ଫ୍ୟାସନ ଜଗତରେ ଭାରତର ବିଜୟ ଟ୍ରଫି: ଡିଜାଇନର ସୁକେତ ଧୀର
ପ୍ରତିଯୋଗିତାପୂର୍ଣ୍ଣ ଫ୍ୟାସନ ଜଗତରେ ଭାରତର ବିଜୟ ଟ୍ରଫି ସବୁ ହାତଗଣତି ; କିନ୍ତୁ ଯେତେବେଳେ ଏହା ଜିତେ ସେତେବେଳେ ଧମାକା ସୃଷ୍ଟି କରେ।
ଜାନୁୟାରୀ ଦ୍ଵିତୀୟ ସପ୍ତାହରେ ଦିଲ୍ଲୀର ପ୍ରଖ୍ୟାତ ଡିଜାଇନର ସୁକେତ ଧୀର ଫ୍ଲୋରେନ୍ସ 'ପିତି ୟୋମୋ'(Pitti Uomo) ଫ୍ୟାସନ ମେଳାରେ ତାଙ୍କର ସତୁରୀ ଜଣ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଇଣ୍ଟରନ୍ୟାସନାଲ ଉଲମାର୍କ ପୁରସ୍କାର ଜିତି ଏହା ପ୍ରମାଣିତ କରିଦେଲେ। ଏହା ପୂର୍ବରୁ ୨୦୧୪ରେ ଭାରତୀୟ ଡିଜାଇନର ରାହୁଲ ମିଶ୍ର ମହିଳା ପରିଧାନ ପାଇଁ ଏହି ପୁରସ୍କାର ଲାଭ କରିଥିଲେ।ଏହି ପୁରସ୍କାର 'ମେରିନୋ ଉଲ୍ ' ପରିଧାନ ଶୈଳୀରେ ଉତ୍କର୍ଷତାକୁ ମାନ୍ୟତା ଦେଇଛି।
ଜିତିବା ପୂର୍ବରୁ ସମଗ୍ର ବିଶ୍ଵରେ ୭୦ଜଣ ନାମାଙ୍କିତ ପ୍ରାର୍ଥୀମାନଙ୍କ ମଧ୍ୟରେ ଅନ୍ତିମ ଚୟନ ତାଲିକାର ଛଅଜଣଙ୍କ ମଧ୍ୟରେ ଧୀରଙ୍କ ନାମ ଆସିଥିଲା। "ମୁଁ ତ ଭାବି ନ ଥିଲି ଜିତିବି ବୋଲି ତେବେ ମନରେ ଆଶାର ଖିଅଟିଏ ଥିଲା" ଜିତିଲାପରେ ଧୀର ନ୍ୟୁୟର୍କ ଟାଇମ୍ସକୁ କହିଥିଲେ।
୨୦୦୯ରେ ପ୍ରାୟୋଜିତ ଧୀରଙ୍କର ଏହି ବ୍ରାଣ୍ଡ ୭୦.୦୦୦ ଡଲାର ଜିତିବା ସହିତ ସାରା ବିଶ୍ଵ ବଜାରରେ ପ୍ରମୁଖ ଷ୍ଟୋରମାନଙ୍କରେ ନିଜ ସଂଗ୍ରହସବୁ ବିକ୍ରୟ କରିବାପାଇଁ ସହଭାଗିତା ମଧ୍ୟ ଲାଭ କଲା ।
ଧୀର କହନ୍ତି ଯେ ଆଗରୁ ସେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କର ସଠିକ ଯୋଗସୂତ୍ର ନ ଥିଲା। ତେଣୁ ତାଙ୍କର ଏହି ବିଜୟ ତାଙ୍କ ପାଇଁ ଏହି ସୁଯୋଗଟି ଅଚିରେ ଆଣିଦେଇଛି। ଏବେ ଆରାମରେ ବିଶ୍ଵସାରା ତାଙ୍କ ବ୍ରାଣ୍ଡର ନାଁ ହୋଇପାରିବ ।
ତାଙ୍କର ବ୍ରାଣ୍ଡ ଅନ୍ୟାନ୍ୟ ରିଟେଲରମାନଙ୍କ ବ୍ୟତୀତ ବିଖ୍ୟାତ ଅନ୍ତର୍ଜାତୀୟ ରିଟେଲର ଯେମିତିକି ଲଣ୍ଡନର 'ହାରଭେ ନିକୋଲ୍ସ', ମିଲାନର ୧୦କର୍ସୋ କୋମୋ(10 Corso Como) ଚୀନରେ , ବେଜିଂ, ଓ ସାଙ୍ଘାଇର ଜୟସ୍ ବୁଟିକରେ(Joyce Boutique) ,ଆମେରିକାରେ Saks Fifth Avenue ଓ ଅଷ୍ଟ୍ରେଲିଆରେ David Jones ରେ ସ୍ଥାନ ପାଇବ।
"ବିଚାରକ ମଣ୍ଡଳୀ ସଂଗ୍ରହଗୁଡ଼ିକ ଦ୍ଵାରା ବିଶେଷ ପ୍ରଭାବିତ ହୋଇଥିଲେ। ଏହାର ଶୈଳୀରେ ସମକାଳୀନ ପାଶ୍ଚାତ୍ୟ ସୀବନଶିଳ୍ପକଳା ସହିତ ଭାରତୀୟ ରୀତିର ମିଶ୍ରଣ ସେମାନଙ୍କୁ ମୁଗ୍ଧ କରିଥିଲା ; ଏବଂ ଏହା ଥିଲା ତାଙ୍କର ପିତାମହଙ୍କ କଳା ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଯେଉଁଥିରେ ଥିଲା ତୀକ୍ଷ୍ନ ରେଖା ସହିତ ଏକ ରୋମାଣ୍ଟିକ ଉପମହାଦେଶୀୟ ସାବଲୀଳତାର ଅପୂର୍ବ ସମନ୍ଵୟ" ନ୍ୟୁୟର୍କ ଟାଇମ୍ସ ଉଲ୍ଲେଖ କରିଥିଲା।
ଧୀରଙ୍କ ସଂଗ୍ରହଗୁଡ଼ିକରେ ଉଲ୍ ର ସଘନଗହଳ ତନ୍ତୁ ରୂପାନ୍ତରିତ ହୋଇଯାଏ ମୁଲାୟମ ରେଶମ ପରି, ଆଉ ଏଥିରେ ଥାଏ ଏମିତି ଏକ ଆମେଜ ଯାହା ଋତୁକୁ ଅତିକ୍ରମ କରିଥାଏ। ଆପଣ ସବୁ ଋତୁରେ ଏହାକୁ ପିନ୍ଧି ପାରିବେ। ତେଲେଙ୍ଗାନାର ଇକାତ ବୁଣାକାରମାନେ ମେରିନୋ ଉଲ୍ ରେ କାମ କରି ସୃଷ୍ଟି କରିଥାନ୍ତି ସୁନ୍ଦର ଅମ୍ବ୍ର ପ୍ୟାଟର୍ଣ୍ଣ ସବୁ , ଆଉ ଧରୱାଡ଼ର ପୂରାତନ ଜ୍ୟାମିତିକ ଆକୃତିର କସୁଟି ଏମ୍ବ୍ରୋଡରୀ ,ପୁଣି କ୍ଲାସିକ ରେଜେଇ ସିଲେଇ ଆଦି ସବୁ ବ୍ୟବହାର କରାଯାଇଥାଏ।
ପୋଷାକଗୁଡ଼ିକର ଅପେକ୍ଷାକୃତ ଓଭରସାଇଜ ମାପ ତାଙ୍କ ଜେଜେବାପାଙ୍କର ପୋଷାକ ଦ୍ଵାରା ଅନୁପ୍ରାଣିତ।
" ଫ୍ୟାସନରେ ମୁଁ ସର୍ବଦା ଖୋଜିଥାଏ ଏକ ସ୍ପନ୍ଦନ,ଏକ ଭାବନା ,ଓ ଗୋଟିଏ ଅନୁଭବ ଯାହା ମୋତେ ଉଚ୍ଚକିତ କରିଥାଏ। ମୁଁ ଭାବେ ମୁଁ ଦୁନିଆ ପାଇଁ ପ୍ରସ୍ତୁତ ଓ ଏହା ମଧ୍ୟ ଭାବେ ଯେ ଦୁନିଆ ମୋ ପାଇଁ ଏବଂ ଏ ପ୍ରକାର ସୌନ୍ଦର୍ଯ୍ୟର ଦର୍ଶନ ପାଇଁ ପ୍ରସ୍ତୁତ । ଏହାର ଲୁକ୍ ହେଉଛି 'ଇଜି' ଏବଂ 'ହ୍ୟାପି' ଏବଂ ଦୁନିଆ ଏବେ ଠିକ୍ ସେଇଆ ହିଁ ଚାହେଁ"। ପ୍ରତିଯୋଗିତା ଜିତିବା ପରେ ଧୀର କହନ୍ତି।
ତାଙ୍କର ପରିଧାନ ସଂଗ୍ରହଗୁଡ଼ିକ ପ୍ରାକୃତିକ ତନ୍ତୁରୁ ପ୍ରସ୍ତୁତ, ଦୀର୍ଘସ୍ଥାୟୀ ଓ ପୋଷଣୀୟ। ୩୫ ବର୍ଷ ବୟସ୍କ ସୁକେତ ଧୀର ତାଙ୍କର ତପସ୍ଵୀସୁଲଭ ଦାଢ଼ି ଓ ଲମ୍ବାବାଳ ସହିତ ଦେଖାଯାଆନ୍ତି ଜଣେ ଊନବିଂଶ ଶତାବ୍ଦୀର ଜର୍ମାନ ଦାର୍ଶନିକ ବା କଳାକାର ପରି। ତାଙ୍କ ଶିଳ୍ପପଛରେ ଏକ ଦର୍ଶନ ଅଛି। ଲାଗେ ସେ ଜଣେ ନୀରବ ସାଧକ ଯେ କି ପ୍ରକୃତିରୁ ଅନେକ କିଛି ଶିଖିଛନ୍ତି। "ମୋ ଭିତରେ ମୁଁ ମୋ ନିଜକୁ ହିଁ ଖୋଜେ,ଧ୍ୟାନ କରେ, ମୁଁ ମୋ ନିଜ ପାଇଁ ଡିଜାଇନ କରେ। ମୋତେ ସିନ୍ଥେଟିକ ଫ୍ୟାବ୍ରିକ ସୁହାଏନି, କାରଣ ଏହା ଦେହରେ ଗନ୍ଧ ସୃଷ୍ଟି କରେ। ତମକୁ ଏମିତି ଲୁଗା ଦରକାର ଯାହା କି ନିଃଶ୍ଵାସ ନେଇପାରେ, ଏହା ଏକେବାରେ ଏତେ ସରଳ" ସେ କହନ୍ତି ।
ସେଥିପାଇଁ ସେ ଲିନେନ୍,କଟନ, ଉଲ,ଶିଲ୍କ ଏବଂ ଏପରିକି ଝୋଟ ମଧ୍ୟ ବ୍ୟବହାର କରିଥାନ୍ତି। ତାଙ୍କର ବୟନ ଶିଳ୍ପରେ 'ଜୈବିକ' ଓ 'ପ୍ରାକୃତିକ' ଶବ୍ଦର ବ୍ୟବହାର ନିହାତି ଜରୁରୀ କିନ୍ତୁ ତାଙ୍କୁ କେହି ଆକ୍ଟିଭିଷ୍ଟ ଡାକୁ ବୋଲି ସେ ଚାହାନ୍ତି ନାହିଁ। ତେଣୁ ସେ ଲୁଗାପଟା ସିଲାଇରେ ପଲିକଟନ ସୂତା ବଦଳରେ ଶୁଦ୍ଧ କଟନ ହିଁ ବ୍ୟବହାର କରନ୍ତି। ଏଥିପାଇଁ ତାଙ୍କ ଲୁଗାର ମୂଲ୍ୟ ବଢ଼ିଥାଏ। ଏବେ ସେ 'ଉଲମାର୍କ' ପାଇଁ 'କୁଲ୍ ଉଲ' ବ୍ୟବହାର କରି ଏକ ନୂଆ ଲାଇନ ସୃଷ୍ଟି କରିଛନ୍ତି ଯାହାକୁ ଖରାଦିନେ ବି ପିନ୍ଧି ହେବ।
ତାଙ୍କର ସଂଗ୍ରହଗୁଡ଼ିକ ଏକାଧାରରେ ଉଚ୍ଚକୋଟୀର ଓ ସମ୍ଭ୍ରାନ୍ତ କିନ୍ତୁ କଠିନ ଅନମନୀୟତାରୁ ଦୂରରେ ,ପୁଣି ସେଥିରେ ଅଛି ଏକ ବୋହେମିଆନ ରୀତିର ନିଛକ ଛାପ ଯାହା ତାଙ୍କୁ ଫ୍ୟାସନ ଜଗତରେ ଏକ ନିଆରା ପରିଚୟ ଦେଇ ଟପର ହେବାର ସମ୍ମାନ ଆଣି ଦେଇଛି।
ସୁକେତୁଙ୍କ ସହ ଏକ ଦିନ ଭିଡିଓ: