EDITIONS
Odia

“Return of the Ganga”: ଗଙ୍ଗା ସୁରକ୍ଷା ପାଇଁ ଭାଇ ଭଉଣୀଙ୍କ ସଂଘର୍ଷର କାହାଣୀ

14th Nov 2015
Add to
Shares
0
Comments
Share This
Add to
Shares
0
Comments
Share

ଗଙ୍ଗା କେବଳ ଭାରତର ଦୀର୍ଘତମ କିମ୍ବା ହିନ୍ଦୁମାନଙ୍କର ପବିତ୍ରତମ ନଦୀ ନୁହେଁ। ଏହା ହେଉଛି କୋଟି କୋଟି ଭାରତୀୟଙ୍କ ପାଇଁ ଜୀବନ ରେଖା। କୁହାଯାଏ ଯେ ଗୋଟିଏ ଥର ଗଙ୍ଗାସ୍ନାନ ଦେହ ଓ ମନରୁ ସମସ୍ତ ଅଳୀକତା ଧୋଇ ଦିଏ। ମାତ୍ର ଏହି ଗଙ୍ଗା ଏବେ ନିଜ ଅସ୍ତିତ୍ଵ ସହ ଲଢେଇ କରୁଛି। ଜଳ ବିଦ୍ୟୁତ ପ୍ରକଳ୍ପମାନଙ୍କ ବହୁଳତା ହେତୁ ଗଙ୍ଗା ଧୀରେ ଧୀରେ ଶୁଖିବାରେ ଲାଗିଛି। ଏହା ଛଡା, ଗଙ୍ଗାରେ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। କେତେକ ଅନୁସନ୍ଧାନରୁ ଜଣା ପଡିଛି ଯେ ପୃଥିବୀର ସବୁଠାରୁ ଅଧିକ ପ୍ରଦୂଷିତ ପାଞ୍ଚୋଟି ନଦୀ ଭିତରୁ ଗଙ୍ଗା ଗୋଟିଏ।

ଶୁଷ୍କ ଗଙ୍ଗା

ଶୁଷ୍କ ଗଙ୍ଗା


ଗଙ୍ଗା ତୀରରେ ବସବାସ କରୁଥିବା ଓ ଏହା ଉପରେ ଜୀବନ ଧାରଣ ପାଇଁ ନିର୍ଭର କରୁଥିବା ଲୋକମାନେ ଏହି ସମସ୍ୟାକୁ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ମୂଲ୍ୟାୟନ କରନ୍ତି। ଏହି ଦୃଷ୍ଟିଭଙ୍ଗୀର ବିଭିନ୍ନତା ଗଙ୍ଗାର ସମସ୍ୟାକୁ ଅଧିକ ଜଟିଳ କରିଛି। ଦିନକୁ ଦିନ ପ୍ରଦୂଷଣର କାରକମାନେ ବଢି ଚାଲିଛନ୍ତି। ଗୋଟିଏ ପରେ ଗୋଟିଏ ବନ୍ଧ ଗଙ୍ଗା ଉପରେ ନିର୍ମାଣ ହେବାରେ ଲାଗିଛି। ଗଙ୍ଗା ସଫେଇ ଅଭିଯାନ ଦିନର ଆଲୁଅ ଦେଖିବା ପୂର୍ବରୁ ଭ୍ରଷ୍ଟାଚାରର ଅନ୍ଧକାରରେ ହଜି ଯାଉଛି। ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହାର ବ୍ୟତିକ୍ରମ। ଗଙ୍ଗା ପ୍ରତି ସେମାନଙ୍କର ରହିଛି ଅନାବିଳ ଭଲ ପାଇବା ଓ ଗଙ୍ଗାର ସୁରକ୍ଷା ପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ। ଏହିପରି ଦୁଇଜଣ ଗଙ୍ଗାପ୍ରେମୀ ହେଲେ ମାର୍ତ୍ତଣ୍ଡ ବିନ୍ଦାନା ଓ ବଲ୍ଲି ବିନ୍ଦାନା। ସମ୍ପର୍କରେ ସେମାନେ ଭାଇ ଭଉଣୀ। ଗଙ୍ଗା ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ଏହି ଭାଇ ଭଉଣୀ “Return of the Ganga” ନାମରେ ତିନୋଟି ବୃତ୍ତଚିତ୍ର ନିର୍ମାଣ କରିଛନ୍ତି।

ମାର୍ତ୍ତଣ୍ଡ ବିନ୍ଦାନା

ମାର୍ତ୍ତଣ୍ଡ ବିନ୍ଦାନା


ଏହି ବୃତ୍ତଚିତ୍ର ନିର୍ମାଣ ପାଇଁ ନା ସେମାନଙ୍କ ପାଖେ ଅଭିଜ୍ଞତା ଥିଲା ନା ଥିଲା ପର୍ଯ୍ୟାପ୍ତ ଅର୍ଥ। ଏହି ବୃତ୍ତଚିତ୍ରଗୁଡିକ କିଛି ହାସଲ କରିପାରିବ କି ନାହିଁ ସେ ବିଷୟରେ ମଧ୍ୟ ଉଭୟ ସନ୍ଦିହାନ ଥିଲେ। ଏହା ଉପରେ ମତ ଦେଇ ବଲ୍ଲି କୁହନ୍ତି,” ଗଙ୍ଗାର ସଂରକ୍ଷଣ ଓ ଏହାର ଶୋଷଣ ଉଭୟ ଦିଗରେ ଅଧିକ ଆଲୋକପାତ କରିବା ଏହି ବୃତ୍ତଚିତ୍ର ଗୁଡିକର ଲକ୍ଷ୍ୟ। ବର୍ତ୍ତମାନ ଗଙ୍ଗା ଉପରେ ୬୦୦ରୁ ଅଧିକ ଜଳ ବିଦ୍ୟୁତ ପ୍ରକଳ୍ପ କାମ କରୁଛନ୍ତି। ଏମାନଙ୍କ କବଳରୁ ଗଙ୍ଗାକୁ କିପରି ରକ୍ଷା କରା ଯାଇପାରିବ ସେ ବିଷୟରେ ଏହି ବୃତ୍ତଚିତ୍ରମାନଙ୍କରେ ଦର୍ଶାଯାଇଛି। ଏହା ଛଡା ଗଙ୍ଗାର ପୁନରୁଦ୍ଧାର ପାଇଁ ଆମେ ସମସ୍ତେ କିପରି ମିଳିତ ଭାବେ କାମ କରିପାରିବା ସେ ବିଷୟରେ ମଧ୍ୟ ଏହି ବୃତ୍ତଚିତ୍ର ମାନେ ଆଲୋକପାତ କରିଛନ୍ତି।“

ବଲ୍ଲି ବିନ୍ଦାନା

ବଲ୍ଲି ବିନ୍ଦାନା


ମାର୍ତ୍ତଣ୍ଡ ଓ ବଲ୍ଲିଙ୍କର ଏହି ଯାତ୍ରା ୨୦୧୨ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା। ଦୁହେଁ ଗଙ୍ଗାର ବିଭିନ୍ନ ସମସ୍ୟା ଉପରେ ଅଧିକ ଗବେଷଣା କରିଥିଲେ। ଏହାପରେ ଚିତ୍ରନାଟ୍ୟ ଲେଖିବା, ବୃତ୍ତଚିତ୍ରର ସୁଟିଙ୍ଗ କରିବା, ସମ୍ପାଦନା କରିବା ଓ ଏହାର ପ୍ରଚାର ପ୍ରସାର କରିବା କାମକୁ ଏହି ଦୁଇ ଜଣ ମିଶି କରିଥିଲେ। ଏଥି ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା। ମାତ୍ର ଅର୍ଥାଭାବ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା।

“Return of the Ganga” ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିପୁଳ ଦର୍ଶକୀୟ ଓ ସମାଲୋଚକୀୟ ଅଦୃତି ଲାଭ କରିଛି। ମାତ୍ର ଏ ଦିଗରେ ସରକାରଙ୍କ ମନ୍ତ୍ରଣାଳୟ ତରଫରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳି ପାରିନାହିଁ ବୋଲି ବଲ୍ଲି କୁହନ୍ତି। ବୃତ୍ତଚିତ୍ର ପାଇଁ ଅର୍ଥ ଯୋଗାଡ କରିବା କାଠିକର ପାଠ ଥିଲା। ଏଥିପାଇଁ ବହୁ ସମୟ ମଧ୍ୟ ଲାଗିଥିଲା। ଏଥିପାଇଁ ସେମାନେ କ୍ରାଉଡ ଫଣ୍ଡିଙ୍ଗର ସହାୟତା ମଧ୍ୟ ନେଇଥିଲେ। ହେଲେ ଏହି ଉପାୟ ଏତେ ଫଳପ୍ରଦ ହୋଇନଥିଲା। ତେଣୁ ସେମାନେ ଅଳ୍ପ ଖର୍ଚ୍ଚରେ କିପରି ଅଧିକ କାମ କରିହେବ ସେ ବିଷୟରେ ଧ୍ୟାନ ଦେଉଥିଲେ। ସେମାନେ ଏହି କ୍ଷେତ୍ରରେ କାମ କରୁଥିବା ବରିଷ୍ଠମାନଙ୍କ ଉପଦେଶ ଓ ମତାମତ ମଧ୍ୟ ନେଇଥିଲେ। କିଛି ଲୋକ ସେମାନଙ୍କୁ ଏଭଳି ବେକାର କାମରେ ନ ମାତିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ପ୍ରଖ୍ୟାତ ଅଭିନେତା ନାସିରୁଦ୍ଦିନ ଶାହଙ୍କ ପ୍ରେରଣା ଓ ନିସର୍ତ୍ତ ସମର୍ଥନ ସେମାନଙ୍କ ଉତ୍ସାହକୁ ବହୁଗୁଣିତ କରିଥିଲା। ଏହି ପ୍ରକଳ୍ପ ଉପରେ ମତ ରଖି ନାସିରୁଦ୍ଦିନ କୁହନ୍ତି, “ ଏହି ବୃତ୍ତଚିତ୍ର ସହ ମୋର ସମ୍ପୃକ୍ତିକୁ ବଢାଇ ଚଢାଇ କହିବାର କିଛି ଆବଶ୍ୟକତା ନାହିଁ। ଉତ୍ତରାଖଣ୍ଡ ବିପତ୍ତି ଭଳି ବିପର୍ଯ୍ୟୟକୁ ଭବିଷ୍ୟତରେ ରୋକିବା ପାଇଁ ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ। ଆମେ ପରିବେଶର ଯେଉଁ କ୍ଷତି କରୁଛେ ତାକୁ ସମ୍ପୂର୍ଣ୍ଣ ସୁଧାରିବା କଷ୍ଟ। ସେଥିପାଇଁ, ଅନ୍ତତଃ ଆମେ କିଛିଟା ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ।“

ନାସିରୁଦ୍ଦିନ ଶାହ

ନାସିରୁଦ୍ଦିନ ଶାହ


ଏହି ପ୍ରକଳ୍ପରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ସାଧୁବାଦ ଦିଅନ୍ତି ମାର୍ତ୍ତଣ୍ଡ ଓ ବଲ୍ଲି। ଭବିଷ୍ୟତରେ ସରକାରୀ ନୀତି ନିର୍ଦ୍ଧାରକମାନଙ୍କୁ ଏହି ବୃତ୍ତଚିତ୍ର ଦେଖାଇବା ପାଇଁ ଉଭୟ ଲକ୍ଷ୍ୟ ରଖିଛନ୍ତି। ଏହା ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଗ୍ରାମୀଣ ସମସ୍ୟା ସହ ପରିଚିତ କରାଇବ ଓ ପରିବେଶ ସଂରକ୍ଷଣକୁ ଆମ ଦୈନନ୍ଦିନ ଜୀବନର ଅଙ୍ଗ କରି ପାରିବ ବୋଲି ଉଭୟ ଆଶା ରଖିଛନ୍ତି।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags