ଚର୍ଚ୍ଚାରେ ଚା’ ଦୋକାନୀ ଶିବଶଙ୍କର: ଭିନ୍ନକ୍ଷମଙ୍କୁ ବାଣ୍ଟିଲେ ସାଇକେଲ, ଟଙ୍କା

ଚର୍ଚ୍ଚାରେ ଚା’ ଦୋକାନୀ ଶିବଶଙ୍କର: ଭିନ୍ନକ୍ଷମଙ୍କୁ ବାଣ୍ଟିଲେ ସାଇକେଲ, ଟଙ୍କା

Monday February 01, 2016,

2 min Read

ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଭୁଟୁକା ଅଞ୍ଚଳର ଭିନ୍ନକ୍ଷମ ହେଉଛନ୍ତି କାମରୁ ଦଣ୍ଡସେନା । ପିଲାଦିନୁ ସେ ପୋଲିଓରେ ଆକ୍ରାନ୍ତ । ତାଙ୍କର ଚିକିତ୍ସା ପାଇଁ ପତ୍ନୀ ରଜବତୀ କାନ୍ଧରେ ବୋହି ଡାକ୍ତରଖାନାକୁ ନେଉଥିବା ଦୃଶ୍ୟ କିଛିଦିନ ତଳେ ଖବରକାଗଜରେ ପ୍ରକାଶ ପାଇଥିଲା । ଏହି ଦୃଶ୍ୟ ଶିବଶଙ୍କରଙ୍କ ମନକୁ ଆନ୍ଦୋଳିତ କରିଥିଲା । ଘଟଣାର ସତ୍ୟାସତ୍ୟକୁ ଜାଣିବା ପାଇଁ ଶିବଶଙ୍କର ନିଜ ସାଙ୍ଗ ସୁକାନ୍ତ ନାୟକଙ୍କ ସହ ମିଶି ଡୁଙ୍ଗୁରିପାଲିରେ ପହଂଚିିଥିଲେ । ରାସନ କାର୍ଡ ଥାଇ ମଧ୍ୟ ରଜବତୀ ସ୍ୱାମୀଙ୍କ ଚିକିତ୍ସା ପାଇଁ ତାକୁ ୪ ହଜାର ଟଙ୍କାରେ ବନ୍ଧା ପକାଇଥିବା ସେ ଜାଣିବାକୁ ପାଇଥିଲେ । ତେଣୁ ତାଙ୍କୁ ସହାୟତା କରିବା ପାଇଁ ମନସ୍ଥ କରିଥିଲେ । 

image


ସେଥିପାଇଁ ନିଜ ଖର୍ଚ୍ଚରେ କାମରୁଙ୍କ ପରିବାରକୁ ଭୁବନେଶ୍ୱର ଡକାଇଥିଲେ ଏବଂ କାମରୁଙ୍କୁ ଏକ ତିନି ଚକିଆ ସାଇକେଲ, ସ୍ତ୍ରୀ ରଜବତୀକୁ ପୁଅର ପାଠପଢ଼ା ଓ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ୧୬ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାସହ ଉକ୍ତ ଗ୍ରାମର ମାନସ ବାରିକ ନାମକ ଜଣେ ୧୨ବର୍ଷର ପକ୍ଷାଘାତ ରୋଗୀଙ୍କୁ ମଧ୍ୟ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । 

ଏହି ଅବସରରେ ସମାଜସେବୀ ବିଶ୍ୱପ୍ରିୟ କାନୁନଗୋ, ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ କୁମାର ସାହୁ, ଶିବଶଙ୍କର ପିତା ସୁରେନ୍ଦ୍ର ଜେନା, ମେଘନା କିନ୍ନର, ମୀରା କିନ୍ନର, ସାଧନା କିନ୍ନର, କୁନା ସୁନ୍ଦରା, ରବୀନ୍ଦ୍ର ଧଳ, ରବି ନାୟକ ଓ ଲକ୍ଷ୍ମୀଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । 

ଜଣେ ଭିନ୍ନକ୍ଷମଙ୍କୁ ସହାୟତାର ହାତ ବଢ଼ା ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି ଦୋକାନୀ ଶିବଶଙ୍କର । ତାଙ୍କ ସ୍ୱଳ୍ପ ରୋଜଗାରରୁ ସେ ଭିନ୍ନକ୍ଷମ କାମରୁ ଦଣ୍ଡସେନାଙ୍କୁ ସାଇକେଲ ସହିତ ୧୬ ହଜାର ଟଙ୍କା ସାହାଯ୍ୟ କରିଛନ୍ତି । RTO କାର୍ଯ୍ୟ।ଳୟ ସମ୍ମୁଖରେ ଥିବା ତାଙ୍କ ଚା' ଦୋକାନରେ ସେ ଏହି ଟଙ୍କା ପ୍ରଦାନ କରିଥିଲେ । ପୂର୍ବରୁ ମଧ୍ୟ ଶିବଶଙ୍କର ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି, କ୍ୟାପିଟାଲ ହସ୍ପିଟାଲ ସିଟି ସ୍କାନ୍ ସଜାଡ଼ିବା, ବୋଲବମ୍ ସମୟରେ ଏଚ୍ଆଇଭି ଓ କ୍ୟାନ୍ସର ରୋଗୀଙ୍କ ସଚେତନତା ପାଇଁ ଟଙ୍କା ପ୍ରଦାନ କରିଛନ୍ତି ।