Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

ଗାଁ ମାଟିର ଡାକ : ହୀରା ବ୍ୟବସାୟୀରୁ 'ନଦୀମାନବ'

ଗାଁ ମାଟିର ଡାକ : ହୀରା ବ୍ୟବସାୟୀରୁ 'ନଦୀମାନବ'

Saturday January 23, 2016,

2 min Read

ଗ୍ରାମର ନାମ ଇଙ୍ଗୋରାଲା।

ନଦୀର ନାମ ଥେବୀ।

ଏଇ ଗାଁ ତାଙ୍କର ଜନ୍ମମାଟି। ଆଜି ସୁରାଟରେ ସେ ପ୍ରତିଷ୍ଠିତ। ଅର୍ଥ,ଯଶ,ପାରିବାରିକ ସୁଖ ସବୁ କିଛି ମିଳିଛି ତାଙ୍କୁ। ସୁରାଟ ସହରରେ ତାଙ୍କର କୋଟି କୋଟି ଟଙ୍କାର ହୀରା ବ୍ୟବସାୟ। ତା ସାଙ୍ଗକୁ ରିୟଲ ଇଷ୍ଟେଟର କାରବାର। ଆଜିର ଏଇ ପରିଣତ ବୟସରେ ଗାଁ ମାଟି ର ଡାକ ପ୍ରତିଧ୍ଵନିତ ହେଉଛି ତାଙ୍କର ଛାତିର କେଉଁ ଏକ ଅଜଣା କୋଣରେ ଯାହା ତାଙ୍କୁ କରିଛି ବ୍ୟସ୍ତ ବହୁଳ ଜୀବନରେ ଅନ୍ୟମନସ୍କ। ଜୀବନରେ ସେ କ'ଣ କରିବାକୁ ଭୁଲିଯାଇଛନ୍ତି ଯେମିତି ! ଗହୀର ରାତିରେ ବାର ବାର ନିଦ ଭାଙ୍ଗିଯାଇଛି।ତାକୁ ସଂପୂର୍ଣ୍ଣ କଲେ ସେ ଯାଇ ଶାନ୍ତିର ନିଃଶ୍ଵାସ ମାରିପାରିବେ !

image


ତା'ପରେ ଦିନେ ସେ ଜାଣିପାରିଲେ ତାଙ୍କୁ ମା' ମାଟିର ଋଣ ଶୁଝିବାକୁ ଅଛି , ଯାହା ଛାତି ସାମନାରେ ପାହାଡ଼ ପରି ଠିଆ ହେଲାଣି।

ଶୈଶବର ସ୍ମୃତିରେ ଜଡ଼ିତ ଗାଁର ଛୋଟ ନଦୀ 'ଥେବୀ'ମନେ ପଡ଼ିଛି।ଏକଦା ଦିନେ ଯାହା ଥିଲା ଚଳଚଞ୍ଚଳ,ଏବଂ ଏବଂ ଗାଁର ଜୀବନରେଖା , ତାହା ଆଜି ମୃତପ୍ରାୟ । ନଦୀର ସ୍ରୋତ ଶୁଖିଯାଇଛି। କାଁ ଭାଁ କେଉଁଠି ଯଦି ଅଛି ତ'ର ଗଭୀରତା ଦୁଇଫୁଟରୁ ବେଶୀ ନୁହେଁ। ଗାଁ ଲୋକେ ପାଣିଟିକେ ପାଇଁ ଆଜି ବ୍ୟାକୁଳ।

ପ୍ରସିଦ୍ଧ ହୀରା ବ୍ୟବସାୟୀ ଜେରାମ ଥେସିଆ ଠିକ୍ କରିନେଲେ ଶୈଶବର ସେଇ ନଦୀକୁ ବଞ୍ଚେଇବାକୁ ହେବ। ଇଞ୍ଜିନିୟରମାନଙ୍କ ସହିତ କଥାବାର୍ତ୍ତା ହୋଇଗଲେ । ନଦୀଶଯ୍ୟାକୁ ଗଭୀର ଓ ପ୍ରଶସ୍ତ କରିବାକୁ ହେବ। ବର୍ଷାଜଳରେ ନଦୀଗର୍ଭ ପୂର୍ଣ୍ଣ ହେଲେ ଦୁଇ ବର୍ଷ ମଧ୍ୟରେ ନଦୀଟି ପୁନର୍ଜୀବିତ ହୋଇ ଆଉଥରେ ହେବ ଚଳଚଞ୍ଚଳ; ପୂରଣ ହେବ ତା'ଙ୍କର ଚିର ଈପ୍ସିତ ଅଭିଳାଷ।

image


ଆଉ ବିଳମ୍ବର ପ୍ରୟୋଜନ ନାହିଁ। ତିନି ମାସ ହେଲା କାମ ଆରମ୍ଭ ହୋଇଗଲାଣି। ତିନୋଟି ଆର୍ଥ ମୁଭର ମେସିନ ଏବଂ ତିନୋଟି ଡମ୍ପରର ଘର୍ଘର ଶବ୍ଦରେ ଆଜି ଗୁଜରାଟର ଅମରେଲି ଜିଲ୍ଲାର ଇଙ୍ଗୋରାଲା ଗ୍ରାମ ଆଜି ରାତିଦିନ ନିନାଦିତ। ଯେଉଁ ନଦୀଶଯ୍ୟା ହୋଇଯାଇଛି ଦୁଇଫୁଟ ଗଭୀର ଏବଂ ସତୁରୀ ଫୁଟ ଓସାର , ତାକୁ କରାଯାଉଛି ଆଜି ୨୫ ଫୁଟ ଗଭୀର ଓ ୭୦୦ ଫୁଟ ଚଉଡ଼ା।

ନଦୀଧାରରେ ଦଶ କିମି ଦୀର୍ଘ ପୁନରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହେବ ପ୍ରାୟ ୧୫କୋଟି ଟଙ୍କା ଯାହା ଜେରାମ ତାଙ୍କ ନିଜ ପକେଟରୁ ଭରିବେ। ତାଙ୍କର ଚିର ବାଞ୍ଛିତ ଏଇ ସ୍ଵପ୍ନକୁ ସାକାର କରିବାରେ ସେ ପଇସାକୁ ହିସାବ କରନ୍ତି ନାହିଁ।କିଏ କ'ଣ ନଦୀର ଜୀବନରେଖାକୁ ପଇସାରେ ତୁଲ କରିପାରିବ? ଆଜି ଜେରାମ ତତ୍ପର ଏଇ ଯୋଜନାଟି କିପରି ସଂପୂର୍ଣ୍ଣ ହେବ। ରାତି ହେଉ ଦିନ ହେଉ ସେ ନିଜେ ନଦୀ ଶଯ୍ୟା ପର୍ଯ୍ୟନ୍ତ ଯାଇ କାମର ଅଗ୍ରଗତି ତଦାରଖ କରନ୍ତି।

image


"ଥରେ ଥେବୀ ନଦୀ ଗଭୀର ହୋଇ ଯାଉ ଦେଖିବେ ନଦୀର ଉଭୟ ତୀରରେ ଥିବା ପ୍ରାୟ କୋଡିଏଟି ଗାଁକୁ ଏହାର ଉପକାର ମିଳିବ। ଭୂମିଗତ ଜଳସ୍ତରର ବୃଦ୍ଧି ମଧ୍ୟ ହେବ" ଜେରାମ କହନ୍ତି।

ଜେରାମ ଜଣେ ଡାଇବେଟିସ ରୋଗୀ ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କର ବାଇପାସ ସର୍ଜରୀ ମଧ୍ୟ ହୋଇଛି, ତଥାପି ସେ ପୂରା ଛଅ ଘଣ୍ଟା ମଧ୍ୟ ଶୋଇ ପାରନ୍ତିନି। 

"ମୋର ସ୍ଵପ୍ନ ମୁଁ କିପରି ମୋର ଭିଟାମାଟିର ଗାଁର ଉନ୍ନତି କରିବି। ଗାଁ ଲୋକଙ୍କର ମଙ୍ଗଳ ପାଇଁ ମୁଁ ମୋର ଜୀବନ ଓ ଧନକୁ ନିୟୋଜିତ କରିଛି"।

ଆକଳନ ଅନୁଯାୟୀ ୧୦କି.ମି.ଦୀର୍ଘ ନଦୀଶଯ୍ୟା ଗଭୀର ଓ ପ୍ରଶସ୍ତ ହୋଇଗଲାପରେ ପ୍ରାୟ ୭୦,୦୦୦ ବିଘା ଜମିକୁ ଏହାର ଲାଭ ମିଳିବ।

ଇଙ୍ଗୋରାଲାର ଜଣେ ଚାଷୀ କହନ୍ତି,"ମୁଁ ମୋ ଜମିର କୂଅକୁ ଗଭୀର କରିବାକୁ ବାହାରିଥିଲି କିନ୍ତୁ ମୁଁ ଯେତେବେଳେ ଶୁଣିଲି ଥେବୀ ନଦୀର ଶଯ୍ୟାକୁ ଗଭୀର କରାଯାଉଛି ମୁଁ ଏଥିରୁ ବିରତ ହେଲି କାରଣ ଏବେ କୂଅଟିର ଜଳସ୍ତର ଆପେ ଆପେ ବଢ଼ିପାରିବ"।

ଏବେ ଜେରାମ ଥେସିଆ ଗୁଜରାଟରେ 'ନଦୀମାନବ' ବା 'ରିଭରମ୍ୟାନ' ଭାବରେ ସୁପରିଚିତ।

ଆଶା କରାଯାଉଛି ଯେ ଆହୁରି ଅନେକ ଦେଶପ୍ରେମୀ ଏହି ଅଭିନବ ପ୍ରୟାସ ଦ୍ଵାରା ପ୍ରେରିତ ହେବେ।