ଶିକ୍ଷକମାନଙ୍କ ପାଇଁ ଷ୍ଟାର୍ଟଅପ୍: ଶିକ୍ଷଣ ପ୍ରଣାଳୀ, ଗବେଷଣା ଓ ସେମିନାର ବିଷୟରେ ସୂଚନା ଦେବ WeSocrates
ଭୁବନେଶ୍ୱରର ଚାରିଜଣ କଲେଜ୍ ପଢୁଆ ପିଲା ଆରମ୍ଭ କରିଛନ୍ତି ଏଭଳି ଏକ ଷ୍ଟାର୍ଟଅପ୍, ଯାହା ଶିକ୍ଷକମାନଙ୍କୁ ତାଙ୍କ ଜ୍ଞାନ ବଢାଇବାରେ ସହାୟକ ହେବ | ସେମାନଙ୍କ ପାଇଁ ଗବେଷଣାର ନୂଆ ଦିଗ ଉନ୍ମୋଚନ କରିବ | ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସେମିନାରରେ ଯୋଗଦେବା ଲାଗି ବାଟ ଖୋଲିଦେବ | କେବଳ ସେତିକି ନୁହେଁ, ଏହି ଷ୍ଟାର୍ଟଅପ୍ ଆଗକୁ ବଢିଲେ, ଗୋଟିଏ ପ୍ଲାର୍ଟଫର୍ମରେ ଆମେ ଦେଶର ସମସ୍ତ ଅନୁଷ୍ଠାର ଶିକ୍ଷକମାନଙ୍କୁ ଯୋଡିପାରିବେ ଓ ସେମାନଙ୍କୁ ଖୋଜିପାରିବା | ଦେଖିବାକୁ ଗଲେ ଏହା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପରୋକ୍ଷରେ ସାହାଯ୍ୟ କରିବ | ଏହି ଷ୍ଟାର୍ଟଅପ୍ ର ନାଁ ରହିଛି WeSocrates | ଏହା ହେଉଛି ଶିକ୍ଷକଶ୍ରେଣୀଙ୍କ ପାଇଁ ନେଟୱାର୍କିଂ, ଗବେଷଣା ଓ ଶିକ୍ଷଣର ଏକ ପ୍ଲାଟଫର୍ମ | ଆମର ଅଧ୍ୟାପକ, ପ୍ରଫେସର ଓ ରିଡରମାନଙ୍କ ପାଇଁ ଏହା ଏକ ସଂପୂର୍ଣ୍ଣ ସମାଧାନର ସୂତ୍ର ଉପଲବ୍ଧ କରାଇପାରିବ |
ପ୍ରସିଦ୍ଧ ଦାର୍ଶନିକ ଓ ଶିକ୍ଷକ ସକ୍ରେଟିସ୍ ଙ୍କ ନାଁ ଅନୁସାରେ ଏହି ଷ୍ଚାର୍ଟଅପ୍ ପ୍ରୋଜେକ୍ଟର ନାମ WeSocrates ରଖାଯାଇଛି | ନାଁରୁ ଜଣାପଡେ ଏହା ହେଉଛି ଶିକ୍ଷକମାନଙ୍କ ପାଇଁ ଏକ ପ୍ରୋଜେକ୍ଟ | ଶିକ୍ଷକମାନେ ବିଭିନ୍ନ ବିଷୟରେ ସେମାନଙ୍କ ଜ୍ଞାନ, ଦକ୍ଷତା ଆଦିକୁ ବଢାଇପାରିବେ ଓ ଅନ୍ୟଶିକ୍ଷକଙ୍କ ସହ ସମ୍ପର୍କ ରଖିପାରିବେ, ସେ ଦୃଷ୍ଟିରୁ WeSocrates ର ବ୍ୟବହାର ଅତ୍ୟନ୍ତ ଉପଯୋଗୀ ହୋଇପାରିବ | କେବଳ ସେତିକି ନୁହେଁ ବିଭିନ୍ନ ସ୍ଥାନରେ କୌଣସି ବିଷୟ ଉପରେ ଗବେଷଣା କିମ୍ବା ସେମିନାର୍ ଆଦି ସମ୍ପର୍କରେ ମଧ୍ୟ ଏଥିରୁ ସୂଚନା ପାଇହେବ | ଆଉ ସବୁଠୁ ବଡ କଥା ହେଉଛି, ଏସବୁ ସୁବିଧା ପାଇବା ସହ ଆପଣ ଏଥିରୁ ସାରା ଦେଶରେ ଥିବା ଶିକ୍ଷକମାନଙ୍କୁ ଜାଣିବା ପାଇଁ ଏହାକୁ ସର୍ଚ୍ଚ ଇଂଜିନ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ|
ଗତ ଫେବୃୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ୟୁନିଭରସିଟିରେ ହୋଇଥିବା ଷ୍ଟାର୍ଟଅପ୍ ସପ୍ତାହ ଭୁବନେଶ୍ୱର କାର୍ଯ୍ୟକ୍ରମରେ ଭାଗନେଇ ଚାରି ଜଣ ଛାତ୍ର ଏହି ଷ୍ଟାର୍ଟଅପ୍ ର ପରିକଳ୍ପନା କରିଥିଲେ | ଭୁବନେଶ୍ୱର ବିମଟେକ୍ ଅନୁଷ୍ଠାନର ଅଲିଶା ମହାପାତ୍ର ଓ ଶୁଭଦୀପ ସିଂହା ଏବଂ କଟକର ଶ୍ରୀ ଶ୍ରୀ ୟୁନିଭରସିଟିର ଛାତ୍ରୀ ଶିବାନୀ ଆରୋରା ଓ ଗ୍ରୀଷ୍ମା ପୁତ୍ରନଙ୍କୁ ନେଇ ଏହି ଚାରିଜଣିଆ ଟିମ୍ ଏହାକୁ ପ୍ରସ୍ତୁତ କରିଛନ୍ତି |
ଏ ସମ୍ପର୍କରେ ଅଲିଶା କୁହନ୍ତି,
ପ୍ରଥମେ ଏହି ଆଇଡିଆଇ ଶୁଭଦୀପ ଦେଇଥିଲେ | ତେବେ ଆମେ ଚାରିଜଣ ଏହା ଉପରେ କାମ କରିଛୁ | ଆମ ଶିକ୍ଷକମାନଙ୍କ ପାଇଁ କିଛି କରିବାର ଇଛା ଫଳରେ ଏହା ଆମେ କରିପାରିଛୁ |
ଏ ସମ୍ପର୍କରେ ଶୁଭଦୀପଙ୍କ କହିବା କଥା ଯେ,
ଏହି ଆଇଡିଆ ଆମପାଖକୁ ହଠାତ୍ ଆସିଥିଲା | ବିଭିନ୍ନ ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ଆପ୍ଲିକେସନ୍ ରହିଛି | ଷ୍ଟାର୍ଟଅପ୍ ସପ୍ତାହରେ ଆମ ମୁଣ୍ଡରେ ଏହି ଆଇଡିଆ ଆସିଲେ ଯେ ଆମକୁ ପଢାଉଥିବା ଶିକ୍ଷକମାନଙ୍କ ପାଇଁ କାହିଁକି ଏକ ୱାନ୍-ଷ୍ଟପ୍ ସପୋର୍ଟ ସଲ୍ୟୁସନ୍ କରାନଯିବ ? କିଭଳି ଆପ୍ଲିକେସନ୍ ଏଥିରେ କାମ କରିବ ଓ କିଭଳି ଏହା ଏକ ଷ୍ଟାର୍ଟଅପ୍ ଭାବେ ଉଭା ହୋଇପାରିବ, ଏହାକୁ ନେଇ ଗୋଟିଏ ଦିନ ବ୍ରେନଷ୍ଟୋର୍ମିଂ କରିବାକୁ ପଡିଥିଲା |
ଷ୍ଟାର୍ଟଅପ୍ ସପ୍ତାହ ଭୁବନେଶ୍ୱର କାର୍ଯ୍ୟକ୍ରମରେ ୧୪ଟି ଟିମ୍ ର ପ୍ରାୟ ୮୦ରୁ ଅଧିକ ଅଂଶଗ୍ରହଣକାରୀ ଥିଲେ | ଅନେକ ଅନନ୍ୟ ଓ ନୂଆ ଆଇଡିଆ ଏଠାରେ ଉପସ୍ଥାପିତ କରାଯାଇଥିଲା | କିନ୍ତୁ ଶେଷରେ ଏହି ରେସ୍ ରେ WeSocrates ହିଁ ୱିନର୍ ହୋଇଥିଲା | ଶ୍ରେଷ୍ଠ ଷ୍ଟାର୍ଟଅପ୍ ଆଇଡିଆ ଭାବେ ଏହାକୁ ମିଳିଥିଲା ସ୍ୱିକୃତୀ | ଏହାପରେ ଟିମ୍ ମେମ୍ବରମାନେ ଉତ୍ସାହିତ ହୋଇପଡିଛନ୍ତି |
ଏ ନେଇ ଶିବାନୀ କୁହନ୍ତି,
ଆମ ପାଇଁ ଏହା ଥିଲା ଏକ ବଡ ଅନୁଭବ | ଏଥିରେ ଆମକୁ ସଫଳତା ମିଳିବା ପରେ ଆମେ ସମସ୍ତ ଖୁସୀ ହେବା ସହ ଏହାକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛୁ | ଏହା ନିଶ୍ଚିତ ଭାବେ ଆମ ଜୀବନକୁ ବଦଳାଇଦେବ |
ପ୍ରଥମ ପର୍ଯ୍ୟାୟରେ ଓଡିଶାର ଶିକ୍ଷକମାନଙ୍କୁ ନେଇ କାମ କରିବ ବୋଲି ସ୍ଥିର କରିଛି | ତାପରେ ଏହାକୁ ଧୀରେ ଧୀରେ ଦେଶରେ ଅନ୍ୟାନ୍ୟ ଅନୁଷ୍ଠାନର ଶିକ୍ଷକମାନଙ୍କୁ ଏଥିରେ ସାମିଲ କରାଯିବ | ତେବେ ଡାଟା ମ୍ୟାନେଜମେଣ୍ଟ ବର୍ତ୍ତମାନ ଏମାନଙ୍କ ପାଇଁ ବଡ ଚ୍ୟାଲେଂଜ୍ | କାରଣ ଏଠାରେ କେବଳ ଠିକ୍ ସୂଚନା ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି |