ସାଧାରଣ ଜୀବନ ଓ ଅସାଧାରଣ ଭାବନାରର ସମାହାର: Vini’s Foodର ପ୍ରତିଷ୍ଠାତା ବିନିତା ଜୈନ

ସାଧାରଣ ଜୀବନ ଓ ଅସାଧାରଣ ଭାବନାରର ସମାହାର: Vini’s Foodର ପ୍ରତିଷ୍ଠାତା ବିନିତା ଜୈନ

Thursday November 12, 2015,

4 min Read

“ରାନ୍ଧିବାକୁ ପେଶା କରି ବଞ୍ଚିହେବ ଏହା ମୋର ପରିବାର ଲୋକେ କେବେ ବି ବିଶ୍ଵାସ କରୁନଥିଲେ। ମାତ୍ର ଦେଖନ୍ତୁ, ମୁଁ କେବଳ ଏହାକୁ ପେଶା କରିନି, ଏଥିରେ ସଫଳ ମଧ୍ୟ ହେଇଛି”-ଏହା ହେଉଛି ବାଙ୍ଗାଲୋରର ସଫଳ ଉଦ୍ୟୋଗପତି ବିନିତା ଜୈନଙ୍କର ମନଖୋଲା ଅଭିବ୍ୟକ୍ତି। ଇଟାଲୀୟ ରାନ୍ଧଣାରେ ରୁଚି ରଖୁଥିବା ଲୋକଙ୍କ ଜୀବନକୁ ସହଜ କରିବା ଦିଗରେ ବିନିତାଙ୍କ ସଂସ୍ଥା କାର୍ଯ୍ୟ କରୁଛି। ତାଙ୍କ ସଂସ୍ଥା ଦ୍ଵାରା ପ୍ରସ୍ତୁତ ସସକୁ ବ୍ୟବହାର କରି ଅତି ସହଜରେ ପାସ୍ତା ଓ ପିଜା ତିଆରି କରି ହେଉଛି। ଅନେକ ଲୋକଙ୍କ ଭିତରେ ଧାରଣା ରହିଛି ଯେ ପାସ୍ତା ଓ ପିଜ୍ଜା ହେଉଛି ଜଙ୍କଫୁଡ ଶ୍ରେଣୀୟ ଖାଦ୍ୟ। ଏହି ମାନସିକତାରେ ପରିବର୍ତ୍ତନ ପାଇଁ ବିନିତାଙ୍କ ସଂସ୍ଥା କାର୍ଯ୍ୟ କରୁଛି। ତାଙ୍କ ମତରେ ଘରେ ଠିକ ଭାବେ ତିଆରି କରିପାରିଲେ ଏହି ଖାଦ୍ୟ ଗୁଡିକର ଗୁଣବତ୍ତା ବଜାୟ ରଖି ହେବ।

ବିନିତାଙ୍କ ପୁଅକୁ ବିଭିନ୍ନ ଖାଦ୍ୟ ପାଇଁ ଆଲର୍ଜି ଥିଲା। ସେଥିପାଇଁ ସେ ନିଜ ପୁଅକୁ ଘରେ ତିଆରି ଖାଦ୍ୟ ଦେବାକୁ ପସନ୍ଦ କରୁଥିଲେ। ଏହି ଅଭ୍ୟାସରୁ ହିଁ ବିନିତାଙ୍କ ଉଦ୍ୟୋଗର ମୂଳଦୁଆ ପଡିଥିଲା। ପ୍ରଥମେ ସେ ବଜାରରେ ଉପଲବ୍ଧ ହେଉନଥିବା କେତେକ ସସ୍ ଘରେ ତିଆରି କରିବା ଆରମ୍ଭ କଲେ। ଏହାର ଅନେକ ଦିନ ପରେ ଏହି ସବୁ ଜିନିଷର ବ୍ୟବସାୟ କରିବା ପାଇଁ ସେ ସ୍ଥିର କଲେ।

image


ରାଜସ୍ଥାନ ଆଜମେରର ଏକ ମଧ୍ୟବିତ୍ତ ପରିବାରରେ ବିନିତାଙ୍କ ଜନ୍ମ। ତାଙ୍କର ବାପା ଓ ମା ଉଭୟ ଶିକ୍ଷକତା କରନ୍ତି। ଗଣିତ ପ୍ରତି ପିଲାଦିନରୁ ତାଙ୍କର ଦୁର୍ବଳତା ଥିଲା। ସ୍ନାତକ ଶିକ୍ଷା ଶେଷ କଳା ପରେ ତାଙ୍କ ବାହାଘର ହୋଇଗଲା। ବିବାହ ତାଙ୍କ ଜୀବନର ଗୋଟିଏ ନୂତନ ଅଧ୍ୟାୟ ଥିଲା। ବିବାହ ପରେ ସେ ନିଜ ପରିବାର ସହ ଅଷ୍ଟ୍ରେଲିଆ ଗଲେ ଓ ସେଠାରେ ସେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାମ କରିଥିଲେ। ଏହି ସମୟରେ ସେ ମାଆ ହୋଇଥିଲେ ଓ ନିଜ ମାତୃତ୍ଵକୁ ଭରପୁର ଉପଭୋଗ କରିଥିଲେ। ଦୁଇବର୍ଷ ପରେ ବିନିତା ଭାରତ ଫେରିଆସିଲେ। କାମ କରିବା ପାଇଁ ସବୁବେଳେ ଆଗ୍ରହ ଥିଲା। ସେଥିପାଇଁ ସେ ନିଜର ଜଣେ ସମ୍ପର୍କୀୟା ଭଉଣୀଙ୍କ ଡିଜାଇନିଙ୍ଗ ସଂସ୍ଥାରେ କାମ କଲେ। କୌଣସି ଜିନିଷର ସଠିକ ବଜାର ପ୍ରବେଶ କିପରି କରାଯାଇ ପାଋବ ତାହା ସେ ଏହି ସଂସ୍ଥାରେ କାମ କଲା ବେଳେ ଶିଖିଲେ।

ସବୁଠାରୁ ମଜାଦାର କଥା ହେଲା ବିବାହ ପୂର୍ବରୁ ବିନିତା କେବେ ବି ରୋଷେଇ କରିନଥିଲେ। ମାତ୍ର ତାଙ୍କ ମା ରୋଷେଇ କଲାବେଳେ ସେ ଗଭୀର ଭାବେ ଅନୁଧ୍ୟାନ କରୁଥିଲେ। ବିବାହ ପରେ ସେ ରୋଷେଇ କରିବା ଆରମ୍ଭ କଲେ ଓ ଭଲ ରୋଷେଇ କରିପାରିବେ ବୋଲି ତାଙ୍କର ହୃଦବୋଧ ହେଲା। ତାଙ୍କ ରନ୍ଧା ଖାଦ୍ୟକୁ ଲୋକମାନେ ପସନ୍ଦ କରୁଥିଲେ। ଏହା ତାଙ୍କ ଆତ୍ମବିଶ୍ଵାସ ବଢାଇଥିଲା। ବିବାହ ପରେ ସେ ଯେଉଁ ଯେଉଁ ନୂଆ ଦେଶକୁ ଗଲେ ସେଠାକାର ଖାଦ୍ୟ ବିଷୟରେ ଅଧିକ ଅନୁଧ୍ୟାନ କରିବାକୁ ଲାଗିଲେ। ବ୍ରିସବେନରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କର ଗୋଟିଏ ଭୋଜନାଳୟ ଥିଲା। ସେହି ବନ୍ଧୁ ଜଣକ ବିନିତାଙ୍କ ରନ୍ଧଣା କୌଶଳକୁ ଅଧିକ ପରିମାର୍ଜିତ କରିଥିଲେ।

image


ଖାଦ୍ୟ ପରେ ବିନୀତାଙ୍କ ଆଉ ଗୋଟିଏ ରୁଚି ହେଲା ଗାଡି ଚଳାଇବା। ଗାଡି ଚଳାଇବା ବେଳେ ସେ ନିଜକୁ ରୋମାଞ୍ଚିତ ଓ ସ୍ଵାଧୀନ ମନେ କରନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଗାଡି ଚଳେଇବାକୁ ନେଇ ବିନିତାଙ୍କର ଅନେକ ମଜାଦାର ଅନୁଭୂତି ରହିଛି। ଏହା ଛଡା ସଙ୍ଗୀତ ଓ ବାଦ୍ୟଯନ୍ତ୍ର ବଜାଇବା ଶିଖିବାରେ ମଧ୍ୟ ତାଙ୍କର ରୁଚି ରହିଛି। ସେ ଯାହାଙ୍କୁ ଭେଟନ୍ତି ତାଙ୍କ ଠାରୁ କିଛି ନା କିଛି ନୂଆ ଶିଖିବାକୁ ଚେଷ୍ଟା କରନ୍ତି। ତାଙ୍କ ମତରେ ଅନ୍ୟ ଉପରେ ନିର୍ଭର କରିବା ନିଜକୁ ମାନସିକ ସ୍ତରରେ ଦୁର୍ବଳ କରିଦିଏ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ରହଣି ତାଙ୍କୁ ଅନେକ ସାହାଯ୍ୟ କରିଛି। ଏଠାରେ ଲୋକମାନେ ନିଜ ଭିତରେ ଯେଉଁ ଉପାୟରେ କଥା ହୁଅନ୍ତି ସେଥିରୁ ଅନେକ ଜିନିଷ ଶିଖିବାର ଅଛି ବୋଲି ବିନିତା କୁହନ୍ତି। ସେଠାରେ ଲୋକମାନେ ଯେତେ ଚାପରେ ଥିଲେ ବି ଅନ୍ୟମାନଙ୍କ ସହ ଭଦ୍ର ଓ ବିନୟୀ ହୋଇ କଥା ହୁଅନ୍ତି। ଏପରିକି ପରିବା ବଜାରରେ ମଧ୍ୟ ବ୍ୟବସାୟୀମାନେ ମଧ୍ୟ ଗ୍ରାହକମାନଙ୍କୁ ସେମାନଙ୍କ ଭଲମନ୍ଦ ହାଲଚାଲ କଥା ପଚାରିଥାଆନ୍ତି। ନିଜ ଗ୍ରାହକକୁ ଖୁସି ରଖିବାରେ ହିଁ ଉଦ୍ୟୋଗର ସଫଳତା ନିର୍ଭର କରେ।

ଉଦ୍ୟୋଗ ଆରମ୍ଭ କରିବା ଦିନ ଗୁଡିକ ତାଙ୍କ ପାଇଁ ଏତେ ସହଜ ନଥିଲା ବିନିତା କୁହନ୍ତି। ଜିନିଷ ତିଆରି କରିବା ଠାରୁ ଗ୍ରାହକଙ୍କ ପାଖରେ ଜିନିଷ ପହଞ୍ଚାଇବା ହିସାବ ରଖିବା ଓ ତାପରେ ଘରେ ନିଜ ପିଲାଙ୍କର ଦେଖାଶୁଣା କରିବା- ଏ ସବୁ କାମ ତାଙ୍କୁ ଏକା ଏକା କରିବାକୁ ପଡୁଥିଲା। ବେଳେ ବେଳେ ସେ ବିରକ୍ତ ବି ହେଇ ଯାଉଥିଲେ। ମାତ୍ର ସବୁବେଳେ ନିଜର ଉଦ୍ୟୋଗ ପାଇଁ ତାଙ୍କ ଭିତରୁ ଗୋଟିଏ ସକାରାତ୍ମକ ଉତ୍ତର ଆସୁଥିଲା। ନିଜର ଟିମ ଗଢି ସାରିଲା ପରେ ବିନିତାଙ୍କ ଉପରେ କାର୍ଯ୍ୟଚାପ କମିଥିଳା।

Vini’s Food ଛଡା ସେ ନିଜର ସାଙ୍ଗଙ୍କ ଏନଜିଓ କାର୍ଯ୍ୟରେ ମଧ୍ୟ ସହାୟତା କରନ୍ତି। ବ୍ୟକ୍ତିଗତ ଭାବେ ସେ ଥାଇଲ୍ୟାଣ୍ଡର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ଏହା ଛଡା ସେ ଟେଲିଭିଜନ ଦେଖିବାକୁ ଓ ସାଙ୍ଗମାନଙ୍କ ସହ ସମୟ ବିତେଇବାକୁ ପସନ୍ଦ କରନ୍ତି। ବ୍ୟକ୍ତିଗତ ଜୀବନରେ ବିନିତା ଭାରି ସରଳ। ତାଙ୍କର ପରିଧାନ ପରିପାଟୀ ମଧ୍ୟ ସରଳ। ବିଭିନ୍ନ ସ୍ଥାନ ବୁଲିବା ଓ ଲୋକମାନଙ୍କ ସହ କଥା ହେବା ତାଙ୍କୁ ଅନେକ କଥା ଶିକ୍ଷା ଦେଇଛି ବୋଲି ବିନିତା କୁହନ୍ତି।

ନିଜସ୍ୱ ଉଦ୍ୟୋଗ କରିବା ପାଇଁ ମହିଳା ମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୋଲି ବିନିତା କୁହନ୍ତି। ମାତ୍ର ତାଙ୍କ ପରିବାରରେ ପୁଅ ଝିଅ ଭେଦଭାବ ନଥିଲା ଓ ଏହା ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଛି ବୋଲି ସେ ମତ ଦିଅନ୍ତି। ମହିଳା ମାନଙ୍କୁ ଠିକ ସମ୍ମାନ ଓ ପ୍ରୋତ୍ସାହନ ମିଳିଲେ ସେମାନେ ନିଜକୁ ଅଧିକ ଭଲଭାବେ ପ୍ରମାଣିତ କରିପାରିବେ ବୋଲି ସେ ମତ ରଖନ୍ତି।