EDITIONS
Odia

ମୋଦୀଙ୍କର ରିପୋର୍ଟ କାର୍ଡ - କେତେ 'ଅଚ୍ଛେ ଦିନ' ଦେଖିଲା ଭାରତ?

ଲେଖନ୍ତି ଆଶୁତୋଷ, ସାମ୍ବାଦିକ ଓ AAP ନେତା

Team Odia
29th May 2016
Add to
Shares
0
Comments
Share This
Add to
Shares
0
Comments
Share

ମୁଁ ଗତ ୧୦ଦିନ ହେଲା ଦିଲ୍ଲୀରୁ ବାହାରେ ଥିଲି , ଗତକାଲି ଅପରାହ୍ନରେ ଫେରିଲି। ଆଜି ସକାଳେ ଖବରକାଗଜଗୁଡ଼ିକ ଖେଳାଇ ଜାଣିଲି ଯେ ଆଜି ମୋଦୀଙ୍କର ପ୍ରଧାନମନ୍ତ୍ରୀ ଭାବେ ଦୁଇବର୍ଷ ପୂରିଲା। ସମୟ କେତେ ଶୀଘ୍ର ଚାଲିଯାଉଛି ! ୨୦୧୪ ସଂସଦୀୟ ନିର୍ବାଚନ କାଲିପରି ଲାଗୁଛି, ଯେମିତିକି ଅଳ୍ପ କିଛି ଦିନ ପୂର୍ବେ ହୋଇଥିଲା। ମୋତେ ପୁଣି ଆଉଥରେ ମୋଦୀଙ୍କର ବୃହଦାକାର ନିର୍ବାଚନୀ ହୋର୍ଡିଙ୍ଗ ଗୁଡ଼ିକ ଦେଖାଗଲା - 'ଅବକୀ ବାର ମୋଦୀ ସରକାର'। "ଅଚ୍ଛେ ଦିନ" ସହିତ ଯୁଗଳବନ୍ଦୀରେ ଏହାହିଁ ଥିଲା ମୋଦୀଙ୍କର ନିର୍ବାଚନ ଅଭିଯାନରେ ସବୁଠାରୁ ଅଧିକ ଦୃଶ୍ୟମାନ ଓ ସର୍ବଜନ ମୁଖରିତ ଟ୍ୟାଗଲାଇନ। ଆଜି ସକାଳେ ମୁଁ ପୁଣି ଆଉଥରେ ପ୍ରତି ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ଛପାଯାଇଥିବା 'ଅବକୀ ବାର'ର ସମ୍ମୁଖୀନ ହେଲି। ଏ ଏକ ବିରାଟ କ୍ୟାମ୍ପେନ; ଯେଉଁଥିରେକି ମୋଦୀଙ୍କ ନାମ ଏବଂ ଏଇ ସ୍ଲୋଗାନ "ମେରା ଦେଶ ବଦଲ ରହା ହୈ,ଆଗେ ବଢ଼ ରହା ହୈ" ର ପ୍ରଚାର ପାଇଁ ଅଜସ୍ର ଅର୍ଥ ବ୍ୟୟ ହେଲାପରି ଜଣାପଡ଼ୁଥିଲା; ଯାହା ପ୍ରମାଣ କରିବାକୁ ଚାହୁଁଛି ଯେ ଦେଶ ଦ୍ରୁତଗତିରେ ଅଗ୍ରଗତି କରିବାରେ ଲାଗିଛି ଏବଂ ଏହା କେବଳ ମୋଦୀଙ୍କ ପାଇଁ ସମ୍ଭବ ହୋଇଛି। ନିଜ ସଫଳତାର ପ୍ରଚାର କରିବାର ଅଧିକାର ପ୍ରତି ସରକାରର ଅଛି, ଏହାକୁ ନେଇ ମୁଁ କୌଣସି ବିବାଦ ଠିଆ କରିବାକୁ ଚାହେଁନି କିନ୍ତୁ ଜଣେ ସଚେତନ ନାଗରିକ ଭାବେ ମୋର ପ୍ରଶ୍ନ କରିବାର ଅଧିକାର ଅଛି - ସତରେ କ'ଣ ଦେଶ ବଦଳୁଛି?

image


ଚାଲନ୍ତୁ ଆମେ ଏକ ମୌଳିକ ପ୍ରଶ୍ନ ପଚାରିବା- ଆମେ ସାଧାରଣ ଲୋକେ ୨୦୧୪ ନିର୍ବାଚନରେ ମୋଦୀଙ୍କୁ କାହିଁକି ଏକ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହିତ ଭୋଟ ଦେଇ ଜିତାଇଥିଲେ? ତାହା ଏଇଥିପାଇଁ - ଦୁର୍ନୀତି ଦୂର କରିବା,ଏବଂ ନୀତିଗତ ନିଷ୍ପତ୍ତି କ୍ଷେତ୍ରରେ ସ୍ଥାଣୁତ୍ଵ ଦୂର କରି ଅର୍ଥନୀତିର ପୁନରୁତ୍ଥାନ କରିବା। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ତାଙ୍କ ସରକାର କଣ ପ୍ରକୃତରେ ଏ ଦିଗରେ ସଫଳତା ଆଣି ପାରିଛନ୍ତି? ମୁଁ ଜାଣେ ଯେ ଏବେ ଜୋରଦାର ମିଡ଼ିଆ କ୍ୟାମ୍ପେନ ହୋଇ ମୋଦୀଙ୍କୁ ଏକ ମହାନ ବିପ୍ଳବୀ ନେତାର ଆଖ୍ୟା ଦିଆଯିବ ଏବଂ ଉତ୍ସବମାନ ଅନୁଷ୍ଠିତ କରାଯାଇ କୁହାଯିବ ଯେ ମନମୋହନ ସିଂହଙ୍କ ଠାରୁ ଦାୟିତ୍ଵ ନେଲାପରେ ଦେଶ ବଦଳିଯାଇଛି। କିନ୍ତୁ ଏହା କ'ଣ ସତ୍ୟ?

ମନମୋହନ ସିଂହଙ୍କ ସରକାର ଇତିହାସର ପୃଷ୍ଠାରେ ଏକ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଚିତ୍ରିତ ହେବ। ଲୋକେ ଏକ ବ୍ୟାକୁଳତାର ସହିତ ଏକ ପରିବର୍ତ୍ତନ ଚାହିଁଥିଲେ ଏବଂ ମୋଦୀ ଏକ ସତେଜ ଖୋଲା ପବନ ପରି ଆସିଲେ। ଲୋକମାନେ ପ୍ରକୃତରେ ବିଶ୍ଵାସ କରିଥିଲେ ଯେ ସେ ଦୁର୍ନୀତି ଦୂର କରିବେ। ଦାୟିତ୍ଵ ନେଲାପରେ ସେ ଘୋଷଣା କରିଥିଲେ -"ନାଁ ମୁଁ ଦୁର୍ନୀତିରେ ଲିପ୍ତ ହେବି ବା ଅନ୍ୟ ମାନଙ୍କୁ ହେବା ପାଇଁ ଦେବି"। କିନ୍ତୁ ତାଙ୍କ ଦ୍ଵାରା ଗଠିତ କ୍ୟାବିନେଟ ଏହି ଆଶାକୁ ଭଙ୍ଗ କଲା। ସେ ଅଧା ଡଜନ ନେତାଙ୍କୁ କ୍ୟାବିନେଟ ପାହ୍ୟା ଦେଲେ ଯେଉଁମାନଙ୍କ ବିରୁଦ୍ଧରେ ସଙ୍ଗୀନ ଦୁର୍ନୀତି ଓ ଅପରାଧିକ ମାମଲାସବୁ ଥିଲା। ସେମାନଙ୍କର ନିଯୁକ୍ତି ସେମାନଙ୍କର ଅପରାଧ ସବୁକୁ ଯଥାର୍ଥ ବୋଲି ସିଦ୍ଧ କଲା ଏବଂ ମୋଦୀଙ୍କର ଦୁର୍ନୀତିକୁ ସହ୍ୟ ନ କରିବାର ଘୋଷଣାରେ ପ୍ରଥମ ଫାଟ ରୂପେ ଦେଖାଗଲା। ଲୋକମାନେ ମଧ୍ୟ ପଚାରୁଛନ୍ତି ଯେ ଯଦି ମୋଦୀ ଦୁର୍ନୀତି ପ୍ରତି ଏତେ ସଂବେଦନଶୀଳ ତାହାହେଲେ ଗତ ଦୁଇ ବର୍ଷ ମଧ୍ୟରେ ଲୋକପାଳ ନିଯୁକ୍ତି କଲେ ନାହିଁ କାହିଁକି? ଲୋକପାଳ ବିଲଟି ମନମୋହନ ସିଂହଙ୍କ ଶାସନ କାଳରେ ସଂସଦରେ ସ୍ଵୀକୃତି ଲାଭ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦିନର ଆଲୋକ ଦେଖି ପାରିନି। ମୋଦୀ ସରକାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ପ୍ରସଙ୍ଗକୁ ନେଇ ଗାନ୍ଧି-ନେହେରୁ ପରିବାରକୁ ଜୋରଦାର ଆକ୍ରମଣ କଲା କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ମୋଦୀ ସରକାର ଏହାର ଅନୁସନ୍ଧାନ କାହିଁକି କରିନାହାନ୍ତି? ଏହାର କୌଣସି ଉତ୍ତର ବିଜେପି ଦେଇ ପାରୁନି; ଯେତେବେଳେକି ଇଟାଲୀ ସରକାର ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ପ୍ରଦାନ କରିସାରିଲେଣି। ରବର୍ଟ ଭଦ୍ରାଙ୍କ ଉପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଯଦିଓ ବିଜେପି ପ୍ରତିଶୃତି ଦେଇଥିଲା ଯେ କ୍ଷମତାକୁ ଆସିଲେ ଏ ଦିଗରେ ପଦକ୍ଷେପ ନେବ। ବିଭିନ୍ନ ସର୍ଭେ ମଧ୍ୟ ଦର୍ଶାଉଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ଦୁର୍ନୀତିର ହାର ଆହୁରି ବଢ଼ିଛି।

ମୋଦୀ ସରକାର ପ୍ରଚାର କରିଚାଲିଛି ଯେ ଅର୍ଥନୈତିଳ ବିକାଶରେ ଭାରତ ଚୀନକୁ ପଛରେ ପକାଇ ସବୁଠାରୁ ଦ୍ରୁତତମ ବିକାଶମୁଖୀ ଅର୍ଥନୀତିରେ ପରିଣିତ ହୋଇଛି। କିନ୍ତୁ ବାସ୍ତବରେ ବ୍ୟବସାୟୀ ଓ ଉଦ୍ୟୋଗପତିମାନେ ଏ ପ୍ରକାର ଆସ୍ଥା ପ୍ରକଟ କରିପାରୁନାହାନ୍ତି। ପରିସଂଖ୍ୟାନ କିନ୍ତୁ ଭିନ୍ନ କଥା କହେ। ଖବରକାଗଜ ମାନଙ୍କ ରିପୋର୍ଟ ଅନୁସାରେ କୋର୍ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହ୍ରାସ ପାଇ ଦଶନ୍ଧିର ନିମ୍ନତମ ୨.୭ ଶତକଡ଼ାରେ ପହଞ୍ଚିଛି ୨୦୧୫-୧୬ ରେ ଯାହାକି ଗତ ଅର୍ଥନୈତିକ ବର୍ଷର ୪.୫ ହାରଠାରୁ ମଧ୍ୟ କମ। ଏବଂ ଏହା ହେଉଛି ସରକାରୀ ତଥ୍ୟ। ରପ୍ତାନୀ କମିଛି ଏବଂ ଟଙ୍କା ମଧ୍ୟ ଡଲାର ଓ ଅନ୍ୟାନ୍ୟ ବିଦେଶୀ ମୁଦ୍ରା ତୁଳନାରେ ଖୁବ ଦୁର୍ବଳ ହୋଇଛି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମସ୍ତ ଆନ୍ତରିକ ଓ ନିଷ୍ଠାପର ଉଦ୍ୟମ ସତ୍ତ୍ୱେ । ଭାରତ ଏବେ ବି ବିଦେଶୀ ନିବେଶକଙ୍କ ଲକ୍ଷ୍ୟସ୍ଥଳ ହୋଇପାରିନି। ସବୁଠାରୁ ବଡ଼ ପ୍ରତାରଣା ଘଟିଛି ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ। ୨୦୧୪ରେ ମୋଦୀ ଯୁବଗୋଷ୍ଠୀର ପ୍ରିୟତମ ନାୟକ ଭାବେ ଆବିର୍ଭୂତ ହୋଇଥିଲେ ; ସେ ତ ସେମାନଙ୍କୁ ଜହ୍ନ ଆଣିଦେବେ ବୋଲି ସ୍ଵପ୍ନ ଦେଖାଇଥିଲେ। କିନ୍ତୁ ଆମେ ଏ କ'ଣ ଦେଖୁଛୁ?- "ନିଯୁକ୍ତି ହାର ଗତ ଛଅ ବର୍ଷର ନୀଚତମ ସ୍ତର ଛୁଇଁଚି" ,"ଆଠଟି ଶ୍ରମଭିତ୍ତିକ ଶିଳ୍ପରେ ନୂତନ ନିଯୁକ୍ତି ୨୦୧୫ ର ପ୍ରଥମ ୯ ମାସରେ ସୃଷ୍ଟି ହୋଇଛି ମାତ୍ର ୧.୫୫ ଲକ୍ଷ ଯାହାକି ଗତ ଛଅ ବର୍ଷର ନିମ୍ନତମ ରେକର୍ଡ। ବିକାଶ ଓ ଅଭିବୃଦ୍ଧିର ସଂଜ୍ଞା ଓ ସରକାରୀ ପରିସଂଖ୍ୟାନ ଉପରେ ଉଠିଛି ଘୋର ସନ୍ଦେହ। ସର୍ବୋପରି କୌଣସି ଆଖିଦୃଶିଆ ସଂସ୍କାରର ଆରମ୍ଭ ହୋଇନି । ଜିଏସଟି ପ୍ରସଙ୍ଗ ଏବେ ଶୀତଳ ଭଣ୍ଡାରରେ, ଏ ସରକାରର ଅହଂକାର ପାଇଁ!

ମୋଦୀ ସହଯୋଗମୂଳକ ସଙ୍ଘୀୟ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି କିନ୍ତୁ ସେ ଅରୁଣାଚଳ, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ କ'ଣ କଲେ? ତାଙ୍କର କାର୍ଯ୍ୟକଳାପ ତ ଠିକ ଇନ୍ଦିରାଙ୍କ ପରି , ଯେ ବିରୋଧୀଙ୍କୁ ନିଷ୍ଠୁର ଭାବେ ଦମନ କରୁଥିଲେ। ବିଚାରବ୍ୟବସ୍ଥା ତ ଏତେ ଅସୁଖୀ ଯେ ମୁଖ୍ୟ ବିଚାରପତି ମୋଦୀଙ୍କ ଉପସ୍ଥିତିରେ କାନ୍ଦିପକାଇଲେ ଉଚ୍ଚ ଅଦାଲତରେ ଖାଲିପଡ଼ିଥିବା ପଦଗୁଡ଼ିକ ପୂରଣ କରିବାର ଅନୁରୋଧ ଜଣାଇ।

ମୋଦୀଙ୍କର ସମର୍ଥକମାନେ ତାଙ୍କର ବୈଦେଶିକ ବ୍ୟାପାର ସଂକ୍ରାନ୍ତ ପଦକ୍ଷେପକୁ ନେଇ ବା'ହାବା ନେଉଛନ୍ତି। ଏ କଥା ସତ ଯେ ସେ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ବିଦେଶଯାତ୍ରା କରିସାରିଲେଣି କିନ୍ତୁ ଏ ଦିଗରେ ବିଶେଷ କିଛି ସଫଳତା ମିଳିନାହିଁ। ଏତେ ପ୍ରଚାର ସତ୍ତ୍ୱେ ବିଦେଶୀ କମ୍ପାନୀମାନେ ଭାରତରେ ନିବେଶ କରିବା ପାଇଁ ବିଶେଷ ଆଗ୍ରହୀ ନୁହଁନ୍ତି। ନୱାଜ ସରିଫଙ୍କ ସହିତ ବ୍ୟକ୍ତିଗତ ସୁସମ୍ପର୍କ ଏବଂ ମୋଦୀଙ୍କର ଅଣରକ୍ଷଣଶୀଳ ପଦକ୍ଷେପ ସତ୍ତ୍ୱେ ପାକିସ୍ତାନ ସହିତ ସମ୍ପର୍କ ଆହୁରି ଖରାପ ହୋଇଛି। କାଶ୍ମୀର ଆହୁରି ଥରେ ବିସ୍ଫୋଟକ ହୋଇଛି ଏବଂ ସୀମାରେ ଉତ୍ତେଜନା ଲାଗି ରହିଛି। କାଶ୍ମୀର ଉପତ୍ୟକାରେ ଆଗ ଅପେକ୍ଷା ବେଶୀ ଆଇଏସ ପତାକା ଦେଖିବାକୁ ମିଳୁଛି। ପାକିସ୍ତାନ ଚୀନକୁ ଭାରତର ସୀମାରେ ରାସ୍ତା ନିର୍ମାଣ କରିବାକୁ ଅନୁମତି ଦେଇଛି ଏବଂ ସେମାନଙ୍କର ସମ୍ପର୍କରେ ବୃଦ୍ଧି ଘଟିଛି ଯାହା ଭାରତକୁ ହତୋତ୍ସାହିତ କରିଛି। ନେପାଳ ସହିତ ଭାରତର ସର୍ବଦା ସୁସମ୍ପର୍କ ଥିଲା କିନ୍ତୁ ଆଜି ନେପାଳ ଭାରତ ଉପରେ କ୍ରୁଦ୍ଧ। ମୋଦୀ ସରକାର ଅଯଥା ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଯାହା ଫଳରେ ନେପାଳର ସମସ୍ତ ସାମାଜିକ ବର୍ଗ ଭାରତ ବିରୁଦ୍ଧ ହେଲେ। ଶ୍ରୀଲଙ୍କା ମଧ୍ୟ ଚୀନ ସହିତ ବେଶୀ ଘନିଷ୍ଠ ହୋଇଛି ଯାହା ଭାରତର ମୁଣ୍ଡବଥା ବଢ଼ାଇଛି । ଚୀନକୁ ଭାରତର ପ୍ରତିଦ୍ଵନ୍ଦୀ ଭାବେ ଦେଖାଯାଉଛି। ମୋଦୀ ଚୀନର ତୁଙ୍ଗ ନେତା ଜିନପିଙ୍ଗଙ୍କୁ ଖୁସି କରିବାକୁ ବହୁତ ଚେଷ୍ଟା କଲେ କିନ୍ତୁ ଲାଭ କ'ଣ ହେଲା? ସେ ପାକିସ୍ତାନକୁ ଆଝାର ମାସୂଦ ମାମଲାରେ ସମର୍ଥନ ଜଣାଇ ଜାତିସଙ୍ଘରେ ତା'କୁ ସଂତ୍ରାସବାଦୀ ବୋଲି ଘୋଷଣା କରିବାକୁ ମନା କଲେ।ଆଜି ଆମର ପଡ଼ୋଶୀ ମାନଙ୍କ ସହିତ ସମ୍ପର୍କ ସବୁଠାରୁ ନିମ୍ନରେ।

କିନ୍ତୁ ମୋଦୀଙ୍କର ସାମ୍ପ୍ରଦାୟିକତା ସଦଭାବ ଉପରେ ନୀରବତା ତାଙ୍କର ସବୁଠାରୁ ବଡ଼ ଧୋକାବାଜି। ଆଜି ସଂଖ୍ୟାଲଘୁ ମାନେ ଆପାତତଃ ଭୟ ମଧ୍ୟରେ କାଳାତିପାତ କରୁଛନ୍ତି ଏବଂ .ସଂଖ୍ୟା ଗରିଷ୍ଠଙ୍କ ତୁଳନାରେ ଏକ ସମାନ ନାଗରିକ ଭାବେ ସେମାନଙ୍କର ସ୍ଥିତି ପ୍ରତି ଘୋର ଏକ ଆଶଙ୍କା ସେମାନଙ୍କ ମନରେ ଛାଇ ହୋଇଛି। ଆଖଲାକ ହତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କର ଦୀର୍ଘ ନିରବତା ଏବଂ ସଂଖ୍ୟାଲଘୁ ଅନୁଷ୍ଠାନ ଉପରେ ହେଉଥିବା ଆକ୍ରମଣ ସଂଖ୍ୟାଲଘୁମାନଙ୍କ ବିଶ୍ଵାସକୁ ଦୋହଲାଇଦେଇଛି। ଜାତୀୟତାକୁ ନେଇ ହେଉଥିବା ତର୍କ ତ ସେମାନଙ୍କର ଦେଶଭକ୍ତିର ପରୀକ୍ଷା! ପରେ ଅମିର ଖାନ୍ ଏବଂ ଶାହାରୁଖ ଖାନ୍ ଙ୍କ ଉପରେ ଯେଉଁ ଜଘନ୍ୟ ଆକ୍ରମଣ କରାଗଲା ତାହା ସେମାନଙ୍କର ଆଶଙ୍କାକୁ ଆହୁରି ଦୃଢୀଭୂତ କରିଛି। ଆଜି ଧର୍ମପ୍ରସଙ୍ଗରେ ଦେଶ ବହୁଧା ବିଭାଜିତ ଏବଂ ଏ ଧାରଣା ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କର କୌଣସି ପ୍ରୟାସ ନାହିଁ। ଅନେକ ଆଶା ନେଇ ଭାରତର ଜନତା ତାଙ୍କୁ ଭୋଟ ଦେଇ ଦେଇ ନିର୍ବାଚିତ କରିଥିଲେ କିନ୍ତୁ ଦୁଇ ବର୍ଷ ପରେ ସେଇ ଆଶା ଫିକା ପଡ଼ିଗଲାଣି। ଉଦାରବାଦୀ ମାନେ ଆଜି ପ୍ରତାରିତ ଅନୁଭବ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହି ଗମ୍ଭୀର ଅଭିଯୋଗ ଗୁଡ଼ିକୁ ଅଣଦେଖା କରିପାରିବେନି। ତାଙ୍କୁ ଆହୁରି ତିନି ବର୍ଷ ବିତାଇବାକୁ ଅଛି କିନ୍ତୁ ତାଙ୍କୁ ପ୍ରମାଣ କରିବାକୁ ହେବ ଯେ ସେ ଏପରି ଏକ ଆଦର୍ଶର ଦାସ ନୁହନ୍ତି ଯାହାକି ଅତୀତକୁ ନେଇ ଆଜି ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଆଦର୍ଶ ତ ଅତୀତରେ ରହିପାରିବ କିନ୍ତୁ ଜଣେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ ନୁହେଁ । ତାଙ୍କୁ ଆଉଥରେ ୨୦୧୯ରେ ଜନତାଙ୍କ ରାୟ ନେବାକୁ ହେବ। ଏ କଥା ସେ ଭୁଲିଯିବା ଉଚିତ ନୁହେଁ। 

Disclaimer : ଲେଖକଙ୍କ ମତାମତ ସଂପୂର୍ଣ୍ଣ ଭାବେ ତାଙ୍କର ନିଜସ୍ୱ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags