ନାଟକର ଯାତ୍ରାରେ ଆଜି ବି ଗତିଶୀଳ “ଭୂମିକା”

ଜୀବନ ଏକ ନାଟକ । ଆମେ ସମସ୍ତେ ଏହାର କଳାକାର । ଏମିତି ଏକ ଉକ୍ତିକୁ ସାର୍ଥକ କରିବାକୁ ସତେ ଯେମିତି ପ୍ରତିଶୃତିବଦ୍ଧ ସେମାନେ । ଧରାବନ୍ଧା ନିୟମ ନଥିଲା ସେମାନଙ୍କ ଭିତରେ । ପ୍ରତିଟି ମୁହୁର୍ତ୍ତରେ ନୁଆଁ କିଛି କରିବାର ସ୍ୱପ୍ନରେ ବିଭୋର ଥିଲେ । ସେଇଥିପାଇଁ ନାଟକକୁ ଜୀବନ ଓ ଜୀବନକୁ ନାଟକ କରି ସମାଜର ପ୍ରତିଟି କ୍ଷେତ୍ରରେ ନିଜର ଏକ ଛାପ ଛାଡିଦେଇ ଆଗକୁ ବଢିଗଲେ ଗତିଶୀଳତା ଯେମିତି ସେମାନଙ୍କର ଧ୍ୟେୟ ଥିଲା । ସମୟର ସ୍ରୋତରେ ବଦଲୁଥିଲା ଚେହେରା, ହେଲେ ଲକ୍ଷ୍ୟ ନିର୍ଦ୍ଧିଷ୍ଟ ଥିଲା ।

ନାଟକର ଯାତ୍ରାରେ ଆଜି ବି ଗତିଶୀଳ “ଭୂମିକା”

Thursday November 19, 2015,

4 min Read

ସମାଜ ଜୀବନର ଧାରାକୁ ସୁନ୍ଦର କରିବାକୁ ସେମାନେ ଉଦ୍ୟମ କରିଥିଲେ । ଦେଖିଥିଲେ , ଖାଲି ନାଟକ ସୁଧାରିପାରିବ ନାହିଁ ସମାଜ ଜୀବନ । ତେଣୁ ସାମାଜିକ, ସାଂସ୍କୃତିକ ମନସ୍ତତ୍ୱକୁ ଆବୋରୀ ନାଟକରେ ରଙ୍ଗ ମାଖିଲେ, ଦିନ ଦୁଃଖି ଦରିଦ୍ର ମଣିଷ ସେବା ବି କଲେ । ତାଙ୍କର ରଙ୍ଗ ମାଖିଲା ଚେହେରାକୁ ନେଇ ଆଜି ବି ବଲାଙ୍ଗୀରର ନାଟ୍ୟ ଜଗତ ଚଞ୍ଚଳ । ବଲାଙ୍ଗୀରକୁ କଳା ସାଧାନାର ପ୍ରକୃଷ୍ଠ କ୍ଷେତ୍ର ଭାବରେ ଗ୍ରହଣ କରି ୨୫ ବର୍ଷର ଉଦ୍ଧିପ୍ତ ଯୌବନରେ ପଦାର୍ପଣ କରିଛି “ଭୂମିକା” । ବଲାଙ୍ଗୀରର ଏକ ସମାଜ ସଂସ୍କୃତି ଅନୁଷ୍ଠାନ ।

image


କିଛି କଲେଜ ପିଲା ନାଟକର ରୁଚି ରଖିଥାନ୍ତି । କଳାକୁ ବଞ୍ଚାଇ ରଖିବା ପାଇଁ କେତେ ଯେ ଭାବନା ନେଇ ସେମାନେ ଏକାଠି ହୁଅନ୍ତି । ହଠାତ ଦିନେ ମନରେ ଆସେ ଏକ ଅନୁଷ୍ଠାନ ଗଢି ଲୋକଙ୍କୁ କିଛି ବାର୍ତ୍ତା ଦେବାକୁ । ତାପରେ ଏକଜୁଟ ହୁଅନ୍ତି ୨୦ ରୁ ୨୨ ପିଲା । ଗଢନ୍ତି “ଭୂମିକା ଅନୁଷ୍ଠାନ” । ପ୍ରଖର ଚିତ୍ର ଶିଳ୍ପି କବି ସ୍ୱର୍ଗତ ଛନ୍ଦାଚରଣ ଆଚାର୍ଯ୍ୟ, ଚିତ୍ରମନସ୍କ ମହେନ୍ଦ୍ର ମଲ୍ଲିକ, ନାଟକରେ ଜୀବନ ଖୋଜୁଥିବା ରାମଚନ୍ଦ୍ର ସାହୁ, ଗଦାଧର ବାରିକ, ଚିତ୍ତରଂଜନ ଦାସ, ବିଜୟ ମହାପାତ୍ର, ବିଦ୍ୟୂତ ମିଶ୍ର, ବିରେନ ବନଛୋର, ରବିନାରାୟଣ ମିଶ୍ର, ଅଶୋକ ଦାସ ପ୍ରମୂଖଙ୍କ ସମେତ ଆଉ କେତେକଙ୍କ ମାନସ ସନ୍ତାନ ଥିଲା ଭୂମିକା । ସେମାନେ “ଭୂମିକା”କୁ ଅନୁଷ୍ଠାନ ନକହି ଏକ ପରିବାର ବୋଲି କହୁଥିଲେ କୁହନ୍ତି ଓ ଏ ମାନସିକତାକୁ ବଜାୟ ରଖିବାର ଉଦ୍ୟମ ସବୁବେଳେ ରହିଛି। ଦୀର୍ଘ ୨୫ ବର୍ଷର ଯାତ୍ରାରେ ଆଜି ବି ଅନୁଷ୍ଠାନଟି ଗତିଶୀଳ ରହିଛି । 

image


ଏକ ସୁସ୍ଥ ସମାଜ ଗଠନର ଆଭିମୁଖ୍ୟ ନେଇ ନାଟକ ମାଧ୍ୟମରେ ସମାଜକୁ ସୁଧାରିବା ପାଇଁ ଏକ ଆନ୍ଦୋଳନ କରୁଛି ଭୂମୀକା । କେତେ ଯେ ବାଧାବିଘ୍ନ ସହ୍ୟ କରି ଆଜି ବି ଅନୁଷ୍ଠାନଟି ଏହି ବ୍ୟସ୍ତବହୁଳ ସମାଜରେ ତାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଉଦ୍ୟମ ଜାରି ରଖିଛି । ଦେଶର ବହୁ ନାଟ୍ୟ ଅନୁଷ୍ଠାନ ଏହି ଭୂମିକା ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗଦେଇ ଏହି ସମାଜକୁ ବହୁ କିଛି ବାର୍ତ୍ତା ଦେଇ ଯାଇଛନ୍ତି । ଭୁମିକା ଅନୁଷ୍ଠାନ ୧୯୮୯ ମସିହା ଡିସେମ୍ବର ୨୦ ତାରିଖରେ ଆରମ୍ଭ ହୋଇଥିଲା । ପ୍ରଥମେ ମଂଚସ୍ଥ କରିଥିଲେ ନାଟକ 'ହାତୀକୁ ହୋମିଓପାଥି' । ଯାହାକି ମଂଚସ୍ଥ ହୋଇଥିଲା ବଲାଙ୍ଗୀରର ଲେଡିଜ କ୍ଲବ ପରିସରରେ । ନାଟକଟି ଏତେ ଯେ ଜୀବନ୍ତ ଥିଲା ଯେ ଆଗକୁ ଏ ଅନୁଷ୍ଠାନ ଆହୁରି ନାଟକ କରିବାକୁ ମନସ୍ଥ କରିବା ସହ ସମାଜକୁ କିଛି ନୁଆଁ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ପରେ ୧୯୯୦ ମସିହାରେ ମଂଚ ନାଟକ 'ମେରା ଭାରତ ମହାନ' ବଲାଙ୍ଗୀର ବିଇଡି କଲେଜଠାରେ କରାଯାଇଥିଲା । ଟିକିଏ ଭିନ୍ନ ଭାବନାକୁ ନେଇ ଭୂମିକା ପରିବାର ଆରମ୍ଭ କରିଥିଲା ପଥପ୍ରାନ୍ତ ନାଟକ ସତ୍ୟ ମେବ ଜୟତେ ଯାହାକି ପୋଷ୍ଟ ଅଫିସ ସାମ୍ନାରେ କରାଯାଇଥିଲା । ଯାହାକି ବଲାଙ୍ଗୀର ଇତିହାସ ତଥା ରାଜ୍ୟରେ ପ୍ରଥମ କରି ଏହି ନାଟକ ହୋଇଥିବା କୁହାଯାଏ । 

ଧିରେ ଧିରେ ବହୁ ଗୁଡିଏ ମଞ୍ଚ ନାଟକ, ପଥପ୍ରାନ୍ତ ନାଟକ ସହ ବିଭିନ୍ନ ଭାଷାରେ ଯଥା- ଓଡିଆ, ହିନ୍ଦୀ ଓ କୋସଲି ଇତ୍ୟାଦି ଭାଷାରେ କର୍ମି ଆମେ ଦେଶର, ଚୌକୀ, ଶୋକସଭା, ଜୟହିନ୍ଦ, ଭଦ୍ରଲୋକ, ମୁଆବଜେ, ହେଟାହେନ୍ତା ହେବାନ, ନାଟକ ଚିତ୍ରକର, ଉଖି, ଆର କେତେଦିନ, ଚରନ ଦାସ ଚୋର ଇତ୍ୟାଦି ବହୁ ନାଟକ କରାଯାଇ ସମାଜକୁ ସଚେତନ କରିବାରେ ଲାଗିଲା ଭୂମିକା ପରିବାର । ଏପରିକି ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ନାଟକ ପ୍ରଦର୍ଶନ କରିଥିଲା । ଏଥିରେ ବହୁ ସଫଳତା ବି ପାଇଥିଲା । ଏହି ଅନୁଷ୍ଠାନର ଅନେକ କଳାକାର ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । କିଛି ବର୍ଷ ଏହି ଯାତ୍ରା ଚାଲିବା ପରେ ଆଉ ଟିକିଏ ଅଧିକ ଆଶା କରି ଭୂମିକା ୨୦୦୬ ମସିହାରୁ ବିଶିଷ୍ଟ ଆଇନଜ୍ଞ ନରସିଂହ ମିଶ୍ରଙ୍କ ସଂସ୍ପର୍ଷରେ ଆସି ସହରର ବହୁ ଗୁଡିଏ ଅନୁଷ୍ଠାନକୁ ଏକଜୁଟ କରି ଆରମ୍ଭ କରିଥିଲା “ମଠଖାଇ ମହୋତ୍ସବ” । ୨୦୦୬ ମସିହାରୁ ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ଭାବରେ ନରସିଂହ ମିଶ୍ର ଦାୟୀତ୍ୱ ତୁଲାଇ ସଫଲତାର ସହ ଆଗକୁ ନେଇ ଆସୁଛନ୍ତି । ଏହି ମହୋତ୍ସବରେ ସ୍ଥାନ ପାଇଥିଲା ଦେଶର ବହୁ ଗୁଡିଏ ରାଜ୍ୟର ବହୁ ଭାଷାର ନାଟକ । ଆରମ୍ଭ ହୋଇଥିଲା ବହୁଭାଷି ନାଟକ ପ୍ରତିଯୋଗୀତା ଯାହାକି ଆଜି ପର୍ଯ୍ୟନ୍ତ ଚାଲିଆସିଛି । 

image


ବିଭିନ୍ନ ରାଜ୍ୟର ନାଟକକୁ ବଲାଙ୍ଗୀର ତଥା ରାଜ୍ୟରେ ଯୋଡିବାର ପ୍ରୟାସ ଥିଲା ଏକ ନିଆରା । ଏହି ମହୋତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରୁଥିବା କଳାକାର ତଥା ଅନ୍ୟାନ୍ୟ ବ୍ୟକ୍ତିତ୍ୱଙ୍କୁ ଆଗକୁ ବଢିବାର ଏକ ରାସ୍ତା ଦେଖାଇ ଭୂମିକା ସମ୍ମାନରେ ସମ୍ମାନିତ କରିବା ପ୍ରକ୍ରିୟା ବି ଆରମ୍ଭ କଲା । ଜିଲ୍ଲା, ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନର କଳା ସଂସ୍କୃତିକୁ ବି ସ୍ଥାନ ଦିଆଯାଇଥିଲା । ବଲାଙ୍ଗୀରର ପରିଚୟ ମଠଖାଇ ପାହାଡରୁ ସାଧାରଣତଃ ଜଣାଯାଇଥାଏ । ଏଣୁ ଏହାର ନାମ ରଖାଯାଇଥିଲା ମଠଖାଇ ମହୋତ୍ସବ । ଏହି ମହୋତ୍ସବରେ ଦେଶର ବହୁ ବିଶିଷ୍ଟ କଳାକାର, ନିର୍ଦ୍ଧେଶକଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । ସେହିପରି ଭୂମିକା ପକ୍ଷରୁ ବିଷୁବତ୍ସୋବ, ଚିତ୍ରାଙ୍କନ ପ୍ରତିଯୋଗୀତା, ଚିତ୍ରକଳା ପ୍ରଦର୍ଶନୀ, ସ୍ୱାସ୍ଥ୍ୟସେବା ଶିବିର, ସାହିତ୍ୟ ଆସର, କବିତା ପାଠୋତ୍ସବ, ଆଲୋଚନା ସଭା ଇତ୍ୟାଦି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେଇ ଚାଲିଛି ଏହି ଅନୁଷ୍ଠାନ । ଏବେ ଭୁମିକା ତାର ଯାତ୍ରାରେ ୨୫ ବର୍ଷ ଅତିକ୍ରମ କରି ବି ଆଗକୁ ଆହୁରି କିଛି କରିବାର ଲକ୍ଷ୍ୟ ରଖି ଆଗେଇ ଚାଲିଛି । ନାଟକ, କଳା, ସଂସ୍କୃତିକୁ ଆଧାର କରି ଏକ ସୁସ୍ଥ ସମାଜ ଗଠନ ପ୍ରକ୍ରିୟାରେ ଏହି ଅନୁଷ୍ଠାନ ସମର୍ପିତ ରହିଛି ।

ଏବେ ଜଞ୍ଜାଳମୟ ହୋଇଯାଇଛି ଜୀବନ । ଧାଁ ଦଉଡ ବ୍ୟତିବ୍ୟସ୍ତତା ଭିତରେ ମଣିଷର ମନ ଖୋଜୁଛି ଚେନାଏ ହସ, ଆଞ୍ଜୁଳାଏ ଆହ୍ଲାଦ ଓ ଛଳ ଛଳ କିଛି ମୁହୁର୍ତ୍ତ । ନାଟକ ଆଉ ଆମକୁ ଅଧିକ କଣ ଦିଏ ? ନିଜେ ମଞ୍ଚ ବାନ୍ଧି ଚଉକି ପକେଇ ଦର୍ଶକଙ୍କୁ ଡାକି ନାଟକ ଦେଖଉଥିଲେ ସେମାନେ । ତା'ରି ଭିତରେ ଅନୁଷ୍ଠାନକୁ ଆଗେଇ ନେଉଥିଲେ । ସେତେବେଳେ ବଲାଙ୍ଗୀରରେ ମଞ୍ଚ ନାଟକ ପରମ୍ପରା ଥିଲା ସମୃଦ୍ଧ । ଭୂମିକା ବ୍ୟତୀତ ରଙ୍ଗକାର, ଆମେ କଳାକାର ସଂଘ ଏବଂ କ୍ରାନ୍ତି ପରି ଅନୁଷ୍ଠାନ ନାଟକ ପ୍ରଦର୍ଶନ କରୁଥିଲେ । ସମୟର ପ୍ରବାହରେ ଅନେକ ଅନୁଷ୍ଠାନ ତିଆରି ହୋଇଛି ଓ କାଳର ଗର୍ଭରେ ନିଜର ଅସ୍ତିତ୍ୱ ହଜେଇ ଦେଇଛି । ସେ ଇତିହାସ ପାଲଟିଛି । କିନ୍ତୁ ଭୂମିକା ଆପଣାର ଭୂମିକାକୁ ଭୁଲିପାରି ନାହିଁ । ନାଟକକୁ ଆହୁରି ଲୋକାଭିମୁଖି କରିବାକୁ ଉଦ୍ୟମ କରିଚାଲିଛି ଓ ଚଳଚିତ୍ରର ଥ୍ରୀଡି ସମୟରେ ବି ମଞ୍ଚ ନାଟକକୁ ଆହୁରି ଜନପ୍ରିୟ କରାଯିବ ବୋଲି ଲକ୍ଷ୍ୟ ନେଇ ଆଗେଇ ଚାଲିଛି ଭୂମିକା । ଏ ଯାତ୍ରା ଜାରି ରହୁ ।

Share on
close