ସ୍କୁଲ ବସରେ ଲାଗିବ ଜିପିଏସ ଓ ସିସିଟିଭି

ସ୍କୁଲ ବସରେ ଲାଗିବ ଜିପିଏସ ଓ ସିସିଟିଭି

Monday February 27, 2017,

1 min Read

ସ୍କୁଲ୍‌ ବସ୍‌ଗୁଡ଼ିକରେ ପିଲାଙ୍କ ସୁରକ୍ଷା ପାଇଁ ଗୁରୁବାର ଦିନ ସିବିଏସ୍‌ଇ କେତେକ ନିୟମାବଳୀ ଲାଗୁ କରିଛି। ସିବିଏସ୍‌ଇ ଅନୁବନ୍ଧିତ ସବୁ ସ୍କୁଲ୍‌ମାନେ ଏହି ନିୟମାବଳୀସବୁକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିର୍ଦେଶ ଦିଆ ଯାଇଛି। ଏହି ନିୟମାବଳୀ ପାଳନର ଯେ କୌଣସି ତ୍ରୁଟିବିଚ୍ୟୁତି ଏବଂ ଉଲ୍ଲଂଘନ ପାଇଁ ସ୍କୁଲ୍‌ ପରିଚାଳନା କର୍ତ୍ତୃପକ୍ଷ ଏବଂ ସ୍କୁଲ୍‌ର ମୁଖ୍ୟ ଦାୟୀ ରହିବେ। ଏହାକୁ ଅମାନ୍ୟ କଲେ ଉକ୍ତ ସ୍କୁଲ୍‌ ସିବିଏସ୍‌ଇ ବୋର୍ଡର ଅନୁବନ୍ଧନ ହରାଇବାର ଆଶଙ୍କା ଅଛି।

image


ନିୟମାବଳୀ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ନେବାଆଣିବା କରୁଥିବା ସ୍କୁଲ୍‌ ବସ୍‌ଗୁଡ଼ିକରେ ଜିପିଏସ୍‌ ଏବଂ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହେବ। କୌଣସି ପରିସ୍ଥିତିରେ ବସ୍‌ର ବେଗ ଘଣ୍ଟା ପ୍ରତି ୪୦ କି. ମି.ରୁ ଅଧିକ ହେବନାହିଁ।

ସ୍କୁଲ୍‌ ବସ୍‌ର ରଙ୍ଗ ହଳଦିଆ ହେବା ସହ ଏହାର ଉଭୟ ପାର୍ଶ୍ୱରେ ସମ୍ପୃକ୍ତ ସ୍କୁଲ୍‌ ନାମ ସ୍ପଷ୍ଟରୂପେ ଲେଖା ହେବ। ବସ୍‌ର ଆଗ ଏବଂ ପଛ ପଟେ ସ୍କୁଲ୍‌ ବସ୍‌ ବୋଲି ଲେଖାଯିବ। ଯଦି ବସ୍‌ଟି ଭଡ଼ାରେ ଆସିଥାଏ, ସେଥିରେ ‘ଅନ୍‌ ସ୍କୁଲ୍‌ ଡିଉଟି’ ବୋଲି ଲେଖା ଯିବ।

ବୋର୍ଡ ଏହି ନିୟାମାବଳୀ ସବୁକୁ ୭ଟି ସାଧାରଣ ବର୍ଗରେ ବିଭକ୍ତ କରିଛି। ବସ୍‌ର ବାହ୍ୟ ଓ ଅଭ୍ୟନ୍ତର ରୂପରେଖ, ଲୋକବଳ ଏବଂ ବସ୍‌ରେ ଥିବା ସୁବିଧା, ପର୍‌ମିଟ୍‌, ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି ଏବଂ ଅଭିଭାବକଙ୍କ ଉପଦେଷ୍ଟା କମିଟି ଆଦିକୁ ଏହି ନିୟମାବଳୀ ଅନ୍ତର୍ଭୁକ୍ତ।