Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

ଓଡ଼ିଆ ଭାଷା ପାଇଁ କିଛି ଅନ୍ତର୍ଜାତୀୟ ଇଣ୍ଟରନେଟ ପ୍ରକଳ୍ପ

ଫ୍ରି ସଫ୍ଟଓଏର ବା ସଫ୍ଟଓଏର ତିଆରି ହୋଇଥିବା ମୂଳ କୋଡ଼ ଖୋଲାରେ ଉପଲବ୍ଧ ଥିବା ସଫ୍ଟଓଏର ଧୀରେ ଧୀରେ ଅଧିକରୁ ଅଧିକ ଲୋକଙ୍କୁ ଏକାଠି କରିପାରୁଛି । ବିଭିନ୍ନ ପ୍ରକଳ୍ପର ଭାର ଆଉ କମ୍ପାନି ହାତରେ ନ ରହି ଲୋକଙ୍କ ହାତକୁ ଆସିଲାଣି । ଏହି ପରିପ୍ରେକ୍ଷୀରେ ଆମ ଭାଷାଗୁଡ଼ିକୁ ମଧ୍ୟ ସାହିତ୍ୟର ନିଗଡ଼ ଭିତରୁ ବାହାର କରି ବେପାର ବଣିଜଠାରୁ ଆରମ୍ଭ କରି ଜ୍ଞାନ ଆହରଣର ଭାଷା କରିବା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ, ସାମୁହିକ ଓ ବହୁଭାଷୀ ପ୍ରକଳ୍ପ ଜରୁରୀ । ଯେତେ ଅଧିକ ଲୋକ ମିଳିମିଶି କାମ କରିବେ ତେତେ ଅଧିକ ଜଣାଅଜଣା ବିଷୟ ବାବଦରେ ସଭିଏଁ ଜାଣିବେ ।

ଓଡ଼ିଆ ଭାଷା ପାଇଁ କିଛି ଅନ୍ତର୍ଜାତୀୟ ଇଣ୍ଟରନେଟ ପ୍ରକଳ୍ପ

Wednesday January 06, 2016,

8 min Read

ଫ୍ରି ସଫ୍ଟଓଏର ବା ସଫ୍ଟଓଏର ତିଆରି ହୋଇଥିବା ମୂଳ କୋଡ଼ ଖୋଲାରେ ଉପଲବ୍ଧ ଥିବା ସଫ୍ଟଓଏର ଧୀରେ ଧୀରେ ଅଧିକରୁ ଅଧିକ ଲୋକଙ୍କୁ ଏକାଠି କରିପାରୁଛି । ବିଭିନ୍ନ ପ୍ରକଳ୍ପର ଭାର ଆଉ କମ୍ପାନି ହାତରେ ନ ରହି ଲୋକଙ୍କ ହାତକୁ ଆସିଲାଣି । ଏହି ପରିପ୍ରେକ୍ଷୀରେ ଆମ ଭାଷାଗୁଡ଼ିକୁ ମଧ୍ୟ ସାହିତ୍ୟର ନିଗଡ଼ ଭିତରୁ ବାହାର କରି ବେପାର ବଣିଜଠାରୁ ଆରମ୍ଭ କରି ଜ୍ଞାନ ଆହରଣର ଭାଷା କରିବା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ, ସାମୁହିକ ଓ ବହୁଭାଷୀ ପ୍ରକଳ୍ପ ଜରୁରୀ । ଯେତେ ଅଧିକ ଲୋକ ମିଳିମିଶି କାମ କରିବେ ତେତେ ଅଧିକ ଜଣାଅଜଣା ବିଷୟ ବାବଦରେ ସଭିଏଁ ଜାଣିବେ ।

image


ଭାଷାଟି ଆମର ଏ ଦେଶର ମୋଟ ୬୦୦ରୁ ଅଧିକ ଭାଷା ଓ ତହିଁରୁ ୬ଟି ପୁରୁଣା ଭାଷା ଭିତରୁ ଗୋଟିଏ ବୋଲି ମାନ୍ୟତା ପାଇଲା । ଭାଷା ଭିତ୍ତିରେ ରାଜ୍ୟ ହେବାରେ ଓଡ଼ିଆ ହେଉଛି ଏସିଆରେ ପ୍ରଥମ । ଆମ ଭାଷା ମୂଳ ବିଶାଳ କଳିଙ୍ଗ ଭୁଖଣ୍ଡର ସତ୍ତାକୁ ଧରି ରଖିଥିବା ବୋଧେ ଏକୋଇ ଭାଷା । ଏତେ ସବୁ ପରେ ମଧ୍ୟ ଆମ ଭାଷା ଆନ୍ତର୍ଜାତିକ ସ୍ତରରେ କେତେ ପରିଚିତ ତାହା ନ କହିବା ଭଲ । 

ଓଡ଼ିଆ ଭଳି ଏତେ ପୁରାତନ ଭାଷା ଜଗତରେ ରହିଛି ବୋଲି କେଇ ଶହ ବର୍ଷ ତଳେ ଆମ ନିଜର ଥିବା ଆମ ପଡ଼ିଶା ବଙ୍ଗ, ବିହାରର ଲୋକେ ମଧ୍ୟ ଜାଣିଥିବେ କି ନାଁ ସନ୍ଦେହ । ଯେଉଁଠି ନିଜ ରାଜ୍ୟର ଲୋକେ ଓଡ଼ିଆରେ କଥା ହେବାକୁ ନାରାଜ ସେଠି ଦେଶବିଦେଶରେ ପତିଆରା କଥା କହିବା ତୁଚ୍ଛା ପାଗଳାମି ବୋଲି ପାଠକେ ହୁଏତ ଭାବୁଥିବେ । 

ତେବେ ଏ ପ୍ରସଙ୍ଗ ଆଲୋଚନା କରିବା ପଛରେ ରହିଛି ଆମ ଓଡ଼ିଆ ଜାତିର ମାନସିକତା । ବିଦେଶରୁ ଆସିଥିବା ଲୋକଟେ ଅଧିକ ଆଦର ପାଏ, ନିଜ ଲୋକେ ବିଦେଶ ଯାଇ ବାହୁଡ଼ିଲେ ଅଧିକ ସମ୍ମାନର ଅଧିକାରୀ ହୁଅନ୍ତି, ଏମିତିକି ଲୋକେ ମଦ ପିଇଲେ ବିଦେଶୀ ଭାଷାରେ ବକନ୍ତି ବୋଲି ଶୁଣାଯାଏ! ଏଣୁ ନିଜ ରାଇଜ ଆଉ ଦେଶରେ ଯେବେ ଆମ ଭାଷାଟି ଗାଁ କନିଆଁ, କାଳେ ବିଦେଶରେ କାଟତି ବଢ଼ିଲେ, ଭାଷାଟି ଏକ ଆନ୍ତର୍ଜାତୀୟ ଭାଷା ବୋଲି ବିଖ୍ୟାତ ହେବ ଆଉ ନିଜ ଲୋକଙ୍କ ତା ପ୍ରତି ଆଦର ବଢ଼ିପାରେ ବୋଲି ବିଚାରିବା । ଏ କଥାଟି ଯେ ଆମ ବିଲାତ ଫେରନ୍ତା ବାବୁ ମାନେ ହେଜିନଥିବେ ତା' ନୁହେଁ, ହେଲେ ଯେଉଁଠି ଖଣ୍ଡି ଇଂରାଜୀ ଓ ହିନ୍ଦିରେ କାମ ଚଳି ଯାଉଛି ସେଠି ସେମାନେ କାହିଁକି କଷଣ ସହି ଯେ ପ୍ରାଞ୍ଜଳ ଇଂରାଜୀ ଶିଖିବେ ଆଉ ପାଞ୍ଚ ଦେଶର ଲୋକଙ୍କ ଆଗରେ ନିଜ କଥା ସଳଖେ ବଖାଣିବେ? କାମ ତ ଚଳିଯାଉଛି!

କେଇଦିନ ତଳେ ଇଟାଲିରୁ ଜଣେ ସାଙ୍ଗ ଜଣାଇଲେ "ଓଡ଼ିଆ" ଶବ୍ଦଟି (ସେମାନେ, ପର୍ତ୍ତୁଗୀଜ ଓ ସ୍ପାନିସ ଭାଷୀଏ "ଓଦିଆ" ବୋଲି ଉଚ୍ଚାରଣ କରନ୍ତି) "ଘୃଣା କରିବା" ପାଇଁ ବ୍ୟବହାର ହୁଏ । ମୁହଁରେ କହିଲି ନାହିଁ, ହେଲେ ମନରେ ଭାଜିଲି ଆମ ଲୋକେ ନିଜ ଭାଷାକୁ କଣ କମ ହିନିମାନ ନ କରନ୍ତି । ଯଦି ଆମ ଭାଷା ଜଗତର ଛାମୁଆଁ ଭାଷା ଭିତରୁ ଗୋଟେ ହୋଇପାରନ୍ତା ତାହେଲେ ଏ "ଘୃଣାର ଭାଷା" ହୋଇ ଆଉ ନ ରହନ୍ତା । ତେବେ ଆମମାନଙ୍କ ଭିତରୁ କେତେ ଜଣ ଜଗତର ଆଉ ଭାଷା ଗବେଷାଳିଙ୍କ ସଙ୍ଗେ ନିଜ ଭାଷା କଥା ପକାଉଛୁ? ଆମେ ଯେଡ଼େ ବଡ଼ ଆଁ କରି ଆଉ ଜଳପ୍ରପାତକୁ ଟିଭିରେ ଦେଖୁଛୁ ଆମ ଖଣ୍ଡାଧାର କି ବରେହିପାଣିର ଛିଟିକାଏ ପାଣି ନିଜ ଦେହରେ ବଜେଇ ଚାଖୁଛୁ କି ତା'ର ମଜା? 

ଓଡ଼ିଶା ସୀମା ଡେଇଁଲେ ଓଡ଼ିଆମାନେ ଏତେ ଅନର୍ଗଳ ହିନ୍ଦୀ କହିବେ ଆପଣଙ୍କୁ ବୋଧ ହେବ ବୋଧେ ଏମାନେ ଅଭିମନ୍ୟୁ ହୋଇ ବୋଉ ପେଟରୁ ହିନ୍ଦୀ ଶିଖିଥିଲେ । 

ଅଧିକ ଭାଷା ଶିଖିଲେ ଭଲ, କାମରେ ଆସେ । ହେଲେ ନିଜ ଭାଷାକୁ ତୁଚ୍ଛ କରି, ତା' ଉପରେ ମଳ ଅଜାଡ଼ି ଦେଇ କିଏ ନୂଆ ଭାଷାରେ ଏତେ ପାରଙ୍ଗମ ହୁଏନା । ଆଜି ଯାଏ ଆମ ଭାଷାର ଏତେ ସାହିତ୍ୟ ଯେ ଗଢ଼ା, ତା ଭିତରୁ କେତେ ଅନ୍ୟ ଭାଷାରେ ଅନୁବାଦ ହୋଇଛି । ଯେଉଁମାନେ ଆମ ସାହିତ୍ୟର ମୁଖିଆ ବୋଲାଇ କାଳ କାଳ ଧରି ଗାଦି ମାଡ଼ି ବସିଛନ୍ତି ସେମାନଙ୍କୁ ପୁଚ୍ଛିବାର ବେଳ ଆସିଛି କାହିଁକି ଆମେ ଖାଲି ଅନ୍ୟ ଭାଷାରୁ ଅନୁବାଦ କରୁଛୁ, କାହିଁକି ଆମର କାଳଜୟୀ ଲେଖାମାନ ଦେଶ ଓ ଦେଶ ବାହାରେ ପଢ଼ାଯାଉନାହିଁ? ଭାରତୀୟ ଭାଷା ଭିତରୁ କେବଳ ତାମିଲ ଭାଷା କଥା ଚର୍ଚ୍ଚା ହୁଏ ଦେଶ ବିଦେଶରେ । କାରଣ କଣ ଜାଣନ୍ତି? ବାକି ସବୁ କାରଣ ବାଦେ ସବୁଠୁ ବଡ଼ କାରଣଟି ହେଲା ସେ ଭାଷାର ପୁରୋଧାମାନେ ରାଜ୍ୟ କି ଦେଶ ଭିତରେ ବାନ୍ଧି ନ ହୋଇ ନିଜ ଭାଷାକୁ ସାରା ଜଗତକୁ ନେଇଛନ୍ତି । ଖାଲି ପଇସାର ଟାଣରେ ଏ କାମ ହୋଇନାହିଁ, ଏଥିରେ ଧନ, ରାଜନୀତି ଆଉ ଡିପ୍ଲୋମାସି ଲାଗିଛି । ଆମ ସାହିତ୍ୟିକମାନେ ଥରୁଟେ ବିଦେଶ ଗଲେ ସେଠି ନିଜ ଭାଷା, ରାଇଜ କଥା କେତେ ଯେ ଗପନ୍ତି ତା' ମା' ଗଙ୍ଗେଇଙ୍କି ଜଣା । ଗପୁଥିଲେ ତାଙ୍କ ପରିଚିତ ମହଲରେ ଓଡ଼ିଆ ଭାଷା ବାବଦରେ ମଞ୍ଜିଟିଏ ପୋତା ହୋଇଥାନ୍ତା, ଅନ୍ତତ କିଛି ଭାଷାରେ ଓଡ଼ିଆ ବହି ଅନୁଦିତ ହୋଇଥାନ୍ତା, ଓଡ଼ିଆ ଭାଷାର ପୁରୁଣାପଣ ବାବଦରେ ବିଦେଶୀ ବ୍ଲଗରେ, ଖବରକାଗଜରେ, ଟେଲିଭିଜନରେ ଚର୍ଚ୍ଚା ହୋଇଥାନ୍ତା । ହୋଇଛି କି ଏଥିରୁ କାଣିଚାଏ? ଆମେ ନିଜ ଭାଷାର ବିଶ୍ୱବିଦ୍ୟାଳୟ କଥା ବିଚାରୁଛୁ, ହେଲେ ଆକାଶ କଇଆଁ ସ୍ୱରୂପ "ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ଅନୁଦାନ ରାଶି" ଆସିବାକୁ ନ ଚାହିଁ ବିଦେଶରୁ ରାଶି କେମିତି ଆସି ଏ କାମରେ ଲାଗିବ ତା' ପାଇଁ ବାଟ ତିଆରୁଛୁ କି? ତେବେ ଏ ଦୁଃଖ ବଖାଣିଲେ ନ ସରେ । ଚୋରକୁ ମାନ ମାରି ଖପରାରେ ଖାଇଲେ ଏଠି ଘରବୁଡ଼ି ଆଣ୍ଠୁଏ ହେବ । ତେଣୁ ବେଳ ଥାଉଁ ଥାଉଁ କିଛି ନିଅଁ ପୋତା ଚାଲୁ, ତେଣିକି ଘର ଯେବେ ଗଢ଼ାଯିବ ଏ ସାହା ହେବ ।

ଓଡ଼ିଆର ପରିଚିତି ଦେଶବିଦେଶରେ ଯେତିକି ଉଣା ଜଗତର ବାକି ଭାଷା ପାଇଁ ତିଆରି ହୋଇଥିବା ବିଭିନ୍ନ ଜ୍ଞାନର ଭଣ୍ଡାରରେ ମଧ୍ୟ ସେତିକି ଅଜଣା । ଇଂରାଜୀ ବାଦ ଅନ୍ୟାନ୍ୟ ଭାଷାର ଲେଖାର ପ୍ରକାଶନ ପାଇଁ ଅନେକ ସ୍ଥାନ ରହିଛି । ତେବେ ଏମିତି କେତୋଟି ଜାଗତିକ ସ୍ଥାନରେ ଓଡ଼ିଆର ଚିହ୍ନଟେ ଯେ ରହିବା ଲୋଡ଼ା ତା' କହିବା ବାହୁଲ୍ୟ । କାନ୍ଦି ବୋବାଳି ରାମମୋହନ ଲାଇବ୍ରେରି ସକାଶେ କେଇ ଶହ ବହି ଛାପି ଯେଉଁମାନେ ନିଜର ବା ଭାଷାର ଉନ୍ନତି କରିବେ ବୋଲି ସାଧି ବସିଥିବେ ତାଙ୍କ ପାଇଁ ନାକରା ଖବର ଆଉ ପିଲେ ଓଡ଼ିଆ ପଢ଼ୁନାହାନ୍ତି । ଓଡ଼ିଆ କଥା ଛାଡ଼ନ୍ତୁ, ପିଲେ ବହି ପଢ଼ୁନାହାନ୍ତି । ତାଙ୍କୁ ଆଜିକାଲି ଲୋଡ଼ା ଭଳିକି ଭଳି ଗେମ, ଆନିମେସନ ଆଉ ଗ୍ରାଫିକ ନଭେଲ (କମିକ୍ସ ଭଳି, ଛବି ସମ୍ବଳିତ ବହି) । ପୁଣି ପିଲାଏ ମୋବାଇଲ ଆଉ କମ୍ପ୍ୟୁଟରରୁ ଇଣ୍ଟରନେଟରେ ଖୋଜି ବସୁଛନ୍ତି ନୂଆ ନୂଆ କଥା । ଆଜିର ପିଢ଼ି ଯାହା ଦେଇ ଶିଖୁଛନ୍ତି ତାଙ୍କୁ ସେଇ ମାଧ୍ୟମରେ ଶିଖାଇପାରିଲେ ସିନା ସେମାନେ ଶିଖିବେ । ଖାଲି ଏବର ପିଢ଼ିଙ୍କୁ ଦୋଷ ଦେଇ ଭାଷା ମରିଯାଉଛି ବୋଲି କୁମ୍ବୀର କାନ୍ଦଣା କାନ୍ଦିଲେ କି ହେବ? ତେବେ ଆସନ୍ତୁ ଓଡ଼ିଆ ଭାଷାକୁ ଅଧିକ ବିଶ୍ୱସ୍ତରୀୟ କରିବା ଲାଗି ତିଆରି କିଛି ଓଡ଼ିଆ ପ୍ରକଳ୍ପ ବାବଦରେ ଆଲୋଚନା କରିବା ।

ଓଡ଼ିଆ ଉଇକିପିଡ଼ିଆ:

ଓଡ଼ିଆରେ ଟାଇପ କରି ଉଇକିପିଡ଼ିଆରେ ଲେଖିବା ପାଇଁ ଏକ ଟୁଲ ।

ଓଡ଼ିଆରେ ଟାଇପ କରି ଉଇକିପିଡ଼ିଆରେ ଲେଖିବା ପାଇଁ ଏକ ଟୁଲ ।


ଇଣ୍ଟରନେଟରେ ପହଞ୍ଚିଲେ କୌଣସି ବିଷୟ ଖୋଜିବାକୁ ପ୍ରଥମେ ଖୋଲାହୁଏ ଗୁଗୁଲ କି ୟାହୁ ଭଳି ସର୍ଚ ଇଞ୍ଜିନ । ଖୋଜିଲା ପରେ ଯାହା ପ୍ରଥମ ଲିଙ୍କରେ ଆସେ ସେ ହେଲା ଉଇକିପିଡ଼ିଆ (Wikipedia) । ହାବାଇ ଭାଷାରେ "ଉଇକି"ର ମାନେ ସହଳ । ଆଙ୍ଗୁଳି ଛୁଆଁରେ ଝଅଟ ମିଳିଯାଉଥିବାରୁ ତା' ନାଁ "ଉଇକି" ଦିଆଯାଇଛି । ଏଇଟି ଜଗତର ବିଶାଳତମ ଜ୍ଞାନକୋଷ । ୨୦୦୧ରେ ଇଂରାଜୀ ଉଇକିପିଡ଼ିଆରେ ପରେ ପ୍ରଥମ ଭାରତୀୟ ଭାଷା ଭାବେ ପଞ୍ଜାବୀ ଓ ଅହମିୟା ସହ ଯେ ଓଡ଼ିଆ ଏଥିରେ ସ୍ଥାନ ପାଇଲା ତା' ଅନେକେ ଜାଣି ନଥିବେ । ୨୦୦୨ରେ ତିଆରି ସିନା ହୋଇଗଲା । ହେଲେ ଏଥିରେ ଲେଖିବ କିଏ? ଇଂରାଜୀର ପାଠକ ଓ ଲେଖକ ଅଧିକ । ଆଉ ଉଇକିପିଡ଼ିଆରେ ଲେଖିଲେ କଉଡ଼ିଟିଏ ମିଳେନାହିଁ । ସ୍ୱେଚ୍ଛାରେ ଲେଖିବାକୁ ବିଦେଶରେ ଯେମିତି ଲୋକ ବାହାରନ୍ତି ଆମର ସେ ଅବସ୍ଥା ନାହିଁ । ତଥାପି ୨୦୧୧ ବେଳକୁ ଓଡ଼ିଶା ବାହାରେ ଥିବା କିଛି ଓଡ଼ିଆ ଏ ତିମିରରେ କିଛି ଆଲୁଅ ଜଳାଇଲେ । ଧୀରେ ଧୀରେ ଓଡ଼ିଶାରେ ଥିବା ଓଡ଼ିଆମାନେ ମଧ୍ୟ ସେଥିରେ ଯୋଡ଼ିହେଲେ । ଆଉ ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାର ବିଶାଳତମ ଅନଲାଇନ ଜ୍ଞାନକୋଷ । or.wikipedia.org ରେ ଉପଲବ୍ଧ ଏ ଏନସାଇକ୍ଲୋପିଡ଼ିଆ ସୀମିତ ସ୍ୱେଚ୍ଛାସେବୀଙ୍କ ଦେଇ ସମ୍ପାଦିତ ହେଉଥିବାରୁ ସେତେ ବିଶାଳ ନୁହେଁ ସତ, କିନ୍ତୁ ଏହା ଓଡ଼ିଆ ଭାଷାରେ ଉପଲବ୍ଧ ବିଶାଳତମ ୱେବସାଇଟ । ବିଭିନ୍ନ ବହି, ଖବରକାଗଜ ଓ ପତ୍ରପତ୍ରିକାରୁ ଖୋଜି ଲୋଡ଼ି ଏଥିରେ ସ୍ଥାନ, ବ୍ୟକ୍ତିତ୍ୱ, ଐତିହାସିକ ସ୍ଥଳୀ ଓ ଜଣାଶୁଣା ଅନେକ ବିଷୟରେ ପ୍ରସଙ୍ଗ ଗଢ଼ିବା ଏବଂ ଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି କଳେବର ବଢ଼ାଇବା ଲାଗି ଲୋଡ଼ା ଆହୁରି ଅନେକ ହାତ । ବିଶାଳାକାର ଏନସାଇକ୍ଲୋପିଡ଼ିଆସବୁ ପାଠାଗାର ଭିତରେ ଆଉ ସେଠାକୁ ଯାଉଥିବା ପାଠକଙ୍କ ଭିତରେ ବାନ୍ଧି ହୋଇ ରହିଯାଇଥିଲା । ତାକୁ ଖୋଲିବାର କଞ୍ଚିକାଠି ସାଜିଲା ଉଇକିପିଡ଼ିଆ । ଏକ ସମୟରେ ଲକ୍ଷ ଲକ୍ଷ ପାଠକଙ୍କ କତିରେ ପହଞ୍ଚିବାର ସରଳ ପନ୍ଥା ଆଉ କଣ ହୋଇପାରେ? ଓଡ଼ିଆ ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ୧୦ ହଜାରରୁ ଅଧିକ ଓ ମାସିକ ପାଠକ ୫ ଲକ୍ଷରୁ ଅଧିକ । ବହିର ପାଠ ବହି ବାହାରେ ବ୍ୟବହାର ହେବାରେ ପୁଣି ଟାଇପ କରିବାର ଯେଉଁ ବାଧକ ତା' ଏଥିରେ ନାହିଁ । ମଜାର କଥା ଯେ ଅନେକ ସମୟରେ ବିଭିନ୍ନ ଭାଷାଭାଷୀ ଉଇକିଆଳିଗଣ (ଉଇକିପିଡ଼ିଆର ସମ୍ପାଦକ)ବେଳେ ବେଳେ ଆପୋଷରେ ଏକ ଆଉଜଣଙ୍କ ଦେଶ-ଭାଷା-ଚଳଣି-ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ ଲେଖିବା ଦେଖାଯାଏ । ୨୯୦ରୁ ଅଧିକ ଭାଷାଭାଷୀ ଏମିତି ଅଗଣିତ ଲୋକ ଯେଉଁଠି ମିଶି ଲେଖନ୍ତି ସେଠି ଭାଷାଟିଏ ଯୋଜନ ଯୋଜନ ଡେଇଁ ଜଗତର କୋଣ ଅନୁକୋଣ କେଡ଼େ ସହଜରେ ପହଞ୍ଚିପାରେ ଏ ତା'ର ଏକ ଉଦାହରଣ ।

ଓଡ଼ିଆ ଉଇକିପାଠାଗାର

ଆମ ଭାଷାରେ ଏଯାବତ କେଇ ଲକ୍ଷ ବହି ଛପାଯାଇସାରିବଣି । ହେଲେ ଏ ସବୁ ବହି କଣ ସଭିଏଁ ପଢ଼ିବାର ସୁଯୋଗ ପାଆନ୍ତି? କାହାପାଖରେ ପାଠାଗାର ଯିବା ପାଇଁ ବେଳ ନାହିଁ ତ ହାତପାହାନ୍ତାରେ ବହି ନ ଥିବାରୁ କିଏ ଓଡ଼ିଆ ଛାଡ଼ି ବାକି ଭାଷାର ଲେଖା ପଢ଼ା ଆଦରୁଛି । ଆମ ଭାଷାର ପାଠକ କମି କମି ଯାଉଛନ୍ତି । ସମାଧାନର ପନ୍ଥା କଣ ହୋଇପାରେ? ଆମ ଭାଷା ଖାଲି କଣ ସାହିତ୍ୟ ଆଉ ସାହିତ୍ୟିକଙ୍କ ଭାଷା କି ଲୋକମୁଖର କଥିତ ଭାଷା ହୋଇ ରହିଯିବ? ଆଜିର ପିଢ଼ିଙ୍କ ପାଖରେ ପହଞ୍ଚିବା ଲାଗି ତା'କୁ ମନ ପଢ଼ିବାକୁ, ଜିଣିବାକୁ ହେବ । ଏଥି ପାଇଁ ପ୍ରାଥମିକ କାମଟି ହେଲା ବିରଳ ଓ ଛପା ହେଉନଥିବା ଅନେକ ପୁରାତନ ବହି ଇଣ୍ଟରନେଟ ଜରିଆରେ ପାଠକମାନଙ୍କ ନିକଟକୁ ନେବା । ଆମ ଦେଶରେ ଲେଖକଙ୍କ ଦେହାନ୍ତର ୬୦ ବର୍ଷ ପରେ ବହିର କପିରାଇଟ ଚାଲିଯାଏ । ଏଭଳି ପବ୍ଲିକ ଡୋମେନରେ (କପିରାଇଟ ନଥିବା) ବହିସବୁ କେବେ କେବେ ସୀମିତ ସଂଖ୍ୟାରେ ପାଠାଗାରରେ ଥାଏ । ଯଦି ପାଠାଗାରରୁ କୌଣସି କାରଣରୁ ବହିଟି ଚୋରିହୁଏ କି ପୋକ ଖାଇଯାଏ ତାହେଲେ ଲେଖକର ଶ୍ରମର ଦେଉଳ ଭୁସୁଡ଼ିପଡ଼େ । ଯଦି ବହିଟି ଏକରୁ ଅଧିକ ଥର ପ୍ରକାଶ ପାଇଥାଏ ତାହେଲେ ସେକଥା ଭିନ୍ନ । କିନ୍ତୁ ଅନେକ ବହି ଦ୍ୱିତୀୟଥର ଛପାହୁଏନା । ତାକୁ ସାଇତିବାର ସବୁଠୁ ବଡ଼ ବାଟ ହେଉଛି ଇଣ୍ଟରନେଟ । ପୁରୁଣା ଓ ବିରଳ ବହିମାନ ଛପାଇବାରେ ଭୁବନେଶ୍ୱରର ସୃଜନିକା ଅନୁଷ୍ଠାନର କାମ ଏକ ଐତିହାସିକ ପଦକ୍ଷେପ । ୧୮୪୦-୧୯୪୦ ଭିତରେ ପ୍ରକାଶିତ ପତ୍ରିକା, ୨୫ରୁ ଅଧିକ ଅଭିଧାନ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପୋଥିକୁ ମିଶାଇ ୭୪୦ରୁ ଅଧିକ ବହିକୁ ଡିଜିଟାଲ ରୂପ ଦେବାରେ ସେମାନଙ୍କ ଅବଦାନ କାହିଁରେ କେତେ । ହେଲେ ଏ ବହିର ଲେଖାସବୁ ଆଉଥରେ ବ୍ୟବହାର ହେବା, ଇଣ୍ଟରନେଟରେ ଖୋଜିପାଇବା ତଥା ମୋବାଇଲ ଆଦିରେ ପଢ଼ିବା ପାଇଁ ଆଉଥରେ ଟାଇପ ହେବା ଜରୁରୀ । ସବୁଯାକ ବହିକୁ ଟାଇପ କରିବା ସମ୍ବବ ନୁହେଁ, ହେଲେ କିଛି କିଛି ବହି ଧୀରେ ଧୀରେ ଟାଇପ ହୋଇପାରିବ । ସେ କାମଟି ଅଧୁନା ଓଡ଼ିଆ ଉଇକିପାଠାଗାରରେ ଆରମ୍ଭ ହୋଇଛି । ଇଣ୍ଟରନେଟରେ or.wikisource.org ୱେବସାଇଟ ଖୋଲି ପାଠକେ ଏହାକୁ ଖୋଲି ପଢ଼ିପାରିବେ ଓଡ଼ିଆ ଭାଗବତଠୁ ଆରମ୍ଭ କରି ଭଞ୍ଜ ସାହିତ୍ୟ ଏବଂ ଗୋପବନ୍ଧୁଙ୍କ ପରି ଏ ଯୁଗର ମହାନ ସାହିତ୍ୟିକଙ୍କ ରଚନାବଳୀ । ଏହାର ଲେଖା ସଂଖ୍ୟା ଅଧୁନା ୨୮୫ରୁ ଅଧିକ । ଖାଲି ସେତିକି ନୁହେଁ, ଆଗରୁ ସ୍କାନ ହୋଇ ରହିଥିବା ଅନେକ ବହିକୁ ଆଉଥରେ ଟାଇପ କରିବା କାମ ସଭିଙ୍କ ପାଇଁ ଖୋଲା । ତେଣୁ ପୁରାତନ ରଚନାର ବିଦଗ୍ଧ ପାଠକଜଣେ ପୂଜୁଥିବା ଲେଖକଙ୍କ ରଚନା ଏଥିରେ ଟାଇପ କରି ସ୍ଥାନୀତ କରିପାରିବ । ପ୍ରକଳ୍ପଟି ଅଣଲାଭକାରୀ, ଆଉ କପିରାଇଟ ନଥିବାରୁ ବହି ସବୁ ଖୋଲାରେ ପାଠକଙ୍କ ପାଇଁ ଉପଲବ୍ଧ ।

ଗୁଗୁଲର ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ ବ୍ୟବହାର କରି ସ୍କାନ ଛବିରୁ ଲେଖା ବାହାର କରିବା ।

ଗୁଗୁଲର ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ ବ୍ୟବହାର କରି ସ୍କାନ ଛବିରୁ ଲେଖା ବାହାର କରିବା ।


ଗ୍ଲୋବାଲ ଭଏସେସ

ଉପର ଦୁଇ ପ୍ରକଳ୍ପ ତ ଗଲା ବହିର ରକ୍ଷଣାବେକ୍ଷଣା ଆଉ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ଗଢ଼ିବାର କଥା । ହେଲେ ଘଟୁଥିବା ଘଟଣା ଆଉ ଜନମତର ମହତ ମଧ୍ୟ ଉଣା ନୁହେଁ । ଲେଖିବାକୁ କଷ୍ଟ ହେଉ ପଛେ ଆମ ଲୋକେ ଏବେ ଯାଏ ଇଂରାଜୀକୁ କମ୍ପୁଟରର ଭାଷା ମାନି ମୋବାଇଲ ବା ଇଣ୍ଟରନେଟରେ କେବଳ ଇଂରାଜୀରେ ଲେଖନ୍ତି । ସାଧାରଣ ଲୋକେ କିପରି ଓଡ଼ିଆରେ ଇଣ୍ଟରନେଟରେ ଲେଖିବେ ତା'ର ସଳଖ ବାଟ ଅନେକଙ୍କ ପାଖେ ପହଞ୍ଚି ନଥିବାରୁ ଏ ଅସୁବିଧା । ଘଟୁଥିବା ଘଟଣାବଳୀ ଓ ତହିଁରେ ଜନ-ଅଭିମତକୁ ଭରିବା ଲକ୍ଷରେ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ହେଉଛି ଗ୍ଲୋବାଲ ଭଏସେସ । ସୌଭାଗ୍ୟର କଥା ଯେ ହିନ୍ଦୀ ଓ ବଙ୍ଗଳା ପରେ ଏଥିରେ ୩ୟ ଭାରତୀୟ ଭାଷା ଭାବେ ଓଡ଼ିଆ ସ୍ଥାନୀତ । ଅନେକ ସମୟରେ ନଜର ଆଢ଼ୁଆଳରୁ ଛପି ଯାଉଥିବା ଘଟଣା ଏଥିରେ ପଦାକୁ ଆସେ । ଜଗତର ଅନେକ ଲୋପ ପାଇଯାଉଥିବା ଭାଷା, ଚଳଣିଠୁ ଯୁଦ୍ଧଭୂଇଁରେ ଯୁଝୁଥିବା ଲୋକଙ୍କ କାହାଣୀ ତଥା ସାଧାରଣ ମଣିଷର ସ୍ୱର ଫୁଟିଉଠେ ଏଥିରେ । ଓଡ଼ିଆ ପାଠକଙ୍କ ପାଇଁ ଖବର ବୋଲି ଯାହା ଖବରକାଗଜରେ ଆସେ ତା ବାହାରେ ଘଟୁଥିବା ଘଟଣା ସହ ପରିଚିତି ଲାଭ ପାଇଁ ଏ ଏକ ବଡ଼ ମାଧ୍ୟମ ହୋଇପାରେ । ଏହା or.globalvoices.org ରେ ଉପଲବ୍ଧ । ଏ ମଧ୍ୟ ଏକ ସ୍ୱେଚ୍ଛାସେବୀ ପରିଚାଳିତ ପ୍ରକଳ୍ପ ଯାହାର ଦୁଆର କିଛି ପରିମାଣରେ ଭାଷା ଦକ୍ଷତା ଥିବା ଲେଖକଙ୍କ ପାଇଁ ଖୋଲା ।

ଏ ତିନୋଟି ମୁଖ୍ୟ ପ୍ରକଳ୍ପ ବାଦ ଆହୁରି ଅନେକ ଅଣ-ଲାଭକାରୀ ଓ ଖୋଲା ପ୍ରକଳ୍ପ ରହିଛି । ଓଡ଼ିଆକୁ ଇଣ୍ଟରନେଟରେ ଅଧିକ ଜନପ୍ରିୟ କରିବାକୁ ଇଚ୍ଛୁକ ଓଡ଼ିଆଏ ଓଡ଼ିଆ ଉଇକିଅଭିଧାନରେ ବିଭିନ୍ନ ଭାଷାର ଶବ୍ଦ ଓଡ଼ିଆରେ ଲେଖିପାରିବେ ଆଉ ନିତିଦିନ ବ୍ୟବହାର କରୁଥିବା ଫାୟାରଫକ୍ସ ବ୍ରାଉଜରର ସମ୍ପୂର୍ଣ୍ଣ ଇଣ୍ଟରଫେସ ଓଡ଼ିଆରେ ଅନୁବାଦ କରିପାରିବେ । ଆଉ ନୂଆ ଘଟଣା ବାବଦରେ YourStory ଓଡ଼ିଆରେ ମଧ୍ୟ ଲେଖିପାରିବେ ।