ଉପରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ଏହା ପରେ ସେ ଉତ୍ତର ପ୍ରଦେଶର ବାରାଣାସୀରୁ ଚିତ୍ରକଳାରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି ।

ପତଳା ଶରୀର, ଲମ୍ବା କେଶ ଓ ଦାଢ଼ି ରଖିଥିବା ଏହି ଚିତ୍ରକର ଜଣକ ଆଜି ବାଲେଶ୍ୱରର ଘରେ ଘରେ ପରିଚିତ । ବାଲେଶ୍ୱରର ଲୁପ୍ତ ହୋଇଯାଉଥିବା ବାଲେଶ୍ୱରୀ-ଜଉ କଣ୍ଢେଇକୁ ସେ ପୁନର୍ଜନ୍ମ ଦେଇଛନ୍ତି । ଦୀର୍ଘ ୩୦ ବର୍ଷ ହେଲାଣି, ସେ ଶିଶୁ କଳା, କାର୍ଟୁନ, ଆଦିବାସୀ କଳା, ବାଲୁକା କଳା ଓ ବାଲେଶ୍ୱରୀ ପାରମ୍ପରିକ କଳାର ପ୍ରଚାର ଓ ପ୍ରସାର ପାଇଁ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି । ଆର୍ଥିକ ଅସୁବିଧା ଥିବା ସତ୍ୱେ ନିଜ ଲକ୍ଷ୍ୟ ପଥରୁ ସେ କେବେ ପଛକୁ ଫେରି ଚାହିଁ ନାହାନ୍ତି । ସେ ପ୍ରଥମ ବ୍ୟକ୍ତି ଯିଏ ଇନଷ୍ଟଲେସନ୍ ଆର୍ଟ, ପରଫରମିଂ ଭିଜୁଆଲ୍ ଆର୍ଟ, ପବ୍ଲି୍କ୍ ଆର୍ଟ ଓ ଥ୍ରିଡି ଆର୍ଟ ଆରମ୍ଭ କରିଥିଲେ ।

ଜଉ କଣ୍ଢେଇର ପୁନରୁଦ୍ଧାର

image


ଯଉ କଣ୍ଢେଇର ପୁନରୁଦ୍ଧାର କରିବା ପାଇଁ ସେ ଅନେକ ମହିଳାଙ୍କୁ ଏହାକୁ ନିର୍ମାଣ କରିବାର ତାଲିମ ପ୍ରଦାନ କରିଥିଲେ । ଏହାକୁ ଲୋକମାନଙ୍କ ଜୀବନର ଏକ ଅଂଗ ଭାବେ ପରିଣତ କରିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରିଥିଲେ । କାହାଣୀଗୁଡ଼ିକରେ ତାହାକୁ ସ୍ଥାନ ଦେବାଠାରୁ ଆରମ୍ଭ କରି ଜଉ କଣ୍ଢେଇକୁ ଲକ୍ଷ୍ମୀ ନାରାୟଣ ଭାବେ ସାବିତ୍ରୀ ବ୍ରତରେ ପୂଜା କରିବା ଭଳି କାମ ତାଙ୍କ ଉଦ୍ୟମରେ ହୋଇଥିଲା । ସେ ଜଉ-କଣ୍ଢେଇ ବାହାଘର କରିବା ଆରମ୍ଭ କରିଥିଲେ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ବାଲେଶ୍ୱର ସଂସ୍କୃତିର ଏକ ପରିଚୟ ଭାବେ ଉଭା ହୋଇଥିଲା ।

ନବ ମାତୃକା ପୂଜା

ଦୁର୍ଗାପୂଜା ସମୟରେ ହେଉଥିବା ଅପସଂସ୍କୃତିକୁ ସହିପାରି ନ ଥିଲେ ଶ୍ରୀ ଦାସ । ନବରାତ୍ରଠାରୁ ଆରମ୍ଭ କରି ଦୁର୍ଗାପୂଜା ପର୍ଯ୍ୟନ୍ତ ସେ ବିଭିନ୍ନ ସମ୍ମାନଜନକ ମହିଳାଙ୍କ ପୂଜା କରିବା ଆରମ୍ଭ କରିଥିଲେ । ଏହା ନବମାତୃକା ପୂଜା ନାମରେ ପରିଚିତ ହୋଇଥିଲା । ଏହା ଏତେ ପ୍ରଭାବଶାଳୀ ଥିଲା ଯେ ଲୋକମାନେ ଏହାକୁ ଅନୁସରଣ କରିବା ଆରମ୍ଭ କରିଥିଲେ । ମହିଳା ସଶକ୍ତିକରଣ ପ୍ରତି ତାଙ୍କର ଏଭଳି ଅବଦାନ ରହିଛି ।

ବାଲିରେ ନୈବେଦ୍ୟ

ବାଳୁକା କଳା ପାଇଁ ଓଡ଼ିଶା ବିଶ୍ୱ ସ୍ତରରେ ପ୍ରସିଦ୍ଧ । ବାଲେଶ୍ୱରରେ ବାଲୁକା କଳାର ପ୍ରସାର କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ସେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏହି କଳାର ପ୍ରଚାର କରିବା ପାଇଁ ସେ ବାଲେଶ୍ୱର ସହର ମଝିରେ ଖୋଲିଛନ୍ତି ସ୍ୟାଣ୍ଡ୍ ପାର୍କ । ପ୍ରତିବର୍ଷ ରଥଯାତ୍ରା ସମୟରେ ସେ ଜଗନ୍ନାଥଙ୍କ ଦଶ ଅବତାର ବାଲୁକା କଳା ପ୍ରସ୍ତୁତ କରନ୍ତି । ସେହି ୯ ଦିନିଆ କାର୍ଯ୍ୟକ୍ରମର ନାମ ରଖାଯାଇଛି ବାଲିରେ ନୈବେଦ୍ୟ ।

ଝୋଟି-ଚିତା

ଓଡ଼ିଶାର ଘରେ ଘରେ ପରିଚିତ ଥିବା ଝୁଟି-ଚିତା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ମାଣବସା ଗୁରୁବାର ଦିନ ପ୍ରତି ଘରେ ଏହି ଝୁଟି ପଡ଼େ । କିନ୍ତୁ ଘର କୋଠା ହୋଇଯିବା ପରେ ଓ ସହରୀକରଣ ବଢ଼ିବା ଯୋଗୁଁ ଏହା ଏତେ ପରିମାଣରେ ଆଉ ଦେଖିବାକୁ ମିଳୁନାହିିଁ । ଝୁଟିର ପୁନରୁଦ୍ଧାର କରିବା ପାଇଁ ସେ ଉଦ୍ୟମ କରୁଛନ୍ତି । ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଥିବା ବଡ଼ ବଡ଼ ଉତ୍ସବରେ ସେ ଏହି କଳାକୁ ପ୍ରଦର୍ଶନ କରୁଛନ୍ତି ।

ଆଦିବାସୀ ଚିତ୍ରକଳା

image


ଆଦିବାସୀମାନଙ୍କ କାନ୍ଥରେ ପ୍ରସ୍ତୁତ କରାଯାଉଥିବା ଚିତ୍ରକଳାକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କେସୁ ଦାସ । ୨୦୦୭ରେ ସେ ଘରେ ଘରେ ଏହି କଳାକୁ ପରିଚିତ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କର ଏହି ଉଦ୍ୟମ ଭୁବନେଶ୍ୱର ମୁନିସପାଲିଟି କର୍ପୋରେସନ୍ ନଜରରେ ପଡ଼ିଥିଲା । ତାଙ୍କୁ ଭୁବନେଶ୍ୱରର ପ୍ରମୁଖ କାନ୍ଥଗୁଡ଼ିକୁ ଆଦିବାସୀ କଳାରେ ଭରିଦେବାର ବରାଦ ମିଳିଥିଲା । ସର୍ବଶିକ୍ଷା ଅଭିଯାନ ଜରିଆରେ ସେ ସ୍କୁଲଗୁଡ଼ିକରେ ମଧ୍ୟ ଆଦିବାସୀ କଳା ଅଙ୍କନ କରୁଛନ୍ତି । 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags