ସାମ୍ ପିଟ୍ରୋଡାଙ୍କ ଡିଜିଟାଲ୍ ଓଡିଶା ପ୍ଲାନ୍ : ସବୁ ଗାଁକୁ ଯିବ ଅପଟିକାଲ୍ ଫାଇବର କେବୁଲ୍

ସାମ୍ ପିଟ୍ରୋଡାଙ୍କ ଡିଜିଟାଲ୍ ଓଡିଶା ପ୍ଲାନ୍ : ସବୁ ଗାଁକୁ ଯିବ ଅପଟିକାଲ୍ ଫାଇବର କେବୁଲ୍

Friday January 29, 2016,

3 min Read

ସାଧାରଣ ଲୋକଟିଏ ବିଭିନ୍ନ ଜରୁରୀ କାଗଜପତ୍ର ଓ ପ୍ରମାଣପତ୍ର ପାଇବା ପାଇଁ ସରକାରୀ ଅଫିସ୍ ଦୌଡି ଦୌଡି ନୟାନ୍ତ ହୋଇଯାନ୍ତି | କିନ୍ତୁ ଏହା ଯଦି ଗୋଟିଏ କ୍ଲିକ୍ ରେ ଲୋକଙ୍କୁ ମିଳିଯିବ | ତାହେଲେ କେମିତି ଲାଗିବ ? ଏବେ ସେଭଳି ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ବିଖ୍ୟାତ ବିଶେଷଜ୍ଞ ସାମ୍ ପିଟ୍ରୋଡା | ଓଡିଶା ସରକାରଙ୍କ ବୈଷୟିକ ପରାମର୍ଶଦାତା ଭାବେ ଦାୟିତ୍ତ୍ୱ ନେବା ପରେ ସାମ୍ ପିଟ୍ରୋଡା ସୂଚନା ଓ ପ୍ରଯୁକ୍ତିକୁ ବ୍ୟବହାର କରି ଲୋକଙ୍କ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି | ଏହା ମାଧ୍ୟମରେ ରାଜ୍ୟରୁ ଦାରିଦ୍ର୍ୟ ହଟାଯାଇପାରିବ ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି | ନିକଟରେ ସରକାରଙ୍କ ସହ ସେ ଏ ବିଷୟରେ ଆଲୋଚନା କରିଛନ୍ତି | ପ୍ରାଥମିକ ଭାବେ ଏକ ଯୋଜନା ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି |

ଏହି ବିଷୟରେ ସେ କୁହନ୍ତି,

“ଏଥିପାଇଁ ପ୍ରଥମେ ବର୍ଷିକିଆ ଯୋଜନା କରାଯାଇଛି | ବର୍ଷକ ମଧ୍ୟରେ ଲୋକେ ଏଥିରୁ କିପରି ସୁଫଳ ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବା ସହ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ | ଏହା ପରେ ତିନି ବର୍ଷିଆ ଓ ପରେ ୧୦ ବର୍ଷିଆ ଯୋଜନା କରାଯିବ |”

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏବେ ବି ଓଡିଶା ବହୁ ପଛରେ ପଡିଛି | ବିଶେଷକରି ଗ୍ରାମାଂଚଳରେ ଏହାର ସୁଫଳ ପାଇବାରୁ ଲୋକେ ବଂଚିତ ହେଉଛନ୍ତି | ତେଣୁ ସବୁ ପଂଚାୟତକୁ ଅପଟିକାଲ୍ ଫାଇବର କେବୁଲ ଯୋଗେ ଇଂଟରନେଟ୍ ସେବା ଯୋଗାଇଦେବାର ଆବଶ୍ୟକତା ରହିଛି | ପିଟ୍ରୋଡାଙ୍କୁ ବୈଷୟିକ ପରାମର୍ଶଦାତା ଭାବେ ପାଇବା ପରେ ଏହି କାମ କରିବାକୁ ଓଡିଶା ସରକାର ସ୍ଥିର କରିଛନ୍ତି |

ପ୍ରଥମ ପର୍ଯ୍ୟାୟରେ ୧୦/୧୨ଟି କ୍ଷେତ୍ରକୁ ନେଇ ୱାର୍କିଂ ଗୃପ ଗଠନ କରାଯିବ | ଏହି ଗୃପରେ ସରକାରୀ ଅଧିକାରୀମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶେଷଜ୍ଞମାନଙ୍କୁ ନିଆଯିବ | ପ୍ରଥମେ ଗୋଟିଏ ମାସ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଲାଗି ସରକାର ସ୍ଥିର କରିଛନ୍ତି | ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ, ପର୍ଯ୍ୟଟନ, ନିଯୁକ୍ତି ଓ ଯୋଗାଯୋଗ ପ୍ରଭୃତି କ୍ଷେତ୍ରରେ ଆଇ.ଟି ପ୍ରୟୋଗ ଉପରେ ବିଶେଷ ଧ୍ୟାନ ଦିଆଯିବା ସଙ୍ଗେ ସଙ୍ଗେ ଲୋକଙ୍କ ହିତ ପାଇଁ ଏହାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ |

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପିଟ୍ରୋଡା

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପିଟ୍ରୋଡା


ତାଙ୍କ ଅନୁସାରେ ଯୋଜନା କାର୍ଯ୍ୟକାରୀ ହେଲେ ସାଧାରଣ ଲୋକଟିଏ ଅନେକ ସୁବିଧା ପାଇପାରିବ | ଏ ସମ୍ପର୍କରେ ସେ କୁହନ୍ତି,

ଲୋକମାନେ ହାତପାଆନ୍ତାରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇପାରିବେ | ବାରମ୍ବାର କୌଣସି କାର୍ଯ୍ୟାଳୟ ଯିବାର ଆବଶ୍ୟକତା ରହିବ ନାହିଁ | ଲୋକେ ଟେଲିମେଡିସିନ୍ ର ସୁବିଧାକୁ ଆହୁରି ସହଜରେ ହାସଲ କରିପାରିବେ | ଇଂଟରନେଟ୍ ମାଧ୍ୟମରେ ଶିକ୍ଷା ମଧ୍ୟ ସରଳ ଓ ସହଜ ଉପଲବ୍ଧ ହେବ |

ଇ-ଗଭର୍ଣ୍ଣାସ୍, ଇ-ଟ୍ରାଂଜାକସନ୍, ଇ-ପାର୍ଟିସିପେନ୍, ଇ-ପ୍ରୋକିଓରମେଣ୍ଟ ଭଳି ବ୍ୟବସ୍ଥା ମଧ୍ୟ ଲାଗୁ ହେବ | ଯୋଗାଯୋଗ, ଡିଜିଟାଲ୍ ପ୍ଲାଟଫର୍ମ, ଜିଆଇସି ମ୍ୟାପିଂକୁ ପ୍ରାଥମିକତା ଦିଆଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି | ପୁଣି ଯେଉଁଠାରେ ବ୍ୟାଙ୍କ ସୁବିଧା ନାହିଁ, ସେଠାରେ ଡିଜିଟାଲ୍ ବ୍ୟାଙ୍କିଂ ବ୍ୟବସ୍ଥା ଆରମ୍ଭ କରିବା, ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ସହ ମତ ବିନିମୟ ଓ ଆଲୋଚନା ପାଇଁ ଆପ୍ଲିକେସନ୍ ମଧ୍ୟ ପ୍ରସ୍ତୁତ କରାଯିବ | ଏସବୁ କାମ ସାମ ପିଟ୍ରୋଡାଙ୍କ ପ୍ରତ୍ୟେକ୍ଷ ପରାମର୍ଶରେ କାର୍ଯ୍ୟକାରୀ କରାଯିବ |

ସଫଳ ବିଶେଷଜ୍ଞ :

ଏ କ୍ଷେତ୍ରରେ ପିଟ୍ରୋଡାଙ୍କ ଦୀର୍ଷ ବର୍ଷର ଅଭିଜ୍ଞତା ରହିଛି ଓ ସବୁଥିରେ ସେ ସଫଳ ହୋଇଛନ୍ତି | ୧୯୪୨ରେ ଓଡିଶାର ଟିଟିଲାଗଡରେ ଜନ୍ମିତ ସତ୍ୟନାରାୟଣ ଗଙ୍ଗାରାମ ପିଟ୍ରୋଡା ଆଜି ସାମ୍ ପିଟ୍ରୋଡା ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି | ଚିକାଗୋରୁ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ ପଢିଥିବା ପିଟ୍ରୋଡା ଜଣେ ସଫଳ ଇଂଜିନିୟର, ଉଦ୍ୟୋଗପତି ଓ ନୀତି ନିର୍ଣ୍ଣାୟକର ଭାବେ ସୁପରିଚିତ | ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବୈଷୟିକ ପରାମର୍ଶଦାତା ଭାବେ କାମ କରି ଦେଶରେ ସୂଚନାପ୍ରଯୁକ୍ତିର ପ୍ରସାର ଆରମ୍ଭ କରାଇବା ସହିତ ଟେଲିକମ୍ କ୍ଷେତ୍ରରେ ବିପ୍ଳବ ଆଣିଥିଲେ | ୧୯୯୨ରେ ସେ ଜାତିସଂଘର ପରାମର୍ଶଦାତା ରହିଥିଲେ | ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ନେସନାଲ୍ ନଲେଜ୍ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ | ତାଙ୍କ ସମୟରେ ୨୭ଟି କ୍ଷେତ୍ର ପାଇଁ ସେ କେନ୍ଦ୍ର ସରକାରଙ୍କୁ ୩୦୦ଟି ପରାମର୍ଶ ଦେଇଥିଲେ | ୨୦୧୦ରେ ସେ ନେସନାଲ୍ ଇନୋଭେସନ୍ କାଉନସିଲ୍ ପ୍ରତିଷ୍ଠା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାମ କରିଥିଲେ | ଚିକାଗୋରେ C-SAM ନାମରେ ତାଙ୍କର ଏକ କମ୍ପାନୀ ରହିଛି | ସିଂଗାପୁର, ଟୋକିଓ, ପୁନେ, ମୁମ୍ବାଇ ଓ ବଡ଼ୋଦୋରାରେ ଏହାର ଶାଖା ରହିଛି |

ପିଟ୍ରୋଡା ଓଡିଶା ସରକାରଙ୍କ ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟକରିବା ପରେ ରାଜ୍ୟରେ ବିକାଶ ଦିଗରେ ତାଙ୍କର ଏସବୁ ଅଭି‌ଜ୍ଞତାକୁ ଲଗାଇ ସଫଳ ହେବ ବୋଲି ଆଶାକରାଯାଉଛି |