ଅବିବାହିତ ଯୋଡ଼ି ପାଇପାରିବେ ଏବେ ହୋଟେଲ ରୁମ ବିନ୍ଦାସ ହେଇ – OYO Roomsରେ ଏବେ Relationship Mode
Sunday August 28, 2016,
3 min Read
ସୁନୀଲ ଓ ଅମ୍ରିତା ହେଲେ ଏକ ଯୁବଦମ୍ପତ୍ତି । ବେଳେବେଳେ ଦୁହେଁ ମିଶି ବୁଲିବାକୁ ଯାଆନ୍ତି। କିନ୍ତୁ ସହର ବାହାରକୁ ବୁଲିଗଲେ ସବୂବେଳେ ଗୋଟିଏ ଅସୁବିଧା। ହୋଟେଲ ରୁମ ପାଇବା। ହୋଟେଲ ରୁମ ଖୋଜି ପାଇବା ଆପ୍ପ ବିଷୟରେ ପରାମର୍ଶ ଦେବା ପୂର୍ବରୁ ଗୋଟିଏ ଜିନିଷ ଏଠି ସ୍ପଷ୍ଠ କରିଦିଏ। ସୁନୀଲ ଆଉ ଅମ୍ରିତା ଏଯାଏଁ ବିବାହ ବନ୍ଧନରେ ଆବଦ୍ଧ ହେଇନାହାନ୍ତି।
ଆମ ଦେଶରେ ଏକ ଅବିବାହିତ ଯୋଡି ଗୋଟିଏ ହୋଟେଲ ରୁମରେ ରହିବା ଏକ ନିହାତି ଆଖି କାନରେ ହାତ ଦେବା ଭଳି ଜିନିଷ। ଲୋକେ କହିବେ କି ପାପ, ଘୋର କଳିଯୁଗରେ ବାବା ! ଏପରିକି ହୋଟେଲ କର୍ମଚାରୀଙ୍କ ଦ୍ଵାରା ନୈତିକ ଶିକ୍ଷା ପାଇବା ବି କିଛି ନୂଆଁ କଥା ନୁହେଁ। - “କ୍ଷମା କରିବେ। କିନ୍ତୁ ଆପଣ କଣ ବିବାହିତ? କାହିଁ ମଙ୍ଗଳସୂତ୍ର ତ ଦେଖାଯାଉନାହିଁ।“ “କିଛି ପରିଚୟପତ୍ର ଅଛି କି ଯେଉଁଠି ଆପଣ ବିବାହିତ ଦମ୍ପତ୍ତି ବୋଲି ଲେଖା ଥିବ ?” – ଏପରି ରୁଢିବାଦୀ, ପ୍ରାଚୀନ ପ୍ରଶ୍ନବାଣ ସବୁ ଛୁଟିଆସେ ଆଉ ଏପରି ପ୍ରଶ୍ନର ତାଲିକା ବେଶ ଲମ୍ବା।
ଅବିବାହିତ ଯୋଡ଼ିର ସାଥିରେ ରହିବାକୁ ନେଇ ମାନସିକତା ସହ ଏଇ ଦେଶର ବାସ୍ତବିକତା କିନ୍ତୁ ଆଦୌ ମେଳ ଖାଏନା। ଫଳରେ ରୁମଟିଏ ଖୋଜୁଥିବା ଅବିବାହିତ ପ୍ରେମିକ-ପ୍ରେମିକାଙ୍କ ପ୍ରତି ସମାଜର ଭୃ-କୁଞ୍ଚନ ସାଧାରଣ। ଏହିସବୁ ପରିସ୍ଥିତିରେ ଏମାନଙ୍କ ଦିଗରେ ବନ୍ଧୁତ୍ଵର ହାତ ବଢେଇ ଆଗକୁ ଆସିଛନ୍ତି StayUncle ଓ OYO Rooms ପରି ଷ୍ଟାର୍ଟଅପ। ତାଙ୍କର ହୋଟେଲ ରୁମ ସନ୍ଧାନ ପ୍ଲାଟଫର୍ମରେ ଏବେ ନୂଆଁ କରି ଯୋଡ଼ାହେଇଛି Relationship Mode।
ଅନେକ ହୋଟେଲ ନିଜ ୱେବସାଇଟରେ ଲଗେଇଥିବା ଟ୍ୟାଗ “ଅବିବାହିତ ଯୋଡ଼ିଙ୍କ ପାଇଁ ରୁମ ନାହିଁ”କୁ ଉଠେଇବାର ପଦକ୍ଷେପ ନେଇଛନ୍ତି ଏମାନେ। ଏବେ OYO Roomsର Relationship Modeରେ ଯାଇ ଅବିବାହିତ ଯୋଡ଼ି ମାନେ ଏପରି ହୋଟେଲ ଖୋଜି ପାଇପାରିବେ ଯେଉଁଠାରେ ଅବିବାହିତ ଯୋଡ଼ି ରହିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏହି ହୋଟେଲ ମାନେ ସ୍ଥାନୀୟ ପରିଚୟପତ୍ର ଥିବା ଯୋଡ଼ିଙ୍କୁ ମଧ୍ୟ ରହିବାକୁ ଅନୁମତି ଦିଅନ୍ତି ବିନା କୌଣସି ଦ୍ଵିଧାରେ।
କବିକୃତ OYO ର Chief Growth Officer କୁହନ୍ତି, ସେମାନେ ସମୀକ୍ଷା କରି ଦେଖିଛନ୍ତି ପ୍ରାୟତଃ ଅତିଥି ମାନେ ଶେଷମୂହୁର୍ତ୍ତରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କାରଣ – ହୋଟେଲର ନିୟମ ସମ୍ପର୍କରେ ଆଗରୁ ନଜାଣିଥିବାରୁ। Yourstoryକୁ ଆହୁରି ବିଶଦ ଭାବେ କବିକୃତ କୁହନ୍ତି:
ଆମର ପାର୍ଟନର ହୋଟେଲ ମାନଙ୍କ ପ୍ରତି ଆମର ଯଥେଷ୍ଟ ଶ୍ରଦ୍ଧା ରହିଛି କିନ୍ତୁ ଆମେ ଆମର ପ୍ରତିଟି ଅତିଥିଙ୍କୁ ଯଥାଯୋଗ୍ୟ ଆତିଥ୍ୟତା ଯୋଗାଇଦେବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ତେଣୁ ଆମ ଟିମ ଟେକ୍ନୋଲୋଜିର ସହାୟତାରେ ଏହି ସମସ୍ୟାର ସମାଧାନ ବାହାର କରିବାକୁ ଲାଗିଗଲା। ଆମ ଦେଶରେ ଏପରି କୌଣସି ଆଇନ ନାହିଁ ଯାହା ଏକ ଅବିବାହିତ ଦମ୍ପତ୍ତିକୁ ହୋଟେଲରେ ଏକସଙ୍ଗେ ରହିବାକୁ ନିଷେଧ କରେ। ହୋଟେଲର ଆଖପାଖ ଇଲାକାରେ ରହୁଥିବା ଲୋକେ ମଧ୍ୟ ହୋଟେଲରେ ରହିବା କୌଣସି ପ୍ରକାରେ ବେଆଇନ ନୁହେଁ।
ଯଦିଓ କିଛି ପାର୍ଟନର ହୋଟେଲ ତାଙ୍କ ଚେକ ଇନ ନିୟମରେ ଏବେ ମଧ୍ୟ କଡ଼ା। କମ୍ପାନୀର ୱେବସାଇଟ ଓ ଆପ୍ପରେ ପରିଷ୍କାର ଭାବେ ସେଇସବୁ ହୋଟେଲ ଗୁଡ଼ିକର ନାମ ଅଲଗା ଭାବେ ତାଲିକାଭୁକ୍ତ କରାଯାଇଛି ଯେଉଁମାନଙ୍କର ଅବିବାହିତ ଅତିଥି ମାନଙ୍କୁ ଉପଯୁକ୍ତ ଆଇଡି ପ୍ରୁଫ ଦେଖିବା ପରେ ରୁମ ଦେବାରେ କୌଣସି ଆପତ୍ତି ନାହିଁ।
ଆପ୍ପରେ My Accountରେ ଯାଇ 'Relationship Mode' ଷ୍ଟାଟସ ରେ କ୍ଲିକ କରିବାକୁ ହେବ। କବିକୃତ କୁହନ୍ତି:
OYO Rooms, StayUncle ପରି ନିର୍ଦ୍ଧିଷ୍ଟ ଗ୍ରାହକ ମାନଙ୍କୁ ଟାର୍ଗେଟ କରେନାହିଁ। ଏକ ଉପଭୋକ୍ତା କେନ୍ଦ୍ରୀୟ ବ୍ୟବସାୟ ଭାବରେ ଆମେ ସବୁ ଛୋଟ ଛୋଟ ସମସ୍ୟାକୁ ଖୋଜି ତା’ର ସମାଧାନ ବାହାର: କରିବାରେ ଲାଗିଛୁ ଯାହା ଅତିଥିଙ୍କ ରହଣିକୁ କୌଣସି ପ୍ରକାରେ ଅସୁବିଧାଜନକ କରିପାରେ। ଆମର ପ୍ରତିଜ୍ଞା ହେଲା ପ୍ରତ୍ୟେକଙ୍କ ପାଇଁ OYO ଉପଲବ୍ଧ କରାଇବା ଏବଂ ଏହି ଆପ୍ପର ଆରମ୍ଭ ଅବିବାହିତ ଯୋଡି ମାନଙ୍କ ପାଇଁ ତାହା ନିଶ୍ଚିତ କରାଏ।
ତାଙ୍କ ଟିମର ଦାବୀ ହେଲା ଅବିବାହିତ ଯୋଡ଼ି ମାନେ OYO ରୁମ ପାଇପାରିବେ ଦେଶର ୧୦୦ଟି ସହରରେ। ଏବଂ ତାଙ୍କ ପାର୍ଟନରଙ୍କ ମଧ୍ୟରେ ୬୦ ପ୍ରତିଶତ ହୋଟେଲ କପଲ ଫ୍ରେଣ୍ଡଲି ମାନେ ଏପରି ଯୋଡ଼ି ରହିବାରେ କୌଣସି ଆପତ୍ତି ରଖନ୍ତି ନାହିଁ। ଏହି ତାଲିକାରେ ସମସ୍ତ ମେଟ୍ରୋ ସହର ଓ ପର୍ଯ୍ୟଟନ ସ୍ଥଳୀ ଅନ୍ତର୍ଭୁକ୍ତ। OYO ବର୍ତ୍ତମାନ ୨୦୦ଟି ସହରରେ ୬,୫୦୦ ପାର୍ଟନର ହୋଟେଲ ଜରିଆରେ ୭୦,୦୦୦ ରୁମ ଯୋଗାଉଛି।
ଉନ୍ନତିର ରାସ୍ତାରେ ଚାଲୁଥିବା StayUncle ଓ ଓଉଆଇଓ ଉଭୟଙ୍କୁ କିନ୍ତୁ ଲଢିବାକୁ ହେଉଛି ସ୍ଥାନୀୟ ନୀତି ପୋଲିସ ଓ ସ୍ଥାନୀୟ ସାମାଜିକ ଗୋଷ୍ଠୀର କଠୋର ରକ୍ଷଣଶୀଳ ମନୋଭାବ ସହ କାରଣ ଆମ ଦେଶରେ ଅବିବାହିତ ଯୋଡ଼ି ଖୋଲାରେ ହାତ ଧରି ବୁଲିବା ମଧ୍ୟ ଦେଶର ସଂସ୍କୃତିର ବିପକ୍ଷରେ ଯିବା ବୋଲି ଧରାଯାଏ। ଆଉ ଅବିବାହିତ ଯୋଡ଼ି ହୋଟେଲ ରୁମ ଭଡ଼ା ନେବା ପ୍ରସଙ୍ଗ ଆସିଲେ ମନେ ପଡିଯାଏ ସେଇ Madh-Island ଯେଉଁଠାରେ ମୁମ୍ବାଇ ପୋଲିସ ଏପରି ଯୋଡ଼ିଙ୍କୁ ହାଜତରେ ବନ୍ଦ କରି ମଧ୍ୟ ରଖିଥିଲା। କିନ୍ତୁ ହଁ, ଦେଶର ଜନତା ଏବେ ବହୁ କ୍ଷେତ୍ରରେ ତାଙ୍କର ପ୍ରଗତିଶୀଳ ମନୋଭାବର ପରିଚୟ ଦେଉଛନ୍ତି। ଏପରି ଏକ ବ୍ୟବସାୟୀକ ଉଦ୍ୟମ ଏହି ମନୋଭାବର ଏକ ପରିଚାୟକ।