ପରିଣାମ କିପରି ଅତିଗରିବ ମାନଙ୍କୁ ସହାୟତା କରୁଛି

12th Oct 2015
  • +0
Share on
close
  • +0
Share on
close
Share on
close

ମୁଁ ଯେତେବେଳେ ସାକ୍ଷାତକାର ପାଇଁ ପହଞ୍ଚେ , ସେତେବେଳେ ମଲ୍ଲିକା ଘୋଷ ତାଙ୍କର ବିଶାଳ ଓ ସୁନ୍ଦର ଟେବୁଲଟିର ପାଖେ ବସିଥାନ୍ତି । ଟେବୁଲ ଉପରେ ବିଭିନ୍ନ କାଗଜପତ୍ର ଓ ଅନ୍ୟାନ୍ୟ ସାଜସରଂଜାମ। କଥାବାର୍ତ୍ତାରୁ ଜାଣିଲି ଯେ ତାଙ୍କର ମା ଏଲିନା ଘୋଷ ଯେ କି ପରିଣାମର ପ୍ରତିଷ୍ଠାତ୍ରୀ ଏଇ ଟେବୁଲଟି ତିଆରି କରେଇଥିଲେ ।ଏଲିନା ୨୦୧୩ ନଭେମ୍ବର ରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ଆଗରୁ ପରିଣାମ ସଂସ୍ଥାଟି ମା ଝିଅଙ୍କ ଗତିଶୀଳ ଯୋଡି ଦ୍ଵାରା ଚାଲୁଥିବାବେଳେ ଏବେ ମଲ୍ଲିକାହିଁ ଏହାର ଏକମାତ୍ର ପରିଚାଳିକା। ସେ ମାନନ୍ତି ଯେ କାମଟି ଖୁବ କଠିନ କିନ୍ତୁ କାମଟିପ୍ରତି ତାଙ୍କର ତୀବ୍ର ଭଲପାଇବା ତାଙ୍କୁ ଏଇ ଫରକଟି ଅନୁଭବ କରିବାକୁ ଦେଇନାହିଁ।

ମଲ୍ଲିକା ଘୋଷଙ୍କର ଶିକ୍ଷା ଇଂଲଣ୍ଡର ବୋର୍ଡିଙ୍ଗ ସ୍କୁଲରେ ଓ ଆମେରିକାର ବିଶ୍ଵବିଦ୍ୟାଳୟରେ ହେଲା। ସବୁକିଛି ଛାଡି ସାମାଜିକ କ୍ଷେତ୍ରରେ କାମକରିବା ପୂର୍ବରୁ ସେ ମେକନ ଏରିକ୍ସନ ରେ ଦକ୍ଷିଣ ଭାରତୀୟ ସିନେମାର ମୁଖ୍ୟ ଥିଲେ। ତାଙ୍କର ବାପା ୨୦୦୫ରେ ପ୍ରସିଦ୍ଧ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଉଜ୍ଜୀବନ ପ୍ରତିଷ୍ଠା କରିଥିଲେ। ପରିଣାମ ପ୍ରତିଷ୍ଠା ପଛରେ ମୂଳତଃ ଏହି ବିଚାର ଥିଲା ଯେ କେବଳ ଆର୍ଥିକ ସହାୟତା ଗରିବକୁ ସାହାଯ୍ୟ କରିପାରେନା। ଦାରିଦ୍ର୍ୟ ବିଭିନ୍ନ ରୂପରେ ପ୍ରକଟିତ ହୁଏ। ପରିଣାମ ସ୍ୱାସ୍ଥ୍ୟସେବା,ଶିକ୍ଷା ଏବଂ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସେବା ପ୍ରଦାନ କରିଥାଏ ଯାହାକି ଦାରିଦ୍ର୍ୟ ଦୂରୀକରଣରେ ପ୍ରକୃତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତା ପରଠାରୁ ପରିଣାମ ଦୀର୍ଘପଥ ଅତିକ୍ରମ କରି ନିଜକୁ ଉଜ୍ଜୀବନର ହିତାଧିକାରୀବର୍ଗଙ୍କ ପରିସୀମାଠାରୁ ଯଥେଷ୍ଟ ଅଧିକ ସମ୍ପ୍ରସାରିତ କରିପାରିଛି। ବିଶେଷତଃ ଏହାର ମୁଖ୍ୟ ଅତିଗରିବ କାର୍ଯ୍ୟକ୍ରମ ସହରର ଅତିଗରିବ ଯେଉଁମାନେ କି ମାଇକ୍ରୋ ଫାଇନାନ୍ସ ପାଇଁ ସୁଦ୍ଧା ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ, ସେମାନଙ୍କ ଉପରେ କେନ୍ଦ୍ରିତ ହୋଇଥାଏ।

ଗୋଟିଏ ସଫଳ କମ୍ପାନୀ ଚାକିରୀ ଛାଡି ସାମାଜିକ କାର୍ଯ୍ୟରେ ପୂର୍ଣ୍ଣ ସମୟ ଦେବା ଉପରେ

image


ମୁଁ ଟିଭି ଓ ସିନେମାର ପରମ ଭକ୍ତ। ପିଲାବେଳୁ ମୁଁ ଭାବିଥିଲି ଯେ ମୋ ପାଇଁ ବୃତ୍ତି ହିସାବରେ ସିନେମା ହିଁ ସର୍ବୋତ୍ତମ ହେବ। ମୁଁ ସିନେମା ଅଧ୍ୟୟନ କଲି ଓ ତା’ପରେ ଭାରତ ଫେରି ଆସି ସାତବର୍ଷ ବିଜ୍ଞାପନ କ୍ଷେତ୍ରରେ କାମ କଲି। ତା’ପରେ ମୋର କିଛିଟା ମୋହଭଙ୍ଗ ହେଲା। ମୋ ବାପା ମା’ ପରିଣାମ ଓ ଉଜ୍ଜୀବନ ଆରମ୍ଭ କରିଥାନ୍ତି। ଏ ପଟେ ଆମେ ତିରିଶ ସେକେଣ୍ଡର ବିଜ୍ଞାପନ ସିନେମାରେ ଲକ୍ଷ ବା କୋଟି ଆକାରରେ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆମର ଗ୍ରାହକମାନଙ୍କୁ ସେମାନଙ୍କର ଆଶାନୁରୂପ ସନ୍ତୋଷ ଦେଇ ପାରୁ ନ ଥାଉ। ଯେତେବେଳେ ମୁଁ ଘରକୁ ଯାଏ ଓ ମା’ ବାପାଙ୍କର କଥାବାର୍ତ୍ତା ଶୁଣେ ସେମାନେ କିପରି ମହିଳାମାନଙ୍କୁ ସାହାଯ୍ୟ କରୁଛନ୍ତି ଓ ଶିଶୁମାନଙ୍କୁ ଶିକ୍ଷା ଦେଉଛନ୍ତି ; ଏବଂ ସ୍ୱାସ୍ଥ୍ୟସେବା ଓ ଅର୍ଥନୈତିକ ସାକ୍ଷରତା କ୍ଷେତ୍ରରେ କିପରି ବିସ୍ମୟଜନକ ଅଗ୍ରଗତି ହାସଲ କରୁଛନ୍ତି ତଥା ମୋଟ ଉପରେ ସେମାନେ କେତେ ମହାନ କାମ କରୁଛନ୍ତି ସେତେବେଳେ ତୁଳନା କଲେ ଆମ କାମ କେତେ ତୁଚ୍ଛ ଲାଗୁଥିଲା। ମୁଁ କେତୋଟି କ୍ଷେତ୍ର ପରିଦର୍ଶନକରିବାକୁ ଗଲି ଓ ଯେଉଁ ସକାରାତ୍ମକ ପରିବର୍ତ୍ତନ ଗୁଡିକ ହେଉଥିଲା ତାହା ନିଜେ ଉପଲବ୍ଧି କରିପାରିଲି। ମୋତେ ଶିଶୁମାନେ ସବୁବେଳେ ଭଲ ଲାଗନ୍ତି। ମୁଁ ପଶୁମାନଙ୍କୁ ବି ଭଲ ପାଏ। ତେଣୁ ମୁଁ ସ୍ଥିର କଲି ଯେ ଏଇ କାମ ଛାଡି ଆଉ କିଛି କରିବି। କିନ୍ତୁ ମୋର ପ୍ରଥମ ପସନ୍ଦ ଉଜ୍ଜୀବନ ବା ପରିଣାମ ନ ଥିଲା। ମୁଁ ଶିଶୁମାନଙ୍କ ସହିତ କିଛି କରିବାକୁ ଭାବିଲି ଓ ଗୋଟିଏ ନର୍ସରୀ ସ୍କୁଲରେ ଦୁଇ ସପ୍ତାହ ପଢାଇଲି। କିନ୍ତୁ ଖୁବ ଶୀଘ୍ର ଚିରାଚରିତ ସିଲାବସ ଦ୍ଵାରା ମୋର ଆଗ୍ରହ ରେ ଭଟ୍ଟା ପଡିଗଲା ଓ ମୋତେ ଅନୁଭବ ହେଲା ଯେ ଏଥିରେ ମୁଁ କୌଣସି ବାଟରେ ଅଧିକ କିଛି ଯୁକ୍ତ କରି ପାରୁନି। ଛୋଟ ପିଲାମାନଙ୍କୁ ନେଇ କାମ କରୁଥିବା କେତୋଟି ଏନଜିଓ ଉପରେ ମୁଁ ଗବେଷଣା କଲି । କିନ୍ତୁ କିଛି ବି ମୋତେ ଆକର୍ଷିତ କଳା ନାହିଁ। ବାପା କହିଲେ, ଦେଖ ତୋ ମା’ର ତ ଗୋଟିଏ ଏନଜିଓ ଅଛି। ଟିକେ ପରୀକ୍ଷା କରି ଦେଖୁନୁ? ମା’ ମୋତେ ଜଣେ ଶିକ୍ଷାନବୀଶ ଭାବରେ ନିଯୁକ୍ତି ଦେଲେ, ଯଦିଓ ସାତବର୍ଷ କାମ କରିଥିବା ହେତୁ ମୁଁ ନିଜକୁ ଜଣେ କନସଲଟାଣ୍ଟ ବୋଲି କହିବାକୁ ଚାହୁଁଥିଲି! ମୁଁ ତାଙ୍କ ସହିତ ପ୍ରାୟ ତିନି ମାସ କାମ କଲି । ସେ ବି ମୋତେ କେତେଗୁଡିଏ ଭଲ ପ୍ରୋଜେକ୍ଟ ଦେଲେ ଯାହାକି ମୋତେ ଭଲ ଲାଗିବ। ମୁଁ ଗୋଟିଏ ଅର୍ଥନୈତିକ ସାକ୍ଷରତା କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲି। ସେ ମୋତେ ଆମର ପ୍ରଥମ ଗ୍ରୀଷ୍ମ ଶିବିରଟି ସମ୍ଭାଳିବାକୁ ଦେଲେ କାରଣ ସେ ଜାଣିଥିଲେ ଯେ ଛୁଆମାନେ ମୋତେ କେତେ ଭଲ ଲାଗନ୍ତି। ବାସ ତା’ପରେ ତ ମୁଁ ଅଠାକାଠିରେ ପଡିଗଲି। ଆଉ ବିଜ୍ଞାପନ ଲାଇନକୁ ଫେରିଯିବାକୁ ଚାହିଁଲିନି। ମୁଁ କିଛି ସାର୍ଥକତା ପୂର୍ଣ୍ଣ କାର୍ଯ୍ୟ କରିବାକୁ ଚାହିଁ ବସିଲି।

ପରିଣାମ କିପରି ନିଜର ପୋଷଣ ନିଜେ କରିପାରୁଛି

ଆମେ ପଚିଶଟି ପଞ୍ଜୀକୃତ ଏନଜିଓ ଗୋଟିଏ ଅଂଶର ଅନ୍ତର୍ଭୁକ୍ତ। ନିର୍ଦ୍ଦିଷ୍ଟ ଭାବେ ଆମର ଚାରୋଟି ସଂସ୍ଥା କେବଳ ଅନୁଦାନ ଓ ଅର୍ଥପ୍ରଦାନ କାର୍ଯ୍ୟ କରିଥାନ୍ତି। ଆମର ମୁଖ୍ୟ ଦାତାମାନେ ହେଲେ ମାଇକେଲ ଏଣ୍ଡ ସୁସାନ ଡେଲ ଫାଉଣ୍ଡେସନ ,ସିଟି ଫାଉଣ୍ଡେସନ,ଏଚ ଏସ ବିସି ବ୍ୟାଙ୍କ,ଏବଂ ସହୃଦୟ ବ୍ୟକ୍ତିବିଶେଷ ପୃଷ୍ଠପୋଷକମାନେ । ଗତ କିଛି ବର୍ଷ ଧରି ଏନଜିଓ ହିସାବରେ ଆମେ ବେଶ କିଛି ସୁନାମ ଅର୍ଜ୍ଜନ କରିପାରିଛୁ। ପଇସାପତ୍ର ବ୍ୟାପାରରେ ଆରମ୍ଭରୁ ମୁଁ ବହୁତ କଡା। ଆମେ ଏହା ନିଶ୍ଚିତ କରୁ ଯେପରି ପ୍ରଶାସନିକ କ୍ଷେତ୍ରରେ ନ୍ୟୁନତମ ପରିମାଣ ଅର୍ଥ ଖର୍ଚ୍ଚ ହୋଇ ସିଂହ ଭାଗ ହିତାଧିକାରୀ ମାନଙ୍କପାଇଁ ସୁରକ୍ଷିତ ରହିବ। ଆମେ ହିତାଧିକାରୀ ମାନଙ୍କଠାରୁ ଫିସ ବା ଅନ୍ୟାନ୍ୟ ରକମର କୌଣସି ଅର୍ଥ ଆଦାୟ କରୁନା।

ଆମର ଉଜ୍ଜୀବନ ସହିତ ସହଯୋଗିତା ରହିଛି। ଯଦିଓ ଆମକୁ ଉଜ୍ଜୀବନରୁ କୌଣସି ଅର୍ଥ ସହାୟତା ମିଳେ ନାହିଁ, ଉଜ୍ଜୀବନର ଦ୍ଵାର ଆମ ପାଇଁ ସବୁବେଳେ ଖୋଲା। ଏହାର ନିପୁଣ କର୍ମକର୍ତ୍ତାମାନଙ୍କର ସହାୟତା ଆମକୁ ସର୍ବଦା ମିଳିପାରେ , ତେଣୁ ଆମ ମନରେ ଏକ ଆତ୍ମବିଶ୍ଵାସ ଥାଏ ଯେ ଆମେ ନିଜ ଗୋଡରେ ଠିଆ ହୋଇ ପାରିବୁ।

ପରିଣାମର ଦାୟିତ୍ଵ ନେଲାପରେ ବିଭିନ୍ନ ବାଧାବିଘ୍ନ ଓ ଚ୍ୟାଲ୍ଲେଞ୍ଜର ସାମ୍ନା

ପ୍ରଥମ ବିଘ୍ନ ସାମନାକରିବାକୁ ପଡିଥିଲା ପଞ୍ଜୀକରଣସମୟରେ। ତା’ପରେ ଏଫସିଆରଏ ମଞ୍ଜୁରୀ ମିଳିବା ଗୋଟିଏ ବଡ ବ୍ୟାପାର ହୋଇଥିଲାକାରଣ ସେମାନେ ବେଶ କିଛି ଲାଞ୍ଚ ଚାହିଁ ଥିଲେ। ମା’ କିନ୍ତୁ ତାଙ୍କ ଜୀବନକାଳ ମଧ୍ୟରେ କେବେବି ଲାଞ୍ଚ ଦେଇ ନଥିଲେ। ଆମକୁ ଏଫସିଆରଏପାଇବା ପାଇଁ ତିନି ବର୍ଷ ଲାଗିଗଲା। ତେଣୁ ଗୋଟିଏ ଅଫିସ କରିବା ବି ବେଶ କଷ୍ଟକର ଥିଲା। ମୁଁ ଜଣେ କନସଲଟାଣ୍ଟ ଭାବେ ପରିଣାମରେ ଯୋଗ ଦେଇଥିଲି। ଛଅ ମାସ ପରେ ମା’ ମୋତେ ଏହାର ସଂଚାଳନ ଦାୟିତ୍ଵ ଦେଲେ ଯାହା ମୁଁ ଗତ ଚାରି ବର୍ଷ ଧରି କରି ଆସୁଛି। ସେ ଏହାର ଆର୍ଥିକ କାରବାର ,ରିପୋର୍ଟ ଲେଖା ,ଗ୍ରାଣ୍ଟ ପାଇବା,ଯୋଜନା ପ୍ରସ୍ତୁତ କରିବା ଇତ୍ୟାଦିର ଭାର ନେଇଥିଲେ। ଆମେ ଦୁଇ ଜଣ ଏହାର ରୂପରେଖ ପ୍ରସ୍ତୁତି ଦିଗରେ କାମ କଲୁ। ଯେତେବେଳେ ମୁଁ ପ୍ରଥମେ ଯୋଗ ଦେଇଥିଲି ସେତେବେଳେ କେବଳ ସ୍ୱାସ୍ଥ୍ୟ ଶିବିର ଓ କିଛି ଶିକ୍ଷା କାର୍ଯ୍ୟକ୍ରମ କରା ଯାଉଥିଲା।ଆମର ବର୍ତ୍ତମାନ ଗ୍ରୀଷ୍ମକାଳୀନ ଶିବରମାନ ହେଉଛି ଏବଂ ଗୋଟିଏ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କରାଯାଉଛି ଯେଉଁଥିରେ ଗ୍ରାହକ ସଂଖ୍ୟା ଏକ ଲକ୍ଷ ତିରିଶ ହଜାର ଛୁଇଁ ପାରିଛି। ଆମେ ଏହି କାର୍ଯ୍ୟକ୍ରମ ଜରିଆରେ ପଚାଶ ହଜାର ବ୍ୟାଙ୍କ ଖାତା ଖୋଲି ପାରିଛୁ। ଆମର ପୁରସ୍କୃତ ହୋଇଥିବା ସହରୀ ଅତିଦରିଦ୍ର କାର୍ଯ୍ୟକ୍ରମ (Urban Ultra Poor program) ତିରିଶଟି ପରିବାରରୁ ଆରମ୍ଭ ହୋଇ ସାତଶହ ପରିବାର ପର୍ଯ୍ୟନ୍ତ ପହଞ୍ଚି ପାରିଛି। ମୁଁ ଏହି ଆଖିଦୃଶିଆ ସଫଳତାର ଏକ ଅଂଶ।

ଚ୍ୟାଲେଞ୍ଜଟି ଆସିଲା ମା’ ଗତ ବର୍ଷ ନଭେମ୍ବରରେ ଚାଲିଯିବାପରେ । ତା’ପରେ ମୋତେ ସବୁ ଦାୟିତ୍ଵ ନେବାକୁ ହେଲା। ମା’ଙ୍କର ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟକର ଥିଲା;ବିଶେଷତଃ ଆର୍ଥିକ ଦିଗଟି ସମ୍ଭାଳିବା, ଅର୍ଥପ୍ରଦାନକାରୀ ସଂସ୍ଥାମାନଙ୍କ ସହିତ କଥା ହେବା ତଥା ଗ୍ରାଣ୍ଟ ଓ ଡୋନେସନ ଇତ୍ୟାଦି ଉପରେ ନିଘା ରଖିବା। ଆମେ ସାଢେ ଚାରି ବର୍ଷଧରି ଗୋଟିଏ ଟିମ ଥିଲୁ। ମୋ ପାଖରେ ଖୁବ ଭଲ କର୍ମକର୍ତ୍ତା ଅଛନ୍ତି କିନ୍ତୁ ସେ ପାଖରେ ନ ଥିବା ହେତୁ ନିଃସଙ୍ଗ ଲାଗେ।

image


ଚ୍ୟାଲେଞ୍ଜଗୁଡିକ ସବୁବେଳେ କଠିନ ଯେତେବେଳେ ତମେ ଆରମ୍ଭ କର। ଚ୍ୟାଲେଞ୍ଜଗୁଡିକର କଠିନତା ଉପରେ ନିର୍ଭର କରେ ତାହାକୁ ଅତିକ୍ରମ କରିବାର ସମୟ। କିନ୍ତୁ ତମେ ଯେତେବେଳେ ତା’ର ଗତିକୁ ନିରୀକ୍ଷଣ କରି ଶିଖିବାକୁ ଆରମ୍ଭ କର ସେତେବେଳେ ହିଁ ତମେ ଅଧିକରୁ ଅଧିକ ଦୃଢ ଓ ସମର୍ଥ ହୋଇପାର। ସେହି ମୁହୂର୍ତ୍ତରେ ପରିସ୍ଥିତିକୁ ମୁଁ ଠିକ ସେହିଭଳିହିଁ ଦେଖିଥିଲି।

