EDITIONS
Odia

ଦଙ୍ଗଲ ଫିଲ୍ମରୁ ଷ୍ଟାର୍ଟଅପ ମାନେ କଅଣ ଶିଖିବେ

Ruchi Panigrahi
31st Dec 2016
Add to
Shares
3
Comments
Share This
Add to
Shares
3
Comments
Share

ଅମୀର ଖାନଙ୍କର ଅନ୍ୟ ଫିଲ୍ମ ମାନଙ୍କ ଭଳି ଦଙ୍ଗଲକୁ ମଧ୍ୟ ବହୁତ ଆଦର ଯତ୍ନ ଓ ନିଖୁଣତାର ସହ ତିଆରି କରାଯାଇଛି। ମହାବୀର ସିଂ ଫୋଗାଟ କିପରି ତାଙ୍କ ଝିଅ ମାନଙ୍କୁ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିବା ପାଇଁ ତାଲିମ ଦେଇଥିଲେ – ଏପରି ଏକ ପ୍ରେରଣାଦାୟୀ କାହାଣୀ ହେଉଛି ଫିଲ୍ମର ଆତ୍ମା। ରଚନା, ନିର୍ଦ୍ଦେଶନା ଓ ଅଭିନୟ ଖୁବ ଚିତ୍ତାକର୍ଷକ ଏବଂ ଉନ୍ନତ ଧରଣର ହେଇଛି। ବିମୁଦ୍ରାକରଣ କାରଣରୁ ବଜାର ମାନ୍ଦା ପଡିବାର ଭୟ ଥିଲେ ମଧ୍ୟ ଏବେ ଯାଏ ଯାହା ଜଣା ପଡୁଛି ସିନେମାଟି ବ୍ଲକବଷ୍ଟର ହିଟ ହେବ।

ଫିଲ୍ମରେ ସବୁ ଶ୍ରେଣୀ ଓ ବର୍ଗର ଦର୍ଶକଙ୍କ ମାନସ ମନ୍ଥନ କଲା ଭଳି କିଛି କିଛି ଉପାଦାନ ରହିଛି। ସେ ତେଣିକି ଝିଅ ମାନେ ତାଙ୍କ ଜୀବନରେ କିଛି କରି ଦେଖାଇବା ହେଉ ବା ବାପଝିଅର ସମ୍ପର୍କ ହେଉ ବା ଆଶାୟୀ ଖେଳାଳୀ ହୁଅନ୍ତୁ – ସଭିଏଁ ଏ ଫିଲ୍ମରୁ କିଛି ଶିଖିବେ। ଏକ ସଫଳ ଷ୍ଟାର୍ଟଅପ ଚଳାଇବା କେଉଁ ଖେଳରେ ଜିତିବା ଠାରୁ କୌଣସି ଗୁଣରେ କମ ନୁହେଁ।

Image : Google

Image : Google


ଷ୍ଟାର୍ଟଅପ ମାନଙ୍କ ପାଇଁ ମଧ୍ୟ ଏହି ଫିଲ୍ମରେ କିଛି ଶିକ୍ଷା ରହିଛି।

ନିଜ ପାଖରେ ଥିବା ଲୋକଙ୍କୁ ଶିଖାଇ ‘ବେଷ୍ଟ’ କରିଦିଅ

ଫିଲ୍ମରେ ମହାବୀର ସିଂ ଫୋଗାଟ(ଅମୀର ଖାନ ଚିତ୍ରଣ କରିଥିବା ଚରିତ୍ର)ଙ୍କର ଏକ ସ୍ଵପ୍ନ ଅଛି। ସେ ହେଲା ଭାରତ ପାଇଁ କୁସ୍ତି ଖେଳରେ ସ୍ଵର୍ଣ୍ଣ ପଦକ ଜିତିବା। ସେ ନିଜେ ନିଜ ପିତାଙ୍କ ଅଟକାଇବାରୁ ଏବଂ ସମ୍ବଳର ଅଭାବ ଯୋଗୁଁ ଜାତୀୟ ସ୍ତର ଠାରୁ ଆଗକୁ ଯାଇପାରିଲେ ନାହିଁ। ସେ ପରେ ଭାବିଲେ ତାଙ୍କର ଅଧାରେ ରହିଯାଇଥିବା ସ୍ଵପ୍ନକୁ ତାଙ୍କର ଅଜନ୍ମା ପୁଅ ପୂର୍ଣ୍ଣ କରିବ। କିନ୍ତୁ ଭାଗ୍ୟର ଖେଳ ଦେଖ ସେ ପୁତ୍ର ଅପେକ୍ଷାରେ ଚାରି ଝିଅର ବାପା ହେଲେ କିନ୍ତୁ ପୁତ୍ରସନ୍ତାନ ପାଇଲେ ନାହିଁ। ଯଦିଓ ସେ ଝିଅ ମାନଙ୍କୁ ଭଲ ପାଉଥିଲେ କିନ୍ତୁ ତାଙ୍କର ଧାରଣା ଥିଲା ଯେ କୁସ୍ତି ଖେଳରେ ପୁଅ ମାନେ ହିଁ ପ୍ରଦର୍ଶନ କରିପାରିବେ ଏବଂ ସ୍ଵର୍ଣ୍ଣ ପଦକ ଆଣିପାରିବେ। କିନ୍ତୁ ଦିନେ ଯେତେବେଳେ ତାଙ୍କର ଦୁଇ ଝିଅ ନିଜ ବୟସର ଦୁଇଟି ପୁଅଙ୍କୁ ନିର୍ଘାତ ପିଟିଥିବାର ଦେଖିଲେ ସେ ଝିଅ ମାନଙ୍କ ରକ୍ତରେ ଥିବା ପହିଲିମାନର ଝଲକ ଦେଖିପାରିଲେ। ସେ ଏହା ମଧ୍ୟ ବୁଝିଲେ ଯେ ପୁଅ ହେଉ ବା ଝିଅ ହେଉ ସ୍ଵର୍ଣ୍ଣ ପଦକ ସେଥିରେ ଫରକ ବୁଝେନା।

ଠିକ୍ ସେହିପରି ଷ୍ଟାର୍ଟଅପ ମାନଙ୍କର ସ୍ୱଳ୍ପ ବଜେଟ ଭିତରେ ସେମାନେ ବୋଧହୁଏ IIM କି IITର ଗ୍ରାଜୁଏଟଙ୍କୁ ସେତିକି ଦରମା ଦେଇ ରଖିପାରିବେ ନାହିଁ କିନ୍ତୁ ଏହା ସେମାନେ ଯୋଗାଉଥିବା ସେବା ଓ ସୁବିଧାରେ ବାଧା ହେବା ଉଚିତ ନୁହେଁ। ଗୋଟିଏ ଖୁସି ଗ୍ରାହକର ମୂଲ୍ୟ କୌଣସି ସ୍ଵର୍ଣ୍ଣ ପଦକ ଠାରୁ କମ ନୁହେଁ। ଯଦିଓ ସେମାନେ ସର୍ବୋତ୍ତମ ଲୋକଙ୍କୁ ରଖିପାରୁନାହାନ୍ତି କିନ୍ତୁ ତାଙ୍କ ପାଖରେ ଯେଉଁମାନେ ଅଛନ୍ତି ତାଙ୍କର ପ୍ରତିଭା ଚିହ୍ନି ତାଙ୍କୁ ‘ବେଷ୍ଟ’ କରି ଦେଇପାରିବେ। ଠିକ ସେମିତି ଯେମିତି ମହାବୀର ତାଙ୍କର ଝିଅମାନଙ୍କୁ ଗଢିଲେ।

ନିଜ ସହ ନିଜର ବ୍ଯବସାୟିକ ସହଯୋଗୀ ମାନଙ୍କର ଉନ୍ନତି ପ୍ରତି ନଜର

ଫିଲ୍ମର ଏକ ଦୃଶ୍ୟରେ ମହାବୀର ବୁଝିପାରିଥିଲେ ଯେ ତାଙ୍କ ଝିଅ ମାନଙ୍କୁ ବଳୁଆ କରିବାକୁ ହେଲେ ସେମାନଙ୍କୁ ଉଚିତ ଖାଦ୍ୟ ଖାଇବାକୁ ହେବ। ନିଜେ ଶାକାହାରୀ ହେଇଥିଲେ ମଧ୍ୟ ଝିଅ ମାନଙ୍କୁ ସେ କୁକୁଡ଼ା ମାଂସ ନିଜେ ରାନ୍ଧି ଖୁଆଇଲେ। ତାଙ୍କର ମୂଲ୍ୟବୋଧ ଓ ଅର୍ଥନୈତିକ ଉଭୟ ଦୃଷ୍ଟିରୁ ମାଂସାହାରୀ ଖାଦ୍ୟ ତାଙ୍କ ପହଞ୍ଚରୁ ବାହାରେ ଥିଲା। କିନ୍ତୁ ମହାବୀରଙ୍କ ଜିଦ ଥିଲା ଓ ସେ ନିଜର ଲକ୍ଷ୍ୟ ଆଗରେ କୌଣସି ବାଧାବିଘ୍ନଙ୍କୁ ଅଦେଖା କରୁଥିଲେ। ନିଜର ସ୍ୱଳ୍ପ ବଜେଟ ମଧ୍ୟରେ ଝିଅଙ୍କୁ ଚିକେନ ଖୁଆଇବା ଲକ୍ଷ୍ୟ ନେଇ ସେ ଦୋକାନୀ ପାଖକୁ ଯାଉଛନ୍ତି ଏବଂ ଦୋକାନୀକୁ ବିଶ୍ଵାସ ଦେଉଛନ୍ତି ଯେ ଆଗକୁ ଯାଇ ତାଙ୍କ ଝିଅମାନେ ବିଖ୍ୟାତ ପହିଲିମାନ ହେବେ ଓ ରାଜ୍ୟ ସାରା ସେଇ ଦୋକାନରୁ ସେମାନେ ଚିକେନ ଖାଉଥିଲେ ବୋଲି ଦୋକାନ ମଧ୍ୟ ଖ୍ଯାତି ପାଇବ ଓ ତା’ର ବ୍ୟବସାୟ ବଢିବ।

ଠିକ୍ ସେମିତି ଷ୍ଟାର୍ଟଅପ ମାନଙ୍କୁ ମଧ୍ୟ ତାଙ୍କର ଯୋଗାଣକାରୀ ମାନଙ୍କୁ ସେହିପରି ପ୍ରତ୍ୟୟ ଦେବାକୁ ପଡ଼ିବ। ଇଣ୍ଡଷ୍ଟ୍ରିରେ ଖୁବ ଅଳ୍ପ ଯୋଗାଣକାରୀ କମ୍ପାନୀ ଅଛନ୍ତି ଯେଉଁମାନେ ସବୁଠାରୁ ଉତ୍ତମ ସେବା ଯୋଗାଇଦିଅନ୍ତି କିନ୍ତୁ ସେମାନେ ଅତ୍ୟନ୍ତ ଦାମୀ। ଷ୍ଟାର୍ଟଅପ ମାନଙ୍କୁ ଏପରି ରଣନୀତି ତିଆରି କରିବାକୁ ପଡ଼ିବ ଯାହା ଫଳରେ ଭବିଷ୍ୟତରେ ସେମାନଙ୍କ ବୃଦ୍ଧି ସହ ସେଇ କମ୍ପାନୀ ମାନେ ମଧ୍ୟ ବଢିବେ। ଯୋଗାଣକାରୀ କମ୍ପାନୀ ମାନଙ୍କ ଦୃଷ୍ଟିକୋଣରୁ ଭାବିବାକୁ ହେବ ଯେ ଷ୍ଟାର୍ଟଅପ ମାନଙ୍କ ସହ ଜଡ଼ିତ ରହିଲେ ଆଗକୁ ଯାଇ ସେମାନେ କିପରି ଲାଭବାନ ହେଇପାରିବେ।

ନିଜ ପ୍ରଡ଼କ୍ଟରେ ପ୍ରତି ସ୍ତରରେ କିଛି ନୂଆଁପଣ ଆଣନ୍ତୁ

ନିଜ ଝିଅ ମାନଙ୍କୁ କୁସ୍ତିର ପାହାଚ ଚଢାଇବା ପାଇଁ ମହାବୀର ତାଙ୍କୁ ଦଙ୍ଗଲରେ ଲଢିବାକୁ ନେଇଯାଆନ୍ତି। ମାଟିରେ ଖେଳାଯାଉଥିବା ଏକ ଲୋକପ୍ରିୟ କୁସ୍ତିଖେଳକୁ ଦଙ୍ଗଲ କୁହାଯାଏ। ପ୍ରାୟତଃ ପୁରୁଷଙ୍କ ଦ୍ଵାରା ଖେଳାଯାଉଥିବା ଏହି କୁସ୍ତିଖେଳରେ ମହାବୀର ନିଜ ଝିଅର ନାମ ରେଜିଷ୍ଟର କରିବାକୁ ଚାହାଁନ୍ତି। ଆୟୋଜକ ମାନେ ତୁରନ୍ତ ସାମାଜିକ ଓ ନୈତିକ ମୂଲ୍ୟବୋଧ ଦୃଷ୍ଟିରୁ ମନା କରିଦିଅନ୍ତି। କିନ୍ତୁ ଆୟୋଜକ ମାନଙ୍କ ଭିତରୁ ଜଣେ ମୁଣ୍ଡ ଖଟାଇ ଭାବେ ଯେ ଯଦି ଝିଅ ସହ ପୁଅର କୁସ୍ତି ହେଉଛି ତେବେ ଦେଖଣାହାରୀଙ୍କ ସଂଖ୍ୟା ବଢିବ କାରଣ ସେମାନେ ଏପରି ଦୃଶ୍ୟ କେବେ ଦେଖିନଥିବେ। ତେଣୁ ବ୍ୟବସାୟ ଭଲ ହେବ। ତା’ର ସେ ବିଚାର ଫଳ ଦେଉଛି ଏବଂ ନାହି ନଥିବା ଭିଡ଼ ହେଉଛି।

ଠିକ୍ ସେହିଭଳି ଷ୍ଟାର୍ଟଅପ ମାନଙ୍କୁ ପ୍ରତିଟି ସୋପାନରେ ନିଜକୁ ନିଆରା କରି ଗଢିତୋଳିବାକୁ ହେବ। ନିଜର କମ୍ପାନୀ ଓ ପ୍ରଡ଼କ୍ଟକୁ କିଛି ବଡ଼ ଆକାରରେ ନ ବଦଳାଇ ହାଲକା ବଦଳାଇଲେ ଏହା ବଜାରରେ ଏକ ଆଲୋଡନ ସୃଷ୍ଟି କରିପାରେ।

ନିଜର ମୂଳକୁ କେବେ ଭୁଲନ୍ତୁ ନାହିଁ

ମହାବୀରଙ୍କ ବଡ଼ ଝିଅ ଗୀତା ଫୋଗାଟ ଜାତୀୟ ସ୍ତରରେ ଚମ୍ପିୟାନ ହେବା ପରେ ଅନ୍ତର୍ଜାତୀୟ ସ୍ତରର କୁସ୍ତି ପ୍ରତିଯୋଗୀତା ପାଇଁ ତାଲିମ ନେବାକୁ ଏକ ବଡ଼ ମଞ୍ଚକୁ ଯାଉଛନ୍ତି। ସେଠାରେ ତାଙ୍କୁ ମିଳୁଛି ନୂଆ କୋଚ ଓ ଏକ ନୂଆ ପରିବେଶ। ସେତେ ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ବାପା ହିଁ ତାଲିମ ଦେଇଥିଲେ। ସେ ଧୀରେ ଧୀରେ ବିଶ୍ଵାସ କରିବାକୁ ଲାଗୁଛନ୍ତି ଯେ ବାପାଙ୍କ ଠାରୁ ଶିଖିଥିବା ସମସ୍ତ କୌଶଳ ଏକ ଛୋଟ ମଞ୍ଚ ଯାଏଁ ଠିକ ଥିଲା। କିନ୍ତୁ ଆଗକୁ ଯାଇ ତାଙ୍କୁ ତାଙ୍କ ନୂଆ କୋଚଙ୍କ ହିସାବରେ ଖେଳିବାକୁ ହେବ। ନୂଆ କୋଚଙ୍କର ସମସ୍ତ କୌଶଳ ତାଙ୍କ ବାପା ଶିଖାଇଥିବା କୌଶଳ ଠାରୁ ସଂପୂର୍ଣ୍ଣ ଭାବେ ଅଲଗା। କିନ୍ତୁ ତାଙ୍କର ଏ ବିଶ୍ଵାସ ତାଙ୍କ ପାଇଁ ବିପର୍ଯ୍ୟୟ ଆଣେ। ଗୋଟେ ପରେ ଗୋଟେ ସେ ସବୁ ପ୍ରତିଯୋଗୀତାରେ ଫେଲ ହୁଅନ୍ତି। ସେ ଧୀରେ ଧୀରେ ବୁଝିପାରନ୍ତି ଯେ ମୂଳରୁ ଶିଖିଥିବା ରଣନୀତିକୁ ଭୁଲାଇଦେବା ଉଚିତ ନଥିଲା ଓ ତାଙ୍କ ବାପା ଠିକ ଥିଲେ। ସେ ବାପାଙ୍କ ତାଲିମକୁ ଫେରିଯାଆନ୍ତି ଓ କମନୱେଲଥ ଗେମ୍ସରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତନ୍ତି।

ଅନେକ ଷ୍ଟାର୍ଟଅପ ଏହି ଜାଲରେ ଫସିଯାଆନ୍ତି। ପ୍ରଥମେ ସେମାନେ ଦ୍ରୁତ ଗତିରେ ଆଗକୁ ଯିବାକୁ ଲାଗନ୍ତି ଏବଂ ସଫଳତାର ସ୍ଵାଦ ଚାଖନ୍ତି। କିନ୍ତୁ ପରେ ବଡ଼ କମ୍ପାନୀ ମାନଙ୍କ ଲିଗରେ ଆସି ନିଜର ପରିଚୟ ଭୁଲିଯାଇ ସେମାନଙ୍କୁ ଅନୁକରଣ କରିବାରେ ଲାଗିଯାଆନ୍ତି। ନିଜର ରଣନୀତି ଯାହା ତାଙ୍କୁ ଏଇ ସ୍ଥାନରେ ପହଞ୍ଚାଇଛି ତାକୁ ଭୁଲିଯାନ୍ତି। ତାଙ୍କୁ ପ୍ରଥମ ବିଜୟ ହାସିଲ କରାଇଥିବା ରଣନୀତିକୁ ଭୁଲିଯିବା ଷ୍ଟାର୍ଟଅପ ମାନଙ୍କ ପାଇଁ ଆଦୌ ଉଚିତ ନୁହେଁ। 

Add to
Shares
3
Comments
Share This
Add to
Shares
3
Comments
Share
Report an issue
Authors

Related Tags