EDITIONS
Odia

ସାମୁଦ୍ରିକ ଜଙ୍ଗଲ ସୁରକ୍ଷାରେ 'ସାଇକୋ ଥିଏଟର'

By Ananta Panigrahi

21st Dec 2015
Add to
Shares
0
Comments
Share This
Add to
Shares
0
Comments
Share

ତେର ଜଣ ବାଳିକା ବାହାରିପଡ଼ିଛନ୍ତି ଗୋଟିଏ ଅଭିଯାନରେ। ପନ୍ଦର ଦିନିଆ ସାଇକେଲ ଯାତ୍ରାରେ ସେମାନେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ଭ୍ରମଣ କରି କୋଡ଼ିଏଟି ସ୍ଥାନରେ ପଥପ୍ରାନ୍ତ ନାଟକ ପରିବେଷଣ କରିବେ। ନାଟକଟି ହେଲା 'ସପନାର ସପନ' । ନାଟକଟି ମାଧ୍ୟମରେ ସେମାନେ ଲୋକଙ୍କୁ ପ୍ରେରିତ କରିବେ ସାମୁଦ୍ରିକ ଲୁଣା ଜଙ୍ଗଲର ପୁନରୁଦ୍ଧାର କରିବା ପାଇଁ ।

image


'ସାଇକୋ ଥିଏଟର' ଭାବେ ନାମିତ ଏହି ଅଭିଯାନଟି ଭୁବନେଶ୍ଵରସ୍ଥିତ 'ନାଟ୍ୟ ଚେତନା'ର ଏକ ଅଭିନବ ପ୍ରୟାସ ଯାହା ମାଧ୍ୟମରେ ଏହା ଗ୍ରାମାଞ୍ଚଳ ଲୋକମାନଙ୍କ ମାନସପଟକୁ ସ୍ପର୍ଶ କରି କିଛି ସନ୍ଦେଶ ଦେବାକୁ ଚାହେଁ। ସାମୁଦ୍ରିକ ଲୁଣା ଜଙ୍ଗଲ ଉପକୂଳବର୍ତ୍ତୀ ଓଡ଼ିଶାର ଜୀବନରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ ।

image


"ଲୁଣା ଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ କରି ଆଶ୍ରୟ ପ୍ରଦାନ କରିଥାଏ ତଥା ସାମୁଦ୍ରିକ ଜୀବଜଗତର ପୋଷଣ କରିଥାଏ। କିନ୍ତୁ ଗତ କିଛି ବର୍ଷ ହେଲା ଏହି ଜିଲ୍ଲାଗୁଡ଼ିକରେ ଏହାର ଏକ ବଡ଼ ଅଂଶ ଲୋପ ପାଇ ଯାଇଛି" ନାଟ୍ୟଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ କହନ୍ତି, "ଲୋକଙ୍କୁ ଲୁଣା ଜଙ୍ଗଲର ଉପକାରିତା ଏବଂ ଏହାକୁ ପୁନରୁଦ୍ଧାର କରିବା ବିଷୟରେ ସଚେତନ କରାଇବା ଆମର ଲକ୍ଷ୍ୟ" ।

image


ନାଟକଟି ପ୍ରଥମେ ୧୯୯୯ରେ ମହାବାତ୍ୟାର ଠିକ୍ ପୂର୍ବରୁ ମଞ୍ଚସ୍ଥ କରଯାଇଥିଲା। ତା'ପରେ ବହୁବାର ନାଟକ ସମାରୋହରେ ପ୍ରଦର୍ଶିତ ହୋଇସାରିଲାଣି। ନାଟକଟି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ଜୀବନରେ ସାମୁଦ୍ରିକ ଜଙ୍ଗଲର ଗୁରୁତ୍ଵ ଉପରେ ଆଲୋକପାତ କରିଥାଏ। ଉଲ୍ଲେଖଯୋଗ୍ୟ ଯେ ଏହା କ୍ରମାଗତ ହ୍ରାସ ପାଇଥିବା ଯୋଗୁ ୧୯୯୯ରେ ଓଡ଼ିଶାରେ ମହାବାତ୍ୟାରେ କ୍ଷୟକ୍ଷତିର ପ୍ରକୋପ ଅତ୍ୟଧିକ ହୋଇଥିଲା।

ରାଜନଗର ଓ ବାଲିକୁଦାର ଏହି ବାଳିକାମାନେ ଖୋର୍ଦ୍ଧା ଉପକଣ୍ଠରେ ଅବସ୍ଥିତ ଏବଂ 'ନାଟ୍ୟ ଚେତନା' ଦ୍ଵାରା ପ୍ରତିଷ୍ଠିତ ନାଟ୍ୟଗ୍ରାମକୁ ଆସି ନାଟକଟି ପାଇଁ ତାଲିମ ନେଇଥିଲେ।

ବିନା ସୂଚନା ବା ଘୋଷଣାରେ ହେଉଥିବା ଏଇ ନାଟକଗୁଡ଼ିକ ନିଆରା। ସ୍ଥାନୀୟ ପରିସ୍ଥିତି ଅନୁସାରେ ଏହାର ସଂରଚନା ପରିବର୍ତ୍ତିତ ହୋଇଥାଏ। "ସାଧାରଣତଃ ଦିନବେଳା ଅପ୍ରତ୍ୟାଶିତ ଭାବେ ବିନା ସୂଚନାରେ ଆମେ ଗାଁଗୁଡ଼ିକରେ ପହଞ୍ଚି ଯାଉ। ନାଟକ ସ୍ଥାନକୁ ଲୋକମାନଙ୍କୁ ବାଜା ବଜାଇ ଓ ଗୀତ ଗାଇ ଡାକୁ। ଅଘୋଷିତ ଓ ସ୍ଵତଃସ୍ଫୂର୍ତ୍ତଭାବେ ହେଉଥିବା ଏହି ନାଟକଗୁଡ଼ିକ ଗାଁରେ ଉତ୍ତେଜନା ସୃଷ୍ଟି କରିଥାଏ ଏବଂ ଲୋକମାନଙ୍କୁ ଆକର୍ଷିତ କରିଥାଏ" କହନ୍ତି ଜୟଶ୍ରୀ ଆଚାର୍ଯ୍ୟ, ଯେ କି ଦଳର ଜଣେ ସଭ୍ୟ ଏବଂ ନାଟକର ମୂଖ୍ୟ ଚରିତ୍ର ଭୂମିକାରେ ଅଭିନୟ କରନ୍ତି।

ଅଭିଯାନଟି ସଂପୂର୍ଣ୍ଣ ହେବା ପରେ ଏହାର ସଫଳତା ବା ବିଫଳତା ଜାଣିବା ପାଇଁ ଏକ ମୂଲ୍ୟାୟନ କରାଯିବ। ଏକ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ସେ ଅଞ୍ଚଳରେ ସକ୍ରିୟ ଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ମାଧ୍ୟମରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

୧୯୮୬ରେ ଗଠିତ ହୋଇଥିବା ଏହି ଦଳଟି ଆରମ୍ଭରୁ ଏ ଯାବତ୍ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ(ଯେମିତିକି ଶିଳ୍ପଜନିତ ପ୍ରଦୂଷଣ ଏବଂ ଲିଙ୍ଗଗତ ବୈଷମ୍ୟ) ନାଟକ କରିଆସୁଛି। ନାଟକ କରିବା ପାଇଁ ଦଳର ସଭ୍ୟମାନେ ସାଇକେଲରେ ଅନେକ ଦୂର ଯାଆନ୍ତି । ସେମାନେ କରିଥିବା ଦୀର୍ଘତମ ଯାତ୍ରା ହେଉଛି ୭୦୦ କି.ମି. ଯେତେବେଳେ ସେମାନେ ୭୦ଟି ନାଟକ ମଞ୍ଚସ୍ଥ କରିଥିଲେ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags