Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

ଏଥର ହୋଲିରେ ଓଡ଼ିଆ ଝିଅ ସ୍ନିତିଙ୍କର 'ହୋରି ହୋରି '

2010 ସା-ରେ -ଗା-ମା-ପା ପ୍ରତିଯୋଗିତାରେ 'ଅସାଧାରଣ ସ୍ଵରର ଅଧିକାରିଣୀ' ସ୍ନିତିଙ୍କର ନୂତନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଭିଡିଓ

ଏଥର ହୋଲିରେ ଓଡ଼ିଆ ଝିଅ  ସ୍ନିତିଙ୍କର 'ହୋରି ହୋରି '

Wednesday March 23, 2016,

3 min Read

image


ଆଜି ବସନ୍ତର ଏ ରଙ୍ଗଭରା ଉତ୍ସବ ପୂର୍ବରୁ ଓଡ଼ିଶାରେ କିନ୍ତୁ ବସନ୍ତ ଋତୁ ନିରୁଦ୍ଦିଷ୍ଟ, ଭୁବନେଶ୍ଵର ତାପମାତ୍ରା ୪୩ ଡିଗ୍ରୀ ଛୁଇଁବାକୁ ବସିଲାଣି (ଦେଶର ଉଚ୍ଚତମ)। ଡାଆଣୀ ଖରା, ଖଇ ଫୁଟୁଛି । ଫଗୁଣରେ ନିଷ୍ଠୁର ନିଦାଘର ଯାତନାରେ ଏ ମନ ଯେତେବେଳେ କାମନା କରେ ଶୀତଳତାର ସ୍ପର୍ଶ, ସେତେବେଳେ ଦେବତାର ଆଶୀର୍ବାଦ ପରି ବଲାଙ୍ଗୀର ର ଝିଅଟିଏ ତମର କ୍ଷତାକ୍ତ ମନ ପାଇଁ ଆଣିଦେଇଛି ସଙ୍ଗୀତର ଚନ୍ଦନ ଶୀତଳ ମଳୟ ସମୀର ପରି ମଲମ 'ହୋରି ହୋରି'। ତମକୁ ଘାରିବ ନୋସ୍ତାଲଜିଆ। ସ୍ନିତି ନେଇଯିବେ ତୁମକୁ ଏକ ସରରିଅଲ, ଅତୀନ୍ଦ୍ରିୟ ଜଗତକୁ, ବାଳଗୋପାଳଙ୍କର ଲୀଳାମୟ ଭୂମିକୁ। କ୍ଷଣିକ ପାଇଁ ତ ତୁମେ ପାସୋରିଯିବ ଜଳବାୟୁ ପରିବର୍ତ୍ତନର କଷ୍ଟକୁ !


'ହୋରି ହୋରି, ଖେଲତ ନନ୍ଦଲାଲ.........' ତମକୁ ନେଇଯିବ ଭିନ୍ନ ଏକ ସମୟକୁ ଯେଉଁଠି ତମେ ହଳଦୀ, କୁଙ୍କୁମ ଆଉ ପଲାଶର ରଙ୍ଗରେ ଖେଳୁଛ। ଯେତେବେଳେ ସେଥିରେ ବିଷାକ୍ତ ରସାୟନର ଛାପ ଆହୁରି ପଡ଼ିନାହିଁ।

ନିକଟରେ ପ୍ରଣବ କୁମାର ଆଇଚଙ୍କ ଦ୍ଵାରା ନିର୍ମିତ ଏବଂ Youtube ରେ ମୁକ୍ତିଲାଭ କରିଥିବା ସ୍ନିତିଙ୍କର ଭିଡିଓ ସଙ୍ଗୀତ 'ହୋରି ହୋରି ' ଏ ବର୍ଷ ନିଶ୍ଚିତ ଭାବେ ହୋଲି ପାଇଁ ଏକ ନିଆରା ପରିବେଶ ସୃଷ୍ଟି କରିବ। ରାଗ 'ଆଦାନ' ଉପରେ ଆଧାରିତ ଏହି ଭିଡିଓ ସଙ୍ଗୀତଟିର ସନ୍ଦେଶ - 'ଆଉଥରେ ପ୍ରକୃତିକୁ ଫେରିଚାଲ'। 

ଏଥିରେ ତମେ ଦେଖିବ ନିମ୍ବପତ୍ର, ଗୋଲାପ, ହଳଦୀ, ଗେଣ୍ଡୁଫୁଲ ଓ ପଲାଶ ଫୁଲରୁ କେମିତି ରଙ୍ଗ ତିଆରି କରାଯାଉଛି। ଶିଳରେ କେମିତି ବଟା ହେଉଛି। ତମେ ଦେଖିବ ପାରମ୍ପରିକ ଆଦିବାସୀ ତନ୍ତବୁଣା ଧୋତି (କାଚା) ଓ ଶାଢ଼ୀ ପରିହିତ ସାନ୍ତାଳି ଯୁବକ ଓ ଯୁବତୀ ରଙ୍ଗ ଖେଳରେ ଭାଗ ନେଇ ଉପଭୋଗ କରୁଥିବାର ଦୃଶ୍ୟ। ଆଦିବାସୀ ସମାଜ ସହିତ ସହାବସ୍ଥାନର ଚିତ୍ର , ଝୋଟି ଦିଆଯାଇଥିବା ମାଟିର ଘର। ତମକୁ ଅତୀତର ସ୍ମୃତି ଘାରିବ। 

ବାଳଗୋପାଳ ନନ୍ଦଲାଲଙ୍କୁ ସାଧାରଣ ଚାଷୀ, ମୂଲିଆ ଓ ଆଦିବାସୀ ସମାଜ କୋଳେଇ ନେଇଛି। ସେ ହୋଇଯାଇଛନ୍ତି ଏହି ତଥାକଥିତ ସାଧାରଣ ବର୍ଗଙ୍କର କୁଳନନ୍ଦନ। କିନ୍ତୁ ଉଚ୍ଚବର୍ଣ୍ଣର ନୁହେଁ। ଅତଏବ ଏହା ବ୍ରାହ୍ମଣବାଦରୁ ମୁକ୍ତ ବୋଲି କୁହାଯାଇପାରିବ ଏବଂ କୃଷ୍ଣଙ୍କୁ ଏକ ନୂତନ ପରିଚୟ ଦେଉଛି। 

କେତେ ଅଦ୍ଭୁତ ପ୍ରତୀକ! ଆଉ ମେସେଜ! ଭିଡିଓ ସଙ୍ଗୀତଟି ଏହାର ସଙ୍ଗୀତକାର ସ୍ନିତିଙ୍କର ଗୁରୁ ପଣ୍ଡିତ ବଳବନ୍ତ ରାୟ ଭଟ୍ଟଙ୍କୁ ଏକ ଶ୍ରଦ୍ଧାଞ୍ଜଳି ବୋଲି ସ୍ନିତି କହନ୍ତି । ନିକଟରେ ହିଁ ବନାରସରେ ଗୁରୁଜୀଙ୍କୁ ସାକ୍ଷାତ କରି ଫେରିଲା ପରେ ଏଇ ଗୀତଟିକୁ କରିବା ପାଇଁ ଅନୁପ୍ରାଣିତ ହେଲେ ବୋଲି ସ୍ନିତି କହନ୍ତି। 

ନିର୍ମାତା ପ୍ରଣବ କହନ୍ତି, 

ସଙ୍ଗୀତଟିର ଆଧ୍ୟାତ୍ମିକ ଶକ୍ତି ଅପୂର୍ବ!

ଓଡ଼ିଶାରେ ହୋଲି ପର୍ବ

ଓଡ଼ିଶାରେ ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ଦୋଳ ପର୍ବ ବା ଦୋଳ ପୂର୍ଣ୍ଣିମା ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଥାଏ। ଏହାର ଠିକ ପରଦିନ ସାରା ଭାରତରେ ତଥା ଓଡ଼ିଶାରେ ହୋଲି ଉତ୍ସବ ଧୂମଧାମରେ ପାଳିତ ହୁଏ । ଭିନ୍ନ ଭିନ୍ନ ରଙ୍ଗକୁ ପରସ୍ପର ଉପରକୁ ହାତ ବା ପିଚକାରୀରେ ଫିଙ୍ଗି ଏହି ହୋଲି ଖେଳ ଖେଳାଯାଏ। ଏହି ଖେଳକୁ ଭାଷା,ବର୍ଣ୍ଣ, ଲିଙ୍ଗ, ଧର୍ମ, ପ୍ରାନ୍ତ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି। ସର୍ବୋପରି ଏହି ଖେଳ ଭିନ୍ନତା ମଧ୍ୟରେ ଏକତା ମନ୍ତ୍ରକୁ ଦର୍ଶାଇଥାଏ।

ଫାଲଗୁନ ଶୁକ୍ଳ ଦଶମୀ ତିଥିରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ, ଯାହା ଫଗୁ ଦଶମୀ ନାମରେ ଖ୍ୟାତ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ଠାରେ ଏହିଦିନଠାରୁ ଅବିର ଅର୍ପଣ କରାଯାଇଥାଏ। ଛୋଟ ଛୋଟ ବିମାନରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ମହା ଆଡ଼ମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ଵାରକୁ ନିଆଯାଇଥାଏ। ପ୍ରତ୍ୟେକ ଦ୍ଵାରରେ ଠାକୁରଙ୍କୁ ଭୋଗ ଅର୍ପଣ କରିବା ସହିତ ପୁରୋହିତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଇଥାଏ। ଫଗୁ ଦଶମୀ ତିଥିରୁ ଫଗୁଖେଳ, ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ ।

ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ। ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେ ଅଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ। ରାଜଦୋଳ ଉତ୍ସବ ଅର୍ଥାତ ଫଗୁ ଦଶମୀ ଠାରୁ ସମସ୍ତ ବୈଷ୍ଣବ ପୀଠ ମାନଙ୍କରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଜିତ ବିମାନରେ ବିଜେ କରନ୍ତି।

ଭିନ୍ନ ପ୍ରକାରର ଦୋଳମେଲଣ :

ରାଜଦୋଳ ମେଲଣ -ଫଗୁ ଦଶମୀ ଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ

ପଞ୍ଚୁଦୋଳ ମେଲଣ -(ପାଞ୍ଚ ଦିନ ପର୍ଯ୍ୟନ୍ତ)- ଫଗୁଣ ପୂର୍ଣ୍ଣିମା ଠାରୁ ଚୈତ୍ର ମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ

ଦଶଦୋଳ (ଦଶଦିନ ବ୍ୟାପୀ ମେଲଣ)- ଫଗୁଣ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଚୈତ୍ର ନବମୀ ପର୍ଯ୍ୟନ୍ତ 

ସ୍ନିତିଙ୍କ ବିଷୟରେ ସମ୍ୟକ

image


ସ୍ନିତି ମିଶ୍ର, ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଜଣେ ଗାୟିକା । ୨୦୧୦ ମସିହାରେ, ଜୀ' ଟିଭିରେ ପ୍ରସାରିତ 'ସା ରେ ଗା ମା ପା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ସେ ଲୋକଲୋଚନକୁ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କୁ 'ସବୁଠାରୁ ଉଲ୍ଲେଖନୀୟ କଣ୍ଠସ୍ଵର' ଉପାଧି ମଧ୍ୟ ପ୍ରଦାନ କରାଯାଇଥିଲା। ପିଲାଦିନରୁ ସ୍ନିତି ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ ଓ ଗୁରୁ 'ରଘୁନାଥ ସାହୁ'ଙ୍କଠାରୁ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ସେ, ମୁମ୍ବାଇର ଗନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ବିଶାରଦ ଉପାଧି ମଧ୍ୟ ହାସଲ କରିସାରିଛନ୍ତି । 'ସା ରେ ଗା ମା ପା' କାର୍ଯ୍ୟକ୍ରମରୁ ଲୋକପ୍ରିୟତା ହାସଲ କରିଥିବା ସ୍ନିତି ଇତିମଧ୍ୟରେ ଏକ ନେପାଳୀ ଭାଷାର ଚଳଚିତ୍ର ଓ ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚିତ୍ର 'ବବଲୁ ହାପି ହେ' ରେ କଣ୍ଠଦାନ କରିସାରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ସେ, ଫୈଜଲ କ୍ୟୁରେସି, ଭିକୁ ବିନାୟକମ, ଲୁଇସ ବ୍ୟାଙ୍କ ଆଦି ବହୁ ପ୍ରତିଷ୍ଠିତ ସଙ୍ଗୀତକାରଙ୍କ ସହ ଦେଶ ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିସାରିଛନ୍ତି। (ଉତ୍ସ - ଓଡିଆ ୱିକିପିଡିଆ)