ଦୀକ୍ଷା : ପରିଣାମର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ଅର୍ଥର ମୂଳକଥା ଜାଣିବା ହେଉଛି ଆର୍ଥିକ ସାକ୍ଷରତା । ତମେ ଯେତେବେଳେ ଛୋଟ ଥିଲ ସେତେବେଳେ ତମର ପିତାମାତା ତମକୁ ବ୍ୟାଙ୍କ ଖାତା ଖୋଲିବା ଓ ପଇସା ସଞ୍ଚୟ କରିବା ଶିଖାଇଥିଲେ। ମୁଁ ଭାବେ ଯେ ଦୀକ୍ଷା ଏତେ ସଫଳ ହେବାର ମୂଳରେ ଅଛି ଆମେ ଏହାର ମୂଳତତ୍ତ୍ଵ ଉପଲବ୍ଧି କରାଇବା ସହିତ ଏହାକୁ ବାସ୍ତବ ଜୀବନରେ କିପରି ପ୍ରୟୋଗ କରିବ ଶିକ୍ଷା ଦେଇଥାଉ। ଆମେ ଏହାକୁ ସ୍ଵାଭାବିକ ଭାବେ ଜାଣିଥିଲୁ ଯେତେବେଳେ ବାପା ମା ଆମକୁ ପକେଟଖର୍ଚ୍ଚ ଦେଉଥିଲେ। ଯେତେବେଳେ ଆମେ କିଛି ଜିନିଷ କିଣିବାକୁ ଚାହୁଁଥିଲୁ ସେତେବେଳେ ଆମକୁ କୁହାଯାଉଥିଲା କି ସେହି ପଇସାଟା ସଞ୍ଚୟକରି କିଣ। ଆମେ ଏହିପରି ସଞ୍ଚୟ କରିବା ଶିଖୁ। ମୋର ମନେ ଅଛି ଯେତେବେଳେ ମୁଁ ମୋର ପ୍ରଥମ ବ୍ୟାଙ୍କଖାତା ଖୋଲିଲି କେତେ ଡରି ଯାଇଥିଲି। ମୁଁ ଜଣେ ଶିକ୍ଷିତ ବ୍ୟକ୍ତି, ପୁଣି ମୁଁ ଇଂଲଣ୍ଡର ବୋର୍ଡିଙ୍ଗ ସ୍କୁଲରେ ପାଠ ପଢିଛି ତଥାପି ମୁଁ ଯେତେବେଳେ ବ୍ୟାଙ୍କର କାଚ ଘର ଭିତରକୁ ଯାଏ ଆଉ ସେମାନେ କିଛି ଡକ୍ୟୁମେଣ୍ଟ ମାଗନ୍ତି, ମୁଁ ଡରିଯାଏ । ମୋ ମା'ଙ୍କୁ ମୋ ସହିତ ବ୍ୟାଙ୍କ ଆସି ମୋତେସେସବୁ ଶିଖାଇବାକୁ ପଡୁଥିଲା। ମୁଁ ଯେତେବେଳେ ମୋର ଏଟିଏମ କାର୍ଡ ପାଇଲି ସେତେବେଳେ ସାହସ ସଞ୍ଚୟ କରି ମେସିନ ପାଖକୁ ଯାଇ ତାକୁ ପରୀକ୍ଷା କରିବା ପାଇଁ ମୋତେ ଗୋଟିଏ ମାସ ଲାଗିଗଲା। ସେହି ଶୈଶବର ଚଲାପଥରେ ତମର ପିତାମାତା ତମକୁ ଶିଖାନ୍ତି, ସହାୟତା କରନ୍ତି।

କିନ୍ତୁ ଅତି ଗରିବ ବସ୍ତିର ଲୋକମାନଙ୍କର ପଇସା ପ୍ରତି ଏହି ଆଭିମୁଖ୍ୟ ନାହିଁ। ସେମାନେ ଅତ୍ୟନ୍ତ ଅନିୟମିତ ଭାବେ ରୋଜଗାର କରନ୍ତି, ପ୍ରାୟ କିଛି ବି ସଞ୍ଚୟ କରନ୍ତି ନାହିଁ। ବଞ୍ଚି ରହିବାର ନ୍ୟୁନତମ ଆବଶ୍ୟକତା ବାହାରେ ଆଉ କିଛି ପାଇଁ ସେମାନେ ପଇସା ରଖନ୍ତି ନାହିଁ। ଆମେ ସେମାନଙ୍କୁ ସରଳ ସଂଖ୍ୟା ଜ୍ଞାନ ଦେଉ ଓ ସେମାନେ କିପରି ତାଙ୍କର ଖର୍ଚ୍ଚର ହିସାବ ରଖିବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସେମାନେ କରଜ କଲାବେଳେ କିପରି ତାଙ୍କର ଆୟର ସୀମା ମଧ୍ୟରେ କରିବେ ତାହା ତାଲିମ ଦେଉ।କାରଣ ଅତି ଗରିବଙ୍କ ପାଇଁ କରଜର ଯନ୍ତା ସବୁଠାରୁ ଭୟଙ୍କର ହୋଇଥାଏ। ଆଜି ଆମେ ଦେଶର ଷୋହଳଟି ପ୍ରଦେଶରେ କାର୍ଯ୍ୟରତ ଏବଂ ହଜାର ସଂଖ୍ୟାରେ ଗ୍ରାହକମାନଙ୍କୁ ସୁଗମ ଆର୍ଥିକ ପରିଚାଳନାରେ ତାଲିମ ଦେଇ ପାରିଛୁ।

ଅତି ଗରିବ କାର୍ଯ୍ୟକ୍ରମ ସମ୍ବନ୍ଧରେ

ଅତି ଗରିବ କାର୍ଯ୍ୟକ୍ରମଟି ମୋ ମା’ଙ୍କର ମସ୍ତିଷ୍କ ପ୍ରସୂତ। ସେ ଥିଲେ ବହୁମୂଖୀ ଦକ୍ଷତା ସମ୍ପନ୍ନ ଜଣେ ମହିଳା । ସ୍ନାତକ ସମୟରେ ସେ ଇଂରାଜୀ ଓ ମନସ୍ତତ୍ଵ ଅଧ୍ୟୟନ କଲେ ଏବଂ ତା’ପରେ ସିଟି ବ୍ୟାଙ୍କରେ ଜଣେ ଆର୍ଥିକ ବିଶ୍ଳେଷକ ରୂପେ କାମ କରି ତାଙ୍କର ପେଷା ଆରମ୍ଭ କରିଥିଲେ। ବିବାହ ପରେ ସେ ଟିକିଏ ବିରତି ନେଲେ।୧୯୯୬ରେ ଆମେ ମଧ୍ୟ ପ୍ରାଚ୍ୟରୁ ଭାରତ ଫେରିଆସିଲୁ। ମୋ ବାପା ମା’ ବାଙ୍ଗାଲୋରରେ କିଛି ଜମି କିଣିଥିଲେ । ମା’ଙ୍କର ଦାୟିତ୍ଵ ଥିଲା ଘରଟିଏ ତିଆରି କରିବା । ଘରକାମ ତଦାରଖ କଲାବେଳେ ମା’ଙ୍କ ନଜରରେ ପଡିଲା ଠିକାଦାରମାନେ ଶ୍ରମିକମାନଙ୍କୁ କିପରି ଶୋଷଣ କରୁଥିଲେ। ସେ ଯେତେବେଳେ ପରିଣାମ ଆରମ୍ଭ କଲେ ଏଇଭଳି ଅତିଶୟ ଗରିବ ଲୋକଙ୍କ ଉପରେ ଧ୍ୟାନ ଦେବେ ବୋଲି ଚିନ୍ତା କଲେ।

ପ୍ରକୃତରେ ଏହି ‘ଅତିଗରିବ’ ମାନେ ଏତେ ଗରିବ ଯେ ଏମାନେ ମାଇକ୍ରୋ ଫାଇନାନ୍ସ ପାଇଁ ମଧ୍ୟ ଯୋଗ୍ୟ ହୋଇ ପାରିବେନି। ସେମାନଙ୍କର ମୁଣ୍ଡପିଛା ମାସିକ ଆୟ ପନ୍ଦରଶହ ଟଙ୍କାରୁ କମ। ସେମାନଙ୍କ କୁଡିଆରେ ନା ଅଛି ବିଜୁଳି ନା ପାଣି। କିଛି ବସ୍ତିବାସିନ୍ଦାଙ୍କୁ ନିକଟବର୍ତ୍ତୀ ଘରମାନଙ୍କରୁ ପାଣି ମାଗିବାକୁ ପଡେ।ଛୋଟ ପିଲାମାନେ କ୍ଵଚିତ ସ୍କୁଲ ଯାଆନ୍ତି। ଆମେ ଯେତେବେଳେ ପ୍ରଥମେ ବସ୍ତିଗୁଡିକ ଭିତରକୁ ଗଲୁ ଓ ପଚାରିଲୁ ଯେ, ପିଲାମାନେ କାହିଁକି ସ୍କୁଲ ଯାଉନାହାନ୍ତି, ସେମାନଙ୍କ ବାପାମା’ ମାନେ କହିଲେ ,“କାହିଁକି ଯିବେ?”ଆମେ ଅନେକ ଅତି ଗରିବ କାର୍ଯ୍ୟକ୍ରମ ଅଧ୍ୟୟନ କଲୁ। ସେ ଭିତରୁ ଅଧିକାଂଶ ଜନସଂଖ୍ୟା ଆଧାରିତ ଥିଲେ। ଆମେ ଧ୍ୟାନ କେନ୍ଦ୍ରିତ କଲୁ କିପରି ସହରୀ ଅତିଗରିବଙ୍କର ଜୀବନ ଓ ଜୀବିକାରେ ଗୁଣାତ୍ମକ ପରିବର୍ତ୍ତନ ଆଣିହେବ ଓ ସେମାନଙ୍କୁ ମାଇକ୍ରୋ ଫାଇନାନ୍ସ ପାଇଁ ଯୋଗ୍ୟ କରିହେବ। ସଂପୂର୍ଣ୍ଣ ପରିବାରକୁ ସାମଗ୍ରୀକ ଦୃଷ୍ଟିକୋଣରୁ ଏକ ୟୁନିଟ ଭାବେ ରଖି କାମ କରିବା କ୍ଷେତ୍ରରେ ଆମର କାର୍ଯ୍ୟକ୍ରମ ସର୍ବପ୍ରଥମ ଥିଲା। ଆମେ ଧ୍ୟାନ ଦେଲୁ କିପରି ପରିବାରର ବାପାମା’ ମାନେ ହାଉସକୀପର,ପନିପରିବା ଭେଣ୍ଡର ଓ ସିଲେଇ ଇତ୍ୟାଦି କାମରେ ନିଯୁକ୍ତ ହୋଇପାରିବେ। ଆମେ ନିଶ୍ଚିତ କଲୁ ଯେପରି ସାମୟିକ କାମ ପରିବର୍ତ୍ତେ ସେମାନେ ଅନ୍ତତଃ ସପ୍ତାହରେ ଛଅ ରୁ ସାତ ଦିନ କାମ କରିବେ। ଆମ ପାଖରେ ଏକ ପ୍ରାଥମିକତା ଥିଲା ପିଲାମାନଙ୍କୁ ସ୍କୁଲ ପଠାଇବା। ଜୀବିକାରେ ପରିବର୍ତ୍ତନ ସହିତ ଆର୍ଥିକ ସାକ୍ଷରତା ତାଲିମ ଫଳରେ ସେମାନେ ନିଜର ଆର୍ଥିକ ସମସ୍ୟାର ସମାଧାନ କରିବା ସଙ୍ଗେ ସଙ୍ଗେ ଜୀବନଧାରଣ ମାନରେ ଉଲ୍ଲେଖଯୋଗ୍ୟ ଉନ୍ନତି ଆଣି ପାରିଲେ। ତାଙ୍କ ମଧ୍ୟରୁ ଅଧିକାଂଶ ମାଗଣା ସାର୍ବଜନୀନ ଚିକିତ୍ସାସୁବିଧା କିପରି ପାଇହୁଏ ଜାଣି ନ ଥିଲେ ଯଦିଓ ସେମାନେ ଏଥିପାଇଁ ଯୋଗ୍ୟ ଥିଲେ। ଆମେ ଏ ବିଷୟରେ ସଚେତନତାର ପ୍ରସାର କଲୁ, ଏବଂ ନିଶ୍ଚିତ କଲୁ ଯେପରି ସେମାନେ ତାଙ୍କର କଷ୍ଟଲବ୍ଧ ସଞ୍ଚୟ ଗୋଟିଏ ଥର ଡାକ୍ତର ଦେଖାଇବାରେ ସାରିବେ ନାହିଁ।

ଏହି ଅତିଗରିବଙ୍କ ପାଖେ କିଛି ଡକ୍ୟୁମେଣ୍ଟ ନ ଥାଏ, ନା ପରିଚୟ ପତ୍ର,ନା ଠିକଣାର ପ୍ରମାଣ ବା ଜନ୍ମ ସାର୍ଟିଫିକେଟ । ସେମାନଙ୍କର ଏହି କାଗଜପତ୍ର ପାଇବା ପାଇଁ ଆମେ କାମ କଲୁ। ଆମେ କିଛି ଟିଉସନ କେନ୍ଦ୍ର ଖୋଲିଲୁ କାହିଁକିନା ଆମର ମନେ ହେଲା ସେମାନଙ୍କ ଭିତରେ ପଢିବାକୁ ଚାହୁଁଥିବା କିଛି ବୁଦ୍ଧିମାନ ପିଲା ଅଛନ୍ତି କିନ୍ତୁ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଥମେତ ପିଲାମାନଙ୍କର ମା’ବାପା ମାନେ ସେମାନଙ୍କର ଆମ ଶିକ୍ଷା ଯୋଜନାରେ ସାମିଲ ହେବା ବିରୁଦ୍ଧରେ ଥିଲେ । କିନ୍ତୁ ଛୋଟପିଲାମାନେ ଯେତେବେଳେ ଘରକୁ ଯାଇ ସଗର୍ବେ ଏ, ବି, ସି, ଡ଼ି ଆବୃତ୍ତି କରି ଶୁଣାଇଲେ ମା’ବାପା ମାନେବି ବହୁତ ଖୁସି ହୋଇଗଲେ। ସେହି ଟିଉସନ କେନ୍ଦ୍ର ଗୁଡିକରୁ ପିଲା ନେଇ ଆମେ ଖୁବ ଭଲ ସ୍କୁଲ ଯଥା କ୍ରିଷ୍ଟାଲ ହାଉସ,ଇଣ୍ଡସ କମ୍ୟୁନିଟି ସ୍କୁଲ ,ହୋପ ଫାଉଣ୍ଡେସନ ,ଏବଂ ବିଲଡିଙ୍ଗ ବ୍ଲକସ ଇତ୍ୟାଦିରେ ଛାଡିଲୁ । ଶ୍ରେଣୀ କକ୍ଷରେ ଲାପଟପ, ସନ୍ତରଣ , ଘୋଡାଚଢା ଓ ଅନ୍ୟାନ୍ୟ ଆଧୁନିକ ସୁବିଧା ଥାଇ ଏହି ସ୍କୁଲଗୁଡିକ ପ୍ରକୃତରେ ଚମତ୍କାର।

image


ସେମାନେ ସ୍ୱଳ୍ପ ଫିସ ନେଇ ଅତିଗରିବ ଶିଶୁମାନଙ୍କୁ ଅତି ଉତ୍ତମ ମାନର ଶିକ୍ଷା ଦିଅନ୍ତି। ସେତିକି ବି ସେମାନଙ୍କ ମା’ବାପା ଦେଇ ପାରନ୍ତି ନାହିଁ।

ତେଣୁ ଆମେ ସେମାନଙ୍କ ଶିକ୍ଷା ବ୍ୟକ୍ତିଗତପୃଷ୍ଠପୋଷକତା ମାଧ୍ୟମରେ ପ୍ରାୟୋଜିତ କଲୁ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି କାମରେ ଅର୍ଥ ସହାୟତା କରିବାକୁ ଆଗେଇ ଆସନ୍ତି । ସେମାନେ ଗୋଟିଏ ପିଲାର ଶିକ୍ଷାରେ ସାହାଯ୍ୟ କଲେ ବୋଲି ଗଭୀର ଆତ୍ମସନ୍ତୋଷପାଇଥାନ୍ତି।

ମା’ ସବୁବେଳେ କହୁଥିଲେ ଆମେ ସ୍ଵାସ୍ଥ୍ୟସେବା ଓ ଆର୍ଥିକ ସାକ୍ଷରତା ଏବଂ ଆଉ ଅନ୍ୟ କିଛି ବି କରିପାରିବା କିନ୍ତୁ ଶିକ୍ଷା ହିଁ କେବଳ ଏପରି ଲୋକଙ୍କୁ ଦୁଃଖଦୈନ୍ୟରୁ ମୁକ୍ତି ଦେଇ ମଧ୍ୟବିତ୍ତ ସ୍ତରକୁ ନେଇପାରିବ। ପ୍ରଥମ ବର୍ଷ ଆମର ସତର ଜଣ ପିଲା ଥିଲେ। ତା’ପର ବର୍ଷ ଶହେ କୋଡିଏ ଜଣ ହେଲେ। ଏଇ ବର୍ଷ ଆହୁରି ବେଶୀ ହୋଇଛନ୍ତି । ଅଲଟ୍ରା ପୁଅର ବା ଅତି ଗରିବ କାର୍ଯ୍ୟକ୍ରମ ଗୋଟିଏ ବାରମାସିଆ କାର୍ଯ୍ୟକ୍ରମ ଏବଂ ଆମେ ପରିବାରଗୁଡିକ ସହିତ ଘନିଷ୍ଠ ଭାବେ ଜଡିତ ହୋଇ ଥାଉ। ଆମେ ସେମାନଙ୍କର ଅଗ୍ରଗତି ଦେଖିପାରୁ, ପିଲାମାନେ କେତେ ସୁନ୍ଦର ସ୍କୁଲକୁ ଯାଆନ୍ତି ଓ ଶିଖନ୍ତି ଆଉ ଆମ ମନରେ ଗଭୀର ଉତ୍ସାହ ଓ ଖୁସି ଆସେ ଯେ ଆମେ ଏଇଠି ଗୋଟିଏ ପ୍ରକୃତ ପରିବର୍ତ୍ତନ ଆଣି ପାରିଛୁ।

ଅତିଗରିବ ବସ୍ତିଗୁଡିକରେ ସ୍ଵାସ୍ଥ୍ୟରକ୍ଷା ଜ୍ଞାନର ସାଂଘାତିକ ଅଭାବ । ଆମେ ସ୍ଵଚ୍ଛତା ଉପରେ ବ୍ୟାପକ ଭାବେ ତାଲିମ କାର୍ଯ୍ୟକ୍ରମ କରିଛୁ,। ସେମାନଙ୍କର ବିଜୁଳି ନ ଥିଲା ଏପରିକି ଦୀପାବଳି ରାତିରେ ସେମାନେ ଅନ୍ଧକାର ମଧ୍ୟରେ ରହୁଥିଲେ।ତେଣୁ ଆମେ ଦୀପାବଳି ଅଭିଯାନ ଆରମ୍ଭ କଲୁ ଓ ସେତେବେଳେ ସେମାନଙ୍କୁ ସୌର ଲ୍ୟାମ୍ପ ଦେଇଥିଲୁ।ଏହା ହିଁ ଏହି କାର୍ଯ୍ୟକ୍ରମର ସୌନ୍ଦର୍ଯ୍ୟ। ପ୍ରତ୍ୟହ ନୂଆ ନୂଆ ସମସ୍ୟା ଆସେ,ଆଉ ଆମେ ତା’ର ସମାଧାନ ପାଇଁ ନିରନ୍ତର ନୂଆ ପଦ୍ଧତି ଖୋଜୁ ,କଳ୍ପନା କରୁ। ଏହା ମୋ ପାଇଁ ଖୁବ ଆକର୍ଷଣୀୟ।

ସେମାନଙ୍କର ପ୍ରଥମ ପୁରସ୍କାର ଜିତିବା

ମା’ ଓ ମୁଁ ପୁରସ୍କାର ପାଇଁ କେବେ ଆବେଦନ କରିନଥିଲୁ । ଆମେ ଭାବୁଥିଲୁ ଏଇଟା ଆମର ମୂଳ ନୀତି ର ବିରୋଧୀ। ଆମେ ଭାବୁଥିଲୁ ଯେ ଭଲ କାମରେ ଧ୍ୟାନ ଦେଲେ ଆପେ ଆପେ ଭଲ ଫଳ ମିଳିବ।ତା’ପରେ ଦିନେ କେହି ଜଣେ ମୋ ପାଖକୁ ଫାଇନାନ୍ସିଆଲ ଟାଇମସ ଓ ସିଟି ବ୍ୟାଙ୍କ ର ପ୍ରତିଭା ପୁରସ୍କାର ର ଆବେଦନ ପତ୍ରଟିଏ ପଠାଇ ଦେଲା ଆଉ ମୁଁ ମଜାରେ ଆବେଦନ କରିଦେଲି। ପୁରସ୍କାରଟି ଏମିତି କିଛି ଖାସ ଏନଜିଓ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ସହରୀ ପ୍ରତିଭା ଓ ସହରାଞ୍ଚଳର ଉନ୍ନୟନ କାର୍ଯ୍ୟକ୍ରମକୁ ପୁରସ୍କୃତ କରିଥାଏ। ପ୍ରଥମେ ମୁଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ପାଇଁ ଆବେଦନଟି ପୂରଣ କରୁଥିଲି କିନ୍ତୁ ପରେ ଭାବିଲି ଯେ ଅତିଗରିବ କାର୍ଯ୍ୟକ୍ରମଟି ବେଶୀ ଭଲ ଓ ଠିକ ରହିବ ଯେହେତୁ ଏହା ଏକ ଅଭିନବ ପଦକ୍ଷେପ ଥିଲା। ଆମକୁ ତାଲିକାଭୁକ୍ତ କରାଗଲା ଏବଂ ତା’ପରେ ଆମେ ଏସିଆ ପାସିଫିକ ପୁରସ୍କାରଟି ଜିତିଲୁ।

ଏହା ମିଡିଆରେ ପ୍ରକାଶିତ ହେଲା ଓ ଆମର କାମ ପାଇଁ ଭରପୂର ପ୍ରଶଂସା ଚାରିଆଡୁ ଅଜାଡି ହୋଇ ପଡିଲା।

ପରିଣାମ ୨୦୦୯ରେ ଆରମ୍ଭ କରାଯାଇଥିଲା। ଆଗରୁ ଆମେ ପୁରସ୍କାର ପାଇଁ ଆବେଦନ କରି ନଥିଲୁ।କାରଣ ଆମେ ଖୁବଛୋଟ ଥିଲୁ ଓ ନିଜର ପରିଚୟ ଖୋଜୁଥିଲୁ । ଅତିଗରିବ କାର୍ଯ୍ୟକ୍ରମଟି ବିସ୍ମୟଜନକ ଥିଲା କିନ୍ତୁ ଏହାକୁ ଗଢିବାକୁ ସମୟ ଲାଗିଥିଲା । ଏ ପର୍ଯ୍ୟନ୍ତ ଆମେ ମାତ୍ର ସାତଶହ ପରିବାର ସହିତ କାମ କରିଛୁ। ଏହାର ଦୀର୍ଘମିଆଦି ପ୍ରଭାବ ପଡିବା ପାଇଁ ସମୟ ଲାଗିବ । ଏବେ ଯେ ଆମେ ଆମର ଦୁର୍ଗ ନିର୍ମାଣ କରିପାରିଛୁ ଆମେ ଭାବୁଛୁ ଆହୁରି ଏଭଳି ସୁଯୋଗର ସୁବିଧା ନେବୁ।

Want to make your startup journey smooth? YS Education brings a comprehensive Funding and Startup Course. Learn from India's top investors and entrepreneurs. Click here to know more.

    • +0
    Share on
    close
    • +0
    Share on
    close
    Share on
    close