EDITIONS
Odia

ଉଦ୍ୟୋଗୀପଣ ଦୁଇ ବର୍ଷରେ ମୋ ଜୀବନ ବଦଳେଇଦେଲା

7th Dec 2015
Add to
Shares
0
Comments
Share This
Add to
Shares
0
Comments
Share

ଗୋଟେ ନୂଆ ଅନୁଷ୍ଠାନ(Startup) ମାଧ୍ୟମରେ ଠିକ ଦୁଇ ବର୍ଷ ତଳେ ମୁଁ ଧନୀ ହେବାର ସ୍ଵପ୍ନ ଦେଖିଥିଲି । ଆମର ଧଇଁଆ ଉତ୍ପାଦକୁ ନେଇ ଆମେ ଗ୍ରାହକ ଯୋଗାଡ଼ରେ ମାତିଥିଲୁ । ମୋ ବେପାର ମାନ୍ଦା ଧରିଲା, ଏଣୁ ମୁଁ ପୁଣି ନୂଆ ବେପାରରେ ହାତ ଦେଲି ।

image


ଉଦ୍ୟୋଗୀପଣର ଏକ ନୂଆ ପୃଥିବୀ ମୋ ସାମନରେ ଉଭା ହେଲା । ମୋର ସହ-ସଂସ୍ଥାପକ ଓ ପ୍ରେରଣାଦାତାଙ୍କ ଠାରୁ ମୁଁ ବହୁ ବଡ଼ କଥା ଶିଖିଲି । ଆମେ ଜାଣିଶୁଣି କୌଣସି ବାହ୍ୟ ପୁଞ୍ଜି ଲଗାଣ ଆଣିବାକୁ ମନା କରିଦେଲୁ । ଅଧିକ ଟଙ୍କା ଯୋଗାଡ଼ ଆଶାରେ ମୁଁ ଜଣେ ମୁକ୍ତବୃତ୍ତି କର୍ମଚାରୀ ଭାବରେ ଅନ୍ୟ ସଂସ୍ଥା ପାଇଁ କାମ କଲି ।

ସମୟ କ୍ରମେ ଏ ଉଦ୍ୟୋଗୀପଣ ମୋ ଜୀବନଶୈଳୀ ବଦଳେଇ ଦେଲା ।

ବିଫଳତା ଜୀବନର ଗୋଟେ ଅଂଶ (ମୋ ଷ୍ଟାର୍ଟଅପ୍ ବିଫଳତାକୁ ମୁଁ ମୋ ନିଜ ବିଫଳତା ବୋଲି ଭାବେନି)

ଯେଯାଏଁ ତମେ ବିଫଳତାରୁ ଶିଖୁଛ ଓ ଅଧିକ ଉନ୍ନତି କରୁଛ, ସେ ଯାଏଁ ବିଫଳତା କିଛି ଖରାପ କଥା ନୁହେଁ । ମୋ ପ୍ରଥମ ଷ୍ଟାର୍ଟଅପରେ ଅର୍ଥ ଓ ସମୟ ବରବାଦ ହେବା ସତ୍ତ୍ୱେ ମୁଁ ତାକୁ ଛାଡ଼ି ନଥିଲି । ମୁଁ ଆଉ ଏକ ଷ୍ଟାର୍ଟଅପରେ ସହ-ସଂସ୍ଥାପକ ଭାବେ ଯୋଗଦେଲି । ଉତ୍ପାଦ ପ୍ରସ୍ତୁତ ଥିଲା, ମୁଁ ମାର୍କେଟିଂ ଦାୟିତ୍ୱ ନେଲି । କିଛି ମାସରେ ଆମେ ପୁଞ୍ଜିଦାତାଙ୍କ ଦୃଷ୍ଟି ଆକର୍ଷଣ କଲୁ ।

ଆମର ଭଲ ପରାମର୍ଶଦାତା ଥିଲେ ଓ ପୁଞ୍ଜିଦାତାଙ୍କ ପାଖରେ ପହଞ୍ଚିବାର ରାସ୍ତା ଆମ ପାଇଁ ସହଜ ଥିଲା । ଆମର ଉତ୍ପାଦ ଓ କର୍ମଚାରୀଙ୍କୁ ନେଇ ପୁଞ୍ଜିଦାତାମାନେ ପ୍ରଭାବିତ ହୋଇଥିଲେ । ତଥାପି ଆମେ ଅର୍ଥ ଠୁଳରେ ବିଫଳ ହେଲୁ । କାହିଁକି? କାରଣ ପୁଞ୍ଜିଲଗାଣକାରୀମାନେ ଆମ ଉତ୍ପାଦକୁ ଯେଭଳି ବଦଳେଇବା ଲାଗି ପରାମର୍ଶ ଦେଉଥିଲେ, ଆମେ ତା ସହ ଏକମତ ନଥିଲୁ ।

ପୁଞ୍ଜିଦାତାମାନେ ତାଙ୍କ ହିସାବରେ ଠିକ ଥିଲେ, କାରଣ ସେମାନେ ଟଙ୍କା ଦେଉଛନ୍ତି ନା । ଆମେ ବି ଠିକ ଥିଲୁ, କାରଣ ଏହା ଆମର ଉତ୍ପାଦ । ତେଣୁ ବ୍ୟବସାୟିକ ସମ୍ପର୍କ ସ୍ଥାପନ ବିଫଳ ହେଲା ।

ଠିକ ଅଛି, ଦୁଃଖ ନାହିଁ । ଆମର ଉତ୍ସାହ ତଥାପି ଆକାଶରେ ଉଡ଼ୁଥିଲା । ଆମ ଦୃଷ୍ଟିରେ, ଆମ ଷ୍ଟାର୍ଟଅପ୍ ସଫଳ, କିନ୍ତୁ ବାକ ପୃଥିବୀ ଲାଗି ଏହା ବିଫଳ । ଆମେ ଅନୁଭବ କରି ସାରିଥିଲୁ, ଆମେ ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତନ ଆଣିବାକୁ ଯାଉଛେ, ତାହା କଳନା କରି ହେବନି । ଛାତ୍ରଛାତ୍ରୀଙ୍କୁ ମାର୍କ ଆଉ ରାଙ୍କ ବିକ୍ରି କରୁଥିବା ବହୁ କମ୍ପାନିଙ୍କ ଭିଡ଼ ଭିତରେ ଆମେ ହଜିଯିବାକୁ ଚାହୁନଥିଲୁ । ତେଣୁ ଆମେ ଆଗେଇଲୁ ।

ଉଦ୍ୟୋଗୀପଣ ଓ ଅର୍ଥ

ଉଦ୍ୟୋଗୀପଣ ବଞ୍ଚିବାର ଗୋଟେ ତରିକା । ଆପଣ ଉଦ୍ୟୋଗୀ ହୋଇପାରନ୍ତି, କର୍ମଚାରୀ ବି । ଆପଣ ନିଜର ନିୟମ ନିର୍ଧାରଣ କରିବେ ନହେଲେ ନିଯୁକ୍ତିଦାତାର ନିୟମ ମାନି ଚାଲିବେ । ଯଦି ଆପଣ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା, ଅଥଚ ପୁଞ୍ଜିଦାତାଙ୍କ ନିୟମରେ ଚାଲିବେ, ତେବେ ଉଦ୍ୟୋଗୀପଣର ଉନ୍ମାଦନା ଆପଣ ହରାଇବେ । ମାସିକ ଦରମା ହରେଇବା ଭୟରେ ଅନିଚ୍ଛାସତ୍ତ୍ୱେ କାମ କରୁଥିବା ଜଣେ କର୍ମଚାରୀ ଆଉ ଆପଣଙ୍କ ଭିତରେ କିଛି ବି ଫରକ ରହିବନି ।

ନିଜ ସ୍ଵପ୍ନର କମ୍ପାନି ଆରମ୍ଭ କରିବାର ଉଦ୍ଦେଶ୍ୟ ଠାରୁ ଯଦି ଅର୍ଥ ଅଧିକ ଗୁରୁତ୍ୱପୂର୍ଣ, ତେବେ ଆପଣ ଏବେ ବି ସେ ମୂଷାଦୌଡ଼ରେ ରହିଯାଇଛନ୍ତି । କର୍ପୋରେଟ୍ ଚାକିରିରେ ପଦୋନ୍ନତି ଓ ବାର୍ଷିକ ବେତନ ବୃଦ୍ଧି ପାଇଁ ଦୌଡ଼ ଲାଗିଥାଏ । ଷ୍ଟାର୍ଟଅପରେ ପୁଞ୍ଜି-ଆନୟନ ଲାଗି ପ୍ରତିଯୋଗିତା ଚାଲିଥାଏ । ତେବେ ତାଙ୍କ ଜୀବନ ଆଉ ଆପଣଙ୍କ ଜୀବନରେ ଫରକ କ’ଣ?

ଜୀବନ ଓ ବ୍ୟବସାୟରେ ଅର୍ଥ ଏକ ଆବଶ୍ୟକୀୟ ଉପାଦାନ । କିନ୍ତୁ ଆପଣଙ୍କୁ ସେ ଦୌଡ଼ରୁ ବାହାରକୁ ଆସିବାକୁ ହେବ । ମୂଷା ପ୍ରତିଯୋଗିତାରେ ପ୍ରଥମ ହେଲେ ବି ସେଇ ମୂଷା ହୋଇ ରହିଯାଏ ।

ମୁଁ ସେଭଳି ଦୌଡ଼ର ଅଂଶ ନହେବାକୁ ନିଷ୍ପତ୍ତି ନେଲି । ଏବେ ବି ମୁଁ ଷ୍ଟାର୍ଟଅପ୍ ସହ କାମ କରୁଛି ଓ ଜୀବନକୁ ଉପଭୋଗ କରୁଛି ।

ଦେବାର ପରମ୍ପରାକୁ ଆପଣେଇବା

“କିଛି ପ୍ରତ୍ୟାଶା ନକରି ଆପଣ ପୃଥିବୀକୁ ଦେଇଚାଲନ୍ତୁ । ସାରା ବିଶ୍ୱ ଆପଣଙ୍କ କଥା ବୁଝିବ ।” ଏ କଥା ମୁଁ ମୋ ପରାମର୍ଶଦାତାମାନଙ୍କ ଠାରୁ ଶିଖିଛି ।

ଅରବିନ୍ଦ ଆଇକେୟାର ଓ ସର୍ଭିସ୍ ସ୍ପେସ୍ ଭଳି ଅନୁଷ୍ଠାନ ଅଛନ୍ତି ଯେଉଁମାନେ କିଛି ପ୍ରତ୍ୟାଶା ନ ରଖି ସେବା କରିବାର ସାମର୍ଥ୍ୟ ରଖିଛନ୍ତି ।

ମୁଁ ଏ କ୍ଷେତ୍ରରେ ସାମାନ୍ୟ ପଦପାତ କରିଛି ଓ ଦେବାର ପରମ୍ପରାକୁ କେଳେଇ ନେଇଛି । ମୁଁ projectunkarma.in ସହ ଜଡ଼ିତ ଯେଉଁଠି ଯେ କୌଣସି ପ୍ରକଳ୍ପ ପାଇଁ ଆମେ ଆଧାର ଆଲେଖ ଦେଉଛୁ । ଆମେ କୌଣସି ମୂଲ୍ୟ ରଖୁନାହୁଁ, ଯେଉଁ ଅର୍ଥ ମିଳୁଛି ସେତିକିରେ ସନ୍ତୁଷ୍ଟ ହେବାକୁ ନିଷ୍ପତ୍ତି ନେଇଛୁ ।

ସ୍ୱାସ୍ଥ୍ୟକର ଖାଦ୍ୟ, ନିଦ୍ରା ଓ ଧ୍ୟାନ

ମୋ ଜୀବନରେ ମୁଁ ନିଦ୍ରା ଆଉ ଖାଦ୍ୟକୁ ଏତେଟା ଗୁରୁତ୍ୱ ଦେଇନଥିଲି । । କିନ୍ତୁ ମୁଁ ବହୁତ ଖାଏ, ଦୀର୍ଘ ସମୟ ଶୋଇବାକୁ ବି ଭଲପାଏ ଏବଂ କେବେ କେବେ ଧ୍ୟାନ ବି କରିଥାଏ ।

ଏବେ ବି ମୁଁ ଏସବୁ କରେ, ତେବେ ସଚେତନ ଭାବରେ । ମୁଁ ଯେଉଁ ଲୋକମାନଙ୍କ ସହ ମିଳାମିଶା କରୁଛି, ସେମାନେ ଖାଦ୍ୟ ଓ ଜୀବନଶୈଳୀକୁ ଗୁରୁତ୍ୱ ଦିଅନ୍ତି । ମୁଁ ଦେଖୁଛି, ଲୋକେ ଏବେ ଫାଷ୍ଟଫୁଡ, ମିଠା ଜାତୀୟ ଓ ପ୍ୟାକେଜ୍ଡ ଫୁଡ୍ ଖାଇବାକୁ ନାପସନ୍ଦ କଲେଣି । ଲୋକେ ଜୈବିକ ଖାଦ୍ୟ, ମହୁ ଭଳି ପ୍ରାକୃତିକ ମିଠା ଓ ତଟକା ଖାଦ୍ୟ ପ୍ରତି ବେଶି ଆଗ୍ରହ ଦେଖାଇଲେଣି ।

ମୁଁ ଆଗରୁ କେବେ ସକାଳୁ ଉଠୁ ନଥିଲି । କିନ୍ତ ଉଦ୍ୟୋଗୀପଣ ମୋ ଜୀବନ ବଦଳେଇଦେଲା । ଏବେ ମୁଁ ରାତି ୯ରେ ଶୋଉଛି, ସକାଳୁ ଶୀଘ୍ର ଉଠୁଛି, ଯେମିତିକି ମୁଁ ଆଠ ଘଣ୍ଟା ଶୋଇପାରିବି । ମୁଁ ଯଦିଓ ନିୟମିତ ଧ୍ୟାନ କରିପାରୁନି, କିନ୍ତୁ ଚାଲୁଛି । ଠିକରେ ଭେଜନ, ଶୟନ ଓ ଧ୍ୟାନ କଲେ ଆପଣ ସୁସ୍ଥ ଓ କର୍ମଠ ରହିବେ ।

ପୁଅକୁ ସ୍କୁଲ ପଠେଇଲିନି

ପାରମ୍ପରିକ ବିଦ୍ୟାଳୟକୁ ପିଲାଙ୍କୁ ପଠାଉନଥିବା ଅଭିଭାବକଙ୍କୁ ଭେଟିବା ପରେ ମୋ ଧାରଣା ବଦଳିଗଲା । ମୁଁ ସ୍ଵପ୍ନ ଦେଖିଲି, ପିଲାମାନେ କେମିତି ସ୍କୁଲ, ବହିର ବୋଝ ଓ ପରୀକ୍ଷାରୁ ରକ୍ଷା ପାଇବେ । ଆମର ଉତ୍ତରଭାରତୀୟ ଅଭିଭାବକଙ୍କ ଅପେକ୍ଷା ବିଦ୍ୟାଳୟ-ରହିତ ଶିକ୍ଷାଦାନ ସହ ଦକ୍ଷିଣ ଭାରତୀୟରେ ଓ ବିଦେଶରେ ଲୋକମାନେ ଅଧିକ ସଚେତନ ।

‘ବିଦ୍ୟାଳୟ-ରହିତ ପଦ୍ଧିତି ଏପରି ଏକ ଶିକ୍ଷା ପଦ୍ଧତି ଓ ଦର୍ଶନ ଯେଉଁଠି ଶିକ୍ଷାର ମୂଳ ମନ୍ତ୍ର ହେଲା ପିଲାମାନେ ନିଜେ ନିଜର ପଢ଼ିବାର ଇଛା ବ୍ୟକ୍ତ କରିବେ ।’- ଉଇକିପିଡିଆ

ମୁଁ ମୋ ପୁଅକୁ ସ୍କୁଲ ପଠାଇବି ନାହିଁ ବୋଲି ସ୍ଥିର କରିନେଲି । ଚଣ୍ଡିଗଡ଼ର କୋ-ବେଦ ନାମରେ ଏକ ସ୍କୁଲ ସମ୍ପର୍କରେ ମୁଁ ଜାଣିଲି ଯେଉଁଠି ସଂହତ ଓ ବିଦ୍ୟାଳୟ-ରହିତ ଶିକ୍ଷାଦାନ କରାଯାଏ । ବିଦ୍ୟାଳୟ-ରହିତ ପଦ୍ଧତି ଆପଣେଇଥିବା ଅଭିଭାବକଙ୍କ ମଧ୍ୟରେ ମୁଁ ରହିଥିବାରୁ ବେଶ୍ ଆନନ୍ଦିତ ।

ରୋଜଗାର ପାଇଁ ୪୦ ପ୍ରତିଶତ ସମୟ, ନିଜକୁ ଆବିଷ୍କାର କରିବାକୁ ୬୦ ପ୍ରତିଶତ ସମୟ

image


ପ୍ରଥମ ଷ୍ଟାର୍ଟଅପରେ ବିଫଳ ହୋଇ ନଥିଲେ ଏ କଥା ମୁଁ ଶିଖି ନଥାନ୍ତି । ମୋ ପରାମର୍ଶଦାତା କହିଲେ, ‘ଅଧିକ ସମୟ ନିଜକୁ ଆବିଷ୍କାର କର, କମ ସମୟ ଅର୍ଥ ପଛରେ ଗୋଡ଼ାଅ ।’

ମୋ କ୍ଷେତ୍ରରେ ଏହା କାମଦେଲା । ମୋ କର୍ମସମୟର ୪୦ ପ୍ରତିଶତ ସମୟରେ ଯେମିତି ମୁଁ କାମ ସାରିପାରିବି ସେମିତି କାମ ବାଛି ବାଛି ନେଲି । ମୁଁ ବଞ୍ଚିବା ପାଇଁ ରୋଜଗାର କଲି । ବାକି ସମୟ ପଢ଼ିବା, ଲେଖିବା ଓ ଶିଖିବାରେ ବିତାଇଲି । ଏହା ମୋତେ ଆନନ୍ଦ ଦେଲା, ଓ ବେଳେବେଳେ ଏଥିପାଇଁ ମୁଁ ଖର୍ଚ ବି କଲି ।

ସ୍ଵଳ୍ପମିଆଦୀ ଅବସର

ଧନୀ ହୋଇ ମରିବା ଲାଗି ଟଙ୍କା ସଂଚୟର ଧାରାକୁ ମୁଁ ପସନ୍ଦ କରେନି । ନାଁ, ଆପଣଙ୍କୁ ଆର୍ଥିକ ଯୋଜନା କରିବାକୁ ହେବ ଓ ରୋଜଗାର ବନ୍ଦ ପରେ କିଭଳି ବଞ୍ଚିବେ ସେଥିଲାଗି ଚିନ୍ତା କରିବାକୁ ହେବ । ଏହାର ମାନେ ନୁହେଁ ଯେ ଆପଣ ସାରା ଜୀବନ ଯନ୍ତ୍ର ଭଳି ବଞ୍ଚିବେ । ସକାଳୁ ୯ରୁ ରାତି ୯ ଯାଏଁ ଖଟିଲେ, ତଥାପି ଜୀବନକୁ ଉପଭୋଗ କରିପାରୁନାହାନ୍ତି ।!

କଷ୍ଟଦାୟକ ଜୀବନ ବଞ୍ଚି ଅବସର ପାଇଁ ସଂଚୟ କରିବା, ନିଜର ଯୌନକାମନାକୁ ବୁଢ଼ା ବେଳ ଯାଏଁ ସାଇତି ରଖିବା ସହ ସମାନ ।’

ବରଂ ଆମେ ମଝିରେ ମଝିରେ ସ୍ଵଳ୍ପକାଳୀନ ଅବସର ନେବା ଉଚିତ । ପ୍ରତିବର୍ଷ କିଭଳି ସ୍ଵଳ୍ପ ସମୟ ପାଇଁ ଅବସର ନେବେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ । ଅବସର ଅର୍ଥ ନୁହେଁ ଯେ ଆପଣ କାମ କରିବେନି । ବରଂ ଏ ସମୟରେ ଆପଣ ନିଜ ଇଛାରେ କାମ କରିବାର ସ୍ଵାଧୀନତା ରଖିବେ ।

ମୁଁ ଯେତେବେଳେ ଗୋଆରେ ମାସେ ଛୁଟି କାଟିବାକୁ ଗଲି, ସେଇଟା ଥିଲା ମୋର ପ୍ରଥମ ଅବସର । ମୁଁ ସେଠି ସମ୍ପୂର୍ଣ ଉପଭୋଗ କଲି ଏବଂ ସମୟ ପାଇଲେ କାମ ବି କଲି ।

ବଞ୍ଚିବାର ସଚେତନ ମାର୍ଗ

ମୋଟାମୋଟି ଏୟା ଶିଖିଲି, କେମିତି ସଚେତନ ଭାବେ ବଞ୍ଚିହୁଏ । ଗୋଟେ ଦାୟିତ୍ୱବୋଧର ମାନସିକତା ନେଇ ଜୀବନରେ ଆପଣଙ୍କୁ ସବୁ କରିବା ଉଚିତ । ଆପଣ ସ୍ଵସ୍ଥ ଖାଦ୍ୟ ଖାଆନ୍ତୁ ବା କମ ମଇଳା କରନ୍ତୁ ବା ଆଖପାଖର ଲୋକଙ୍କ କଥା ଭାବନ୍ତୁ; ଏସବୁ ଆପଣଙ୍କୁ କେହି ବତାଇଦେବେ ନାହିଁ । ସାମାନ୍ୟ ସଚେତନତା ଆପଣଙ୍କ ବ୍ୟକ୍ତିଗତ ଜୀବନ ଓ ବ୍ୟବସାୟରେ ଅଧିକ ସଚ୍ଚେଟତା ଭରିଦେବ। ଆପଣ ଆପଣଙ୍କ ଚାରିପାଖର ଲୋକଙ୍କୁ ଭଲପାଇବେ ଓ ପ୍ରତିବଦଳରେ ସେମାନେ ବି ଆପଣଙ୍କୁ ଭଲପାଇବେ।

ମୂଳ ଲେଖା - ପ୍ରଦୀପ ଗୋୟଲ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags