EDITIONS
Odia

ଆପଣଙ୍କ ଚମଡା କେତେ ମୋଟା?

Team Odia
26th May 2016
Add to
Shares
0
Comments
Share This
Add to
Shares
0
Comments
Share

ତୁମ ଜୀବନର ବଡ଼ ଲକ୍ଷ୍ୟ କଣ? ଏମିତି ଏକ ଲକ୍ଷ୍ୟ ଯାହାକୁ କି ବେଶ କିଛି ସମୟ ଧରି ତୁମେ ପାଇବାକୁ ଆଶା କରିଛ? ଅନେକଙ୍କୁ ବିଦେଶରେ ଏକ ଲମ୍ବା ଛୁଟି ଦରକାର, କିଛି ଲୋକଙ୍କୁ ଏକ ଫିଟ ଶରୀର, କିଛି ଭଲ ରକମର ପୁଞ୍ଜି ପାଇବାକୁ ଆଶା କରନ୍ତି। ଇତ୍ୟାଦି...ଇତ୍ୟାଦି। କିନ୍ତୁ ମୋ ମନ ଭିତରେ ସଦାବେଳେ ଏକ ପ୍ରଚଣ୍ଡ ଇଚ୍ଛା ବସିରହିଛି। ତା’ ହେଲା ନିଜର ଏକ ମୋଟା ଚମଡା ତିଆରି କରିବା। ଗୋଧି ଚମଡା ଭଳି ଏକ ମନୋଭାବ ସୃଷ୍ଟି କରିପାରିବା ଯାହାକୁ କିଛି ବାଧୁନଥିବ। ଏକଦମ ଅକାଟୁ। 

ଗତ କିଛି ବର୍ଷ ମଧ୍ୟରେ ମୁଁ ଧୀରେ ଧୀରେ ସେଠାରେ ପହଞ୍ଚୁଛି। ତୁମ ବଂଶଗତ ଡିଜାଇନ ଅନୁସାରେ ତୁମେ କ୍ଷୀଣକାୟ ହୋଇ ପାରିବା ଭାରି କଷ୍ଟ ଆଉ ତୁମେ ଲଗାତାର କସରତ କରି ଚାଲିଛ ଏକ ଆକର୍ଷଣୀୟ ସେକ୍ସି ଚେହେରା ବନେଇବା ପାଇଁ । ମାମଲା ଟା ଠିକ କିଛି ସେଇ ଭଳିଆ। ମୋଟା ଚମଡା ପାଇଁ କଠିନ ପରିଶ୍ରମ ଦରକାର।

image


ଜୀବନର ବାକି ଅନେକ କିଛି ଜିନିଷ ପରି ମୁଁ ଏଇ ମୋଟା ଚମଡା ତିଆରି ନ କରିପାରିବାର କାରଣ ମଧ୍ୟ ଆମର ଲାଳନପାଳନ ଓ ଶିକ୍ଷାଦୀକ୍ଷାର ବ୍ୟବସ୍ଥାକୁ ଦେବି। ଆମର ବାପା ମା’ ଓ ଅନ୍ୟ ସମସ୍ତେ ଯେଉଁମାନେ ଆମକୁ ପିଲାବେଳେ କିଛି ନା କିଛି ଉପଦେଶ ଦେଉଥିଲେ ବା କିଛି ଶିଖାଇବାକୁ ଚାହୁଁଥିଲେ, ସବୁ ସେମାନଙ୍କ ଦୋଷ ମଧ୍ୟ। ତୁମର ମନେ ଅଛି ଅନ୍ୟମାନଙ୍କ କଥା ନ ଶୁଣିଲେ କିଭଳି ଭାବେ ଗାଳି ଶୁଣିବାକୁ ପଡୁଥିଲା? “ଯାହା କୁହା ଯାଉଛି ଶୁଣ” ବା “କଣ କାନକୁ କଥା ଶୁଭୁନି, ଶୁଣି ଅଶୁଣା କରୁଛୁ?” ନହେଲେ “ଧ୍ୟାନ ଦେଇ ଶୁଣ !” ଏସବୁ ନିୟମିତ ଭାବେ ବାପା ମା’ଙ୍କ ଠାରୁ ଓ ଆମର ଶିକ୍ଷକ ବର୍ଗଙ୍କ ଠାରୁ ଆମେ ଶୁଣୁଥିଲୁ। ତେଣୁ ଆମେ ଧୀରେ ଧୀରେ ଆମକୁ ଯାହା କୁହାଯିବ ତାକୁ ଶୁଣିବା ଓ ମାନି ଚଳିବା ଏବଂ ଗ୍ରହଣ କରିନେବା ଶିଖିଥିଲୁ। ଗ୍ରହଣ ନ କଲେ ଗାଳି, କ୍ଲାସ ବାହାରେ ଠିଆ ହେବାର ଦଣ୍ଡ ଆଉ ହସ୍ତାକ୍ଷର ଖାତାରେ ୧୦୦ ଥର ଲେଖିବା ଯେ “I am sorry I did…”। ଏସବୁ ଦେଇ ଆମେ ସଭିଏଁ ଯାଇଛୁ। ସବୁର ଅଭିପ୍ରାୟ ଥିଲା ଆମକୁ ଗ୍ରହଣ କରିନେବା ଶିଖାଇବା।

ଯଦିଓ ଲୋକଙ୍କ କଥା ଶୁଣିବା ଏକ ଭଲ ଅଭ୍ୟାସ ଓ ମୁଁ ଏଥିରେ ରାଜି ମଧ୍ୟ। କିନ୍ତୁ ଏ ଅଭ୍ୟାସ ଯୋଗୁଁ ମୋତେ ଲାଗେ ଆମେ ଖୁବ ଶୀଘ୍ର ଆଘାତ ମଧ୍ୟ ପାଇଯାଉ। ଆମେ ଚାରିପାଖେ ଥିବା ଲୋକଙ୍କ କଥା ଶୁଣିବାରେ ଅଭ୍ୟସ୍ତ ହେଇଯାଉ। ଆଉ ବେଳେବେଳେ ସେ କୋଳାହଳ ଏତେ ଅଧିକ ହେଇଯାଏ ଯେ ଆମେ ନିଜ ଅନ୍ତସ୍ଵର ଶୁଣିବାରେ ଅସମର୍ଥ ହେଇଥାଉ।

ମୋର ମନେ ଅଛି ନିଜର ଷ୍ଟାର୍ଟଅପ ଯାତ୍ରାର ପ୍ରାରମ୍ଭିକ ଦିନଗୁଡିକରେ ଥରେ ଜଣେ ବ୍ୟକ୍ତି ମୋ ସଙ୍ଗେ ଏତେ ରୁକ୍ଷ ବ୍ୟବହାର କରିଥିଲେ ଯେ ଆଖିରେ ଲୁହ ଆସିଯାଇଥିଲା। ସେହି ଭଦ୍ର ଲୋକଙ୍କଠାରୁ ଏପରି ରୁକ୍ଷ କଥା ଶୁଣିବା ପରେ ମୁଁ ବାହାରକୁ ଚାଲିଆସିଲି ଓ ହଠାତ ଲୁହ ବାହାରିବା ଆରମ୍ଭ ହେଇଗଲା। ମୁଁ ଜାଣିଥିଲି ସେ ବ୍ୟକ୍ତି ଜଣକ ବହୁତ ଅପମାନଜନକ କଥା କହିଥିଲେ ଯାହାକି ଆଦୌ ଯଥାର୍ଥ ନଥିଲା। ଠିକ ସେହି ମୁହୂର୍ତରେ ମୋ ବାପାଙ୍କ ଫୋନ ଆସିଲା। ମୁଁ ସବୁକିଛି ଠିକ ଥିଲା ଭଳି ଫୋନ ଉଠେଇଲି ଓ କଥା ହେଲି। କିନ୍ତୁ ବାପା ମା’ ଯିଏ ଜନ୍ମ ଦେଇଛନ୍ତି ତାଙ୍କୁ କଣ କିଛି ଅଛପା ରୁହେ? ବାପା ମୋ ସ୍ଵରରୁ ଜାଣିପାରିଲେ କିଛି ଗୋଟାଏ ହେଇଛି। ମୋତେ ପଚାରିଲେ, “କଣ ହେଇଛି?” ମୁଁ ସାଧାରଣତଃ ବାପାଙ୍କୁ ମୋର କାନ୍ଦୁରା କାହାଣୀ କୁହେନି। କିନ୍ତୁ ସେଦିନ ସବୁକିଛି କହିଲି। ବାପା କଣ କହିଲେ ଜାଣନ୍ତି?

“ଯଦି ତୁମେ କୌଣସି ରାସ୍ତାରେ ଯାଉଛ, ତେବେ ତାକୁ ଭଲ ଭାବେ ଆୟତ୍ତ କର। ରାସ୍ତା କେମିତି ପାର କରିବାକୁ ହେବ ଶିଖ ଓ ସେ ରାସ୍ତାରେ କିଭଳି ଟ୍ରାଫିକ ମିଳେ ତାକୁ ବି ଭଲ ଭାବେ ଅନୁଧ୍ୟାନ କର। “

ଏତେ ବର୍ଷ ପରେ ମୁଁ କଣ ସେ ରାସ୍ତା ପାର କରିବା ଶିଖିପାରିଛି? ବୋଧ ହୁଏ ଆଗ ଅପେକ୍ଷା ଟିକିଏ ଭଲ କିନ୍ତୁ ବେଳେବେଳେ ଜୀବନର ଘମାଘୋଟ ଟ୍ରାଫିକ ଓ ଲୋକେ ମୋର ସେଇ କୋମଳ ଓ ଶୀଘ୍ର ଆଘାତ ପାଇଯାଉଥିବା 'ମୁଁ' ଟିକୁ ପାଇଯାଆନ୍ତି। ମୁଁ ସେ ସଭିଙ୍କୁ ଯେଉଁମାନେ ମୋଟା ଚମଡା ବନେଇବାକୁ ଇଛା କରନ୍ତି, କହିବାକୁ ଚାହିଁବି ଯେ ପ୍ରଥମତଃ ନିଜକୁ ଧନ୍ୟ ମନେ କରନ୍ତୁ ଯେ ସେମାନେ ପ୍ରାକୃତିକ ଭାବେ ଏକ ମୋଟା ଚମଡା ଓ ବେଖାତିର ଭାବ ସହ ଜନ୍ମ ନେଇ ନାହାନ୍ତି। ସମ୍ବେଦନଶୀଳ ହେବା ଏକ ଉଲ୍ଲେଖନୀୟ ଜିନିଷ, ଯଦିଓ ଆଜିର ସମୟରେ ତାକୁ ମୂଲ୍ୟ ଦିଆଯାଏନାହିଁ ଓ ଅନେକ ସମୟରେ ବ୍ୟକ୍ତିର ଦୁର୍ବଳତା ହିସାବରେ ଧରାଯାଏ। ଏକ ଶକ୍ତିଶାଳୀ ବିଜନେସର ନେତୃତ୍ଵ ନେଉଥିବା ବ୍ୟକ୍ତି ସଂବେଦନଶୀଳ ହେବାଟା ଆଶା କରାଯାଏନାହିଁ। ମୁଁ କିନ୍ତୁ ଏଥିରେ ଏକମତ ନୁହେଁ। ଆମର ସମ୍ବେଦନଶୀଳତା ହେଉଛି ଆମର ସବୁଠାରୁ ବଡ ଶକ୍ତି।

ତେଣୁ ପ୍ରଥମେ ନିଜର ସମ୍ବେଦନଶୀଳତାକୁ ଭଲ ପାଆନ୍ତୁ। 

ଯିଏ ଖୁବ ଜୋରରେ କାନ୍ଦିପାରେ ସିଏ ହିଁ ଖୁବ ଜୋରରେ ହସି ବି ପାରେ। 

ଏସବୁ କହିବା ସହ ମୁଁ ଏହା ବି କହିବି ଯେ ମୋଟା ଚମଡା ବନେଇବା ପାଇଁ ନିୟମିତ ଅଭ୍ୟାସ ଜରୁରୀ। ମୁଁ କହିବି ଚାଲନ୍ତୁ ଆମ ଆଖପାଖରେ ଥିବା କିଛି ହୃଦୟହୀନ ମଣିଷଙ୍କୁ ପରୁଆ କରିବା ନାହିଁ। ବରଂ ତାଙ୍କୁ ଭଲ ପାଇବା। ସେମାନେ ହିଁ ଆମକୁ ଶକ୍ତ ବନେଇବାରେ ସାହାଯ୍ୟ କରିଥାନ୍ତି।

ପ୍ରତ୍ୟେକ ଅପମାନ, ପ୍ରତ୍ୟେକ ପ୍ରତ୍ୟାଖାନ ହିଁ ଆମକୁ ଏକ ମୋଟା ଚମଡା ବନେଇବାରେ ସାହାଯ୍ୟ କରେ। 

Cheers to being thick-skinned!!

ମୂଳ ଲେଖା - ଶ୍ରଦ୍ଧା ଶର୍ମା (ଶ୍ରଦ୍ଧା ଶର୍ମା ୟୌରଷ୍ଟୋରିର ପ୍ରତିଷ୍ଠାତ୍ରୀ ଓ ମୁଖ୍ୟ ସମ୍ପାଦିକା। ଶ୍ରଦ୍ଧା ତାଙ୍କ ଜୀବନ କାହାଣୀ ମାନଙ୍କ ମଧ୍ୟରେ ବିତାନ୍ତି। ଆଉ ବିଶ୍ବାସ କରନ୍ତି ଯେ ପ୍ରତ୍ଯେକ ଟି କାହାଣୀ ନିଆରା ଓ ଗୁରୁତ୍ତ୍ୱପୂର୍ଣ୍ଣ। )

ଅନୁବାଦ - ରୁଚି ପାଣିଗ୍ରାହୀ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags